କେବଳ ନୀତୀଶ ନୁହଁନ୍ତି, ବିହାରରେ ୟୁ-ଟର୍ଣ୍ଣ ନେଇଛନ୍ତି ଏହି ନେତା, ପଢନ୍ତୁ ଲମ୍ବା ତାଲିକା

Published: Jan 28, 2024, 10:27 am IST

ନୂଆଦିଲ୍ଲୀ: ବିହାରର ଯେଉଁ ଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ପଲଟି ମାରିବା ନୂଆ କଥା ନୁହେଁ । ନୀତୀଶଙ୍କ ବ୍ୟତୀତ ବିହାରର ଅନେକ ନେତା ନିର୍ବାଚନୀ ଫାଇଦା ପାଇଁ ପଲଟି ମାରି ରେକର୍ଡ ସୃଷ୍ଟି କରିଛନ୍ତି ।
କେବଳ ବିହାର ନୁହେଁ, ଦେଶର ରାଜନୀତିରେ ମଧ୍ୟ ନୀତୀଶ କୁମାରଙ୍କ ରାଜନୀତି ଚର୍ଚ୍ଚାରେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ନୀତୀଶ କୁମାର ୬ ଥର ୟୁ-ଟର୍ଣ୍ଣ ନେଇଛନ୍ତି । ୨୦୧୩ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ପଲଟି ମାରିଥିଲେ । ଏହାପରେ ନୀତୀଶ ପ୍ରଥମେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗିଥିଲେ ଏବଂ ପରେ ରାଷ୍ଟ୍ରୀୟ ଜନତା ଦଳ ସହ ଯାଇଥିଲେ । ଏହାପରେ ନୀତୀଶଙ୍କ ୟୁ-ଟର୍ଣ୍ଣ ଜାରି ରହିଛି ।

ନୀତୀଶଙ୍କ ୟୁ-ଟର୍ଣ୍ଣ ରାଜନୀତି ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ବିହାରରେ ୫୦ରୁ ଅଧିକ ବିଧାୟକ ମନ୍ତ୍ରୀ ହୋଇଛନ୍ତି । ନୀତୀଶଙ୍କ ୟୁ-ଟର୍ଣ୍ଣ ଯୋଗୁଁ ଏହି ୧୦ ବର୍ଷ ମଧ୍ୟରେ ବିହାରକୁ ୪ ଜଣ ବିଧାନସଭା ବାଚସ୍ପତି ଓ ୩ ଜଣ ଡେପୁଟି ସିଏମ ମଧ୍ୟ ମିଳିଛି ।
ତେବେ ବିଶେଷଜ୍ଞଙ୍କ ମତରେ ବିହାରର ଯେଉଁଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ପଲଟି ମାରିବା ନୂଆ କଥା ନୁହେଁ । ନୀତୀଶଙ୍କ ବ୍ୟତୀତ ବିହାରର ଅନେକ ଲୋକ ପଲଟି ମାରିବାରେ ରେକର୍ଡ ସୃଷ୍ଟି କରିଛନ୍ତି ।

ରାମବିଳାସ ପାଶୱାନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ମଧ୍ୟ ପଲଯି ମାର ରାଜନୀତିର ମାଷ୍ଟର ଖେଳାଳି ଥିଲେ । ସମଗ୍ର ରାଜନୈତିକ ଜୀବନରେ ପାଶୱାନ ୬ ଥର ୟୁ-ଟର୍ଣ୍ଣ ନେଇଥିଲେ । ପାଶୱାନଙ୍କୁ ବିହାର ଏବଂ ଦେଶର ରାଜନୀତିରେ ପାଣିପାଗ ବିଜ୍ଞାନୀ ମଧ୍ୟ କୁହାଯାଏ ।
ପାଶୱାନ ୧୯୬୯ ମସିହାରେ ସଂଯୁକ୍ତ ସୋଶାଲିଷ୍ଟ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୪ରେ ସେ ଲୋକଦଳରେ ଯୋଗ ଦେଇଥିଲେ । ଏହାପରେ ସେ ଜନତା ଦଳ ଓ ଜନତା ଦଳ ୟୁନାଇଟେଡରେ, ଜନତା ପାର୍ଟିରେ ଯୋଗ ଦେଇଥିଲେ । ଶେଷରେ ୨୦୦୦ ମସିହାରେ ରାମ ବିଳାସ ନିଜର ଲୋକ ଜନଶକ୍ତି ପାର୍ଟି ଗଠନ କରିଥିଲେ ।

ପାଶୱାନ ଭିପି ସିଂହ, ଏଚ୍ ଡି ଦେବଗୌଡ଼ା, ଆଇକେ ଗୁଜରାଲ, ଅଟଳ ବିହାରୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ । ୨୦୦୫ରେ ପାଶୱାନଙ୍କୁ ମଧ୍ୟ ବିହାରର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା, କିନ୍ତୁ ରାଜନୈତିକ କାରଣରୁ ସେ ଏଥିରେ ସାମିଲ ହୋଇପାରିନଥିଲେ ।

ନିଜ ଜୀବନୀ ‘ପାଶୱାନ: ସଂକଳ୍ପ, ସାହସ ଓ ସଂଘର୍ଷ’ରେ ସେ ଲେଖିଛନ୍ତି- ଯଦି ଆପଣଙ୍କ ପାଖରେ କ୍ଷମତା ନାହିଁ, ତେବେ ଆପଣ ଲୋକଙ୍କ କାମ କରାଇପାରିବେ ନାହିଁ ଏବଂ ଧୀରେ ଧୀରେ ଆପଣଙ୍କ ରାଜନୀତି ତଳକୁ ଚାଲିଯିବ । ପାଶୱାନ ଅନେକ ସମୟରେ ଦଳିତଙ୍କ ଉନ୍ନତି ସହିତ ରାଜନୀତିକୁ ଯୋଡ଼ିଥିଲେ।

ଜିତନ ରାମ ମାଝୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ ଗତ ୯ ବର୍ଷ ମଧ୍ୟରେ ୭ଟି ୟୁ-ଟର୍ଣ୍ଣ ନେଇଛନ୍ତି । ୨୦୧୫ରେ ଜେଡିୟୁ ସହ ସମ୍ପର୍କ ଛିନ୍ନ କରିବା ପରେ ମାଝୀ ନିଜର ଦଳ ଗଠନ କରି ଏନଡିଏରେ ଯୋଗ ଦେଇଥିଲେ । ମାଝୀ ୨୧ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବଳ ନିଜ ଆସନ ବଜାୟ ରଖିପାରିଥିଲେ ।

୨୦୧୭ରେ ମାଝୀ ଏନଡିଏରୁ ଅଲଗା ହୋଇ ୟୁପିଏରେ ଯୋଗ ଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ମାଝୀ ୪୦ଟି ଆସନରୁ ୩ଟି ଆସନ ମିଳିଥିଲେ ମଧ୍ୟ ଗୋଟିଏ ବି ଆସନ ଜିତି ପାରିନଥିଲେ । ଏହାପରେ ନୀତୀଶଙ୍କ ସହାୟତାରେ ମାଝୀ ପୁଣିଥରେ ଏନଡିଏରେ ପହଞ୍ଚିଥିଲେ ।

୨୦୨୦ରେ ମାଝୀ ଏନଡିଏ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ମାଝୀଙ୍କ ଦଳ ୭ଟି ଆସନରେ ଲଢ଼ିଥିବାବେଳେ ସେଥିରୁ ୪ଟି ଆସନରେ ବିଜୟୀ ହୋଇଛି ।
ମାଝୀ ମହାମେଣ୍ଟରେ ସାମିଲ ହୋଇ ନୀତୀଶଙ୍କ ସହ କେବେ ବି ଯିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୧ ବର୍ଷରେ ସେ ଏହାକୁ ଭାଙ୍ଗି ଦେଇଥିଲେ । ୨୦୨୩ରେ ଏକ ରାଜନୈତିକ ନିଷ୍ପତ୍ତି ନେଇ ସେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରୁ ନିଜ ଦଳକୁ ଅଲଗା କରିଥିଲେ ଏବଂ ପରେ ମାଝୀ ବିଜେପି ସହ ଯାଇଥିଲେ । ଜିତନ ରାମ ମାଝୀ ବର୍ତ୍ତମାନ ବିହାର ବିଧାନସଭାର ସଦସ୍ୟ ଅଛନ୍ତି । ମାଝୀଙ୍କ ପରିବାରର ୩ ଜଣ ସକ୍ରିୟ ରାଜନୀତିରେ ଅଛନ୍ତି ।

ନାଗମଣି କୁଶୱାହା

ବରିଷ୍ଠ ସମାଜବାଦୀ ନେତା ଜଗଦେବ ପ୍ରସାଦଙ୍କ ପୁଅ ନାଗମଣି କୁଶୱାହା ମଧ୍ୟ ୟୁ-ଟର୍ଣ୍ଣ ନେବାରେ ରେକର୍ଡ କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ନାଗମଣି ୧୧ ଥର ପଲଟି ମାରିଛନ୍ତି । ପାଲଟିମାର ରାଜନୀତି ଯୋଗୁଁ ନାଗମଣି ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ୧୯୭୭ ମସିହାରେ ନାଗମଣି କୁର୍ଥା ଶୋଷିତ ସମାଜ ଦଳର ଚିହ୍ନରେ ବିଧାନସଭା ନିର୍ବାଚନରେ ବିଧାୟକ ହୋଇଥିଲେ । ୧୯୮୦ମସିହାରେ ସେ ସେହି ଆସନରୁ ଭାଗ୍ୟ ପରୀକ୍ଷା କରିଥିଲେ, କିନ୍ତୁ ନିର୍ବାଚନରେ ହାରିଯାଇଥିଲେ । ୧୯୮୫ରେ ନାଗମଣି କୁର୍ଥାରୁ ସ୍ୱାଧୀନ ପ୍ରାର୍ଥୀଭାବେ ଜିତିବାରେ ସଫଳ ହୋଇଥିଲେ ।

୧୯୯୦ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ କୁର୍ଥା ଆସନ ବଜାୟ ରଖିବାରେ ବିଫଳ ହୋଇଥିଲେ । ୧୯୯୧ରେ ସେ ଚତରା ଆସନରୁ କଂଗ୍ରେସ ଚିହ୍ନରେ ଲୋକସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ଏଥର ମଧ୍ୟ ଜିତି ପାରିନଥିଲେ । ଏହାପରେ ନାଗମଣି ରାଷ୍ଟ୍ରୀୟ ଜନତା ଦଳରେ ଯୋଗ ଦେଇଥିଲେ । ୧୯୯୯ରେ ନାଗମଣି ଆରଜେଡି ଚିହ୍ନରେ ଚତରାରୁ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ, କିନ୍ତୁ ୨ ବର୍ଷ ମଧ୍ୟରେ ସେ ନିରାଶ ହୋଇଯାଇଥିଲେ । ସେ ୩ ଜଣ ସାଂସଦଙ୍କ ସହ ଆରଜେଡି ବିରୋଧରେ ବିଦ୍ରୋହ କରିଥିଲେ ।

୨୦୦୧ମସିହାରେ ନାଗମଣି ଆରଜେଡି (ଡେମୋକ୍ରାଟିକ୍) ଗଠନ କରିଥିଲେ । ତେବେ କିଛିମାସ ମଧ୍ୟରେ ଦଳ ବିଜେପିରେ ମିଶିଗଲା ଏବଂ ନାଗମଣି ଅଟଳ ସରକାରରେ ଯୋଗ ଦେଲେ । ୨୦୦୪ରେ ବିଜେପି କେନ୍ଦ୍ରଠାରୁ ହାରିବା ପରେ ନାଗମଣି ଏଲଜେପିରେ ଯୋଗ ଦେଇଥିଲେ ।

୨୦୦୫ରେ ସେ ପୁଣି ଜେଡିୟୁରେ ଯୋଗ ଦେଇଥିଲେ । ନୀତୀଶ କୁମାର ମଧ୍ୟ ନାଗମଣିଙ୍କ ପତ୍ନୀ ସୁଚିତ୍ରାଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରିଥିଲେ, କିନ୍ତୁ ୨୦୦୮ରେ ନାଗମଣି ପୁଣି ଆରଜେଡିକୁ ଯାଇଥିଲେ । ଏହା ପରେ ନାଗମଣି କ୍ଷମତାକୁ ଆସି ପାରିନଥିଲେ ମଧ୍ୟ ସେ ନିଶ୍ଚିତଭାବେ ୪ ଥର ଦଳ ବଦଳାଇଥିଲେ । ନାଗମଣି ଏବେ ନିଜ ଦଳ ରାଷ୍ଟ୍ରୀୟ ଶୋଷିତ ସମାଜର ସଭାପତି ଅଛନ୍ତି ।

ଉପେନ୍ଦ୍ର କୁଶୱାହା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ମଧ୍ୟ କାଉଣ୍ଟର କିଲିଂରେ ବିଶେଷଜ୍ଞ । କୁଶୱାହା ଏପର୍ଯ୍ୟନ୍ତ ୭ ଥର ପଲଟି ମାରିସାରିଛନ୍ତି । ୧୯୮୫ରେ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା କୁଶୱାହା ବର୍ତ୍ତମାନ ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଅଛନ୍ତି ।

୨୦୦୦ ମସିହାରେ ଉପେନ୍ଦ୍ର କୁଶୱାହା ସମତା ପାର୍ଟିର ଚିହ୍ନରେ ଜାଣ୍ଡାହା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ନୀତୀଶ କୁମାର ତାଙ୍କୁ ବିରୋଧୀ ଦଳ ଉପନେତା ପଦ ପ୍ରଦାନ କରିଥିଲେ । କୁଶୱାହାଙ୍କୁ ବିରୋଧୀ ଦଳ ଉପନେତା କରିବା ପଛର କାରଣ ଥିଲା ଲବ-କୁଶ ସମୀକରଣକୁ ସୁଧାରିବା ।

୨୦୦୫ରେ ନୀତୀଶ କ୍ଷମତାକୁ ଆସିବା ପରେ କୁଶୱାହା ବିଦ୍ରୋହ କରିଥିଲେ । ୨୦୦୭ରେ ସେ ନିଜର ରାଷ୍ଟ୍ରୀୟ ସମତା ପାର୍ଟି ଗଠନ କରିଥିଲେ । ତେବେ ୨୦୦୯ ନିର୍ବାଚନରେ କୁଶୱାହାଙ୍କ ଦଳ ପରାଜିତ ହୋଇଥିଲା । ୨୦୧୦ରେ କୁଶୱାହା ନୀତୀଶ କୁମାରଙ୍କ ପାଖକୁ ଫେରିଥିଲେ । ଜେଡିୟୁ ତାଙ୍କୁ ପୁରସ୍କାରସ୍ୱରୂପ ରାଜ୍ୟସଭାକୁ ପଠାଇଥିଲା । ୨୦୧୩ରେ କୁଶୱାହା ପୁଣିଥରେ ବିଦ୍ରୋହ କରି ଏନଡିଏକୁ ଯାଇଥିଲେ ।

ବିଜେପି କୁଶୱାହାଙ୍କୁ ମୋଦି ସରକାରରେ ମନ୍ତ୍ରୀ କରିଥିଲା, କିନ୍ତୁ କୁଶୱାହା ୨୦୧୮ରେ ପୁଣିଥରେ ବିଦ୍ରୋହ କରି ମହାମେଣ୍ଟକୁ ଯାଇଥିଲେ । ୨୦୧୯ ନିର୍ବାଚନରେ ସେ ମହାମେଣ୍ଟରେ ଲଢ଼ିଥିଲେ ମଧ୍ୟ ସଫଳତା ପାଇନଥିଲେ । ଏହାପରେ କୁଶୱାହା ୨୦୨୦ରେ ଚତୁର୍ଥ ମୋର୍ଚ୍ଚା ଗଠନ କରିଥିଲେ । ହେଲେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲେ । ୨୦୨୧ରେ କୁଶୱାହା ପୁଣିଥରେ ଜେଡିୟୁକୁ ଯାଇଥିଲେ, କିନ୍ତୁ ୨୦୨୩ରେ ପୁଣିଥରେ ବିଦ୍ରୋହ କରି ନିଜର ଦଳ ଗଠନ କରିଛନ୍ତି ।

ସମ୍ରାଟ ଚୌଧୁରୀ

ବିହାର ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ ପାଲଟି ମାର ରାଜନୀତିର ଜଣେ ବିଶେଷଜ୍ଞ ଖେଳାଳି । ବିହାରର ଓବିସି ନେତା ଶକୁନି ଚୌଧୁରୀଙ୍କ ପୁଅ ସମ୍ରାଟ ୧୯୯୦ ମସିହାରେ ଛାତ୍ର ରାଜନୀତିରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୯ରେ ଏକ ରାଜନୈତିକ ବୁଝାମଣା ଅନୁଯାୟୀ ସମ୍ରାଟ ଚୌଧୁରୀଙ୍କୁ ରାବଡି ସରକାରରେ ମନ୍ତ୍ରୀ କରାଯାଇଥିଲା । ସମ୍ରାଟ ଚୌଧୁରୀ ମନ୍ତ୍ରୀ ହେବାମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା ।

ବିରୋଧୀ ଅଭିଯୋଗ କରିଛନ୍ତି ଯେ ସମ୍ରାଟ ଚୌଧୁରୀଙ୍କୁ ଲାଲୁ ଯାଦବ କମ୍ ବୟସରେ ମନ୍ତ୍ରୀ କରିଥିଲେ । ହଙ୍ଗାମା ଦେଖି ରାବଡି ଦେବୀ ସମ୍ରାଟଙ୍କଠାରୁ ଇସ୍ତଫା ନେଇଥିଲେ । ୨୦୦୦ରେ ସମ୍ରାଟ ଚୌଧୁରୀ ପରବଟ୍ଟା ଆସନରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ରେ ଲାଲୁ ଯାଦବ ସମ୍ରାଟ ଚୌଧୁରୀଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା କରିଥିଲେ, କିନ୍ତୁ ଚୌଧୁରୀ ୨୦୧୪ରେ ଆରଜେଡିର ୧୩ ଜଣ ବିଧାୟକଙ୍କ ସହ ଦଳ ଭାଙ୍ଗିବା ପରେ ଚର୍ଚ୍ଚାକୁ ଆସିଥିଲେ ।

୨୦୧୪ ନିର୍ବାଚନ ପୂର୍ବରୁ ଆରଜେଡି ପାଇଁ ଏହା ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଥିଲା । ଆରଜେଡି ଗଠନ ପରେ ଏହା ଥିଲା ସବୁଠାରୁ ବଡ ବିଭାଜନ । ଚୌଧୁରୀ ନୀତୀଶ କୁମାରଙ୍କ ସହ ସମସ୍ତ ବିଧାୟକଙ୍କ ସହ ଯାଇଥିଲେ । ବର୍ଷକ ମଧ୍ୟରେ ଜେଡିୟୁରେ ଫାଟ ସୃଷ୍ଟି ହୋଇଥିଲା ଏବଂ ନୀତୀଶ ମାଝୀଙ୍କୁ ଇସ୍ତଫା ଦେବାକୁ କହିଥିଲେ, କିନ୍ତୁ ସେ ବିଦ୍ରୋହ କରିଥିଲେ ।

ସମ୍ରାଟ ଚୌଧୁରୀ ମଧ୍ୟ ମାଝୀଙ୍କ ବିଦ୍ରୋହକୁ ସମର୍ଥନ କରିଥିଲେ ଏବଂ ସେ ୨୦୧୫ରେ ଜେଡିୟୁ ଛାଡ଼ି ହାମରେ ଯୋଗ ଦେଇଥିଲେ । ୨୦୧୭ରେ ସେ ଜିତନ ରାମ ମାଝୀଙ୍କ ସହ ମିଶି ନ ପାରି ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ ସମ୍ରାଟ ବିଜେପିରେ ଅଛନ୍ତି । ୨୦୨୦ରେ ବିଜେପି ତାଙ୍କୁ ମନ୍ତ୍ରୀ କରିଥିଲା ଏବଂ ୨୦୨୨ରେ ତାଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳ ନେତା ମଧ୍ୟ କରାଯାଇଥିଲା ।

Related posts