ମେଣ୍ଟ ରାଜନୀତି ଭିତରେ ପସିଲା ଏକ ନୂଆ କେଁ, ମନ୍ତ୍ରୀପଦ ଭାଗବଣ୍ଟା

Published: Mar 17, 2024, 9:57 am IST

ଭୁବନେଶ୍ବର: ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବ କି ନାହିଁ ସେଥିରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡି ନାହିଁ। ହେଲେ ଶୀର୍ଷ ମହଲରେ ଏହା ଉପରେ ବାରମ୍ବାର ଆଲୋଚନା ଚାଲିଛି ବୋଲି ଜଣାପଡିଛି। ତେବେ ଏହି ମେଣ୍ଟରେ ଯେଉ ବଡ ସମସ୍ୟା ରହିଛି ତାହା ହେଲା ଆସନ ବୁଝାମଣା। ଏଥିରେ କୁଆଡେ ଦୁଇ ଦଳର ଶୀର୍ଷ ନେତୃତ୍ବ ଏକ ପ୍ରକାରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ଜଣାପଡିଛି।

ହେଲେ ବର୍ତ୍ତମାନ ଆଉ ଏକ ନୂଆ କେଁ ଏହା ଭିତରେ ପ୍ରବେଶ କରିଛି। ତାହା ହେଲା ମନ୍ତ୍ରୀପଦ। ଏହାକୁ ନେଇ ବର୍ତ୍ତମାନ କିଛିଦିନ ଧରି ଜୋରଦାର ଆଲୋଚନା ହେବାରେ ଲାଗିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି କୁଆଡେ ବିଜେପିର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ରାଜି ହେଉ ନାହିଁ। ସେମାନେ ରୋକଠୋକ ବିଜେପିର କୌଣସି ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ ବୋଲି ଜଣାଇଦେଇଛନ୍ତି।

ତେବେ ବିଜେଡିର କହିବା କଥା ଯେ, ଆମେ ଓଡିଶାରେ ମନ୍ତ୍ରୀପଦ ଦେବୁ ନାହିଁ କି କେନ୍ଦ୍ରରେ ବିଜେଡି ସାଂସଦ ମନ୍ତ୍ରୀ ହେବେ ନାହିଁ। ଏହାକୁ ନେଇ ଚାଲିଛି ଯୁକ୍ତି ତର୍କ। ହେଲେ ବିଜେପିର କହିବା କଥା ଯେ, ବିଜେଡି କେନ୍ଦ୍ରରେ ମନ୍ତ୍ରୀପଦ ହାସଲ କରୁ ଏବଂ ରାଜ୍ୟରେ ବିଜେପି ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଉ। ଯାହାକୁ ନେଇ ବିଜେଡି ରାଜି ହେଉ ନ ଥିବାର ଜଣାପଡିଛି। ତେବେ ଏହାର କାରଣ କଣ ବୋଲି ବିଜେଡି ବିଜେପିର ଶୀର୍ଷ ନେତୃତ୍ବଙ୍କୁ କିଛି କହି ନାହିଁ।

Related posts