Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କଲେ ସମୀକ୍ଷା

କେନ୍ଦୁଝର/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା କରିଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ “ଆମ କଳିକା କେନ୍ଦ୍ର”ର ଭୂୟସୀ ପ୍ରଶଂସା କରିବା ସହିତ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଧରଣୀଧର ବିଶ୍ୱବିଦ୍ୟାଳୟ (ପୁରୁଣାବଜାର ନିକଟ) ପରିଦର୍ଶନ କରିବା ସହ କ୍ୟାମ୍ପସ୍ ବୁଲି ସେଠାରେ ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ ଏବଂ କ୍ୟାମ୍ପସର ପରିବେଶକୁ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ମୁଖ୍ୟ ଶାସନ ସଚିବ ବାର୍ତ୍ତାଳାପ କରି ଶିକ୍ଷାର ସଦୁପଯୋଗ ପୂର୍ବକ ଭବିଷ୍ୟତରେ ଉତ୍କର୍ଷ ହାସଲ କରିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ। ଭୂତତ୍ୱ ବିଭାଗର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ କେନ୍ଦୁଝର ଜିଲ୍ଲାରେ ଭୂତତ୍ୱ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ପାଇଁ ଭରପୁର ଉତ୍ସ ରହିଛି ବୋଲି କହିବା ସହିତ ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱ ବିଦ୍ୟାଳୟର ସୁନାମ ବର୍ଦ୍ଧନ କରିବାକୁ ଛାତ୍ରଛାତ୍ରୀମାନେ ଅଙ୍ଗୀକାରବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ।

ଡି.ଏମ୍‌.ଏଫ୍‌. ଅନୁଦାନରେ ପୁରୁଣାବାଜାର ସ୍ଥିତ ନବୀକୃତ ଗୋପାଳଜୀଉ ପାଠାଗାରର ଉଦ୍‌ଘାଟନ କରି ଏହି ପାଠାଗାର କେନ୍ଦୁଝର ଜିଲ୍ଲାର ମହାନ୍ ସଂସ୍କୃତିର ଉଜ୍ଜ୍ୱଳ ସ୍ୱାକ୍ଷର ବହନ କରିଛି ବୋଲି ଉଲ୍ଲେଖ କରିଥିଲେ। ଏହାପରେ ସଦର ବ୍ଲକ୍ ଅର୍ନ୍ତଗତ ମୁକୁନା ଗ୍ରାମ ପରିଦର୍ଶନ କରି ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ (ଏ.ପି.ସି.) ଦ୍ୱାରା କରାଯାଇଥିବା ପରିବା ଚାଷ ବୁଲି ଦେଖିବା ସହିତ ମହିଳା ଚାଷୀମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ମହିଳା ଚାଷୀମାନେ ପାଉଥିବା ଲାଭ ସଂପର୍କରେ ଅବଗତ ହୋଇ ଆଗାମୀ ବର୍ଷମାନଙ୍କରେ ସେମାନେ କିପରି ଲାଭକୁ ବହୁଗୁଣିତ କରିପାରିବେ, ସେଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବା ଚାଷ ନିମନ୍ତେ ଆବଶ୍ୟକୀୟ ଚେକ୍ ଡ୍ୟାମ୍ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ କହିଥିଲେ।

୫ ‘ଟି’ ଉପକ୍ରମ ଅଧିନରେ ରୂପାନ୍ତରିତ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନା ପରିଦର୍ଶନ କରି ସେଠାରେ ସ୍ମାର୍ଟ ଶ୍ରେଣୀଗୃହ, ଆଇସିଟି ଲ୍ୟାବ୍‌, ବିଜ୍ଞାନାଗାର ଏବଂ ସ୍କୁଲ୍‌ର ପାରିପାଶ୍ୱିର୍କ ପରିବେଶ ନିରୀକ୍ଷଣ କରିବା ସହ ଏଭଳି ବିକଶିତ ଭତ୍ତିଭୂମି ଶିକ୍ଷାର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ମଧ୍ୟ ମୁଖ୍ୟ ଶାସନ ସଚିବ ବାର୍ତ୍ତାଳାପ କରିଥିଲେ।

ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଧରଣୀଧର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିଦର୍ଶନ କରିଥିଲେ। ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଧରଣୀଧର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ସଂପର୍କରେ ତଥ୍ୟ ଓ ଚିତ୍ର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ସେଠାରେ ବିଭିନ୍ନ ବିଭାଗ, ପ୍ରାକ୍ଟିକାଲ୍ ଗୃହ, ପାଠାଗାର ପରିଦର୍ଶନ କରିବା ସହିତ ପରିସରର ସେ ପ୍ରଶଂସା କରିଥିଲେ ଏବଂ ସ୍ମୃତିସ୍ୱରୂପ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ବୃକ୍ଷଚାରା ରୋପଣ କରିବାକୁ କହିଥିଲେ।

ଏହାପରେ ତୁଳସୀପୁର ଗ୍ରାମ ପରିଦର୍ଶନରେ ଯାଇ ମୁଖ୍ୟ ଶାସନ ସଚିବ କ୍ରେଚ୍ ପରିଦର୍ଶନ କରି କର୍ମଜୀବୀ ଦମ୍ପତିମାନଙ୍କର ପିଲାମାନଙ୍କୁ କିପରି ଯତ୍ନ ନିଆଯାଉଛି ସେ ସଂପର୍କରେ ଅନୁଧ୍ୟାନ କରିଥିଲେ। ଶିଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଘରେ କିପରି ଶିଶୁମାନଙ୍କର ଯତ୍ନ ନିଆଯିବ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯିବ ସେ ସଂପର୍କରେ ପିତାମାତାମାନଙ୍କୁ ସଚେତନ କରାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧରଣୀଧର ବିଶ୍ୱ ବିଦ୍ୟାଳୟ (ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ) ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ଆଲୁମିନିଙ୍କ ସହ ବାର୍ତ୍ତାଳାପ କରିଥିଲେ।

ଧରଣୀଧର ବିଶ୍ୱ ବିଦ୍ୟାଳୟର ସୁପରିଚାଳନା, କିପରି ଏହାକୁ ଏକ ମର୍ଯ୍ୟାଦା ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ଏବଂ ଗବେଷଣାକୁ ଗୁରୁତ୍ୱ ଦିଆଯିବ ସେ ସଂପର୍କରେ ବାର୍ତ୍ତାଳାପ କରିଥିଲେ। ଏହାପରେ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷ ଓ ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ କ୍ୟାମ୍ପସ୍ ଜରିଆରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅଭିନନ୍ଦନ ଜଣାଇଥିଲେ।

ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକତା ପୁରଣ ସଂପର୍କରେ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଆଇ.ଏ.ଏସ୍‌. ପ୍ରୋବେସନର ଧିମେନ୍ ଚକ୍‌ମା, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନ୍‌ଫରେନ୍‌ସ୍ ହଲ୍‌ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ କାନ୍‌ପୁର ଜଳସେଚନ ପ୍ରକଳ୍ପର ଶେଷ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କିପରି ତୁରନ୍ତ ଶେଷ ହେବ, ସେ ସଂପର୍କରେ ସମୀକ୍ଷା କରିବା ସହିତ ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପ, ୱାଟ୍‌କୋ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ଏତଦ୍‌ବ୍ୟତୀତ ଡି.ଏମ୍‌.ଏଫ୍‌. ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଜିଲ୍ଲାପାଳ ଆଶିଷ ଠାକରେ, ଡି.ଏଫ୍‌.ଓ. ଧନରାଜ ଏଚ୍‌.ଡି., ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆନନ୍ଦପୁର ଉପଖଣ୍ଡ ବୀରଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସେଠାରେ ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପର ମୁଖ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ପ୍ରକଳ୍ପର ଅଗ୍ରଗତି ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟ ଶାସନ ସଚିବ ଓ ‘‘୫-ଟି’’ ସଚିବଙ୍କ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ  “୫-ଟି” ସଚିବ ଏଠାରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍‌ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍‌ଚୀ ଏବଂ ହସ୍‌ପିଟାଲ୍‌ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍‌ପିଟାଲ୍‌ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍‌ଚୀଙ୍କ ସହ ଧର୍ମିଣୀ ତଥା ମୋ ସ୍କୁଲ୍‌ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଉପସ୍ଥିତ ଥିଲେ।

ଡାକ୍ତରଖାନା ତରଫରୁ ଡଃ ସାଇନାଥ ଏହାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାତ୍ର ଏକ ବର୍ଷ ତିନି ମାସ ମଧ୍ୟରେ ଏହି ଡାକ୍ତରଖାନାର ନିର୍ମାଣକାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ଲାଗି ଆମକୁ ଉତ୍ସାହିତ କରିବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପ୍ରଥମେ ଦୁରତା ଓ ଆନୁଷଙ୍ଗିକ ଆବଶ୍ୟକତା ଦୃଷ୍ଟିରୁ ଯଦିଓ ଆମେ ଏଠାରେ ଡାକ୍ତରଖାନା ସ୍ଥାପନ ପାଇଁ କୁଣ୍ଠିତ ଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାରେ ଏକ ଅତ୍ୟାଧୂନିକ କ୍ୟାନ୍‌ସର ହସ୍ପିଟାଲ୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ପ୍ରତିବଦ୍ଧତା ଏଦିଗରେ ଆମକୁ ଉତ୍ସାହିତ କରିଥିଲା। ୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ତଳ ଫ୍ଲୋର ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। ପ୍ରତି ଫ୍ଲୋର ୧୫ ହଜାର ବର୍ଗ ଫୁଟ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ  ତଥା ସେମାନଙ୍କ ଆଟେଣ୍ଡାଣ୍ଟ ଆଦିଙ୍କ ଯାତାୟତ ପାଇଁ ଯଥେଷ୍ଟ ସ୍ଥାନ ରହିଛି। ଓଡ଼ିଶା ରାଜ୍ୟ ସରକାର, ଆର୍କିଟେକ୍ଟ ଓ ସବୁ ମହଲରୁ ସହଯୋଗ ଯୋଗୁଁ ଡାକ୍ତରଖାନା କାର୍ଯ୍ୟ ସଫଳତାର ସହ ଆରମ୍ଭ ହେବାକୁ ଯାଉଛି।

ଏଠାରେ କର୍କଟ ରୋଗ ଚିକିତ୍ସା ସଂପର୍କିତ ମେଡକାଲ ଅଂକୋଲୋଜି, ରେଡିଏସନ ଅଂକୋଲୋଜି, ସର୍ଜିକାଲ ଅଂକୋଲୋଜି ଆଦି ବିଭିନ୍ନ ବିଭାଗ ପ୍ରସ୍ତୁତ କରାଯାଉଛି। ଏହି ଡାକ୍ତରଖାନା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଚିକିତ୍ସା ପାଇବେ ବୋଲି ଡକ୍ଟର ସାଇନାଥ ପ୍ରକାଶ କରିଥିଲେ।

ପୂର୍ବପ୍ରସ୍ତୁତି ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।  ଏହି ହସ୍‌ପିଟାଲ୍‌ରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି। ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଏଥିରେ ଯୋଗଦେଇ ହସ୍‌ପିଟାଲ୍‌ର ମୁଖ୍ୟ ଆର୍କିଟେକ୍‌ଟ୍‌ ସୁନ୍ଦର ରମଣ ଡାକ୍ତରଖାନା ନିର୍ମାଣ ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାର ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ଶାସନ ସଚିବ ଜେନା ହସ୍‌ପିଟାଲ୍‌ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା ନେଇ ଯାହା ସହାୟତା ଆବଶ୍ୟକ ରହିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବୈଠକ: ଏହି ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ସନ୍ଧ୍ୟା ୭ ଟା ସମୟରେ ଡ୍ରାଇଭର ଏକତା ମହାସଂଘ ପ୍ରତିନିଧିଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଦ୍ଵାରା ମହାସଂଘକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ପ୍ରତିଶ୍ରୁତି ଅନୁଯାୟୀ, ଆଗାମୀ ୩ ମାସରେ ଡ୍ରାଇଭର ମହାସଂଘର ଦାବୀଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଶେଷରେ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖରେ ସରୁଛି। ଏହାପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏବେ ତାହାର ପୂର୍ଣ୍ଣଛେଦ ପଡିଛି।

୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ଜେନା ଏବେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଅଛନ୍ତି। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି।

ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାର ୧୮.୧୨ ପ୍ରତିଶତ ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬ ପ୍ରତିଶତ ରହିଛି। ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ସବୁ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ନଗଦ ଜମା ଅନୁପାତ ପ୍ରତିବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତିବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇ ସେପେଫମ୍ବର ୩୦ ସୁଦ୍ଧା ୭୬.୮୫ ପ୍ରତିଶତ ହୋଇଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ଏବଂ ସିନ୍ଧ୍‌ ବ୍ୟାଙ୍କ ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି କରିପାରିନାହାନ୍ତି। ଆଗାମୀ ଦିନରେ ଏ କ୍ଷେତ୍ରରେ ଅଗ୍ରଗତି ପାଇଁ ଦୃଷ୍ଟି ଦେବାକୁ ସେ ବ୍ୟାଙ୍କମାନଙ୍କୁ କହିଥିଲେ।

୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନାର ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ପୂର୍ବବର୍ଷ ଏହା ୩୭.୪୧ ପ୍ରତିଶତ ଥିଲା। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉନ୍ନୟନ କମିଶନର ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଥିଲେ। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲରେ ବେସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟଙ୍କମାନଙ୍କଠାରୁ ଅଧିକ ସଫଳତା ପାଇଛନ୍ତି। ବ୍ୟାଙ୍କଗୁଡ଼ିକ ଏବଂ ଜିଲ୍ଲାପାଳମାନଙ୍କ ମିଳିତ ଉଦ୍ୟମରେ କୃଷିକ୍ଷେତ୍ରରେ ୫୫.୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଉନ୍ନୟନ କମିଶନର ଦର୍ଶାଇଥିଲେ।

ଅର୍ଥ ସଚିବ ଶ୍ରୀ ବିଶାଲ କୁମାର ଦେବ ବୈଠକରେ ଉପସ୍ଥିତ ରହି ରାଜ୍ୟର ନଗଦ ଜମା ଅନୁପାତ, ବାର୍ଷିକ ଋଣ ଯୋଜନା କ୍ଷେତ୍ରର ଲକ୍ଷ୍ୟ ହାସଲ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନର ହାରାହାରି ଋଣ ପରିମାଣକୁ ୨.୭୦ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା ଏବଂ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବା ସମ୍ବନ୍ଧରେ ଆଲୋଚନାରେ ମତ ରଖିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍‌.କେ. ବଶିଷ୍ଠ, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌. ଏନ୍‌. ପଣ୍ଡା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ସି ଉଦୟ ଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମାଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାର ଏବଂ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର, ଜାଣନ୍ତୁ କଣ 

ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତ୍ତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସଂପତ୍ତିଗୁଡ଼ିକର ମୁଦି୍ରକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ।

ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ମଂଜୁର ହେଲା ୫୩୩ କୋଟି ଟଙ୍କା, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ୱାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଆନନ୍ଦଦାୟକ ଶିକ୍ଷା ପାଇପାରିବେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ ଟଙ୍କା, ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କା, ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି ଟଙ୍କା, ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ପାଇଁ ୨୦୩ କୋଟି ୪୦ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଟଙ୍କା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ମଂଜୁର ହୋଇଛି।

ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ବିଜ୍ଞାନାଗାର, ଇ-ପାଠାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ୱାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ ବୋର୍ଡ, ଡିଜିଟାଲ୍‌ କ୍ଲାସ୍‌ ରୁମ୍‌ ପାଇଁ ଆବଶ୍ୟକୀୟ ଉପକରଣ ପରି ଆଇ.ସି.ଟି ଉପକରଣ, ସ୍କୁଲ ମୁଖ୍ୟଦ୍ୱାରର ପରିବର୍ତ୍ତନ, ଖେଳପଡ଼ିଆର ଉନ୍ନତିକରଣ, ପାଠ୍ୟଖସଡ଼ାର ଉନ୍ନତିକରଣ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଂପୃକ୍ତିକରଣ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୀମାନ୍ତବର୍ତ୍ତି ୬ ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ: ଏହି ଦୁଇ ରାଜ୍ୟରୁ ଫେରିଲେ ଲାଗିବ କଟକଣା

ଭୁବନେଶ୍ବର: ଛତିଶଗଡ ଏବଂ ପଶ୍ଚିମବଙ୍ଗ ପରେ ଏବେ ରାଜ୍ୟ ସରକାର ଆନ୍ଧ୍ରା ଓ ତେଲେଙ୍ଗାନା ଉପରେ ନଜର ରଖିଛନ୍ତି। ଏହି ଦୁଇ ରାଜ୍ୟର ଷ୍ଟ୍ରେନକୁ ନେଇ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। ଓଡିଶା ଫେରୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ସୀମାନ୍ତବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ କୁମାର ଜେନା ସତର୍କ କରିଛନ୍ତି।

ତେବେ ଆନ୍ଧ୍ରା ଏବଂ ତେଲେଙ୍ଗାନାରୁ ଫେରୁଥିବା ଲୋକଙ୍କ ପାଇଁ କ୍ଵାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଫେରନ୍ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେରିଭ ରିପୋର୍ଟ ଥିବା ଫେରନ୍ତାଙ୍କୁ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।