Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଗୋ ମାଫିଆଙ୍କ ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝଇ ଗାଡ଼ିକୁ ଜବତ କରି ପୋଲିସ ଜିମା ଦେଲା ବଜରଙ୍ଗ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋ ଚାଲାଣ ବର୍ତ୍ତମାନ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାରମ୍ବାର ପୋଲିସ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ମାନେ ବେଧଡ଼କ ଗୋ ଚାଲାଣ କରିବାକୁ ପଛାଉନାହାନ୍ତି। ତେବେ ପୂର୍ବରୁ ଅନେକ ହିନ୍ଦୁ ସଂଗଠନ ମଧ୍ୟ ଗୋ ଚାଲାଣ ରୋକିବା ନିମନ୍ତେ ପୋଲିସକୁ ଦାବିପତ୍ର ଦେଇଥିବାସ୍ଥଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଜାତୀୟ ରାଜପଥରୁ ଚିଲିକା ବଜରଙ୍ଗ ଦଳ ଏକ ବେଆଇନ ଗୋରୁ ବୋଝେଇ ଅଟୋ ଜବତ କରିବା ସହ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରୁ ଏକ ଗୋରୁ ବୋଝେଇ ଡାଲା ଅଟୋ ଦୃତ ଗତିରେ ବାଣପୁର ବାଇପାସରୁ ନାଚୁଣୀ ସଲପଡ଼ିହ ଅଞ୍ଚଳକୁ ଯାଉଥିଲା।  ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଉକ୍ତ ଅଟୋକୁ ଦେଖି ସନ୍ଦେହ କରିଥିଲେ ଏବଂ ରାଜପଥ ରେ ଅଟୋର ପିଛା କରିଥିଲେ। ଅଟୋରେ ତିନି ଜଣ ଦୁର୍ବୁତ୍ତ ଥିବାବେଳେ ସେମାନେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥୀଲେ।

ତଥାପି ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଏଥିର ଭୟଭୀତ ନହୋଇ ଗାଡ଼ିକୁ ପିଛା କରିଥିଲେ ଏବଂ ଗୋପୀନାଥ ପୁର ଜାତୀୟ ରାଜପଥ ନିକଟରେ ଗାଡିକୁ କାବୁ କରିଥିଲେ। ଗାଡ଼ିରୁ ଜଣେ ଦୁର୍ବୁତ୍ତ ଫେରାର ହୋଇଯାଇଥିବାବେଳେ ଦୁଇ ଜଣଙ୍କୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ଅଟକ ରଖିବା ସହ ୩ ଗୋଟି ଗୋରୁଙ୍କୁ ମୁମୁର୍ଷୁ ଅବସ୍ଥାରେ ଅଟୋରୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କୁ ଏ ନେଇ ସୂଚନା ଦେଇଥିଲେ।

ଏସଡ଼ିପିଓ ବିଳମ୍ବ ନକରି ତୁରନ୍ତ ସ୍ଥାନୀୟ ପୋଲିସକୁ ଘଟଣାସ୍ଥଳକୁ ପଠାଇଥିଲେ। ବାଣପୁର ପୋଲିସ ତଦନ୍ତ କଲାପରେ ଜାଣିବାକୁ ପାଇଥିଲା ଯେ, ଏହା ଏକ ଚୋରା ଗୋ ଚାଲାଣ ଗାଡ଼ି। ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୫୪/୨୧ ରେ ଏକ ମାମଲା ୠଜୁ କରାଯାଇ ଅଟୋକୁ ଜବତ କରାଯାଇଛି। ଏବଂ ଉଦ୍ଧାର ଗୋରୁଙ୍କୁ ବାଣପୁର ଅରାଙ୍ଗ ସ୍ଥିତ ଗୋଶାଳାକୁ ଜିମା ଦିଆଯାଇଛି ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉ ଅଭିଯାନରେ ବଜରଙ୍ଗ ଦଳ ଖୋର୍ଦ୍ଧା ଜିଲ୍ଲା ସହ ସଂଯୋଜକ ଆକାଶ ନାୟକ, ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହ ସଂଯୋଜକ ଆଶୁତୋଷ ପାଢ଼ୀ, ଜିତେନ୍ଦ୍ର ପରିଡା, ଅନିଲ କୁମାର ପାଢ଼ୀ ଏବଂ କାର୍ଯ୍ୟକର୍ତ୍ତା ଦେବି କଲ୍ୟାଣ କରଣ, ଦ୍ଵିତୀ ସୁନ୍ଦର ରାଉତ, ସନ୍ତୋଷ ସାହୁ ଆଦି ସାମିଲ ଥିଲେ।

ସୂଚନା ଥାଉକି ଗତ ଦୁଇ ଦିନ ତଳେ ନାଚୁଣୀ ଫାଣ୍ଡି ପୋଲିସ କଉଡ଼ିଖଣି ଛକ ଜାତୀୟ ରାଜପଥରୁ ଦୁଇ ଗୋଟି ବେଆଇନ ଗୋ ଚାଲାଣ ଗାଡ଼ି ଜବତ କରି ୧୧ ଟି ମଇଁଷି ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶାଳିଆ ଡ୍ୟାମ ରାସ୍ତାରେ ବଢୁଛି ଡକାୟତି: କ୍ରମାଗତ ୩ଟି ଲୁଟ୍ ଘଟଣା ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଗତ ଦୁଇ ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତ କାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି। ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି ବାଇକ ଯୋଗେ ବାଣପୁର ଥାନା ଅନ୍ତର୍ଗତ ଅରଖଡିହ ଗ୍ରାମ ସ୍ଥିତ ନିଜ ବନ୍ଧୁ ଘରକୁ ଯାଇଥିଲେ। କାମସାରି ସଂଧ୍ୟାରେ ଉଭୟ ନିଜ ଗ୍ରାମକୁ ଫେରୁଥିବା ବେଳେ ପାଖାପାଖି ୭ ଘଟିକା ସମୟରେ ଶାଳିଆ ଡ୍ୟାମ ଠାରୁ ୩୦୦ ମିଟର ଆଗରେ ୩ଜଣ ଦୁର୍ବୁତ୍ତ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଉଭୟଙ୍କୁ ପଛପଟୁ ଅଟକାଇଥିଲେ।

ପରବର୍ତ୍ତୀ ସମୟରେ ପୂଜାଙ୍କୁ ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରୁ ପାଖାପାଖି ୧୦୦ ଗ୍ରାମ ସୁନା ଗହଣା ଲୁଟିନେଇଥିଲେ। ତେବେ ଉଭୟ ଜୋରରେ ପାଟି କରିବାରୁ ଦୁର୍ବୃତ୍ତମାନେ ଛୁରୀରେ ପୂଜାଙ୍କ ହାତକୁ ଆକ୍ରମଣ କରି ବାଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପୂଜାଙ୍କ ଚିକିତ୍ସା ନିମନ୍ତେ ତାଙ୍କ ସ୍ୱାମି କଲ୍ୟାଣ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ତାଙ୍କୁ ସୁମଣ୍ଡଳ ଏବଂ ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ।

ଆଜି ଚିକିତ୍ସତ ହେବାପରେ ଦମ୍ପତି ଜଣକ ବାଣପୁର ଥାନାରେ ହାଜର ହୋଇ ଏ ନେଇ ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଗୁଡିକୁ ଜବତ କରିବା ପାଇଁ ଥାନାଧିକାରୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି।

ସୂଚନା ଥାଉ କି ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ମାତ୍ର ୧୫ ଦିନ ପୂର୍ବେ ଅଂଗରଗାଁର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିଲା। ଆଜିର ଲୁଟ ସେହି ସ୍ଥାନରେ ୩ୟ ଘଟଣା। ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି।

ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୁର୍ଗମ ରାସ୍ତା ହୋଇଥିବାରୁ ଉଭୟ ଜିଲ୍ଲାର ଥାନା ପକ୍ଷରୁ ଏଠାରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଏହିପରି ଲୁଟ, ରାହାଜାନି ଏଠାରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କ ଟେର ନପାଇବା ଆଶ୍ଚର୍ଯ୍ୟର କଥା। ଉକ୍ତ ଅଞ୍ଚଳରେ ନିହାତି ଏକ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ: ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଅବସ୍ଥାରେ କୂପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ।

ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ମାନେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ଲକ୍ଷ୍ମୀଧର ବେହେରା ପେସାରେ ଜଣେ ଧୀବର। ଚିଲିକାରୁ ମାଛ ଧରି ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି।

ତେବେ ଗତବର୍ଷ ନଭେମ୍ବର ମାସ ୪ ତାରିଖ ରାତ୍ରିରେ ଲକ୍ଷ୍ମୀଧରଙ୍କ ୧୫୦ ବଣ୍ଡିଲ ଜାଲଗୁଡିକୁ ସେହି ଗ୍ରାମର ବୁଢ଼ା ବେହେରା, ସନ୍ଦୀପ ଜେନା ଏବଂ ସୁକୁଟା ସାହୁ  ମିଶିକରି ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଜାଲଗୁଡିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହାପରେ ଲକ୍ଷ୍ମୀଧର ଗ୍ରାମରେ ଏକ ସାମାଜିକ ବୈଠକ ଡକାଇ ଉକ୍ତ ଘଟଣା ଉପସ୍ଥାପନ କରିଥିଲେ। ତେବେ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଜାଲ ଚୋରୀ କରିଥିବା ଅଭିଯୁକ୍ତମାନେ ସବୁ ଜାଲ ଫେରାଇଦେବେ ବୋଲି ଗ୍ରାମ ସଭାରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦିଷ୍ଟ ତାରିଖ ଦିନ ଅଭିଯୁକ୍ତମାନେଫେରାର ହୋଇଯାଇଥିଲେ।

ପରିଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଧର ଗତକାଲି ଗ୍ରାମବାସୀଙ୍କ ଉପସ୍ଥିତିରେ ନାଚୁଣୀ ଫାଣ୍ଡିରେ ଏ ବିଷୟ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାକୁ ଗୁରୁତର ସହ ନେଇ ଗତକାଲି ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦ୍ବୟ ହେଲେ ସୁକୁଟା ସାହୁ ଏବଂ ସନ୍ଦୀପ ଜେନା। ସେମାନଙ୍କ ନିକଟରୁ ଫାଣ୍ଡି ଅଧିକାରୀ ୧୦୫ ବଣ୍ଡିଲ ଜାଲ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ଏବଂ ଗୋଟେ ବାଇକ ମଧ୍ୟ ଜବତ କରିଛନ୍ତି।

ଉକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୨୬/୨୧ ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଫାଣ୍ଡି ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଅଭିଯୋଗକାରି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ଜୁଆ ଆଡ୍ଡାରୁ ୭ ଜଣ ଜୁଆଡିଙ୍କୁ ଗିରଫ କଲା ବାଣପୁର ପୋଲିସ, ଜଣେ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ସଟଡ଼ାଉନରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ।

ସୂଚନା ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମରେ ଜୁଆ ଖେଳ ଚାଲୁଥିବାର ଖବର ପାଇ ଏସଆଇ ରାଜକିଶୋର ବେହେରା ଏବଂ ଟିମ ମିଳିତ ଭାବେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ। ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସେମାନଙ୍କ ନିକଟରୁ ନଗଦ ୪ ହଜାର ୪ ଶହ ୧୦ ଟଙ୍କା, ୪ ଟି’ ମଟରସାଇକେଲ, ତାସ ପତା, ମହମବତୀ, ଟାରପୁଲିନ ଆଦି ପୋଲିସ ଜବତ କରିଛି।

ତେବେ ଏ ସଂକ୍ରାନ୍ତରେ ବାଣପୁର ପୋଲିସ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୯/୨୧ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ବାଇକକୁ ବିକିବା ଏବଂ କିଣିବା ପଡିଲା ମହଙ୍ଗା: ନାଚୁଣୀ ପୋଲିସ ହାତରେ ଧରା ହେଲେ ବେପାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଚୋରା ବାଇକ ବିକିବା ଏବଂ କିଣିବା ମହଙ୍ଗା ପଡିଛି। ଦୁଇ ଚୋରା ବାଇକ ବେପାରୀ ପୋଲିସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏପରି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଚୋରା ମଟରସାଇକେଲ ଧରି ବଡ଼ପଦର ଠାରୁ ନାଚୁଣୀ ବଜାର ଦେଇ ରତନପୁର ଯାଉଛନ୍ତି ବୋଲି କୌଣସି ସୂତ୍ରରୁ ଖବର ପାଇଥିଲେ। ବିଳମ୍ବ ନକରି ଶ୍ରୀ ସାହୁ ନାଚୁଣୀ ବଜାର ଅଭିମୁଖେ ଅଗ୍ରସର ହୋଇଥିଲେ ଏବଂ ସଲପଡ଼ିହ ଛକଠାରେ ଉକ୍ତ ବାଇକ ଚାଳକଙ୍କୁ ଧରିଥିଲେ। ଚାଳକ ଜଣକ ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) ବୋଲି ଜଣାପଡିଛନ୍ତି।

ତେବେ ସେ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ଚଲାଉଥିବା ବେଳେ ପଚରାଉଚୁରା ସମୟରେ ଏହା ଏକ ଚୋରା ଗାଡ଼ି ବୋଲି ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ମଟରସାଇକେଲରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା। ତେବେ ବାବୁଲି ଗତ ବର୍ଷ ଚୋରା ମଟରସାଇକେଲ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିବାର ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ।

ଅନୁରୂପଭାବେ ଟାଙ୍ଗୀ ଥାନା ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ସେ ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ବାବୁଲି ଆଉ ଦୁଇ ଗୋଟି ଚୋରା ବାଇକ ବିକିଥିବାର ମଧ୍ୟ ପୋଲିସକୁ କହିଥିଲେ। ଏହା ଜାଣିବାପରେ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଚଢ଼ାଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ ମଧ୍ୟ ଜବତ କରିଛନ୍ତି।

ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ନାଚୁଣୀ ଫାଣ୍ଡି ଅଧିକାରୀ।

Categories
ଆଞ୍ଚଳିକ

ବାଣପୁର ଥାନାରେ ନୂତନ ଆଇଆଇସି ଭାବେ ଦାୟିତ୍ଵ ନେଲେ ରଶ୍ମି ରଞ୍ଜନ ସାହୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ରଶ୍ମି ରଞ୍ଜନ ସାହୁ ଯୋଗଦେଇଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ବାଣପୁର ଥାନାରେ ପହଞ୍ଚିବାପରେ ତାଙ୍କୁ ପୂର୍ବତନ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଅନ୍ୟ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବାସହ ଶୁଭେଚ୍ଛା ଜଣାଇଥିଲେ।

ଏହାପରେ ଶ୍ରୀ ସାହୁ ଅଫିସ ଗୃହକୁ ରୀତିନୀତି ଅନୁଯାୟୀ ହୋମ ପୂଜା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଲୋଡି ବାଣପୁର ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ସାହୁ ଏହାପୂର୍ବରୁ ଦୀର୍ଘ ତିନି ବର୍ଷ ହେବ ବେଗୁନିଆ ଥାନାଧିକାରୀ ଭାବେ ବେଶ ସଫଳତାର ସହ ନିଜ ଦାଇତ୍ୱ ତୁଲାଇଛନ୍ତି।

ତେବେ ବାଣପୁର ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ଏବଂ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବାରୁ ତାଙ୍କର ଦାୟିତ୍ୱ ଆହୁରି ବଢିଯାଇଛି ଏବଂ ବାଣପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ମଜବୁତ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ଯୁବ ଥାନାଧିକାରୀ ଶ୍ରୀ ସାହୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଆଜି ବାଣପୁର ପୂର୍ବତନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଖୋର୍ଦ୍ଧା ଟାଉନ ଥାନାଧିକାରୀ ରୂପେ ଦାଇତ୍ୱ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବିବାହ କାର୍ଯ୍ୟରେ କୋଭିଡ ଆଇନ ଉଲଂଘନ ଅଭିଯୋଗ: ଜରିମାନା ଆଦାୟ କଲା ବାଣପୁର ପୋଲିସ୍

ସୀତାରାମ ଅଗ୍ରୱାଲ

ଚିଲିକା: ବାହାଘରରେ କୋଭିଡ ଆଇନ ଉଲଂଘନ କରିବା ଅଭିଯୋଗ ହୋଇଛି। ଯାହାଫଳରେ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗତ ତିନି ଦିନ ତଳେ ସରଳସିଂହ ଗ୍ରାମରେ ଏକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥି ପାଇଁ ଉଭୟ ପକ୍ଷ ବାଣପୁର ଥାନାରୁ ଅନୁମତି ନେଇଥିଲେ। ତେବେ ସମ୍ପୃକ୍ତ ବିବାହ ମଧ୍ୟରାତ୍ରି ଯାଏଁ ଚାଲିଥିବାବେଳେ ସେଥିରେ ବାଜା, ପଟୁଆର, ଭୋଜି ଆଦିରେ ୫୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକି କୋଭିଡ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇଲା ପରେ ଚିଲିକା ତହସିଲଦାର ଏବଂ ବାଣପୁର ଆଇଆଇସି ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନାଚୁଣୀ ଫାଣ୍ଡି ଅଧିକାରୀ ସମ୍ପୃକ୍ତ ବର ପକ୍ଷଙ୍କୁ ବାଣପୁର ଥାନାରେ ହଜାର କରିଥିଲେ। ତେବେ କୋଭିଡ଼ ନିୟମ ଉଲଂଘନ ଲାଗି ବାଣପୁର ପୋଲିସ ତାଙ୍କଠାରୁ ୪୦ ହଜାର ଜରିମାନା ଆଦାୟ କରିଛି। ଆଗକୁ ଯଦି କେହି ଏଭଳି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏବଂ ଯଦି ଜରିମାନା ସମ୍ପୃକ୍ତ ଆଇନ ଉଲଂଘନକାରି ଦେବେନାହିଁ ତେବେ ତାଙ୍କ ନାମରେ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ଅପରପକ୍ଷେ ଚିଲିକା ତହସିଲଦାର ଆଇନ ଉଲଂଘନକାରୀଙ୍କୁ ଗଣମାଧ୍ୟମ ଜରିଆରେ କଡ଼ା ଚେତାବନୀ ଦେବା ସହ ଯଦି ଆଗକୁ କୌଣସି ବ୍ୟକ୍ତି ବିବାହରେ କୋଭିଡ ନିୟମ ଉଲଂଘନ କରନ୍ତି ତେବେ ତାଙ୍କୁ ମହାମାରୀ ଅଧିନିୟମ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶାଳିଆଡ୍ୟାମ୍ ନିକଟରୁ ବ୍ୟବସାୟିଙ୍କଠୁ ବନ୍ଧୁକ ମୁନରେ ଲୁଟ୍: ବାଣପୁର ପୋଲିସର ତନାଘନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ଶାଳିଆ ଡ୍ୟାମ ନିକଟରୁ ଶନିବାର ସନ୍ଧ୍ୟାରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ସହ ଏଟିଏମ୍ କାର୍ଡ, ପର୍ସ, ଗାଡି ଚାବି, ମୋବାଇଲ ଫୋନ ଆଦି ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମର ତ୍ରିନାଥ ପ୍ରଧାନ ଏନେଇ ଶନିବାର ରାତିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ତ୍ରିନାଥ ଗତକାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବାବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମସ୍ଥିତ ମା’ ଡୋମଣି ମନ୍ଦିର ନିକଟସ୍ଥ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ଗୋଟିଏ ବାଇକରେ ଆସୁଥିବା ଅଜଣା ମାସ୍କ ଧାରୀ ତିନି ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ତ୍ରିନାଥଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୩ ହଜାର ଟଙ୍କା, ପର୍ସ, ଦୁଇ ଗୋଟିଏ ଏଟିଏମ୍ କାର୍ଡ, ମୋବଇଲ୍ ଫୋନ୍ ଏବଂ ବାଇକ ଚାବି ଆଦି ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିଲେ।

ଏଥିରେ ତ୍ରିନାଥ ଭୟଭୀତ ହୋଇ ତୁରନ୍ତ ବାଣପୁର ଥାନାରେ ଏତଲା ଦେଇଥିଲେ। ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାହିଁ ନାହିଁରେ ଚାଲିଛି ବାଣପୁର ଥାନା: ହନ୍ତସନ୍ତ ହେଉଛନ୍ତି ଅଭିଯୋଗକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ନାହିଁ ନାହିଁ ରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା। ଏହି ଥାନା ଖୋର୍ଦ୍ଧା ଜିଲ୍ଲାର(ଗ୍ରାମାଞ୍ଚଳ) ସବୁଠାରୁ ବୃହତ ଏବଂ ବ୍ୟସ୍ତ ଥାନା ଅଟେ। ପ୍ରାୟ ୬୧୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିତ ଅଞ୍ଚଳର ୧୯୯ ଟି ଗ୍ରାମ, ୨୧ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୫ ଗୋଟି ଏନଏସି ୱାର୍ଡ ଏହା ଅଧୀନରେ ଆସୁଛି। ଯାହାର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୨ ଲକ୍ଷ ୮୨ ହଜାର ୮୧୧ ଅଟେ।

ପ୍ରତି ମାସରେ ଉକ୍ତ ଥାନାରେ ହାରାହାରି ୪୦ ଗୋଟି ମାମଲା ରୁଜୁ ହେଉଥିବା ସ୍ଥଳେ ବାର୍ଷିକ ହାରାହାରି ୫୦୦ ରୁ ଉର୍ଦ୍ଧ୍ଵ ମାମଲା ରୁଜୁ ହେଉଛି। ତେବେ ଜିଲ୍ଲାର ଏତେ ବଡ଼ ଏବଂ ଗୁରୁତ୍ୱପୂର୍ଣ ଥାନାରେ ବର୍ତ୍ତମାନ ପୋଲିସ କର୍ମଚାରୀଙ୍କ ମରୁଡି ଦେଖାଯାଇଛି।

ବର୍ତ୍ତମାନ ବାଣପୁର ଥାନାରେ ମାତ୍ର ୨ ଜଣ ଏସଆଇ ଏବଂ ୨ଜଣ ଏଏସଆଇ କାମ କରୁଛନ୍ତି। ତେବେ ବାଣପୁର ଥାନାରେ ଅତି କମରେ ୭ ଜଣ ଅଧିକାରୀ ନିୟୋଜିତ ରହିବାର ପ୍ରାବଧାନ ଥିବା ବେଳେ ବର୍ତ୍ତମାନ ମାତ୍ର ୪ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି।  ଯାହାଫଳରେ ଅଭିଯୋଗକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଥାନାରେ କର୍ମଚାରୀ କମ ଥିବାରୁ ଅଭିଯୋଗକାରୀଙ୍କ କେସ ରୁଜୁ ହେଲାବେଳକୁ ବିଳମ୍ବ ହେଉଛି। ସେହିପରି ଭାବେ ମାମଲା ଗୁଡିକର ତଦନ୍ତ ମଧ୍ୟ ସମୟସାପେକ୍ଷ ହେଉଛି। ଯାହାଫଳରେ ଅଭିଯୋଗକାରୀମାନଙ୍କୁ ଆଶୁ ନ୍ୟାୟ ମିଳିପାରୁନାହିଁ। ସେଥିଲାଗି ଥାନା କର୍ମଚାରୀମାନେ ବେଳେ ବେଳେ ଅଭିଯୋଗକାରୀଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି।

ଅନ୍ୟପକ୍ଷରେ ବାଣପୁର ଥାନାରେ ପ୍ରାୟତଃ ସବୁବେଳେ ପୋକ୍ସୋ ମାମଲା ଆସିଥାଏ।  ଯାହାପାଇଁ ଅଧିକାରୀମାନେ ପୀଡିତାଙ୍କୁ ଭୁବନେଶ୍ୱର ପୋକସୋ କୋର୍ଟ ନେଉଥିବା ବେଳେ ଦିନ ତମାମ ସେଠାରେ ସମୟ ଅପଚୟ କରିବାକୁ ପଡିଥାଏ। ଯେହେତୁ ଘରୋଇ ବିବାଦ, ନାରୀ ନିର୍ଯ୍ୟାତନା, ଏବଂ ପୋକ୍ସୋ ମାମଲା ବାଣପୁର ଥାନାରେ ଅଧିକ ହେଉଛି। ତେଣୁ ଏଠାରେ ନିଶ୍ଚିତ ଭାବରେ ଜଣେ ସବ ଇନ୍ସପେକ୍ଟର ର‍୍ୟାଙ୍କର ମହିଳା ଅଧିକାରୀ ନିୟୋଜିତ ହେବା କଥା। କିନ୍ତୁ ସେ ପଦବୀ ବି ଖାଲି ପଡ଼ିଛି।

ଗୋଟାଏ ପକ୍ଷରେ ଡ଼ିଜିପି ସାରା ରାଜ୍ୟର ପୋଲିସ ଥାନାରେ କୋଭିଡ ପାଇଁ ପାଟ୍ରୋଲିଂ ଜୋରଦାର କରିବାକୁ ଆଦେଶ ଦେଇଥିବାବେଳେ ଅନ୍ୟପକ୍ଷରେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏଠାରେ କୋଭିଡ ପରିଚାଳନା କିପରି ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ଆମ ପ୍ରତିନିଧି ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜକିଶୋର ଦୋରାଙ୍କ ପ୍ରତିକ୍ରିୟା ନେବାରୁ, ବର୍ତ୍ତମାନ ଜିଲ୍ଲାର ସମସ୍ତ ଥାନାରେ ଏପରି ସ୍ଥିତି ରହିଛି ଏବଂ ନୂଆ ଟ୍ରେନିଂ ନେଇଥିବା ଅଧିକାରୀମାନଙ୍କୁ ଖୁବ ଶୀଘ୍ର ଜିଲ୍ଲାର ସମସ୍ତ ଥାନାରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ବଜାରରୁ ଚୋରୀ ଘଟଣାର ହେଲା ପର୍ଦ୍ଦାଫାଶ: ୭ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଜିନିଷ ଜବତ

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ବଜାରରୁ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ ଧରିବାରେ ସଫଳ ହୋଇଛି। ଏହା ସହ ୧୭୫ ଟି ଖାଇବା ତେଲ ପ୍ୟାକେଟ, ୭ ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଛୋଟ ସିଲିଣ୍ଡର, ଗୋଟାଏ ବାଇକ ଏବଂ ଲକ୍ଷାଧିକ ଟଙ୍କାର ଜିନିଷ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କେସ ନମ୍ବର ୧୦୦ ଏବଂ ୧୦୪ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇ ସମସ୍ତଙ୍କୁ ଆଜି ବାଣପୁର କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଅଭିଯୁକ୍ତମାନେ ଏକାଧିକ ସ୍ଥାନରୁ ଗ୍ୟାସ ସିଲିଣ୍ଡର ଚୋରୀ କରିଥିବା ପୋଲିସ ସାମ୍ନାରେ ସ୍ଵୀକାର କରିଛନ୍ତି। ବାଣପୁର ପୋଲିସ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗମ୍ଭାରୀମୁଣ୍ଡାର ଏକ ରାସନ ଗୋଦାମରୁ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଗୋଦାମ ମାଲିକ ଭାଗିରଥି ସାହୁ(୪୩) ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ। ଶନିବାର ରାତି ୧୦ ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ରବିବାର ସକାଳେ ଦୋକାନ ଖୋଲିବା ମାତ୍ରେ ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଖାଲି ହୋଇଥିବାର ଗୋଦାମ ମାଲିକ ଦେଖିବାକୁ ପାଇଥିଲେ।

ଏନେଇ ଭାଗିରଥି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରି ଏକ ପୋଖରୀ ଭିତରୁ ବହୁ ତେଲ ପ୍ୟାକେଟ ଉଦ୍ଧାର କରିଥିଲା। ଏହାସହ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା।

ତେବେ ଜିନିଷ ଗୁଡିକୁ ନନେଇ ପୋଖରୀ ମଧ୍ୟକୁ ଦୁର୍ବୃତ୍ତ କଣ ପାଇଁ ଫୋପାଡ଼ିଲେ ତାହା ରହସ୍ୟ ଘେରରେ ଥିଲା। ତେଣୁ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଦନ୍ତ ଜାରି ରହିଥିଲା

ହେଲେ ଆଜି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଏସଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ବଜାରରୁ ବଡ଼ଧରଣର ଚୋରି: ପୋଖରୀ ମଧ୍ୟରୁ ଜିନିଷ ଉଦ୍ଧାର କଲା ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଗୋଦାମରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ଆଜି ଲିଖିତ ଭାବେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ। ଅଭିଯୋଗକାରି ହେଉଛନ୍ତି ପଦ୍ମପୁର ଗ୍ରାମର ଭାଗିରଥି ସାହୁ(୪୩)। ଭାଗିରଥି ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଦୋକାନ କରିଥିବାବେଳେ ପଞ୍ଚୁଗାଁ ରୋଡ଼ରେ ତାଙ୍କର ଏକ ରାସନ ଗୋଦାମ ରହିଛି।

ଅଭିଯୋଗ ମୁତାବକ ଶନିବାର ରାତି ୧୦ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ତେବେ ରବିବାର ସକାଳେ ଦୋକାନ ଖୋଲି ଗୋଦାମ ଘରକୁ ଗଲାବେଳକୁ ଗୋଦାମ ଘରର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ। ଏବଂ ଗୋଦାମରୁ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଖାଲି ହୋଇଥିବା ଦେଖିବାକୁ ପାଇଥିଲେ। ସବୁଆଡେ ଖୋଜାଖୋଜି କଲା ପରେ ଗମ୍ଭାରୀମୁଣ୍ଡା ହାଇସ୍କୁଲ ନିକଟରେ ଖାଲି ଆଟା ପେଟି ଏବଂ କିଛି ତେଲ ଅଜାଡି ହୋଇଥିବାର ଭାଗିରଥି ଦେଖିବାକୁ ପାଇଥିଲେ।

ତେବେ ଏନେଇ ଭାଗିରଥି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଥିବା ସ୍ଥଳେ ଆଜି ଘଟଣା ନିକଟସ୍ଥ ଏକ ପୋଖରୀ ଭିତରୁ ବହୁ ତେଲ ପ୍ୟାକେଟ ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଜିନିଷ ଗୁଡିକୁ ନନେଇ ପୋଖରୀ ମଧ୍ୟକୁ ଦୁର୍ବୃତ୍ତ କଣ ପାଇଁ ଫୋପାଡ଼ିଲେ ତାହା ଏବେ ରହସ୍ୟ ଘେରରେ। ତଦନ୍ତ ବଢ଼ିବା ସହିତ ଚୋରିର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରେମ ସମ୍ପର୍କରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)।

ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା।

ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ତେବେ ନମିତାଙ୍କ ପରିବାରବର୍ଗ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ନାରଣଦେଇ ପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ବିନୋଦ ବେହେରାଙ୍କ ସହ ନମିତାଙ୍କ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ହୋଇଛି। ତେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ସହ ଆମକୁ ଉପଯୁକ୍ତ ନ୍ୟାୟ ମିଳୁବୋଲି ନମିତାଙ୍କ ପରିବାର ଲୋକେ ବାଣପୁର ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଜଣା ବାଇକ୍ ଧକ୍କାରେ ବୃଦ୍ଧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା।

ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବାଲୁଗାଁ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଖବର ହସ୍ତଗତ ହୋଇଛି।

ସେପଟେ ବାଣପୁର ପୋଲିସ ଏବଂ ଜାତୀୟ ରାଜପଥରେ ନିୟୋଜିତ ପାଟ୍ରୋଲିଂ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ହେଲେ ସୌଭାଗ୍ୟବଶତଃ ଚାଳକ ସମେତ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ପ୍ରତାପ ଗ୍ରାମର ଆଦିତ୍ୟ ବାରିକ ନିଜ ଇଣ୍ଡିଗୋ କାରରେ ଚାରି ଜଣ ସମ୍ପର୍କୀୟଙ୍କୁ ନେଇ ବାଣପୁର ମେଡିକାଲ ଯାଇଥିଲେ। ତେବେ ମେଡ଼ିକାଲରୁ ଫେରିଲା ବେଳକୁ ଆଦିତ୍ୟ କାରଟିକୁ କୁମାରାଙ୍ଗ ଛକରେ ରଖି ଓହ୍ଲାଉଥିବାବେଳେ ହଠାତ କାରର ଇଞ୍ଜିନରେ ନିଆଁ ଲାଗିଯାଇଥିଲା ଏବଂ କାରଟି ଜଳିବାକୁ ଲାଗିଲା।

ସଙ୍ଗେ ସଙ୍ଗେ ଆଦିତ୍ୟ ଚିତ୍କାର କରିବା ସହ ସମ୍ପର୍କୀୟଙ୍କୁ ଗାଡ଼ିରୁ ଖାଲି କରାଇଥିଲେ।  ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିବାସ୍ଥଳେ ବର୍ତ୍ତମାନ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ଯାନ୍ତ୍ରିକ ତୃଟି ଲାଗି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜମିଜମା ବିବାଦକୁ ନେଇ ବାଣପୁରରେ ଖଣ୍ଡା ବୁଲିଲା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ଛକରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ବାଣପୁର  ଅନ୍ତରକିଆରୀ ଛକରେ ରହୁଥିବା ଶରତ ବଳିୟାରସିଂ ନିଜ  ଘରେ ଖାଇବସିଥିବାବେଳେ  ତାଙ୍କୁ  ଏକ ଅଜଣା ନମ୍ବରରୁ ଘରୁ ବାହାରକୁ ଆସିବାପାଇଁ  ଫୋନ ଆସିଥିଲା। ଶରତ ବାହାରକୁ ଆସିଲାପରେ ପୂର୍ବରୁ ଛପିକି ରହିଥିବା  ୮ ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ପିଠି  ଏବଂ ଗୋଡ଼କୁ ଖଣ୍ଡାରେ ଚୋଟ ପକାଇଥିଲେ। ଏହା ଦେଖି ଶରତଙ୍କ ପରିବାରବର୍ଗ ଦୁର୍ବୃତ୍ତଙ୍କ କବଳରୁ ଛଡାଇବାକୁ ଚେଷ୍ଟା କରୁଥୁବାବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଶରତଙ୍କ ପରିବାରବର୍ଗଙ୍କ ନିବେଦନକ୍ରମେ  ପରବର୍ତ୍ତୀ ସମୟରେ ଅନ୍ତରକିଆରୀ ଗ୍ରାମର ମିଟୁ ଦାସ ସହଯୋଗ ଉଦ୍ଦେଶ୍ୟରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ଶରତଙ୍କୁ ଚିକିତ୍ସା ପାଇଁ ବାଣପୁର ମେଡ଼ିକାଲକୁ ନେବାପାଇଁ ଉଦ୍ୟତ ହେଉଥିବାସ୍ଥଳେ ଦୁର୍ବୁତ୍ତ ମାନେ ତାଙ୍କୁ ମଧ୍ୟ ବିଭତ୍ସ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ମିଟୁଙ୍କ ମୁଣ୍ଡ, କାନ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ସଙ୍ଗେ ସଙ୍ଗେ ଉଭୟଙ୍କୁ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଅପରପକ୍ଷେ ଖବର ପାଇ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଛି ବୋଲି  ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଶାଳିଆ ନଦୀର ୫୦ଫୁଟ ତଳକୁ ଖସିଲା ପିକ ଅପ ଗାଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ମଧ୍ୟରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ୫୦ ଫୁଟ ତଳେ ଏକ ନଦୀ ଭିତରେ ଖସିପଡିଛି।

ସୂଚନା ମୁତାବକ ଗତକାଲି ଭୁବନେଶ୍ୱରରୁ ଓଡ଼ି-୦୫ ଏଚ ୧୬୨୮ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ରଙ୍ଗ ଜିନିଷ ନେଇ ଆସ୍କା ଯାଇଥିଲା। ଏବଂ ଆସ୍କାରୁ ଜିନିଷ ଖାଲି କରି ୧୬ ନମ୍ୱର ଜାତୀୟ ରାଜପଥ ଜାମ ଥିବାରୁ ଗାଡିଟି ବେଗୁନିଆପଡା- ଅଙ୍ଗାରଗାଁ- ବାଣପୁର ହୋଇ ଭୁବନେଶ୍ୱର ଫେରୁଥିଲା। ପାଖାପାଖି ରାତି ଦୁଇ ଘଟିକାରେ ଗାଡ଼ି ଚାଳକଙ୍କ ଆଖି ପଡିଯିବାରୁ ମାଣିକପୁର ଛକ ବୁଲାଣି ନିକଟସ୍ଥ ଶାଳିଆ ନଦୀ ଭିତରକୁ ପ୍ରାୟ ପଚାଶ ଫୁଟ ତଳକୁ ଗାଡିଟି ଖସିପଡିଥିଲା। ସୌଭାଗ୍ୟବଶତଃ ଗାଡ଼ି ଚାଳକ ଗୁରୁଦେବ ପରିଆ ଏବଂ ତାଙ୍କ ସହଯୋଗୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଗାଡିଟି ନଦୀ ଭିତରେ ପଡି ରହିଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ସଫା କରିଥିଲେ। ଘଟଣାସ୍ଥଳରେ ଷଣ୍ଢଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନରରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ। ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନରକୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୬ ଘଟିକା ସମୟରେ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏକ ବନ୍ଧାକୋବି ବୋଝେଇ ପରିବା ଟ୍ରକ(ଏ.ପି ୧୬ ଟି.ଏଚ.୧୩୯୮) ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଗତି ଧୀର କରି ରହିବା ପାଇଁ ତତ୍ପର ହେଉଥୁବା ବେଳେ ସେହି ସମୟରେ ଅନୁରୂପ ଭାବେ ବିଶାଖାପାଟଣାରୁ ଝାରଖଣ୍ଡ ଯାଉଥିବା ଏକ କୋଇଲା ବୋଝେଇ କଣ୍ଟେନର(ବି.ଆର.୨୪ ଜି.ବି.୪୦୫୩) ଦ୍ରୁତ ଗତିରେ ଆସି ବନ୍ଧା କୋବି ବୋଝେଇ ଟ୍ରକକୁ ପଛପଟୁ ଧକା ଦେଇଥିଲା।

ଫଳରେ ଘଟଣାସ୍ଥଳରେ କୋଇଲା ବୋଝେଇ କଣ୍ଟେନରର କ୍ୟାବିନରେ ନିଆଁ ଲାଗିଯାଇଥିଲା ଏବଂ ଗାଡି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ବାଲୁଗାଁ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ ଡ୍ରାଇଭରଙ୍କୁ କ୍ୟାବିନ କାଟି ବାହାର କରାଯାଇଛି ଏବଂ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଦିଆଯାଇଛି। କଣ୍ଟେନରର ହେଲ୍ପର ଆହତ ହୋଇଥିବାସ୍ଥଳେ ତାଙ୍କୁ ମେଡିକାଲ କୁ ପଠାଯାଇଛି ଏବଂ ବନ୍ଧା କୋବି ଟ୍ରକର କିଛି ଅଂଶ ନଷ୍ଟ ହୋଇଯାଇଛି।

ମୃତ ଡ୍ରାଇଭର ଜଣକ ମହାରାଷ୍ଟ୍ର ଔରାଙ୍ଗାବାଦର ମେହେନ୍ଦୀନଗରର ଏବଂ ତାଙ୍କ ନାମ ଉପେନ୍ଦ୍ର ରାଓ ବୋଲି ଜଣାପଡିଛି। ଦୁର୍ଘଟଣାସ୍ଥଳରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସଙ୍କ ସହ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଆଦି ଉପସ୍ଥିତ ରହି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଶାଳିଆ ଡ୍ୟାମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

 ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର କେଳୁଚରଣ ଭୋଳଙ୍କ ପୁତ୍ର ହେମନ୍ତ ଭୋଳ(୩୨) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ହେମନ୍ତ ଆଜି ସକାଳେ ପ୍ରାୟ ୧୦ ଘଟିକାରେ ଘରୁ ୫୦୦ ଟଙ୍କା ନେଇ ନିଜ ସ୍କୁଟି ଯୋଗେ ବାଣପୁର ଯାଇଥିଲେ।  କିନ୍ତୁ ଅପରାହ୍ନ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ପରେ ଲୋକମାନଙ୍କଠୁ ଖବର ପାଇ ଶାଳିଆ ଡ୍ୟାମ ନିକଟରେ ହେମନ୍ତ ଙ୍କ ମୃତଦେହ ଦେଖିବାକୁ ପାଇଥିଲେ।  ପରବର୍ତ୍ତୀ ସମୟରେ ପରିବାର ଲୋକେ ହେମନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ସମ୍ପର୍କ ରେ ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୧୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।