Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଥାନାର ସବ୍‌ ଇନ୍ସପେକ୍ଟର ଦିବ୍‌ବିଜୟ ବିଶ୍ବାଳଙ୍କ ବଦଳି ବାତିଲ୍‌ ଦାବିରେ ମହିଳାଗୋଷ୍ଠୀଙ୍କ ଆନ୍ଦୋଳନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ଥାନାର ସବ ଇନ୍ସପେକ୍ଟର ଦିଗବିଜୟ ବିଶ୍ୱାଳଙ୍କ ବଦଳି ବାତିଲ ଦାବିରେ ଆଜି ବାଣପୁର ବ୍ଲକ ର ୧୫ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଓ ସଭ୍ୟମାନେ ବାଣପୁର ଥାନା ପରିସରରେ ଧାରଣା ଦେବା ସହ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ପୂର୍ବରୁ ଏହି ମହିଳାମାନେ ଗତ ୫ ତାରିଖରେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ସୁରେଶ କୁମାର ଦାସଙ୍କୁ ମଧ୍ୟ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଥାନାଧିକାରୀ ଦାବିପତ୍ର ଗ୍ରହଣ କରି ଦୁଇ ଦିନ ସମୟ ମାଗିଛନ୍ତି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରି ତାଙ୍କୁ ଅବଗତ କରେଇବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଯଦି ଦୁଇ ଦିନ ମଧ୍ୟରେ ଦିଗବିଜୟ ବିଶ୍ୱାଳଙ୍କ ବଦଳି  ଅର୍ଡର ବାତିଲ ନହୁଏ ତେବେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ମହିଳାଙ୍କ ସହ ଶହ ଶହ ମହିଳା ବାଣପୁର ଥାନା ଘେରାଉ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ଖୋର୍ଦ୍ଧା ଏସ୍‌ପି ଓ  ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ପଛେଇବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ଦାୟିତ୍ବବାନ ପୋଲିସ କର୍ମୀଭାବେ ଶ୍ରୀ ବିଶ୍ବାଳ ଗରିବ ଲୋକମାନଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରି ଆସୁଥିବାରୁ ଦଳ ମତ ନିର୍ବିଶେଷରେ ତାଙ୍କୁ ସମେସ୍ତ ସମର୍ଥନ କରିଛନ୍ତି। ବାଣପୁରରେ ପ୍ରଥମଥର ଭାବେ ଜଣେ କର୍ତ୍ତବ୍ୟରତ ପୋଲିସ୍‌ ଅଧିକାରୀଙ୍କ ସପକ୍ଷରେ ମହିଳାଙ୍କ ଅତୁଟ ସମର୍ଥନ ଦେଖିବାକୁ ମିଳିଛି।

ପୋଲିସ୍‌ ଅଧିକାରୀଙ୍କ ସପକ୍ଷରେ ଆନ୍ଦୋଳନ କରିଥିବା ଏହି ମହିଳା ଗୋଷ୍ଠୀର ନେତୃତ୍ବ ନେଇଥିଲେ ବାସନ୍ତୀ ମହାରଣା, ସୁକାନ୍ତି ପଲେଇ, କୁନିବାଳା ଭୁଜବଳ, ଲକ୍ଷ୍ମୀ ଖଟେଇ, ଜାନକୀ ବିଶୋଇ ଆଦି ମହିଳା ନେତ୍ରୀ। ମହିଳାଙ୍କ ସୁରକ୍ଷା ତଥା ଗ୍ରାମାଞ୍ଚଳରେ ଚାଲୁଥିବା ବେଆଇନ ମଦ ବିକ୍ରି ଉପରେ ଲଗାମ ଦେବାରେ ଶ୍ରୀବିଶ୍ବାଳଙ୍କ କାର୍ଯ୍ୟ ପ୍ରଶଂସନୀୟ ରହିଛି। ସମ୍ପ୍ରତି ବାଣପୁର ଅଞ୍ଚଳରେ ବହୁ ବେଆଇନ ମଦ କାରାବାର ଠପ୍‌ ହେବା ସହିତ ଘରୋଇ ହିଂସାରେ ମଧ୍ୟ କମ୍‌ ଆସିଥିବାର ଦେଖାଯାଇଛି। ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ନ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି। ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ଓ ସବ୍‌ ଇନ୍ସପେକ୍ଟର ଦିଗ୍‌ବିଜୟ ବିଶ୍ବାଳଙ୍କ କାର୍ଯ୍ୟକୁ ସେହି ଅଞ୍ଚଳରେ ସମେସ୍ତ ପ୍ରଶଂସା କରୁଥିବାବେଳେ ସବ୍‌ଇନ୍ସେପକ୍ଟରଙ୍କ ବଦଳି ବାତିଲ୍‌ କରିବାକୁ ଦାବି ଜଣାଇଛନ୍ତି ମହିଳା ଗୋଷ୍ଠୀ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶୁକପକ୍ଷୀକୁ ନେଇ ବାଣପୁରରେ ଉତ୍ତେଜନା, ନିଳାଦ୍ରିପ୍ରସାଦ ଗ୍ରାମବାସୀ ଓ ବନ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ  ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି।

ମିଳିଥିବା ସୂଚନା ଅନୁସାରେ ନିଳାଦ୍ରି ପ୍ରସାଦ ଗ୍ରାମବାସୀମାନେ ଏକ ଶୁଆକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ୧୧ ଘଟିକାରେ କିଛି ଛୋଟ ପିଲା ଶୁଆ ପକ୍ଷୀକୁ ନେଇ ଯାଉଥିବାବେଳେ କିଛି ଯୁବକ ସେହି ଶୁକପକ୍ଷୀକୁ ଉଦ୍ଧାର କରି ବଣରେ ଛାଡିବା ନିମନ୍ତେ ଚେଷ୍ଟା କରୁଥିବାବେଳେ ବନ ଅଧିକାରୀଙ୍କ କ୍ରୋଧର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ରେଞ୍ଜର ପାହ୍ୟାର ଅଫିସର ସହ ଫରେଷ୍ଟ ଗାର୍ଡ ସହ ନିଳାଦ୍ରିପ୍ରସାଦ ଗ୍ରାମର ବିଶ୍ବ ନାମ୍ନୀଜଣେ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀଙ୍କଠୁ ଶୁଆ ପକ୍ଷୀଟିକୁ ନେଇ ତାଙ୍କୁ ଗାଡ଼ିରେ ବସିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ସେହି ଯୁବକମାନେ ଏହାକୁ ବିରୋଧ କରିବା ସହିତ କ’ଣ ପାଇଁ ଗାଡ଼ିରେ ବସିବାକୁ କୁହାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଶୁକ ପକ୍ଷୀକୁ ଉଦ୍ଧାର କରିବା କ’ଣ ଭୁଲ ବୋଲି ଯୁବକମାନେ ବନ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଯଦି ଏହା ଭୁଲ୍‌ ତେବେ ଜଙ୍ଗଲରୁ କାଠ କିପରି ଚୋରି ହେଉଛି ବୋଲି ଯୁକ୍ତି କରିଥିଲେ ଯୁବକମାନେ।

ଏହା ପରେ ଫରେଷ୍ଟ ଗାର୍ଡ ଜଣକ ଯୁବକମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଯୁବକଙ୍କୁ ଧମକ ଦେଇଥିଲେ। ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ହେବାରୁ ଯୁବକମାନେ ଉପରିସ୍ଥ ଅଧିକାରୀଙ୍କୁ ଡାକି ଏହାର ସମାଧାନ ପାଇଁ କହିଥିଲେ। କିନ୍ତୁ ସେହି ବନ ଅଧିକାରୀମାନେ ସେମାନଙ୍କ ଷ୍ଟାପ୍‌ ଏବଂ ସ୍ପେଶିଆଲ ଫୋର୍ସଙ୍କୁ ଡାକି ଗ୍ରାମବାସୀଙ୍କ ସମେତ ଯୁବକଙ୍କୁ ନିର୍ଦ୍ଧୁମ ବାଡେଇ ଲହୁଲହାଣ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବନ ଅଧିକାରୀଙ୍କ ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସମ୍ପୃକ୍ତ ଗ୍ରାମବାସୀ ଥାନାରେ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ଡେପୁଟି ରେଞ୍ଜର ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି। ଶୁକ ପକ୍ଷୀକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ଗ୍ରାମବାସୀମାନଙ୍କ ସହିତ ବନ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର କହିଛନ୍ତି। ଗ୍ରାମବାସୀମାନେ ବନ ଅଧିକାରୀଙ୍କ ବହୁ ଗାଡି ଭାଙ୍ଗିଥିବାବେଳେ ଚାରି ଜଣ ଆହତ ହୋଇଥିବାର ଅଭିଯୋଗ କରିଛନ୍ତି ଡେପୁଟି ରେଞ୍ଚର୍। ଗତକାଲି ବାଣପୁର ଥାନା ତରଫରୁ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିବାବେଳେ ଏହା ସମ୍ଭବ ହୋଇପାରିନଥିଲା। ବାଣପୁର ଥାନାରେ ଏହାକୁ ନେଇ ଦୁଇ ପୃଥକ ପୃଥକ ଅଭିଯୋଗ ଦାଏର କରାଯାଇଥିଲା। ଆଜି ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଉଭୟ ପକ୍ଷଙ୍କ ସହ ଏହି ସମସ୍ୟାର ସମାଧାନ କରିବେ ବୋଲି ଜଣାପଡିଛି।

କରୋନା ଭାଇରସ୍‌କୁ ନେଇ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ସାମାନ୍ୟ ଶୁକ ପକ୍ଷୀକୁ ନେଇ ବାଣପୁରରେ ହୋଇଥିବା ଉତ୍ତେଜନାମୟ ପରିବେଶକୁ ସାଧାରଣରେ ନିନ୍ଦା କରାଯାଉଛି। ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଉଥିବାବେଳେ ଶୁକ ପକ୍ଷୀକୁ ନେଇ ବାଣପୁର ଅଞ୍ଚଳରେ ଦେଖାଦେଇଥିବା ଏପରି ପରିସ୍ଥିତିକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀମାନେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଖୋଜ ଯୁବକର ଶବ ମିଳିବା ପରେ ବାଣପୁର ଥାନା ଆଗରେ ଧାରଣାରତ ପରିବାର ସମେତ ଗ୍ରାମବାସୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ନିଖୋଜ ଯୁବକଙ୍କର ଶବ ମିଳିବା ପରେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ। ବାଣପୁରର ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁତ୍ର ଦର୍ଶନ ନାୟକଙ୍କ ନିଖୋଜ ହେବାର ଦୁଇ ଦିନ ପରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ୍‌କୁ ବିରୋଧ କରି ସ୍ଥାନୀୟ ଲୋକେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ଦାବି କରି ରାସ୍ତାରୋକ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ଘରୁ ନିଖୋଜ ରହିଥିବାର ଗତ ୮ ତାରିଖ ଦିନ ବାଣପୁର ଥାନାରେ ଅଭିଯୋଗ କରାଯାଇଥିଲା। କୋଡିଏ ବର୍ଷ ବୟସ୍କ ଦର୍ଶନ ନାୟକ ଗତ ସାତ ତାରିଖ ଦିନ ପନିପରିବା ଆଣିବା ନିମେନ୍ତ ନିକଟସ୍ଥ ମାର୍କେଟକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ। ପୁଅକୁ ଆଖପାଖରେ ଖୋଜିବା ସହିତ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରାଯାଇଥିଲା। ପୁଅ ନ ମିଳିବାରୁ ପୁଅ ନିଖୋଜ ରହିଥିବା ନେଇ ପୁଅର ବାପା ପ୍ରଭାକର ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏତଲାକୁ ଗ୍ରହଣ କରି ୪/୨୦ରେ ନିଖୋଜ ମାମଲା ରୁଜୁ କରିଥିଲା।

ଖବରକାଗଜରୁ ସୋଲରୀ ଷ୍ଟେସନ ପାଖରୁ ଅଜଣା ଯୁବକଙ୍କର ମୃତଦେହ ସୂଚନା ପାଇବା ପରେ ପରିବାର ଲୋକଙ୍କ ତରଫରୁ ଶବକୁ ଚିହ୍ନଟ କରାଯାଇଥିଲା। ଏହାପରେ ପରିବାର ଲୋକେ ପୋଲିସ୍‌ ଷ୍ଟେସନ ଯାଇ  କେହି ତାକୁ ମାରି ଦେଇଥିବାର ଅଭିଯୋଗ କରି ପରିବାର ସମେତ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯୁବକ ଜଣକ ବେଶ୍‌ ସରଳ ଥିବାବେଳେ ସେ କୌଣସି ପ୍ରକାରର ମଦ, ପାନ କିମ୍ବା ନିଶାରେ ଅଭ୍ୟସ୍ତ ନଥିଲେ। ଘରୁ ବଜାରକୁ କିଛି ପରିବା ଆଣିବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ମୃତଦେହ ଚିହ୍ନଟ ହେବା ପରେ ନିଖୋଜ ଯୁବକଙ୍କୁ ପୋଲିସ୍‌ ଖୋଜି ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଯୁବକଜଣଙ୍କ ମୃତ୍ୟୁ କିପରି ହେଲା ଏସମ୍ପର୍କରେ ତଦନ୍ତ କରିବା ସହ ଯଦି କେହି ତାଙ୍କୁ ହତ୍ୟା କରିଛନ୍ତି ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି। ଅପରାହ୍ନ ୫ଟାରୁ ଗ୍ରାମବାସୀମାନେ ମୃତ ଯୁବକଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରି ଧାରଣାରେ ବସିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ଚୋରା ଶାଗୁଆନ କାଠ ବୋଝେଇ ପିକ୍ଅପ୍‌ ଭ୍ୟାନ୍‌ ଜବତ

ସମୀକ୍ଷା ବ୍ୟୁରୋ

ବାଣପୁର: ବାଣପୁରଠାରୁ ଏକ ଚୋରା ଶାଗୁଆନ କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନା ପାଇ ବାଣପୁର ଥାନା ଏସ୍‌ଆଇ ଉମାକାନ୍ତ ସାହୁ, ଏସ୍‌ଆଇ ପ୍ରସନ୍ନ କୁମାର ଜେନା, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ ପ୍ରମୁଖ  ଓଆର୍‌ ୦୨ବିବି ୭୫୩୩ ଗାଡି ନଂର ଏକ ପିକ୍‌ଅପ୍‌ ଗାଡ଼ିକୁ ସାନସିରାଇପୁର ଓ ବେରୁଆଁବାଡି ଗ୍ରାମ ମଧ୍ୟରୁ ଜବତ କରିଥିଲେ। ରାତି ତିନିଟା ବେଳେ ଏହି ଗାଡିକୁ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇଯାଛନ୍ତି। ଏହି ଗାଡିଟି ପର୍ଶୁ ବରାଳଙ୍କ ନାମରେ ରହିଥିବାବେଳେ ଚୋରା କାଠ ଚାଲାଣ ଅଭିଯୋଗରେ ପୋଲିସ୍‌ ତାଙ୍କୁ ଅଟକ ରଖିଛି। ପିକ୍‌ଅପ୍‌ ଭ୍ୟାନରୁ ୨୦ ଖଣ୍ଡ ଶାଗୁଆନ୍‌ କାଠ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏସିଆ ମହାଦେଶର ସର୍ବବୃହତ୍‌ ଶାଗୁଆନ୍‌ ଜଙ୍ଗଲ ଦାମିଆ ବରବରାରୁ ଶାଗୁଆନ୍‌ କାଠକୁ କିପରି ବେଆଇନ ଭାବରେ ଚାଲାଣ କରାଯାଉଥିଲା, ତାହା ଏବେ ପ୍ରଶ୍ନର ବିଷୟ। ଚେକ୍‌ପୋଷ୍ଟ ପରେ ପରେ ଏହି ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଥିବାବେଳେ ଜଙ୍ଗଲ ସୁରକ୍ଷା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

Categories
ଆଞ୍ଚଳିକ

ବାଣପୁର ଥାନାକୁ ଅଭିଯୋଗ କରିବାକୁ ଆସି ବନ୍ଧାହେଲେ ଅଭିଯୋଗକାରୀ : ତିନୋଟି ପୃଥକ ମାମଲାରେ ୫ ଜଣଙ୍କୁ କୋର୍ଟଚାଲାଣ

ସମୀକ୍ଷା ବ୍ୟୁରୋ
ବାଣପୁର,୧୩/୧୨ : ବୁଧବାର ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତିନୋଟି ପୃଥକ ଘଟଣାରେ ପୋଲିସ୍‌ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବଚସା ଏବଂ ଆକ୍ରମଣକୁ ନେଇ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଟଙ୍କା ଦେଣନେଣକୁ କେନ୍ଦ୍ରକରି ଅନ୍ୟ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦିବାକର ରାଉଳ ଓ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସାରୁ ଉଭୟ ହାତାହାତି ହେବାରୁ ନିକଟରେ ଥିବା ରମେଶ ବେହେରାଙ୍କ ଗୁପ୍‌ଚୁପ୍‌ ଗାଡି ଉପରେ ପଡି ଯାଇଥିଲେ। ଗୁପ୍‌ଚୁପ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ କ୍ଷତିପୂରଣ ପ୍ରଦାନ ନକରି ଉଭୟ ସେଠାରୁ ପଳାଇଥିଲେ। ପ୍ରଶାନ୍ତ ଘଟଣା ସ୍ଥଳରୁ ଦୌଡୁଥିବା ବେଳେ ଦିବାକର ତାଙ୍କ ପଛରେ ଗୋଡାଇଥିଲେ। ନଇ ସାହି ଦେଇ ଯାଉଥିବା ବେଳେ ମୁସ୍‌ଲିମ୍‌ ସାହିର କରିମ୍‌ ଖାନ୍‌ ଏବଂ ସୋଏବ୍‌ ଅଖ୍‌ତାରଙ୍କ ସହିତ ଦିବାକରଙ୍କ ଝଗଡା ହୋଇଥିଲା। ଉଭୟଙ୍କ ଆକ୍ରମଣରେ ଦିବାକରଙ୍କ ମୁଣ୍ଡ ଫାଟିଯିବା କାରଣରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ କେସ୍‌ ନମ୍ବର ୩୪୮/୧୯ରେ ମାମଲା ରୁଜୁ କରିଥିଲା। ଏହା ସହିତ ସୋଏବ ଏବଂ କରିମ୍‌ଙ୍କ ବିରୋଧରେ ଧାରା ୩୪୧,୨୯୪, ୫୦୬, ୩୨୩ ଏବଂ ୩୨୪ ଲାଗୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

ଏହାପରେ ଗୁପ୍‌ଚୁପ୍‌ ବେପାରୀ ରମେଶ ବେହେରାଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ଗୁପ୍‌ଚୁପ୍‌ ଗାଡି ଭଙ୍ଗାକୁ ନେଇ ଦିବାକର ଏବଂ ପ୍ରଶାନ୍ତଙ୍କ ନାମରେ ସେ ଅଭିଯୋଗ କରିଥିଲେ। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୯/୧୯ ଦାୟର କରାଯିବା ସହିତ ଧାରା ୨୯୪, ୩୨୩, ୫୦୬, ୪୨୭ ଓ ୩୪ ଅନୁସାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ଦୁଇ ମାମଲାକୁ ବାଣପୁର ଥାନା ଏ.ସ.ଆଇ ବସନ୍ତ କୁମାର ସେଠି ପରିଚାଳନା କରୁଛନ୍ତି।

ସେହିପରି ଟଙ୍କା ଦେଣନେଣ ମାମଲାରେ ପୋଲିସ୍‌ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କପିଳେଶ୍ବରପୁରର ତୁଳସୀ ବେହେରାଙ୍କ ନିକଟରୁ ପାଟପୁରର ରବି ପଲେଇ ୪୦ ହଜାର ଟଙ୍କା ଉଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ରବି ଅର୍ଥ ଫେରସ୍ତ କରୁନଥିବାରୁ ତୁଳସୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ରବିଙ୍କୁ କୋର୍ଟ ଚାଲାଣ କରିଥିଲା। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୭/୧୯ରେ ଧାରା ୪୨୦, ୪୦୬, ୨୯୪ ଏବଂ ୫୦୬ ଅନୁସାରେ ରବିଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାଣପୁର ଥାନା ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ ଏହି ମାମଲା ପରିଚାଳନା କରୁଛନ୍ତି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ