Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଛୋଟ ଅଦଳବଦଳ: ମହିଳା ଅଧିକାରୀ ଶୂନ୍ୟ ହେଲା ବାଣପୁର ଥାନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ଛୋଟ ଅଦଳବଦଳ ହୋଇଛି। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ ହୋଇଛି। ଏ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କ ବୋଲଗଡ଼ ଥାନା ଅଧିନସ୍ଥ ବାଙ୍କୋଇ ଫାଣ୍ଡି ଅଧିକାରୀ ଭାବେ ବଦଳି, ବାଙ୍କୋଇ ଫାଣ୍ଡି ଅଧିକାରୀ ଏସଆଇ ପ୍ରତାପ ଚନ୍ଦ୍ର ପୁହାଣଙ୍କ ଟାଙ୍ଗୀ ଥାନାକୁ ବଦଳି, ବାଣପୁର ଥାନା ଏସଆଇ ଦେବସ୍ମିତା ବେହେରାଙ୍କ ଖୋର୍ଦ୍ଧା ସଦର ଥାନାକୁ ବଦଳି, ଟାଙ୍ଗୀ ଥାନା ଏସଆଇ ପୁଷ୍ପଲତା ଲେଙ୍କାଙ୍କ ବାଲୁଗାଁ ଥାନାକୁ ବଦଳି, ସଦର ଥାନା ଏଏସଆଇ ଆରାଧ୍ୟ ପ୍ରସାଦ ନାୟକଙ୍କ ନାଚୁଣୀ ଥାନାକୁ ବଦଳି ଏବଂ ବାଙ୍କୋଇ ଫାଣ୍ଡି ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କ ବୋଲଗଡ଼ ଥାନାକୁ ବଦଳି ହୋଇଛି।

ଉକ୍ତ ଅଧିକାରୀମାନଙ୍କୁ ତୁରନ୍ତ ନିଜର ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଅଛି।  ତେବେ ଆଶ୍ଚର୍ଯ୍ୟର ବିଷୟ ବାଣପୁର ଥାନାରେ ମାତ୍ରାଧିକ ମହିଳା ଏବଂ ନାବାଳିକା ଜନିତ ମାମଲା ଆସୁଥିବା ବେଳେ ଏଠାରେ କାର୍ଯ୍ୟରତ ଥିବା ଏକମାତ୍ର ମହିଳା ଏସଆଇ ଙ୍କ ବଦଳିକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।

ବାଣପୁର ଥାନାରେ ଯଦି କୌଣସି ମହିଳା ଅଧିକାରୀ ରହିବେ ନାଇଁ ତେବେ ଥାନାରେ ବଢୁଥିବା ମହିଳା ଏବଂ ନାବାଳିକା ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣି ତଥା କାଉନସେଲିଙ୍ଗ କରିବାରେ ନିଶ୍ଚିତ ଅସୁବିଧା ସୃଷ୍ଟି ହେବ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଜଣେ ନୂତନ ମହିଳା ଏସଆଇ ଙ୍କୁ ନିଯୁକ୍ତି ଦିଆଯିବା ପର୍ଯ୍ୟନ୍ତ ପୁରୁଣା ମହିଳା ଏସଆଇ ଙ୍କୁ ଏଠାରୁ ବଦଳି ନକରାଯାଉ ବୋଲି ବୁଦ୍ଧିଜୀବୀ ମାନେ ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଟ୍ରକ ସହ ଧକ୍କା ହେଲା ସ୍କୁଟର, ଶିକ୍ଷୟତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୂର୍ବାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଟାକିଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, ଗୋଦାବରୀଶ ବିଦ୍ୟାପୀଠର ଇଂରାଜୀ ଶିକ୍ଷୟତ୍ରୀ ଶୁଚିସ୍ମିତା ବଳ (୩୦) ନିଜର ସ୍କୁଟି ଯାହାର ନମ୍ବର ଓଡି ୦୨ ବିଏକ୍ସ ୫୪୧୨ ରେ ରେଲୱେ ଷ୍ଟେସନରୁ ସ୍କୁଲ ଅଭିମୁଖେ ଯାଉଥିଲେ। ସେହି ସମୟରେ ବାଣପୁର ନିକଟସ୍ଥ ଟାକିଆ ଶଙ୍ଖ ନିକଟରେ ଆଗରେ ଯାଉଥିବା ଏକ ୧୬ ଚକିଆ ଟ୍ରକ ଯାହାର ନମ୍ବର (ଏପି ୫୯ ୟୁଏମ ୩୮୦୮) ହଠାତ ବ୍ରେକ ମାରିବାରୁ ଶୁଚିସ୍ମିତାଙ୍କ ସ୍କୁଟିଟି ଟ୍ରକ ପଛପଟେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଶୁଚିସ୍ମିତାଙ୍କର ମୁଣ୍ଡ ଓ ଓଠରେ ଗଭୀର କ୍ଷତ ସୃଷ୍ଟି ହୋଇ ଅଚେତ ହୋଇ ପଡ଼ିଥିଲେ।

ସଙ୍ଗେସଙ୍ଗେ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରଣ କରିଥିବାର ସୂଚନା ମିଳିଛି।

ପ୍ରକାଶଥାଉକି ବାଣପୁର ବଜାର ଅଞ୍ଚଳ ସଂକୀର୍ଣ୍ଣ ଥିବା ସତ୍ତ୍ୱେ ଭାରିଯାନନ ଗୁଡିକ ବଜାର ଭିତରକୁ ପ୍ରବେଶ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ତେଣୁ ସ୍କୁଲ ସମୟ ଭିତରେ ଭାରିଯାନ ପ୍ରବେଶକୁ ଅନୁମତି ନ ଦେବାକୁ ସାଧାରଣରେ ବାରମ୍ବାର ଅଭିଯୋଗ ହୋଇ ଆସୁଅଛି, ରିପୋର୍ଟ ଲେଖାହେଲା ବେଳକୁ ଥାନାରେ କୌଣସି ମାମଲା ଦାୟର ହୋଇନଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ  ମୃତ୍ୟୁ ହୋଇଛି। ମୃତକଙ୍କ ନାମ କୁମାର ବେହେରା (୩୦)। ଗଞ୍ଜାମ ଜିଲ୍ଲା ବ୍ରହପୁର ଶଗଡିଆ ସାହିରେ ତାଙ୍କ ଘର।

ପୋଲିସ ସୂଚନା ମୁତାବକ ଯୁବକ ଜଣକ ବାଇକ୍ ରେ ତାପଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନାଚୁଣୀ ଛକସ୍ଥିତ ଦିଭାଇଡରକୁ ଅସାବଧାନତା ବଶତଃ ପିଟି ଦେଇଥିଲେ। ଫଳରେ ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ଜବତ କରି ଟାଙ୍ଗୀ ପୋଲିସ୍ ନାଚୁଣୀ ଫାଣ୍ଡି ପୋଲିସ୍ କୁ ହସ୍ତାନ୍ତର କରିଥିଲା।

ତେବେ ଏ ନେଇ ବାଣପୁର ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ସାହୁ କହିଛନ୍ତି।

Categories
ଆଞ୍ଚଳିକ

କୁମାରଙ୍ଗ ସୋଆଇଟି କାର୍ଯ୍ୟାଳୟରୁ ସିସି କ୍ୟାମେରା ଚୋରି ଅଭିଯୋଗ

ସୀତାରାମ ଅଗ୍ରୱାଲ
ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ କୁମାରଙ୍ଗ ସୋସାଇଟି କାର୍ଯ୍ୟାଳୟରୁ ଦୁଇଟି ସିସିଟିଭି କ୍ୟାମେରା ଚୋରି ହୋଇଯାଇଥିବା ସେକ୍ରେଟାରୀ ସଂଜୀବ କୁମାର ସାହୁ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଧାନ ପ୍ରୋକ୍ୟୁରମେଣ୍ଟ ସମୟରେ ସମସ୍ତ ସୋସାଇଟିରେ ସିସି ଟିଭି କ୍ୟାମେରା ବାଧ୍ୟତା ମୂଳକ ଥିବାବେଳେ କୁମାରଙ୍ଗ ସୋସାଇଟିରେ ଲାଗିଥିବା କ୍ୟାମେରାକୁ କୌଣସି ଦୁର୍ବୃତ୍ତ ଚୋରି କରି ନେଇଯାଇଛି।

ସେକ୍ରେଟାରୀ ସକାଳୁ ଅଫିସ ଖୋଲିବା ସମୟରେ ଚୋରି ହୋଇଯାଇଥିବା ଜାଣିପାରି ଥାନାର ଦ୍ୱାରସ୍ତ ହୋଇଥିବା ଜଣାଯାଇଛି। ତେବେ ଉକ୍ତ ଚୋରି ପଛର ଉଦ୍ଦେଶ୍ୟ କଣ ତାହା ଏବେ ରହସ୍ୟ ଘେରରେ ଅଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବଜାରରେ ବଡ଼ ଧରଣର ଲୁଟ: ଏଟିଏମ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବଜାରରେ ଏକ ଏଟିଏମ ରୁ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାର ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ମେସିନ ଭାଙ୍ଗି ତନ୍ମଧ୍ୟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଅତ୍ୟାଧୁନିକ କୌଶଳସତ୍ତ୍ୱେ ଲୁଟେରାମାନେ କିପରି ଏଟିଏମ ଲୁଟିଲେ ଏବଂ ବ୍ୟାଙ୍କ ସିଗନାଲ ପାଇପାରିଲା ନାହିଁ, ତାହା ଆଶ୍ଚର୍ଯ୍ୟଜନକ ବିଷୟ। ଅଞ୍ଚଳବାସୀଙ୍କ କହିବା ମୁତାବକ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଞ୍ଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାରଧାର କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଣପୁର ପୋଲିସ ଉକ୍ତ ଏଟିଏମକୁ ନିଜ ହେପାଜତକୁ ନେଇଥିବା ବେଳେ କିଛି ସମୟରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ରାତିରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଂଝଳା ଗ୍ରାମରେ ଗତକଲି ରାତିରେ ଏକ ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ପୋଲିସ ସୂଚନା ମୁତାବକ ଉକ୍ତ ଗ୍ରାମର ସୁଶାନ୍ତ ସ୍ୱାଇଁ ଏବଂ ତାଙ୍କ ପତ୍ନୀ ସୌନ୍ଦର୍ଯ୍ୟା ଲକ୍ଷ୍ମୀ ସ୍ୱାଇଁ ଗତକାଲି କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଘର ତାଲା ପକାଇ କଟକ ଯାଇଥିବା ବେଳେ ଆଜି ସକାଳେ ଗ୍ରାମକୁ ଫେରିଥିଲେ।

ତେବେ ଘର ଖୋଲିବା ପାଇଁ ଉଦ୍ୟତ ହେଲା ବେଳକୁ ଘର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଦମ୍ପତି। ଭିତରକୁ ଯାଇ ଦେଖିଲା ବେଳକୁ ଦୁର୍ବୁତ୍ତ ମାନେ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି କରିଦେଇଥିବାର ଦେଖିବାକୁ ପାଇଥିଲେ।

ଅଭିଯୋଗ ମୁତାବକ ସୁଶାନ୍ତଙ୍କ ଘରୁ କିଛି ସ୍ଵର୍ଣ୍ଣ ଅଳଙ୍କାର ଏବଂ ୫୦ ହଜାର ନକଦ ଟଙ୍କା ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ସୌନ୍ଦର୍ଯ୍ୟା ଅଭିଯୋଗ କଲାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଣପୁର: ବେକରେ ରଶି ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପଥରକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସୂଚନା ମୁତାବକ ପଥରକଟା ଗ୍ରାମର ନୀଳକଣ୍ଠ ଭୋଳଙ୍କ ଝିଅ କଣ୍ଢେଇ ଭୋଳ ଟାଙ୍ଗୀ ଥାନା ଆଡିଆପଡ଼ା ଗ୍ରାମର ପୂର୍ଣ୍ଣ ପରିଡ଼ାଙ୍କ ପୁତ୍ର ଚନ୍ଦନ ପରିଡ଼ାଙ୍କୁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ।

ତେବେ କଣ୍ଢେଇଙ୍କ ସ୍ୱାମୀ ବିଦେଶରେ କାମ ପାଇଁ ଯିବା ପରେ ଦୀର୍ଘ ତିନି ମାସ ହେବ କଣ୍ଢେଇ ନିଜ ବାପ ଘର ପଥରକଟା ରେ ରହୁଥିଲେ। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣବଶତଃ କଣ୍ଢେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାରବର୍ଗ ଏ ନେଇ ଜାଣିବା ପରେ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର 33/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ କଉଡ଼ିଖଣି ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଖବର ମିଳିଛି।  ସୂଚନା ମୁତାବକ ଆଜି ସକାଳେ ବଡପଦର ଗ୍ରାମର ସ୍ବର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ଏକ ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରିବା ବେଳକୁ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଠାବ କରିବା ପାଇଁ ପୋଲିସ ତାହାର ପ୍ରୟାସ ଆରମ୍ଭ କରିଦେଇଥିବାର ଆଇଆଇସି କହିଛନ୍ତି।

ସୂଚନାଥାଉ କି ନାଚୁଣୀ କଉଡ଼ିଖଣି ଛକରେ ଅଣ୍ଡରପାସ ନଥିବାରୁ ବହୁ ଧନଜୀବନ ବାରମ୍ବାର ଦୁର୍ଘଟଣା ଦ୍ୱାରା ନଷ୍ଟ ହେଉଛି। ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ସତ୍ତ୍ୱେ ଏଠାରେ ଅଣ୍ଡରପାସ ନିର୍ମାଣ କରାଯାଉନାହିଁ।

Categories
ଆଞ୍ଚଳିକ

ନାଚୁଣୀ ବାଇପାସ ଠାରେ ଓଲଟିଲା ଗ୍ୟାସ ଟାଙ୍କି ବୋଝେଇ ଟ୍ରକ: ଚାଳକ ସୁରକ୍ଷିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଠାରେ ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ କିଛି ସମୟ ପୁର୍ବରୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ନାଚୁଣୀ ବାଇପାସ ନିକଟରେ ଲେଉଟି ପଡିଥିଲା। ଫଳରେ ଗାଡିଟି ରାସ୍ତା ତଳକୁ ଖସି ପଡ଼ିଛି।

ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗାଡ଼ି ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଉକ୍ତ ଗାଡ଼ିରେ ପାଖାପାଖି ୪୦୦ ଗୋଟି ଖାଲି ଗ୍ୟାସ ଟାଙ୍କି ଥିବାରୁ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି।

ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ।

ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି। ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ। ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ଚଣ୍ଡେଶ୍ୱର ଛକରେ ବାଇକ୍ କୁ ଧକ୍କା ଦେଲା ଅଟୋ ରିକ୍ସା, ମା’ ପୁଅ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକରେ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେବା ଫଳରେ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଛନ୍ତି ମା’ ଏବଂ ପୁଅ। ଗୁରୁତର ମା’ଙ୍କର ନାମ ମଂଜୁଲତା ନାୟକ (୪୫) ଏବଂ ପୁଅର ନାମ ତୋଫାନ ନାୟକ (୨୪) ବୋଲି ଜଣା ପଡିଛି। ଉଭୟଙ୍କ ଘର ବାଣପୁର ଥାନା ସଲପଡିହ ଗ୍ରାମରେ।

ଆଜି ପୂର୍ବାହ୍ନରେ ତୋଫାନ ଓ ତାଙ୍କ ମା’ ମଂଜୁଲତା ଏକ ବାଇକ୍ ଯୋଗେ ଚାନ୍ଦପୁର ଯାଉଥିବା ବେଳେ ଚଣ୍ଡେଶ୍ୱର ଛକରେ ଉକ୍ତ ବାଇକ୍ କୁ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା।  ଫଳରେ ମା’ ପୁଅ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିଲେ। ଶହ ଶହ ଦେଖଣାହାରୀ ଦୁର୍ଘଟଣାର ଦୃଶ୍ୟ ଦେଖୁଥିଲେ ହେଁ କେହି ଆହତଙ୍କୁ ଉଦ୍ଧାର କରିନଥିଲେ।

ସେପଟେ ସାମ୍ବାଦିକ ରାମଚନ୍ଦ୍ର ପରିଡା କୁହୁଡିରୁ ନିଜ କାର୍ ରେ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ମା’ ପୁଅଙ୍କୁ ଉଦ୍ଧାର କରି ନିଜ କାର୍ ରେ ଟାଙ୍ଗୀ ଆଣିଥିଲେ। ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାମ୍ବାଦିକ ଶ୍ରୀ ପରିଡ଼ାଙ୍କର ଏଭଳି କାର୍ଯ୍ୟକୁ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନୟାଗଡ ଜିଲ୍ଲା ପୋଲିସକୁ ବଡ ସଫଳତା: ବାଣପୁର ଥାନା ଅଞ୍ଚଳରୁ ଉଦ୍ଧାର କଲା ୧୪ ଟି ଚୋରା ବାଇକ

ସୀତାରାମ ଅଗ୍ରୱାଲ

ବାଣପୁର: ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାର ଆଇଆଇସି ମାନେ ଚୋରା ବାଇକ ଉଦ୍ଧାର ଅଭିଯାନ ଗତ ତିନି ଦିନ ହେବ ଜାରି ରଖିଛନ୍ତି। ତେବେ ଏହି ଅଭିଯାନ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଗତ ୨ ଦିନ ମଧ୍ୟରେ ୧୪ ଗୋଟି ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ପୋଲିସ।

ଗତକାଲି ଚାନ୍ଦପୁର ଆଇଆଇସି ମୁକେଶ ବେହରା ରାତ୍ରକାଳିନ ଚଢ଼ାଉ କରି ବାଣପୁର ଥାନା କୋଷରଡ଼ା ଅଞ୍ଚଳରୁ ୪ ଗୋଟି ଚୋରା ବାଇକ ଉଦ୍ଧାର କରିଥିବା ବେଳେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ବୈଦ୍ୟନାଥ ଭୋଇ ପୁନଶ୍ଚ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଆଉ ୧୦ ଚୋରା ବାଇକ ଓ ସ୍କୁଟି ଉଦ୍ଧାର କରିଛନ୍ତି ।

ତେବେ କୋଷରଡ଼ା ଅଞ୍ଚଳର ପାହାଡ଼ ଓ ନଦୀକୁ ଅତିକ୍ରମ କରି ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉକ୍ତ ବାଇକ ଗୁଡିକୁ ଠାବ କରିବାରେ ସଫଳ ହୋଇଛନ୍ତି।

ଅନୁରୂପ ଭାବେ ଗତକାଲି ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତା ମିଶ୍ର ମଧ୍ୟ ଗଞ୍ଜାମ ଜିଲ୍ଲା ମା ନାରାୟଣୀ ମନ୍ଦିର ରୋଡରୁ ୫ ଗୋଟି ଚୋରା ବାଇକ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତେବେ ବାଣପୁର ଅଞ୍ଚଳରୁ ଏତେ ସଂଖ୍ୟକ ଚୋରା ବାଇକ ଉଦ୍ଧାର ଘଟଣା ସମସ୍ତଙ୍କୁ ଚକିତ କରଦେଇଛି।

ଏ ନେଇ ନୟାଗଡ ଏସପିଙ୍କୁ ପଚାରିବାରୁ ଏଯାବତ ଜିଲ୍ଲା ପୋଲିସ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ସମୁଦାୟ ୪୦ ରୁ ଉର୍ଦ୍ଧ୍ଵ ଚୋରା ବାଇକ ଓ ସ୍କୁଟି ଉଦ୍ଧାର ହୋଇଥିବା ବେଳେ ଆଗକୁ ଆହୁରି ବହୁତ ଚୋରା ବାଇକ ଉଦ୍ଧାର ହେବ ବୋଲି କହିଛନ୍ତି ଏବଂ ଏ ନେଇ ଖୁବ ଶୀଘ୍ର ଏସପି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ନୟାଗଡ଼ ଏସପିଙ୍କ ଉକ୍ତ ପ୍ରୟାସକୁ ଉଭୟ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଜନସାଧାରଣ ମାନେ ଭୁରି ପ୍ରଶଂସା କରିଛନ୍ତି, ତତସହିତ ଏପରି ସ୍ୱତନ୍ତ୍ର ଅଭିଯାନ ସମସ୍ତ ଜିଲ୍ଲାରେ କରାଗଲେ ବହୁ ନିରୀହ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଥାନାରେ ଯୋଗଦେଲେ ନୂତନ ଅତିରିକ୍ତ ଆଇଆଇସି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବେ ରଶ୍ମିବାଳା ସେଠି ଯୋଗ ଦେଇଛନ୍ତି। ଶ୍ରୀମତୀ ସେଠି ଚଳିତ ବର୍ଷ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇବା ପରେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା।

ତେବେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗଦେବାପରେ ଏସପି ତାଙ୍କୁ ବାଣପୁର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦେଇଛନ୍ତି। ବାଣପୁର ଥାନା ଜିଲ୍ଲାର ଏକ ବଡ଼ ଥାନା ହୋଇଥିବା ବେଳେ ଖାସ କରି ଏଠାକୁ ଅଧିକ ମହିଳା ଓ ଶିଶୁ ସମ୍ବନ୍ଧୀୟ ମାମଲା ଆସିଥାଏ। ତେଣୁ ଉକ୍ତ ଥାନାରେ ଅଧିକ ମହିଳା ଅଧିକାରୀଙ୍କ ଆବଶ୍ୟକ ଥିଲା, ଯାହାକି ଏବେ ପୂରଣ ହୋଇଛି।

ସୂଚନା ଥାଉକି ପୂର୍ବତନ ବାଣପୁର ଥାନା ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁଙ୍କ ଟାଉନ ଥାନାକୁ ବଦଳି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା। ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଚନ୍ଦ୍ର ଶେଖର ଜେନାଙ୍କୁ ଖୋର୍ଦ୍ଧା ଟାଉନ ଥାନାର ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲିପଦର ଗ୍ରାମ ମୁହଁରେ ଥିବା ବିଲ ଭିତରୁ ଜଣେ ମୃତ ଶରୀରକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁକାନ୍ତ ପଲାଇଙ୍କ ପୁତ୍ର କାଶୀନାଥ ପଲାଇ। ତାଙ୍କ ଶ୍ୱଶୁର ଘର ବାଲିପଦର ଗ୍ରାମ ତାରିଣୀ ସାହି ହୋଇଥିବା ବେଳେ ଉକ୍ତ ଗ୍ରାମ ସମ୍ମୁଖରୁ ମୃତ ଦେହ ଉଦ୍ଧାର ହେବା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି। ତାଙ୍କର ଏକମାତ୍ର ପୁତ୍ର ଥିବା ଜଣାପଡିଛି।

ତେବେ ମୃତ ଶରୀର ନିକଟରେ ସ୍କୁଲ ଖାତାପତ୍ର ଭର୍ତ୍ତି ଏକ ବ୍ୟାଗ ମଧ୍ୟ ପଡିଥିବାର ଦେଖାଯାଇଛି। ବାଣପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲା ପରେ ବର୍ତ୍ତମାନ ପୋଲିସ ମୃତ ଶରୀରକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବଦଳିଲା ନିଷ୍ପତ୍ତି: ବାଣପୁର ଥାନାର ନୂଆ ଆଇଆଇସି ହେବେ ଜୟ ପ୍ରକାଶ ପରିଡ଼ା

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ବଦଳିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ନୂତନ ଆଇଆଇସି ନିଯୁକ୍ତି ବିଜ୍ଞପ୍ତି। ନିକଟରେ ଖୋର୍ଦ୍ଧା ଏସପି ବାଣପୁର ଥାନାର ନୂତନ ଆଇଆଇସି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରଶ୍ମି ରଞ୍ଜନ ଦାସଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ଉକ୍ତ ବିଜ୍ଞପ୍ତିରେ ପରିବର୍ତ୍ତନ କରାଯାଇଛି। ଜିଲ୍ଲା ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତିକ୍ରମେ ବାଣପୁର ଥାନାର ନୂତନ ଆଇଆଇସି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଜୟ ପ୍ରକାଶ ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି।

ପୁର୍ବରୁ ଶ୍ରୀ ପରିଡାଙ୍କୁ ବାଲୁଗାଁ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତାହାକୁ ଅପସାରିତ କରାଯାଇଛି।

ସେହିପରି ଭାବେ ଇନ୍ସପେକ୍ଟର ରଶ୍ମି ରଞ୍ଜନ ଦାସଙ୍କୁ ପୁନର୍ବାର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଅନୁରୂପ ଭାବେ ବାଣପୁର ଥାନା ଅତିରିକ୍ତ ଆଇଆଇସି କାହ୍ନୁ ଚରଣ ସ୍ୱାଇଁଙ୍କୁ ଟାଉନ ଥାନା ଅତିରିକ୍ତ ଆଇଆଇସି ଭବେ ବଦଳି କରାଯାଇଛି।

Categories
ଅପରାଧ ଆଞ୍ଚଳିକ

ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗାଡିକୁ ଅଟକ ରଖି ବାଣପୁର ଥାନାରେ ଜିମା ଦେଲେ ଅଞ୍ଚଳବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗୋଟିଏ ଗାଡିକୁ ଅଞ୍ଚଳବାସି ଥାନାରେ ଜିମା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ବାଣପୁର ଏନଏସି ଚିଆଁଙ୍କ ସାହିର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଉକ୍ତ ସାହିର କିଛି ଯୁବକମାନେ ଭୋଜି ନେଇ ସେମାନଙ୍କ ବଡ଼ସିରେଇପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥଲେ। ତେବେ ଭୋଜି ଦେଇ ବାଣପୁର ଫେରୁଥିବା ବେଳେ କୋଳଥଡିହ ଛକରେ ହଠାତ ସେମାନଙ୍କୁ ଏକ ଡ଼ାଲା ଅଟୋ କ୍ଷିପ୍ରଗତିରେ ଓଭରଟେକ କରିଥିଲା।

ଉକ୍ତ ଡ଼ାଲା ଅଟୋରେ ଏକ ଗାଇ ବାନ୍ଧହେଇଥିବାର ଯୁବକମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗାଡିର ପିଛା କରି ଗାଡ଼ିକୁ ଅଟକାଇଥିଲେ। ତେବେ ଗାଡ଼ି ଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେ ଯୁବକଙ୍କ ସହ ଯୁକ୍ତି କରିଥିଲେ ଏବଂ ଗାଈକୁ ବେରୁଆଁବାଡ଼ି ଗ୍ରାମରୁ କିଣି ସଲପଡିହ ଯାଉଥିବାର କହିଥିଲେ।

ତେବେ ଗାଈ କିଣିବା ସମ୍ବନ୍ଧୀୟ କୌଣସି ପ୍ରମାଣ ଦେଖାଇନପାରିବାରୁ ଯୁବକ ମାନେ ଗୋରୁ ଚାଲାଣ ସନ୍ଦେହରେ ଉକ୍ତ ଗୋରୁ ବୋଝେଇ ଅଟୋ ସହ ଚାଳକଙ୍କୁ ପୋଲିସ ଜିମା ଦେଇଥିଲେ।

ବର୍ତ୍ତମାନ ବାଣପୁର ପୋଲିସ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ଗାଡ଼ି ଚାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ଘର ସଲପଡିହ ଗ୍ରାମ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭାଟପଡା ଛକରେ ଖଣ୍ଡାରେ ଆକ୍ରମଣ: ସରପଞ୍ଚଙ୍କ ସମ୍ପର୍କୀୟ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭାଟପଡା ଛକରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ତାଙ୍କରି ବଡବାପା ଓ ପୁଅ। ଏ ନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ଶ୍ୱଶୁର ରାମଚନ୍ଦ୍ର ବେହେରା।

ଅଭିଯୋଗ ମୁତାବକ ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଗତକାଲି କୁଲେଇ ସରପଞ୍ଚଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଶେଷ ହେବା ପରେ ବରଯାତ୍ରୀ ନେଇ ବରପକ୍ଷ ନିଜ ଗ୍ରାମ ବିଂଝଳାକୁ ଫେରିବା ପରେ ରାତି ୩ ଘଟିକାରେ ଉକ୍ତ ଗ୍ରାମର ଭାସ୍କର ବେହେରା ଓ ତାଙ୍କ ପୁତ୍ର ଉମକାନ୍ତ ବେହେରା ହଠାତ ସରପଞ୍ଚଙ୍କ ଘର ଦୁଆର ସମ୍ମୁଖରେ ଖଣ୍ଡା ଓ ଫାର୍ଷା ଧରି ଗାଳିଗୁଲଜ କରିବାକୁ ଲାଗିଥିଲେ।

ରାମଚନ୍ଦ୍ର ଦୁଆର ଖୋଲିବାରୁ ତାଙ୍କୁ ଆକ୍ରମଣ ପାଇଁ ଉଭୟ ଅଭିଯୁକ୍ତ ଦଉଡି ଆସିବା ବେଳେ ରାମଚନ୍ଦ୍ର ଦୁଆର ବନ୍ଦ କରିଦେଇଥିଲେ। କିନ୍ତୁ ଉଭୟ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ତାଙ୍କ ପୁଅ ତଥା ସରପଞ୍ଚଙ୍କ ସ୍ୱାମୀ ପ୍ରକାଶ ବେହେରାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରିଯାଇଥିଲେ।

ତେବେ ଭାଟପଡ଼ା ଛକରେ କୁଲେଇ ସରପଞ୍ଚ ସ୍ୱାମୀଙ୍କ ସମ୍ପର୍କୀୟ କାଁହୁଚରଣ ବେହେରା ଏବଂ ତାଙ୍କ ସାଙ୍ଗ ଅଭୟ ସାହୁଙ୍କୁ ଦେଖି ଉକ୍ତ ଅଭିଯୁକ୍ତ ଦ୍ବୟ ଗାଳିଗୁଲଜ କରିବା ସହ କାହ୍ନୁଙ୍କ ଦୁଇ ହାତକୁ ଖଣ୍ଡାରେ ଏକାଧିକ ଥର ଚୋଟ ପକାଇଥିଲେ। କାହ୍ନୁ ସଙ୍ଗେ ସଙ୍ଗେ ତଳେ ପଡିଯାଇଥିଲେ ଏବଂ ଗ୍ରାମବାସୀ ତୁରନ୍ତ ତାଙ୍କୁ ଗମ୍ଭାରୀମୁଣ୍ଡା ମେଡିକାଲ ଏବଂ ପରେ ଗୁରୁତର ଭାବେ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।

ଖବର ପାଇ ବାଣପୁର ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ବର୍ତ୍ତମାନ ଭାସ୍କର ବେହେରାଙ୍କୁ ଅଟକ କରିଥିବା ବେଳେ ତାଙ୍କ ପୁତ୍ର ଉମାକାନ୍ତ ବେହେରା ଫେରାର ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲ ମରାମତି ସମୟରେ କାଉନସିଲରଙ୍କୁ ଆକ୍ରମଣ ଅଭିଯୋଗ, ବାଣପୁର ଥାନା ଘେରାଉ କଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଦେଖା ଦେଇଛି ବିଶୃଙ୍ଖଳା। ଉକ୍ତ ଗ୍ରାମର ଏକ ପୋଲ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ କାଉନସିଲରଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏବଂ ଆକ୍ରମଣକାରିଙ୍କୁ ଗିରଫ ଦାବିରେ ବାଣପୁର ଥାନା ଘେରାଉ କରିଛନ୍ତି ଉକ୍ତ ଗ୍ରାମର ବହୁ ମହିଳା ଓ ପୁରୁଷ।

ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ଏକ ପୋଲର ମରାମତି କାର୍ଯ୍ୟ ଜାରି ରହିଥିଲା।  ମଧ୍ୟାହ୍ନରେ ଉକ୍ତ ଗ୍ରାମର ବିଜୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିବା ସହ ଏହାର କାର୍ଯ୍ୟାଦେଶ କାଇଁ ବୋଲି ସମ୍ପୃକ୍ତ କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ପଚାରିଥିଲେ। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ କାଉନସିଲର ଅଭିମନ୍ୟୁ ପ୍ରଧାନଙ୍କ ସହ ତାଙ୍କର ବଚସା ହୋଇଥିଲା। ବଚସା ପରେ ଅଭିମନ୍ୟୁଙ୍କୁ ବିଜୁ ଆକ୍ରମଣ କରିଥିବାର ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଏ ନେଇ ଅଭିମନ୍ୟୁଙ୍କ ସମର୍ଥନରେ ଉକ୍ତ ଗ୍ରାମର ଏକାଧିକ ମହିଳା ଓ ପୁରୁଷ ବାଣପୁର ଥାନା ଘେରାଉ କରିବା ସହ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଦାବି କରିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଥିବାର ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ରାମ ସଭାରେ ବୁଲିଲା ଫାର୍ଶା, ଜଣେ ଗୁରୁତର: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଣପୁର ଥାନାରେ ଶତାଧିକ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋଡିଝର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଯେଉଁଥିରେ ଫାର୍ଶା ଚୋଟ ଦ୍ୱାରା ତାଙ୍କ ବାମ ହାତ କ୍ଷତବିକ୍ଷତ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଗୋଡିଝର ଗ୍ରାମରେ ଠାକୁର ଘର ମରାମତି ପାଇଁ ଗ୍ରାମ କୋଠ ଘରେ ବୈଠକ ବସିଥିଲା। ସେହି ସମୟରେ ହଠାତ ୧୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗ୍ରାମ ସଭା ନିକଟକୁ ଆସି ଗ୍ରାମବାସୀଙ୍କୁ ଗାଳି କରିବାକୁ ଲାଗିଥିଲେ। ଏହାକୁ ଗ୍ରାମର ବିଜୟ ବରାଳ ଏବଂ ଅନ୍ୟ ବ୍ୟକ୍ତିମାନେ ବିରୋଧ କରିବାରୁ ଉକ୍ତ ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ଜଣେ ଏକ ଫାର୍ଶା ଦ୍ଵାରା ବିଜୟଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବିଜୟଙ୍କ ବାମ ହାତ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ବିଜୟଙ୍କୁ ଅନ୍ୟ ଗ୍ରାମବାସୀ ମାନେ ମେଡିକାଲ ନେଇଥିଲେ। ଏ ନେଇ ବିଜୟ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜୟଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ମାନେ ଆଜି ବାଣପୁର ଥାନାରେ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା।

ମହିଳା ମାନଙ୍କ ଅଭିଯୋଗ ଯେ, ଅଭିଯୁକ୍ତ ଜଣକ ଗ୍ରାମରେ ମଦ ବିକ୍ରି କରି ସଦାବେଳେ ପରିବେଶକୁ ଅଶାନ୍ତି କରୁଛନ୍ତି। ତେଣୁ ତାଙ୍କ ଗ୍ରାମକୁ ମଦମୁକ୍ତ କରିବା ପାଇଁ ମଧ୍ୟ ମହିଳା ମାନେ ପୋଲିସ ନିକଟରେ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କୁ ଅଶାଳୀନ ଇଙ୍ଗିତ କରି ଛେଚା ଖାଇଲେ ଦୁଇ ଯୁବକ, ବାଣପୁର ଥାନାରେ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଂ ସେଣ୍ଟର ଥିବାରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି। ତେବେ ବିଶେଷ କରି ରାତ୍ର ଆଠ ଘଣ୍ଟିକାରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ କୋଚିଂ ସେଣ୍ଟର ଛୁଟି ହୋଇଥାଏ। ତେବେ ଏହାର ସୁଯୋଗ ନେଇ ଦୀର୍ଘ ଦିନ ହେବ ସହରର ପ୍ରମୁଖ ସ୍ଥଳ ମା’ ଭଗବତୀଙ୍କ ପୀଠ ଠାରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଅସାମାଜିକ ଯୁବକମାନେ ଛପି ବସୁଛନ୍ତି। ସୁଯୋଗ ପାଇ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ସେମାନେ ପଛାଉନାହାନ୍ତି।

ତେବେ ଏହା ସେମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନର ଶୁଭଦୃଷ୍ଟି ଏଯାବତ ପଡୁନି। ପରିସ୍ଥିତି ଏପରି ହେଲାଣି ଯେ, ବର୍ତ୍ତମାନ ସ୍ପଷ୍ଟ ଦିବାଲୋକରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବାକୁ ଉକ୍ତ ଯୁବକମାନେ ପଛାଉନାହାନ୍ତି। ତେବେ ପ୍ରତିଦିନ ଏପରି ଘଟଣା ବାଣପୁରରେ ଘଟୁଥିବା ବେଳେ କେତେକ ଲୋକଲୋଚନକୁ ଆସିବା ଭୟରେ ଦବି ଯାଉଥିବା ବେଳେ ଆଉ କେତେକ ସାହସ କରି ପୋଲିସକୁ ଅଭିଯୋଗ କରୁଛନ୍ତି।

ଏପରି ଏକ ଲଜ୍ୟାଜନକ ଘଟଣା ଗତକାଲି ବାଣପୁର ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନିକଟରେ ଘଟିଯାଇଛି। ଜଣେ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ କମେଣ୍ଟ ମାରି ନିର୍ଧୁମ ଛେଚା ଖାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି।

ଅଭିଯୋଗ ମୁତାବକ ବାଣପୁର ଏନଏସି ଅଞ୍ଚଳର ଦୁଇ ଜଣ ଯୁବକ ଗତକାଲି ମଧ୍ୟାହ୍ନରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନିକଟରେ ନିତି ଦିନ ପରି ଛାତ୍ରୀଙ୍କୁ ହଇରାଣ ନିମନ୍ତେ ଯାଇଥିଲେ। ଉକ୍ତ ସମୟରେ ଜନୈକ ଛାତ୍ରୀଙ୍କୁ କମେଣ୍ଟ ମରିବା ସହ ଅସଦାଚରଣ କରିଥିଲେ। ଏହା ଜାଣି ସ୍ଥାନୀୟ ଅଞ୍ଚଳବାସି ଉଭୟଙ୍କୁ ନିର୍ଧୁମ ଛେଚି ବାଣପୁର ପୋଲିସ ଜିମା ଦେଇଥିଲେ।

ପୋଲିସ ଉଭୟଙ୍କ ବିରୋଧରେ କେଶ ନମ୍ବର ୧୪୯/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ବାଣପୁର ବଜାରରେ ପ୍ରତିଦିନ ଏପରି କାଣ୍ଡ ଘଟୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଏହାର ପ୍ରତିକାର ଦିଗରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅବକାରୀ ଧରପଗଡ଼, ଦୁଇ ମହିଳା ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳା ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି। ମହତପଲା ଗ୍ରାମରୁ ଦୁଇ ଜଣ ମହିଳା ମଦ ବେପାରି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

ଅନୁରୂପ ଭାବେ ଜଗନ୍ନାଥପୁର ଗ୍ରାମରୁ ଗଙ୍ଗାଧର ଦଣ୍ଡସେଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ତିନି ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି।