Categories
ଆଜିର ଖବର ରାଜ୍ୟ ଖବର

ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି ସେବା କ୍ୟାଡରରେ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି।

ନିଷ୍ପତ୍ତି ଅନୁଯାୟୀ ମତ୍ସ୍ୟଚାଷ ସେବା କ୍ୟାଡରର ସମୁଦାୟ ପଦବୀ ସଂଖ୍ୟା ୮୩୫କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୬୧୮ ଥିଲା। ଏହାଦ୍ୱାରା ୨୧୭ଟି ନୂତନ ପଦବୀ ସୃଷ୍ଟି ହୋଇଛି। ମତ୍ସ୍ୟ ସେବା କ୍ୟାଡରର ଅଧିକାଂଶ ପଦବୀ ଗୁଡିକ କ୍ଷେତ୍ରସ୍ତରରେ ରହିଥାଏ।

ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରି ୨୦୩୬ ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ୍ ଟନ ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମତ୍ସ୍ୟ ସେବା କ୍ୟାଡରର ଏହି ପୁର୍ନବିନ୍ୟାସ ଫଳରେ କ୍ଷେତ୍ରସ୍ତରଠୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମତ୍ସ୍ୟଚାଷର ଅଭିବୃଦ୍ଧି ପାଇଁ ଅଧିକ ଅଧିକାରୀ ଉପଲବ୍ଧ ହୋଇପାରିବେ।

ସେହିଭଳି ଉଦ୍ୟାନ କୃଷି ବିଭାଗରେ ପୁର୍ନବିନ୍ୟାସ କରାଯାଇ ୬୭ଟି ପଦବୀ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୪୦୩ ଥିଲା, ପୁର୍ନବିନ୍ୟାସ ପରେ ଏହା ୪୭୦କୁ ବୃଦ୍ଧି ପାଇଛି। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଉଛି।

Categories
ଆଜିର ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ବର: ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ଏଣିକି ଏହି ପ୍ରସିଦ୍ଧ ସହର ମହାନଗର ନିଗମ ହେବ। ଏଠାର କାଉନସିଲର କରପୋର୍ରେଟର ଏବଂ ମେୟର ରହିବେ। ଫଳରେ ପୁରୀ ପରି ଐତିହାସିକ ସହରଟିର ଉନ୍ନତି ହେବ ବୋଲି ଆଶା କରାଯାଉଛି।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି।

ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ  ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ଯ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ।

ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ। ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ଆମ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ। ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ମୋବାଇଲରେ ଜମି ରେଜିଷ୍ଟ୍ରେସନ ପାଇଁ କରିପାରିବେ ସ୍ଲଟ ବୁକିଂ, ମିଳିବ ବହୁ ସୁବିଧା, ଆପ୍ ଲୋକାର୍ପଣ

ଭୁବନେଶ୍ବର: ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ କରିଥିଲୁ। ଆମର ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି। ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ।

ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପର ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ।

ଆପ୍‌ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ ମାଇଲଷ୍ଟୋନ। ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ କରିପାରିବେ। ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ। ଏହି ଆପ୍ ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ Fଏବଂ କ୍ୟାସଲେସ ହୋଇପାରିଛି। ଏହାଦ୍ୱାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ ମଧ୍ୟ ହ୍ରାସ ହୋଇପାରିବ।

ରାଜସ୍ୱ ବିଭାଗର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହ ବିହୀନ ଲୋକଙ୍କୁ ଘରବାଡି ପଟ୍ଟା ଯୋଗାଇ ଦେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ୨୦,୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଏବଂ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡ ଗୁଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ କରାଯାଇଛି, ଏହାଦ୍ୱାରା ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି।

ସେ ପୁଣି କହିଥିଲେ ଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ବିଭାଗ ହାସଲ କରିଥିବା ସଫଳତାକୁ ନେଇ ଯେଉଁ ପୁସ୍ତିକା ପ୍ରକାଶ କରିଛନ୍ତି, ତାହା କେବଳ କାର୍ଯ୍ୟକଳାପର ଏକ ତାଲିକା ନୁହେଁ, ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ଦାୟିତ୍ୱବାନ ପ୍ରଶାସନିକ ବ୍ୟବସ୍ଥା, ଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏକ ପ୍ରମାଣ। ରାଜସ୍ୱ ବିଭାଗ ଏବେ ଲୋକଙ୍କ ନିକଟତର ହେଉଛି। ରାଜ୍ୟ ସରକାର ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଏବେ ବ୍ୟାପକ ସଂସ୍କାର ଆଣିଛନ୍ତି ବୋଲି ସେ କହିଥିଲେ।

ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଅଧିକ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହ କାମ କରିବାକୁ ପଡିବ। ଲୋକମାନେ ଆମ ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି, ତାହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମକୁ ଦାୟିତ୍ୱବାନ ହେବାକୁ ପଡିବ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସଂହଦେଓ କହିଥିଲେ ଲୋକଙ୍କ ସରକାର ଲୋକଙ୍କ କାମ କରୁଛନ୍ତି। ଲୋକଙ୍କ ପାଇଁ ରାଜ୍ୟ ସରକାର ଯେପରି ଭାବେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଶ୍ରୀ ସିଂହଦେଓ କହିଥିଲେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଲେ ଯେ, ବାତ୍ୟା ଦାନା ସମୟରେ ମୁଖ୍ୟମନ୍ତ୍ରୀ ସାତ ଦିନ ଧରି ସକାଳୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଛନ୍ତି। ତାଙ୍କର କାର୍ଯ୍ୟଧାରା ନିଷ୍ଠା ଓ ପ୍ରତିବଦ୍ଧତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶଂସା କରି ସେ କହିଲେ ବର୍ଷକ ମଧ୍ୟରେ ଆମେ ଯେଉଁ ସଫଳତା ହାସଲ କରିଛୁ, ସେଥିପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ତେବେ, ଓଡିଶାକୁ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ ହେବା ଆବଶ୍ୟକ। ତେଣୁ ଆମକୁ ଆହୁରି କଠୋର ପରିଶ୍ରମ କରିବାକୁ ପଡିବ ଓ ଆହୁରି ସଫଳତା ହାସଲ କରିବାକୁ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ OSNLEA ର ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା

ଖୋର୍ଦ୍ଧା: ସମାନ କାମକୁ ସମାନ ଦରମା ନିର୍ବାଚନୀ ସଂକଳ୍ପ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାସନକୁ ଆସିବାର ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ର ଦାବି ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ନକରି ନିଜକୁ ଶିକ୍ଷା ଓ ଶିକ୍ଷକ ବିରୋଧୀ ସରକାର ଭାବେ ପ୍ରମାଣ କରିଛି ବୋଲି ଆଜି ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଆହ୍ୱାନକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ସଂଘର ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣାରେ ମତ ପ୍ରକାଶ ପାଇଛି।

ସଂଘର ଦାବି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୦୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ପରିସରଭୁକ୍ତ କରନ୍ତୁ।

ଉକ୍ତ ଦାବି ପୂରଣ ନିମିତ୍ତ ମୋହନ ସରକାର ଶପଥ ନେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠରେ ୧୦ ଥର ସାକ୍ଷାତ ଆଲୋଚନା କରିଥିଲେ ସୁଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ଵୟଂ ମୁଖ୍ୟମନ୍ତ୍ରୀ ଦାବି ପୂରଣ ଦିଗରେ ସମ୍ପୂର୍ଣ୍ଣ ନୀରବ।

ଯଦିବା ସ୍ଥାୟୀ କମିଟି -୪ର ସୁପାରିସ କ୍ରମେ ସରକାର ୨୦୦୮ ରୁ ୨୦୧୮ ଅନୁଦାନ ପ୍ରଦାନ ନିମିତ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ମାର୍ଚ୍ଚ ୨୦୨୫ ରୁ କମିଟିର ୩ ମାସ କାର୍ଯ୍ୟକାଳ ରହିଥିଲେ ମଧ୍ୟ କମିଟି କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିଲା ନାହିଁ।
ବାରମ୍ବାର ମନ୍ତ୍ରୀ, ବିଧାୟକ ଏବଂ ସଚିବ ମାନଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କଲେ ମଧ୍ୟ ଅର୍ଥାଭାବର ଆଳ ଦେଖାଇ ସମସ୍ତେ ସମୟ ଗଡ଼ାଇ ଚାଲିଛନ୍ତି।

ଗତ ତା ୦୧/୦୬/୨୦୨୫ ରେ ସଂଘର ସଭାପତି ବିଶ୍ବରଂଜନ ଦାସ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ତା ୦୯/୦୬/୨୦୨୫ ପର୍ଯ୍ୟନ୍ତ କଣ୍ଟୌ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ସରକାର ଦାବିପୂରଣ ଦିଗରେ କୌଣସି ତତ୍ପରତା ପ୍ରକାଶ ନକରିବାରୁ ସଭାପତିଙ୍କ ଆହ୍ୱାନକ୍ରମେ ୧୦/୦୬/୨୦୨୫ ରୁ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କର ଶିକ୍ଷା ଓ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ପଥ ପ୍ରାନ୍ତ ସଭା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଚାଲିଛି।

ସେହିକ୍ରମରେ ତା ୨୦/୦୬/୨୦୨୫ ରିଖରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଦିଆଯାଇଅଛି।

ଆଶା ଲୋକଙ୍କ ସରକାର ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଲୋକମତକୁ ସମ୍ମାନ ଦେଇ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପୋଷଣ କରିବେ ଅନ୍ଯଥା ଆଜିର ଏହି ଶାନ୍ତିପୂର୍ଣ୍ଣ ଧାରଣା ଆଗାମୀ ଦିନରେ ଆହୁରି ତୀବ୍ରତର ଏବଂ ଭୟାବହ ହେବ। ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ।

ଆଜିର କାର୍ଯ୍ୟକ୍ରମରେ ସଂଘର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଅଜୟ କୁମାର ସାହୁ, ବନମାଳୀ ଦାସ, ଅଶ୍ବିନୀ ବାରିକ, ଗିରିଜା ଦାସ, ଶୁଭେନ୍ଦୁ ପଟ୍ଟନାୟକ, ବଳରାମ ନାୟକ, ପାର୍ଥ ସାରଥି, ପ୍ରମୋଦ ସାହୁ, ଛବିରାଣୀ ସାହୁଙ୍କ ସହ କଲେଜ ପ୍ରତିନିଧିମାନେ ଧାରଣାରେ ବସିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚିନ୍ତା ପ୍ରକଟ ମଧ୍ୟ କଲେ

ଭୁବନେଶ୍ବର: ଆସନ୍ତା 22 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ ହେବ। ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଏହି ଅପରେସନ କରାଯିବ। ଏ ନେଇ ଖୋଦ ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି।

ଏହି ଖବର ଜଣାପଡିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସାମାଜିକ ଗଣମାଧ୍ୟମରେ ନବୀନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଚନ୍ତି ଯେ,ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

(ଏଥିରେ ଥିବା ଫଟୋଟି ପୁରୁଣା, ଶପଥ ଗ୍ରହଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଡାକିବା ସମୟରେ ଏହାକୁ ନିଆଯାଇଛି। ବର୍ତ୍ତମାନର ଖବର ସହିତ ଏହାର କୌଣସି ସଂପର୍କ ନାହିଁ। କେବଳ ସିମ୍ବଲିକ ଭାବେ ଦିଆଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ଆଜି ୫ ଟି ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଶେଷ ରଜରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭୁବନେଶ୍ବରର ଓୟୁଏଟି ହଲରେ ଆୟୋଜିତ ଏକ ବିଶେଷ କାର‌୍ୟ୍ୟକ୍ରମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିରେ ମୁଖ୍ୟଶାସନ ସଚିବଙ୍କ ସହିତ ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ।

ମୋଟ ୫ ଟି ବିଭାଗ ପାଇଁ ଏହି ନିଯୁକ୍ତି କରାଯିବ। ସେଥିମଧ୍ୟରେ ପୁର୍ତ୍ତ ବିଭାଗର ସର୍ବାଧିକ ୫୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ୨୦୪,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧୧୭ ଜଣ, ଜଳ ସଂପଦ ବିଭାଗ ପାଇଁ ୬୨ ଜଣ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସହରାଞ୍ଚଳ ପୋଲିସର ଡିସିପି ଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‍ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ ଡିସିପିଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି ।

ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ । ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ, CCTNS ରୁମ୍‍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍‍, ଲିଗାଲ ସେଲ, ପାସର୍ପୋଟ ବିଭାଗ ଆଦି ସୁବିଧା ଉପଲବ୍‍ଧ କରାଯାଇଛି ।

ଏଥିସହିତ Conference Hall ଏବଂ ଟ୍ରେନିଂ ହଲ୍‍ର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୋଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍‍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ମାର୍ଚ୍ଚ ମାସରେ ୪୨ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୧୪ଟି ନୂତନ ଥାନା ଉଦ୍‍ଘାଟିତ ହୋଇଥିଲା ।

ସେ କହିଥିଲେ ଆମ ପୋଲିସ ନିରପେକ୍ଷ ଭାବେ ବିନା ପକ୍ଷପାତିତା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଗତ ଏକ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୋଷ ଜନକ ରହିଛି ଏବଂ ଏଥିନେଇ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରାଜ୍ୟରେ ପ୍ରତ୍ୟେକ ଥାନାରେ କାର୍ଯ୍ୟରତ ତଦନ୍ତକାରୀ ଅଫିସରମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଧିକ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି । ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନାର ତଦନ୍ତକାରୀ ଅଫିସରମାନଙ୍କୁ ୪୨୫ ଟି ଦୁଇ ଚକିଆ ଯାନ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଥାନାମାନଙ୍କୁ ଅଧିକ ଚାରି ଚକିଆ ଯାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରାଧିକ ଆଇନ ଗୁଡ଼ିକର ତଦନ୍ତ ପ୍ରକ୍ରିୟାରେ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାଦା ଶ୍ରୀ ପ୍ରକାଶ ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ପୋଲିସ କମିଶନର ଶ୍ରୀ ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଡିସିପି ଭୁବନେଶ୍ୱର ଶ୍ରୀ ଜଗମୋହନ ମୀନା ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ସରକାର ପ୍ରଥମ ବର୍ଷ ପୂରଣ: ମୁଖ୍ୟମନ୍ତ୍ରୀ କହିଲେ ଜନସେବାର ‘ବର୍ଷ ଏକ, ସଫଳତା ଅନେକ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏ ନେଇ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ବର୍ଷ ମଧ୍ୟରେ କଣ ସଫଳତା ହାସଲ କରାଯାଇଛି ତାହାର ଏକ ରୂପରେଖ ପ୍ରଦାନ କରିଥିଲେ।

ସେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା।

୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇ ରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ। କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପରି। ତେଣୁ, ଦେଶ କଥା କହିଲେ ମୋଦୀ-ସରକାରଙ୍କ ସବୁଠାରୁ ବଡ ଉଲ୍ଲେଖନୀୟ ସଫଳତା ହେଉଛି, ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଦେଶ ସହିତ ସଂପୂର୍ଣ୍ଣ ଭାବେର integrate କରିବା, ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ ଉଚ୍ଛେଦ, ଦେଶରେ ଏକକ GST ର ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା ମହତ୍ତ୍ୱପୂର୍ଣ୍ଣ।

ତୃତୀୟ ପାଳିର ପ୍ରଥମ ବର୍ଷର ଶେଷ ଆଡକୁ, ଦେଶର ଇତିହାସରେ ଏକ ‘ନୂଆ ଅଧ୍ୟାୟ’ ଯୋଡା ହେଲା। ଦେଶରେ ଆତଙ୍କବାଦର କଡା ଜବାବ ଦେବା ପାଇଁ ଗତ ପଚାଶ ବର୍ଷରେ ଇତିହାସ ସୃଷ୍ଟି କରି ପଡୋଶୀ ଦେଶ ଭିତରେ ପଶି ଆତଙ୍କବାଦକୁ ସଫା କରିବା ପାଇଁ ‘ଅପରେଶନ ସିନ୍ଦୁର’ ପାଇଁ ମାନନୀୟ ମୋଦୀ ଜୀ ନିର୍ଣ୍ଣୟ ନେଇଥିଲେ। ଆଜି ସାରା ବିଶ୍ବରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ସବୁଠାରୁ ଆଗରେ। ‘ଅପରେଶନ ସିନ୍ଦୁର’ କେବଳ ଏକ ନାଁ ନୁହେଁ, ଏହା ଦେଶର ସୁରକ୍ଷା ତଥା ଭାରତର କୋଟିକୋଟି ମାତା ଏବଂ ଭଉଣୀଙ୍କ ପାଇଁ ସମ୍ମାନର ଗ୍ୟାରେଣ୍ଟି। ତେଣୁ, ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି ‘ମୋଦୀ ହୈ, ତୋ ମୁମକିନ ହୈ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଓଡିଶା ସରକାରଙ୍କୁ ନେଇ ସେ କହିଥିଲେ ଯେ, ଏହା ମଧ୍ୟରେ ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଆଉ ମାତ୍ର ୨ ଦିନ ପରେ ସମ୍ପୂର୍ଣ୍ଣ ଏକ ବର୍ଷ ପୂରଣ ହେବ।

ସର୍ବ ପ୍ରଥମେ ମୁଁ ଗଣମାଧ୍ୟମ, ବିଶେଷଭାବେ ଓଡିଶାର ଗଣ ମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିବି। ଗତ ଏକ ବର୍ଷ ମଧ୍ୟରେ ଆପଣମାନେ ସରକାରଙ୍କ କାର୍ଯ୍ୟକ୍ରମର ରୂପରେଖ, ସଫଳତା ଏବଂ ବିଭିନ୍ନ ସମସ୍ୟା ଇତ୍ୟାଦି ଲୋକଙ୍କୁ ଜଣାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଗଠନମୂଳକ ସମାଲୋଚନା ମାଧ୍ୟମରେ ବି ହେଉ, ସକାରାତ୍ମକ ମତାମତ ଦ୍ଵାରା ଆମ ସରକାରଙ୍କୁ ଚଳ ଚଞ୍ଚଳ କରି ରଖିବାରେ ଆପଣମାନଙ୍କର ଭୂମିକା ଉଲ୍ଲେଖଯୋଗ୍ୟ।

ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିଛନ୍ତି।

ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି। ଶୁଭକାମନା ମିଳିଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି। ଆମର ସବୁ ଉଦ୍ୟମରେ ସେ ଆମ ପାଖକୁ ଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି। ଆଗାମୀ ୨୦ ତାରିଖରେ ମଧ୍ୟ ସେ ଷଷ୍ଠ ଥର ପାଇଁ ଓଡିଶା ଆସିବେ ଏବଂ ଓଡିଶାବାସୀଙ୍କ ସେବା କରିବା ପାଇଁ ଆମକୁ ପ୍ରେରଣା ଦେବେ। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ମୁଁ ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି।

ଗତ ବର୍ଷ ଜୁନ ୧୨, ୨୦୨୪ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟରେ ନିଆ ଯାଇଥିବା ଚାରିଗୋଟି ଗୁରତ୍ଵପୂର୍ଣ୍ଣ ନିଷ୍ପତ୍ତି ଯେପରିକି ସୁଭଦ୍ରା ଯୋଜନା, ଧାନକିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବାରୁ ଆରମ୍ଭ ହୋଇଥିଲା।

ଏହି ଉଦ୍ୟମ ଗତ ୧୨ ମାସରେ ନିରନ୍ତର ଭାବେ ଜାରି ରହିଛି ଏବଂ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ। ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଭାରତ ବର୍ଷରେ ପ୍ରଥମ ହେବା, କୃଷି କ୍ଷେତ୍ରରେ ସମୃଦ୍ଧ କୃଷି ଯୋଜନା ସହିତ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କାର ପ୍ରାବଧାନ, ଶିକ୍ଷା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ତଥା ନୂତନ ଶିକ୍ଷା ନୀତିକୁ ଲାଗୁ କରିବା ଏବଂ ଏଥିରେ ଶିଶୁ ବାଟିକାକୁ ଲାଗୁ କରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା, ଭିତ୍ତିଭୂମି ପାଇଁ ରେକର୍ଡ ୬୫,୧୦୨ କୋଟି ଟଙ୍କାର ପ୍ରାବଧାନ, ଜନଜାତି ଏବଂ ଅନୁସୂଚିତ ଜାତି କଲ୍ୟାଣ ପାଇଁ ୬୮ ହଜାର ୮୮୧ କୋଟି ଟଙ୍କା ପ୍ରାବଧାନ ଆମ ସରକାରଙ୍କ ନୀତି ଓ ନିୟତକୁ ଦର୍ଶାଉଛି।

ସବୁଠାରୁ ଉଲ୍ଲେଖନୀୟ ହେଉଛି, ଲୋକଙ୍କୁ ସୁଶାସନ ଦେବା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା। ଆଜି ପିଅନ ଠାରୁ ଆରମ୍ଭ କରି IAS ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ସୁରକ୍ଷିତ ନୁହନ୍ତି। ଯଦି ଦୁର୍ନୀତି କରିବ, ଜେଲ ଯିବାକୁ ପଡିବ, ଦ୍ଵିତୀୟ ବିକଳ୍ପ ନାହିଁ।

ସାଧାରଣ ଜନତା ଏବଂ ଲୋକଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ଆମ ସରକାର ଧୂଳିସାତ କରି ଦେଇଛି। ଆଜି ଯେ କୌଣସି ଲୋକ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କୁ ଅବାଧରେ ଭେଟି ପାରୁଛନ୍ତି। ଗତ ଏକ ବର୍ଷ ମଧ୍ୟରେ ମୁଁ ଓଡିଶାର ପ୍ରତି ଜିଲ୍ଲାକୁ ଗସ୍ତ କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ଶୁଣିଛି, ସୁଖଦୁଃଖରେ ସାମିଲ ହୋଇଛି। ଆଜି ‘ତୃତୀୟ ମହଲା’ ଲୋକଙ୍କ ଦୁଆର ମୁହଁକୁ ଯାଉଛି, ଏହା ହେଉଛି ଆମ ସୁଶାସନର ଏକ ନୂତନ ଦିଗ।

ଆମେ ପ୍ରଥମ କ୍ୟାବିନେଟରେ ପ୍ରମାଣିତ କରିଛୁ ଯେ ଜନସେବା ପାଇଁ ୨୪ ବର୍ଷ ଶାସନର ଆବଶ୍ୟକ ନାହିଁ, ୨୪ ମିନିଟରେ ବି ଅନେକ କିଛି କରିହେବ। ଇଚ୍ଛା ଶକ୍ତି ଥିବା ଦରକାର। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ’କୁ ପାଥେୟ କରି ଚାରିଗୋଟି ଜାତି ଯେପରିକି, ‘ଗରିବ, ଅନ୍ନଦାତା, ଯୁବା ଏବଂ ମହିଳା’ ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ।

୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ଏଥି ସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇଦେବୁ। ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ ହଜାର ନିଯୁକ୍ତି ଦେଇଛୁ। ଚଳିତ ବର୍ଷ ଆହୁରି ୪୦ ହଜାର ନିଯୁକ୍ତି ଦେବୁ। ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନ ସେବା ସବୁଥିରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟରେ ସ୍ଥାନ ପାଇବ ଏବଂ ଆମେ ଓଡିଶାକୁ ଏକ ୫୦୦ ନିୟତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବୁ। ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ମୋଦୀଜୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଢିବାରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଓଡିଶା ଯେପରି ସବୁ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି। ଗୁଡ୍ ଗଭର୍ଣ୍ଣାସ୍ ରେ ଓଡିଶା ଏବେ ସାରା ଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ। ଓଡିଶାରେ କେହିବି ଭୂମିହିନ ରହିବେ ନାହିଁ।

ଯେଉଁମାନଙ୍କର 4 ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ। ଆମ ସରକାର ଆସିବାର କିଛି ଦିନ ଭିତରେ ଏକ ବାତ୍ୟାର ସମ୍ମୁଖୀନ ହୋଇଥିଲୁ। ମୁଁ ସନ୍ତୋଷ ସହକାରେ କହିବାକୁ ଚାହେଁ ଯେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କ ନେତୃତ୍ବରେ ବାତ୍ୟା “ଦାନା’’ର ସଫଳ ମୁକାବିଲା କରାଯାଇଛି l ‘ଜିରୋ କାଜୁଆଲ୍ଟି’ ଅଭିଯାନକୁ ସାକାର କରିବା ପାଇଁ ପ୍ରାୟ ୮.୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୬ ହଜାର ୨୧୦ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି l ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ। ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ – ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା। ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ।

ଆଗାମୀ ଦିନରେ ସରକାର ଅନେକ ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟ ସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ l ଜମିଜମା ସଙ୍କ୍ରାନ୍ତିୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ଵଚ୍ଛତା ସହିତ କରିବେ। କାରଣ, ଯେତେବେଳେ ଆପଣ ଏହି ଭୂମିକା ତୁଲାନ୍ତି, ସେତେବେଳେ ଆପଣ ନ୍ୟାୟ ଦଣ୍ଡରେ ବିରାଜମାନ କରିଥାନ୍ତି। ଏହି କଥାକୁ ସବୁବେଳେ ମନେ ରଖିବେ।

ସେ କହିଥିଲେ ଯେ, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣା ବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ। ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ। ତେଣୁ, ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ। ଯଦି ଜ୍ଞାତସରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ। ଏ

ଥିରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ଅଛି। କିଛି ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। କିଛି କିଛି ଅଞ୍ଚଳରେ ଆରମ୍ଭ ହୋଇଗଲାଣି। ତେଣୁ, ସମସ୍ତେ ପାଣିପାଗ ବିଭାଗଦ୍ଵାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ follow କରୁଥିବେ ଏବଂ ତଦନୁସାରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ SoP ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ। ଚଳିତ ମାସ ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ। ତେଣୁ, ଏଥିପାଇଁ ନିଜ ନିଜ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ପ୍ରଶାସନକୁ ପ୍ରସ୍ତୁତ କରିବେ।

ସେ ପୁଣି କହିଥିଲେଯେ, ରାଜସ୍ୱ ବିଭାଗ ହେଉଛି ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ। ଯଦି ସରକାର ଆପଣଙ୍କ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଆପଣମାନେ ଆବଶ୍ୟକ ଜମି ଯୋଗାଡ କରିବେ। ଯଦି ସରକାରଙ୍କ ପାଖରେ ଜମି ନାହିଁ, ଲୋକଙ୍କ ଠାରୁ ଅଧିଗ୍ରହଣ କରିବାକୁ ପଡିବ ଏବଂ ଏହି କାର୍ଯ୍ୟ ସବୁବେଳେ ବିଶ୍ବାସର ସହିତ କରିବାକୁ ହେବ। ସରକାର ବର୍ତ୍ତମାନ ଧାନ କିଣିବା ପାଇଁ ଅଧିକ 800 ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ, କେଉଁ ଚାଷୀ କେତେ ଜମିରେ ପ୍ରକୃତ ଚାଷ କରିଛନ୍ତି ତାହାର ଜମିୱାରୀ ଭେରୀଫିକେଶନ ହେବା ଆବଶ୍ୟକ ଯାହା ରାଜସ୍ୱ, ସମବାୟ, କୃଷି ଏବଂ ଜଳସେଚନ ବିଭାଗ ଦ୍ଵାରା ମିଳିତ ଭାବେ ହୁଏ। ତେଣୁ, ସଠିକ ତଥ୍ୟ ଆସିବା ଦରକାର, ଯାହାଦ୍ୱାରା ଚାଷୀମାନେ ସେମାନଙ୍କ ପ୍ରକୃତ ଚାଷ କରିଥିବା ଫସଲ ପାଇଁ ସୁବିଧା ପାଇବେ।

କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ । ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ। ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେଯେ, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ ଆପଣ ମାନେ ନିଜର ମାନସିକତା ବଦଳାନ୍ତୁ। ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ବ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି।

ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ । ସମୟ ଅନୁଯାୟୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେI

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର, ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ କାର୍ଯ୍ୟକ୍ରମରେ କାହିଁକି ମନମୋହନ ସାମଲ ମଞ୍ଚରେ ବସିଲେ? ଉଠିଲା ପ୍ରଶ୍ନ

ଭୁବନେଶ୍ବର: ଗତକାଲି ଭଦ୍ରକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଗସ୍ତରେ ଯାଇଥିଲେ। ସେଠାରେ ସେ ୨୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ତେବେ ସେହି ସରକାରୀ ସଭାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ ଉଠାଇଛି ବିଜେଡି ଦଳ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଭଦ୍ରକର ଦୁଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ସଂଜୀବ ମଲ୍ଲିକ ଏହି ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିବା କଥା ଯେ ଗତକାଲି ଭଦ୍ରକରେ ବିଜେପିର ସଭା ନ ଥିଲା। ତାହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ସେହି କାର୍ଯ୍ୟକ୍ରମରେ କଣ ପାଇଁ କୌଣସି ସରକାରୀ ପଦପଦବୀରେ ନ ଥିବା ମନମୋହନ ସାମଲଙ୍କୁ ମଞ୍ଚରେ ସ୍ଥାନ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସେମାନେ କହିଛନ୍ତି ଯେ, ଏହି ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଜିଲ୍ଲାର ଦୁଇ ବିଧାୟକ ଭାବେ ଆମକୁ ନିମନ୍ତ୍ରଣ କରି ନେବା କଥା। ସରକାରୀ କାର୍ଯ୍ୟକ୍ରମରେ ଆମେ ସାମିଲ ହେବା କଥା। ହେଲେ ତାହା ନ କରି ମନମୋହନ ସାମଲଙ୍କୁ କେମିତି ମଞ୍ଚରେ ସାମିଲ କରାଗଲା ବୋଲି ବିଧାୟକ ବ୍ୟୋମକେଶ ପ୍ରଶ୍ନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭଦ୍ରକରେ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ IOCL ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ MCPI ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ ମାଟି ଭଦ୍ରକରେ ଆଜି ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଯେଉଁ ପ୍ରତିଶୃତି ଦେଇ ଆମେ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଥିଲୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ। ଏହି ଭାବନାକୁ ମନରେ ରଖି ଗତ ପ୍ରାୟ ଏକବର୍ଷ ହେଲା ଆମ ସରକାର ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟରତ।

ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଚାରିଗୋଟି ପ୍ରତିଶୃତିକୁ ପାଳନ କରିଥିଲୁ। ମାତ୍ର ୨୪ ମିନିଟରେ ସୁଭଦ୍ରା ଯୋଜନା, ଚାଷୀଭାଇ ଓ ଭଉଣୀଙ୍କୁ ଧାନ କିଣା ବାବଦକୁ କୁଇଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରିଦ୍ଵାର ଖୋଲା ଏବଂ ପ୍ରଭୁଙ୍କ ସେବା ପୂଜା ପାଇଁ ୫୦୦ କୋଟି ତାଙ୍କର କର୍ପସ ଫଣ୍ଡ ପରି ନିଷ୍ପତ୍ତି ନେଇଥିଲୁ।

ଏହି ୧୨ ମାସରେ ସରକାରର ସଫଳତାର ଫର୍ଦ୍ଦ ବହୁତ ଲମ୍ବା। ଏହାର ହିସାବ ଆମେ ଆସନ୍ତା ୧୨ ତାରିଖରେ ଜନତା ଜନାର୍ଦ୍ଦନଙ୍କୁ ଦେବୁ। ଜୀବନ ଜୈବିକା ରାଜ୍ୟର ବିକାଶ ପାଇଁ ଅପରିହାର୍ଜ୍ୟ। କୃଷି ଓ ଆନୁଷଙ୍ଗିକ କୃଷି ତଥା ଶିଳ୍ପର ବିକାଶ ମଧ୍ୟମରେ ରାଜ୍ୟର ପ୍ରତିଟି ନାଗରିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିରୋଧୀ ଦଳ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଯେ କୌଣସି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ବିଶ୍ଵସ୍ତରୀୟ ସେବା ନାଁ ରେ ୨୪ ବର୍ଷର ଶାସନ କେବଳ ରଙ୍ଗମାରିବା ଏବଂ ନିଜର ବାଜା ବଜାଇବାରେ ଚାଲିଗଲା। କିନ୍ତୁ, ପ୍ରକୃତ ବିକାଶ ଏବେ ଆରମ୍ଭ ହୋଇଛି। ଆଗାମୀ କିଛି ବର୍ଷରେ ଓଡିଶାରେ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ୫Tର ରଙ୍ଗମରା ଶିକ୍ଷା ନୁହେଁ, ବାସ୍ତବ ଅର୍ଥରେ ଓଡିଶାର ବିକାଶ ହେବ।

ଆମ ସରକାର ଉତ୍କର୍ଷ ଓଡ଼ିଶାର ମାତ୍ର ୧୨୦ ଦିନରେ ୮୦ ହଜାର କୋଟିରୁ ବି ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଗତ ୨୨ ତାରିଖରେ ୧୦ ଗୋଟି ପ୍ରକଳ୍ପ ୧ ଲକ୍ଷ ୬୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାର ଦ୍ଵାରା ଆରମ୍ଭ କରଯାଇଥିବା ଓଡିଶାର ଶିଳ୍ପ ବିପ୍ଲବ ପ୍ରତି ଜିଲ୍ଲାରେ ଶିଳ୍ପାୟନ କରିବ।

ଓଡିଶାରେ ଏବେ ଯେଉଁ ଶିଳ୍ପ ବିପ୍ଲବ ଆରମ୍ଭ ହେବାକୁ ଯାଉଛି, ସେଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ରହିଛି। ଏହି ଦୁଇଟି ପ୍ରକଳ୍ପ ଭଦ୍ରକ ଟେକ୍ସଟାଇଲ ପାର୍କରେ ପ୍ରତିଷ୍ଠା କରାଯିବ। ଗୋଟିଏ ହେଲା IOCL ପକ୍ଷରୁ ଭଦ୍ରକରେ ୪,୩୭୭ କୋଟି ଟଙ୍କା ବିନିଯୋଗ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ୱାରା ପ୍ରାୟ ୪୩୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏହା ସହିତ ୨୨୨୩.୨୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ MCPI ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଭଦ୍ରକରେ ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରିବ। ଏହାଦ୍ୱାରା ୧୧୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଭଦ୍ରକ ଜିଲ୍ଲାକୁ ମଧ୍ୟ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ଆଜି ଜିଲ୍ଲା ପାଇଁ ୨୭୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡା ଭିତ୍ତିଭୂମି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି। ଭଦ୍ରକ ଜିଲ୍ଲାବାସୀଙ୍କ ସେବାରେ ଏ ସବୁ ପ୍ରକଳ୍ପ ଗୁଡିକ ଉଦ୍ଦିଷ୍ଟ।

ନିଜ ବକ୍ତବ୍ୟ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 2036 ସୁଦ୍ଧା ଆମେ ଏକ ‘ସମୃଦ୍ଧ ଓଡିଶା’ ଗଠନ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛୁ । ସମୃଦ୍ଧ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ଏ ଦିଗରେ ପ୍ରୟାସ ଆରମ୍ଭ କରିଛୁ।

କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଭଦ୍ରକ ମାଟି ବୀରତ୍ୱର ମାଟି। ଲୋକଙ୍କ ବିଶ୍ବାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାର ଙ୍କ ପ୍ରତିବଦ୍ଧତା ଦିଗରେ ସୂଚାଉଛି। ଏହି ଉନ୍ନତିମୂଳକ ପ୍ରକଳ୍ପ ସମସ୍ତ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ।

ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ଶ୍ରୀ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ ଦାସ, ସିମୁଳିଆ ବିଧାୟକ, ଶ୍ରୀ ପଦ୍ମଲୋଚନ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ଭଦ୍ରକ ବିଧାୟକ, ଶ୍ରୀ ସିତାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ, ଶ୍ରୀ ଦିଲ୍ଲୀପ ରାଉତରାୟ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂଣ୍ୟଶ୍ଳୋକା ଅହିଲ୍ୟାବାଈ ହୋଲକାରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅହିଲ୍ୟାବାଈ କେବଳ ଏକ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ ହୋଲକାର୍ ଥିଲେ ଜଣେ ଏପରି ନାରୀ, ଯିଏ ନିଜର ନ୍ୟାୟନିଷ୍ଠା, ସାହସ, ଓ ପ୍ରଜା ପ୍ରତି ଅନୁପମ ସମର୍ପଣ ଦ୍ୱାରା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣାର ଉତ୍ସ, ଯାହା ଆଜିର ଓଡ଼ିଶାରେ ମଧ୍ୟ ଆମକୁ ସୁଶାସନ ଓ ସମାଜ କଲ୍ୟାଣର ପଥ ଦେଖାଇଥାଏ। ଅହିଲ୍ୟାବାଈଙ୍କ ଜୀବନ ଆମ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମ ରାଜ୍ୟରେ ମଧ୍ୟ ନାରୀ ଶକ୍ତିର ଅନେକ ଉଦାହରଣ ରହିଛି। ଅହିଲ୍ୟାବାଈଙ୍କ ପରି ଆମେ ମଧ୍ୟ ଆମର ସମାଜରେ ନ୍ୟାୟ, ଶିକ୍ଷା, ଓ ସମାନତାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ।

ଆମ ରାଜ୍ୟ ସରକାର ମଧ୍ୟ ମାଆ ମାନଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଭଳି ଏକ ଯୁଗାନ୍ତକାରୀ ଯୋଜନାର ରୂପାୟନ କରିଛନ୍ତି । ଯାହା ମହିଳା ମାନଙ୍କୁ, ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବା ପାଇଁ ସହଯୋଗ କରୁଛି । ଏବେ ଯଦି ଆମେ ବର୍ତ୍ତମାନର ଶାସନ ବ୍ୟବସ୍ଥା ଦିଗକୁ ଦେଖିବାକୁ ଯାଉ, ତେବେ ଆମେ ଦେଖୁଛୁ ଯେ ଅନେକ ରାଜ୍ୟ ସରକାର ଅହିଲ୍ୟାବାଇଙ୍କ ଆଦର୍ଶରୁ ପ୍ରେରଣା ନେଇଛନ୍ତି। ଆଜିର ସରକାର ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଯେଉଁପରି ଗୁରୁତ୍ୱ ଦେଉଛନ୍ତି, ତାହା ଅହଲ୍ୟାବାଇଙ୍କ ଦୃଷ୍ଟିଭଙ୍ଗୀ ସହିତ ସମନ୍ୱୟ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଅହିଲ୍ୟାବାଇଙ୍କ ଜୀବନରୁ ପ୍ରେରଣା ନେଇ ଆମେ ଆମର ସମାଜକୁ ଆହୁରି ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ପ୍ରତିଜ୍ଞାବଦ୍ଧ। ଆଜି ଯେତେବେଳେ ଦେଶ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି, ପୁନର୍ବାର ଦେଶର ନାରୀଶକ୍ତି ଏ ଲଢେଇର ନେତୃତ୍ଵ ନେଇଛନ୍ତି। ଦୁଇ ଦିନ ତଳେ ରକ୍ଷାମନ୍ତ୍ରୀ ମାନନୀୟ ରଜନାଥ ସିଂ ଜୀ ଦେଶବାସୀଙ୍କୁ ଜଣାଇ ଥିଲେ କିପରି ନାରୀଶକ୍ତି ଅପରେସନ ସିନ୍ଦୁରର ଗୁରୁଦାୟିତ୍ଵ ସମ୍ଭାଳି ଥିଲେ।

ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ‘ନାମ’ ନୁହେଁ। ଏହା ହେଉଛି ନାରୀଶକ୍ତିର ପ୍ରତୀକ। କିଛି ଦିନ ତଳେ ଓଡିଶାର ଗଣପର୍ବ ‘ସାବିତ୍ରୀ ଓଷା’ ପାଳିତ ହୋଇଥିଲା। ସିନ୍ଦୁର ପାଇଁ ସତୀ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜଙ୍କ ସହିତ ଲଢେଇ କରିଥିଲେ। ଆଜି ସେହି ସିନ୍ଦୁରର ମାନ ମର୍ଯ୍ୟାଦା ରଖିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ବଜ୍ର ଶପଥ ନେଇଛନ୍ତି । ଯେଇ ବି ଏ ଦେଶର ନାରୀଙ୍କ ସିନ୍ଦୁରକୁ ଆଡ ଆଖିରେ ଦେଖିବ, ତାର ଯମରାଜ ସହିତ ନିଶ୍ଚିତ ଭାବେ ଭେଟଘାଟ ହେବ। ଏହା ମାନନୀୟ ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଆଜି ଏ ଦେଶ ସୁରକ୍ଷିତ ହାତରେ ଅଛି, ‘India is in Safe Hands’। ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି, ‘ମୋଦୀ ହୈ ତୋ, ହମ ସୁରକ୍ଷିତ ହୈ।‘

କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଅହିଲ୍ୟାବାଈ ହୋଲକରଙ୍କୁ ନ୍ୟାୟନିଷ୍ଠା, ସାହସିକତାର ପ୍ରତୀକ ବୋଲି କହିବା ସହିତ, ଅହିଲ୍ୟାବାଈଙ୍କ ଜୀବନ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସବୋଲି କହିଥିଲେ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଅହିଲ୍ୟାବାଈଙ୍କ ଆଦର୍ଶକୁ ଅନୁସରଣ କରି ଆମେ ଓଡ଼ିଶାରେ ସୁଶାସନ, ଶିକ୍ଷା, ଓ ମହିଳା ସଶକ୍ତିକରଣରେ ନୂତନ ଦିଗନ୍ତ ସୃଷ୍ଟି କରିପାରିବା।

ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅହିଲ୍ୟାବାଈଙ୍କୁ ଆଜିର ସମାଜ ପାଇଁ ଆଲୋକ ବର୍ତ୍ତିକା ବୋଲି କହିଥିଲେ ଏବଂ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀମତୀ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନେ ଅହିଲ୍ୟାବାଈଙ୍କ ଜୀବନି ଉପରେ ଆଧାରିତ ଏକ ଓଡ଼ିଆ ପୁସ୍ତକ “କର୍ମଯୋଗିନୀ ପୂଣ୍ୟଶ୍ଳୋକା ଅହିଲ୍ୟାବାଇ ହୋଲକାର” ଉନ୍ମୋଚନ କରିଥିଲେ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଶ୍ରୀମତୀ ପ୍ରଜ୍ଞାପ୍ରିୟଦର୍ଶିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍‌ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଏକ ସଂଖ୍ୟା ନୁହେଁ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କଳିଙ୍ଗ ନଗର ଠାରେ ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା । ଏହା ସମ୍ଭବ ହୋଇଛି, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ । କାରଣ, ଯଦି ଇଚ୍ଛାଶକ୍ତି ନାହିଁ ତେବେ ପାଦେ ଆଗେଇବାକୁ ମଧ୍ୟ ମଣିଷ ସକ୍ଷମ ହୋଇପାରେ ନାହିଁ । ଆଜି ଆମ ସରକାର ନିଜର ଦୃଢ ଇଚ୍ଛା ଶକ୍ତିର ନିଦର୍ଶନ ଦେଖାଇଛନ୍ତି । ସେ କହିଥିଲେ ଯେ, ମାତ୍ର ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି । ଆଜି ଏହି ଯେଉଁ ସବୁ ପ୍ରକଳ୍ପ ଆପଣମାନଙ୍କ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏହି ସମସ୍ତ ପ୍ରକଳ୍ପର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ପ୍ରକଳ୍ପ ସବୁ ମାଧ୍ୟମରେ ଲକ୍ଷାଧିକ ଓଡ଼ିଆ ଯୁବକ ଓ ଯୁବତୀ ନିଜ ରାଜ୍ୟର ମାଟିରେ ନିଜ ସ୍ଵପ୍ନ ପୂରଣ କରିପାରିବେ। ଏହା କେବଳ ଚାକିରି ନୁହେଁ, ଯୁବବର୍ଗଙ୍କ ପାଇଁ ଏହା ସ୍ୱାଭିମାନ, ଏହା ନୂଆ ଓଡ଼ିଶାର ନୂଆ ପରିଚୟ। ଏହା ସମୃଦ୍ଧ ଓଡିଶାର ଅୟମାରମ୍ଭ।

ସେ ପୁଣି କହିଥିଲେ, ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଂଚଳ ଏକ ଦୃଷ୍ଟାନ୍ତ ପାଲଟିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଆମେ ପାଇଥିଲୁ। ଆଉ ଆଜି, ବାସ୍ତବତା ଭୂମିରେ ଦୃଶ୍ୟମାନ ହେଉଛି ଯେ ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି।

ଏହି ଅବସରରେ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସାଥି କରି ଆମ ସରକାର କାର୍ଯ୍ୟ କରୁଛି ଏବଂ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପର ବିକାଶ ଆମ ପ୍ରଥମ ଉଦ୍ଦେଶ୍ୟ ଥିଲା ଆଉ ସେହି ଉଦ୍ଦେଶ୍ୟ କୁ ଆମ ସରକାର ସଫଳ କରୁଛନ୍ତି ବୋଲି ସେ କହିଥିଲେ।

ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ରାଜ୍ୟର ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି ଏବଂ ଯୁବଶକ୍ତିର ବିକାଶ ପାଇଁ ରୋଜଗାର ଆବଶ୍ୟକ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଆମ ସରକାରଙ୍କ ଉଦ୍ୟମ ସଫଳ ହେଉଛି। ଶିଳ୍ପର ବିକାଶ ହେଉଛି ଏବଂ ଏହା ଦ୍ୱାରା ଆମ ରାଜ୍ୟର ବିକାଶ ହେଉଛି।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶଦାସ ନାୟକ, ବଡଚଣା ବିଧାୟକ ଶ୍ରୀ ଅମର ନାୟକ ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପପତି ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, Chief Development Officer ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି।

ଆପଣମାନେ କ୍ଷେତ୍ର ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେଉଛି, ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‍ ଭାବରେ ପହଞ୍ଚାନ୍ତୁ। ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ। ଏହା ସେମାନଙ୍କ ଅଧିକାର। ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ। ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି । ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେକରେ । ଆପଣ ନିଯୁକ୍ତି ପାଇଛନ୍ତି ଲୋକଙ୍କ ସେବା କରିବା ପାଇଁ, ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରିବା ଆପଣମାନଙ୍କ ଦାୟିତ୍ୱ । ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମୁଖ୍ୟତଃ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି ଓ କରିବାକୁ ଯାଉଛି, ଏହାର ସଫଳ ରୂପାୟନର ଗୁରୁ ଦାୟିତ୍ୱ ଆପଣଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରୀତା ଉପରେ ଆଲୋକପାତ କରି କହିଥିଲେ, MGNREGSରେ ଅନ୍ୟୁନ୍ୟ ପକ୍ଷେ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହି ସବୁ କାର୍ଯ୍ୟରେ ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରିଭୁତ ହେବ। ସେ କହିଥିଲେ ଯେ, ପ୍ରକଳ୍ପ ଗୁଡିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହେଲେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି କାମ କରନ୍ତୁ ଓ ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରୀତା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ। ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ। ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବିକଶିତ ଓଡିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ। ଏଣୁ ପ୍ରତ୍ୟେକ ବ୍ଲକରେ ଏହି ବିକାଶର ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ହେଉଛି ଆପଣ ମାନଙ୍କର ।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଗିରୀଶ ଏସ.ଏନ. ସ୍ୱାଗତଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ, ପାନୀୟ ଜଳ ଓ ପରିମଳ ଶ୍ରୀଯୁକ୍ତ ଭିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଦ୍ବି-ଦିବସୀୟ କର୍ମଶାଳା ତଥା ବୈଠକରେ ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରଙ୍ଗବତୀ ପରି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଘୋଷଣା ଯେ, ଓଡ଼ିଶା ଏବେ ତାଙ୍କର ଅନୁପମ କଳାକୁ ଗର୍ବର ସହ ଆଗକୁ ବଢ଼ାଉଛି। ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ନିଜ ଅତ୍ମୀୟତାର ଅନୁଭବ, ରମ୍ୟତା ଓ ଉଦ୍ଦୀପନାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲାର କାଳି ପଡିଆ ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ ‘ରଙ୍ଗବତୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ଓଡ଼ିଆ, ସବୁଠୁ ବଢିଆ। ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଲୋକଗୀତ, ଲୋକନୃତ୍ୟର ମଧୁର ମୂର୍ଚ୍ଛନା। ଏହି ବିବିଧାତା ଭିତରେ ଏକତା ଆମର ଶକ୍ତି। ଆମ ରାଜ୍ୟରେ ଭାଷା ଅଂଚଳ ବଦଳିବ ସହିତ ବଦଳି ଯାଇଥାଏ। ଭାଷା ଅଲଗା ସିନା କିନ୍ତୁ ପରିଚୟ ଏକ। ପ୍ରତ୍ୟେକ ଜିଲ୍ଲାର ଭାଷାରେ କିଛି ନା କିଛି ସ୍ଵତନ୍ତ୍ରତା ଦେଖିବାକୁ ମିଳିବ। ଏହି ମଞ୍ଚ ଆଜି ସ୍ଥାନ ଦେଇଛି ଅନେକ କଳାକାରଙ୍କୁ । ଓଡ଼ିଶାର କୋଣ ଅନୁକୋଣରୁ ଆଜି କଳାକାର ମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି। ଏହାହିଁ ଆମ ଏକତାର ପ୍ରତୀକ।

ଓଡିଶାର ପ୍ରସିଦ୍ଧ ଗୀତ ରଙ୍ଗବତୀ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରଙ୍ଗବତୀ ଗୀତ ଅନେକ ପୁରୁଣା। “ରଙ୍ଗବତୀ” ଗୀତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ। ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି “ରଙ୍ଗବତୀ”। ଗୀତଟି ଆଜି କେବଳ ଓଡିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟର ଏକ ଲୋକପ୍ରିୟ ଗୀତର ମାନ୍ୟତା ଲାଭ କରିଛି।

ଯେଉଁଭଳି ଆମେ ବିକାଶର ରାସ୍ତାରେ ଆଗେଇ ଯାଉଛୁ, ସେହିପରି ଆମ ସଂସ୍କୃତିକ ମୂଳ୍ୟବୋଧ, ଆମର ଲୋକକଳା, ଆମ ଉତ୍ସବ, ପର୍ବ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆମର ପ୍ରଥମ ଦାୟିତ୍ୱ। ଏହିପରି ମହୋତ୍ସବ, ଆମ ତରୁଣ ପିଢିକୁ ଆମ ଦେଶ ଓ ଅଞ୍ଚଳର ସଂସ୍କୃତି ସହ ପରିଚୟ କରାଇଥାଏ ବୋଲି ସେ କହି ଥିଲେ।

ସେ ପୁଣି କହିଥିଲେଯେ, ଆଜି ଆମ ସରକାର କଳାକାରଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରତିଶ୍ରୁତିବଦ୍ଧ।ସେମାନଙ୍କ ଶ୍ରମ ଓ ଦକ୍ଷତାକୁ ଜନାଭିମୁଖୀ କରିବା ପାଇଁ ଚେଷ୍ଟିତ। ୧୧ ମାସରେ ଆମେ ସରକାରକୁ ଆସି ଲୋକଙ୍କ ପାଖକୁ ପହଞ୍ଚି ପାରିଲୁ। ଆମେ ଶୁନ୍ୟ ରୁ ଆରମ୍ଭ କରି, ଏକ ନୂତନ ଦିଗରେ ଯିବାପାଇଁ ଅଗ୍ରସର ହେଉଛୁ। ଆଜି ଗାଁ ଗାଁ ର କଳାକାରମାନେ ମଞ୍ଚ ପାଉଛନ୍ତି। ଦେଶ ବିଦେଶ ମଧ୍ୟରେ ତାଙ୍କର କଳା ପହଞ୍ଚୁଛି, ଏହା ଗର୍ବ ର ବିଷୟ। ମୁଁ ବିଶ୍ୱାସ କରେଯେ, ଯେଉଁ ରାଜ୍ୟ ତାଙ୍କର କଳାକୁ ସମ୍ମାନ ଦିଏ,ସେ ରାଜ୍ୟର ଆତ୍ମା ସଦା ଜୀବିତ ରହିଥାଏ।

ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେଯେ, ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାର ମାନଙ୍କ ପାଇଁ ଉଦ୍ଦିଷ୍ଟ କାରଣ କଳାକାର ମାନଙ୍କର ସୀମା ସରହଦ ନଥାଏ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ ଓ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ଦେବ ପ୍ରସାଦ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗଠିତ ହେଲା ୪୬ଟି ନୂତନ ସିଭିଲ୍‌ ଜଜ୍ କୋର୍ଟ ଜୁନିୟର ଡିଭିଜନ୍‌, ମୁଖ୍ୟମନ୍ତ୍ରୀ କଲେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା ପ୍ରତିଷ୍ଠା ହେବ।

ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର, କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଯାଜପୁର ଜିଲ୍ଲାର ରସୁଲପୁର, କୋରେଇ ଓ ଧର୍ମଶାଳା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ, କନ୍ଧମାଳ ଜିଲ୍ଲାର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡ଼ା, ଭଦ୍ରକ ଜିଲ୍ଲାର ତିହିଡ଼ି, ମାଲକାନଗିରି ଜିଲ୍ଲାର ଖଇରପୁଟ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଏବଂ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଧରାକୋଟ ଓ ଗଞ୍ଜାମରେ ମଧ୍ୟ କରାଯିବ।

ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର (Jurisdiction) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟ ଗୁଡିକର ଅଧିକାର ସମାପ୍ତ ହେଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଶାନ୍ତଙ୍କ ଶେଷକୃତ୍ୟ ସଂପର୍ଣ୍ଣ, ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କୁ ନିଯୁକ୍ତି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ମଧ୍ୟଯାଇ ଶେଷ ଦର୍ଶନ କରିଥିଲେ।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ ।

ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଗ୍ରପନ୍ଥୀ ମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ତ୍ତ ବିଭାଗର “ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପ ଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସି ପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଯେଉଁ ମନିଟରିଂ ସିଷ୍ଟମ ଥିଲା, ସେଥିରେ ସୂଚନା ଗୁଡିକ ଠିକ୍ ଭାବେ ଆସି ପାରୁନଥିଲା, କାର୍ଯ୍ୟର ଅଗ୍ରଗତି ମନ୍ଥର ହେଉଥିଲା ଏବଂ ତା’ସହିତ ନିଷ୍ପତ୍ତି ନେବାରେ ମଧ୍ୟ ବିଳମ୍ବ ହେଉଥିଲା।

ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ । ଜିଲ୍ଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ। ଏହା ସହିତ ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ସଠିକ୍ ସ୍ଥାନ ନିରୂପଣ କରିବାକୁ ରାସ୍ତା ଏବଂ ସାଟେଲାଇଟ୍ ମ୍ୟାପ୍ ମଧ୍ୟ ଦେଖିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏହି ବ୍ୟବସ୍ଥାରେ ଅଧିକ ଆର୍ଥିକ ସ୍ୱଚ୍ଛତା ଆସିପାରିବ ବୋଲି ସେ କହିଥିଲେ।

ଡ୍ୟାସ୍‌ ବୋର୍ଡରେ ଥିବା ଇସ୍ୟୁ ଟ୍ରାକର (Issue Tracker)ବ୍ୟବସ୍ଥା ଦ୍ୱାରା ପ୍ରକଳ୍ପ ଗୁଡ଼ିକର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଜମି ସମସ୍ୟା ଏବଂ ଜବରଦଖଲ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ସଠିକ୍ ତଦାରଖ କରାଯାଇପାରିବ।

ଲାଇଭ୍ ପ୍ରୋଜେକ୍ଟ ଟ୍ରାକିଂ, ଆର୍ଥିକ ତଦାରଖ, ସକ୍ରିୟ ବିପଦ ସତର୍କତା ଏବଂ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସୁବିଧା ଦ୍ୱାରା ପ୍ରକଳ୍ପକୁ ନେଇ ନିଷ୍ପତ୍ତି ଗ୍ରହଣ କରିବା ଆହୁରି ସହଜ ହେବ।

ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ଆହୁରି ବ୍ୟାପକ କରି ଅନ୍ୟ ବିଭାଗଗୁଡ଼ିକ ଦ୍ୱାରା ବ୍ୟବହାର ଉପଯୋଗୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ବ୍ୟବସ୍ଥା ଦୃଢ଼ୀଭୁତ ହେବ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ଆହୁରି ତ୍ୱରାନ୍ୱିତ ହେବ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ଥିଲେ। ଏହା ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ ଜୁନିୟର ଡିଭିଜନ୍‌, ମୁଖ୍ୟମନ୍ତ୍ରୀ କଲେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି।

ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର (Jurisdiction) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟ ଗୁଡିକର ଅଧିକାର ସମାପ୍ତ ହେଲା।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରେ ମୃତ ଦୁଇ ପୋଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ୍ କର୍ମଚାରୀ ମୃତ୍ୟୁ ଘଟିଛି। ଦୁଇଜଣଙ୍କ ମଧ୍ୟରୁ ଜଣେ ଓଏପିଏଫ୍‌ କନ୍‌ଷ୍ଟେବଲ୍ଏବଂ ଜଣେ ହୋମ୍‌ ଗାର୍ଡ। ସେମାନଙ୍କ ନାମ ହେଲା ଲୋକନାଥ ସବର ଏବଂ ହୋମଗାର୍ଡ ଜଗବନ୍ଧୁ ମାହାଳି।

ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ₹୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା ସମଲେଶ୍ବରୀଙ୍କୁ କଲେ ଦର୍ଶନ, ଆସନ୍ତାକାଲି ଶୁଣିବେ ଜନ ଅଭିଯୋଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମିମାନେ ସ୍ବାଗତ କରିଥିଲେ। ଏହାପରେ ସେ ସମ୍ବଲପୁରରେ ପହଞ୍ଚି ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ମନ୍ଦିର ଦର୍ଶନ କରିବା ସହିତ ମା ସମଲେଇ ପ୍ରକଳ୍ପ ବୁଲିଦେଖିଥିଲେ। ଏହାପରେ ସେ ଆସନ୍ତାକାଲି ସମ୍ବଲପୁରରେ ଅଭିଯୋଗ ଶୁଣାଣୀ କରିବେ। ଏଥିରେ କେତେକ ମନ୍ତ୍ରୀ ଓ ବିଧାୟକ ଯୋଗଦେବା ସହିତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସହିତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଗସ୍ତ କରିଛନ୍ତି।