Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହିଦିନ ଚାଷୀ ତାହାର ନୂଆ ଫସଲ କାଟି ଅମଳ କରିଥାଏ। ଆଜିର ଦିନରେ ସେ ତାହାକୁ ଭୋଗ ଭାବେ ସେବନ କରେ। ସେଥିପାଇଁ ଏହାର ନାମକରଣ ନୂଆଁଖାଇ ବୋଲି କରାଯାଇଛି। ଏହି ଉପଲକ୍ଷେ ପରସ୍ପର ନୂଆଁଖାଇ ଜୁହାର ବୋଲି ସମ୍ବୋଧୀତ କରିଥାନ୍ତି।

ଆଜିର ଏହି ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡିଶା ବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂଆଖାଇ ଜୁହାର। ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ରାଷ୍ଟ୍ରପତି ଭବନକୁ ଯାଇ ଏହି ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ପରେ କଂଗ୍ରେସ ମୁଖ୍ୟ ଭାବେ ତାଙ୍କର ଏହା ପ୍ରଥମ ସାକ୍ଷାତକାର। ସୋନିଆ ରାଷ୍ଟ୍ରପତିଙ୍କ ସହିତ କିଛି ସମୟ ପାଇଁ ଆଲୋଚନା କରିଥିଲେ।

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ପରେ ତାଙ୍କୁ ସାକ୍ଷାତ କରିବା ପାଇଁ ଭିଭିଆଇପିଙ୍କ ଧାଡି ଲାଗିଛି। ସେ ଯେଉଁଦିନ ଜିତିଥିଲେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଦେଶର ସର୍ବୋଚ୍ଚ ନେତାମାନେ ସାକ୍ଷାତ କରିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବିଦେଶ ପ୍ରତିନିଧୀ ଦଳ।

 

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ବ୍ୟକ୍ତିତ୍ୱ ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶାର ବ୍ରହ୍ମାକୁମାରୀ, ଜଣାଇଲେ ଜନ୍ମାଷ୍ଠମୀ ଅଭିନନ୍ଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଭୁବନେଶ୍ବରର ବ୍ରହ୍ମାକୁମାରୀଗଣ। ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ନେତୃତ୍ବରେ ଏକ ଦଳ ସାକ୍ଷାତ କରିଛନ୍ତି।

ଏଥିରେ ଅଛନ୍ତି ବ୍ରହ୍ମକୁମାର ଅରୁଣ, ବ୍ରହ୍ମାକୁମାରୀ ସାଲମା, ବ୍ରହ୍ମକୁମାରୀ ପ୍ରାଚୀ ଏବଂ ବ୍ରହ୍ମାକୁମାରୀ ପ୍ରତିଭା। ଏମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପବିତ୍ର ଜନ୍ମାଷ୍ଠମୀ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜେଶ ବର୍ମା ହେଲେ ରାଷ୍ଟ୍ରପତିଙ୍କ ସଚିବ, ପୂର୍ବେ ଭାଇ ନବୀନଙ୍କ ପାଖରେ ଥିଲେ, ଏବେ ଭଉଣୀ

ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ରାଜେଶ ବର୍ମା ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଚିବ। ଆଜି ଏ ନେଇ କ୍ୟାବିନେଟ ନିଯୁକ୍ତି କମିଟ ବର୍ମାଙ୍କ ନାମରେ ମୋହର ମାରିଛନ୍ତି। ସେ ହେଉଛନ୍ତି 1987 ବ୍ୟାଚ ଓଡିଶା କ୍ୟାଡରର  ଆଇଏଏସ ଅଫିସର। ବର୍ତ୍ତମାନ ରାଜେଶ ବର୍ମା କେନ୍ଦ୍ର ସରକାରଙ୍କ କରର୍ପୋରେଟ ବ୍ୟାପର ମନ୍ତ୍ରଣାଳୟର ସଚିବ ଅଛନ୍ତି।

ରାଜେଶ ବର୍ମା ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ପୂର୍ବରୁ ଶକ୍ତି ବିଭାଗର ଶାସନ ସଚିବ ଥିଲେ। ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ନିଯୁକ୍ତି ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇଛି।

ଓଡିଆ ରାଷ୍ଟ୍ରପତିଙ୍କ ପାଖରେ ଜଣେ ଓଡିଶା କ୍ୟାଡରର ଆଇଏଏସ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଇ ବୋଲି ସମ୍ବୋଧୀତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସଚିବ ଥିଲେ। ଏବେ ଭଉଣୀଙ୍କ ସଚିବ ଭାବେ ସେ କାର୍ଯ୍ୟ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଚତୁର୍ଥ ଶ୍ରାଦ୍ଧ ବାର୍ଷିକ। ସେ 2018 ରେ ଆଜିର ଦିନରେ ପରଲୋକ ଗମନ କରିଥିଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକୀରେ ଭାରତର ଜନସାଧାରଣ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ବିଜେପି ସଭାପତି ଜେ ପି ନଡା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକସ୍ଥଳ ସଦାଇଭ ଅଟଳରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶରେ ସ୍ଵାଧୀନତା ଦିବସ ପାଳନ କରାଯିବ। ଏହାକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ସମଗ୍ର ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଜାରି ରହିଛି। ଦେଶର ନାଗରିକମାନେ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ଦେଶ ଭକ୍ତର ଭାବନାକୁ ଆଗେଇ ନେଉଛନ୍ତି। ତେବେ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି। ଆସନ୍ତୁ ଜାପଢିବା ରାଷ୍ଟ୍ରପତିଙ୍କ ସଂପୂର୍ଣ୍ଣ ଅଭିଭାଷଣ….

ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତ ଏକ ସ୍ୱାଧୀନ ରାଷ୍ଟ୍ରଭାବେ ୭୫ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୪ ତାରିଖ “ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ” ଭାବେ ପାଳିତ ହେଉଛି। ସାମାଜିକ ସଦଭାବର ପ୍ରୋତ୍ସାହନ, ଏକତା ରକ୍ଷା ଓ ଜନତାଙ୍କ ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ।

ଆସନ୍ତା କାଲିର ଦିନଟିରେ ଆମେ ଉପନିବେଶବାଦୀ ଶାସନର ଶୃଙ୍ଖଳରୁ ମୁକ୍ତ ହୋଇ ଆମ ଭାଗ୍ୟର ପୁନନିର୍ମାଣ ନିଷ୍ପତ୍ତି ନେଇଥିଲୁ। ଆମେ ସମସ୍ତେ ସେହି ମହାନ ଦିବସଟିକୁ ପାଳନ କରିବା ବେଳେ ସ୍ୱାଧୀନ ଭାରତ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଥିବା ଏବଂ ପ୍ରାଣବଳୀ ଦେଇଥିବା ଅଗଣିତ ନରନାରୀଙ୍କ ନିକଟରେ ନତମସ୍ତକ। ସେମାନଙ୍କ ପାଇଁ ସ୍ୱାଧୀନ ଭାରତରେ ବଞ୍ଚିବାକୁ ଆଜି ଆମେ ସମର୍ଥ ହୋଇଛୁ।

ଏହା କେବଳ ଆମ ପାଇଁ ଉତ୍ସବ ପାଳନର ଅବସର ନୁହେଁ, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବିଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ଏହା ଏକ ମହାର୍ଘ୍ୟ ଦିନ। ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା, ସେତେବେଳେ ଅନେକ ଆନ୍ତର୍ଜାତିକସ୍ତରର ନେତା ଓ ବିଶେଷଜ୍ଞ ଭାରତରେ ଗଣତାନ୍ତ୍ରିକ ସରକାରର ସଫଳତା ଘେନି ସନ୍ଦେହ ପ୍ରକଟ କରିଥିଲେ। ଏଥିପାଇଁ ସେମାନେ ଅନେକ କାରଣ ଦେଖିଥିଲେ ଯାହା ସେମାନଙ୍କ ସଂଶୟ ବଢ଼ାଇଥିଲା। ସେହି ସମୟରେ ଗଣତନ୍ତ୍ର କେବଳ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ଦେଶମାନଙ୍କ ମଧ୍ୟରେ ସୀମିତ ଥିଲା। ଭାରତ ଦୀର୍ଘକାଳର ବିଦେଶୀ ଶାସନରେ ଶୋଷିତ ହୋଇ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ ବୁଡି ରହିଥିଲା। ଆମେ ଭାରତବାସୀ ସେହି ସଂଶୟବାଦୀଙ୍କୁ ଭୁଲ ପ୍ରମାଣିତ କରିପାରିଥିଲୁ। ଭାରତ ମାଟିରେ ଗଣତନ୍ତ୍ର କେବଳ ଚେର ମାଡି ନାହିଁ, ଏହା ମଧ୍ୟ ସମୃଦ୍ଧ ହୋଇଛି।

ବିଶ୍ୱର ଅନେକ ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ମହିଳାମାନେ ଭୋଟ ଦେବାର ଅଧିକାର ପାଇବାକୁ ଦୀର୍ଘକାଳ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ। ଭାରତ, କିନ୍ତୁ ଏହାର ସାଧାରଣତନ୍ତ୍ର ଗଠନ କାଳରୁ ସାର୍ବଜନୀନ ସାବାଳକ ଭୋଟ ଅଧିକାର ବ୍ୟବସ୍ଥା ପ୍ରବର୍ତ୍ତନ କରି ପୁରୁଷଙ୍କ ସହିତ ମହିଳାଙ୍କୁ ମତଦାନର ଅଧିକାର ପ୍ରଦାନ କରିଥିଲା। ଅତଏବ ଆଧୁନିକ ଭାରତର ନିର୍ମାତାମାନେ ଦେଶର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣର ସମ୍ମିଳିତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିଥିଲେ। ତେଣୁ ଗଣତନ୍ତ୍ରର ବାସ୍ତବ କ୍ଷମତା ଆବିଷ୍କାର କରିବାରେ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ଶ୍ରେୟ ଭାରତକୁ ଯାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଏହା ତତ୍କାଳୀୟ ନଥିଲା ବୋଲି ମୁଁ ବିଶ୍ୱାସ କରେ। ସଭ୍ୟତାର ଆରମ୍ଭରୁ ଏହି ମାଟିର ସାଧୁସନ୍ଥଗଣ ମାନବତାର ଯେଉଁ ବିଚାର ଓ ଦୃଷ୍ଟି ବିକଶିତ କରିଥିଲେ ସେଥିରେ ସାର୍ବଜନୀନ ସମାନତା ଗୁରୁତ୍ୱ ପାଇଥିଲା। ଏହି ସମାନତା ବାସ୍ତବରେ ଏକତା। ମହାନ ମୁକ୍ତି ସଂଗ୍ରାମ ଏବଂ ମହାତ୍ମା ଗାନ୍ଧିଙ୍କ ଭଳି ନେତା ଆଧୁନିକ ସମୟ ପାଇଁ ଆମ ପ୍ରାଚୀନ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କରିଥିଲେ। ତେଣୁ ଆମ ଗଣତନ୍ତ୍ରରେ ଭାରତୀୟ ବୈଶିଷ୍ଟ୍ୟ ରହିଛି ଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗାନ୍ଧିଜୀ ବିକେନ୍ଦ୍ରୀକରଣ ଏବଂ ଲୋକଙ୍କୁ କ୍ଷମତା ପ୍ରଦାନର ଦୃଢ଼ ସମର୍ଥକ ଥିଲେ।

ଗତ ୭୫ ସପ୍ତାହ ଧରି ଆମ ଦେଶ ଆମକୁ ସ୍ୱାଧୀନତା ଦେଇଥିବା ମହାନ ବିଚାର ଓ ଆଦର୍ଶର ସ୍ମୃତିଚାରଣ କରିଆସୁଛି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ଦାଣ୍ଡିଯାତ୍ରାର ସ୍ମୃତିକୁ ପୁନଃ ଜାଗରିତ କରିବା ପାଇଁ ତାହାର ଏକ ପୁନରାବୃତ୍ତି କରାଯାଇ ୨୦୨୧ ମାର୍ଚ୍ଚରେ ଆମେ “ଆଜାଦୀର ଅମୃତ ମହୋତ୍ସବ” ପାଳନ ଆରମ୍ଭ କରିଥିଲୁ। ଏପରି ଏକ ଉତ୍ସବ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବା ଆମର ଏକ ଯୁଗାନ୍ତକାରୀ ଘଟଣା ଓ ସଂଗ୍ରାମକୁ ସ୍ମରଣ କରିବା ସହିତ ଆମେ ଏହା ସହିତ ଜଡିତ ମୁକ୍ତିସଂଗ୍ରାମୀ ଓ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛୁ। ଏହି ଉତ୍ସବ ଭାରତର ଜନତାଙ୍କ ପାଇଁ ଉତ୍ସର୍ଗୀକୃତ। ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ଏହି ମହୋତ୍ସବର ଅଂଶ ବିଶେଷ। ଜନତାଙ୍କ ଦ୍ୱାରା ହାସଲ କରାଯାଇଥିବା ସଫଳତା ଆଧାରରେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ପ୍ରୟାସ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସବୁ ବୟସର ଲୋକେ ଆଗ୍ରହର ସହିତ ସାମିଲ ହୋଇଛନ୍ତି। “ହର ଘର ତିରଙ୍ଗା ଅଭିଯାନ” ସହିତ ଏହି ମହା ଉତ୍ସବ ଆଗେଇ ଚାଲିଛି। ଦେଶର କୋଣ ଅନୁକୋଣରେ ଭାରତୀୟ ତ୍ରିରଙ୍ଗା ଧ୍ୱଜା ଫରଫର ହୋଇ ଉଡୁଛି। ଏବେ ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନର ଉତ୍ସାହ ଓ ଚେତନାର ଯେଉଁ ପୁନଃ ପ୍ରକାଶ ଘଟିଛି ତାହା ଦେଖିଥିଲେ ଆମ ସହିଦମାନେ ଅବଶ୍ୟ ଉଲ୍ଲସିତ ହୋଇଥାନ୍ତେ।

ଆମ ଗୌରବୋଜ୍ଜ୍ୱଳ ମୁକ୍ତି ସଂଗ୍ରାମ ଦେଶର ବିରାଟ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ସଂଘଟିତ ହୋଇଥିଲା। ମୁକ୍ତି ସଂଗ୍ରାମୀମାନେ ଅତ୍ୟନ୍ତ ସାହସର ସହିତ ଏହି ଲଢ଼େଇ ଲଢ଼ିଥିଲେ। ଅନେକ ମହାନ ମୁକ୍ତିସଂଗ୍ରାମୀ ନିଜର ଦାୟୀତ୍ୱ ସଫଳତାର ସହ ନିର୍ବାହ କରି ନୂତନ ପିଢ଼ିକୁ ଜାଗରଣର ଆଲୋକବର୍ତ୍ତିକା ହସ୍ତାନ୍ତର କରିଥିଲେ। ସେମାନେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲେ ତାହାର ଲେସମାତ୍ର ଚିହ୍ନ ଛାଡିଯାଇନଥିଲେ। ଏହି ପ୍ରକ୍ରିୟାରେ ଅନେକ ବୀର, ମୁକ୍ତିସଂଗ୍ରାମୀ ବିସ୍ମୃତ ହୋଇଯାଇଛନ୍ତି। ସେମାନଙ୍କ ଜୀବନୀ ଓ କାର୍ଯ୍ୟାବଳୀ ବିଷୟରେ କୌଣସି ସୂଚନା ମିଳେନାହିଁ। ବିଶେଷ କରି ଦେଶର କୃଷକ ଓ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଏଭଳି ଅଧିକ ସଂଗ୍ରାମୀ ଓ ବୀର ବିସ୍ମୃତ ହୋଇଛନ୍ତି। ଅତଏବ ନଭେମ୍ବର ୧୫କୁ “ଜନଜାତୀୟ ଗୌରବ ଦିବସ” ଭାବେ ପାଳନ କରିବାକୁ ସରକାର ଗତବର୍ଷ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ଆମର ଆଦିବାସୀ ବୀର ମୁକ୍ତିସଂଗ୍ରାମୀମାନେ କେବଳ ସ୍ଥାନୀୟ ବା ଆଞ୍ଚଳିକ ସ୍ତରରେ ପ୍ରସିଦ୍ଧ ନୁହଁନ୍ତି, ସେମାନେ ସମଗ୍ର ଦେଶକୁ ଅନୁପ୍ରେରିତ କରନ୍ତି।

ଭାରତ ଭଳି ଏକ ପ୍ରାଚୀନ ଦେଶ ପାଇଁ ୭୫ ବର୍ଷ ଅତିକ୍ରମ କରିବା, ଆଖିର ପଲକ ପକାଇବା ଭଳି ସମୟ। ତେବେ ବ୍ୟକ୍ତି ହିସାବରେ ଆମ ପାଇଁ ଏହା ଏକ ଯୁଗ, ଗୋଟେ ସମଗ୍ର ଜୀବନକାଳ। ଆମ ଗହଣରେ ଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନ କାଳରେ ନାଟକୀୟ ପରିବର୍ତ୍ତନ ଦେଖିଛନ୍ତି। ସ୍ୱାଧୀନତା ଲାଭ ପରେ ସବୁ ପିଢ଼ି କିପରି କଠୋର ପରିଶ୍ରମ କରିଛି ତାହା ସେମାନେ ଦେଖିବାକୁ ପାଇଛନ୍ତି ଏବଂ ଆମେ କିପରି ବଡବଡ ଆହ୍ୱାନ ଓ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ନିଜର ଭାଗ୍ୟ ନିଅନ୍ତା ହୋଇ ପାରିଛନ୍ତି ସେମାନେ ତାହା ଦେଖିଛନ୍ତି। ଏହି ପ୍ରକ୍ରିୟାରେ ଆମେ ପାଇଥିବା ଶିକ୍ଷା ଆମକୁ ରାଷ୍ଟ୍ରରେ ପରବର୍ତ୍ତୀ ଯାତ୍ରାକାଳ ‘ଅମୃତ କାଳ’ ପାଇଁ ବିଶେଷ ସାହାଯ୍ୟ କରିବ। ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଆମକୁ ଆସନ୍ତା ୨୫ ବର୍ଷ ବା ‘ଅମୃତ କାଳ’ ନିମନ୍ତେ ପ୍ରସ୍ତୁତ ହେବାକୁ ପଡିବ।

୨୦୪୭ ସୁଦ୍ଧା ଆମେ ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସଂପୂର୍ଣ୍ଣ ଭାବେ ସାକାର କରିପାରିବା। ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଯେଉଁମାନେ ସମ୍ବିଧାନ ପ୍ରଣୟନ କରିଥିଲେ ସେମାନଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବା। ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ପଥେ ଏବେ ଅଗ୍ରସର। ଆମେ ସେହି ଭାରତ ନିର୍ମାଣ କରିବାରେ ପ୍ରୟାସୀ ଯାହା ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବିନିଯୋଗ କରିପାରିବ।

ନିକଟ ଅତୀତରେ ବିଶେଷ କରି କୋଭିଡ ପରବର୍ତ୍ତୀ ସମୟରେ ଏକ ଉତଥାନମୁଖୀ ନୂଆ ଭାରତକୁ ସମଗ୍ର ବିଶ୍ୱ ଦେଖିବାକୁ ପାଇଛି। ମହାମାରୀ ମୁକାବିଲାରେ ଆମ ଉଦ୍ୟମ ସର୍ବତ୍ର ଚର୍ଚିତ ଓ ପ୍ରଶଂସିତ। ଦେଶରେ କରୋନା ମହାମାରୀ ଟିକା ତିଆରି କରି ମାନବ ଇତିହାସର ସର୍ବବୃହତ ଟିକାଦାନ ଅଭିଯାନ ଆମେ ଭାରତରେ ଆରମ୍ଭ କରିଛୁ। ଟିକା ପ୍ରଦାନ କ୍ଷେତ୍ରରେ ଗତ ମାସରେ ଆମେ ୨୦୦ କୋଟି ସଂଖ୍ୟା ଅତିକ୍ରମ କରିଛୁ। ମହାମାରୀ ମୁକାବିଲାରେ ଆମର ସଫଳତା ଅନେକ ବିକଶିତ ଦେଶଙ୍କଠାରୁ ଅଧିକ ଭଲ। ଏହି ସଫଳତା ପାଇଁ ଆମେ ଆମର ବୈଜ୍ଞାନିକ, ଡାକ୍ତର, ସେବିକା, ପାରାମେଡିକ୍ସ ତଥା ଟିକାଦାନରେ ସଂପୃକ୍ତ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ।

ମହାମାରୀ ସମଗ୍ର ବିଶ୍ୱର ଜନଜୀବନ ଓ ଅର୍ଥନୀତିକୁ ଉଜାଡି ଦେଇଛି। ଏବେ ସମଗ୍ର ବିଶ୍ୱ ବିଗିଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ସଂଗ୍ରାମ କରୁଥିବା ବେଳେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆପଣାର ଅର୍ଥନୀତିକୁ ଠିକଣାବାଟକୁ ଆଣି ଅଭିବୃଦ୍ଧି ପଥେ ଆଗେଇ ଚାଲିଛି। ଭାରତ ଏବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ। ଭାରତର ଷ୍ଟାର୍ଟଅପ ପରିତନ୍ତ୍ରର ସ୍ଥିତି ବିଶ୍ୱରେ ବହୁ ଉପରେ। ଆମ ଦେଶରେ ଷ୍ଟାର୍ଟଅପ ଗୁଡିକର ସଫଳତା ବିଶେଷ କରି ୟୁନିକର୍ଣ୍ଣର ସଂଖ୍ୟା ବୃଦ୍ଧି ଭାରତର ଶିଳ୍ପ ପ୍ରଗତିର ଜ୍ୱଳନ୍ତ ଉଦାହରଣ। ବୈଶ୍ୱିକ ଧାରାକୁ ଭାଙ୍ଗି ଭାରତର ଅର୍ଥନୀତିକ ଅଭିବୃଦ୍ଧିକୁ ବଢ଼ାଇବାର ଶ୍ରେୟ ଆମ ସରକାର ଏବଂ ନୀତି-ନିର୍ମାତା ପାଇବାକୁ ହକଦାର। ଗତ କେଇ ବର୍ଷ ମଧ୍ୟରେ ଦେଶରେ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଅଭୂତପୂର୍ବ ବିକାଶ ଘଟିଛି।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ମାଧ୍ୟମରେ ଜଳ, ସ୍ଥଳ ଓ ଆକାଶ ପଥରେ ସମଗ୍ର ଦେଶ ଯୋଡି ହୋଇଯାଇଛି। ଏହା ଫଳରେ ସମଗ୍ର ଦେଶରେ ପରିବହନ ସୁବିଧା ଉଲ୍ଲେଖନୀୟ ଭାବେ ବଢ଼ିଛି। ଆମ ଅଭିବୃଦ୍ଧି ସଫଳତାର ପଛରେ ରହିଛନ୍ତି ଦେଶର ଶ୍ରମିକ, କୃଷକ ଓ ଉଦ୍ୟୋଗୀମାନେ। କୃଷକ ଶ୍ରମିକଙ୍କ କଠୋର ଶ୍ରମ ଏବଂ ଉଦ୍ୟୋଗୀୀମାନଙ୍କ ବ୍ୟାବସାୟିକ ବିଚକ୍ଷଣତା ଦେଶ ପାଇଁ ଧନ ସମ୍ପଦ ସୃଷ୍ଟି କରୁଛି। ଆହୁରି ଆନନ୍ଦର ବିଷୟ ହେଲା ଅଭିବୃଦ୍ଧି ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଛି।

ଏହା କେବଳ ଆରମ୍ଭ ମାତ୍ର। ଦୀର୍ଘମିଆଦି ଅଭିବୃଦ୍ଧି ହାସଲ ଓ ଆର୍ଥିକ ପ୍ରଗତି ପାଇଁ ଅନେକ ଅର୍ଥନୀତିକ ସଂସ୍କାର ଓ ସରକାରୀ ନୀତି କାର୍ଯ୍ୟକାରୀ ହେଉଛି। ଉଦାହରଣ ସ୍ୱରୂପ ଡିଜିଟାଲ ଇଣ୍ଡିଆ, ଜ୍ଞାନ ଅର୍ଥନୀତିର ଆଧାରଶୀଳା ତିଆରି କରୁଛି। ‘ଜାତୀୟ ଶିକ୍ଷା ନୀତି’ ପରବର୍ତ୍ତୀ ପିଢ଼ିର ଶିଳ୍ପ ବିପ୍ଳବ ପାଇଁ ନୂଆ ଲୋକଶକ୍ତି ତିଆରି କରିବାକୁ ଉଦ୍ଦିଷ୍ଟ। ଏହି ଶିକ୍ଷାନୀତି ଯେଉଁ ନୂଆ ଶିକ୍ଷିତ ପିଢ଼ି ସୃଷ୍ଟି କରିବ ସେମାନେ ବିକାଶ ସହିତ ଆମ ଐତିହ୍ୟକୁ ପୁନଃ ସଂଯୋଜିତ କରିବେ।

ଅର୍ଥନୀତିକ ସଫଳତା ମଧ୍ୟ ଜୀବନକୁ ସହଜ ଓ ସୁଗମ କରିବାର ବାଟ ଦେଖାଉଛି। ଅର୍ଥନୀତିକ ସଂସ୍କାର ସହିତ ନିର୍ଭୁଲ ଭାବେ ଅଭିନବ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଂଶ୍ଳିଷ୍ଟ କରାଯାଇଛି। ନିଜର ଘର ଖଣ୍ଡିଏ ପାଇବା ଗରିବଙ୍କର ଆଉ ସ୍ୱପ୍ନ ହୋଇ ରହିନାହିଁ। ଅଧିକରୁ ଅଧିକ ବାସହୀନଙ୍କ ପାଇଁ ଏହା ଏକ ବାସ୍ତବତାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଏହି ପରିପ୍ରେକ୍ଷୀରେ ପ୍ରଶଂସନୀୟ। ସେହିଭଳି ‘ଜଳ ଜୀବନ ମିଶନ’ ମାଧ୍ୟମରେ ‘ହରଘର ଜଲ୍’ ଯୋଜନାରେ ସବୁ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯାଉଛି।

ଏହିସବୁ ଯୋଜନା ଓ ଅନ୍ୟାନ୍ୟ ଅନୁରୂପ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାବେ ଗରିବଙ୍କ ସହିତ ସମସ୍ତଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି। ଦରିଦ୍ର, ବଞ୍ଚିତ, ଅବହେଳିତ ଓ ଅଭାବୀ ଲୋକଙ୍କ ପ୍ରତି ଏବେ ଅଧିକ ସହାନୁଭୂତି ଓ ଗୁରୁତ୍ୱ ପ୍ରଦାନ କରାଯାଉଛି। ଆମର କେତେକ ଜାତୀୟ ମୂଲ୍ୟବୋଧକୁ ସମ୍ବିଧାନରେ ସ୍ଥାନିତ କରାଯାଇ ତାହାକୁ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ମୁଁ ସବୁ ନାଗରିକଙ୍କୁ ଅନୁରୋଧ କରୁଛି ସେମାନେ ନିଜର ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ଏହା ଦ୍ୱାରା ଆମ ଦେଶ ନୂଆ ଶିଖର ଛୁଇଁପାରିବ।

ଆମେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥନୀତି ସହିତ ଆହୁରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖୁଛୁ । ଏହି ପରିବର୍ତ୍ତନ ପ୍ରକ୍ରିୟାର ମୂଳରେ ରହିଛି ସୁଶାସନର ଲକ୍ଷ୍ୟ। ଯେତେବେଳେ ‘ଦେଶ ଆଗ’ ବିଚାରରେ କାମ ହେଉଛି, ତାହାର ପ୍ରଭାବ ନିଶ୍ଚିତ ଭାବେ ପ୍ରତ୍ୟେକ ନିଷ୍ପତ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପଡିବା ସ୍ୱଭାବିକ। ଏହା ମଧ୍ୟ ବିଶ୍ୱରେ ଭାରତର ସ୍ଥିତି ଉପରେ ପ୍ରଭାବ ପକାଉଛି।

ଭାରତ ଏବେ ଯେଉଁ ନୂଆ ଆତ୍ମବିଶ୍ୱାସ ପାଉଛି ତାହା ଆସୁଛି ତାହାର ଯୁବଶକ୍ତି, ଚାଷୀକୁଳ ଓ ମହିଳାବର୍ଗଙ୍କଠାରୁ। ସେମାନଙ୍କର ଉତ୍ସାହ ଓ ଶକ୍ତି ଭାରତକୁ ବେଗଗାମୀ କରାଉଛି। ଲିଙ୍ଗଗତ ଅସମାନତା ହ୍ରାସ ପାଉଛି ଏବଂ ମହିଳାମାନେ ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି। ସାମାଜିକ ଓ ରାଜନୀତିକ ପ୍ରକ୍ରିୟାରେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନରେ ଏବେ ଆମ ଦେଶରେ ୧୪ ଲକ୍ଷରୁ ଅଧିକ ନିର୍ବାଚିତ ମହିଳା ପ୍ରତିନିଧି ରହିଛନ୍ତି।

ଆମ ଝିଅମାନେ ଦେଶର ସବୁଠୁ ବଡ ଆଶା। ସେମାନଙ୍କ ମଧ୍ୟରୁ କେତେକ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ଏହା ଅବଶ୍ୟ ସତ୍ୟ ଯେ ଭାରତର କ୍ରୀଡାବିତମାନେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରୁଛନ୍ତି ଏହି ସବୁ ପଦକ ବିଜୟୀ କ୍ରୀଡାବିତମାନଙ୍କ ମଧ୍ୟରୁ ଏକ ବଡ ଭାଗ ସମାଜର ସୁବିଧାସୁଯୋଗରୁ ବଞ୍ଚିତ ଶ୍ରେଣୀ ଓ ବର୍ଗରୁ ଆସିଛନ୍ତି। ଲଢ଼ୁଆ ଯୁଦ୍ଧ ବିମାନର ବୈମାନିକ ହେବାଠାରୁ ମହାକାଶ ବିଜ୍ଞାନୀ ହେବା ପର୍ଯ୍ୟନ୍ତ ଆମ ଝିଅମାନେ ସଫଳତାର ନୂଆ ଉଚ୍ଚତା ଛୁଇଁଛନ୍ତି।

ସ୍ୱାଧୀନତା ଦିବସ ପାଳନ ସହିତ ଆମେ ଆମର ଭାରତୀୟତାକୁ ମଧ୍ୟ ପାଳନ କରୁଛୁ। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ଆମ ଭିତରେ କିଛି ସାଧାରଣ କଥା ଓ ସମାନତା ରହିଛି। ଏହି ସାଧାରଣ ସୂତ୍ର ଆମକୁ ଏକତା ସୂତ୍ରରେ ବାନ୍ଧିରଖି ଏକ ଭାରତ, ଶ୍ରେଷ୍ଠ ଭାରତ, ଚେତନାରେ କାମ କରିବାକୁ ଅନୁପ୍ରେରିତ କରୁଛି।

ଭାରତ ଏବେ ଅତ୍ୟନ୍ତ ମନୋରମ ଦେଶ। ଏହାର ପର୍ବତମାଳା, ନଦନଦୀ, ହ୍ରଦ, ଜଙ୍ଗଲ, ପଶୁପକ୍ଷୀ ଏହାକୁ ଦର୍ଶନୀୟ କରିଛନ୍ତି। ଅତଏବ ପରିବେଶ ପ୍ରତି ଯେତେବେଳେ ବିପଦ ଆସୁଛି ସେତେବେଳେ ଆମକୁ ତାହାର ମୁକାବିଲା କରି ଭାରତର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଅଙ୍ଗୀକୃତ ହେବାକୁ ପଡିବ। ଜଳ, ମୃତ୍ତିକା ଓ ଜୈବ ବିବିଧତାର ସଂରକ୍ଷଣ ଆମ ପିଲାମାନଙ୍କ ପାଇଁ ଆମର ଏକ ଦାୟୀତ୍ୱ। ପ୍ରକୃତିମାତାର ଯତ୍ନ ଓ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶ ବିଶେଷ। ଆମେ ଆମର ପାରମ୍ପରିକ ଜୀବନଶୈଳୀ ମାଧ୍ୟମରେ ଅବଶିଷ୍ଟ ବିଶ୍ୱକୁ ବାଟ ଦେଖାଇପାରିବା। ଯୋଗ ଓ ଆୟୁର୍ବେଦ ବିଶ୍ୱକୁ ଭାରତର ଅମୂଲ୍ୟ ଉପହାର। ଉଭୟର ଲୋକପ୍ରିୟତା ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି।

ଆମେ ଆମ ଜୀବନରେ ଯାହା ସବୁ ପାଇଛୁ, ତାହା ଆମକୁ ଆମର ପ୍ରିୟ ଦେଶ ଯୋଗାଇଛି। ଅତଏବ ଦେଶର ନିରାପତ୍ତା, ପ୍ରଗତି ଓ ସମୃଦ୍ଧି ପାଇଁ ଆମେ ପ୍ରତିଦାନରେ ସବୁକିଛି ଦେବାପାଇଁ ଶପଥ ନେବା ଉଚିତ। ଏକ ଗୌରବୋଜ୍ୱଳ ଭାରତ ନିର୍ମାଣ ଦ୍ୱାରା ଆମ ସ୍ଥିତି ଅର୍ଥପୂର୍ଣ୍ଣ ଓ ଯଥାର୍ଥ ହେବ। କନ୍ନଡ ଭାଷା ମାଧ୍ୟମରେ ଭାରତୀୟ ସାହିତ୍ୟକୁ ସମୃଦ୍ଧି କରିଥିବା ପ୍ରଖ୍ୟାତ ଜାତୀୟ କବି କୁବେମ୍ପୁ ଲେଖିଥିଲେ-
“ନାନୁ ଅଲିୱେ, ନିନୁ ଅଲିୱେ
ନମ୍ମ ଏଲୁବୁଗାଲ ମେଲେ
ମୁଦୁବୁଡୁ- ମୁଦୁବୁଡୁ
ନବଭାରତଡ ଲିଲେ”
ଅର୍ଥାତ – ‘ମୁଁ ଚାଲିଯିବି, ତୁମେ ମଧ୍ୟ
ମାତ୍ର, ଆମ ଅସ୍ଥି ଉପରେ ନବ ଭାରତର ମହାନ ଗାଥା ଲେଖାଯିବ’
ମାତୃଭୂମି ଏବଂ ଏହାର ନାଗରିକମାନଙ୍କ ପାଇଁ ପ୍ରାଣୋତ୍ସର୍ଗ କରିବାକୁ ଏହା ଥିଲା ଏହି ମହାନ ଜାତୀୟ କବିଙ୍କର ଦେଶବାସୀଙ୍କୁ ଆହ୍ୱାନ  ୨୦୪୭ର ନୂଆ ଭାରତର ନିର୍ମାଣ କରିବାକୁ ଯାଉଥିବା ଦେଶର ଯୁବସମାଜକୁ ମୋର ବିଶେଷ ଅନୁରୋଧ ସେମାନେ ଏହି ଆଦର୍ଶକୁ ଅନୁସରଣ କରନ୍ତୁ।

ଉଦବୋଧନ ଶେଷ କରିବା ପୂର୍ବରୁ ମୁଁ ଦେଶର ସଶସ୍ତ୍ରବାହିନୀ, ବିଭିନ୍ନ ଦେଶରେ ଥିବା ଦୂତାବାସର ଅଧିକାରୀ ଓ କର୍ମଚାରୀ ଏବଂ ବିଦେଶରେ ରହି ନିଜର ମାତୃଭୂମିକୁ ଗୌରବାନ୍ୱିତ କରିବାକୁ ଚେଷ୍ଟିତ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି। ଆପଣମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସର୍ବଦଳୀୟ ବିଧାୟକଙ୍କ ଆଗରେ ନବୀନଙ୍କୁ ପୁଣି ଥରେ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ଅବସରରେ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ। ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ଅତ୍ୟନ୍ତ ଆନନ୍ଦଦାୟକ, ଗର୍ବ ଓ ଗୌରବର ଅବସର ବୋଲି ବାଚସ୍ପତି ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି। ଏଥି ସହ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଷ୍ଟ୍ରପତି ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ଆରୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସର୍ବଦଳୀୟ କମିଟିରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ,  ବିରୋଧି ଦଳର ଉପନେତା ଶ୍ରୀ ବିଷ୍ଣୁଚରଣ ସେଠୀ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ସର୍ବଦଳୀୟ କମିଟିର ୨୪ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡିଶାର ୨୪ ବିଧାୟକ, ପରିବେଶ ଥିଲା ବେଶ୍ ଭାବ ବିହ୍ବୋଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଓଡିଶାର ୨୪ ଜଣ ବିଧାୟକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଏହି ଦଳ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଆଜି ସେମାନେ ୧୦ଟା ୪୫ ରେ ସାକ୍ଷାତ କରିଛନ୍ତି।

ଏହି ସମୟରେ ରାଷ୍ଟ୍ରପତିଙ୍କୁ ଦେଖି ବିଧାୟକଗଣ ବେଶ ଭାବ ବିହ୍ବୋଳ ହୋଇପଡିଥିଲେ। କାରଣ ଓଡିଶାର ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଆସନରେ ବସିବା ଦେଖି ଏମାନେ ବେଶ ଉଲ୍ଲସିତ ହୋଇଥିଲେ। ଏହାପରେ ସମସ୍ତେ ଓଡିଆପେ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଥିଲେ। ରାଷ୍ଟ୍ରପତି ଭବନ ଅଧିକାରୀଙ୍କ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତେ ରାଷ୍ଟ୍ରପତି ଭବନ ଲନରେ ଏକ ଗ୍ରୁପ ଫଟୋ ମଧ୍ୟ ଉଠାଇଥିଲେ।

ଏହି ବିଧାୟକ ଦଳରେ ବାଚସ୍ପତିଙ୍କ ସହିତ ଅର୍ଥମନ୍ତ୍ରୀ ନରଂଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ଦେବୀ ପ୍ରସାଦ ମିଶ୍ର. ତାରା ବାହିନୀପତି, ବିଷ୍ଣୁ ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଦଳରେ ଚାରିଜଣ ମହିଳା ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ବା ସିଭିସି ଙ୍କୁ ଶପଥ ପାଠ କରାଇଛନ୍ତି। ସେ ହେଉଛନ୍ତି ଶ୍ରୀ ସୁରେଶ ଏନ ପଟେଲ। ରାଷ୍ଟ୍ରପତି ଭବନରେ ଆଜି ଦିନ ଦଶଟାରେ ଏହି ଶପଥପାଠ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ପଟେଲ ସିଭିସିରେ କାର୍ଯ୍ୟକାରୀ କମିଶନର ଭାବେ କାର୍ଯ୍ୟ କରୁଥିଲେ। ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ସଂଜୟ କୋଠାରୀ ସିଭିସି ଭାବେ ତାଙ୍କର କାର୍ଯ୍ୟକାଳ ପୁରଣ ପରେ ଏହି ପଦବୀ ଏକ ବର୍ଷ ଧରି ଖାଲିଥିଲା। ସେଥିପାଇଁ ଶ୍ରୀ ଏନ ପଟେଲ ଦାୟିତ୍ବରେ ଥିଲେ। ତାଙ୍କର ନିଯୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟ ଚୁଡାନ୍ତ କରିବା ପରେ ଘୋଷଣା କରାଯାଇଥିଲା। ଶ୍ରୀ ପଟେଲ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଉ କିଛି ସମୟ ପରେ ଓଡିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିବେ

ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶାର ବିଧାୟକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେଷ ରାଷ୍ଟ୍ରପତି ସେମାନଙ୍କୁ ଆଜି ୧୦ଟା ୪୫ ରେ ଭେଟିବା ପାଇଁ ସମୟ ଦେଇଛନ୍ତି। ଗତକାଲି ବିଭିନ୍ନ ସମୟରେ ପ୍ରାୟ ୨୪ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି। ଏ ନେଇ ପୂର୍ବରୁ ଗୃହରେ ସମୟ ଧାର୍ଯ୍ୟ କରାଯାଇଥିଲା।

ତେବେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯିବ। ସେହି ବୈଠକରେ ସମସ୍ତେ ଏକାଠି ହେବା ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ଜଣେ ବିଦେଶୀ ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାୟିତ୍ବ ନେବା ପରେ ଆଜି ସେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।  ଆଜି ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ସୋଲିହଙ୍କୁ ସ୍ୱାଗତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଭାରତର ଜଣେ ଘନିଷ୍ଠ ବନ୍ଧୁ ତଥା ଜଣେ ପ୍ରତିଷ୍ଠିତ ନେତାଙ୍କୁ ଗ୍ରହଣ କରି ସେ ବହୁତ ଖୁସି, ଯାହାର ନେତୃତ୍ୱରେ ମାଲଦ୍ୱୀପ ଏକ ସ୍ଥିର ତଥା ସମୃଦ୍ଧ ରାଷ୍ଟ୍ର ଭାବରେ ଉଭା ହୋଇପାରିଛି।

ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ମାଲଦ୍ୱୀପ ଓ ଭାରତ ହେଉଛି ଭାରତ ମହାସାଗରର ଏକ ପ୍ରମୁଖ ଅଂଶୀଦାର ଏବଂ ଘନିଷ୍ଠ ବନ୍ଧୁ। ଦୁଇ ଦେଶର ଲୋକମାନେ ଶତାବ୍ଦୀ ଧରି ସାଂସ୍କୃତିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଉପଭୋଗ କରୁଛନ୍ତି।

ଭାରତର ‘ ପ୍ରଥମ ପଡ଼ୋଶୀ ନୀତି’ ରେ ମାଲଦ୍ୱୀପର ଏକ ବିଶେଷ ସ୍ଥାନ ରହିଛି। ସେ ଖୁସିରେ କହିଛନ୍ତି ଯେ ଭାରତର ଆବଶ୍ୟକତା ଭିତ୍ତିକ ଆର୍ଥିକ ଏବଂ ବିକାଶ ସହାୟତା ମାଲଦ୍ୱୀପ ସରକାରଙ୍କ ବିକାଶ ପ୍ରାଥମିକତାକୁ ସମର୍ଥନ କରୁଛି।

ରାଷ୍ଟ୍ରପତି କହିଛନ୍ତି ଯେ ଭାରତ-ମାଲଦ୍ୱୀପର ବିକାଶ ସହଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ପଦକ୍ଷେପ, ଅର୍ଥନୈତିକ ସମ୍ପର୍କ ଏବଂ ଲୋକମାନଙ୍କ ମଧ୍ୟରେ ଭାରତ ଓ ମାଲଦୀପର ସମ୍ପର୍କ  ସମ୍ପର୍କ ପାଇଁ ଦ୍ରୁତଗତିରେ ସମ୍ପ୍ରସାରଣ ହେବାରେ ଲାଗିଛି।

COVID-19 ମହାମାରୀ ସମୟରେ ସରକାର ଏବଂ ମାଲଦ୍ୱୀପବାସୀଙ୍କ ସାହସ ଏବଂ ଦୃଢତାକୁ ସେ ପ୍ରଶଂସା କରିଥିଲେ। ସେ ଖୁସିରେ କହିଛନ୍ତି ଯେ ମହାମାରୀ ସମୟରେ ଭାରତ-ମାଲଦ୍ୱୀପ ସହଯୋଗକୁ ସମଗ୍ର ଅଞ୍ଚଳ ପାଇଁ ଏକ ମଡେଲ ଭାବରେ ପ୍ରଶଂସା କରାଯାଇଛି।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଭାରତ-ମାଲଦ୍ୱୀପ ସହଭାଗିତାରେ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। ସେ କହିଛନ୍ତି ଯେ ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ଦକ୍ଷତା ବିକାଶ ବୁଝାମଣା ସଂପର୍କକୁ ଆହୁରି ଦୃଢ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ନୂଆଦିଲ୍ଲୀ ଯିବେ ଓଡିଶାର ୨୬ ଜଣ ବିଧାୟକ, ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାର ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏଗି ଗସ୍ତର କାରଣ ହେଲା ଏମାନେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କୁ ଅଭିନ୍ନଦନ ଜଣାଇବେ। ଏହି ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଏହାପରେ ୪ ତାରିଖରେ ଏମାନେ ଫେରି ଆସିବେ।

ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ଏହି ଦଳ ଗସ୍ତ କରିବ। ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ। ଏହି ଗସ୍ତର ସମସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ହେଲେ ଓଡିଆ ଅଫିସର ବିଜୟ ନାୟକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ଅଫିସର ବିଜୟ ନାୟକ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ତାଙ୍କର ଦକ୍ଷତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଥିଲେ।

ବରିଷ୍ଠ ଓଏଏସ ଅଫିସର ବିଜୟ ନାୟକ ଅବସର ପରେ ସେ ଓଡିଆ ବିଶ୍ବବିଦ୍ୟାଳୟର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ ଗତମାସରେ ଏହି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ବରେ ରହିଥିଲେ। ବିଜୟ ନାୟକ ଜଣେ ଅଫିସର ଭାବେ ଯେତିକି ପରିଚିତ ସେହିପରି ଜଣେ ସାହିତ୍ୟିକ ଭାବେ ମଧ୍ୟ ସେତିକି ପରିଚିତ। ସେ କାହାଣୀ ନାମିତ ଏକ ପତ୍ରିକା ପ୍ରକାଶନ କରୁଛନ୍ତି।

ଏହି ନୂଆ ନିଯୁକ୍ତି ନେଇ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ପ୍ରଦାନ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଓଡିଶା ବିଧାନସଭା ତରଫରୁ ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ବର: ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଓଡିଶା ବିଧାନସଭା ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯିବ। ସେଥିପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ପ୍ରାୟ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏମାନେ ଆସନ୍ତା ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ୪ ତାରିଖରେ ଫେରି ଆସିବେ।

ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ।

ଏହା ଦ୍ବାରା ଆସନ୍ତାକାଲି ଅର୍ଥାତ ୧ ତାରିଖରେ ବିଧାନସଭା ବନ୍ଦ ହୋଇଯିବ। ଏହି ଅଧିବେସନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀ ଯାଉଥିବାରୁ ଆଉ ବିଧାନସଭା ଚାଲିପାରିବ ନାହିଁ ବୋଲି ଜଣପଡିଛି। ବିଧାୟକମାନଙ୍କର ଏହି ଗସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ଯୋଗାଇ ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ, ସଂସଦ ଓ ବିଧାନସଭା ମୁଲତବି

ଭୁବନେଶ୍ବର: ଆଜି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନକୁ ନେଇ ହଟ୍ଟଗୌଳ ହୋଇଛି। ଏହାକୁ ନେଇ ସଂସଦରେ ବିଜେପି ମହିଳା ସାଂସଦମାନେ ପ୍ରବଳ ବିରୋଧ କରିଛନ୍ତି।

ଆଜି ସଂସଦ କାର୍ଯ୍ୟ ସମୟରେ ଅଧୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ମତିଇରାନୀ ପ୍ରମୁଖ ମହିଳା ସାଂସଦମାନେ ହଟ୍ଟଗୋଳ କରିଥିଲେ। ପରେ ସବୁ ମହିଳା ସାଂସଦ ଏକାଠି ହୋଇ ଏହାର ତୀବ୍ର ବିରୋଧ କରିଥିଲେ। ତୁରନ୍ତ ଅଧୀର ରଂଜନ ସଂସଦରେ କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ।

ପରବର୍ତ୍ତି ସମୟରେ ରାଜ୍ୟସଭାରେ ମଧ୍ୟ ଏହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା। ଅଧୀର ରଂଜନ ରାଷ୍ଟ୍ରକୁ ଅପମାନିତ କରିଛନ୍ତି ବୋଲି କହିଥିଲେ। ସାଂସଦ ତୁରନ୍ତ ତାଙ୍କର ବକ୍ତବ୍ୟ ଫେରାଇ ନେବା ସହିତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ। ସଂସଦରେ ଏପରି ହାଙ୍ଗାମା ଦ୍ବାରା ଉଭୟ ଗୃହକୁ ମୁଲତବୀ ରଖାଯାଇଛି।

ଏପଟେ ବିଧାନସଭାରେ ମଧ୍ୟ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ ଝଡ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ସଦସ୍ୟ କଂଗ୍ରେସ ହାଏ ହାଏ କରି ଗୃହ ଭିତରେ ହାଙ୍ଗାମା କରିଥିଲେ। ବିଜେପି ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ।

ଗୃହ କାର୍ଯ୍ୟ ସ୍ବାଭାବିକ କରିବା ଲାଗି ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ। ନିଜ ସ୍ଥାନକୁ ଫେରି ଯାଇ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀ ଦଳ ବିଧାୟକଙ୍କୁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରି ରହିଥିଲା।  ଫଳରେ ବାଚସ୍ପତି ଗୃହକୁ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭବନରେ ଭେଟାଭେଟି ହେଲେ ସର୍ବୋଚ୍ଚ ପଦରେ ଥିବା ଦୁଇ ଓଡିଆ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ଭାଟଭେଟି ହୋଇଛନ୍ତି ସର୍ବୋଚ୍ଚ ପଦରେ ଥିବା ଦୁଇ ଓଡିଆ। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଗତକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ସୌଜନ୍ୟ ସାକ୍ଷାତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଶ୍ବଭୂଷଣ ଅନ୍ୟତମ।

ବିଶ୍ବଭୂଷଣ ଏବଂ ଦ୍ରୌପଦୀ ମୁର୍ମୁ ଉଭୟ ଓଡିଶା ବିଜେପିରୁ ରାଜନୀତିରୁ ଏହି ସ୍ତରକୁ ଉଠିଛନ୍ତି। ଉଭୟ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ରହିଥିଲେ। ସେହିପରି ଦ୍ରୌପଦୀ ମୁର୍ମୁ ଯେପରି ରାଜ୍ୟପାଳ ଥିଲେ ବିଶ୍ବଭୂଷଣ ମଧ୍ୟ ରାଜ୍ୟପାଳ ହୋଇଛନ୍ତି। ଉଭୟ ବେଶ କିଛି ସମୟ ଧରି ପୁରୁଣା ସ୍ମତି ରୋମନ୍ଥନ କରିଥିଲେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ସେଠାରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତ।

ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ। ଗତକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସଂସଦ ଭବନରେ ସାକ୍ଷାତ କରିଥିଲେ। ହେଲେ ସେ ଏକାକି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଆଜି ମୋଦୀ ରାଷ୍ଟ୍ରପତି ଭବନ ଯାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କାରଗିଲ ବିଜୟ ଶୁଭେଚ୍ଛା ଦେଇ ଆଜିଠାରୁ କାମ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି କାରଗିଲ ବିଜୟ ଦିବସ। ଏହି ଉପଲକ୍ଷେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଗତକାଲି ସେ ଶପଥ ନେବା ପରେ ଆଜି ସକାଳୁ ସେ ପ୍ରଥମେ ଏହି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଆଜି ସେ ତାଙ୍କର ରାଷ୍ଟ୍ରପତି କାର୍ଯ୍ୟାଳୟକୁ ଯାଇ ବିଧିବିଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ ଏବଂ ନିଷ୍ଠାର ପ୍ରତୀକ। ମୁଁ ସମସ୍ତ ସାହସୀ ସୈନିକଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି। ସମସ୍ତ ଦେଶବାସୀ ତାଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ। ଜୟ ହିନ୍ଦ!