Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ଚୋରୀ ଘଟଣା: ଦୁଇ ଗିରଫ, ସମସ୍ତ ସୁନା ଅଳଙ୍କାର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁ ବଡ ସଫଳତା ମିଳିଛି। ଓଡିଶା ପ୍ରସିଦ୍ଧ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରରୁ ସୁନା ଅଳଙ୍କାର ଚୋରୀ ଘଟଣାରେ ୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହାସହିତ ମନ୍ଦିରରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏ ନେଇ ଟାଙ୍ଗୀ ଥାନା ପରିସରରେ ଅତିରିକ୍ତ ଏସ୍ ପି କିଶୋର ଚନ୍ଦ୍ର ମୁଣ୍ଡ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି।

ତେବେ ଗିରଫ ଅଭିଯୁକ୍ତ ଦୁହେଁ ନିରାକାର ପୁର ଅଂଚଳର ବାଇଧର ପ୍ରଧାନ (୨୨) ଓ ସୁକାନ୍ତ ପ୍ରଧାନ (୩୩) ବୋଲି ଜଣାପଡିଛି।

ଆଜିର ଏହି ପ୍ରେସ୍ ମିଟ୍ ରେ ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହ ଡି ଏସ୍ ପି ମୀନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେ୍ରା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୩୦ ତାରିଖ ରାତିରେ ମନ୍ଦିରରୁ ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ମନ୍ଦିର ଭିତରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଚୋରୀ ହୋଇଥିଲା। ଏହାପରେ ଟାଙ୍ଗୀ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତେବେ ମାତ୍ର ଦୁଇ ଦିନ ମଧ୍ୟରେ ପୋଲିସ ଏହି ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଏବଂ ସମସ୍ତ ସୁନା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ ହୋଇଥିବା ଖବର ହସ୍ତଗତ ହୋଇଛି। ଗତ କାଲି ରାତିରେ ସେଠାରୁ ଚୋରୀ ହୋଇଥିବା ଜଣାପଡିଛି।

ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ୍ ପହଂଚି ତଦନ୍ତ କରୁଛି।

ତେବେ ଗତ କିଛି ଦିନ ତଳେ ୫-ଟି ସଚିବ ମନ୍ଦିରରେ ପହଂଚି ମା’ଙ୍କ ମନ୍ଦିରର ଉନ୍ନତିକରଣ କରିବା ପାଇଁ ସମିକ୍ଷା କରିଥିଲେ। ମା’ଙ୍କ ମନ୍ଦିର ର ଉନ୍ନତି କରଣ ପାଇଁ ଅନୁଦାନ ମଂଜୁର ମଧ୍ୟ ହୋଇସାରିଛି।

Categories
DurgaPuja2021 ଆଜିର ଖବର ଧର୍ମ ବିଶେଷ ଖବର ସଂସ୍କୃତି

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ କରାଯାଏ।

ବିଶ୍ୱରେ ଐକ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚମ ଦିନ “ସ୍କନ୍ଦମାତା”ବେଶରେ ବେଶ କରାଯାଇ ମହାପୂଜା ଏବଂ ହୋମ କରାଯାଏ। ଭକ୍ତ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଷଷ୍ଠ ଦିନ ଦେବୀଙ୍କୁ “କାତ୍ୟାୟନି”ରୂପରେ ବେଶ କରାଯାଇ ତ୍ରିକାଳ ପୂଜା କରାଯାଏ। ଭକ୍ତ ମାନଙ୍କର ପରିବାର ମଙ୍ଗଳ ପାଇଁ ସପ୍ତମ ଦିନ ଦେବୀଙ୍କୁ “କାଳରାତ୍ରୀ”ବେଶରେ ସଜ୍ଜାଯାଇ ଦ୍ରବ୍ୟପୂଜା ଓ ହୋମ କରାଯାଏ। ଭକ୍ତ ମାନଙ୍କର ହୃଦୟରୁ ସଡ଼ରିପୁ ନାଶନ ପାଇଁ ଅଷ୍ଟମ ଦିନ ଦେବୀଙ୍କୁ “ଗୌରୀ”ବେଶରେ ବେଶ କରାଯାଇ ଫଳ ପୂଜା ଏବଂ ହୋମ କରାଯାଏ।

ଶେଷରେ ବିଶ୍ୱର ପ୍ରତ୍ୟେକ ଜୀବର ମଙ୍ଗଳ କାମନା ପାଇଁ ନବମ ଦିବସରେ ଦେବୀଙ୍କୁ “ମହାମାୟା” ବେଶରେ ସଜ୍ଜାଯାଇ ମତ୍ସ୍ୟ, ମାଂସ, ମଦ, ମୁଦ୍ରା ଓ ମୈଥୁନ ଆଦି ପଞ୍ଚ ‘ମ’ କାରରେ ପୂଜା କରାଯାଏ।

Categories
ଆଜିର ଖବର ଆଞ୍ଚଳିକ

କୋଭିଡ଼ କଟକଣା ଭିତରେ ସଫଳତାର ସହ ପାଳିତ ହେଲା ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଆଜି ଅପରାହ୍ନରେ ସମାପନ ହୋଇଯାଇଛି। ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ମେଳଣ ଉତ୍ସବ ପରେ ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଛି।

ବଢୁଥିବା କୋଭିଡ ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ଯାତ୍ରାରେ ଭକ୍ତଙ୍କ ଆଗମନ ଉପରେ ରୋକ ଲଗାଇଥିବାବେଳେ ସେବକ ମାନକ ସଂଖ୍ୟା ମଧ୍ୟ କାଣ୍ଟଛାଣ୍ଟ କରିଥିଲା। ଯାହାଫଳରେ ଚଳିତ ବର୍ଷ ପଞ୍ଚଦୋଳ ଯାତ୍ରା ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ବାଣପୁର, ବାଲୁଗାଁ ତଥା ଚିଲିକା ଅଞ୍ଚଳର ହଜାର ହଜାର ଜନସାଧାରଣ ମାନେ ମୁଣ୍ଡପୋତି ପ୍ରଶାସନର ଉକ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଘରେ ରହିଥିଲେ।

ଶୁକ୍ରବାର ସଂଧ୍ୟାରୁ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ଗାଲୁଆ ଛକଠାରୁ ପଞ୍ଚଦୋଳ ପଡ଼ିଆ ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଏବଂ ଜନସାଧାରଣ ମାନେ ସ୍ୱତଃପ୍ରବୃତ ଭାବେ ବହୁ କଷ୍ଟ ସହି, ଭଗବାନଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟାଏ କଥା କିଭଳି ଯାତ୍ରା ରୀତିନୀତି ଅନୁଯାୟୀ ସୁରୁଖୁରୁରେ ଅନୁଷ୍ଠିତ ହେଉ।

ଚଳିତ ବର୍ଷ ଉକ୍ତ ଯାତ୍ରାକୁ ସଫଳ କରିବାକୁ ଦିନରାତି ଏକ କରି ଦେଇଥିଲା ପଞ୍ଚଦୋଳ କମିଟି ଏବଂ ପୋଲିସ ପ୍ରଶାସନ। କାରଣ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ପଡିଆକୁ ବାରଣ କରି ପଞ୍ଚଦୋଳ ଉତ୍ସବ ଅନୁଷ୍ଠିତ କରିବା ଉଭୟଙ୍କ ପକ୍ଷରେ ଏକ ବଡ଼ ଚାଲେଞ୍ଜ ଥିଲା।

ଗୋଟିଏ ପକ୍ଷେ କେବଳ ରୀତିନୀତି ଅନୁଯାୟୀ ଉତ୍ସବ ଅନୁଷ୍ଠିତ ପାଇଁ ପଞ୍ଚଦୋଳ କମିଟି ଗୋଟାଏ ପରେ ଗୋଟାଏ ପ୍ରଥାର ତ୍ୟାଗ କରିଚାଲିଥିବା ବେଳେ ଅପରପକ୍ଷେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଖୋଦ ବାଲୁଗାଁ ଏସଡ଼ିପିଓ।

ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସି ବ୍ୟକ୍ତିଗତ ଭାବେ ଗତ ଦୁଇ ଦିନ ହେଲା ଦିନରାତି  ପଞ୍ଚଦୋଳ ପଡିଆରେ ଡେରା ପକାଇ ବସିଥିଲେ। ଯାହାଦ୍ୱାରା ପୋଲିସ କର୍ମଚାରୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି ହୋଇଥିଲା ଏବଂ ସମସ୍ତେ ମିଳିମିଶି ଏଭଳି ଏକ ବଡ଼ ଉତ୍ସବକୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଆୟୋଜନ କରିପାରିଲେ।

କମିଟିର ସମସ୍ତ ସଭ୍ୟମାନେ କିପରି ଐତିହାସିକ ପଞ୍ଚଦୋଳ ସୁଚାରୁରୂପେ ସମ୍ପାଦନ ହେବ ସେଦିଗରେ ଯଥେଷ୍ଟ ପ୍ରଚେଷ୍ଟିତ ଥିଲେ। ମୋଟାମୋଟି କହିବାକୁ ଗଲେ କମିଟି ଏବଂ ପୋଲିସ ପ୍ରଶାସନର ସୁନ୍ଦର ସମନ୍ୱୟ ଲାଗି ଚଳିତ ବର୍ଷ କୋଭିଡ କଟକଣାରେ ଐତିହାସିକ ବାଣପୁର ପଞ୍ଚଦୋଳ ଅନୁଷ୍ଠିତ ହୋଇପାରିଲା।

ତେବେ ସର୍ବଶେଷରେ ପୋଲିସ ପ୍ରଶାସନ ଏବଂ କମିଟି ପ୍ରଶାସନ ଉତ୍ସବର ସମସ୍ତ ଶ୍ରେୟ ବାଣପୁର ଜନସାଧାରଣଙ୍କୁ ଦେଇଛନ୍ତି। କାରଣ ଭଗବାନଙ୍କ ଠୁ ଦୁରେଇ ରହି ମଧ୍ୟ ଭକ୍ତମାନେ ସହଯୋଗ କରିଥିବାରୁ ଉକ୍ତ ଉତ୍ସବ ସୁରୁଖୁରୁରେ ସମ୍ପାଦନ ହୋଇପାରିଲା। ଏହାସହ ପଞ୍ଚଦୋଳ କମିଟି ପୋଲିସ ପ୍ରଶାସନ ଏବଂ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛି। ତେବେ  ୨୦୨୧ ପଞ୍ଚଦୋଳ ବାଣପୁର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ ଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା।

ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ।

ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ ରୀତିନୀତି ହେବା ପାଇଁ ସ୍ଥିର ହୋଇଛି।

କ’ଣ ରହିଛି କଟକଣା?: 

୧- ପ୍ରତ୍ୟେକ ଦୋଳ/ବିମାନ ବାହାନକୁ ଧରି ସୀମିତ ସେବାୟତଙ୍କୁ ନେଇ(କମିଟି ଦ୍ୱାରା ନିର୍ଦ୍ଧାରିତ) ପଡିଆକୁ ଆସିବେ।

୨- ବିମାନଯାତ୍ରା ସହ କୌଣସି ଆତସ ବାଜି, ପଟୁଆର, ରୋଷଣୀ, ଡ଼ିଜେ ଓ ଜେନେରେଟର ଆଣିବାକୁ ବାରଣ କରାଯାଇଛି।

୩- କେବଳ ସୀମିତ ସଂଖ୍ୟାରେ (କମିଟି ଦ୍ୱାରା ନିର୍ଦ୍ଧାରିତ) ଘଣ୍ଟ, କାହାଳି, ଦିହୁଡି, ପୂଜକ ସେବକ ପଡିଆକୁ ଆସିବେ।

୪- ଯାତ୍ରା ଦିନ ପଡିଆର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ।

୫- ମିନାବଜାର, ଉଠା ଦୋକାନ ଆଦିକୁ ମନା।

୬- ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି।

୭- କୋଭିଡ ଲକ୍ଷଣ ଥିବା ସେବାୟତ ପଡିଆକୁ ଆସିପାରିବେ ନାହିଁ।

୮- ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସମସ୍ତଙ୍କ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

୯- ସାଧାରଣ ଲୋକଙ୍କୁ ପଡିଆ ମଧ୍ୟକୁ ଯିବା ଅନୁମତି ନାହିଁ।

ଆସନ୍ତାକାଲି ସମ୍ପୂର୍ଣ୍ଣ କଟକଣା ବିବରଣୀ ପଞ୍ଚଦୋଳ କମିଟି ଦ୍ୱାରା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ସରକାରଙ୍କ ଦ୍ୱାରା ଯଦି କିଛି ନୂତନ ଗାଇଡଲାଇନ ଜାରି ହୁଏ, ତେବେ ସେହି ଗାଇଡଲାଇନ ଆଧାରରେ ଉକ୍ତ ନିୟମର ପରିବର୍ତ୍ତନ କରାଯିବ ବୋଲି କମିଟି ପ୍ରକାଶ କରିଛି।

 

ଉକ୍ତ ବୈଠକରେ ତହସିଲଦାରଙ୍କ ସମେତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର, ପଞ୍ଚଦୋଳ କମିଟି ଉପସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ବୀରଭଦ୍ର କାଣ୍ଡି, କମିଟି ସମ୍ପାଦକ ମାଧବ ଚନ୍ଦ୍ର ବାରିକ, କୋଷାଧକ୍ଷ ନବ ପ୍ରଧାନ, ସୁବ୍ରତ ଜେନା, ସହ ସମ୍ପାଦକ ମହେଶ୍ୱର ଜେନା, ଶେଖ୍ ମୋଇନିଉଲ୍ ହକ୍, ବାଣପୁର ଏବିଡ଼ିଓ ସୀମାଦ୍ରୀ ପାତ୍ର, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଜ, କେଦାରେଶ୍ୱର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ଦାସଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।