Categories
ଆଞ୍ଚଳିକ

ଚିଲିକା: ପଦ୍ମ ଛାଡି ଶଙ୍ଖ ଧରିଲେ ନିମିକ୍ଷେତା ପଞ୍ଚାୟତର ପୂର୍ବତନ ସରପଞ୍ଚ, କହିଲେ ଦଳ ଛାଡିବାର କାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଟାଣୁଆ ବିଜେପି ନେତ୍ରୀ ତଥା ତିନି ତିନି ଥର ବିଜେପି ସମର୍ଥିତ ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ୱାଇଁ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି। ସେ ଗତକାଲି ବିଧିବଦ୍ଧ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁଙ୍କୁ ପଚାରିବାରୁ ସେ ଦଳୀୟ ନେତୃତ୍ଵ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଶ୍ରୀମତୀ ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ସେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଥିଲେ ଏବଂ ଦଳର ସମର୍ଥନରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ଲଗାତର ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଥିଲେ। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ନିମିକ୍ଷେତା ପଞ୍ଚାୟତ ନିମନ୍ତେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାର ଆଶା ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏବଂ ସେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରୁଥିଲେ। ହେଲେ ଦଳୀୟ ନେତୃବୃନ୍ଦ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇ ଶେଷ ମୁହୂର୍ତ୍ତରେ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ଏବଂ ଅଞ୍ଜଳି ଅଳ୍ପ ଭୋଟ ବ୍ୟବଧାନରେ ପରାଜୟ ବରଣ କଲେ।

ସେବେଠାରୁ ଅଞ୍ଜଳି ନିରବ ରହିଥିବା ବେଳେ ଅଦ୍ୟାବଧି ତାଙ୍କୁ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ସାନ୍ତ୍ୱନା ମିଳୁନାହିଁ କି କୌଣସି ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡାକୁନାହାନ୍ତି। ତେଣୁ ଜନସେବା ଜାରି ରଖିବା ପାଇଁ ଏକ ରାଜନୈତିକ ଦଳର ସହଯୋଗ ନିହାତି ଦରକାର ବୋଲି ହୃଦୟଙ୍ଗମ କରିବା ସହ ବିଜେଡି ରେ ଯୋଗଦାନ କରିଥିବାର ଶ୍ରୀମତୀ ସ୍ଵାଇଁ କହିଛନ୍ତି।

ତେବେ ଅଞ୍ଜଳିଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଚିଲିକା ବିଜେପି ପାଇଁ ଏକ ବଡ କ୍ଷତି ହେବ ବୋଲି କୁହାଯାଉଛି। ଯଦି ଦଳୀୟ ନେତୃତ୍ଵ ଏହା ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ବିଜେପିର ଅନେକ ପୁରୁଖା କର୍ମୀମାନେ ଦଳ ଛାଡିବେ ବୋଲି ଅଞ୍ଜଳିଙ୍କ ସମର୍ଥକମାନେ ସତର୍କ କରାଇଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକା: ଭାଲେରୀ ଉଚ୍ଚ ବିଦ୍ୟାଳୟରେ ୨୦୦୧ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଚିଲିକା: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଚାଷଙ୍ଗରା ଗ୍ରାମସ୍ଥିତ ଭାଲେରୀ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ଆନନ୍ଦ ଉଲ୍ଲାସର ସହ ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ମା’ ତାରିଣୀ ଦେବୀଙ୍କ ପୀଠରେ ଏହି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।

ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଦୁଇ ଦଶନ୍ଧି ପରେ ଆୟୋଜନ ଜରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ନାହିଁ ନଥିବା ଉତ୍ସହ ଦେଖା ଦେଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତେ ସ୍କୁଲ୍ ଦିନର ଅଭୁଲା ଅତୀତର ସ୍ମୁତିକୁ ରୋମାଞ୍ଚନ କରିଥିଲେ।

ଏହି ଅବସରରେ ପିଲା ଦିନର ସ୍ମୁତିକୁ ଉଜ୍ଜୀବିତ ଜରିବା ପାଇଁ କବିତା, ନାଚ, ଗୀତ ଆୟୋଜନ କରାଯାଇଥିଲା। ଏଥିରେ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ହଜାଇ ଦେଇଥିଲେ। ଆସନ୍ତା ବର୍ଷ ଠାରୁ ପ୍ରତିବର୍ଷ ଏହିପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏଡିଏମ୍ ମନୋଜ ପାଢ଼ୀ, ଚିଲିକା ବ୍ଲକ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଡ଼ିଏସପି ଓମ ପ୍ରକାଶ ପାତ୍ର, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ବାଲୁଗାଁ ଏନଏସି ର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୧୫୭୫ ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ ଟି ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପ୍ରଶ୍ନର ଉତ୍ତର ଦେଇଥିଲେ। ଦୁଇ ଜଣ ହିତାଧିକାରୀଙ୍କୁ ରେଡ କ୍ରସ ପାଣ୍ଠିରୁ ୮୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଦିବ୍ୟାଙ୍ଗକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଜି ଦିନସାରା ଚିଲିକା ବ୍ଲକ ପରିସରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ, ବାଣପୁର, ଟାଙ୍ଗୀ ଆଇଆଇସି ଏବଂ କୁହୁଡି ଓ ନାଚୁଣୀ ଫାଣ୍ଡି ଅଧିକାରୀଙ୍କ ସମେତ ବହୁ ସବ ଇନ୍ସପେକ୍ଟର ମାନେ ନିୟୋଜିତ ହୋଇଥିଲେ।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବାଣପୁର ଓ ଚିଲିକା ବ୍ଲକର ମନରେଗା ଓ ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ରାଉତରାୟ ସମୀକ୍ଷା କରିଥିଲେ। ଅନୁରୂପ ଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅନ୍ତର୍ଗତ ଉଭୟ ବ୍ଲକରେ ୫ ଲକ୍ଷ ୭୫ ହଜାର ଗୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ ହାସଲ କରିବା ସହ ଡିସେମ୍ବର ମାସ ଶେଷ ସୁଦ୍ଧା ଉଭୟ ବ୍ଲକର ସମସ୍ତ ଗ୍ରାମଗୁଡିକୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଓଡ଼ିଏଫ ପ୍ଲସ ଗ୍ରାମ ଘୋଷଣା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ରାଉତରାୟ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଉଭୟ ବ୍ଲକର ବିଡ଼ିଓ, ଏଇଇ, ଜେଇ, ଏପିଓ, ଜିଆରଏସ, ପିଇଓ, ବିଆରସି ଏବଂ ଜିଲ୍ଲାସ୍ତରରୁ ଏମସି ଓ ସ୍ୱଚ୍ଛ ଭାରତ ମିଶନ ପରାମର୍ଶଦାତା ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗଦେଲେ ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ପୁର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୬ ବ୍ୟାଚ ର ଉକ୍ତ ଯୁବ ଓଏଏସ ଅଧିକାରୀ ୨୦୨୦ ମସିହାରୁ ବାଲିଗୁଡାରେ କାର୍ଯ୍ୟରତ ଥିଲେ।

ବିଶେଷ କରି କୋଭିଡ ପରିଚାଳନାରେ ଉଲେଖନୀୟ କାର୍ଯ୍ୟ କରି ଶ୍ରୀ ଷଡ଼ଙ୍ଗୀ ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତାଙ୍କର ବାଲିଗୁଡାରୁ ଚିଲିକାକୁ ବଦଳି ହୋଇଥିବା ବେଳେ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ।

ତେବେ ଚିଲିକା ବ୍ଲକରେ କ’ଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ସରକାରଙ୍କ ୫-ଟି ବ୍ୟବସ୍ଥାକୁ କିପରି ଠିକ ଭାବେ ଲାଗୁ କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଲାଞ୍ଚ ନେବା ବେଳେ ଟାଙ୍ଗି ପୋଲିସ ହାତରେ ଧରା ହେଲେ ସୂଚନା ଅଧିକାର କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତର ସୂଚନା କର୍ମୀଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଟାଙ୍ଗି ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ଏମବିକେ ଝରଣା ବେହେରା ଜିପିଏଲଏଫ ପକ୍ଷରୁ ଦୁଇ ମାସ ହେବ ନିଯୁକ୍ତି ପାଇ ତାଙ୍କର କାର୍ଯ୍ୟ କରିଆସୁଛନ୍ତି। ଉକ୍ତ ନିଯୁକ୍ତିରେ ଅନିୟମିତତା ହୋଇଥିବା ଚାରିଆଡେ ଆଲୋଚନା ହେବାଫଳରେ ଏନେଇ ସୋରଣ ଗ୍ରାମର ସୂଚନା ଅଧିକାର କର୍ମୀ ଲଳିତ ମହାରଣା ଚିଲିକା ବ୍ଲକକୁ ସୂଚନା ଆଇନ ଅଧିକାର ବଳରେ ସୂଚନା ମାଗିଥିଲେ। ଏବଂ ଏସମ୍ବନ୍ଧରେ ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ଉକ୍ତ ଘଟଣାକୁ ବିପିଏମ ପକ୍ଷରୁ ତଦନ୍ତ କରାଯାଇଥିଲା। ଏବଂ ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରାଯାଇଥିଲା। ମାତ୍ର ପୁଣିଥରେ ଏହି ଘଟଣାକୁ ନେଇ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପୁତନା ଗ୍ରାମର ଚିତରଞ୍ଜନ ପଟ୍ଟନାୟକ ଜିଲ୍ଲା ସୂଚନା ଅଫିସରେ ସୂଚନା ଅଧିକାର ଆଇନ ବଳରେ ସୋରଣ ପଞ୍ଚାୟତ ଏମବିକେ ଝରଣା ବେହେରାଙ୍କ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ମାଗିଥିଲେ।

ସୂଚନା ମାଗିବା ପରେ ଉକ୍ତ ସୋରଣ ପଞ୍ଚାୟତର ଏମବିକେ ଝରଣା ବେହେରାଙ୍କ ସ୍ୱାମୀ ସୁଧୀର କୁମାର ବେହେରାଙ୍କୁ ଫୋନ ମାଧ୍ୟମରେ ଲାଞ୍ଚ ମାଗିବା ସହ ଟଙ୍କା ନଦେଲେ ଚାକିରୀ ରହିବନି କହି ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ସୋରଣ ଗ୍ରାମ ଝାଂନସୀ ପଞ୍ଚାୟତ ସଭାପତି ସଂଯୁକ୍ତା ବେହେରାଙ୍କୁ ବାରମ୍ବାର ବ୍ଲକ ଓ ଜିଲ୍ଲା ଅଫିସରଙ୍କ ନାମ ନେଇ ଫୋନ ମାଧ୍ୟମରେ ସରକାରୀ କାମରେ ବାଧାପ୍ରାପ୍ତ କରାଇବା ସହ ଧମକ ଦେଉଥିଲେ।

ବାରମ୍ବାର ଫୋନ କରି ହଇରାଣ କରିବା ସହ ସୋରଣ ଗ୍ରାମର ଏମବିକେ ଝରଣା ବେହେରାଙ୍କ ସ୍ୱାମୀ ସୁଧୀର କୁମାର ବେହେରାଙ୍କ ଠାରୁ ଶନିବାର ଅପରାହ୍ନରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟାଙ୍ଗି ପୋଲିସ ହାତରେ ସୂଚନା ଅଧିକାର କର୍ମୀ ଶ୍ରୀ ପଟ୍ଟନାୟକ ଧରା ପଡ଼ିଥିଲେ।

ଏହି ଘଟଣାକୁ ନେଇ ପୋଲିସ ଟଙ୍କା ଜବତ କରିବା ସହ କେଶ ନଂ ୪୧୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଏସମ୍ବନ୍ଧରେ ଟାଙ୍ଗି ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ଏନେଇ ଅଧିକ ତଦନ୍ତ ଜାରିରହିଛି ଏବଂ ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଖୁବଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ନିରଞ୍ଜନ ସାହୁଙ୍କ ବାପା ରଙ୍କନାଥ ସାହୁଙ୍କୁ(୭୦) ପୂର୍ବ ଦିନର କୌଣସି ଏକ ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ମୁର୍ମୁଶୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପୁଅ ନିରଞ୍ଜନଙ୍କ ଏତଲା କ୍ରମେ ବାଲୁଗାଁ ପୋଲିସ କେଶ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳ: ବାଣପୁରରେ ପ୍ରଲିପ୍ତା ଓ ଚିଲିକାରେ ଅମ୍ଲାନ ଟପର

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ ବି-୨ ଗ୍ରେଡ଼ରେ ୪୭୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନର ପ୍ରଲିପ୍ତା ସାହୁ ସର୍ବାଧିକ ୫୭୪ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲି ସୋମନାଥ ଉଚ୍ଚ ବିଦ୍ୟାଳୟର ଅମ୍ଲାନ ଶତପଥି ସର୍ବାଧିକ ୫୮୩ ମାର୍କ ରଖି ଟପର ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ସମ୍ମୁଖରେ ହରିପୁର ସରପଞ୍ଚ ସମେତ ଶତାଧିକ ଜନତାଙ୍କ ବିକ୍ଷୋଭ

ସୀତାରାମ ଅଗ୍ରୱାଲ

ଚିଲିକା: ଗୁରୁବାର ପୂର୍ବାହ୍ନରେ ହରିପୁର ପଂଚାୟତର ନବନିର୍ବାଚିତ ସରପଞ୍ଚଙ୍କ ସମେତ ଶତାଧିକ ଲୋକ ଚିଲିକା ବ୍ଲକ ସମ୍ମୁଖରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ ଜନସାଧାରଣଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେବା ସହ ସରକାରଙ୍କ ଧାର୍ଯ୍ୟ ୬ ଟି ପ୍ରକଳ୍ପ ଅଦ୍ୟାବଧି ସାଧିତ ହୋଇପାରୁନଥିବା ନେଇ ଚିଲିକା ମଣ୍ଡଳ ଉନ୍ନୟନ ଅଧିକାରୀଣି ୨୦/୦୬/୨୦୨୨ ରେ ଚିଠି ନଂ ୧୭୬୧ ରେ ନବନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କୁ ଅବଗତ କରାଇଥିଲେ।

ଏଥିସହିତ ୦୪/୦୬/୨୦୨୨ ରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଂଚାୟତ ନିରୀକ୍ଷଣ କରିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁଁ ତାହା ସମ୍ପାଦନ ହୋଇପାରିନଥିଲା।ଯାହାଫଳରେ ବିଡ଼ିଓ ଡ଼ା ସୁଷମା ବାରିକ ଏସମ୍ବନ୍ଧରେ ଉପରିସ୍ଥ ଅଧିକାରୀ ଜିଲ୍ଲା ପଞ୍ଚାୟତ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ସରପଞ୍ଚ ଶ୍ରୀମତୀ ବେହେରା ତାଙ୍କ ଚାରି ମାସ କାର୍ଯ୍ୟକାଳ ମଧ୍ୟରେ ଧାର୍ଯ୍ୟ ଉକ୍ତ ୬ ପ୍ରକଳ୍ପ ସମ୍ବନ୍ଧରେ କୌଣସି ନଥିପତ୍ର ପାଇନଥିବା ବେଳେ ପଞ୍ଚାୟତ ନିରୀକ୍ଷଣ ନେଇ କୌଣସି କର୍ମଚାରୀ ସୂଚନା ଦେଇନଥିବା ଅଭିଯୋଗ କରିଛନ୍ତି।

ଏଥିସହିତ ପଞ୍ଚାୟତ ପିଇଓ ରବୀନ୍ଦ୍ର ପୃଷ୍ଟି ମନଇଚ୍ଛା କାର୍ଯ୍ୟାଳୟକୁ ଆସିବା ଏବଂ ନିଜ ଇଛା ମୁତାବକ କାର୍ଯ୍ୟ ସମ୍ପାଦନ କରିବା ନେଇ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସରପଞ୍ଚଙ୍କ ସମେତ ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଶତାଧିକ କର୍ମୀ ଚିଲିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବାସହ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯଦି ଉଚିତ ନ୍ୟାୟ ନମିଳେ ତେବେ ଆଗାମି ଦିନରେ ଏହାକୁ ତୀବ୍ରତର କରାଯିବ ନେଇ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ସରପଞ୍ଚ ଉକ୍ତ କାର୍ଯ୍ୟଗୁଡ଼ିକ ବିଷୟରେ ଅବଗତ ଅଛନ୍ତି ଏବଂ ଜାଣି ଶୁଣି ବିଲ ପାସ କରୁନଥିବାର କହିଛନ୍ତି।

ତେବେ ପୁଣି ଆସନ୍ତାକାଲି ଏ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ପୁଣି ଚିଠି କରାଯିବା ସହ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡ଼ିଓ ଡ଼ା ବାରିକ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ମିଥ୍ୟା ପୋଲିସ କେସ ଧମକ

ସୀତାରାମ ଅଗ୍ରୱାଲ

ଚିଲିକା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପିଆଇଓ ସୂଚନା ଦେବା ପରିବର୍ତ୍ତେ ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେଉଥିବାର ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଚିଲିକା ବ୍ଲକର ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ ଜରିଆରେ ସୂଚନା ଅଧିକାର କର୍ମୀ ପ୍ରଦୀପ ବେହେରା ଗତ ୦୮/୧୧/୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ବ୍ଲକ ସମ୍ବନ୍ଧୀୟ ତଥ୍ୟ ମାଗିଥିବାବେଳେ ଅଦ୍ୟାବଧି ଶ୍ରୀ ସୁବୁଦ୍ଧି ତାହା ନଦେଇ ଓଲଟା ଯୁକ୍ତି କରୁଛନ୍ତି।

ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ କହିବା କଥା ପ୍ରଦୀପ ବେହେରା ମାଗିଥିବା ସୂଚନା ଯେତେ ସମ୍ଭବ ଦିଆଯାଇଛି। ଏଥିସହିତ ୨୦/୧୨/୨୦୨୧ରେ ସମ୍ପୃକ୍ତ ସୂଚନା କର୍ମୀ ପ୍ରଥମ ଅପିଲ ବିଡ଼ିଓଙ୍କ ନିକଟରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏନେଇ ୧୭/୦୧/୨୦୨୨ରେ ଅଭିଯୋଗକାରୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ୫ମାସ ବିତିବାକୁ ଗଲାଣି ତଥାପି ନାଁ ମିଳୁଛି ସୂଚନା, ନାଁ ସମ୍ପୃକ୍ତ ପିଆଇଓ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କିନ୍ତୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସୂଚନା ଅଧିକାରୀ ଯଦି ୩୦ ଦିନ ମଧ୍ୟରେ ସୂଚନା ଦେବାକୁ ଅସମର୍ଥ ହୁଅନ୍ତି, ତେବେ ସୂଚନା ଅଧିକାର ଆଇନ ଧାରା ୭ (୬) ଅନୁଯାୟୀ ବିନା ଦେୟରେ ଉପରିସ୍ଥ ଅଧିକାରୀ ସୂଚନା ଯୋଗାଇ ଦେବେ ଏପରିକି ଧାରା ୨୦ (୧) ଅନୁଯାୟୀ ଉକ୍ତ ସୂଚନା ଅଧିକାରୀଙ୍କ ଦରମାରୁ ପ୍ରତେକ ଦିନ ୨୫୦ ଟଙ୍କା ଲେଖାଏଁ କଟା ଯିବ ଏବଂ ଧାରା ୨୦ (୨) ଅନୁସାରେ ଉକ୍ତ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ପ୍ରଣୟନ କରାଯାଇଛି। ଯାହାକି ଆଇନ କାଗଜ କଲମରେ ସୀମିତ ରହିଥିବା ନେଇ ଚର୍ଚ୍ଚା ହେଉଛି।

ଏନେଇ ଚିଲିକା ବ୍ଲକ ସୂଚନା ଅଧିକାରୀ ଶ୍ରୀ ସୁବୁଦ୍ଧିଙ୍କୁ ଯୋଗାଯୋଗ କରି କେଉଁ ଆଧାରରେ ସୂଚନା ଦେବାକୁ ମନା କରୁଛନ୍ତି ପଚାରିବାରେ ପ୍ରତିଉତ୍ତରରେ ଯେତେ ସମ୍ଭବ ତଥ୍ୟ ଦିଆଯାଇଛି ଏବଂ ବାକି ତଥ୍ୟ ବିଡିଓଙ୍କୁ ଅଭିଯୋଗକାରି ମାଗନ୍ତୁ ବୋଲି କହିଛନ୍ତି। ଏପରିକି ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିବା ସହ ମିଥ୍ୟା ପୋଲିସ କେସର ଧମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରି ଶ୍ରୀ ବେହେରା।

ସୂଚନା ଅଧିକାର ଆଇନ ବଳରେ ଯଦି ଜଣେ ସାଧାରଣ ବ୍ୟକ୍ତି ସୂଚନା ମାଗେ ତେବେ ସୂଚନା ନପାଇ ଓଲଟା ସୂଚନା ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି, ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ଯଥାଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ଅଭିଯୋଗ କାରୀଙ୍କୁ ନ୍ୟାୟ ପ୍ରଦାନ ଏବଂ ସରକାରୀ କାର୍ଯ୍ୟରେ ଖିଲାପ କରିଥିବା ଜନୈକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତତସହିତ ଆଗାମୀ ୧୩ ତାରିଖରେ ଜିଲ୍ଲାପାଳ ଚିଲିକା ବ୍ଲକ ଜନଶୁଣାଣି ପାଇଁ ଆସୁଥିବା ବେଳେ ଅଭିଯୋଗକାରି ପ୍ରଦୀପ ବେହେରା ଜିଲ୍ଲାପାଳଙ୍କ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣାରେ ବସିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ

ସୀତାରାମ ଅଗ୍ରୱାଲ

ଚିଲିକା: ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଂଜନପୁର, ଚିଲିକା ସରକାରୀ ଉପ୍ରା ବିଦ୍ୟାଳୟରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। ବିଗତ ବର୍ଷ ଠାରୁ ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ପିତାଙ୍କ ସ୍ମୃତିକୁ ବଜାୟ ରଖିବା ତଥା ଛାତ୍ରଛାତ୍ରୀମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିର ସ୍ଥାୟୀ କରିବା ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିଆସୁଛନ୍ତି।

ବୃତ୍ତି ବାବଦକୁ ପ୍ରଥମ ମେଧାବିଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଦିଆଯାଉଥିବାବେଳେ ଦ୍ଵିତୀୟ ମେଧାବିଙ୍କୁ ୭୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଏବଂ ତୃତୀୟ ମେଧାବିଙ୍କୁ ୫୦୦ ଟଙ୍କା ସହ ମାନପତ୍ର , ଟ୍ରଫି ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ର ଭାବେ ଅଂଶୁମାନ ବାରିକ, ଦ୍ୱିତୀୟ ମେଧାବୀ ଛାତ୍ର ଭାବେ ପ୍ରଣବ ଦଳେଇ ଏବଂ ତୃତୀୟ ମେଧାବୀ ଛାତ୍ରୀ ଭାବେ ଶୁଭଶ୍ରୀ ଜାଲିଙ୍କୁ ପୁରସ୍କୃତ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁବନ୍ଦନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ପ୍ରହରାଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରିରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟାଁସି ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା ବ୍ଲକରେ ଆୟୁଷ୍ମାନ ଭାରତ ହେଲଥ ମେଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ଆୟୁଷ୍ମାନ ଭାରତ ହେଲଥ ମେଳା। ବଡ଼କୁଳ ସ୍ଥିତ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଉକ୍ତ ମେଳା। ଏହାକୁ ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସନା ବେହେରା, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ ସାଂସଦ ପ୍ରତିନିଧି ପ୍ରବାସ ସୁନ୍ଦରାୟ ମିଳିତ ଭାବେ ଉଦଘାଟନ କରିଥିଲେ।

ଉକ୍ତ ହେଲଥ ମେଳାରେ ବିଭିନ୍ନ ବିଭାଗର ୧୦ ଜଣ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ୭୦୦ ଜଣ ଲାଭାର୍ଥୀ ଏହାର ଲାଭ ଉଠାଇଥିଲେ। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ନିଃଶୁଳ୍କ ମେଡ଼ିସିନ ମଧ୍ୟ ପ୍ରଦାନ କରାଯାଇଥିଲା। ରକ୍ତଚାପ, ମଧୁମେହ, ହେମୋଗ୍ଲୋବିନ, ଆଖି ମଧ୍ୟ ପରୀକ୍ଷା କରାଯାଇଥିଲା ଏହି ହେଲଥ ମେଳରେ। ଯୋଗ ଏବଂ ଲୋକନୃତ୍ୟ ସାହାଯ୍ୟରେ ସବୁ ପ୍ରକାର ରୋଗ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଠାରୁ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାପଡିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ କୁମାର ଦାସ ଯୋଗ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ବ୍ଲକ ଆକାଉଣ୍ଟ ମ୍ୟାନେଜର ସନ୍ତୋଷ ରାମ,ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ଚିଲିକା ସିଡ଼ିପିଓ ଅନୁସୂୟା ମିଶ୍ର, ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ, ବାଲୁଗାଁ ଏନଏସି ର ସବୁ କାଉନସିଲର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୨୦ ତାରିଖରେ ଚିଲିକା ବ୍ଲକରେ ହେଲଥ ମେଳା

ସୀତାରାମ ଅଗ୍ରୱାଲ

ଚିଲିକା: କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବା ବେଳେ ନାଗରିକମାନଙ୍କ ପାଇଁ ଏକାଧିକ ଯୋଜନା ମଧ୍ୟ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’।

ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ ଚିଲିକା ବିଡ଼ିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଡ଼ା ସୁଷମା ବାରିକ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ବୁଧବାର ଦିନ ବଡ଼କୁଳ ସ୍ଥିତ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର ହୋଇଛି।

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ ମେଡ଼ିସିନ, ସର୍ଜରୀ, ଗାଇନିକ, ପେଡିଆଟ୍ରିକ, ଚର୍ମ, ଆଖି, କ୍ଲିନିକାଲ ସାଇକୋଲୋଜି, ଡେଣ୍ଟିଷ୍ଟ ଆଦି ପ୍ରମୁଖକୁ ମିଶାଇ ସମୁଦାୟ ୧୦ ଜଣ ବିଶେଷଜ୍ଞ ଜନସାଧାରଣଙ୍କ ଚିକିତ୍ସା ପାଇଁ ଉକ୍ତ ହେଲଥ ମେଳାକୁ ଆସିବେ ବୋଲି ଜଣାପଡିଛି।

ସେହିପରି ଭାବେ ସେଠାରେ ହିତାଧିକାରୀମାନେ ମାଗଣା ଆଖି, ରକ୍ତଚାପ ଏବଂ ମଧୁମେହ ପରୀକ୍ଷା ମଧ୍ୟ କରାଇପାରିବେ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ ରୁ ୧୧ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ହେଲଥ ମେଳା। ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି, ଖୋର୍ଦ୍ଧା ପକ୍ଷରୁ ଉକ୍ତ ସ୍ଥାନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ ବୋଲି ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ଡ଼ିପିଏଚଓ ଯୋଗ ଦେବେ ବୋଲି ସୂଚନା ମିଳିଛି। ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିର ସମସ୍ତ ଜନସାଧାରଣମାନେ ଉକ୍ତ ଆୟୁଷ୍ମାନ ଭାରତ ହେଲଥ ମେଳାରେ ଯୋଗ ଦେଇ ଏହାର ଫାଇଦା ନେବା ପାଇଁ ବାଲୁଗାଁ ମେଡିକାଲ ଅଧିକାରୀ ସମସ୍ତଙ୍କୁ ଅପିଲ କରିଛନ୍ତି।

ବ୍ଲକ, ଏନଏସି ଏବଂ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳା ନିମନ୍ତେ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଅନୁରୂପ ଭାବେ ଆଜିଠାରୁ ଏଥି ଲାଗି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ମଧ୍ୟ ଆରମ୍ଭ କରାଯାଇଛି।

ଆଜିର ଏହି ବୈଠକରେ ତହସିଲଦାର ସୁରେଶ ପଣ୍ଡା, ସାଂସଦ ପ୍ରତିନିଧି ପ୍ରବାସ ସୁନ୍ଦରାୟ, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଲୁଗାଁ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ସିଡ଼ିପିଓ ଅନୁସୂୟା ମିଶ୍ର , ବିଇଓ ନଳିନୀକାନ୍ତ ମହାନ୍ତି, ଏବିଇଓ ବୈକୁଣ୍ଠନାଥ ପାଇକରାୟ ଏବଂ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼କୁଳର ପ୍ରଧାନ ଶିକ୍ଷକ ରାଜକିଶୋର ପ୍ରଧାନ ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ସମ୍ବର୍ଦ୍ଧିତ ହେଲେ ଦୁଇ ମହିଳା ସାଥି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ପରିସରରେ ପାଳିତ ହୋଇଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ବିଡ଼ିଓ ଡ଼ା ସୁଷମା ବାରିକଙ୍କ ପୌରାହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ବ୍ଲକ ସଭାଗୃହ ପରିସରରେ ପାଳିତ ହୋଇଯାଇଛି। ମହିଳାମାନେ ସମ୍ପ୍ରତି ସମାଜର ପ୍ରଗତିରେ ମୁଖ୍ୟ ଭୂମିକା ନିଭାଉଥିବା ବେଳେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ କମ ନୁହନ୍ତି। ତେଣୁ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଅବସରରେ ଆଜି ଦୁଇ ମହିଳା ସାଥିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।

ହରିପୁର ଗ୍ରାମ ପଞ୍ଚାୟତର ମିତା ମହାପାତ୍ର ଏବଂ କଳକଳେଶ୍ଵର ଗ୍ରାମ ପଞ୍ଚାୟତର ବାସନ୍ତୀ ବେହେରାଙ୍କୁ ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ଦୁଇ ମହିଳା ନିଜ ନିଜ ପଞ୍ଚାୟତରେ ବହୁ ମହିଳା ହିତାଧିକାରୀଙ୍କୁ ମନରେଗା ଯୋଜନାରେ ଯୋଡିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି।

ତତ ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ମଧ୍ୟ ନିଭାଇଛନ୍ତି। ସମଗ୍ର ଚିଲିକା ବ୍ଲକର ମହିଳାମାନଙ୍କ ପାଇଁ ଆଦର୍ଶ ପାଲଟିପାରିଛନ୍ତି ମିତା ଓ ବାସନ୍ତୀ।

ଆଜି ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ତ୍ରିପାଠୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରିଣୀ ରୋଜାଲିନ ଶ୍ରୀଚନ୍ଦନ, କନିଷ୍ଠ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର, ଭାସ୍କର ରଥ, କମ୍ପ୍ୟୁଟର ପ୍ରୋଗ୍ରାମର ତାପସ ପ୍ରଧାନ, ବିଭିନ୍ନ ଜିଆରଏସ ଓ ପିଇଓ ମାନେ ଉପସ୍ଥିତ ଥିଲେ।

Categories
PanchayatElection ଆଞ୍ଚଳିକ

ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚିଲିକା ବ୍ଲକରେ ମତ ଗଣନା, ଜନତା ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଜୋନ ନମ୍ବର ୪ ର ଜିଲ୍ଲାପରିଷଦ ସଦସ୍ୟ ଓ ଏହି ଜୋନ ଅଧିନସ୍ଥ ମୋଟ ୬ ଟି ପଞ୍ଚାୟତ ଯଥା ହରିପୁର, ନଇରୀ, ବଉଳାବନ୍ଧ, କୁମାଣ୍ଡୋଳପାଟଣା, ବିରିବାଡି, ଆଙ୍କୁଲା, ପଞ୍ଚାୟତର ଆଜି ମତ ଗଣନା ଚାଲିଛି। ଏଥିରେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଦସ୍ୟଙ୍କର ମତ ଗଣନା ସିମୀତ ଗଣନାକାରୀଙ୍କ ସହଯୋଗରେ ଚାଲିଥିବାରୁ ଏହି ଗଣନା ସୀମାତିରିକ୍ତ ବିଳମ୍ବିତ ହୋଇ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ଆଜି ସକାଳ ୮ ରୁ ଅଦ୍ୟାବଧି ରିପୋର୍ଟ ଲେଖା ସୁଦ୍ଧା ଉପରୋକ୍ତ ୬ଟି ବିଭିନ୍ନ ପଞ୍ଚାୟତର ୪ରୁ ୫ ଟି ଓ୍ବାର୍ଡର ମତ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ପଦର ପ୍ରତି ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣନା ଶେଷ ହେବାକୁ ରାତି ପାହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ମତଗଣନା ଚାଲିଥିବା ଚିଲିକା ବ୍ଲକ ଆଖପାଖ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ଦୋକାନ ବଜାର, ହୋଟେଲ ବନ୍ଦ ରହିଛି। ମତଗଣନା ଶୁଣିବାକୁ ବିଭିନ୍ନ ପଞ୍ଚାୟତରୁ ବିଭିନ୍ନ ପ୍ରାର୍ଥୀଙ୍କର ଶୁଭେଛ୍ଛୁ, ସମର୍ଥକ ଚିଲିକା ବ୍ଲକ ବାହାରେ ସାରା ଦିନ ଅପେକ୍ଷା କରି ଭୋକରେ ଛଟପଟ ହୋଇଥିଲେ।

ବ୍ଲକ ପ୍ରଶାସନ ପକ୍ଷରୁ ସମୟୋଚିତ ବିଭିନ୍ନ ପଦର ପ୍ରାର୍ଥୀଙ୍କର ଫଳାଫଳ ଗଣତି ସରିଥିବା ସୂଚନା ମିଳୁଥିଲେ ମଧ୍ୟ ଓ୍ବାର୍ଡ ମେମ୍ବର ପଦର ଫଳାଫଳ ବ୍ୟତିରକେ ଅନ୍ୟାନ୍ୟ ପଦର ଫଳାଫଳ ମାଇକ ଯୋଗେଁ ପ୍ରଚାର କରିବାକୁ ଉଦାସୀନ ରହିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ସଠିକ ସୂଚନା ପାଇବାକୁ ଅନ୍ଧାରରେ ରହିଥିଲେ।

ଏହି ସମୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ବ୍ଲକ ନୀରିକ୍ଷଣରେ ଆସିଥିବାବେଳେ ଅସନ୍ତୁଷ୍ଟ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ହସ୍ତକ୍ଷେପ ଚାହିଁ ଏବାବଦରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପଦର ପ୍ରାର୍ଥୀଙ୍କର ଫଳାଫଳ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ ଯୋଗେଁ ସୂଚନା ପ୍ରଦାନ କରାଯାଇଥିଲା।

ପ୍ରକାଶଥାଉକି ପାଖ ବାଣପୁର ବ୍ଲକରେ ରହିଥିବା ମତଗଣନା କେନ୍ଦ୍ରରେ ଫଳାଫଳ ଘୋଷଣା ଓ ଅନ୍ୟାନ୍ୟ ସୁବିଧା ବ୍ଲକ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ ରହିଥିବା ବେଳେ ଚିଲିକା ବ୍ଲକରେ ଫଳାଫଳ ଘୋଷଣାରେ ଅବ୍ୟବସ୍ଥା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି? ଆସନ୍ତାକାଲି ଓ ପରବର୍ତ୍ତୀ ଦିନ ମଧ୍ୟ ଆହୁରି ୧୧ ଟି ପଞ୍ଚାୟତର ମତଗଣନା ହେବାକୁ ଅଛି।

ଚିଲିକା ବ୍ଲକ ପରିସରରେ ମତଗଣନା ହେବାକୁ ଥିବାରୁ ଚିଲିକା ବ୍ଲକରେ ମତଗଣନା କେନ୍ଦ୍ରରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ସମୟୋଚିତ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାଣପୁର ବ୍ଲକ ଭଳି ସଠିକ ସୂଚନା ପ୍ରଦାନ କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ ହୋଇଛି।

Categories
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ଚିଲିକା ବ୍ଲକରେ ସରିଲା ମତଦାନ, ପୁରଷଙ୍କ ଠାରୁ ମହିଳା ଆଗରେ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବ୍ଲକର ୧୭ ଗୋଟି ପଂଚାୟତର ୨୨୫ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ତନ୍ମଧ୍ୟରୁ ପୁରୁଷ ମତଦାତା ୩୩ ହଜାର ୯ ଶହ ୬୩ ଜଣ ରହିଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ରହିଛି ୩୬ ହଜାର ୫ ଶହ ୮୩। ମୋଟ ମତଦାନ ପ୍ରତିଶତ ୭୩.୩୮ ଥିବା ଜଣାପଡ଼ିଛି।

ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସପି ସୁରେଶ ଦାସଙ୍କ ତତ୍ୱାବଧାନରେ ୪ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୧୭ ଜଣ ଏସଆଇ, ୨୫ ଜଣ ଏଏସଆଇ ଏବଂ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ତେବେ ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ଭୋଟରଙ୍କୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ: ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ। ଦୋକାନ ବଜାର ପଡିବ ନାହିଁ। ବିମାନ ସହିତ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତ ମାନଙ୍କୁ କୋଭିଡ ଟୀକା ଦିଆଯିବ। ୨୪ ଘଣ୍ଟା ପୋଲିସ ଏବଂ ମେଡିକାଲର ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟକାରୀ ହେବ।

ଆସନ୍ତାକାଲିଠାରୁ କଟକଣା ଗୁଡ଼ିକର ତହସିଲ ପ୍ରଶାସନ ଦ୍ୱାରା ପ୍ରଚାର ପ୍ରସାର ହେବ।  ପୋଲିସ ଦ୍ୱାରା ଯାତ୍ରା ସରିବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମଦ ଧରପଗଡ଼ ଅଭିଯାନ ଜାରି ରହିବ।  ବାହାରୁ ଯଦି କୌଣସି ବ୍ୟକ୍ତି ଯାତ୍ରା ସମୟରେ ଉକ୍ତ ଅଞ୍ଚଳକୁ ଆସିବେ ତେବେ ସେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ।

ଉକ୍ତ ବୈଠକରେ ବିଡ଼ିଓଙ୍କ ସହ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ହରିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ, ୨୨ ମୌଜା କମିଟି ସଭାପତି ଲଳିତ ମୋହନ ପଟ୍ଟନାୟକ, ଏଗାରଦୋଳ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକର ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ମିଶନ ଜୟ ଜଗନ୍ନାଥ ସଂଗଠନ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜିକାଲିର ସମାଜରେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିବା ସଂଗଠନ ମିଳିବା ଏକ ସ୍ଵପ୍ନ ସଦୃଶ। କିନ୍ତୁ ମିଶନ ଜୟ ଜଗନ୍ନାଥ ସଂଗଠନ ଏଭଳି ଏକ ସଂଗଠନ, ଯାହା ଏବେ ଲୋକଙ୍କ ପାଖରେ ଅସମୟରେ ଠିଆ ହେଉଥିବାର ଦେଖିବାକୁ ମିଳୁଛି। କେତେଜଣ ପରୋପକାରୀ ଯୁବକମାନଙ୍କୁ ନେଇ ଏହି ସଂଗଠନ ସୃଷ୍ଟି ହୋଇଛି। ସଂଗଠନର ସଦସ୍ୟମାନଙ୍କ ନିଜସ୍ଵ ଆର୍ଥିକ ସହାୟତାରେ ଦୁର୍ଦ୍ଦିନରେ ପଡିଥିବା ଲୋକଙ୍କୁ ସହଯୋଗ କରୁଛି।

ତେବେ ଗତକାଲି ଏହି ସଂଗଠନ ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛି। ୧୨ ଟି କ୍ଷତିଗ୍ରସ୍ତ ପରିବାରକୁ ଚୂଡା, ଚିନି, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ୧୦ ରୁ ଉର୍ଦ୍ଧ୍ଵ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡି ପାଖାପାଖି ୪ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିପାରିଥିଲେ।

ତେବେ ମିଶନ ଜୟ ଜଗନ୍ନାଥ ସଂଗଠନର ଏଭଳି ପ୍ରୟାସକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ ସହଯୋଗ ପରେ ଦୁଃଖ ଦୁର୍ଦ୍ଦଶାରେ ସମୟ କାଟୁଥିବା ଏଭଳି ଲୋକମାନଙ୍କୁ ଅନେକ ସମାଜସେବୀ ସଂଗଠନ ସହାୟତାର ହାତ ବଢାଇବେ ବୋଲି ଆଶା କରାଯାଉଛି।

ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା କରିବେ ବୋଲି କହିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋରଣ ପଞ୍ଚାୟତରେ ଜିଆରଏସଙ୍କ ମନମୁଖୀ କାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତରେ ୨୦୧୯/୨୦ ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ  ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୫ ମାସ ହେଲା କାର୍ଯ୍ଯାଳୟକୁ ଆସୁ ନଥିବା ଅଭିଯୋଗ ମଧ୍ୟ ହୋଇଛି।

ତିନି ମାସ ହେଲା କ୍ଲଷ୍ଟର ଟିଏମସିର ଟଙ୍କାକୁ ପିଇଓ ନିଜ ପାଖରେ ରଖି ବିଲ୍ ହୋଇନାହିଁ ବୋଲି କହୁଥିବାର ଅଭିଯୋଗ ହୋଇଛି। ସୋରଣ ଗ୍ରାମପଞ୍ଚାୟତର ସରପଞ୍ଚ ସୁଜାତା ବିଶ୍ଵାଳ ଏଭଳି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଚିଲିକା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ସୋରଣ ପଂଚାୟତରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ସରପଞ୍ଚ। ସେପଟେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ପଚାରିବାରୁ ସେ ପିଡି ଡିଆରଡିଏଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଯଦି ଦୁର୍ନୀତି ହୋଇଥାଏ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏହି ଘଟଣା ଉପରେ ତଦନ୍ତ ହୋଇ ସତ୍ୟତା କେବେ ଲୋକଙ୍କ ସାମ୍ନାକୁ ଆସୁଛି ଓ ଯଦି ସେହି ପଞ୍ଚାୟତରେ ଅଧିକାରୀଙ୍କ ଦ୍ଵାରା ଦୁର୍ନୀତି ହେଉଛି, ତେବେ ଏହି ମାମଲାରେ କେବେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ: ଚିଲିକା ବ୍ଲକରେ ଜଳିଗଲା ୧୦ ରୁ ଉର୍ଦ୍ଧ୍ଵ ବଖରା, ଜଣେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ଵ ବଖରା ଜଳି ପାଉଁଶ ହୋଇଯାଇଛି। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ରୋଷେଇ ଘରୁ ଗ୍ୟାସ ଲିକ୍ ହେବାରୁ ନିଆଁ ଲାଗିଯାଇଥିଲା। ଯଦ୍ୱାରା ନିଆଁ ଦ୍ରୁତ ଗତିରେ ନିକଟସ୍ଥ ଚାଳ ଘରକୁ ବ୍ୟାପୀ ଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଆକଳନ କରି ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ରାଶି ମିଳିବା ପାଇଁ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକର ସରକାରୀ ମଣ୍ଡିରେ ଧାନ ବିକ୍ରି: ୧୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ତରଫରୁ ସରକାର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିଛନ୍ତି। କିନ୍ତୁ ସରକାରି ଘୋଷଣା ମୁତାବକ ଧାନ କିଣା ପରେ ସମ୍ପୃକ୍ତ ଚାଷୀଙ୍କର ଆଖି ଦ୍ୱାରା ଆଧାର ଭେରୀଫିକେସନ ପ୍ରକ୍ରିୟା ଦ୍ବାରା ଧାନ ବିକ୍ରିର ସଠିକ ମୂଲ୍ୟ ଚାଷୀର ପଞ୍ଜିକୃତ ବ୍ୟାଙ୍କକୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଜମା ହେବା କଥା। କିନ୍ତୁ ବିଗତ ଡିସେମ୍ବର ମାସର ପ୍ରଥମ ଗୋଟିଏ ଦୁଇଟି ମଣ୍ଡି ଛାଡିଦେଲେ ଅଧୁନା ଜାନୁଆରୀ ମାସର ୧ ତାରିଖରୁ ଆଜି ଯାଏଁ ପ୍ରଶାସନ ଧାନ କିଣାରେ ବ୍ୟସ୍ତ ଥିବାବେଳେ ଚାଷୀମାନଙ୍କର ଖାତାକୁ ଟଙ୍କା ଆସୁନାହିଁ।

ପରିସ୍ଥିତି ଏପରି ହୋଇଛି ଯେ, ଚାଷୀ ଶୋଷଣ ନୀତିରେ ଧାନ ମଣ୍ଡି ଚାଲୁଛି। ରାଜନେତା ମାନେ ଧାନ ମଣ୍ଡି ଉଦଘାଟନ କରି ବାହାବା ନେଉଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଧାନ ନେଉଥିବା ମିଲର ମାନଙ୍କର ପ୍ରଶାସନ ସହ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ମାନେ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ଟୋକନ୍ ପାଇଥିବା ଚାଷୀ ନିର୍ଦ୍ଦିଷ୍ଟ ତାରିଖରେ ଧାନ ବିକ୍ରି କରିପାରୁନାହିଁ। ଟୋକନ୍ ତାରିଖର ୧୫ଦିନ ବିଳମ୍ବରେ ଧାନ ନେଉଛନ୍ତି ମିଲର।

ସରକାରୀ ନିର୍ଦ୍ଦେଶ ମୁତାବକ ଟୋକନ୍ ନମ୍ବର ପଞ୍ଜିକୃତ ତାରିଖଠାରୁ ୧୫ଦିନ ବିଳମ୍ବରେ ଉଠୁଛି ଧାନ। ଧାନ ବିକ୍ରି ହେବାର ୧୦ ଦିନ ପରେବି ଚାଷୀକୁ ତାର ପ୍ରାପ୍ୟ ମିଳୁନି। ଚାଷୀ ବ୍ୟାଙ୍କକୁ ସୋସାଇଟି ଧାଇଁ ଧାଇଁ ନୟାନ୍ତ। ଅପରପକ୍ଷରେ ଏଭଳି ସମସ୍ୟା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ୍ ଅଧିନସ୍ଥ ଜରିପଡ଼ା, ସୋରଣ, ବିରିବାଡି, ନଇରି, ଚଣ୍ଡେଶ୍ଵର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ବର୍ଷାକୁ ଚାତକ ଚାହିଁ ରହିବା ଭଳି ବର୍ଷ କର ରୋଜଗାରକୁ ଅନେଇ ରହିଛନ୍ତି।

ଅଧୁନା ଧାନ ଚାଷ ବ୍ୟୟବହୁଳ ସହ ଚାଷୀ ତାର ପରମ୍ପରା ବଜାୟ ରଖି କ୍ଷତିରେ ଚାଲୁଥିବା ବେଳେ ସରକାରଙ୍କର ନିର୍ଦ୍ଦୟ ମନୋଭାବ ସହ ଟାଳଟୁଳ ନୀତି ଯୋଗୁଁ ଚାଷୀ ତାର ହକ୍ ପାଇବାରୁ ବଞ୍ଚିତ ହେଉଛି। ଚାଷୀ ମାନଙ୍କର ଧାନ ବିକ୍ରି ପଇସା କେବେ ପ୍ରାପ୍ୟ ହେବ ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାର ଯୋଗାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନମ୍ବର ବନ୍ଦ ଥିଲା।

ତେବେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ନରସିଂହ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଏବାବଦରେ ଉତ୍ତର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ି.ଇ.ଓ ଦେଇପାରିବେ ଏବଂ କିଛି ତ୍ରୁଟି ଲାଗି ପଇସା ମିଳିପାରିନଥିବ। ଚାଷୀମାନେ ଟିକେ ଅପେକ୍ଷା କରନ୍ତୁ ବିଳମ୍ବ ହେଲେବି ପଇସା ନିଶ୍ଚିତ ମିଳିବ।

ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଘୋଷଣା ମୁତାବକ ଚାଷୀ ଧାନ ବିକିବାର ୨୪ ଘଣ୍ଟା ରେ ବ୍ୟାଙ୍କ ଖାତାରେ ଚାଷୀର ପ୍ରାପ୍ୟ ମିଳିବ। ତେବେ ଏହା କେତେଦୂର ଫଳପ୍ରଦ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଗକୁ ଏ ବିବାଦର ସମାଧାନ ନହେଲେ ଚାଷୀ ଧାନ ମଣ୍ଡି ଘେରାଉ ସହ ରାଜରାସ୍ତାକୁ ଆସିବାର ଧମକ ଦେଲେଣି। ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଯୋଗାଣ ବିଭାଗର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି। ନଚେତ ଚାଷୀ ସମାବେଶ ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚାଷୀମାନେ ଧମକ ଦେଇଛନ୍ତି।