Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ, ୯ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା। ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ, ଅଜିତ ସାହୁ ହେଲେ ସଭାପତି

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବର ଚଳିତ ବର୍ଷ ପାଇଁ ସାଙ୍ଗଠନିକ ନିର୍ବାଚନ ଆଜି ଚିଲିକା ରୋଡ଼ ସ୍ଥିତ ପ୍ରେସ କ୍ଲବ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିର୍ବାଚନରେ କ୍ଲବର ସମସ୍ତ ୨୪ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ।

ନିର୍ବାଚନ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସଭାପତି ଭାବେ ଅଜିତ କୁମାର ସାହୁ, ସମ୍ପାଦକ ଭାବେ ଶେଖ ରୌଷନ, ଉପସଭାପତି ଭାବେ ସୀତାରାମ ଅଗ୍ରୱାଲ, ସହ ସମ୍ପାଦକ ଭାବେ ସୁଧୀର କୁମାର ବେହେରା ଏବଂ କୋଷାଧକ୍ଷ ଭାବେ ସଂଜୀବ ସେନାପତି ନିର୍ବାଚିତ ହୋଇଛନ୍ତି।

ନବ ନିର୍ବାଚିତ ଟିମକୁ ସଂଘର ସମସ୍ତ ସଭ୍ୟ ମାନେ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ‘ଶାଳିଆ ପ୍ରେସ କ୍ଲବ’ ଆହୁରି ଆଗକୁ ବଢିବ ବୋଲି ଆଶା କରିଛନ୍ତି।

ସୂଚନା ଥାଉ କି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳକୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ ନିରନ୍ତର ଭାବେ ଜନସାଧାରଣଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିଆସୁଅଛି ଏବଂ ଜନତାଙ୍କ ହକ ପାଇଁ ଲଢେଇ ଜାରି ରଖିଛି।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହର ଟ୍ରାଫିକ ଏକରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହସଂଯୋଜକ ଆକାଶ ନାୟକ, ଦେବି ପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା, ଦ୍ଵିତୀ ରାଉତ, ଚନ୍ଦନ ନାୟକ, ହରେକୃଷ୍ଣ ନାୟକ ଏବଂ ଅନୁରାଗ ମହାନ୍ତି ଆଦି ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସମୀକ୍ଷା ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ହିତାଧିକାରୀଙ୍କ ନିମନ୍ତେ ଶିବିର ଆୟୋଜନ ପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଡଙ୍ଗାକୁ ମୋଟରଚାଳିତ କରିବା, ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରିପାଣି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା।

ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରା ଏବଂ ପ୍ରତାପ ରଞ୍ଜନ ରାଉତ, ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସ, ପୁରୀ ଓ ବାଲୁଗାଁର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବାଲୁଗାଁ, ପୁରୀ ଓ ବ୍ରହ୍ମଗିରି ଅଞ୍ଚଳର ସମସ୍ତ ମତ୍ସ୍ୟ ସମବାୟ ସମିତିର କର୍ମକର୍ତ୍ତା ଏବଂ ବରିଷ୍ଠ ରାଜନେତା ତଥା ସମାଜସେବୀ କେଦାରନାଥ ଜେନା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରାଜନୈତିକ ଦଳର ବିଜୟ ଶୋଭାଯାତ୍ରାରେ ନାଚିଲେ ସରକାରୀ କର୍ମଚାରୀ, ଭିଡ଼ିଓ ହେଲା ଭାଇରାଲ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ସରକାରୀ କର୍ମଚାରୀମାନେ ସହଯୋଗ କରୁଥିବାର ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପରେ ବିରୋଧୀ ଦଳକୁ ଅଭିଯୋଗ କରିବାର ଏକ ସୁଯୋଗ ମିଳିଯାଇଛି।

ଖବର ମୁତାବକ ସୋସିଆଲ ମିଡିଆରେ ବାଲୁଗାଁ ଏନଏସି ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ସଦ୍ୟ ଶେଷ ହୋଇଥିବା ବାଲୁଗାଁ ଏନଏସି ଉପାଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ବିଜୟ ଶୋଭାଯାତ୍ରାର ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ତାଙ୍କ ସମର୍ଥକ ମାନେ ନାଚରେ ମସଗୁଲ ଅଛନ୍ତି।

ତେବେ ଉକ୍ତ ନାଚରେ ଗୀତର ତାଳେ ତାଳେ ଜଣେ ସରକାରୀ କର୍ମଚାରୀ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି। ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ସରକାରୀ କର୍ମଚାରୀ ପ୍ରକାଶ ମହାପାତ୍ର ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି।

ଗୋଟାଏ ପଟେ ମୁଖ୍ୟ ଶାସନ ସଚିବ ସରକାରୀ କର୍ମଚାରୀମାନେ ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅପରପକ୍ଷେ ଏଠି ଖୋଦ ସରକାରୀ କର୍ମଚାରୀ ସର୍ବସାଧାରଣ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦଳର ବିଜୟ ଉତ୍ସବରେ ଖୋଲାଖୋଲି ଭାବେ ସାମିଲ ହୋଇ ସରକାରଙ୍କ ଅସଲ ମୁଖା ଖୋଲିଦେଇଛନ୍ତି।

ଓଡ଼ିଶା ସର୍ଭିସ କଣ୍ଡକ୍ଟ ରୁଲ ୧୯୫୯ ଧାରା ୫ ମୁତାବକ କୌଣସି ସରକାରୀ କର୍ମଚାରୀ ରାଜନୈତିକ ଦଳ ସହ ଜଡ଼ିତ ହୋଇପାରିବେ ନାହିଁ। କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଲୁଗାଁ ଓ ଦଶପଲ୍ଲା ସହରରେ ଖୋଲିଲା ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ବାଲୁଗାଁ ଓ ଦଶପଲ୍ଲା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବାଲୁଗାଁ ଓ ଦଶପଲ୍ଲା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ବାଲୁଗାଁରେ ୭,୭୪୪ ବର୍ଗଫୁଟ ପରିମିତ ଟ୍ରେଣ୍ଡ୍‌ସ ଷ୍ଟୋର୍ ଓ ଦଶପଲ୍ଲାରେ ୫,୩୮୭ ବର୍ଗଫୁଟର ଟ୍ରେଣ୍ଡ୍‌ସ ଷ୍ଟୋର୍ ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ବାଲୁଗାଁ ଓ ଦଶପଲ୍ଲାରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ବନ୍ଧୁକ ମୁନରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଲୁଟ। ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବାଇକ ଆରୋହିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଯାଇଛନ୍ତି ଲୁଟେରା।

ଖବର ମୁତାବକ ଆଜି ଅପରାହ୍ନରେ ବଡକୂଳ ସେବା ସମବାୟ ସମିତିର ସହ ସମ୍ପାଦକ ଭୁବନେଶ୍ୱର ରଥ ମାର୍ଚ୍ଚ ମାସର କୃଷି ଋଣ ପଇସା ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଥିଲେ। ଆଦାୟ ଟଙ୍କାକୁ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଖୋର୍ଦ୍ଧା ସମବାୟ ସେବା ସମିତି ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ବେଳେ ଇଂଜନପୁର ଛକ ଗୋବିନ୍ଦ ନଗରଠାରେ ତିନୋଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ହଠାତ ଭୁବନେଶ୍ୱରଙ୍କ ନିକଟରେ ଆସି ଡରାଇ ଧମକାଇ ବନ୍ଧୁକ ମୁନରେ ଗାଡ଼ି ଡ଼ିକିରୁ ସମସ୍ତ ଟଙ୍କା, ମୋବାଇଲ ଓ ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସି ଏହା ଜାଣିଲା ପରେ ପୋଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣକୋଷଡିହ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି।

ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କୋରିଅର ପିକ ଭ୍ୟାନ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକରେ ଉକ୍ତ ଭ୍ୟାନଟିକୁ ପଛପଟୁ ଏକ ବୋଲେରୋଟି ଶକ୍ତ ଧକ୍କା ଦେଇଥିଲା। ବୋଲେରୋଟି ମଧ୍ୟ ସମାନ ଦିଗରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଫଳରେ ଉଭୟ ଗାଡ଼ି ଜାତୀୟ ରାଜପଥରେ ପଲଟି ଯାଇଥିଲା। ବୋଲେରୋ ମଧ୍ୟରେ ଛୋଟ ବଡ଼ ସମୁଦାୟ ୧୪ ଜଣ ବ୍ୟକ୍ତି ଥିବା ବେଳେ କୋରିଅର ଗାଡ଼ିରେ କେବଳ ଗାଡ଼ି ଚାଳକ ଉପସ୍ଥିତ ଥିଲେ।

ବର୍ତ୍ତମାନ ସମସ୍ତ ଆହତଙ୍କୁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ପୌରାଞ୍ଚଳରେ ବଢୁଛି ନିର୍ବାଚନ ତାତି, ଆଶାୟୀଙ୍କ ସଂଖ୍ୟା ଦେଖି ଚିନ୍ତାରେ ଦଳୀୟ ନେତା

ସୀତାରାମ ଅଗ୍ରୱାଲ

ଚିଲିକା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଶାୟୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପାଇଁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତିନି ଦିନ ମଧ୍ୟରେ ଆଶାୟୀମାନେ ୪୯ ଟି ନାମାଙ୍କନ ଫର୍ମ ନେଇଥିବାର ସୂଚନା ମିଳିଛି। ୩ ଦିନ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୮ ଜଣ ଏବଂ କାଉନସିଲର ପଦବୀ ପାଇଁ ୧୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଅନୁରୂପ ଭାବେ ଗତ ୩ ଦିନ ମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ଏବଂ କାଉନସିଲର ପଦବୀ ପାଇଁ ୨୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଛନ୍ତି।

ସେହିପରି ଭାବେ ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ଚଳିତ ବର୍ଷ ଭୋଟରମାନେ ସିଧାସଳଖ ଭୋଟ ଦେଇ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ମାନଙ୍କୁ ନିର୍ବାଚିତ କରିବେ। ଯାହାକି ସବୁ ଦଳରେ ଅଙ୍କକଷା ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ଜଣାପଡିଛି।

ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ଆଉ ମାତ୍ର ତିନି ଦିନ ଥିବାରୁ ଆଗକୁ ଏହି ନାମାଙ୍କନ ପତ୍ର ଦାଖଲ ସଂଖ୍ୟା ବୃଦ୍ଧି ପାଇବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ସବୁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବାରୁ ଦଳର ମୁଖିଆମାନଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି।

Categories
ଆଞ୍ଚଳିକ

ପୌର ନିର୍ବାଚନ: ପ୍ରକାଶ ପାଇଲା ବାଣପୁର ଏବଂ ବାଲୁଗାଁ ଏନଏସିର ଚୁଡାନ୍ତ ଭୋଟର ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ।

ତେବେ ଆଜି ରାଜ୍ୟର ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମଧ୍ୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଥିବାର ଜଣାପଡିଛି। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୬ ଟି ବୁଥ ହୋଇଥିବାର ଜଣାପଡିଛି।

ସେହିପରି ଭାବେ ପନ୍ଦର ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ତେବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ସତର ଗୋଟି ବୁଥ ହୋଇଥିବାର ଜଣାପଡିଛି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକାରେ ନିର୍ବାଚନୀ ହିଂସା: ଆଜିଠାରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନରେ ୨୧ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି। ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବିମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି। ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି।

ନିକଟରେ ବାଲୁଗାଁ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ଓ ଥାନା ପରିସରରେ ଘଟିଥିବା ହିଂସାରେ ଉକ୍ତ ଅଭିଯୁକ୍ତମାନେ ଜଡିତ ଥିବା ଜଣାପଡିଛି। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଏସପି କହିଛନ୍ତି।

ତତସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏସପି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ହିଂସାକୁ କଦାପି ବରଦାସ୍ତ କରାଯିବନାହିଁ ଏବଂ ଆଗକୁ ମଧ୍ୟ ଯିଏ ରାଜନୈତିକ ହିଂସା ସୃଷ୍ଟି କରିବ ତାକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି।

ତେବେ ନିର୍ବାଚନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଛି। ‘ତମେ ଭଦ୍ର ହେଲେ ଆମେ ନମ୍ର’ ଏବଂ ‘ତମେ ହିଂସ୍ର ହେଲେ ଆମେ ଉଗ୍ର’ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି ପୋଲିସ। ତେବେ ଗିରଫ ଭୟରେ ଉକ୍ତ ରାଜନୈତିକ ହିଂସାରେ ଜଡ଼ିତ ଥିବା ବହୁ ନେତା ଓ କର୍ମୀମାନେ ବର୍ତ୍ତମାନ ଅଞ୍ଚଳ ଛାଡି ପାତାଳି ହେଉଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନୂତନ ଏସପି ଭାବେ ଅଲେଖ ଚନ୍ଦ୍ର ପହି ଦାଇତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଣପୁର ଏବଂ ବାଲୁଗାଁ ଥାନା ପରିଦର୍ଶନ କରିଥିଲେ। ଉଭୟ ଥାନା ଗସ୍ତ କରି ଶ୍ରୀ ପହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ଥାନାର ସମସ୍ତ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ବେଳେ ତାହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବାର ଏସପି ଆମ ଚିଲିକା ପ୍ରତିନିଧିଙ୍କୁ କହିଥିଲେ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଥାନାରେ ଅତିରିକ୍ତ ଗାଡ଼ି ପ୍ରଦାନ କରାଯିବ, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ।

ତେବେ ନିର୍ବାଚନ ପୂର୍ବରୁ ଚିଲିକା ଅଞ୍ଚଳରେ ବିଶୃଙ୍ଖଳା ଅବା ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ବହୁ ବ୍ୟକ୍ତିଙ୍କୁ ଆଗୁଆ ଚି଼ହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୧୦୭  ଓ ୧୧୦ ରେ ନୋଟିସ ଦିଆଯାଇଥିବାର ଏସପି କହିଛନ୍ତି।

ଅନୁରୂପଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସପି ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଅଦ୍ୟାବଧି ନିର୍ବାଚନ ପରିଚାଳନା ଉପରେ ଏସପି ସନ୍ତୋଷ ପ୍ରକାଶ କରିବା ସହ ଚିଲିକାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ଅଶା କରିଛନ୍ତି।

ପରିଶେଷରେ ନୂତନ ଏସପି ମା’ ଭଗବତୀ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇ ଖୋର୍ଦ୍ଧା ଫେରିଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ, ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମସ୍ତଙ୍କର ଆନ୍ତରିକ ସହଯୋଗ ଏବଂ ଅତୁଟ ବିଶ୍ୱାସକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ସ୍ଥିତ ”ସ୍ଵର୍ଣ୍ଣ ହୋମିଓ ହଲ୍” ଆଜି ତାର ପ୍ରଥମ ସ୍ଵନକ୍ଷତ୍ର ପୂର୍ଣ୍ଣ କରିଛି। ଗତ ଏକ ବର୍ଷ ମଧ୍ୟରେ ସ୍ଵର୍ଣ୍ଣ ହୋମିଓ ହଲ୍ ଅନେକ ରୋଗୀଙ୍କୁ ସଫଳତାର ସହ ସେବା ପ୍ରଦାନ କରିବା ସହ ୭୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଶାରୀରିକ ବିକଳାଙ୍ଗ ରୋଗୀଙ୍କୁ ମାଗଣାରେ ପରାମର୍ଶ ତଥା ଔଷଧ ପ୍ରଦାନ କରିଚାଲିଛି।

ଆଜି ପ୍ରଥମ ସ୍ଵନକ୍ଷତ୍ର ଅବସରରେ ସ୍ଵର୍ଣ୍ଣ ହୋମିଓ ହଲ୍ ରୋଗୀଙ୍କୁ କିପରି ଭାବରେ ଶୀଘ୍ର, ସହଜ ଏବଂ କମ୍ ଖର୍ଚ୍ଚରେ ଆରୋଗ୍ୟ କରିବାର ଉଦ୍ଦେଶ୍ୟ ନେଇ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଏଣିକି କେହି ଅସୁସ୍ଥ ଅନୁଭବ କଲେ ତତକ୍ଷଣାତ ଘରେ ରହି ନିଜ ଫୋନ ମାଧ୍ୟମରେ ସ୍ଵର୍ଣ୍ଣ ହୋମିଓ ହଲ୍ ର ଅଭିଜ୍ଞ ହୋମିଓପାଥି ଡାକ୍ତର ମାନଙ୍କ ଠାରୁ ମାଗଣାରେ ପରାମର୍ଶ ନେଇପାରିବେ। ଏଥି ସହିତ ପ୍ରତ୍ୟେକ ପୀଡିତ କିପରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ପାଇପାରିବେ, ସେଥିପାଇଁ ସ୍ଵର୍ଣ୍ଣ ହୋମିଓ ହଲ୍ ପ୍ରାୟସ କରିବ।

ତେବେ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ରୋଗୀଙ୍କୁ ଏଭଳି ସେବା ଯୋଗାଇଦେବା ପାଇଁ ଏକ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ମାଗଣାରେ ଚିକିତ୍ସା ସମ୍ବଦ୍ଧୀୟ ପରାମର୍ଶ ପାଇବା ପାଇଁ ୭୩୨୮୦୫୪୪୩୩ ନମ୍ବରରେ ଯୋଗାଯୋଗ କରିବାକୁ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ କୁହାଯାଇଛି।

ଏଥି ପାଇଁ ଅନେକ ଅଭିଜ୍ଞ ହୋମିଓ ବିଶେଷଜ୍ଞ ଯଥା:- ଡାକ୍ତର ପ୍ରେମଲତା ଦେବୀ (ସ୍ତ୍ରୀ ଏବଂ ଶିଶୁ ରୋଗ ବିଶେଷଜ୍ଞ), ଡାକ୍ତର ସି. ଧର ବି.ଏଚ.ଏମ.ଏସ (ଉତ୍କଳ) ଏମଡ଼ି (ହୋମିଓ) ଆଗ୍ରା, ଲେକଚର ଓଏମସିଏଚ ଏବଂ ଆର (ଶ୍ଵାସ ଏବଂ ବାତ ରୋଗ ବିଶେଷଜ୍ଞ), ଡାକ୍ତର ଜ୍ୟୋତି ପ୍ରକାଶ ପରିଡା ଡ଼ି.ଏଚ.ଏମ.ଏସ (ଉତ୍କଳ) (ପାରାଲିସିସ୍ ବିଶେଷଜ୍ଞ), ଡାକ୍ତର ଶୁଭଶ୍ରୀ ରାୟସିଂ, ଏଫ.ଏମ.ଇ.ଏଚ (ଏଫ.ବି.ଇ.ଏଚ) (ଗଳା, ନାସା ଏବଂ କର୍ଣ୍ଣ ବିଶେଷଜ୍ଞ), ଡାକ୍ତର ମିନାକ୍ଷୀ ବଳିୟାରସିଂହ, ବି.ଏଚ.ଏମ.ଏସ (ଉତ୍କଳ) (ସ୍ତ୍ରୀ ଏବଂ ଚର୍ମ ରୋଗ ବିଶେଷଜ୍ଞ)ଙ୍କ ପରି ଅନେକ ଅଭିଜ୍ଞ ଡାକ୍ତର ନିସ୍ୱାର୍ଥପର ଭାବରେ ତାଙ୍କର ସହଯୋଗ ଓ ସେବା ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ ଫାଟୁଥୁବାର ଦେଖାଯାଇଛି।

ଆଖପାଖ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସି ଅଗ୍ନିଶମ ବିଭାଗକୁ ଖବର ଦେଇବାପରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସଂରକ୍ଷଣ ତାଲିକା: ବାଲୁଗାଁ ଓ ବାଣପୁର ଏନଏସିର କାଉନସିଲରଙ୍କ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ରାଜ୍ୟ ସରକାର ତାଲିକା ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ସଂରକ୍ଷଣର ଚୂଡାନ୍ତ ଚିଠା ବିଜ୍ଞପ୍ତି ଜାରି ହୋଇଛି।

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅନୁସୂଚିତ ଜାତି

ୱାର୍ଡ ନମ୍ବର ୩- ମହିଳା

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୭- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୮- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ମହିଳା

ୱାର୍ଡ ନମ୍ବର ୧୧- ଅଣସଂରକ୍ଷଣ

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅଣସଂରକ୍ଷଣ

ୱାର୍ଡ ନମ୍ବର ୩- ଅଣସଂରକ୍ଷଣ

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅଣସଂରକ୍ଷଣ

ୱାର୍ଡ ନମ୍ବର ୭- ମହିଳା

ୱାର୍ଡ ନମ୍ବର ୮- ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୧- ମହିଳା

ୱାର୍ଡ ନମ୍ବର ୧୨- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୧୩-ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୧୪- ମହିଳା

ୱାର୍ଡ ନମ୍ବର ୧୫- ମହିଳା

Categories
StateBoard ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ରଙ୍କ ବାଲୁଗାଁରେ ବିକ୍ଷୋଭ ଓ ରାସ୍ତା ଅବରୋଧ

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି। ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଛନ୍ତି। ଅଲ ଓଡିଶା ସ୍ଟୁଡେଣ୍ଟସ ୟୁନିଅନ ବ୍ୟାନରରେ ବାଣପୁର, ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ଛାତ୍ରମାନେ ଏକାଠି ହୋଇ ଗାନ୍ଧୀଛକରେ ବିକ୍ଷୋଭ ଜାରି ରଖିଛନ୍ତି।

ସେମାନଙ୍କ ଦାବି ଯେ, କରୋନା କାଳରେ ମହାବିଦ୍ୟାଳୟରେ ପାଠପଢା ଠିକ ସେ ହୋଇପାରିନାହିଁ। ଅନୁରୂପ ଭାବେ ଅନଲାଇନ କ୍ଲାସର ବି ଅତାପତ୍ତା ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ନେଇ ଘୋଷଣା କରନ୍ତୁ। ଅପରପକ୍ଷେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଉପସ୍ଥିତି ଥାଇ ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା ଜାରି ରଖିଛି। ସୂଚନା ଥାଉ କି ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅବକାରୀ ଧରପଗଡ଼, ଦୁଇ ମହିଳା ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳା ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି। ମହତପଲା ଗ୍ରାମରୁ ଦୁଇ ଜଣ ମହିଳା ମଦ ବେପାରି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

ଅନୁରୂପ ଭାବେ ଜଗନ୍ନାଥପୁର ଗ୍ରାମରୁ ଗଙ୍ଗାଧର ଦଣ୍ଡସେଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ତିନି ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କୂପରେ ପଡ଼ି ପ୍ରାଣ ହରାଇଲେ ବୟସ୍କ ବ୍ୟକ୍ତି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂପରେ ପଡ଼ି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁବରଣ ହୋଇଥିବା ଖବର ମିଳିଛି।

ଖବର ମୁତାବକ ଚିଲିକା ରୋଡସ୍ଥିତ ପାତ୍ର ଲଜ ନିକଟରେ ବାସ କରୁଥିବା ପ୍ରଶାନ୍ତ ପାତ୍ର ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଆଜି ଅପରାହ୍ନରେ ନିଜ ଘର କୂପ ନିକଟରେ ବସିଥିଲେ। ତେବେ କିଛି ସମୟ ପରେ ପ୍ରଶାନ୍ତଙ୍କ ପରିବାରବର୍ଗ ଜାଣିବାକୁ ପାଇଥିଲେ ଯେ, ପ୍ରଶାନ୍ତ କୂପ ମଧ୍ୟରେ ପଡ଼ିଯାଇଛନ୍ତି। ସଙ୍ଗେ ସଙ୍ଗେ ପରିବାର ଲୋକେ ଏ ନେଇ ବାଲୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ଶରୀରକୁ କୂପରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ଡାକ୍ତର ସେଠାରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିବା ସହ ବାଲୁଗାଁ ପୋଲିସକୁ ସୂଚନା ଦେଇଥିଲେ।

ବର୍ତ୍ତମାନ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମୃତ ପ୍ରଶାନ୍ତଙ୍କ ପତ୍ନୀ ସୁଲତା ପାତ୍ରଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ବିଜେପି ନେତାଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲା ବିଜେଡ଼ି, ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ବାଲୁଗାଁ ଥାନା ସମ୍ମୁଖରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଛି। ଆକ୍ରମଣ ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ ଦାବି କରି ବିଜେଡ଼ି ଥାନା ଘେରାଉ କରିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେଇ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ଏହାକୁ ବିରୋଧ କରି ସ୍ଥାନୀୟ କିଛି ଜନସାଧାରଣ ପ୍ରତିବାଦ ସହିତ ଦୃଢ ବିରୋଧ କରିଥିଲେ। ସେମାନଙ୍କ କହିବା ମୁତାବକ ପୂର୍ବରୁ ସ୍କୁଲର ପୂର୍ବତନ ସମ୍ପାଦକ ବିଜୟ କୁମାର ସେନାପତିଙ୍କ ନାମରେ ସ୍କୁଲରୁ ଅର୍ଥ ତୋଷାରପାତ ଅଭିଯୋଗ ନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ଇକୋନୋମିକି ଅଫେନ୍ସ ଉଇଙ୍ଗ ବିଭାଗରେ ମଧ୍ୟ କେସ ଥିବା ବେଳେ ବିଧାୟକ କିଭଳି ସମ୍ପୃକ୍ତ ଅସାଧୁ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ସ୍କୁଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଛନ୍ତି। ତାକୁ ନେଇ ତୀବ୍ର ସମାଲୋଚନା ଓ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏହି ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡ଼ିର ନେତାଙ୍କୁ ବିଜେପି ନେତା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ମୁତାବକ, ବିଜେଡ଼ିର ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଆକ୍ରମଣ କରିଥିଲେ। ଏବଂ କୃଷ୍ଣ ବେହେରାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ନିରଞ୍ଜନ ଧମକ ଦେଇଥିଲେ। ତେଣୁ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାକୁ ବିଜେଡ଼ି ପକ୍ଷରୁ ପ୍ରତିବାଦ କରିବା ସହ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା।

ତେବେ ବିଜେପି ନେତା ନିରଞ୍ଜନ ସେଠୀ ଏବଂ ଅଜୟ ତରାଇଙ୍କୁ ଥାନାରେ ପୋଲିସ ଅଟକ ରଖିଛି। କିନ୍ତୁ ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ମିଥ୍ୟା ମାମଲାରେ ମିରଞ୍ଜନ ଏବଂ ଅଜୟଙ୍କୁ ବାଲୁଗାଁ ପୋଲିସ ଅଟକ ରଖିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଏନେଇ ବାଲୁଗାଁ ଥାନାରେ ଚାପା ଉତ୍ତେଜନା ଦେଖାଯାଇଛି। ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ପରିସ୍ଥିତିକୁ ଦେଖି ଥାନା ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି, ବାଣପୁର ଅତିରିକ୍ତ ଆଇଆଇସି, ଟାଙ୍ଗୀ ଆଇଆଇସି, ନାଚୁଣୀ ଫାଣ୍ଡି ଅଧିକାରୀ, ନାଭାଲ ଫାଣ୍ଡି ଅଧିକାରୀ, କୁହୁଡି ଫାଣ୍ଡି ଅଧିକାରୀ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହିତ ସଙ୍ଗୀନ ଧାରା ମଧ୍ୟ ଲାଗିଥିଲା। ଏହି ମାମଲାରେ ବିଧାୟକଙ୍କୁ ବିଜେଡ଼ି ପକ୍ଷରୁ ନିଲମ୍ବିତ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଗୋଟାଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜ୍ଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଦୁଖଃଦନୀୟ ଘଟଣା ଘଟିଯାଇଛି।  ଗୋଟିଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି।

ସୂଚନା ମୁତାବକ ବାଲୁଗାଁ ଏନଏସି ଶାନ୍ତି ନଗରର ବାସିନ୍ଦା ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳ (୨୧) ଗତକାଲି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ପରିବାରବର୍ଗ ବାଲୁଗାଁ ମେଡିକାଲ ନେବାରୁ ଡାକ୍ତର ସେଠାରେ ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମିଳାଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବୋଲି ଜଣାପଡିଛି।

ସେହିପରି ଭାବେ ଆନ୍ଧ୍ରପ୍ରଦେଶ ବିଜୟନଗରମ ସ୍ଥିତ ଏକ ହୋଟେଲରେ କାମ କରୁଥୁବା ଅନୁଗୁଳ ଜିଲ୍ଲାର ପ୍ରକାଶ ନାୟକ (୩୦) ଗତକାଲି ସଂନ୍ଧ୍ୟାରେ ଟ୍ରେନ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଶରୀର ଅସୁସ୍ଥ ଲାଗିବାରୁ ବାଲୁଗାଁ ଷ୍ଟେସନରେ ଓହ୍ଲାଇ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଆଜି ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଲୁଗାଁ ପୋଲିସ କେସ ନମ୍ବର ୧ ଏବଂ ୨ ରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା, ନିଦ୍ରାରେ ଏନ୍ଏସି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ର ଜନସଂଖ୍ୟା ଏବଂ ଆୟତ୍ତନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ନିକଟରେ ଏନଏସିର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ମୁକ୍ତା ଯୋଜନା ଅନ୍ତର୍ଗତ ୨୬ ଲକ୍ଷ ଟଙ୍କା ମଂଜୁର ମଧ୍ୟ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ସହରର ଉନ୍ନତିପାଇଁ ଏନଏସି ପ୍ରଶାସନ ଚିନ୍ତା କରୁଥିବାବେଳେ କିନ୍ତୁ ସହରର ନାଗରିକଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି। ଆମେ କହୁଛୁ ସହରର ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳ ଆଇ.ବି ରୋଡ଼ କଥା।

ଗତ ଏକମାସ ପୂର୍ବେ ବାତ୍ୟା ‘ଜୱାଦ’ କୁ ଆଖି ଆଗରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ଆଇ.ବି ରୋଡ଼ ପାର୍ଶ୍ୱରେ ଥିବା ପୁରୁଣା ଡ୍ରେନକୁ ଜେସିବି ଲଗାଇ ଖୋଳିଦିଆଯାଇଥିଲା। ଯାହା ଫଳରେ ଡ୍ରେନ ପାର୍ଶ୍ୱରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତାଟି ମୁକୁଳା ଡ୍ରେନରେ ପାଲଟିଗଲା। ତେବେ ଏହା ଖୋଳିବାର କାରଣ କଣ ଏଯାବତ ବାରି ହେଉନାହିଁ। ରାସ୍ତା ପାର୍ଶ୍ୱରେ ମୁକୁଳା ଡ୍ରେନ ଥିବାରୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଏନଏସି କର୍ତ୍ତୃପକ୍ଷଙ୍କ ନଜର ପଡୁନି।

ଡ୍ରେନଟି ପୁନଃରୁଦ୍ଧାର ପାଇଁ ଖୋଳାଯାଇଥିବାର ଏନଏସି ପ୍ରଶାସନ ସ୍ପଷ୍ଟୀକରଣ ଦେଉଥିବାବେଳେ, ବାତ୍ୟା ଯିବାର ପାଖାପାଖି ୨୫ ଦିନ ହେଲାଣି, କିନ୍ତୁ ଏଯାବତ ପାଞ୍ଚ ପଇସାର କାମ ଏଠାରେ ହୋଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ତରବରିଆ ଭାବେ ଡ୍ରେନକୁ ଜେସିବି ଲଗାଇ ଖୋଳାଗଲା କଣ ପାଇଁ? ରୋଡ଼ ପାର୍ଶ୍ୱ ଖୋଳାଯାଇଥିବାରୁ ଜନସାଧାରଣ ମାନଙ୍କୁ ଦୋକାନ ବଜାରକୁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଉକ୍ତ ରାସ୍ତାରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ପାର୍ଶ୍ୱକୁ ସମତୁଲ ମଧ୍ୟ କରିବାକୁ ଭୁଲିଯାଇଛି ଏନଏସି ପ୍ରଶାସନ।

ଏପରିକି ଗତକାଲି ଜଣେ ବ୍ୟକ୍ତି ଉକ୍ତ ମୁକୁଳା ଡ୍ରେନରେ ପଡିଯାଇ କ୍ଷତବିକ୍ଷତ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏତେସବୁ ଘଟିଲା ପରେ ବି ଏନଏସି କର୍ତ୍ତୃପକ୍ଷ ଚୁପ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲୁଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ସହରର ଏପରି ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇବ ତାହା ସାଧାରଣରେ ଅନୁମେୟ ହେଉଛି।

ଯଥାଶୀଘ୍ର ଉକ୍ତ ଡ୍ରେନକୁ ଆବଦ୍ଧ କରିବା ସହ ଜେସିବି ଦ୍ୱାରା ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱକୁ ସମତୁଲ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ନହେଲେ ଯଦି ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି।