Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କୁ ଅଶାଳୀନ ଇଙ୍ଗିତ କରି ଛେଚା ଖାଇଲେ ଦୁଇ ଯୁବକ, ବାଣପୁର ଥାନାରେ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଂ ସେଣ୍ଟର ଥିବାରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି। ତେବେ ବିଶେଷ କରି ରାତ୍ର ଆଠ ଘଣ୍ଟିକାରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ କୋଚିଂ ସେଣ୍ଟର ଛୁଟି ହୋଇଥାଏ। ତେବେ ଏହାର ସୁଯୋଗ ନେଇ ଦୀର୍ଘ ଦିନ ହେବ ସହରର ପ୍ରମୁଖ ସ୍ଥଳ ମା’ ଭଗବତୀଙ୍କ ପୀଠ ଠାରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଅସାମାଜିକ ଯୁବକମାନେ ଛପି ବସୁଛନ୍ତି। ସୁଯୋଗ ପାଇ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ସେମାନେ ପଛାଉନାହାନ୍ତି।

ତେବେ ଏହା ସେମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନର ଶୁଭଦୃଷ୍ଟି ଏଯାବତ ପଡୁନି। ପରିସ୍ଥିତି ଏପରି ହେଲାଣି ଯେ, ବର୍ତ୍ତମାନ ସ୍ପଷ୍ଟ ଦିବାଲୋକରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବାକୁ ଉକ୍ତ ଯୁବକମାନେ ପଛାଉନାହାନ୍ତି। ତେବେ ପ୍ରତିଦିନ ଏପରି ଘଟଣା ବାଣପୁରରେ ଘଟୁଥିବା ବେଳେ କେତେକ ଲୋକଲୋଚନକୁ ଆସିବା ଭୟରେ ଦବି ଯାଉଥିବା ବେଳେ ଆଉ କେତେକ ସାହସ କରି ପୋଲିସକୁ ଅଭିଯୋଗ କରୁଛନ୍ତି।

ଏପରି ଏକ ଲଜ୍ୟାଜନକ ଘଟଣା ଗତକାଲି ବାଣପୁର ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନିକଟରେ ଘଟିଯାଇଛି। ଜଣେ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ କମେଣ୍ଟ ମାରି ନିର୍ଧୁମ ଛେଚା ଖାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି।

ଅଭିଯୋଗ ମୁତାବକ ବାଣପୁର ଏନଏସି ଅଞ୍ଚଳର ଦୁଇ ଜଣ ଯୁବକ ଗତକାଲି ମଧ୍ୟାହ୍ନରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନିକଟରେ ନିତି ଦିନ ପରି ଛାତ୍ରୀଙ୍କୁ ହଇରାଣ ନିମନ୍ତେ ଯାଇଥିଲେ। ଉକ୍ତ ସମୟରେ ଜନୈକ ଛାତ୍ରୀଙ୍କୁ କମେଣ୍ଟ ମରିବା ସହ ଅସଦାଚରଣ କରିଥିଲେ। ଏହା ଜାଣି ସ୍ଥାନୀୟ ଅଞ୍ଚଳବାସି ଉଭୟଙ୍କୁ ନିର୍ଧୁମ ଛେଚି ବାଣପୁର ପୋଲିସ ଜିମା ଦେଇଥିଲେ।

ପୋଲିସ ଉଭୟଙ୍କ ବିରୋଧରେ କେଶ ନମ୍ବର ୧୪୯/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ବାଣପୁର ବଜାରରେ ପ୍ରତିଦିନ ଏପରି କାଣ୍ଡ ଘଟୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଏହାର ପ୍ରତିକାର ଦିଗରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ନାମରେ ଲୋକଙ୍କ ବିଶ୍ୱାସ ଜିତି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଆଇପିସିର ଧାରା ୪୨୦, ୪୦୬, ୩୪ ଅନୁଯାୟୀ ମୁମ୍ବାଇର ଟ୍ରାମ୍ବେ ପୋଲିସ ଏକ ମାମଲା ରୁଜୁ କରିଛି। ଆରଟିଆଇ ଆଧାରରେ ପୂର୍ବତନ ସୈନିକ ବବନ ଭୋସଲେଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି।

କେନ୍ଦ୍ର ବନାମ ରାଜ୍ୟର ଲଢେଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଗତକାଲି ବିଜେପି ନେତା କିରିଟ ସୋମାୟାଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଥିଲେ। ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ, କିରିଟ୍ ସୋମାୟା ଆଇଏନଏସ ବିକ୍ରାନ୍ତ ପାଇଁ ସଂଗ୍ରହ କରିଥିବା ଅର୍ଥ ରାଶିକୁ ରାଜ ଭବନରେ ଜମା କରାଯାଉଥିଲା। କିନ୍ତୁ ଏହାକୁ ସେଠାରେ ସେ ଜମା ନକରି ନିଯେ ବ୍ୟବହାର କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୂତ ପାଇଁ ଏଫ୍‌ଆଇଆର କରି ଚାର୍ଜସିଟି ଫାଇଲ କରିଥିବାରୁ ଆଇଆଇସି ଓ ଏସିପିଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର: ଦିବା ୧୧ ଘଟିକାରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ମାନବାଧିକାର କର୍ମୀ ଜୟନ୍ତ ଦାସ, ସୁକାନ୍ତ ଭୋଇ। ଏକ ଅଜବ ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି ଓଡ଼ିଶା ନ୍ୟାୟ ମଞ୍ଚର କର୍ମକର୍ତ୍ତା। ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କର ପ୍ରଶ୍ନ ସଭ୍ୟ ସମାଜକୁ, ଭୂତ କଣ ଏତଲା ଦେଇପାରେ? ଆଜ୍ଞା ହଁ ଭୁବନେଶ୍ୱର କମିଶନରେଟ ପୋଲିସ୍ ଅଧିନସ୍ଥ ଏୟାରପୋର୍ଟ ଥାନାରେ ଭୂତ ଦେଇଛି ଏତଲା ଏବଂ ତା ଉପରେ କମିଶନରେଟ ପୋଲିସ୍‌ଙ୍କର ଏୟାରପୋର୍ଟ ଥାନାର ଆଇଆଇସି ଓ ଏସିପି ତଦନ୍ତ କରି ଫାଇଲ କରିଛନ୍ତି ଚାର୍ଜସିଟ୍‌, ଯାହା ଓଡ଼ିଶା ଇତିହାରେ ବିରଳ। ଏମିତି ଏକ ସମ୍ବେଦନଶୀଳ ଓ ହାସ୍ୟସ୍ପଦ ଘଟଣା ଘଟିଛି ଭୁବନେଶ୍ୱର ସ୍ମାର୍ଟସିଟି କମିଶନରେଟ ପୋଲିସ୍‌ଙ୍କ ଏୟାରପୋର୍ଟ ଥାନାରେ।

ଭୁବନେଶ୍ୱର ଏସ୍‌ଡ଼ିଜିଏମ୍ କୋର୍ଟଙ୍କ ଆଦେଶରେ ଏଫ୍‌ଆଇଆର ରୁଜୁ ହୋଇଛି ଅଭିଯୁକ୍ତ ଆଇଆଇସି ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ନାମରେ। ଏଭଳି ଘଟଣାକୁ ଖୋଲାସା କରିଛି ଓଡ଼ିଶା ନ୍ୟାୟ ମଞ୍ଚର ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ ଏବଂ ଜୟନ୍ତ କୁମାର ଦାସ। ଶ୍ରୀ ଭୋଇ କହିଛନ୍ତି ଯେ ବାଲିପାଟଣା ଥାନା ଅର୍ନ୍ତଗତ ସିଙ୍ଗଡ଼ା ସାହିର ପଞ୍ଚୁଭୋଇଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଭୋଇ ନିଜ ଦିଅର ଶଙ୍କର ଭୋଇଙ୍କ ସହିତ ଆସି ଏୟାରପୋର୍ଟ ଥାନା ଅଧିନସ୍ଥ ଭୁବନେଶ୍ୱରର ଭୀମପୁର ଅଞ୍ଚଳରେ ରହୁଥିଲେ। ଶଙ୍କର ଭୋଇ ଓ ଅନ୍ୟ ଜଣେ ମହିଳା ରମା ଦାସ, ଅନ୍ନପୂର୍ଣ୍ଣା ଭୋଇଙ୍କୁ ହତ୍ୟା କରିବା ପରେ ଚତୁରୀ ରମା ଦାସ ନିଜକୁ ଅନ୍ନପୂର୍ଣ୍ଣ ଭୋଇ କହି ଆଜି ପର୍ଯ୍ୟନ୍ତ ଛଦ୍ମବେଶରେ ବଞ୍ଚୁ ଅଛନ୍ତି। ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଭୋଗ କରୁଛନ୍ତି। ଏପରିକି ରମା ଦାସ ନିଜକୁ ଅନ୍ନପୂର୍ଣ୍ଣା ଭୋଇ କହି ଏୟାରପୋର୍ଟ ଥାନାରେ ଏକ ମାମଲା ଦାୟର କରିଛନ୍ତି। ଏଫ୍‌ଆଇଆର ନଂ-୧୧୬/୨୦୨୦। ଏହି ମାମଲାରେ ଛନ୍ଦିଛନ୍ତି ମହିଳା ମାନବାଧିକାରୀ କର୍ମୀ ମମତା ସାମନ୍ତରାୟଙ୍କୁ କମିଶନରେଟ ପୋଲିସ। ଉକ୍ତ ମାମଲ।।ର ମଧ୍ୟ ଚାର୍ଜସିଟ୍ ଦାଖଲ କରିଛନ୍ତି ସ୍ମାର୍ଟ ଅଫିସର। ଆଶ୍ଚର୍ଯ୍ୟର ବିଷୟ ପୋଲିସ୍ କଣ ତଦନ୍ତ କରି ଜଣେ ମୃତ ବ୍ୟକ୍ତିଙ୍କ ନାମରେ ବଞ୍ଚୁଥିବା ରମା ଦାସଙ୍କ ଦ୍ୱାରା କରାଯାଇଥିବା ମିଥ୍ୟା ମାମଲାରେ ଚାର୍ଜସିଟି କରିଛି।

ଏହି ଘଟଣାରେ ମମତା ସାମନ୍ତରାୟ ପ୍ରଭାବିତ ହୋଇ ଭୁବନେଶ୍ୱର ମାନ୍ୟବର ଏସ୍‌.ଡ଼ି.ଜେ.ଏମ୍ କୋର୍ଟଙ୍କର ଦ୍ୱାରସ୍ଥ ହୋଇ ଆବେଦନ ଦାୟର କରିଥିଲେ। ସେହି ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ, ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କ ନାମରେ ଏଫ୍‌ଆଇଆର କରିବା ପାଇଁ ଆଦେଶ ଜାରି କରିଥିଲେ। କୋର୍ଟଙ୍କର ସେହି ଆଦେଶ ଅନୁସାରେ ଏୟାରପୋର୍ଟ ଥାନାରେ ଥାନା ଅଧିକାରୀଙ୍କ ନାମରେ ଅପରାଧିକ ମାମଲା ରୁୁଜୁ ହୋଇଛି। ଏଫ୍‌ଆଇଆର ନଂ-୧୦୩/୦୨୨। ଏଥିରେ ରମା ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଓ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନଙ୍କୁ ଅଭିଯୁକ୍ତ ରୂପେ ଦର୍ଶାଯାଇଛି।

ପ୍ରକାଶଥାଉକି, ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ପୁତ୍ର ଉପେନ୍ଦ୍ର ଭୋଇ ଦାବି କରିଛନ୍ତି ଯେ, ଅନ୍ନପୂର୍ଣ୍ଣ ଭୋଇ ତାଙ୍କ ମାତା, ସେ ଦୀର୍ଘ ବର୍ଷରୁ ମୃତ୍ୟୁବରଣ କରିଛନ୍ତି ଏବଂ ରମା ଦାସଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ରମା ଦାସ ଓ ଦାଦା ଶଙ୍କର ଭୋଇ ମିଳିମିଶି ଅନ୍ନପୂର୍ଣ୍ଣା ଭୋଇଙ୍କୁ ହତ୍ୟା କରି ଅନ୍ନପୂର୍ଣ୍ଣାଙ୍କ ନାମରେ ଥିବା ସମ୍ପତ୍ତିକୁ ହଡ଼ପ କରିଛନ୍ତି। ସମ୍ପୃକ୍ତ ପୋଲିସ୍ ଅଧିକାରୀମାନେ ଜାଣିଶୁଣି ନିଜର ଦାୟିତ୍ୱର ଓ ପଦବୀର ଖିଲାପି କରିଛନ୍ତି। ସ୍ମାର୍ଟସିଟିରେ ସ୍ମାର୍ଟ ପୋଲିସ୍ ଅଫିସରମାନଙ୍କୁ ସଭ୍ୟ ସମାଜ ଘୃଣା ଏବଂ ନିନ୍ଦା କରୁଛି।

ଆଜି ମଞ୍ଚ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏସିପି ବଷ୍ଣୁପ୍ରସାଦ ପାତ୍ରଙ୍କୁ ତୁରନ୍ତ ଗିରଫ କରାଯାଇ ଚାକରୀରୁ ନିଲମ୍ବିତ କରାଯାଉ। ଯାହାଦ୍ୱାରା କି ସେମାନେ ଆଉ ତଦନ୍ତରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରିବେ ନାହିଁ। କ୍ଷତିଗ୍ରସ୍ତ ମହିଳା ମାନବାଧିକାର କର୍ମୀ ଯାହାଙ୍କ ନାମରେ ମିଥ୍ୟା ଚାର୍ଜସିଟି ଫାଇଲ ହୋଇଛି, ତାଙ୍କୁ ତୁରନ୍ତ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ସରକାର ପ୍ରଦାନ କରନ୍ତୁ। ଉପେନ୍ଦ୍ର ଭୋଇ କ୍ଷତିଗ୍ରସ୍ତ ତାଙ୍କ ବୋଉ ଅନ୍ନପୂର୍ଣ୍ଣାଙ୍କ ନାମରେ ରାମ ଦାସ ନାମକ ଜଣେ ନକଲି ମିହଳା ବଞ୍ôଚଛି ଏବଂ ତାଙ୍କ ସମ୍ପତ୍ତିକୁ ହଡ଼ପ କରୁଛି। ତୁରନ୍ତ ସେ ସମ୍ପତ୍ତି ହଡ଼ପକାରୀଙ୍କୁ ଗିରଫ କରାଯାଉ ଓ ସମ୍ପୃକ୍ତ ପିଡ଼ିତଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରାଯାଉ। ମୃତ ଅନ୍ନପୂର୍ଣ୍ଣାଙ୍କ ହତ୍ୟାକାରୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉ ଏବଂ ଏହି ଘଟଣାଟିକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯାଉ।

ଆଜି ଏହି ସାମ୍ବାଦିକ ସମ୍ମିନଳୀରେ ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ପୁତ୍ର ଉପେନ୍ଦ୍ର ଭୋଇ, ଝିଅ ଇଲି ଭୋଇ ଉପସ୍ଥିତ ରହିବା ସହ ଓଡ଼ିଶା ନ୍ୟାୟ ମଞ୍ଚର ଆବାହକ ସୁକାନ୍ତ ଭୋଇ, ବୀରେନ୍ଦ୍ର ନାୟକ, ମାନବାଧିକାର କର୍ମୀ ଜୟନ୍ତ ଦାସ, ଦଳିତ ମହାସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୁଆହାଟୀ କୋର୍ଟଙ୍କ ନିର୍ଦ୍ଦେଶ

ଗୁଆହାଟୀ: ଏକ ପ୍ରମୁଖ ଘଟଣାକ୍ରମରେ ଆସାମ ପୋଲିସକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୁଆହାଟି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ସାଂସଦ ଅବଦୁଲ ଖଲିକଙ୍କ ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ୨୮ ତାରିଖ ୨୦୨୧ ରେ ସରମାଙ୍କ ବିରୋଧରେ ଦିସପୁର ଥାନାରେ ଖଲିକ ଅଭିଯୋଗ କରିଥିଲେ, ଯେଉଁଥିରେ ଆସାମର ଦରାଙ୍ଗ ଜିଲ୍ଲାରେ ହିମନ୍ତ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ପୋଲିସ ଅଭିଯୋଗ ପଞ୍ଜିକରଣ କରିନଥିଲା। ଏହି ଘଟଣା ପରେ ପୋଲିସ ଗୁଳିରେ ଦୁଇ ଜଣ ପ୍ରାଣ ହରାଇଥିଲେ।

ଯେତେବେଳେ ସାଂସଦଙ୍କ ଅଭିଯୋଗ ଉପରେ ପୋଲିସ ଆନୁଷ୍ଠାନିକ ଭାବେ ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରିବାକୁ ମନା କରିଦେଇଥିଲା, ଖଲିକେ ଗୁଆହାଟୀରେ ସବ-ଡିଭିଜନାଲ ଜଜ୍ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ। ସୋମବାର ଦିନ ଏହା ଶୁଣିବା ପରେ କୋର୍ଟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, “ଓସି ଦିସପୁର ପୋଲିସ ଷ୍ଟେସନରେ ଅଭିଯୋଗରେ ଦର୍ଶାଯାଇଥିବା ଅଭିଯୋଗ ଉପରେ ଏକ ମାମଲା ପଞ୍ଜିକରଣ କରିବା ଏବଂ ଏହି ଘଟଣାର ଉଚିତ ଅନୁସନ୍ଧାନ କରିବା ଏବଂ ଶୀଘ୍ର ଚୂଡ଼ାନ୍ତ ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ଏହାର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି। ଏହା ସିଆରପିସି ର ଧାରା ୧୫୬ (୩) ଅନୁଯାୟୀ ଏକ ଉପଯୁକ୍ତ ମାମଲା ବୋଲି କୋର୍ଟ ମତ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଯୋଗୁଁ ହାଇଦ୍ରାବାଦ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିପିସିସି) ମୁଖ୍ୟ ରେଭନ୍ତ ରେଡ୍ଡୀଙ୍କ ଅଭିଯୋଗ ପରେ ହାଇଦ୍ରାବାଦ ସହରର ଜୁବୁଲି ହିଲ୍ସ ପୋଲିସ ଷ୍ଟେସନରେ ଆଇପିସିର ଧାରା ୫୦୪ ଏବଂ ୫୦୫ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସୋମବାର ଦିନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଟିପିସିସି ମୁଖ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ନେତାମାନେ ବିଶ୍ୱ ସରମାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ରେଭନ୍ତ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଆସାମ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ମହିଳାମାନଙ୍କ ପ୍ରତି ଅପମାନଜନକ। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ବିଶ୍ୱ ସରମାଙ୍କୁ ଗିରଫ କରିବାକୁ କାହିଁକି ନିର୍ଦ୍ଦେଶ ଦେଉନାହାଁନ୍ତି? ବିଜେପି ସରମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ। କିନ୍ତୁ ଆସାମର ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେପି ସମର୍ଥନ କରୁଛି। ,

ଟିପିସିସି ମୁଖ୍ୟ କହିଛନ୍ତି ଯେ, ‘କିଛି ଲୋକ ଏହା କହିଛନ୍ତି ଯେ ଏହା ଗାନ୍ଧୀ ପରିବାର ପ୍ରତି ଅପମାନ। କିନ୍ତୁ ଏହା ଦେଶର ମହିଳାମାନଙ୍କ ପ୍ରତି ଅପମାନ। ଆସାମ ମୁଖ୍ୟମନ୍ତ୍ରୀ ବିରୋଧରେ ଆମର ଅଭିଯୋଗ ଉପରେ ତୁରନ୍ତ ମାମଲା ପଞ୍ଜୀକୃତ ହେବା ଉଚିତ।’

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ: ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ବିରୋଧରେ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଏବଂ ଟେଲିଭିଜନ ସାକ୍ଷାତକାରରେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯାହା ପରେ ଦିଲ୍ଲୀରେ ଶିବସେନା ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୀପ୍ତି ରାୱତ ଭରଦ୍ୱାଜଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୯ ତାରିଖରେ ମଣ୍ଡୱଲି ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି।

ଭରଦ୍ବାଜ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଡିସେମ୍ବର ୯ତାରିଖରେ ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ସାକ୍ଷାତକାରରେ ବିଜେପି କର୍ମୀଙ୍କ ବିରୋଧରେ ରାଉତ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଉତ “ବିଜେପି କର୍ମୀଙ୍କୁ ମୃତ୍ୟୁ ଧମକ ଦେଇଥିଲେ ଏବଂ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ”।

ଅଭିଯୋଗକୁ ଭିତ୍ତି କରି ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ (ମାନହାନି ପାଇଁ ଦଣ୍ଡ) ଏବଂ ୫୦୯ (ମହିଳାଙ୍କୁ ଅପମାନିତ କରିବା) ରେ ମାମଲା ରୁଜୁ କରାଯାଇଥିଲା ବୋଲି ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିତସରାରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଗିରଫ, ୫ ଜଣଙ୍କ ନାମରେ ମାମଲା ରୁଜୁ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ୩ ଜଣଙ୍କୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ସୂଚନା ଥାଉକି, କିଛି ଦିନ ତଳେ ନାକଟିଦେଉଳ ଥାନା ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ସରକାରୀ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛ ଏବଂ ଅନ୍ୟ ଏକ ଦିନରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଞେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଥିଲା। ଏହି ଗଞେଇ ପାକଳ ହେଲା ପରେ ବିକ୍ରି ହୋଇଥିଲେ ଏହାର ମୂଲ୍ୟ ୫୦ଲକ୍ଷ ୨୫ ହଜାର ହୋଇଥାନ୍ତା ବୋଲି ପୋଲିସ୍ କହିଛି।

ଗଞେଇ ଚାଷ କରିବା ଅଭିଯୋଗରେ ହିତସରା ଗ୍ରାମର ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ନାକଟିଦେଉଳ ପୋଲିସ୍। ଆଜି ୫ ଜଣ ମଧ୍ୟରୁ ୩ ଜଣଙ୍କୁ ପୋଲିସ୍ ହିତସରା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି।

ନାକଟିଦେଉଳ ଥାନା କେସ୍ ନଂ ୧୪୮ (ତା୧୦-୧୧-୨୦୨୧)ରେ ହିତସରା ଗ୍ରାମର ସୁମନ୍ତ ସାହୁ (୨୯), କେସ୍ ନଂ ୧୫୦ (ତା ୧୦.୧୧.୨୦୨୧) ରେ ସେଇ ଗ୍ରାମର ଶ୍ରୀବତ୍ସ ଦେହୁରୀ (୩୫), ଏବଂ କେସ୍ ନଂ ୧୫୧ (ତା ୧୦.୧୧.୨୦୨୧) ରେ ସେଇ ଗ୍ରାମର ଶ୍ରୀକର ଦେହୁରୀ (୩୧) ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗଞେଇ ଚାଷ ଅଭିଯୋଗରେ ଆଉ ୨ ଜଣ ନାମରେ ମାମଲା ରହିଥିବା ପୋଲିସ୍ କହିଛି । ସେମାନଙ୍କୁ ଗିରଫ କରାଯିବ ବୋଲି ଜଣା ପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳ ଓ କମିଶନର ନାମରେ ମାମଲା ରୁଜୁ କରିବା ନେଇ ଭାରତୀୟ ବିକାଶ ପରିଷଦ ଥାନାର ଦ୍ୱାରସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମହାମାରୀ ଆଇନ ଏବଂ ସନାତନ ହିନ୍ଦୁ ଧର୍ମ ଶହଶହ ବର୍ଷର ଧାର୍ମିକ ଭାବନା ଓ ପ୍ରଥାକୁ ଅବଜ୍ଞା କରିବା ଅଭିଯୋଗରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ନାମରେ ମାମଲା ରୁଜୁ କରିବାକୁ ଭାରତୀୟ ବିକାଶ ପରିଷଦ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛି।

ପରିଷଦ ଅଭିଯୋଗ କରିଛି ଯେ, ଗଂଜାମ ଜିଲ୍ଲାରେ ବହୁ ବର୍ଷରୁ ପ୍ରଚଳିତ ଦଣ୍ଡନାଟ, ମା’ ଠାକୁରାଣୀ ଯାତ୍ରା, ଶିବରାତ୍ରୀ ଆଦିକୁ ବନ୍ଦ କରିବାକୁ ହୀନ ପ୍ରୟାସ କରି ନିକଟରେ ରାମଲିଙ୍ଗଶ୍ୱେର ମହୋତ୍ସବ, ଜଉଗଡ଼ ମହୋତ୍ସବ ଏବଂ ଅନ୍ୟାନ୍ୟ ମହୋତ୍ସବ ପ୍ରଶାସନର ଇଙ୍ଗିତରେ ଅନୁଷ୍ଠିତ ହେଉଛି। କିନ୍ତୁ କରୋନା କଟକଣାକୁ ଦ୍ୱାହି ଦେଇ ହିନ୍ଦୁଧର୍ମର ଧାର୍ମିକ ପରମ୍ପରା ଏବଂ ରୀତିନୀତିକୁ ପାଦ ତଳେ ଚାପି ଦିଆଯାଉଛି।

ଗତ ଶିବରାତ୍ରି ଦିନ ହଜାର ହଜାର ଲୋକଙ୍କ ଗହଳି ଚହଳି ମଧ୍ୟରେ ରାମଲିଙ୍ଗେଶ୍ୱର ମହୋତ୍ସବ ଆୟୋଜିତ ହୋଇଛି। ଯାହାଫଳରେ ଗତକାଲି ବ୍ରହ୍ମପୁର ସହରରେ ପୁଣିଥରେ କରୋନାର ଲେଟଟାଣି ହୋଇ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ଅଫିସର ଗଂଜାମ ଜିଲ୍ଲାର ଶତ୍ରୁ ରୂପେ ପରିଚିତ ଓ ନିଜ ସ୍ୱାର୍ଥ ପାଇଁ ଜିଲ୍ଲାର ସାମୂହିକ ସ୍ୱାର୍ଥର ପରିପନ୍ଥି ବୋଲି ପରିଷଦ ଅଭିଯୋଗ କରିଛି।

ତେଣୁ ଜିଲ୍ଲାପାଳ ଏବଂ କମିଶନର ମହାମାରୀ ଆଇନର ଅବଜ୍ଞା, ହିନ୍ଦୁଧର୍ମର ଦେବାଦେବୀ ପରମ୍ପରା ପ୍ରତି କୁଠାରାଘାତ, ସାମ୍ବିଧାନିକ ପଦର ଅପବ୍ୟବହାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦେଶକୁ ଅବମାନନା, ଜିଲ୍ଲାର କରୋନାର ପ୍ରସାର ପାଇଁ ତୁରନ୍ତ ଏଫ୍‌ଆଇଆର୍ ରୁଜୁ କରି ଗିରଫ କରିବା ପାଇଁ ପରିଷଦ ଦାବି କରିଛି।

ଯଦି ତିନିଦିନ ମଧ୍ୟରେ ଏପ୍‌ଆଇଆର୍ ରୁଜୁ କରି ଗିରଫ କରାନଯାଏ, ତେବେ ପରିଷଦ ବ୍ରହ୍ମପୁର ଡ଼ିଆଇଜି ଅଫିସ୍ ଘେରାଉ କରିବା ସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

ଅଭିଯୋଗ ପତ୍ର ପ୍ରଦାନ ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ସହ ସାଧାରଣ ସଂପାଦକ ରଶ୍ମିରଂଜନ, ବୃନ୍ଦାବନ ବେହେରା, କିଶୋର ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦଳବେହେରା, ହୃଷିକେଶ ପାତ୍ର, ସୁମତି ପଲେଇ, କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କୃଷି ଆନ୍ଦୋଳନକୁ ନେଇ ଉତ୍ତେଜିତ ଟୁଇଟ କରିବା ଅଭିଯୋଗ: ଗ୍ରେଟା ଥନବର୍ଗଙ୍କ ବିରୋଧରେ ଥାନାରେ ମାମଲା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶର ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବିଦେଶୀ ସେଲିବ୍ରେଟି ରିହାନା ଏହି ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିବା ପରେ ଦେଶର ବିରୋଧୀ ଦଳ ନେତା, ଖେଳାଳି, ସେଲିବ୍ରେଟିମାନେ ତାଙ୍କୁ ବିରୋଧ କରିଥିଲେ।

ସେହିପରି ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟୁଇଟ କରିଥିଲେ। ଏହାକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି।

ଗ୍ରେଟା ଥନବର୍ଗ ତାଙ୍କ ଟୁଇଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି ଭାରତ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ପାରିବ। ଏନେଇ ସେ ତାଙ୍କର କାର୍ଯ୍ୟ ଯୋଜନା ସମ୍ବଦ୍ଧିତ ଏକ ଦସ୍ତାବିଜ୍ ଟୁଇଟରରେ ପୋଷ୍ଟ କରିଥିଲେ। ତାଙ୍କର ଏଭଳି ଟୁଇଟ ଆସିବା ପରେ ଭାରତ ସରକାରଙ୍କ ସମେତ କିଛି ସଂଗଠନ ତାଙ୍କ ଟୁଇଟକୁ କଡା ଭାଷାରେ ନିନ୍ଦା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି: ହାଇକୋର୍ଟରେ ମାମଲା ରୁଜୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍‌ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ।

ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍‌ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍‌ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍‌ଓବିରେ ୧୭୯୧ ଏବଂ ଏନ୍‌ଓଏଲ୍‌ବିରେ ୨୫୯୮ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି। ସମୁଦାୟ ୧୮୪୬୧ ଜଣ ହିତାଧିକାରୀଙ୍କ ବଦଳରେ ଚଞ୍ଚକତା କରି ୧୯୬୯୯ ଜଣଙ୍କୁ କିଭଳି ଅର୍ଥ ପ୍ରଦାନ କରାଗଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସମୁଦାୟ ୧କୋଟି ୪୮ ଲକ୍ଷ ୫୬ହଜାର ଟଙ୍କା ରାଜକୋଷରୁ ହରିଲୁଟ୍ ହୋଇଥିବା ନେଇ ଶ୍ରୀ ମହାନ୍ତି ସ୍ମାରକପତ୍ରରେ ଦର୍ଶାଇଥିଲେ। ଶୌଚାଳୟର ଜିଓ ଟ୍ୟାଗିଂ ହୋଇନି। ବିଲ୍ ମଧ୍ୟ ଦିଆଯାଇନି। ହିତାଧିକାରୀଙ୍କ ନାମକୁ ଟେମ୍ପରିଂ କରି ଦୁଇଟି ଲେଖାଏଁ ଲେଟିନ୍ ବିନ୍ ହୋଇଛି। ଗୋଟିଏ ଏସ୍‌ଏଚ୍‌ଜିକୁ ପ୍ରାୟ ୮୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସଂପୃକ୍ତ ଗୃପ ହିତାଧିକାରୀଙ୍କୁ ଅର୍ଥ ପୈଠ କରିନଥିବା ଘଟଣା ମଧ୍ୟ ଏହି ବ୍ଲକ୍‌ରେ ଘଟିଛି।

Categories
ଆଜିର ଖବର ଆଞ୍ଚଳିକ

ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ମାମଲା

କନ୍ଦର୍ପ ବେହେରା
ରେଢାଖୋଲ: ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ଚାରମାଳ ଥାନା ବଡନୂଆଁପଡା ଗ୍ରାମରେ ଜାତିଆଣ କଥାକୁ ନେଇ ଗ୍ରାମର ଚାଙ୍ଗୁଡା ସୁନା ନାମକ ବ୍ୟକ୍ତି ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିବା ବେଳେ, ସେଇ ଗ୍ରାମର ବିଦ୍ୟାଧର ସାମଲ ଅଭିଯୋଗ କରିଛନ୍ତି ଯେ ଚାଙ୍ଗୁଡା ସୁନାର ପୁଅ ତାଙ୍କ ଘରକୁ ଆସି ଗାଳିଗୁଲଜ କରିଥିବା ଉଭୟ ପକ୍ଷରୁ ଚାରମାଳ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡିଛି। ୩ ବର୍ଷ ହେଲା ସେହି ଗ୍ରାମରେ ୮ଟି ହରିଜନ ପରିବାର ବସବାସ କରିଆସୁଛନ୍ତି। ସବୁ ସମୟରେ ବହୁବାର ଉଚ୍ଚ ଜାତିର ଲୋକମାନେ ଆମ ୮ ହରିଜନ ପରିବାରକୁ ସେମାନେ ସବୁବେଳେ ଜାତିଆଣ ଆକ୍ଷେପ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ବର୍ଷ ବର୍ଷ ଧରି ବହୁ ହଇରାଣ ହରକତ କରୁଥିବା ସହ ଅତ୍ୟାଚାର କରୁଛନ୍ତି ବୋଲି ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି। ସମାଜରେ ଏବେବି ଜାତିପ୍ରଥା ରହିଛି। ଯା ଫଳରେ ଆଦିବାସୀ ଓ ହରିଜନ ଲୋକ ମାନେ ଉଚ୍ଚ ଜାତିର ଲୋକମାନଙ୍କ ଠାରୁ ଅତ୍ୟାଚାରିତ ହେଉଛନ୍ତି। ଉଭୟ ପକ୍ଷରୁ ମାମଲା ରୁଜୁ ହେବା ସହ ଏହାର ତଦନ୍ତ ଚାଲିଛି ବୋଲି ପୋଲିସ୍ କହିଛି।

Categories
ଆଜିର ଖବର ଆଞ୍ଚଳିକ

ସାମ୍ବାଦିକ ଆକ୍ରମଣ ଘଟଣା: ମାମଲା ରୁଜୁ କଲା ବେଗୁନିଆପଡା ପୋଲିସ୍‌

ବେଗୁନିଆପଡା: ଖରା ହେଉ କି ବର୍ଷା। ସବୁ ସମୟରେ ସବୁ ପରିସ୍ଥିତିରେ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିଥାଏ। ବିଶ୍ବ ମହାମାରୀ କରୋନା ଭୟ ଭିତରେ ବି ଘରୁ ବାହାରକୁ ଆସି  ନିଷ୍ଠାପର ଭାବେ ଅହରହ କର୍ତ୍ତବ୍ୟ କରି ଲୋକଙ୍କ ପାଖରେ ଖବର ପହଁଚାଉ ଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ଏକ ୱେବ ଚାନେଲର ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୁଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି।  ମିଳିଥିବା ସୂଚନା ଅନୁସାରେ ସାମ୍ବାଦିକ ଶ୍ରୀ ନାୟକ ଗତ ମେ ୧ ତାରିଖ ଦିନ ବୁରୁଝରୀ ପଞ୍ଚାୟତ ଅନ୍ତର୍ଗତ ପି. ନୂଆଗାଁ ବିଦ୍ୟାଳୟ ସ୍ଥିତ ସଙ୍ଗରୋଧ ଗୃହକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ଦୁଇ ପୁଅ ଅନିଲ ପରିଡା ଓ ପିଣ୍ଟୁ ପରିଡା ଏବଂ ତାଙ୍କ ସହଯୋଗୀ ବିବେକା ଓ ଵିଷ୍ଣୁ ଜେନା ମେ ୨ ତାରିଖ ରାତ୍ରରେ ମୁନାଙ୍କ ନିକଟକୁ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆକ୍ରମଣ କରି ଥିଲେ। ଏଥିରେ ମୁନା ଆହତ ହୋଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ବେଗୁନିଆପଡା ପୁଲିସ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କ ନାମରେ କେସ ନଂ ୧୨୯/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଉକ୍ତ ଆକ୍ରମଣ ଘଟଣାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି।