Categories
ଆଜିର ଖବର ଜାତୀୟ ଖବର

ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କୃଷି ମନ୍ତ୍ରଣାଳୟର ଦାୟିତ୍ୱ, ରାଜୀବ ଚନ୍ଦ୍ରଶେଖର ପାଇଲେ ଏହି ବିଭାଗ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସରୁତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ବର୍ତ୍ତମାନ ନରେନ୍ଦ୍ର ସିଂ ତୋମରଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ରାଜ୍ୟ ମନ୍ତ୍ରୀର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ଜଳ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାରଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ଅର୍ଜୁନ ମୁଣ୍ଡା ପୂର୍ବରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଶୋଭା କରନ୍ଦଲାଜେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ଭାରତ ପ୍ରବୀଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି।

Categories
ଆଜିର ଖବର

ଡିଜିଟାଲ ମଧ୍ୟସ୍ଥଙ୍କ ସହ ଡିପ୍ ଫେକ୍ ଏବଂ ଆଇଟି ନିୟମ ଅନୁପାଳନ ନେଇ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୁରକ୍ଷିତ ଓ ବିଶ୍ୱସନୀୟ ଇଣ୍ଟରନେଟ୍ ତଥା ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଡିଜିଟାଲ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ ହେବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଅବିକଳ ନକଲ ବା ଡିପ୍ ଫେକ୍ ବିପଦ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବେଗ ପ୍ରକାଶ କରିବା ପରେ ସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନେ ସେମାନଙ୍କ ସାର୍ବଜନୀନ ନିର୍ଦ୍ଦେଶାବଳୀକୁ ଆଇଟି ନିୟମ ସହିତ ଯୋଡ଼ିବାକୁ ରାଜି ହୋଇଛନ୍ତି। ବିଶେଷ କରି ୧୧ ପ୍ରକାରର ବିଷୟବସ୍ତୁ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଡିପ୍‌ଫେକ୍ ସମେତ ଉପଭୋକ୍ତାଙ୍କ କ୍ଷତି ଘଟାଇବା ଭଳି ବିଷୟବସ୍ତୁ ରହିଛି।

ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ନିୟମାବଳୀ ସୀମା ମଧ୍ୟରେ ଡିପ୍‌ ଫେକ୍‌ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥିମାନଙ୍କ ଏକ ସାମୂହିକ ପ୍ରତିବଦ୍ଧତା ରହିଛି ଏବଂ ଏହାକୁ ସେମାନେ ପାଳନ କରିବାକୁ ସହମତ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆମେ ନୂତନ ଆଇନ ଏବଂ ନିୟମ ବିଷୟରେ ଆଲୋଚନା କରିବା ସତ୍ତ୍ୱେ, ବର୍ତ୍ତମାନର ଆଇନ ଏବଂ ନିୟମଗୁଡିକ ଉପରେ ସେମାନେ ଡିପଫେକ୍ ର ନିର୍ଣ୍ଣାୟକ ମୁକାବିଲା କରିବାର ବ୍ୟବସ୍ଥା କରିଥିବା ନେଇସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥି ମାନେ ଏକମତ ହୋଇଛନ୍ତି। ସେମାନେ ଆହୁରି କେତେକ ଦିଗକୁ ନେଇ ସହମତ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଆଇଟି ନିୟମରେ ନିର୍ଦ୍ଧାରିତ ଭାବେ ନିଷେଧ କରାଯାଇଥିବା ୧୧ ପ୍ରକାର ବିଷୟବସ୍ତୁ ଠାରୁ ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବରେ ବାରଣ କରାଯିବ। ଉପଭୋକ୍ତାଙ୍କ ସହ ହୋଇଥିବା ସମସ୍ତ ସର୍ତ୍ତାବଳୀ ଓ ମତ ଏବଂ ଚୁକ୍ତିଗୁଡିକରେ ଏଥିପାଇଁ ବ୍ୟବସ୍ଥା କରିବାକୁ ପ୍ଲାଟଫର୍ମଗୁଡ଼ିକ ରାଜି ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଇଣ୍ଟରନେଟ୍ ପାଇଁ ଡିପ୍ ଫେକ୍ ଏବଂ ଏହା ପ୍ରତିନିଧିତ୍ୱ କରୁଥିବା ବିପଦ ଏବଂ ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିସାରିଛନ୍ତି। ମଧ୍ୟସ୍ଥମାନଙ୍କ ଦ୍ୱାରା ଆଇନ ଉଲ୍ଲଂଘନ ବିଷୟରେ ରିପୋର୍ଟ କରିବା ପାଇଁ ଖୁବ୍ ଶୀଘ୍ର ନିୟମ ୭ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଏବଂ ଡିଜିଟାଲ ନାଗରିକଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ରହିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି। ଡିଜିଟାଲ ନାଗରିକମାନଙ୍କ ନିକଟରେ ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଇଣ୍ଟରନେଟ୍ ଅଧିକାର ରହିଛି ଏବଂ ମଧ୍ୟସ୍ଥିମାନେ ଏହା ପ୍ରଦାନ କରିବା ପାଇଁ ଉତ୍ତରଦାୟୀ।

ଅଭିଯୋଗ ସମାଧାନ ବ୍ୟବସ୍ଥାର ଅଗ୍ରଗତିକୁ ସ୍ୱୀକାର କରି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଡିପ୍ ଫେକ୍ ଏବଂ ଭୁଲ ସୂଚନା ଭଳି ଆହ୍ୱାନର ମୁକାବିଲା ପାଇଁ ମଧ୍ୟସ୍ଥମାନଙ୍କ ସହ ନିରନ୍ତର ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ।

ସରକାର ଏବଂ ପ୍ଲାଟଫର୍ମ ଗୁଡ଼ିକର ଭାଗିଦାରୀରେ ଆମେ ଅଭିଯୋଗ ସମାଧାନ ଦିଗରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛୁ । ଏହା ସକ୍ରିୟ ଭାବରେ କରିଥିବାରୁ ମୁଁ ମଧ୍ୟସ୍ଥମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷ କରି ଭୁଲ ସୂଚନା, ବେଆଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଓ ଜାଲିଆତି ଋଣ ଆପ୍ ର ବିଜ୍ଞାପନ କ୍ଷେତ୍ରରେ ଆହୁରି ଅନେକ କିଛି କରିବାର ଅଛି। ଏହା ଅନଲାଇନରେ ନିରାପତ୍ତା ଏବଂ ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେରଳ ବିସ୍ଫୋରଣକୁ ନେଇ ବିବାଦୀୟ ମନ୍ତବ୍ୟ ଅଭିଯୋଗ: କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରୁଥିବା ବିବୃତ୍ତି ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରିଛି। ବିଜେପି କେରଳ ପ୍ରଦେଶ ସଭାପତି କେ ସୁରେନ୍ଦ୍ରନ ଅଭିଯୋଗ କରିଛନ୍ତି ଯେ, ପିନରାଇ ବିଜୟନ ସରକାରଙ୍କ ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ବିଭାଜନକାରୀ ଶକ୍ତି ତଥା ଉଗ୍ରବାଦୀ ଚିନ୍ତାଧାରା ଥିବା ଲୋକଙ୍କୁ ସାହାଯ୍ୟ କରିବା ତଥା ପ୍ରୋତ୍ସାହିତ କରିବା। ସେ ଥିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ପିନାରାଇ ବିଜୟନ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି। ଉଭୟ ରାଜନୈତିକ ଏବଂ ଆଇନଗତ ଭାବେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ମାମଲାର ସାମ୍ନା କରିବ ବୋଲି ବିଜେପି କହିଛି।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରା ଆରମ୍ଭ କଲେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ: ବିମାନ ତ୍ରୁଟି ହେତୁ ଦିଲ୍ଲୀରେ ରହିଥିଲେ ଦୁଇ ଦିନ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନ ଦୁଇ ଦିନ ଧରି ରହିବା ପରେ ଆଜି ଦିଲ୍ଲୀ ଛାଡିଛି। ବିମାନକୁ ଆଜି ଉଡ଼ାଣ ପାଇଁ ଅନୁମତି ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସକାଳେ ଏନେଇ ସୂଚନା ଦେଇଛି।

ଉଡ଼ାଣରେ ଯାନ୍ତ୍ରିକ ତ୍ରୁଟି ସୁଧାର କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି। ରବିବାର ଦିନ ଶେଷ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ପରେ ଟ୍ରୁଡୋ ଏବଂ ତାଙ୍କ ପ୍ରତିନିଧୀ ଦିଲ୍ଲୀରୁ ବିଦାୟ ନେବାକୁ ଯାଉଥିଲେ, କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଦିଲ୍ଲୀରେ ଅଟକି ରହିଥିଲେ।

ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଟ୍ରୁଡୋ ଶୁକ୍ରବାର ଦିନ ଦିଲ୍ଲୀ ଆସିଥିଲେ। ଏହି ସମୟ ମଧ୍ୟରେ ଜି -୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସରକାର କ’ଣ କହିଥିଲେ?:

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୋର ସହକର୍ମୀଙ୍କ ତରଫରୁ ମୁଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲି। ଜି -୨୦ ରେ ତାଙ୍କ ଉପସ୍ଥିତି ଏବଂ ଘରକୁ ନିରାପଦ ଯାତ୍ରା ପାଇଁ ଟ୍ରୁଡୋଙ୍କୁ ଶୁଭେଚ୍ଛା।

ଉଦ୍ୟୋଗୀ, ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଟ୍ରୁଡୋଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଘୋଷଣାପତ୍ର ମାଧ୍ୟମରେ ଭାରତ ଦେଇଥିବା ବାର୍ତ୍ତା ଆଗାମୀ ବର୍ଷରେ ବିଶ୍ୱ ଏହି ପଥ ଅନୁସରଣ କରିବ: ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଜି -୨୦ ର ଭାରତର ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ପରିଭାଷିତ। ଏହାର ଗୋଟିଏ ପ୍ରମାଣ ହେଉଛି, ଏଭଳି ଭୌଗୋଳିକ ଦୃଷ୍ଟିରୁ କଷ୍ଟସାଧ୍ୟ ସମୟରେ ମଧ୍ୟ ବିଶ୍ଵର ସମସ୍ତ ଦେଶ ଏହି ଘୋଷଣା ପତ୍ରକୁ ଗ୍ରହଣ କରୁଛନ୍ତି ଏବଂ ସହମତ ହେଉଛନ୍ତି। ଗୋଟିଏ ପ୍ରକାରେ ଆମର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ତଥା ଆମ ଦେଶର ନେତୃତ୍ୱ ବିଷୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ।

ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ଯେଉଁ ବାର୍ତ୍ତା ଦେଉଛି, ବିକାଶ, ସମୃଦ୍ଧି, ସମ୍ପତ୍ତି, ଡିପିଆଇ, ସ୍ଥିରତା ବିଷୟରେ ଏହି ବାର୍ତ୍ତା ବିଶ୍ଵର ଦେଶଗୁଡିକ ଗ୍ରହଣ କରୁଛନ୍ତି, ଏହି ବାର୍ତ୍ତା ଆଗାମୀ ବର୍ଷ ଏବଂ ଦଶନ୍ଧି ଦଶନ୍ଧି ଧରି ବିଶ୍ୱକୁ ଏହି ପଥରେ ରଖିବ।

ସେ କହିଛନ୍ତି ଯେ, ଡିପିଆଇ ସମ୍ବନ୍ଧରେ ବିଶ୍ଵର ସମସ୍ତ ଦେଶ ତଥା ଲୋକ ବିଶ୍ବାସ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୀ ନଅ ବର୍ଷ ପୂର୍ବେ ୨୦୧୫ ରେ ଦେଶ ସମ୍ମୁଖରେ ରଖିଥିଲେ, ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବୁ। ଏହାର ଶକ୍ତି ହେଉଛି, ଯାହା ବିଶ୍ଵର ଦେଶଗୁଡିକ ପାଞ୍ଚ ଦଶନ୍ଧି ମଧ୍ୟରେ ଯାହା କରିପାରିନଥିଲେ, ଆମେ ଏହାକୁ ନଅ ବର୍ଷ ମଧ୍ୟରେ କରିଛୁ। ମୁଁ ବିଶ୍ଵାସ କରେ ଯେ DPI ର ବର୍ଣ୍ଣନା ଏବଂ DPI ରେ ହୋଇଥିବା ଚୁକ୍ତିନାମା ବିଶ୍ଵର ସବୁ ଦେଶ ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଡିପିଆଇ ସଂଜ୍ଞା, ଢାଞ୍ଚା ଏବଂ ନୀତି ଉପରେ ଐତିହାସିକ ବିଶ୍ୱ ସହମତି ହାସଲ ହୋଇଛି: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର ଦିନ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି, ଯେଉଁଠାରେ ସେ ଅଗଷ୍ଟରେ ଅନୁଷ୍ଠିତ ଡିଜିଟାଲ ଅର୍ଥନୀତି ମନ୍ତ୍ରୀମାନଙ୍କ ବୈଠକର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ବିଷୟରେ ସୂଚନା ଦେଇଥିଲେ। ଭାରତର ଅଧ୍ୟକ୍ଷତାରେ ଜି-୨୦ ଡିଜିଟାଲ ଅର୍ଥ ମନ୍ତ୍ରୀମାନେ କିପରି ଭବିଷ୍ୟତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)କୁ ପ୍ରଭାବଶାଳୀ ରୂପ ଦେବେ ସେ ନେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଆଲୋକପାତ କରିଥିଲେ।

ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା ଏବଂ ଡିଜିଟାଲ ଦକ୍ଷତା ଆଦି ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଦେଶଗୁଡ଼ିକ ମଧ୍ୟରେ ସହମତି ବ୍ୟାପକ ଭାବରେ କେନ୍ଦ୍ରୀଭୂତ ହୋଇଛି।

ପ୍ରଥମ ଥର ପାଇଁ ଡିପିଆଇ ଏକ ବିଶ୍ୱସ୍ତରୀୟ ସହମତିରେ ପହଞ୍ଚିଛି ଏବଂ ସେମାନଙ୍କର ସଂଜ୍ଞା, ଢାଞ୍ଚା ଏବଂ ନୀତି କ’ଣ ହେବା ଉଚିତ୍। ଏହା ଏକ ରୋମାଞ୍ଚକର ବାର୍ତ୍ତାଳାପ ଯାହା ଜି-୨୦ ପରିପ୍ରେକ୍ଷୀରେ ଜୋର ଧରିଛି। ପ୍ରଗତି ଏବଂ ଅଭିବୃଦ୍ଧି ପାଇଁ ବୈଷୟିକ ଉପକରଣବ୍ୟବହାର ଏବଂ ନିୟୋଜିତ କରିଥିବା ଏକ ରାଷ୍ଟ୍ର ଭାବରେ ଭାରତ ବର୍ତ୍ତମାନ ଏକ ଅଧ୍ୟୟନ କ୍ଷେତ୍ର ପାଲଟିଛି। ପଛରେ ପଡ଼ିଥିବା ଦେଶଗୁଡ଼ିକ ଏହାକୁ ଡିପିଆଇ, ଏକ ଓପନ୍ ସୋର୍ସ ଡିଜିଟାଲ୍ ଭିତ୍ତିଭୂମିରେ ଭାରତର ନେତୃତ୍ବ ନେବାର ପଦକ୍ଷେପକୁ ଅନୁସରଣ କରିବା ଏବଂ ଏହାକୁ ବ୍ୟବହାର କରି ଭାରତର ସମାନ ପ୍ରଭାବ ସୃଷ୍ଟି କରିବାର ଏକ ଉପାୟ ଭାବରେ ଦେଖୁଛନ୍ତି। ଏହି ଜି-୨୦ ଆଲୋଚନା ମାଧ୍ୟମରେ ଆମେ ଆହୁରି ବୁଝିପାରିଛୁ ଯେ ଡିପିଆଇ କିପରି ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ଶକ୍ତିଶାଳୀ ବ୍ୟବସ୍ଥା, ବିଶେଷକରି ଦକ୍ଷିଣ ବିଶ୍ୱର ଦେଶମାନଙ୍କ ପାଇଁ।

ଆର୍ମେନିଆ, ସିଏରା ଲିଓନ୍, ସୁରିନାମ, ଆଣ୍ଟିଗୁଆ, ବାର୍ବାଡୋସ୍, ତ୍ରିନିଦାଦ ଓ ଟୋବାଗୋ, ପାପୁଆ ନ୍ୟୁ ଗିନି ଏବଂ ମରିସସ୍ ଭଳି ଦେଶମାନଙ୍କ ସହ ଭାରତ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ରାଷ୍ଟ୍ରଗୁଡ଼ିକ ଏବେ ସେମାନଙ୍କ ସୀମା ମଧ୍ୟରେ ଏହି ସମ୍ବଳଗୁଡ଼ିକୁ ଗ୍ରହଣ କରିବା ଏବଂ ବ୍ୟବହାର କରିବାର ସୁଯୋଗ ପାଇଛନ୍ତି, ଯାହା ସେମାନଙ୍କର ଅନନ୍ୟ ଉଦ୍ଭାବନ ଇକୋସିଷ୍ଟମକୁ ଆହୁରି ବିକଶିତ କରିବ।

ଡିପିଆଇ ବ୍ୟତୀତ ଦେଶଗୁଡ଼ିକ କିପରି ସାଇବର ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ସେ ବିଷୟରେ ମନ୍ତ୍ରୀ କହିଥିଲେ ଏବଂ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ପାଇଁ ଏହାର ଗୁରୁତ୍ୱ ଉପରେ ମତ ରଖିଥିଲେ। ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସାଇବର ସୁରକ୍ଷା ପ୍ରସଙ୍ଗରେ ଜି-୨୦ ଡିଜିଟାଲ ଅର୍ଥ ମନ୍ତ୍ରୀମାନେ ବ୍ୟବସାୟକୁ ସୁରକ୍ଷିତ ରଖିବା କାହିଁକି ଜରୁରୀ ସେ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ସାଇବର ନିରାପତ୍ତା ବିଶ୍ୱର ସମସ୍ତ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାରଣ ଡିଜିଟାଲ ଅର୍ଥନୀତି ଅର୍ଥନୈତିକ ପ୍ରଗତି ଏବଂ ବିଶ୍ୱ ଅର୍ଥନୀତିର ଏକ ବୃହତ ଉପାଦାନ ପାଲଟିଛି।

ସହମତିର ତୃତୀୟ ବିଷୟ ଥିଲା ଡିଜିଟାଲ ଦକ୍ଷତା। କୋଭିଡ୍ ପରବର୍ତ୍ତୀ ଡିଜିଟାଲ୍ ଦୁନିଆରେ ଯୁବବର୍ଗଙ୍କ ମଧ୍ୟରେ ଡିଜିଟାଲ କୌଶଳ ଶିଖାଇବା ଓ ସୁନିଶ୍ଚିତ କରିବା ରାଷ୍ଟ୍ରମାନଙ୍କ ପାଇଁ ଜରୁରୀ ବୋଲି ମନ୍ତ୍ରୀ କହିଥିଲେ।

କୋଭିଡ୍ ପରବର୍ତ୍ତୀ ଡିଜିଟାଲ୍ ଦୁନିଆରେ ଡିଜିଟାଲ୍ ଦକ୍ଷତାର ଆବଶ୍ୟକତା ବଢ଼ିବାରେ ଲାଗିଛି। ଭାରତର ପ୍ରତିଭା ଆମର ଯୁବବର୍ଗଙ୍କ ପାଇଁ ଡିଜିଟାଲ ଦକ୍ଷତା ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛି। ଏହି ଆଲୋଚନା ସମୟରେ ଏହା ପ୍ରତିଫଳିତ ହୋଇଛି। ଆଗାମୀ ଟେକ୍ନୋଲୋଜିରେ ଚାଲିଥିବା ଆହ୍ୱାନର ମୁକାବିଲା ପାଇଁ ଡିଜିଟାଲ ପ୍ରସ୍ତୁତ, ଭବିଷ୍ୟତ ପ୍ରସ୍ତୁତ ଦକ୍ଷତା ପ୍ରତିଭା ସୃଷ୍ଟି କରିବା ପାଇଁ ଅନେକ ଦେଶ ପରସ୍ପର ସହ ଏବଂ ଭାରତ ସହିତ ଭାଗିଦାରୀ କରିବାକୁ ଆଗ୍ରହୀ ବୋଲି ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ଭାରତର ମାନ୍ୟତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ବିଶ୍ୱସ୍ତ ସହଯୋଗୀ ଭାବେ ଭାରତର ବଢ଼ୁଥିବା ସ୍ୱୀକୃତିକୁ ସ୍ୱୀକାର କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲେଖିଛନ୍ତି ଯେ, ସ୍ଥିରତା, ନିରାପତ୍ତାଠାରୁ ଆରମ୍ଭ କରି ଟିକା, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ଭାରତ ବର୍ତ୍ତମାନ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ମାନ୍ୟତା ପାଇଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ ଆମାଜନ: ଆଇଟି ରାଜ୍ୟ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ହୋଇଥିବା ଆମେରିକା ଗସ୍ତ ଭାରତକୁ କୋଟି କୋଟି ଡଲାରର କାରବାର ଆଣିଥିବାବେଳେ ଏକ କମ୍ପାନୀ ଅଛି ଯାହା ଏହି ଗସ୍ତ ସମୟରେ ଭାରତରେ ଲକ୍ଷ ଲକ୍ଷ ଚାକିରୀ ଯୋଗାଇଦେବାକୁ ନିଶ୍ଚିତ କରିଛି। ପ୍ରଖ୍ୟାତ ଇ-କମର୍ସ କମ୍ପାନୀ ଆମାଜନ ୪-୫ ଲକ୍ଷ ନୁହେଁ ଭାରତରେ ୨୦ ଲକ୍ଷ ଚାକିରି ଯୋଗାଇଦେବାକୁ ନିଶ୍ଚିତ କରିଛି। ଦେଶର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ରାଜ୍ୟ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଆମାଜନ୍ ଇଣ୍ଡିଆ ଦ୍ୱାରା ଏକ ବଡ଼ ବିନିଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏହା ଅଧୀନରେ ୨୦୩୦ ସୁଦ୍ଧା ଭାରତରେ ୨୬ ବିଲିୟନ ଡଲାର ଏବଂ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ସହିତ ଆମେରିକା-ଭାରତ ବୈଷୟିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ପ୍ରମାଣିତ ହେବ।

ଇ-କମର୍ସ କମ୍ପାନୀ ଆମାଜନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତରେ କମ୍ପାନୀର ଅତିରିକ୍ତ ୧୫ ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା କରିଛି, ଯାହା ମୋଟ ବିନିଯୋଗକୁ ୨୬ ବିଲିୟନ ଡ଼ଲାରରେ ପହଞ୍ଚାଇବ। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କହିଛନ୍ତି ଯେ, କମ୍ପାନୀ ଭାରତରେ ୧୧ ବିଲିୟନ ଡଲାର ବିନିଯୋଗ କରିସାରିଛି।

ସେ ଶୁକ୍ରବାର ଦିନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ବହୁତ ଭଲ ଏବଂ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ହୋଇଛି ଏବଂ ମୁଁ ଅନୁଭବ କରୁଛି ଯେ ଆମର ଅନେକ ଲକ୍ଷ୍ୟ ସମାନ ଅଟେ। ଆମାଜନ ହେଉଛି ଭାରତର ସବୁଠାରୁ ବଡ ନିବେଶକ। ଆମେ ଏପର୍ଯ୍ୟନ୍ତ ୧୧ ବିଲିୟନ ଡଲାର ବିନିଯୋଗ କରିଛୁ ଏବଂ ମୋଟ ପରିମାଣକୁ ୨୬ ବିଲିୟନ ଡଲାରରେ ପହଞ୍ଚାଇବକୁ ଇଚ୍ଛା କରୁଛୁ। ତେଣୁ ଭାଗିଦାରୀର ଭବିଷ୍ୟତ ବିଷୟରେ ଆମେ ବହୁତ ଉତ୍ସାହିତ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଟ୍ୱିଟ୍ କରି କହିଛି ଯେ, ଆମାଜନ୍ ର ଚେୟାରମ୍ୟାନ୍ ତଥା ସିଇଓଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅର୍ଥପୂର୍ଣ୍ଣ ବୈଠକ କରିଛନ୍ତି। ବୈଦେଶିକବ୍ୟାପାର ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ, ଭାରତର ଲଜିଷ୍ଟିକ୍ ସେକ୍ଟରରେ ଏବଂ ଇ-ବାଣିଜ୍ୟ କ୍ଷେତ୍ରରେ ଆମାଜନ ସହ ସହଯୋଗ ବିସ୍ତାର କରିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ଭାରତରେ ଏମଏସଏମଇର ଡିଜିଟାଇଜେସନକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନର ପଦକ୍ଷେପକୁ ମୋଦୀ ସ୍ୱାଗତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଏବଂ ଦକ୍ଷତା ବିକାଶ ତଥା ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଜାତୀୟ ତଥ୍ୟ ପରିଚାଳନା ଫ୍ରେମୱାର୍କ ନୀତି ଅନୁଯାୟୀ ଭାରତ ସରକାର ଖୁବ୍ ଶୀଘ୍ର ଏକ ସମାନ ତଥା ସୁସଂଗତ ଅଜ୍ଞାତ ଡାଟା ସେଟ୍ ଏକତ୍ର କରିବା ଆରମ୍ଭ କରିବେ। ରାଜୀବ ଚନ୍ଦ୍ରଶେଖର ଜି – ୨୦ ବିକାଶ କାର୍ଯ୍ୟ ଗୋଷ୍ଠୀକୁ ଆଭାଷୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ଆଜି ଏକ ଭିଡିଓ କନଫରେନ୍ସ ଜରିଆରେ ମୁମ୍ବାଇରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅଧୀନରେ ବିକାଶ କାର୍ଯ୍ୟ ସମ୍ପର୍କିତ କାର୍ଯ୍ୟ ଗୋଷ୍ଠୀ ସମ୍ମିଳନୀକୁ ମନ୍ତ୍ରୀ ସମ୍ବୋଧିତ କରିଥିଲେ। ‘ବିକାଶ ପାଇଁ ଡାଟା’ ବିଷୟ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଭାରତ ଜି -୨୦ ର ଅଧ୍ୟକ୍ଷତା ସମ୍ଭାଳିବା ପରେ ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀର ଏହା ହେଉଛି ପ୍ରଥମ ଆଧିକାରିକ ପାର୍ଶ୍ୱ ବୈଠକ।

ସେ କହିଛନ୍ତି ଯେ, ଭାରତ ନିକଟରେ ଏକ ଜୀବନ୍ତ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ଏବଂ ଏକ ଦୃଢ଼ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ପାରିବେଶିକ ବ୍ୟବସ୍ଥା ରହିଛି। ତେଣୁ ଆମେ ଆଶା କରୁଛୁ ଯେ କମ୍ପାନୀ ଗୁଡିକ ସେମାନଙ୍କର ଏଆଇ ମଡେଲ୍ ଗୁଡିକୁ ତାଲିମ ଦେବା ପାଇଁ ଏହି ବୃହତ ଡାଟାବେସ୍କୁ ଦ୍ରୁତ ଗତିରେ ବ୍ୟବହାର କରିବେ। ସେ କହିଛନ୍ତି ଯେ , ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ପ୍ରଭାବଶାଳୀ ନୀତି ଏବଂ ବ୍ୟାବହାରିକ ସମାଧାନ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

ରାଜୀବ ଚନ୍ଦ୍ରଶେଖର ଅନୁକୂଳ ବିକାଶ ପାଇଁ ଡିଜିଟାଲ୍ ଡାଟା ଏବଂ ଡାଟା ସଂଚାଳିତ ହସ୍ତକ୍ଷେପ ଗୁଡିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡାଟାର ଅପବ୍ୟବହାର ବିରୁଦ୍ଧରେ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଏହି ଉଦ୍ଦେଶ୍ୟରେ ଏକ ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, “ବିଶ୍ୱାସ ଏବଂ ସୁରକ୍ଷାର ମିଳିତ ପ୍ରିଜିମ୍ ମାଧ୍ୟମରେ ଆମକୁ ଡିଜିଟାଲ୍ ଅର୍ଥନୀତିକୁ ଦେଖିବା ଆବଶ୍ୟକ। ଟେକ୍ନୋଲୋଜି, ଡିଜିଟାଲ୍ ଇଂଟରନେଟ୍ ଏବଂ ବାସ୍ତବ ରୂପରେ ଜନସାଧାରଣଙ୍କ ମଙ୍ଗଳ ଏବଂ ସ୍ଥାୟୀ ବିକାଶକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତଥ୍ୟ ନିମନ୍ତେ ଏକ ନୂତନ ଅନ୍ତର୍ଜାତୀୟ ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ଅଭିନବ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଡାଟାସେଟର ବ୍ୟବହାର ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକୁ ବହୁତ ଲାଭ ମିଳିବ ଏବଂ ଡିଜିଟାଲୀକରଣ ବ୍ୟାପକ ହେବ।

ସେ କହିଛନ୍ତି ଯେ, ଦୀର୍ଘକାଳୀନ ବିକାଶ ପାଇଁ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ର ଗୁଡିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଆମେ ଗୋଟିଏ ପଟେ ଡାଟା ସାର୍ବଭୌମତ୍ୱ ଏବଂ ସୁରକ୍ଷା, ଏବଂ ଡାଟା କମନ୍ସ ଧାରଣା ମଧ୍ୟରେ ସଠିକ୍ ସନ୍ତୁଳନ ପାଇପାରୁ ଯାହା ବୈଶ୍ୱିକ ସମୁଦାୟକୁ ଲାଭାନ୍ୱିତ କରି ପାରିବ।