Categories
ବିଶେଷ ଖବର ରାଜ୍ୟ ଖବର

ମୋ ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ହେଲା ୯୫ କୋଟି ଟଙ୍କା, ଯୋଡ଼ିହେଲେ ୫ ଲକ୍ଷ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର, ‘ମୋ ସ୍କୁଲ୍ ଅଭିଯାନ’ର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଗତ ୧ ମାସ ମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାତା ମିଳିଛି । ବାଲେଶ୍ୱରରେ ସର୍ବାଧିକ ୧.୭୫ କୋଟି, କଟକରେ ୩୫ ଲକ୍ଷ ୭୪ ହଜାର, ବରଗଡ଼ରେ ୨୧ ଲକ୍ଷ ୪୫ ହଜାର, ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଏବଂ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୦ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୯୪ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର‌୍ୟ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଲଗାତାର ୭ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ‘ମୋ ସ୍କୁଲ୍ ଅଭିଯାନ’କୁ ବିପୁଳ ସମର୍ଥନ ମିଳିଥିବା ବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି ।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୪୮ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ଆଗେଇ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ଏସ୍ଏମ୍ଏସ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ’ରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଏକ ଏକାଡେମିକ କମିଟି ଗଠନ କରାଯାଇଛି । ଆଗାମୀଦିନରେ ଏହି କମିଟି ସ୍କୁଲ୍ର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଦିଗରେ ପରାମର୍ଶ ଦେବ । ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ କମିଟିର ପରାମର୍ଶ ଅନୁଯାୟୀ ପିଲାଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯିବ ।

୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ ଅଧୀନରେ ଆସୁଥିବା ୧ ହଜାର ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଜ୍ଞାନ, ବୈଷୟିକ ଓ ଗଣିତ ଭଳି ବିଷୟରେ ଦକ୍ଷ କରିବାକୁ ଆଇବିଏମ୍ ଷ୍ଟେମ୍ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଥିବା ବେଳେ ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ଏକ ଗାଇଡାନ୍ସ ପୁସ୍ତିକା ପ୍ରଦାନ କରାଯାଇଛି । ଇତିମଧ୍ୟରେ ପ୍ରାୟତଃ ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମି ବିକାଶମୂଳକ କାର‌୍ୟ୍ୟ ଆରମ୍ଭ ହୋଇଛି ।

ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା ୨୭ ତାରିଖରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି । ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳଗୁଡ଼ିକର କାର‌୍ୟ୍ୟ ଅଗ୍ରଗତି ଏବଂ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୋ ସ୍କୁଲ୍ ଅଭିଯାନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର‌୍ୟ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନିୟମିତ ବ୍ୟବଧାନରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ସେହିଭଳି କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିବା ଲର୍ଣ୍ଣିଂ କ୍ୟାମ୍ପ୍ କାର‌୍ୟ୍ୟକ୍ରମକୁ ଅଗଷ୍ଟ ମାସରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି ।

ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ଏହି କାର‌୍ୟ୍ୟକ୍ରମ କରାଯିବ । ବିଦ୍ୟାଳୟସ୍ତରରେ ମୋ ସ୍କୁଲ୍ ପ୍ରକଳ୍ପର କାର‌୍ୟ୍ୟ ସମୀକ୍ଷା ପାଇଁ ଖୁବ୍ଶୀଘ୍ର ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ବିଭାଗୀ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର‌୍ୟ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ବର ଗସ୍ତରେ ମୁଖ୍ୟ ଶାସନ ସଚିବ ସହିତ 5ଟି ସଚିବ, ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର, ଆଜି ରାଜ୍ୟ ସରକାରଙ୍କ ଏକ ବରିଷ୍ଠ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ 5ଟି ସଚିବ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ କିଶନ କୁମାର ପ୍ରମୁଖ ଥିଲେ। ଏହି ଦଳ ବାଲେଶ୍ବରର ବିଭିନ୍ନ ସ୍ଥାନ ଗସ୍ତ କରି ତାହାର ବିକାଶ ଦିଗରେ ଅନୁଧ୍ୟାନ କରିଥିଲେ।

ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବା ସହିତ ନୂଆ ପ୍ରକଳ୍ପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଏହି ଦଳ ବାଲେଶ୍ବରର କୁରୁଡା ଛକ, ବାଲେଶ୍ବର ବସଷ୍ଟାଣ୍ଡ, ରେମୁଣା ରାସ୍ତାର ଷ୍ଟ୍ରିଟ ଲାଇଟ, ମେଡିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ସହିତ ଜିଲ୍ଲା ସ୍କୁଲ ତଦାରଖ କରିଥିଲେ।

ଏହି ସ୍ଥାନଗୁଡିକରେ କିପରି ବିକାଶ ହୋଇପାରିବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ବିକାଶ କରାଯିବ ବୋଲି ସେ ଗଣମାଧ୍ୟମକୁ ଅବଗତ କରାଇଥିଲେ।

ଉନ୍ନୟନ କାର୍ଯ୍ୟ ସହିତ ଏହି ପ୍ରତିନିଧୀ ଦଳ ଜିଲ୍ଲାର କୋଭିଡ ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

କେଦାର ମିଶ୍ର

ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ ପଟ୍ଟନାୟକଙ୍କ ସଫଳତା ର ଏକ ସହଜ ସୂତ୍ର। ନବୀନ ସବୁବେଳେ ସବୁ ପ୍ରକାର ଆଲୋଚନା ର ଉର୍ଦ୍ଧ୍ବ ରେ ରହିଛନ୍ତି ଓ ରହୁଛନ୍ତି।

ନବୀନଙ୍କୁ ଛାଡି ତାଙ୍କ ପାଖଲୋକ ପଛରେ ଦଉଡିବାର ଭୁଲ ବାରମ୍ବାର ବିରୋଧୀ ଦଳ କରି ଆସୁଛନ୍ତି। ଏଥିରେ ଗଣମାଧ୍ୟମ ବିରୋଧୀ ଦଳକୁ ସବୁଠୁ ବେଶୀ ବିଭ୍ରାନ୍ତ କରୁଛି। ଯାହା ରାଜ୍ୟର ଅସଲ ସମସ୍ୟା ତାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ବଦଳରେ ଗଣମାଧ୍ୟମ ବଡ କରି ଉପସ୍ଥାପନ କରୁଥିବା ପ୍ରସଙ୍ଗ ପଛରେ ବିରୋଧୀ ଦଳ ମାଡି ଚାଲିଛନ୍ତି। ପାଣ୍ଡିଆନ ପ୍ରସଙ୍ଗ ତାର ସବୁଠୁ ବଡ ଉଦାହରଣ। ରାଜ୍ୟ ସରକାରଙ୍କର ଜଣେ ଶାସନ ସଚିବ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ପରିଦର୍ଶନ କରିବା ବା ବିଭିନ୍ନ ଜିଲ୍ଲା କୁ ଯାଇ ସମୀକ୍ଷା କରିବା ତାଙ୍କ ଦାୟିତ୍ଵର ଅଂଶ ବିଶେଷ। ଏହା କିଛି ଗୋଟେ ବିଶେଷ ଘଟଣା ନୁହେଁ। ଆଗରୁ ଶାସନ ସଚିବମାନଙ୍କୁ ବାରମ୍ବାର ସରକାର ଏଇ କାମଟି କରିବା ଲାଗି ନିର୍ଦ୍ଦେଶ ଦେଉଥିଲେ, ଯାହାକୁ କି ସଚିବମାନେ ମାନୁ ନଥିଲେ। ଯଦିବା କେହି ସଚିବ ଜିଲା ଗସ୍ତ କରୁଥିଲେ, ତାହାକୁ ରୁଟିନ କାମ ବୋଲି କହି କେହି ଗୁରୁତ୍ଵ ଦେଉନଥିଲେ।ତେବେ ପାଣ୍ଡିଆନ ଗସ୍ତ କରିବା ଆରମ୍ଭ କଳା ପରେ ଏହାର ଗୁରୁତ୍ଵ ବଢିଗଲା। ଗଣମାଧ୍ୟମର ଦୟାରୁ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ ବାବୁ ଏବେ ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ବିବେଚିତ। ତେଣୁ ତାଙ୍କର ଗସ୍ତକୁ ନେଇ ଗଣମାଧ୍ୟମରେ ଉତ୍ସାହ ଅଧିକ।

“ମୋ ସରକାର” ଯୋଜନାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟତା ପାଇନଥିଲେ, ପାଣ୍ଡିଆନଙ୍କ ଗସ୍ତ ଯୋଗୁଁ ମାଗଣାରେ ଅଧିକ ପ୍ରଚାର ସୁଯୋଗ ମିଳିଲା। ଏହା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବଳ ରାଜଧାନୀରେ ସୀମୀତ ରହିଥିଲା। ଏବେ ତାଙ୍କର ନାଁ ଗାଁ ଗହଳରେ ବି ଲୋକପ୍ରିୟ ହେବା ଆରମ୍ଭ କଲାଣି। ଏହାକୁ କୁହାଯାଏ ଗଣମାଧ୍ୟମର ମ୍ୟାଜିକ। ଆପଣ ପ୍ରଶଂସିତ ହୁଅନ୍ତୁ ବା ସମାଲୋଚିତ ହୁଅନ୍ତୁ, ଗଣମାଧ୍ୟମରେ ଆପଣ ରହିବା ଦରକାର। ଓଡିଶାର ଗଣମାଧ୍ୟମ ତଥା ବିରୋଧୀ ଦଳ ଏବେ ପାଣ୍ଡିଆନଙ୍କ ମାଗଣା ପ୍ରଚାରକ ଭାବେ କାମ କରୁଛନ୍ତି। କଂଗ୍ରେସ ଦଳ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅନୁଗୁଳ ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରି ରାଲି ବାହାର କଲା। ବିରୋଧୀ ଦଳ ଯେତେବେଳେ ରାଜନୈତିକ ଲୋକଙ୍କୁ ଛାଡି ଅମଲାତନ୍ତ୍ର ପଛରେ ପଡନ୍ତି, ତାହା ସେମାନଙ୍କ ରାଜନୈତିକ ଆତ୍ମହତ୍ୟା ର କାରଣ ହୋଇଥାଏ। ବିରୋଧୀଙ୍କ ଲାଗି ମୂଳ ଲକ୍ଷ୍ୟ ନବୀନ ହେବା ଉଚିତ, ନା କି ପାଣ୍ଡିଆନ।

ବିଜେଡି ରଣନୀତିରେ ମଧ୍ୟ ଏବେ ପାଣ୍ଡିଆନ ଫେକ୍ଟରକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଉଛି। ପୂର୍ବରୁ ଗଣମାଧ୍ୟମ ଆଗକୁ ଆସିବାକୁ ଆଦୌ ଚାହୁଁ ନଥିବା ପାଣ୍ଡିଆନ ଏବେ ସହଜରେ କ୍ୟାମେରା ଆଗରେ ନିଜ କାମ କରୁଛନ୍ତି। ବିଭିନ୍ନ ଡାକ୍ତରଖାନା ଗସ୍ତରେ ଗଲାବେଳେ କିମ୍ବା ଦୀପାବଳୀ ପିଲାଙ୍କ ସହ ପାଳିଲା ବେଳେ ପାଣ୍ଡିଆନଙ୍କ ପଛରେ କ୍ୟାମେରା ଲାଗି ରହୁଛି ଓ ସେ ଏହାକୁ ନେଇ ଆଗପରି ବିରକ୍ତ ହେଉ ନାହାନ୍ତି। ଆପାତତଃ ବିଜେଡ଼ି ପାଇଁ ହେବାକୁ ଥିବା ସବୁ ସମାଲୋଚନା ଏବେ ପାଣ୍ଡିଆନଙ୍କ ବାଟ ଦେଇ ପହଞ୍ଚିବ। ସେହି ସୁରକ୍ଷା ବଳୟରେ ନବୀନ ପଟ୍ଟନାୟକ କିନ୍ତୁ ସବୁ ପ୍ରଶ୍ନ ଓ ଆଲୋଚନାର ଉର୍ଦ୍ଧ୍ଵରେ ରହିବେ।

ବିରୋଧୀ ଦଳଗୁଡିକର ଏପ୍ରକାର ଆତ୍ମଘାତି ନୀତି ଯୋଗୁଁ ରାଜ୍ୟରେ ନବୀନଙ୍କର ବିକଳ୍ପ ତିଆରି ହୋଇ ପାରୁନାହିଁ। ନବୀନଙ୍କ ବିରୋଧ ବଦଳରେ ଏବେ ବିରୋଧୀ ଦଳ ଗୁଡିକ “ମିଶନ ପାଣ୍ଡିଆନ”ରେ ମାତିଛନ୍ତି ଏବଂ ଏହାର ସବୁତକ ଲାଭ ନବୀନଙ୍କ ପାଖକୁ ହିଁ ଯାଉଛି।

 

Categories
ବିଶେଷ ଖବର

ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ; ଅନେକ କିଛି ବଦଳୁଛି, ଆହୁରି ଅନେକ ବଦଳିବା ବାକି ଅଛି 

ସମୀକ୍ଷା ବ୍ୟୁରୋ

ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି।

ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି ମଧ୍ୟରେ କାର୍ଯ୍ୟକାରୀ କରିବା ଆରମ୍ଭ ହେଲାଣି। ଯେଉଁମାନେ ରାଜ୍ୟ ଶାସନରେ ବୋଝ ହୋଇ ଅଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିରେ ଜଣେ ଆରଟିଓ, ଦୁଇ ଜଣ ଇଞ୍ଜିନିଅର ଏବଂ ଜଣେ ଡିଏଫଓ ସ୍ତରର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଛି। ଏ ସଂଖ୍ୟା ଆଗାମୀ ଦିନରେ ବଢିବ। ଏହା କେବଳ କ୍ଷେତ୍ରରେ କାମ କରୁଥିବା ଅଧିକାରୀଙ୍କ ପାଇଁ ନୁହଁ, ବରଂ ନୀତି ନିର୍ଦ୍ଧାରଣ ସ୍ତରର ଅଧିକାରୀଙ୍କ ପାଇଁ ମଧ୍ୟ ଲାଗୁ ହୋଇପାରେ। ଇଂରାଜୀରେ ଗୋଟେ କଥା ଅଛି- ଡେଡ ଊଡ୍ସ ମଷ୍ଟ ଗୋ, ଅର୍ଥାତ ଶୁଖିଲା କାଠ ସବୁ ବିଦା ହେବା ଉଚିତ। ଏ ପ୍ରକାର ପଦକ୍ଷେପ ବହୁ ଆଗରୁ ହେବା ଉଚିତ ଥିଲା।

ଫାଇଭ ଟି ସହିତ “ମୋ ସରକାର’ ଯୋଜନାର ସମାବେଶ ପରେ ପ୍ରଶାସନର ତଳ ସ୍ତର ପର୍ଯ୍ୟନ୍ତ ଏହାର ପ୍ରଭାବ ବ୍ୟାପକ ହେଉଛି। ତେବେ ଆରମ୍ଭରୁ ଏହାକୁ ସମାଲୋଚନା ହେବା ମଧ୍ୟ ଜରୁରୀ। ଫାଇଭ ଟି ରେ ସମାଲୋଚନାର ଏକ ପ୍ରମୁଖ ଭୂମିକା ରହିଛି। ସମାଲୋଚନା ନହେଲେ ସରକାରଙ୍କ ଆଖି କାନ ବନ୍ଦ ହୋଇଯିବ। ଫାଇଭ ଟି ର ଏକ ପ୍ରମୁଖ ଦିଗ ଭାବରେ ମୁଖ୍ୟ ଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆର ଆଲୋଚନାକୁ ମଧ୍ୟ ତର୍ଜମା କରାଯିବା ଉଚିତ। ଗଣମାଧ୍ୟମର ରିପୋର୍ଟ ଓ ସୋସିଆଲ ମିଡିଆରେ ନାଗରିକଙ୍କ ମତ ପ୍ରତି ସରକାର ସବୁବେଳେ ଦୃଷ୍ଟି ଦେବା ଦରକାର। ଅନେକ ସମୟରେ ଶାସନ ବ୍ୟବସ୍ଥାରେ ଅବାଞ୍ଛିତ ପ୍ରତିବନ୍ଧକ ସବୁ ରହିଥାନ୍ତି। ଫାଇଭ ଟି ମାଧ୍ୟମରେ ସେହି ପ୍ରତିବନ୍ଧକ ସବୁକୁ ଚିହ୍ନଟ କରିବା ପ୍ରାଥମିକ ଆବଶ୍ୟକତା ହେବା ଉଚିତ।

ସରକାରୀ ଯୋଜନା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନ ପହଞ୍ଚି ପାରିବାର ତିନୋଟି ମୁଖ୍ୟ କାରଣ ରହିଛି।

୧- ଏହାକୁ କାର୍ଯ୍ୟକାରୀ କରାଉଥିବା ଅମଲାତନ୍ତ୍ରର ଅପାରଗତା ଓ ଉଦାସୀନତା।

୨- ସ୍ଥାନୀୟ ସ୍ତରରେ ଅବାଞ୍ଛିତ ରାଜନୈତିକ ହସ୍ତକ୍ଷେପ

୩- ଉପର ସ୍ତରରୁ ଏହାକୁ ସମୀକ୍ଷା କରିବାର ଅନାଗ୍ରହ।

ସରକାରକୁ ଲୋକଙ୍କ ସେବାକାରୀ ଭାବେ ବାସ୍ତବରେ ଉପସ୍ଥାପନ କରିବାକୁ ହେଲେ, ଏଇ ତିନୋଟି ପ୍ରତିବନ୍ଧକ ଦୂର କରିବାକୁ ହେବ। ଯାହାର ପ୍ରଥମ ଉଦ୍ୟମ ଭାବେ ଅପାରଗ ଅଧିକାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ଏକ ସ୍ପଷ୍ଟ ନୀତି ତିଆରି ହେବା ଜରୁରୀ। ଅନେକ ସମୟରେ ଅମଲାତାନ୍ତ୍ରିକ ଷଡଯନ୍ତ୍ରର ଶିକାର ହୋଇ କିଛି ଦକ୍ଷ ଅଧିକାରୀ ମଧ୍ୟ ଏହି ପ୍ରକ୍ରିୟାର ଶିକାର ହୋଇ ପାରନ୍ତି। ଦ୍ଵିତୀୟରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ମାତ୍ରାଧିକ ରାଜନୈତିକ ପ୍ରଭାବକୁ ରୋକିବା ଦରକାର। ଅନେକ ସମୟରେ ଦଳୀୟ ଦୃଷ୍ଟିରୁ ଯୋଜନାକୁ ବାଟବଣା କରା ଯାଇଥାଏ। ଶାସକ ଦଳର ସ୍ଵାର୍ଥ ଅପେକ୍ଷା ନାଗରିକର ସ୍ଵାର୍ଥ ରକ୍ଷା ଉପରେ ଗୁରୁତ୍ଵ ଦେଇ ହବ କି?

ତୃତୀୟ ପ୍ରତିବନ୍ଧକ ବିଷୟରେ ରାଜ୍ୟ ସରକାର ଆଗରୁ ବହୁ ପଦକ୍ଷେପ ନେଇଥିଲେ ମଧ୍ୟ ଏହା ସହଜରେ କାମ କରିନାହିଁ। ଶାସନ ସଚିବମାନେ ଜିଲ୍ଲା କୁ ନିୟମିତ ଯାଇ ସମୀକ୍ଷା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଅ ଯାଇଥିଲେ ମଧ୍ୟ, ତାର କିଛି ସୁଫଳ ମିଳିନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭ ଟି ବିଭାଗର ମୁଖ୍ୟ ଭି.କାର୍ତ୍ତିକେୟନ ପାଣ୍ଡିଆନ ନିଜେ ଏହି ଦାୟିତ୍ଵ ହାତକୁ ନେଇଛନ୍ତି। ରାଜଧାନୀଠୁ ସବୁଠୁ ଦୂରରେ ଥିବା ମାଲକାନଗିରି ଜିଲ୍ଲାରୁ ସେ ତାଙ୍କର ଅଭିଯାନ ଆରମ୍ଭ କରି ସୂଚନା ଦେଇଛନ୍ତି ଯେ, ଉପର ସ୍ତରରୁ ପ୍ରଶାସନ ସବୁବେଳେ ଦୃଷ୍ଟି ରଖିବ। ତେବେ ଏ ପ୍ରକାର ଗସ୍ତ ସରକାରୀ ପରମ୍ପରାରେ ସୀମିତ ନ ରହିଲେ ଭଲ। ଅନେକ ସମୟରେ ଉପରିସ୍ଥ ଅଧିକାରୀଙ୍କ ଗସ୍ତକୁ ରଖି ଅନେକ ଲୋକ ଦେଖାଣିଆ ସଫଳତା ତିଆରି କରିବାରେ ଆମର ଅମଲାତନ୍ତ୍ରର ପୁରୁଣା ଅଭ୍ୟାସ ରହିଛି। ପାଣ୍ଡିଆନ ନିଜେ ଗସ୍ତ କଲାବେଳେ ଲୋକଙ୍କ କଥା ଶୁଣିବା ସବୁଠୁ ବଡ ଆବଶ୍ୟକତା।

ଏହି ଯୋଜନାରେ ଫାଇଭ ଟି ଅପେକ୍ଷା “ୱାନ୍ ପି” ଙ୍କ ପ୍ରଭାବ ଉପରେ ସବୁକିଛି ନିର୍ଭର କରୁଛି। ପୂର୍ବରୁ ମୟୂରଭଞ୍ଜ ଓ ଗଞ୍ଜାମ ଜିଲାପାଳ ଥିବା ସମୟରେ ପାଣ୍ଡିଆନ ଲୋକଙ୍କ ସହିତ ମିଶି କାମ କରିବାର ଅଭିଜ୍ଞତା ପାଇଛନ୍ତି। ଫାଇଭ-ଟି କୁ କାର୍ଯ୍ୟକାରୀ କରାଇବାରେ ସେଇ ଅଭିଜ୍ଞତା ଏବେ କାମରେ ଲାଗିବ ବୋଲି ଆମେ ଆଶା କରିବା। ତେବେ ଟେକ୍ନୋଲୋଜି ର ପ୍ରୟୋଗ ମାଧ୍ୟମରେ ପ୍ରତି ପଞ୍ଚାୟତର ଡାଟା ବେସ ପ୍ରସ୍ତୁତ କରି ତାର ନିରନ୍ତର ସମୀକ୍ଷା କରିବାର ପ୍ରକ୍ରିୟା ରାଜ୍ୟ ପ୍ରଶାସନରେ ନୂଆ ପରିବର୍ତ୍ତନର  ସମ୍ଭାବନା ଆଣିପାରିବ।

ତେବେ ଏହା କେବଳ ଆରମ୍ଭ ମାତ୍ର। ଏବେ ଅଳ୍ପ କିଛି ବଦଳିଛି, ପ୍ରଶାସନର ଚେହେରା ଓ ଚରିତ୍ର ଅଧିକ ବଦଳିବା ଜରୁରୀ ବୋଲି ଆମେ ଆଶା ରଖୁଛୁ।

ପଢନ୍ତୁ-“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ