ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହୀନବାଗ୍ଠାରେ ସିଏଏ ଓ ଏନ୍ଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିନ ଜଣେ ନାବାଳିକ ଜାମିଆଠାରେ ସର୍ବସମ୍ମୁଖରେ ଗୁଳି ଚଳାଇଥିବାବେଳେ, ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ସେହିପରି ଶନିବାର ଦିନ ଏପରି ଏକ ଘଟଣା ଶାହୀନ୍ବାଗ୍ଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ସିଏଏକୁ ନେଇ ବିରୋଧ ସାରା ଭାରତବର୍ଷରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ହିଂସାକାଣ୍ଡ ଯୋଗୁଁ ସାଧାରଣ ଲୋକେ ଭୟଭୀତ ହେବା ସହିତ ବିବ୍ରତ ହୋଇପଡୁଛନ୍ତି । ଦେଶରେ ଏପରି ଏକ ଅବସ୍ଥାରେ ଆମ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏପରି ହିଂସାକାଣ୍ଡକୁ ନେଇ ଦୁଃଖ ଜଣାଇବା ସହିତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ ସୋନମ୍ କପୁର୍ ଟୁଇଟ୍ କରି ହିଂସା ନ କରିବାକୁ ଅପିଲ୍ କରିଛନ୍ତି । ଭାରତରେ ଏପରି କିଛି ଘଟିବ ବୋଲି ସେ କେବେ କଳ୍ପନା କରିଥିଲେ ବୋଲି କହିଛନ୍ତି । ଏପରି ବିପଦପୂର୍ଣ୍ଣ ବିଭାଜନକାରୀ ରାଜନୀତିକୁ ବନ୍ଦ କରାଯାଉ ବୋଲଇ କହିବା ସହିତ ଏହାଦ୍ବାରା କେବଳ ଘୃଣା ସୃଷ୍ଟି ହେଉଛି ବୋଲି କହିଛନ୍ତି ସୋନମ୍ । ଜାମିଆ ହିଂସାକାଣ୍ଡକୁ ନେଇ ବହୁ ବଲିଉଡ୍ ସେଲିବ୍ରିଟି ପ୍ରତିବାଦ କରୁଛନ୍ତି । (ଏଜେନ୍ସି)
Tag: caa
କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍ ପରି କୋଲକାତାର ସର୍କସ୍ ମଇଦାନଠାରେ 60 ମୁସଲିମ୍ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି ।
ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍ ବାଗ୍’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ ନିର୍ଭୀକ ଭାବେ ସିଏଏକୁ ବିରୋଧ କରୁଥିବାବେଳେ କହିଛନ୍ତି ଯେ, ଆମର ଏକମାତ୍ର ପରିଚୟ ହେଉଛି ଆମେ ଭାରତୀୟ ମହିଳା । ଆମକୁ ଡରାଇବା ପାଇଁ କୌଣସି ଶକ୍ତି ନାହିଁ ।
ବିଜେପିର ଅନୁପ୍ରବେଶକାରୀ ଅଭିଯୋଗ ଉପରେ ଏହି ଧାରଣାରତ ମହିଳାମାନେ କହିଛନ୍ତି ଯେ, ଆମ ପିଢି ପରେ ପଶ୍ଚିମବଙ୍ଗରେ ରହି ଆସୁଛି । ବର୍ଷ ବର୍ଷ ଧରି ହିନ୍ଦୁମାନଙ୍କ ସହିତ ଦୁର୍ଗା ପୂଜା ସମାରୋହରେ ସାମିଲ୍ ହୋଇଛି । ଆଜି ଅଚାନକ୍ ଆମକୁ ଆମ ଭାରତୀୟ ହେବାର ପ୍ରମାଣ ଦେବାକୁ ପଡୁଛି ।
ତେବେ ଏହି ଧାରଣାସ୍ଥଳକୁ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ସମେତ ବହୁ କଳାକାର, ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏହି ଧାରଣାସ୍ଥଳ ପରିଦର୍ଶନ କିରସାରିଛନ୍ତି। (ଏଜେନ୍ସି)
କେଦାର ମିଶ୍ର
ଏକଥା ସମସ୍ତେ ଜାଣନ୍ତି ଯେ ବିଜୁ ଜନତା ଦଳର ସମର୍ଥନ ବିନା ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହିତ ହୋଇ ପାରି ନଥାନ୍ତା। କେବଳ ଏହି ବିଲ ନୁହଁ, ଗତ ଛଅ ମାସ ଭିତରେ ସଂସଦରେ ଅନେକ ବିଲ ଆସିଛି, ଯାହାକୁ ବିଜେଡ଼ିର ସମର୍ଥନ ବିନା ଗୃହିତ କରାଇବା ସମ୍ଭବ ହୋଇନଥାନ୍ତା। ସଂସଦୀୟ ରଣନୀତିରେ ବିଜେପି ପାଇଁ ବିଜେଡି ଏକ ପ୍ରକାର ତ୍ରାଣକର୍ତ୍ତା ଭୂମିକା ନିଭାଇ ଆସୁଛି। ଜାତୀୟ ରାଜନୀତିରେ ବିଜେଡ଼ିର ବିଶେଷ କିଛି ସ୍ଵାର୍ଥ ନ ଥିବାରୁ ଏହା ତଥାକଥିତ “ରାଜ୍ୟର ସ୍ଵାର୍ଥ” ସ୍ଵାର୍ଥ ପାଇଁ ବିଜେପି ସହିତ କେତେବେଳେ ବୁଝାମଣା ଓ ପୁଣି କେବେ ମୂଲଚାଲ କରିବାକୁ ଉଚିତ ମନେ କରୁଛି। ତେବେ ବିଜେପି କୁ ନିଃସର୍ତ୍ତ ସମର୍ଥନ ଦେଇ ବିଜେଡି ଜାତୀୟ ରାଜନୀତିରେ ଏକ ପ୍ରକାର ଅଲୋଡା ହୋଇପଡିଥିବା ବେଳେ ରାଜ୍ୟ ରାଜନୀତିରେ ନିଜର ଚରମ ଶତ୍ରୁ ବିଜେପିକୁ କୋଣଠେସା କରିଦେଇଛି ବୋଲି ଭାବୁଛି। କାଶ୍ମୀର ଓ ନାଗରିକତା ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ବିଭାଜନକାରୀ ରାଜନୀତି ସହିତ ନିଜର ସମର୍ଥନ ଦେଇ ବିଜେଡି ଅନ୍ତତଃ ଜାତୀୟ ରାଜନୀତିରେ ସାମ୍ପ୍ରଦାୟିକ ରାଜନୀତିର ନୀରବ ସମର୍ଥକ ବୋଲି ପ୍ରମାଣିତ କରିଛି।
ବିଜେଡି ଲାଗି ବୈଚାରିକ ଦୃଷ୍ଟିରୁ ଏହା ଏକ ପ୍ରକାର ଦୋ ଛକି ବୋଲି କୁହା ଯାଇପାରେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିଜକୁ ଗାନ୍ଧୀବାଦର ସମର୍ଥକ ଓ ସାମ୍ପ୍ରଦାୟିକ ରାଜନୀତିର ଘୋର ବିରୋଧୀ ବୋଲି ବିଭିନ୍ନ ସମୟରେ କହି ଆସିଛନ୍ତି। ହେଲେ କାର୍ୟତଃ ତାଙ୍କ ନେତୃତ୍ବରେ ବିଜେଡି ସବୁ ବେଳେ ବିଜେପିର ବିଭାଜନକାରୀ ନୀତି ରାଜନୀତିକୁ ସମର୍ଥନ ଦେଇଛି। ୨୦୦୯ ମସିହା ପରଠୁ ଓଡିଶାରେ ଯଦିଓ ସାମ୍ପ୍ରଦାୟିକ ରାଜନୀତିର ପ୍ରଭାବ କମିଛି, ତଥାପି ବିଜେପି ତରଫରୁ ଯେ କୌଣସି ସମୟରେ ସାମ୍ପ୍ରଦାୟିକ ରାଜନୀତିର ସମ୍ଭାବନାକୁ ଅସ୍ଵୀକାର କରି ହେବନାହିଁ। ଓଡିଶାରେ ମାତ୍ର ୪% ସଂଖ୍ୟାଲଘୁ ଭୋଟ ଯୋଗୁଁ, ଏଠାରେ ଧୃବୀକରଣ ରାଜନୀତି କାମ ଦେଉନାହିଁ। ହେଲେ ନାଗରିକତା ସଂଶୋଧନ ଆଇନ ଆସିଲା ପରେ ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକାର ଭୟ ଲୋକଙ୍କୁ ଗ୍ରାସିବା ପରେ, ଏକ ନୂଆ ରାଜନୈତିକ ଧୃବିକରଣ ଆରମ୍ଭ ହୋଇଛି।
କେନ୍ଦ୍ର ସରକାରଙ୍କ ନାଗରିକତା ନୀତିର ସବୁଠୁ ବଡ ପ୍ରଭାବ କେବଳ ସଙ୍ଖ୍ୟାଲଘୁଙ୍କ ଉପରେ ପଡିବ ନାହିଁ। “କାଗଜ ଦେଖାଇଲେ ଯାଇ ନାଗରିକତା ମିଳିବ” ବୋଲି ଯେଉଁ ନୀତି ବିଜେପି ସରକାର ତିଆରି କରୁଛନ୍ତି, ତାହା ସିଧାସଳଖ ଏ ଦେଶର ଦଳିତ, ପଛୁଆ ବର୍ଗ, ଭୂମିହୀନ, ଆଦିବାସୀ, ମହିଳା, ସଂଖ୍ୟାଲଘୁ ଓ ଯାଯାବର ଜାତିମାନଙ୍କ ଉପରେ ପଡିବ। ଏହି ସବୁ ବଞ୍ଚିତ ବର୍ଗ ଏବେ ନାଗରିକତା ନୀତି ବିରୋଧରେ ଏକାଠି ହେବା ଆରମ୍ଭ କରିଛନ୍ତି। ଆରମ୍ଭରୁ ନାଗରିକତା ସଂଶୋଧନ ବିରୋଧୀ ଆଇନକୁ ହିନ୍ଦୁ-ମୁସଲମାନ ବିଭାଜନର ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ବିଜେପି ଚାହୁଁଥିଲା। ଏବେ କିନ୍ତୁ ଏହା ବିଜେପିର ଧାର୍ମିକ ଧୃବିକରଣ ବିରୋଧରେ ଦଳିତ-ସଂଖ୍ୟାଲଘୁ-ଆଦିବାସୀ ଓ ମହିଳାଙ୍କର ଏକ ପ୍ରତି ଧୃବିକରଣ (Counter polarization) ତିଆରି କରୁଛି। ଏ ପ୍ରକାର ରାଜନୈତିକ ପରିବର୍ତ୍ତନକୁ ସାମ୍ନା କରିବା ଲାଗି ବିଜେଡି ଏବେ ଏନପିଆର ଓ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଛି।
ମୂଳରୁ ରାଜ୍ୟରେ ଏନସିଆର ଲାଗୁ କରାଇ ଦିଆଯିବ ନାହିଁ ବୋଲି ବିଜେଡି ସ୍ପଷ୍ଟ କରିଥିଲା। ତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ବେଳେ ଏହାକୁ ଏନସିଆର ର ଆଧାର ବୋଲି କେନ୍ଦ୍ର ସରକାର ଯାହା ଲେଖିଛନ୍ତି, ତାହା ବିଜେଡି ଲାଗି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନପିଆର କୁ କେନ୍ଦ୍ର ସରକାରଙ୍କ ଇଚ୍ଛା ମୁତାବକ ଲାଗୁ ନକରି ଓଡିଶା ସରକାର ଏଥିରେ କିଛି ପରିବର୍ତ୍ତନର ପ୍ରସ୍ତାବ ଦେଇଛନ୍ତି। ଏନପିଆର ମାଧ୍ୟମରେ ପଛୁଆ ବର୍ଗଙ୍କର ଗଣନା, ନାଗରିକର ପିତାମାତା ଙ୍କ ଜନ୍ମସ୍ଥାନ ଓ ତାରିଖ ଜାଣିବା ଭଳି ପ୍ରସଙ୍ଗକୁ ବାଦ ଦେବାକୁ ଓଡିଶା ସରକାର କହୁଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଓଡିଶା ପାଇଁ ଏକ ଭିନ୍ନ ଫର୍ମାଟ ତିଆରି କରିବେ କି?
ପଛୁଆ ବର୍ଗ ପ୍ରସଙ୍ଗ ଉଠାଇ ବିଜେଡି ବିଜେପି ପାଇଁ ଏକ ବଡ ଆହ୍ଵାନ ସୃଷ୍ଟି କରିଛି। ବିଜେପିର ଧାର୍ମିକ ଧୃବିକରଣରେ ପଛୁଆ ବର୍ଗର ସମର୍ଥନ ଅପରିହାର୍ୟ। ଏଥିରେ ପ୍ରଶ୍ନଚିହ୍ନ ଲଗାଇ ବିଜେଡି ପୂରା ଗଣିତକୁ ବିଗାଡି ଦେଇଛି। ଏବେ ପଛୁଆ ବର୍ଗଙ୍କର ଗଣନା ଲାଗି ଜାତୀୟ ନୀତି କଣ ହେବ, ତାହା ଭାବିବାକୁ କେନ୍ଦ୍ର ସରକାର ବାଧ୍ୟ ହେବେ। ଏନପିଆର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ନିର୍ବାଚନ ପରେ ନିଜର ନୀତି ସ୍ପଷ୍ଟ କରିପାରନ୍ତି। ଏପରିକି ନାଗରିକତା ସଂଶୋଧନ ଆଇନରେ କିଛିଟା ସଂଶୋଧନ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେବାର ବାର୍ତ୍ତା ଲୋକଙ୍କ ପାଖକୁ ଯାଉ ବୋଲି ବିଜେପି ଚାହୁଁ ନାହିଁ।
ନାଗରିକତା ପ୍ରସଙ୍ଗରେ ବିଜୁ ଜନତା ଦଳ ଏବେ କୌଣସି ସ୍ପଷ୍ଟ ନୀତି ଅନୁସରଣ କରିବା ଅବସ୍ଥାରେ ନାହିଁ। ଅମିତ ଶାହାଙ୍କ ନେତୃତ୍ବରେ ଗୃହ ବିଭାଗର ଉଦ୍ଦେଶ୍ୟକୁ ବିଶ୍ଵାସ କରିବା ବିଜେଡି ଲାଗି ଯେତିକି ସଙ୍କଟଜନକ, ତାଙ୍କୁ ବିଶ୍ବାସକୁ ନ ନେବା ତାଠୁ ଅଧିକ ବିପଜ୍ଜନକ।
ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ କିଛି ମୁସଲିମ୍ ମିଥ୍ୟା ଅପପ୍ରଚାର କରୁଛନ୍ତି ବୋଲି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମତ ଦେଇଛନ୍ତି । ଉଭୟ ହିନ୍ଦୁ ଏବଂ ମୁସଲିମ୍ ଭାରତର ନାଗରିକ ତେଣୁ ସିଏଏକୁ ନେଇ କୌଣସି ଭାରତୀୟ ନାଗରିକ ଚିନ୍ତିତ ହେବା ଅନୁଚିତ ବୋଲି ଭାଗବତ କହିଛନ୍ତି । ଶିକ୍ଷିତ ମୁସଲମାନ ବ୍ୟକ୍ତି ବିଶେଷ ଆଗକୁ ଆସି ଅନ୍ୟ ମାନଙ୍କୁ ଏହି ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଚିତ୍ ବୋଲି ଭାଗବତ କହିଛନ୍ତି । ଜାତିପ୍ରଥା ଭାରତୀୟ ସମାଜ ପାଇଁ ଅଭିଶାପ । 2025 ସୁଦ୍ଧା ଦେଶର ପ୍ରତ୍ୟେକ ଗ୍ରାମରେ ଆରଏସ୍ଏସ୍ ଶାଖା ଖୋଲି ଦେଶରୁ ଜାତିପ୍ରଥା ଦୂର କରିବା ପାଇଁ କର୍ମୀ ପ୍ରୟାସ କରିବା ଉଚିତ୍ ବୋଲି ଭାଗବତ କହିଛନ୍ତି । (ଏଜେନ୍ସୀ)
ପାଟନା : ସାଂସଦ ପ୍ରଶାନ୍ତ କିଶୋର ଏବଂ ପଓ୍ବନ୍ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ଜେଡିୟୁ । ବୁଧବାର ଦଳର ଉପ ସଭାପତି ତଥା ସାଂସଦ ରହିଥିବା ପ୍ରଶାନ୍ତ କିଶୋର ଏବଂ ପୂର୍ବତନ ସାଂସଦ ପଓ୍ବନ ବର୍ମାଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ନୀତିଶ କୁମାର । ସିଏଏକୁ ନେଇ ପଓ୍ବନ୍ ବର୍ମା ନୀତିଶଙ୍କୁ ଚିଠି ଲେଖିଥିବା ବେଳେ ପ୍ରଶାନ୍ତ କିଶୋର ଏହା ବିରୋଧରେ ଟ୍ବିଟ୍ କରିଥିଲେ । ଏହାକୁ ନେଇ ନୀତିଶ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉଭୟ ଚାହିଁଲେ ଦଳ ପରିତ୍ୟାଗ କରିପାରନ୍ତି ବୋଲି ମତ ଦେଇଥିଲେ । ମଙ୍ଗଳବାର ନୀତିଶଙ୍କ ମତ ପରେ ତାଙ୍କର ପତନ ଧାରା ଆରମ୍ଭ ହୋଇଛି ବୋଲି ପ୍ରଶାନ୍ତ କିଶୋର ମତ ଦେବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି ।(ଏଜେନ୍ସୀ)
ନୂଆଦିଲ୍ଲୀ : ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପ୍ରଶାନ୍ତ କିଶୋର ଚାହିଁଲେ ଦଳ ଛାଡି ପାରନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଆପ୍ର ରାଜନୈତିକ ପରାମର୍ଶଦାତା ରହିଥିବାରୁ ପ୍ରଶାନ୍ତ କୁମାର ନୀତିଶଙ୍କ ରୋଷର ଶିକାର ହୋଇଛନ୍ତି । ପ୍ରଶାନ୍ତ କିଶୋର ସିଏଏକୁ ନେଇ ନୀତିଶଙ୍କୁ ଚିଠି ଲେଖିବା ସହିତ ଟ୍ବିଟ୍ ମଧ୍ୟ କରିଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୀତିଶ କହିଛନ୍ତି, ନିଜ ଇଚ୍ଛା ଅନୁସାରେ ପ୍ରଶାନ୍ତ ଚିଠି ଲେଖୁଛନ୍ତି ଏବଂ ଟ୍ବିଟ୍ ମଧ୍ୟ କରିଛନ୍ତି । ଯଦି ପ୍ରଶାନ୍ତ ଚାହାନ୍ତି ତେବେ ସେ ଜେଡିୟୁ ପରିତ୍ୟାଗ କରି ପାରନ୍ତି ବୋଲି ନୀତିଶ କହିଛନ୍ତି । ସେହିପରି ସିଏଏକୁ ନେଇ ପ୍ରଶାନ୍ତ କିଶୋର ଏବଂ ଅମିତ ଶାହାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ମଧ୍ୟ ମତ ରଖିଛନ୍ତି । ଶାହାଙ୍କ ପରାମର୍ଶରେ ହିଁ ମୁଁ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିଥିଲି ବୋଲି ନୀତିଶ ମତ ଦେଇଛନ୍ତି ।
ଭୋପାଳ : ସୋମବାର ଇଡି ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନ ପ୍ରୟୋଜିତ ଥିବା ନେଇ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍ । ଆନ୍ଦୋଳନ ପୂର୍ବରୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ପଠାଯାଇଥିଲା । ଇଡି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ଶିବଲ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ପିଏଫ୍ଆଇର ଓକିଲ ରହିଥିବା ଶିବଲ କହିଛନ୍ତି ତାଙ୍କୁ ମିଳିଥିବା ଅର୍ଥ ହାଦିୟା ମାମଲା ପାଇଁ ମିଳିଥିଲା । ଏହା ସହିତ ସିଏଏ ବିରୋଧୀ ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ ବୋଲି ଶିବଲ କହିଛନ୍ତି । ଏହା ସହିତ ଏପରି ଖବର ପ୍ରକାଶ କରିଥିବା କାରଣରୁ ଗଣମାଧ୍ୟମ ଏବଂ ଇଡିକୁ ସମାଲୋଚନା କରିଛନ୍ତି ଶିବଲ୍ । ଶିବଲଙ୍କ ବ୍ୟତୀତ ହଦିୟା କେସ୍ ଲଢିଥିବା ଇନ୍ଦିରା ଜୟସିଂ ଏବଂ ଦୁଷ୍ୟନ୍ତ ଡାଭେଙ୍କୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି ।(ଏଜେନ୍ସୀ)
ନୂଆଦିଲ୍ଲୀ : ସୋମବାର ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂତନ ତଥ୍ୟ ପ୍ରକାଶ ପାଇଛି । ସିଏଏ ବିରୋଧୀ ଆକ୍ରମଣ ସମୟରେ ପଶ୍ଚିମ ୟୁପିରେ ଅର୍ଥ ଦେଣ ନେଣ କରାଯାଇଥିବା ନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉତ୍ତର ପ୍ରଦେଶର ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଅର୍ଥ ବିତରଣ କରାଯାଇଥିବାକ ନେଇ ଇଡି ପକ୍ଷରୁ ସୋମବାର କୁହାଯାଇଛି । ସିଏଏ ଆନ୍ଦୋଳନ ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶର 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ଦେଣ ନେଣ କରାଯାଇଛି । ଏହା ସହିତ ପିଏଫ୍ଆଇ ପକ୍ଷରୁ ସିଏଏ ଆନ୍ଦୋଳନ ସମୟରେ 1.65 କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଇଡି ପକ୍ଷରୁ ସୋମବାର ଏହି ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । (ଏଜେନ୍ସୀ)
ନୂଆଦିଲ୍ଲୀ : ସିଏଏ ଏବଂ ଏନ୍ପିଆର ବିରୋଧରେ ଆଗତ ଯାଚିକାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିବା ସହିତ ଏନ୍ପିଆର ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍ପିଆର ଉପରେ ରୋକ୍ ଲଗାଇବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ଯୁକ୍ତି ନ ଶୁଣି କୋର୍ଟ ରୋକ୍ ଲଗାଇ ପାରିବେ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଛାତ୍ର ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନେତାଙ୍କ ପକ୍ଷରୁ ଆଗତ 140ଟି ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସୀ)
ହାଇଦ୍ରାବାଦ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍ଆରସି)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଲାଗି ରହିଥିବାବେଳେ ଜଣେ ପୂଜାରୀଙ୍କ ହିନ୍ଦୁଦେବାଦେବୀଙ୍କ ପାଇଁ ସରକାରଙ୍କଠାରୁ ନାଗରିକତ୍ବ ଦାବି ବେଶ୍ ଚର୍ଚ୍ଚାରେ ରହିଛି ।
ହାଇଦ୍ରାବାଦର ଚିଲକୁର୍ ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍ ରଙ୍ଗରାଜନ୍ ହିନ୍ଦୁ ଦେବାଦେବୀଙ୍କ ନାଗରିକତ୍ବ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଏସ୍ ରଙ୍ଗରାଜନ୍ ତିରୁମାଲାର ଭେଙ୍କେଟଶ୍ବର ସ୍ବାମୀ, ସାବରମାଳୀର ଆୟାପ୍ପା ସ୍ବାମୀଙ୍କ ପରି ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସିଏଏ ଅନ୍ତର୍ଗତ ଧାରା 5(4) ଅନୁଯାୟୀ ନାଗରିକ ରୂପରେ ପଞ୍ଜିକୃତ କରିବା ଲାଗି ଦାବି କରିଛନ୍ତି ।
ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍ ରଙ୍ଗରାଜନଙ୍କ ମତରେ ସିଏଏ ଆଇନ ଆଧାରରେ ଯଦି ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଦେବାକୁ ପ୍ରାବଧାନ ରହିଛି, ତେବେ ମନ୍ଦିରର ଦେବାଦେବୀଙ୍କୁ କ’ଣ ପାଇଁ ନାଗରିକତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରଙ୍ଗରାଜନ୍ କହିଛନ୍ତି ଯେ ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ ମନ୍ଦିର ଓ ଧାର୍ମିକ ସଙ୍ଗଠନ ଏବେ ବିପଦରେ ରହିଛନ୍ତି । ସରକାର ସାମ୍ବିଧାନିକ ପ୍ରାବଧାନ ଓ ନ୍ୟାୟିକ ନିଷ୍ପତ୍ତି ଆଧାରରେ ହିନ୍ଦୁ ମନ୍ଦିର ଓ ଧର୍ମୀୟ ସଙ୍ଗଠନକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ଅନ୍ୟ ଧର୍ମ ସଂସ୍ଥାକୁ ନିୟନ୍ତ୍ରଣରୁ ବାହାରେ ରଖିଛନ୍ତି ।
ସଂଶୋଧିତ ନାଗରିକତା ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନଠାରୁ 2014 ଡିସେମ୍ବର 31 ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଈଶାଇ, ଶିଖ୍, ପାର୍ସୀ, ଜୈନ୍ ଓ ବୁଦ୍ଧିଷ୍ଟ୍ମାନଙ୍କୁ ଭାରତୀୟ ନାଗରିକତ୍ବ ମିଳିବ । ଅପରପକ୍ଷରେ ଏହି ନିୟମରେ ମୁସଲମାନଙ୍କୁ ସାମିଲ୍ କରାଯାଇନାହିଁ । ସିଏଏକୁ ନେଇ ଶାହୀନବାଗ୍ଠାରେ 38 ଦିନ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)
ଜୟପୁର : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍ ପାଶ୍ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସିଏଏ ବିରୋଧୀ ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟରେ ଏହାର ବିରୋଧାଭାସ ପ୍ରଦର୍ଶନ କରାଯାଇଛି । ଶନିବାର ବିଧାନସଭାରେ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସିଏଏ ଭାରତୀୟ ସମ୍ବିଧାନ ବିରୋଧୀ ତେଣୁ ରାଜସ୍ଥାନ ସରକାର ଏହା ବିରୋଧରେ ବିଲ୍ ପାଶ୍ କରାଇଛନ୍ତି ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ମୁମ୍ବାଇ: ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା। ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର ସାମ୍ନାରେ ଉଲ୍ଲେଖ କରାଯାଇଛି। ରାଜ୍ ଠାକ୍ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହିନ୍ଦୁତ୍ବକୁ ପ୍ରସଙ୍ଗ କରାଯାଉଥିବାରୁ ଶିବସେନା ପୁନର୍ବାର ହିନ୍ଦୁତ୍ବକୁ ପ୍ରସଙ୍ଗ କରିଛି। ଏହା ସହିତ ସାମ୍ନାରେ ଏମ୍ଏନ୍ଏସ୍ ମୁଖ୍ୟ ରାଜ୍ ଠାକ୍ରେଙ୍କୁ ମଧ୍ୟ ସାମ୍ନାରେ ସମାଲୋଚନା କରାଯାଇଛି। ରାଜ୍ ଠାକ୍ରେଙ୍କ ଏମଏନ୍ଏସ୍ ମରାଠୀଙ୍କ ସମସ୍ୟାକୁ ନେଇ ଗଠନ କରାଯାଇଥିଲା ମାତ୍ର ଦଳ ବର୍ତ୍ତମାନ ହିନ୍ଦୁତ୍ବବାଦ ରାଜନୀତି କରିବା ହାସ୍ୟାସ୍ପଦ ବୋଲି ସାମ୍ନାରେ ଉଲ୍ଲେଖ କରାଯାଇଛି। ଏମଏନ୍ଏସ୍ ହିନ୍ଦୁତ୍ବକୁ ପ୍ରସଙ୍ଗ କରିବା ପରେ ସିଏଏ ବିରୋଧକୁ ସମର୍ଥନ କରୁଥିବା ଶିବସେନା ବର୍ତ୍ତମାନ ୟୁ ଟର୍ଣ୍ଣ ନେଇଛି। ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସ୍ଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନୈତିକ ଦଳ ସିଏଏକୁ ବିରୋଧ କରୁଥିବା ବେଳେ ଶିବସେନା ଲୋକସଭାରେ ଏହି ବିଲ୍ ପ୍ରତି ସମର୍ଥନ ଜାହିର କରିଥିଲା ମାତ୍ର ରାଜ୍ୟସଭାରେ ଦଳ ବିଲ୍ ବିରୋଧରେ ଭୋଟ ଦେଇଥିଲା। ଶିବସେନାର ଏହି ମନ୍ତବ୍ୟ ପରେ ମହା ଅଘାଡି ମେଣ୍ଟ ଉପରେ ଏହାର କି ପ୍ରଭାବ ପଡୁଛି ଏହା ଉପରେ ବର୍ତ୍ତମାନ ରାଜନୈତିକ ସମୀକ୍ଷକଙ୍କ ନଜର।
ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଏହି ଆନ୍ଦୋଳନ ପଛରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭୂମିକା ରହିଥିବା ନେଇ କୁହାଯାଇଛି । (ଏଜେନ୍ସୀ)
ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)
ଜୟପୁର : ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରିଛନ୍ତି ନନ୍ଦିତା ଦାସ । ଜୟପୁର ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ନନ୍ଦିତା ଦାସ ଏହି ମତ ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିତା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍ଆରସି)କୁ ସମାଲୋଚନା କରିଛନ୍ତି ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ନନ୍ଦିତା ଦାସ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ମାତ୍ର ବର୍ତ୍ତମାନ ଦେଶରେ ଘଟୁଥିବା ଘଟଣା ଦେଶର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ନନ୍ଦିତା କହିଛନ୍ତି । ପ୍ରଥମ ଥର ପାଇଁ ଦେଶରେ ସାମ୍ପ୍ରଦାୟିକତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ନନ୍ଦିତା କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭୁଷୁଡି ପଡିଥିବା ବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶରେ ଅଶାନ୍ତ ପରସ୍ଥିତି ସୃଷ୍ଟି କରିବା ଗ୍ରହଣୀୟ ନୁହେଁ । ଏହି ଆଇନ ବିପକ୍ଷରେ ଦେଶବାସୀ ଏକତ୍ର ହୋଇ ପ୍ରତିରୋଧ କରିବା ପାଇଁ ନନ୍ଦିତା ଆହ୍ବାନ ଦେଇଛନ୍ତି । ଏହି ଘଟଣାରେ ନାସିରୁଦ୍ଦିନ ଶାହ ଏବଂ ଅନୁପମ ଖେରଙ୍କ ମଧ୍ୟରେ ଜାରି ରହିଥିବା ବାକ୍ଯୁଦ୍ଧ ସମ୍ପର୍କରେ ମତ ଦେବାକୁ ମନା କରିଥିଲେ ନନ୍ଦିତା ।(ଏଜେନ୍ସୀ)
ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟର ସାମ୍ବିଧାନିକ ପୀଠ ଏହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିବେ। ଚାରି ସପ୍ତାହ ଭିତରେ କେନ୍ଦ୍ର ସରକାରଙ୍କୁ ଏହି ଯାଚିକାଗୁଡ଼ିକ ଉପରେ ଜାବବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆସାମ ସମ୍ପର୍କିତ ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦିଆଯାଇଛି।
ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଯାଚିକାଗୁଡ଼ିକୁ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ବଣ୍ଟା ଯାଇଛି। ଏତଦ୍ବ୍ୟତୀତ ଆସମ, ତ୍ରିପୁରା ମାମଲାକୁ ଅଲଗା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ରହିଛି। ସେହିପରି ଉତ୍ତରପ୍ରଦେଶ ଜାରି ହୋଇଥିବା ସିଏଏ ପ୍ରକ୍ରିୟାକୁ ମଧ୍ୟ ଅଲଗା ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଇନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବେଡ କହିଛନ୍ତି ଯେ, ଏବେ ଏହି ମାମଲା ଉପରେ କୌଣସି ପ୍ରକାରର ଆଦେଶ ଜାରି କରାଯାଇପାରିନାହିଁ। କାରଣ ବହୁତ ଗୁଡ଼ିଏ ଯାଚିକାର ଶୁଣାଣି ହେବା ପାଇଁ ବାକି ରହିଛି। କୌଣସି ପ୍ରକାରର ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସମସ୍ତ ଯାଚିକାର ଶୁଣାଣି ହେବା ପରେ ଯାଇ ନିଷ୍ପତ୍ତି ନିଆଯିବ। (ଏଜେନ୍ସି)
କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନ୍ଆରସିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଚିଦମ୍ବରମ୍ କହିଛନ୍ତି ଯେ, ଏନ୍ଆରସିର ଛଦ୍ମ ରୂପ ହେଉଛି ଏନ୍ପିଆର । ଆଜି କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ବିରୋଧୀ ଦଳ ଏହାକୁ ନେଇ ଏକାସାଙ୍ଗରେ ବିରୋଧ କରିବାକୁ ଅପିଲ୍ କରିଛନ୍ତି ।
ଚିଦାମ୍ବରମ୍ କହିଛନ୍ତି ଯେ, ଆସାମରେ ଏନ୍ଆରସିର ଅସଫଳତା ପରେ ନରେନ୍ଦ୍ର ମୋଦି ସରକାର ତୁରନ୍ତ ଏହାର ଗିୟର ବଦଳାଇଛନ୍ତି । ଏବେ ଏନ୍ପିଆର ବିଷୟରେ କହୁଛନ୍ତି । ସିଏଏ, ଏନପିଆର ଓ ଏନ୍ଆରସିର ବିରୋଧ କରୁଥିବା ସମସ୍ତ ଦଳ ଏକାସହିତ ରହିବା ଉଚିତ୍ ।
ନିକଟରେ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିରୋଧୀ ଦଳଙ୍କ ବୈଠକ ଡାକିଥିଲେ । କିନ୍ତୁ ଏହି ବୈଠକରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍ସି, ସମାଜବାଦୀ ଦଳ, ବିଏସ୍ପି ଓ ଡିଏମ୍କେ ଦୂରେଇ ରହିଥିଲେ । ଏହି ସମସ୍ତ ଦଳ ମଧ୍ୟ ଏନ୍ପିଆର, ଏନ୍ଆରସି ଓ ସିଏଏର ବିରୋଧ କରୁଛନ୍ତି ।
ଚିଦାମ୍ବରମ୍ କୋଲକତା ପାର୍କ ସର୍କସଠାରେ ସିଏଏ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ସାମିଲ୍ ହୋଇଥିଲେ ।ସେଠାରେ ଉପସ୍ଥତି ଥିବା ସମସ୍ତ ଲୋକଙ୍କୁ ତାଙ୍କ ଦଳ ସେମାନଙ୍କ ସହ ରହିଛନ୍ତି ବୋଲି ଆଶ୍ବସ୍ତ କରିଥିଲେ । ସେହିପରି ବିଶ୍ବବିଦ୍ୟାଳୟରରେ ହେଉଥିବା ଛାତ୍ର ପ୍ରଦର୍ଶନକୁ ନେଇ କହିଛନ୍ତି ଯେ, ଛାତ୍ରମାନଙ୍କର ସାମ୍ବିଧାନିକ ପ୍ରଭୁତ ଓ ସାମ୍ବିଧାନିକ ନୈତିକତା ପାଇଁ ଲଢେଇ ଜାରି ରଖିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରାଯିବାର ପ୍ରୟାସ କରାଯାଉଛି ବୋଲି ଗିରିରାଜ ଏହି ମତ ଦେଇଛନ୍ତି । (ଏଜେନ୍ସୀ)
କେରଳ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍ଆରସିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁ ରହିଛି। ଏବେ ସିଏଏକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମ୍କୋର୍ଟ ଏହି ଆଇନ ବିରୁଦ୍ଧରେ ଏକ ଯାଚିକା ଦାୟର କରିଛନ୍ତି । ତେବେ ସିଏଏକୁ ନେଇ ସାମ୍ବିଧାନିକ ବୈଧତା ଖିଲାପରେ ସୁପ୍ରିମ୍କୋର୍ଟରେ ପାଖାପାଖି 60ଟି ଯାଚିକା ଦାଏର କରାଯାଇଛି ।
କେରଳ ସରକାରଙ୍କ ତରଫରୁ ଦାଏର କରାଯାଇଛି ଯାଚିକାରେ ନାଗରିକତା ସଂଶୋଧନ ଆଇନ୍ରେ ଧର୍ମନିରପେକ୍ଷତା ବିରୁଦ୍ଧ ବୋଲି ଦର୍ଶାଯାଇଛି । ରାଜ୍ୟସରକାର ସୁପ୍ରିମ୍କୋର୍ଟରେ ଏହି ଆଇନକୁ ଅସାମ୍ବିଧାନିକ କରିବା ନେଇ ଦାବି କରାଯାଇଛି । ସିଏଏ ସମ୍ପର୍କିତ ସମସ୍ତ ଯାଚିକାର ଶୁଣାଣି ଆସନ୍ତା 22 ତାରିଖରେ କରାଯିବ । ଏହି ଯାଚିକାଟି ଅନ୍ୟ ସମସ୍ତ ଯାଚିକା ସହିତ ଶୁଣାଣି ହେବ ।
ସିଏଏ ସମ୍ପର୍କିତ ଅନ୍ୟ ଯାଚିକାରେ ଧର୍ମକୁ ଆଧାର କରି ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣ ବିରୋଧରେ କରାଯାଇଛି । ନାଗରିକତା ଆଇନରେ ରହିଥିବା ଭାରତର ପଡୋଶୀ ଦେଶ ହିନ୍ଦୁ, ବୌଦ୍ଧ, ଇଶାଇ, ପାର୍ସୀ, ଶିଖ, ଜୈନ୍ ସମୁଦାୟ ଲୋକଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଥିବାବେଳେ ମୁସଲମାନଙ୍କୁ ସାମିଲ୍ କରାଯାଇନାହିଁ । ଭାରତ ସମ୍ବିଧାନ ଏପରି ଭେଦଭାବ କରିବାକୁ ଅଧିକାର ଦେଇନାହିଁ । ଧର୍ମନିରପେକ୍ଷତା ବିରୁଦ୍ଧରେ ଏହି ଆଇନକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । (ଏଜେନ୍ସି)
ଆସାମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ । ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ବିଜେପିର ଏକାଧିକାର ନୁହେଁ । ନାଗରିକତା ପାଇଁ ଧର୍ମ କେବେ ବି ଆଧାର ହୋଇପାରିବ ନାହିଁ । ଆସାମ ବିଧାନସଭାରେ ରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଏକ ତର୍କରେ ଭାଗ ନେଇ ଗୋଗେଇ ଏହି ବିଷୟରେ କହିଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଉପରେ ଅସମିଆ ସମାଜକୁ ଭାଗ କରିବାର ଅଭିଯୋଗ ଲଗାଇଛନ୍ତି ତରୁଣ । କ୍ଷମତାଧାରୀ ଦଳ ଉପରେ ଆକ୍ରମଣ କରି ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ଉପରେ ବିଜେପିର ଏକାଚାଟିଆ ଅଧିକାର ନାହିଁ । ସେ ଜଣେ ହିନ୍ଦୁ, ସେ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଯାଅନ୍ତି ବୋଲି କରିଛନ୍ତି । ଏନ୍ଆରସିକୁ ନେଇ ପୂରା ଆସାମ ଜଳୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜଣକ । ସାରା ଭାରତରେ ସିଏଏର ବିରୋଧ ଅଧିକାଂଶ ହିନ୍ଦୁମାନଙ୍କ ଦ୍ବାରା ହିଁ କରାଯାଉଛି ବୋଲି କହିଛନ୍ତି ତରୁଣ ଗୋଗେଇ । (ଏଜେନ୍ସି)
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ ଜାହିର କରିଛନ୍ତି ସତ୍ୟ ନଡେଲା । ତାଙ୍କ ମତରେ ଶରଣାର୍ଥୀଙ୍କୁ ସୁଯୋଗ ମିଳିଲେ ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ଲାଭ ମିଳିବ । ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସିଏଏ ଭଲ ନୁହେଁ ବୋଲି ମତ ରଖିଛନ୍ତି ସତ୍ୟ ନଡେଲା । ସତ୍ୟ ନଡେଲା କହିଛନ୍ତି ଯେ, ସିଏଏ, ଭାରତ ପାଇଁ ଅନୁକୂଳ ନୁହେଁ । ମୋତେ ଜଣେ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ଦେଖିବାର ଅଛି ଯେ, ଯିଏ ଭାରତ ଆସି ନିଜର ସକ୍ରିୟ ଯୋଗଦାନ ଦ୍ବାରା ଇନ୍ଫୋସିସ୍ର ଆଗାମୀ ସିଇଓ ହେଉଛନ୍ତି । ସତ୍ୟ ନଡେଲା ଭାରତର ସାଂସ୍କୃତିକ ଚଳଣିର ପ୍ରଶଂସା କରିବା ସହିତ କହିଛନ୍ତି ଯେ, ଭାରତରେ ଷ୍ଟାର୍ଟ-ଅର୍ପ ଆରମ୍ଭ କରାଯାଇ ଏକ ଏମ୍ଏନସିର ନେତୃତ୍ବ ନେଇହେବ। ଯାହା ଦ୍ୱାରା ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ବଡ଼ ଲାଭ ପହଞ୍ଚାଇବ ।