Categories
ଆଜିର ଖବର ରାଜ୍ୟ ଖବର

ଶାରଳା ମନ୍ଦିରରେ ରକ୍ତର ଛିଟା : ମନ୍ଦିର ପରିସରରେ ସେବାୟତଙ୍କୁ ଆକ୍ରମଣ

ସମୀକ୍ଷା ବ୍ୟୁରୋ
ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଶାରଳା ମନ୍ଦିର ପରିସରରେ ଜଣେ ସେବାୟତଙ୍କୁ ଆକ୍ରମଣ କରାଯାଇଛି। ପୂର୍ବରୁ ଏକାଧିକ ବାର ସେବାୟତଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଘଟୁଥିବାରୁ ମନ୍ଦିରକୁ ଆସିବା ପାଇଁ ଶ୍ରଦ୍ଧାଳୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରବିବାର ମଧ୍ୟ ସମାନ ଭାବରେ ଜଣେ ସେବାୟତଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେ ଗୁରୁତର ଭାବରେ ଆହତ ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଶାରଳା ମନ୍ଦିର ସେବାୟତ ତ୍ରିଲୋଚନ ରାଉଳ (ଗୁଲା ନନା)ଙ୍କୁ ମନ୍ଦିର ଯାଉଥିବା ସମୟରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ୧୩ ତାରିଖରେ ଜୁଆ ଖେଳୁଥିବା ଅଭିଯୋଗରେ ପୋଲିସ୍‌ କିଛି ସେବାୟତ ଏବଂ କନକପୁର ଗ୍ରାମର କିଛି ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଜାମିନରେ ଆସିଥିବା ବେଳେ ଏହି କାଣ୍ଡ ଘଟିଥିବା ଜଣାପଡିଛି। ଆକ୍ରମଣରେ ତ୍ରିଲୋଚନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏନେଇ କୌଣସି ଲିଖିତ ଅଭିଯୋଗ କରାଯାଇନଥିଲେ ମଧ୍ୟ କନକପୁର ଫାଣ୍ଡି ଅଧିକାରୀ ଶ୍ରୀଚରଣ ରାଉତ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ବିଶେଷ ଖବର

କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି

ସମୀକ୍ଷା ବ୍ୟୁରୋ

ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ ବିଜେପିର ସାଂସଦମାନଙ୍କୁ ପ୍ରାୟ ସବୁ ବିତର୍କରେ, ଶୂନ୍ୟକାଳରେ ଓ ପ୍ରଶ୍ନୋତ୍ତର ରେ ଉତ୍ସାହର ସହିତ ଭାଗ ନେଉଥିବାର ଦେଖିବାକୁ ମିଳୁଛି। ଏପରିକି କୋରାପୁଟରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ଲୋକସଭା ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା। ତେବେ ସଂସଦର ଏହି ବିଶେଷ ଅଧିବେଶନରେ କେବଳ ଜଣେ ସଦସ୍ୟଙ୍କ ମୁହଁ ଦିଶୁନଥିଲା, ସେ ହେଲେ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ। ଯଦିଓ ରାଜ୍ୟସଭା ସଚିବାଳୟ ତରଫରୁ ସେ କିଛି ପ୍ରଶ୍ନ ପଚାରିଥିବାର ତଥ୍ୟ ମିଳୁଛି, ହେଲେ ସେଗୁଡିକ ସେମିତି ବିଶେଷ ଗୁରୁତ୍ଵ ବହନ କରେନାହିଁ। ସେ କୌଣସି ବିତର୍କରେ ଭାଗନେବା, ଆଲୋଚନା କରିବା କିମ୍ବା କୌଣସି ପ୍ରସଙ୍ଗ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାର କୌଣସି ଉଦାହରଣ ଗତ ପାଞ୍ଚ ବର୍ଷରେ ମିଳିନାହିଁ।

ଏକ ସଙ୍କଟଜନକ ସ୍ଥିତିରେ ଥିବା ସମୟରେ କଂଗ୍ରେସ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତେବେ ନିର୍ବାଚିତ ହେବା ପରଠୁ ରାଜ୍ୟ କଂଗ୍ରେସର ସ୍ଵାର୍ଥ ହେଉ ବା ରାଜ୍ୟର ସ୍ଵାର୍ଥ, କୌଣସି ପ୍ରସଙ୍ଗରେ ରଞ୍ଜିବ ବିଶ୍ଵାଳଙ୍କ ଭାଗୀଦାରୀ ପ୍ରାୟ ଶୂନ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସେ ରହିଥିଲେ ମଧ୍ୟ, କଂଗ୍ରେସର ନିର୍ବାଚନ ପ୍ରଚାରରେ ତାଙ୍କର ଅବଦାନ କିଛି ନଥିଲା। ଜାତୀୟ ସ୍ତରରେ ଜଣେ କ୍ରିକେଟ ପ୍ରଶାସକ ଭାବରେ ତାଙ୍କର ଯେଉଁ ପ୍ରଭାବ ରହିଛି, ସେଥିରୁ ପାଞ୍ଚ ପଇସାର ଲାଭ ତାଙ୍କ ଦଳ ବା ଓଡିଶା ବାସୀ ପାଇନାହାନ୍ତି। ଏତେ ବଡ ସୁଯୋଗ ତାଙ୍କୁ ଓଡିଶାବାସୀ ଓ କଙ୍ଗ୍ରେସଦଳ ଦେଇଥିଲା କାହିଁକି, ତାହା ଆଜି ବଡ ପ୍ରଶ୍ନ।

ରଞ୍ଜିବ ବିଶ୍ବାଳଙ୍କର ରାଜନୀତି ବଡ ବିଚିତ୍ର। ସେ ଆଗରୁ ଲୋକସଭାରେ ଥିଲେ, ଏବେ ରାଜ୍ୟସଭାରେ ଅଛନ୍ତି। ଅଥଚ ଓଡିଶାର ସାମାଜିକ ଜୀବନ ସହିତ ତାଙ୍କର ସମ୍ପର୍କ ପ୍ରାୟ ନଥାଏ। ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ କେବେ କେମିତି ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଯୋଗଦାନ ନାହିଁ। ଟୁଇଟର ବା ଫେସବୁକ ରେ ତାଙ୍କୁ କେହି ଦେଖିଥିବାର କହିପାରିବେ ନାହିଁ। କେବଳ ଫେସବୁକ ରେ ରହିଥିବା ତାଙ୍କର ଅଫିସିଆଲ ପେଜ ରେ ସେ କିଛି ପୋଷ୍ଟିଂ କରିଥାନ୍ତି, ଯାହାକୁ ଅତି ବେଶୀରେ ସାଧାରଣ ସୂଚନା ବୋଲି କୁହାଯାଇପାରିବା। ତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଭାବରେ ନିଯୁକ୍ତି ମିଳିଥିଲେ ମଧ୍ୟ ସେ କେବେ କେଉଁ ଟେଲିଭିଜନ ବିତର୍କରେ ଭାଗ ନେଇଥିବା, କେହି ଦେଖିନଥିବେ। ତା ସତ୍ତ୍ୱେ ରାଜନୀତିରେ ସେ ଏତେ ବର୍ଷ ଧରି ସଫଳତା ପାଉଛନ୍ତି କେମିତି?

ଏବେ ରଞ୍ଜିବଙ୍କୁ ନେଇ ଯେଉଁ ନୂଆ ଚର୍ଚ୍ଚା ଚାଲିଛି, ସେଥିରୁ ସେ ଏବେ ଆଉ କଂଗ୍ରେସ ପ୍ରତି ଆସକ୍ତ ନାହାନ୍ତି ବୋଲି ସୂଚନା ମିଳୁଛି। କଂଗ୍ରେସର ଭଲଦିନରେ ଯେଉଁମାନେ ସବୁଠୁ ବେଶୀ ସୁବିଧା ସୁଯୋଗ ଭୋଗ କରୁଥିଲେ, ଏବେ ସେମାନେ କଂଗ୍ରେସକୁ ବୁଡେଇ ଅନ୍ୟଦଳକୁ ଡେଇଁବା ପ୍ରୟାସ ଆରମ୍ଭ କରିଛନ୍ତି। ରଞ୍ଜିବ ରାଜ୍ୟସଭାରେ ଆଉ କଂଗ୍ରେସ ଶିବିରରେ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି। ସେ ଯଥାଶୀଘ୍ର ବିଜେପିରେ କିମ୍ବା ବିଜେଡିରେ ଯୋଗଦେବେ ବୋଲି ଶୁଣାଯାଉଛି। କ୍ରିକେଟ ରାଜନୀତି ଦୃଷ୍ଟିରୁ ତାଙ୍କୁ ବିଜେଡି ଅପେକ୍ଷା ବିଜେପି ତାଙ୍କ ଲାଗି ବେଶୀ ସହାୟକ ହେବ। ଆଗାମୀ ପାଞ୍ଚ ବର୍ଷ ଯାଏ ବିଜେପିର ପ୍ରଭାବ ଭାରତୀୟ କ୍ରିକେଟ ବୋର୍ଡ ରେ ରହିବା ସୁନିଶ୍ଚିତ। ତେଣୁ ବିଜେପି ଏବେ ତାଙ୍କ ଲାଗି ସ୍ଵାଭାବିକ ପସନ୍ଦ ହୋଇପାରେ। ହେଲେ ଜଗତସିଂପୁର ତଥା ସାମଗ୍ରିକ ଭାବରେ ଓଡିଶା ରାଜନୀତିରେ ଆଜି ମଧ୍ୟ ବିଜେପିର ଦୁର୍ବଳ ସ୍ଥିତି ରହିଛି। ସେଥିପାଇଁ ବିଜେଡି ଯିବା ବାଟକୁ ମଧ୍ୟ ସେ ପରୀକ୍ଷା ନିରୀକ୍ଷା କରୁଥିବାର କୁହାଯାଉଛି।

ତେବେ ରଞ୍ଜିବ ବିଶ୍ଵାଳ ଯେଉଁ ଦଳକୁ ଗଲେ ମଧ୍ୟ ସେ କ୍ରିକେଟ ଗ୍ରାଉଣ୍ଡରୁ ଆଉ ଆଗକୁ ଯିବାର ସମ୍ଭାବନା ନାହିଁ। ଯେ କୌଣସି ଦଳରେ ରହିଲେ ମଧ୍ୟ ସେ ଦଳ ପାଇଁ କିଛି ବି ମୂଲ୍ୟ ଯୋଡିବା ଭଳି ଦକ୍ଷତା ବା ନେତୃତ୍ଵ ରଞ୍ଜିବ ବିଶ୍ବାଳଙ୍କର ନାହିଁ।

Categories
ବିଶେଷ ଖବର

ବିଜେଡ଼ି ଓ ବିଜେପି- ବାପ ପୁଅ ରାଜନୀତିର ମହାନ ରାଜନୈତିକ ଟେଲି ଧାରାବାହିକ

କେଦାର ମିଶ୍ର

 ପୁଅ କହୁଛନ୍ତି- ବାପା ବିଜେପି ରେ ଖୁସି ନାହାନ୍ତି।

ମିଡ଼ିଆ ଅନୁମାନ କରୁଛି- ବାପା ବୋଧହୁଏ ବିଜେପି ଛାଡ଼ି ନିଜର ପୁରୁଣା ଦଳ ବିଜେଡ଼ି କୁ ଫେରିବେ।

ଏପଟେ ବାପା କହିଛନ୍ତି- ମୋତେ ତ ବିଜେଡ଼ି ତଡିଦେବାରୁ ବିଜେପି ସମ୍ମାନ ର ସହ କୋଳେଇ ନେଇଛନ୍ତି। ମୁଁ ବିଜେଡ଼ି କୁ କାଇଁ ଫେରିବି।

ଏକଥା ଯେ କହୁଛି, ସେ ମୋ ପୁଅ ନୁହଁ, ସେ ବିଜେଡି ର ଜଣେ ବିଧାୟକ।

ଏ ସବୁ କୌଣସି ପାରିବାରିକ ଟିଭି ସିରିଆଲ ର ଡାଇଲଗ ଭଳି ଶୁଭୁନାଇ କି? ଦାମ ବାବୁ ଯେତେବେଳେ ବିଜେପି ରେ ଯୋଗ ଦେଲେ ସେତେବେଳେ ସମବେତ ବିଜେପି କର୍ମୀଙ୍କୁ ପଚାରିଥିଲେ- ଆପଣମାନେ ଖୁସି ତ! ତେବେ ସେ ନିଜେ ଆଜି ଖୁସି ନାହାନ୍ତି ବୋଲି ତାଙ୍କ ପୁଅ କହୁଛନ୍ତି କାହିଁକି? ନିର୍ବାଚନ ପୂର୍ବରୁ ଦାମ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଯାଇ ଲୋକହସା ହୋଇ ସାରିଛନ୍ତି। ଲୁଣିପାଣି ରେ ପଦ୍ମ ଫୁଟିବ ବୋଲି ସେ ଯେଉଁ ଦମ୍ଭ ଦେଖାଉଥିଲେ, ତାହା ବି ଆଜି ଭାଙ୍ଗି ସାରିଛି। ନିଜେ ଦାମ ବାବୁ ଶୋଚନୀୟ ଭାବରେ, ତୃତୀୟ ସ୍ଥାନ ରେ ରହି ପରାସ୍ତ ହୋଇଛନ୍ତି। ତେବେ ପରାଜୟ ପରେ ମଧ୍ୟ ଦାମଙ୍କ ତୁଣ୍ଡରେ ଲଗାମ ଲାଗିନାଇଁ। ଅବଶ୍ୟ ଦାମଙ୍କର ଏକମାତ୍ର ସମ୍ପତ୍ତି ହେଉଛି ତାଙ୍କ ତୁଣ୍ଡ ଖଣ୍ଡକ। କଥା କହିବାରେ ତାଙ୍କ ପରି ଦ୍ଵିତୀୟ ନେତା ଓଡିଶାରେ ନାହାନ୍ତି।

ତେବେ କଥା କହି ଗଣମାଧ୍ୟମର କ୍ୟାମେରା ଆଗରେ ନିଜର ଛବି ଜମେଇ ଦେବାର କଳା ଦାମ ବାବୁ ଜାଣନ୍ତି। ସେଇ କଳାରେ ତାଙ୍କର ସଫଳତା ଓ ସିଦ୍ଧି। ହେଲେ ତାଙ୍କ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କ କଥା ଉପରେ ଆସ୍ଥା ରଖିଲେ ନାଇଁ। ଏତେ ବଡ ନେତା, ଯିଏ ନିଜକୁ ବିଜୁ ବାବୁଙ୍କ ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, ସେ ଏମିତି ଶୋଚନୀୟ ଭାବେ ହାରିଲେ କାହିଁକି? ଅବଶ୍ୟ କେହି କେହି କହିଲେ, ପୁଅ ସମ୍ବିତ ରାଉତରାୟ ବିଜେଡି ଟିକଟ ପାଇଲା ପରେ ଦାମ ବାବୁ ଆଉ ନିଜର ଟାଣପଣ ଦେଖେଇଲେ ନାହିଁ। ଶୁଣାଗଲା ଯେ ଦାମ ବାବୁ କୁଆଡେ ପାରାଦୀପର ପୁରୁଣା ବିଜେଡି କର୍ମୀଙ୍କୁ ଡାକି କହିଲେ- ମୋ ପୁଅ ତମକୁ ଲାଗିଲା। ଏ କଥା କେତେ ସତ କେତେ ମିଛ ଆମକୁ ଜଣାନାଇଁ। ହେଲେ ପାରାଦୀପରେ ବିଜେଡି ପ୍ରାର୍ଥୀ ଭାବରେ ସମ୍ବିତ ବିଜୟ ଓ ଏରସମାରେ ଦାମୋଦରଙ୍କ ଶୋଚନୀୟ ପରାଜୟ ଅନେକଟା କାହାଣୀ କହୁଛି।

ନିର୍ବାଚନ ପରେ ଏବେ ହଠାତ ବାପା ଖୁସି ନାହାନ୍ତି ଓ ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରି ପାରିବେ ବୋଲି ସମ୍ବିତ ରାଉତରାୟ କହିବା ପଛରେ ଇଙ୍ଗିତ ଅତ୍ୟନ୍ତ ସ୍ପଷ୍ଟ। ଦାମ ବାବୁ ବିଜେପିର ଉପାଦାନ ନୁହନ୍ତି। ବିଜେପିର ନିୟମ ଓ ଶୃଙ୍ଖଳା ଭିତରେ ବନ୍ଧା ହୋଇ ସେ ରହିପାରିବେ ନାଇଁ। ନିର୍ବାଚନ ପରେ ବିଜେପି ପାଇଁ ତାଙ୍କର ଆଉ ବିଶେଷ ଆବଶ୍ୟକତା ମଧ୍ୟ ନାଇଁ। ବିଜେପିରେ ନିଶିବା ଆଗରୁ ସେ ଓଡିଶାର ଆନ୍ନା ହଜାରେ ହୋଇ ଦୁର୍ନୀତି ବିରୋଧୀ ଆନ୍ଦୋଳନ କରିବେ ବୋଲି ଯାହା କହିଥିଲେ, ତାହା ମଧ୍ୟ ପାଣିର ଗାର ବୋଲି ଲୋକ ଜାଣି ଗଲେଣି। ଅଗତ୍ୟା ରାଜନୀତିରେ ବଞ୍ଚିବାକୁ ହେଲେ ଘରବାହୁଡା ହିଁ ଏକମାତ୍ର ବାଟ! ସେଥିଲାଗି ବାପ ଓ ପୁଅ ହଠାତ ଗଣମାଧ୍ୟମ ଆଗରେ ନିଜର ଭାବପ୍ରବଣ ଡାଇଲଗ ମାରିବା ଆରମ୍ଭ କରିଛନ୍ତି।

ତେବେ ଦାମଙ୍କ ଘରବାହୁଡା ନାଟକରେ, ଘରର ସେଟିଂ ଠିକ ଅଛି ତ! ବିଜେପିରେ ଯେମିତି ତାଙ୍କର କାମ ସରିଯାଇଛି, ବିଜେଡିରେ ମଧ୍ୟ ସେ କେବଳ ବୋଝ ହୋଇ ରହିଥିଲେ। ସରକାରରେ ଥିବାବେଳେ ଓ ସରକାରରୁ ଗଲାପରେ ସେ ବିଜେଡ଼ିର ସବୁଠୁ ବଡ ବିପଦ ହୋଇ କାମ କରିଛନ୍ତି। ବିଜେଡି ଛାଡିଥିବା କୌଣସି ନେତା ଦାମଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରର ଆକ୍ଷେପ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା କଲାପରେ ମଧ୍ୟ ଦାମଙ୍କ ପୁଅକୁ ଟିକଟ ଦେଇ ଓ ଦାମଙ୍କ ପତ୍ନୀଙ୍କ ମୃତ୍ୟୁପରେ ତାଙ୍କ ଘରେ ପହଞ୍ଚି ନବୀନ ବାବୁ ବହୁତ ବଡ ହୋଇଗଲେ। ଦାମ ବାବୁ ନବୀନଙ୍କ ବିରୋଧରେ କହିବା ଲାଗି ଆଉ ବିଶେଷ କିଛି ରହିଲା ନାଇଁ। ତେବେ ସେଇ କଥାରୁ ଦାମଙ୍କ ବିଜେଡି ଘର ବାହୁଡା ସହଜ ହେବ ବୋଲି ଭାବିବା ନିର୍ବୋଧତା ହେବ। ବିଜେଡ଼ିରୁ ବିଦା ହେବା ପରେ ଆଉ ଥରେ କେହି ଫେରି ନାହାନ୍ତି। ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପ୍ରଫୁଲ୍ଲ ଘଡେଇ। ପ୍ରଫୁଲ୍ଲ ବାବୁ ବିଜେଡ଼ିରୁ ନିଲମ୍ବିତ ହେବାର ବହୁ ବର୍ଷ ପରେ ମଧ୍ୟ ବିଜେଡି ବିରୋଧରେ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ସେଥିଲାଗି ଘଡାଇଙ୍କୁ ଗତ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ଫେରାଇ ଅଣା ଯାଇଥିଲା। ଦାମଙ୍କ କ୍ଷେତ୍ରରେ ତାହା ଘଟିବାର ସମ୍ଭାବନା କ୍ଷୀଣ। ପିତା ଓ ପୁତ୍ରଙ୍କ ଏ ଧାରାବାହିକ ଭାବପ୍ରବଣ ନାଟକ, ବିଜେଡି ଶିବିରରେ ବିଶେଷ କିଛି ଆଗ୍ରହ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁନାଇଁ।

Categories
ବିଶେଷ ଖବର

ବର୍ତ୍ତମାନ ସୁଦ୍ଧା ଦାମ ରାଉତ ନାମାଙ୍କନ ପତ୍ର ଦାଖଲ ନ କରିବା କାରଣ କଣ ? ତାଙ୍କର ଭୂମିକା ନେଇ ଜଗତସିଂହପୁର ଜିଲ୍ଲାରେ ସନ୍ଦେହ

ସମୀକ୍ଷା ବ୍ୟୁରୋ

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ବର୍ତ୍ତମାନ ସନ୍ଦେହ ଘନିଭୂତ ହେବାରେ ଲାଗିଛି। କାରଣ ବର୍ତ୍ତମାନ ଦାମ କଣ କରିବେ ସେ ନେଇ କିଛି ନିଷ୍ପତି ନେଇପାରୁ ନାହାଁନ୍ତି। ବିଜେପିରୁ ଟିକେଟ ପାଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ନା ନାମାଙ୍କନ ଦାଖଲ କରିଛନ୍ତି ନା ବିଜେପି କର୍ମିଙ୍କ ସହିତ ଆଲୋଚନା କରୁଛନ୍ତି। ଏପରି ଦ୍ବଦଲ୍ୟମାନ ସ୍ଥିତିରେ ପଡିଛନ୍ତି ଦାମୋଦର ରାଉତ। ଗୋଟିଏ ପଟେ ପୁଅ ସମ୍ବିତ ରାଉତରାୟ ଅନ୍ୟପଟେ ବିଜେପି ଦଳ ଏବଂ ତାଙ୍କର ପ୍ରାର୍ଥୀତ୍ବ, ଏସବୁ ଭିତରେ ଦାମ ପେଶି ହେବାରେ ଲାଗିଛନ୍ତି। ଦାମ ବିଜେପିରେ ଯୋଗଦେବା ପରେ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଛନ୍ତି ସତ, ହେଲେ ତାହା ତାଙ୍କ ପାଇଁ ଲାଭଦାୟ ସାବ୍ୟସ୍ତ ହୋଇପାରୁ ନାହିଁ । ପ୍ରଥମତଃ ସେ ବାଲିକୂଦା ଏରସମାର ବିଧାୟକ ଟିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ସେ ଦଳର ପ୍ରଚାର କମିଟ ଦାୟିତ୍ବ ମଧ୍ୟ ଦିଆଯାଇଛି। ନିଜ ନିର୍ବାଚନ ମଣ୍ଡଳି ସହ ରାଜ୍ୟର ଅନ୍ୟସ୍ଥାନକୁ ମଧ୍ୟ ସେ ପ୍ରଚାରରେ ଯିବା କଥା। ହେଲେ ଟିକେଟ ମିଳିବା ପରେ ସେ ବର୍ତ୍ତମାନ ଯେପରି ସକ୍ରିୟ ହେବା କଥା ତାହା ପରିଲକ୍ଷିତ ହେଉନାହିଁ। ପ୍ରକୃତ କଥା ହେଲା ସେ ଭାବି ଥିଲେ ଯେ, ବିଜେପିରେ ଯୋଗଦେବା ପରେ ବିଜେଡି ତାଙ୍କ ପରିବାରକୁ ସଂପୂର୍ଣ୍ଣ ଭୂଲିଯିବ। ଯାହାଦ୍ବାରା ସେ ଅନାୟସରେ ବିଜେପି ପାଇଁ ପ୍ରଚାର କରିପାରିବେ। ହେଲେ ନବୀନ ଯେଉଁ ଦୁଇଟି ମାଷ୍ଟର ଷ୍ଟ୍ରୋକ ଖେଳିଲେ ତାହା ତାଙ୍କ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।

ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେଇ ପ୍ରଥମ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନ ଦାମଙ୍କ ଗଡ ପାରାଦ୍ବୀପରେ ତାଙ୍କ ପୁଅଙ୍କୁ ଟିକେଟ ଦେଲେ। ଆଉ ଏକ ଘଟଣା ହେଲା ଦାମଙ୍କ ପତ୍ନୀଙ୍କ ବିୟୋଗ ସମୟରେ ନିଜେ ନବୀନ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ଏହି ଦୁଇ ଘଟଣା ପରେ ଦାମଙ୍କ ମନରେ କୁଆଡେ ପରିବର୍ତ୍ତନ ଆସିଯାଇଛି ବୋଲି ଶୁଣାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ବିଜେଡି ବିରୋଧରେ ସେ ପ୍ରଚାର କରିବା କାହିଁକି କେଉଠି ତାଙ୍କ ବିବେକ ବାଧା ଦେଉଛି। ସେ ନେଇ ବର୍ତ୍ତମାନ ଦାମ କୁଆଡେ ମାନସ ମନ୍ଥନ କରୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ବର୍ତ୍ତମାନ ସବୁ ନେତା ଦଳୀୟ ଟିକେଟ ମିଳିବା ପରେ ସେମାନେ ବୈଠକ କରିବାଠାରୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ ଜୋର କରିସାରିଲେଣି। ହେଲେ ଦାମୋଦର ରାଉତଙ୍କୁ ଟିକେଟ ମିଳିବା ପରେ ସେ ନାଁ ବିଜେପି କର୍ମିଙ୍କ ସହିତ କଥା ହେଉଛନ୍ତି ନା ସେ କର୍ମିଙ୍କୁ ଡାକି ବୈଠକ କରୁଛନ୍ତି। ଏପରି ସ୍ଥିତିରେ ଏରସମା ବାଲିକୂଦା ବିଜେପି କର୍ମିମାନେ ମଧ୍ୟ ବଡ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି। ଭିତିରିଆ ଖବର ଅନୁସାରେ ଦାମ ବର୍ତ୍ତମାନ ନିଜ କଥା ଛାଡି ପୁଅ ପାଇଁ କୁଆଡେ କର୍ମିମାନଙ୍କ ସହିତ ଅଲୋଚନା କରୁଥିବାର ଜଣାପଡିଛି। ସମ୍ବିତ କିପରି ନିଜ ଗଡରେ ସ୍ଥିତି ବଜାଇ ରଖି ବହୁ ଭୋଟରେ ଜିତିବେ ସେଥିପାଇଁ ଦାମ କୁଆଡେ ଗୁପ୍ତ ମନ୍ତ୍ରଣା କରୁଥିବାର ମଧ୍ୟ ଜଣାପଡିଛି। ତେବେ ସମ୍ବିତ 8 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବା ଭିତରେ ଦାମଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି।

( ମୋବାଇଲରେ ଫାଟଫଟ ଖବର ଜାଣିବା ପାଇଁ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ sankhipta app )