Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ ।

ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସବୁ ଇଣ୍ଡଷ୍ଟ୍ରିୟାଲ ଇଷ୍ଟେଟ ରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି।

ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି ମାଲିକ ଅଟକ ଥିବାର ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି।

ତେବେ ବାରମ୍ବାର ଜିଲ୍ଲାରେ ଏପରି ଘଟଣା ଘଟୁଥୁବା ବେଳେ ଜନସାଧାରଣ ଏଥିରେ ମର୍ମାହତ ହେବା ସହ ପୋଲିସକୁ ଏହା ଉପରେ କଠୋର ଅଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାରେ ଆଉ ଏକ କୁତ୍ସିତ ଦୃଶ୍ୟ ସାମ୍ନାକୁ ଆସିଛି। ମାଫିଆମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଗାଡିକୁ ଗୋ ଚାଲାଣ ପାଇଁ ବ୍ୟବହାର କରିଛନ୍ତି, ଯାହାକି ବହୁ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତତସହିତ ଜନସାଧାରଣ ଏ ଦୃଶ୍ୟ ଦେଖି ଆହୁରି ଉତ୍ୟକ୍ତ ହୋଇଛନ୍ତି।

ଉକ୍ତ ଘଟଣାରେ ଗାଡ଼ି ମାଲିକ ଅଟକ ଥିବା ବେଳେ ସଂଶ୍ଲିଷ୍ଟ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଟ୍ରକ ଧକ୍କାରେ ଆକ୍ଟିଭା ଚାଳକ ମୃତ, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ୧୬ ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ଏକ ଟ୍ରକ୍ ଧକ୍କାରେ ଜଣେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି ୦୭-ଟିୟୁ-୬୬୯୫ ନମ୍ୱର ବିଶିଷ୍ଟ ଏକ ଟ୍ରକଟି ଆଗରେ ଯାଉଥିବା ଏକ ଆକ୍ଟିଭାକୁ ଧକ୍କା ଦେବା ସହ ଚାଳକଙ୍କ ଉପରେ ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି।

ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିବା ବେଳେ ଟାଉନ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଚାଳକଙ୍କୁ ଅଟକ ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: କିଛି ଦିନର ବିରତି ପରେ ପୁଣି ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଠାବ ହେବା ସହ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ସାମନ୍ତରାୟପୁର ବୋଧ ପୋଖରୀ ନିକଟରେ ବ୍ରାଉନ ସୁଗାର ବେପାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଆଦିତ୍ୟ ବିଶ୍ୱାଳ (୨୪), ସୋମନାଥ ସାହୁ (୩୦) ଏବଂ ପୁରି ଜିଲ୍ଲା ପିପିଲି ଥାନା କାକୁଡ଼ିଆ ଗ୍ରାମର ହେମନ୍ତ କୁମାର ସ୍ୱାଇଁ (୩୨) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା) ଏବଂ ଏକ ବାଇକ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୩୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଆଜି ଅପରାହ୍ନରେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପରବ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି ,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି। ନୂଆଁଖାଇକୁ ସାରା ରାଜ୍ୟରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଉତ୍କଳୀୟ ସଂସ୍କୃତି ଆହୁରି ମହାନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ପର୍ବପର୍ବାଣୀ ସମୟରେ ପରିବାରର ସଦସ୍ୟ ଏକାଠି ହେଲେ ପାରସ୍ପରିକ ବନ୍ଧନ ଅତୁଟ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସତ୍ୟବାଦୀ ବଳିୟାରସିଂ, ଗୋପାଳକୃଷ୍ଣ ଦାସ ଯୋଗଦେଇ ପ୍ରକୃତି ଓ ମାନବ ସଭ୍ୟତା ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଓ ନୂଆଁଖାଇ ସମଗ୍ର ରାଜ୍ୟରେ ଭାଇଚାରାର ପରବ ଭାବେ ପାଳନ କରାଯାଉଛି। ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ ଏବଂ ନୂଆଁଖାଇ ଆମ ସାଂସ୍କୃତିକ ବିବିଧତାର ପ୍ରମୁଖ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ନାରାୟଣ ରାଓ ନୂଆଁଖାଇ ପରବ ଅତ୍ୟନ୍ତ ପ୍ରାଚୀନ ଓ ମାଦଳା ପାଞ୍ଜିରେ ଏ ସଂପର୍କରେ ଉଲ୍ଲେଖ ଥିବା କହିଥିଲେ। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନର ବିଭିନ୍ନ ବିଧିବିଧାନ ସଂପର୍କରେ ପ୍ରଫେସର ରାଓ କହିବା ସହ ବର୍ତ୍ତମାନର ପର୍ବପର୍ବାଣୀ ସହ ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଉପକ୍ରମ ଯୋଡି ହେଉଥିବା କହିଥିଲେ। ସେ ନିଜର ଅଭିଜ୍ଞତା ପୂର୍ଣ୍ଣ ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଯେତେ ଦୂରରେ ଥିଲେ ବି ନୂଆଁଖାଇ ନିମନ୍ତେ ପରିବାର ସହ ମିଶିବାର ଉତ୍ସାହିତ ହେବା ହେଉଛି ବଡ ସଦଭାବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହେମନ୍ତ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତଦାତାମାନେ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ପ୍ରଦାନ କରିବା ଅଭିଯାନର ସମୀକ୍ଷା ବୈଠକ

ଖୋର୍ଦ୍ଧା: ମତଦାତା ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ଆଧାର ତଥ୍ୟ ପ୍ରଦାନ କରିବା ସଚେତନତା ଅଭିଯାନର ସମୀକ୍ଷା ବୈଠକ ଆଜି ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ଲକ୍ଷରେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ନିମନ୍ତେ ମତଦାତା ମାନଙ୍କ ଠାରୁ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ବିଏଲଓ ମାନେ ଘର ଘର ବୁଲି ଏହି ତଥ୍ୟ ହାସଲ କରିବେ। ଏପରିକି ଜଣେ ଚାହିଁଲେ ଅନଲାଇନ ମାଧ୍ୟମରେ ଆଧାର ତଥ୍ୟ ପ୍ରଦାନ କରିପାରିବେ ଯାହା ଫଳରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ଆଶଙ୍କା ଦୂର ହୋଇପାରିବ। ଏହି ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ବତନ୍ତ୍ର ଶିବିର ଆୟୋଜନ ସହ ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏଥି ନିମନ୍ତେ ସହଯୋଗ କରିବାକୁ ସମସ୍ତ ଭୋଟର ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜୟୀ ରାଜଗୁରୁ ଟାଉନହଲ ସମ୍ମିଳନୀ କକ୍ଷରେ ପୂର୍ବରୁ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ଏଥିନିମନ୍ତେ ଲୋକ ପ୍ରତିନିଧି ଆଇନ-୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଓ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଥିବା ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିପାରିବେ। ଏଥିସହ ନିର୍ବାଚନ ପଞ୍ଜିକରଣ ଆଇନ-୧୯୬୦ର ମଧ୍ୟ ସଂଶୋଧନ କରାଯାଇଛି। ଆସନ୍ତା ଏପ୍ରିଲ ପହିଲା ୨୦୨୩ ମସିହା ସୁଦ୍ଧା ଭୋଟର ତାଲିକାଭୁକ୍ତ ହେବାକୁଥିବା ଯୋଗ୍ୟ ଭୋଟର ମାନେ ସେମାନଙ୍କ ଆଧାର ତଥ୍ୟ ସଂଯୋଗ ପାଇଁ ଅଧିକାରୀଙ୍କୁ ଜଣାଇବେ। ଆଧାର ବିବରଣୀ ଦାଖଲ ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି। ଉକ୍ତ ଫର୍ମ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍, ERONET,GARUDA, NVSP, VHA ମାଧ୍ୟମରେ ଉପଲବ୍ଧ ଅଛି।

ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ପୂର୍ବ ପ୍ରଚଳିତ ଗୋଟିଏ ଯୋଗ୍ୟତାସୂଚକ ତାରିଖ ପରିବର୍ତ୍ତେ ବର୍ଷର ୪ଟି ତାରିଖ ଅର୍ଥାତ ଜାନୁୟାରୀ, ଅପ୍ରେଲ, ଜୁଲାଇ, ଅକ୍ଟୋବର ପହିଲା ରଖାଯାଇଛି। ଏଥିସହ ଫର୍ମ ନଂ-୬, ୬(କ), ୭ ଓ ୮ ପୂର୍ବଭଳି ପ୍ରଚଳିତ କରାଯାଇଛି ଏବଂ ଫର୍ମ ୬(କ) ବ୍ୟତୀତ ଅନ୍ୟ ଫର୍ମ ଗୁଡିକରେ ସଂଶୋଧନ କରାଯାଇଛି।

ଏହି ଅବସରରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଡିଓ, ତହସିଲଦାର, ବୁଥସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ଓ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ରାଜସ୍ବ ଅଧିକାରୀଙ୍କ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଉକ୍ତ ବୈଠକରେ ରାଜସ୍ବ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜନସାଧାରଣ ମାନଙ୍କୁ ଉତ୍ତମ ସେବା ପ୍ରଦାନ ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଜମିଜମା ମାମଲା ଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ସର୍କଲ ନିମନ୍ତେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକାରୀ ମାନଙ୍କୁ କୁହାଯାଇଛି।

ଏହି ଅବସରରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ରାଜସ୍ବ ଡେପୁଟି କଲେକ୍ଟର ଉର୍ମିପ୍ରଭା ମହାପାତ୍ର, ସମସ୍ତ ତହସିଲଦାର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ: ଦୁଇ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାର ୨ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିବା ବେଳେ ଅବକାରୀ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତ କାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଅଟୋରେ ବ୍ରାଉନ ସୁଗାର ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପରିଶେଷରେ ନୂଆ ବସ ଷ୍ଟାଣ୍ଡ ନିକଟରୁ ଅଟୋକୁ ଠାବ କରିବା ସହ ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ତଲାସି ନେଇଥିଲା। ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଅଟୋକୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୯୦ ହଜାର ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଏନ. ମୋହନ ରେଡ୍ଡୀ (୪୪) ଏବଂ ରାକେଶ ନାୟକ (୩୫)। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୩/୨୨-୨୩ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ ରେ ନିଆଁ ଲଗାଇଲେ ଦୁର୍ବୃତ୍ତ: କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କିଛି ଦିନର ନୀରବତା ପରେ ବଡ ପୋଖରିଆରେ ପୁଣି ହିଂସା ଦେଖାଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିବା ଖବର ହସ୍ତଗତ ହୋଇଛି। ଟାଙ୍ଗୀ ବ୍ଲକ ବଡ ପୋଖରିଆ ପଂଚାୟତରେ ଏଭଳି ଏକ ହିଂସା ଘଟଣା ସାମ୍ନାକୁ ଆସିଛି।

ବିଳମ୍ବିତ ରାତ୍ରିରେ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଅଗ୍ନୀଶମ ବାହିନୀ ନିଆଁକୁ ଆୟତ କରିଛି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ପାଳିତ

ଖୋର୍ଦ୍ଧା: ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ଖୋର୍ଦ୍ଧା ସହରସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପ୍ରେକ୍ଷାଳୟରେ ପାଳିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସାଧାରଣ ମାନଙ୍କୁ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଥିବା ସଂକଳ୍ପକୁ ଆଜିର ଦିନଟି ମନେ ପକେଇ ଦେଇଥାଏ।

ସହରବାସୀଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସହର ସୌଦର୍ଯ୍ୟକରଣ ଭଳି ସୁବିଧା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ୫-ଟି ମାଧ୍ୟମରେ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ପାର୍କ, ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଭାରତ ଇତିହାସରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଏହି ପବିତ୍ର ମାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ସେହିଭଳି ବେଗୁନିଆର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରୁଣେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ପାର୍କ ଉନ୍ନତିକରଣ ଓ କ୍ୟାବିନ ବ୍ୟବସାୟୀ ମାନଙ୍କ ଥଇଥାନ ସଂପର୍କରେ କହିଥିଲେ। ଅନେକ ଉନ୍ନତିକରଣ କାର୍ଯ୍ୟକୁ ସଫଳତାର ସହ ତ୍ବରାନ୍ବିତ ହୋଇଥିବାରୁ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେବା ସହ ଲୋକମାନଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବାକୁ ନବ ନିର୍ବାଚିତ କାଉନସିଲର ମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ପୌର ପରିଷଦ ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ବିବରଣୀ ପାଠ କରିବା ସହ ମୁକ୍ତା ଯୋଜନା, ଆବାସ ଓ ଯାଗା ମିଶନ ସଂପର୍କରେ ଉଲ୍ଲେଖ କରିଥିଲେ। ସେହିଭଳି ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ,କାଉନସିଲର, ସ୍ବେଚ୍ଛାସେବୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଥ ସ୍ତରୀୟ ଅଧିକାରୀ, ଆଗ୍ନିକ ଓ ଟ୍ରାଫିକ କର୍ମଚାରୀ, ଛାତ୍ରଛାତ୍ରୀ, ଷ୍ଟାଫ ନର୍ସ, ପୋଷ୍ଟ ଅଫିସ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୌର ପରିଷଦ ଉପାଧ୍ୟକ୍ଷ ଧନ୍ୟବାଦ ପ୍ରଦାନ କରିଥିଲେ।

ବରୁଣେଇ ସଂଗୀତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆଜି ପ୍ରାତଃ ସମୟରେ ପୌର କାର୍ଯ୍ୟାଳୟ ପ୍ରାଙ୍ଗଣରେ ପତାକା ଉତ୍ତୋଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆଜି ପୂର୍ବାହ୍ନରେ ଖୋରଧା ବିଧାୟକଙ୍କ ଦ୍ବାରା ବିଭିନ୍ନ ୱାର୍ଡରେ ପ୍ରକଳ୍ପ ଗୁଡିକର ମଧ୍ୟ ଉଦଘାଟନ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ଅଧିକ୍ଷିକ ଝସକେତନ ବରିହା ଖବର ପାଇଥିଲେ। ବିଳମ୍ବ ନକରି ଅବକାରୀ ଅଧିକ୍ଷିକ ଏବଂ ଅବକାରୀ ଉପ ଅଧିକ୍ଷିକାଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଘଟଣାସ୍ଥଳରୁ ସାମନ୍ତରାୟପୁର ଅଞ୍ଚଳର ଅଭିଯୁକ୍ତ ଅଜୟ ବେହେରା (୪୪) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୪୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।  ଜବତ ବ୍ରାଉନ ସୁଗାର ର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୬/୨୨-୨୩ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଏସଆଇ ବି ମନୋଜ ବାରିକ,ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜୈସ ଏବଂ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ଅବକାରୀ ଥାନା କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମ ଶିବ ମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ବାଘମାରି ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଏବଂ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କ ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପୋଲିସ ୧୨.୧୫ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ନମ୍ବର ପ୍ଲେଟ ବିହୀନ ବାଇକ, ଦୁଇ ଗୋଟି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଘମାରି ଥାନା ତୁଳସୀପୁର ଗ୍ରାମର ବଳରାମ ସାହୁ (୫୦) ଓ ହିତୁ ପ୍ରଧାନ (୩୦) ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳର ସୁରେନ୍ଦ୍ର ଦଳାଇ (୩୮)। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ପରିପ୍ରେକ୍ଷୀରେ ବାଘମାରି ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୦୩/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏଏସଆଇ ରମାକାନ୍ତ ପୁହାଣ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ବକ୍ସିଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଆଜି ପାଳିତ ହୋଇଯାଇଛି। ରାଜ୍ୟ ମାନ୍ୟବର ଇଲୋକଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ।

ପବିତ୍ର ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଖୋର୍ଦ୍ଧା ଜିଲ୍ଲାବାସୀ, ପ୍ରଶାସନିକ ପଦାଧିକାରୀ, କରୋନା ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲନା ଆଜାଦ, ଡଃ ଆମ୍ବେଦକର, ଲାଲା ଲଜପତ ରାୟ, ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ସରୋଜିନୀ ନାଇଡୁ, ଡଃ ରାଜେନ୍ଦ୍ର ପ୍ରସାଦ, ଭଗତ ସିଂ, ବାଘା ଯତିନ୍, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ବିର୍ସା ମୁଣ୍ତା, ଶହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ରଘୁ ଦିବାକର, ମାଳତୀ ଚୌଧୁରୀ, ବାଜି ରାଉତ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୁଖ୍ୟଅତିଥି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ମହାନ ଜାତୀୟତାବାଦୀ ଦେଶପ୍ରେମୀ ଓ ସଂଗ୍ରାମୀ ମାନଙ୍କ ଅବିରତ ସଂଗ୍ରାମ, ତ୍ୟାଗ ଓ ବଳିଦାନର ଫଳ ସ୍ବରୂପ ସ୍ବାଧୀନତା ପ୍ରାପ୍ତ ହୋଇଛି। ଖୋର୍ଦ୍ଧା ହେଉଛି ବୀର ଜାତିର ମାଟି। ବହୁ ମୁକ୍ତି ସଂଗ୍ରାମୀଙ୍କ ଜନ୍ମପୀଠ ଓ କର୍ମପୀଠ ଭାବେ ଅଲିଭା ସ୍ବାକ୍ଷର ବହନ କରିଛି। ଏହି ମାଟି କଳା, ସାହିତ୍ୟ, ସଂସ୍କୃତିର ପ୍ରବାହ ମାନଙ୍କୁ ସୃଷ୍ଟିକରି ଏକ ଜାଗରଣ ଆଣିବାରେ ମୁଖ୍ୟ ଭୂମିକା ତୁଲାଇଥିଲା। ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଏହି ମାଟିରୁ ଆରମ୍ଭ ହୋଇଥିଲା। ଏହି ମାଟିର ବରପୁତ୍ର ମୁକୁନ୍ଦ ଦେବ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ତିକି ବାହୁବଳେନ୍ଦ୍ର, କୃତ୍ତିବାସ ପାଟ୍ଟଶାଣୀ, ମାଧବଚନ୍ଦ୍ର ରାଉତରାୟଙ୍କ ତ୍ୟାଗ ଓ ବଳିଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ଗୋଦାବରିଶ ମିଶ୍ର, ଗୋଦାବରୀଶ ମହାପାତ୍ର, ସଚ୍ଚି ରାଉତରାୟ, ପର୍ଶୁରାମ ପଟ୍ଟନାୟକ, ମାୟାଧର ମାନସିଂ, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରି ଅନେକ ଯଶସ୍ବୀ ମାନଙ୍କୁ ଏ ମାଟି ଜନ୍ମ ଦେଇଛି। ଭାରତର ସ୍ବାଧିନତା ଓ ରାଷ୍ଟ୍ର ଗଠନରେ ଏହି ମହାପୁରୁଷଙ୍କ ଅମୂଲ୍ୟ ଅବଦାନ ଆଜି ଉତ୍ତରପିଢି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି।

ଚଳିତ ବର୍ଷ ସାରା ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ” ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ବାଧୀନତା ପରେ ରାଜ୍ୟର ପ୍ରଗତି ଦ୍ରୁତ ପଥରେ ଆଗେଇ ଚାଲିଛି। ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଲାଗି ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମୀଣ ବିକାଶ, କୃଷିର ଉନ୍ନତି, ଶିଳ୍ପର ବିକାଶ, ଶିକ୍ଷାର ଉନ୍ନତି, ସହରାଞ୍ଚଳର ଉନ୍ନତି, ଅର୍ଥନୈତିକ ଅଭିବୃଦ୍ଧି, କ୍ରୀଡା, ସୂଚନା ପ୍ରଯୁକ୍ତି, ସ୍ବାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଉଦ୍ୟମ ଯାରି ରଖିଛନ୍ତି। ଗୁଣାତ୍ମକ ଶିକ୍ଷା ନିମନ୍ତେ ରାଜ୍ୟର ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗଠନ, ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୩୦୩୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ, ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ, ମମତା ଯୋଜନାରେ ପ୍ରସୂତୀ ମା’ମାନଙ୍କୁ ୫ ହଜାର ଟଙ୍କା ସହାୟତା ରାଶି, ସହରାଞ୍ଚାଳ ବସ୍ତିବାସିନ୍ଦାଙ୍କ ନିମନ୍ତେ ଯାଗା ମିଶନ, ଅନୁସୂଚିତ ଜାତି ଓ ଜନଜାତି ମେଧାବୀ ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଅନ୍ବେଷା ଯୋଜନା, ଅତିରିକ୍ତ ୧୧୫୬୭ ହେକ୍ଟର ପରିମିତ ଚାଷଜମିକୁ ଜଳସେଚନ ସୁବିଧା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ସେହିଭଳି ପୁଞ୍ଜି ବିନିଯୋଗ ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ବରାନ୍ବିତ କରିବାକୁ ଆସନ୍ତା ନଭେମ୍ବର ୩୦ରୁ ମେକ ଇନ ଓଡିଶା ଆରମ୍ଭ ହେଉଛି। ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ, ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଫିଫା ମାନର ଫୁଟବଲ ପଡିଆ ସହ ୧୨ ହଜାର ଦର୍ଶକ ବସିବା ଭଳି ବ୍ୟବସ୍ଥା, ଇଣ୍ତୋର ଆଥଲେଟିକ୍ସ, ହାଇ ପରଫରମାନ୍ସ ସେଣ୍ଟର, ଆକ୍ବାଟିକ ସେଣ୍ଟର, ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର, ଟେନିସ ସେଣ୍ଟର, ହାଇ ପରଫରମାନ୍ସ ସେଣ୍ଟର, ସ୍ପୋର୍ଟସ କ୍ଲାଇମ୍ବିଙ୍ଗ ୱାଲ, ସୁଇମିଂ ପୁଲ, ସୁଟିଂ ରେଞ୍ଜ, ଜିମ୍ନାଷ୍ଟିକ୍ କେନ୍ଦ୍ର ସ୍ଥାପନ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି। ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇଣ୍ତୋର ହଲ, ପ୍ରତି ଜିଲ୍ଲା ଓ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ସହ ତୃଣମୂଳ ସ୍ତରରେ ବିଭିନ୍ନ ପ୍ରତିଭା ସୃଷ୍ଟି କରାଯିବା ଲକ୍ଷ ରଖାଯାଇଛି। ଆସନ୍ତା ବର୍ଷ ରାଉରକେଲା ଓ ଭୁବନେଶ୍ବରରେ ହକି ବିଶ୍ବକପ ଆୟୋଜନ କରାଯାଉଛି। ଏଥି ନିମନ୍ତେ ରାଉରକେଲା ଠାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମୁଖ୍ୟ ଅତିଥି ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ଉଗ୍ରପନ୍ଥୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ୪୩୧ ଜଣ ମାଓବାଦୀ ସମାଜର ମୁଖ୍ୟଶ୍ରୋତରେ ସାମିଲ ହୋଇଛନ୍ତି। ୨୨୪ ଜଣଙ୍କୁ ୬କୋଟି ୭୩ ଲକ୍ଷ ବ୍ୟୟରେ ଥଇଥାନ କରାଯାଇଛି। ସେହିଭଳି ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧକୁ ରୋକିବା, ସାଇବର ଥାନା ପ୍ରତିଷ୍ଠା, ଅପହଞ୍ଚ ଅଞ୍ଚଳରେ ମୋବାଇଲ ନେଟୱାର୍କ ସେବା ପ୍ରଦାନ, ଅନଲାଇନ ଶିକ୍ଷା ବ୍ୟବସ୍ଥା, ସ୍ମାର୍ଟକ୍ଲାସରୁମ, ଥାନା ଗୁଡିକରେ ସିସିଟିଭି ସର୍ଭେଲାନ୍ସ ଓ ଜନସାଧାରଣ ମାନଙ୍କୁ ଇ-ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ୧୦ କୋଟି ବ୍ୟୟରେ ଆଦର୍ଶ ବିଦ୍ୟାଳୟ, ୨୦୫ କୋଟି ବ୍ୟୟରେ ଟାଙ୍ଗି, ଚିଲିକା ଓ ବାଣପୁର ଅଞ୍ଚଳରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ, ବାଣପୁର, ବାଲୁଗାଁ, ଜଟଣି ଓ ଖୋରଧା ପୌରସଂସ୍ଥା ଅଧିନରେ ୩୧ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ୪ଟି ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆଜିର ଏହି ମହାର୍ଘ ଅବସରରେ ମହାନ ସଂଗ୍ରାମୀ, ନେତୃବୃନ୍ଦ, ସମ୍ବିଧାନ ପ୍ରଣେତା ମାନଙ୍କ ଅବଦାନ, ଚରମ ତ୍ୟାଗ ଓ ବଳିଦାନକୁ ମନେ ପକାଇ ସମୃଦ୍ଧ ଓଡିଶା ଓ ଭାରତବର୍ଷ ଗଠନରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ କରୋନା ଯୋଦ୍ଧା ଭାବେ ଜିଲ୍ଲାର କିଛି ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ନର୍ସିଂ, ଅଗ୍ନିଶମ, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଡିଏଫଓ ପି. ପୁର୍ଣ୍ଣିମା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକଲକ୍ଷ୍ମୀ ମହାନ୍ତି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ରିଜର୍ଭ ଇନିସପେକ୍ଟର ନାଗେଶ ଜେନା ପ୍ୟାରେଡ ପରିଚାଳନା କରିଥିଲେ।

ଏହାପରେ ମୁଖ୍ୟଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ବୃକ୍ଷରୋପଣ ଏବଂ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିଥିଲେ। ପ୍ରାତଃ ସମୟରେ ସହରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିବା ସହ ପୌରସଂସ୍ଥା ପକ୍ଷରୁ ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନ ସୁଗାର ଜବତ, ତିନି ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତ୍ୟକ ଦିନ ପୋଲିସ ରେଡ କରି ଜିଲ୍ଲାର କୋଉଠୁ ନା କୋଉଠୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଟାଉନ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ।

ଟାଉନ ଥାନା ଅନ୍ତର୍ଗତ ସାମନ୍ତପୁର ୟୁପି ସ୍କୁଲ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଖବର ପାଇଥିଲେ। ବିଳମ୍ବ ନକରି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦.୫୫ ଗ୍ରାମ ବ୍ରାଉନ ସୁଗାର ଏବଂ ୨ ଗୋଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ସ୍ଵପ୍ନେଶ୍ଵର ସାହିର ଲିଟୁ ବାରିକ (୩୦), ଶାଗୁଆନ ବଗିଚା ଅଞ୍ଚଳର ମିଟନ ଗୁରୁ (୨୨) ଏବଂ ସାମନ୍ତରାୟପୁର ଅଞ୍ଚଳର ସଦାଶିବ ନାୟକ (୨୧)। ଜବତ ବ୍ରାଉନ ସୁଗାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୩୮୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଏସଆଇ ପଦ୍ମଲୋଚନ ବେହେରା ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଉକ୍ତ ମାମଲାର ଅତିରିକ୍ତ ଆଇଆଇସି ଚନ୍ଦ୍ରଶେଖର ଜେନା ତଦନ୍ତ କରୁଛନ୍ତି।

ସୂଚନା ଥାଉ କି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବାର ଏକ ମାସ ମଧ୍ୟରେ ଜିଲ୍ଲାରେ ଏଗାର ଗୋଟି ବ୍ରାଉନ ସୁଗାର ମାମଲା ସାମ୍ନାକୁ ଆସିଛି ଏବଂ ୩୦୦ ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରାକ୍ ଗର୍ଭଧାରଣ ଏବଂ ପ୍ରସୂତି ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଏବଂ ପ୍ରସୂତି ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ବୈଠକ ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅଲଟ୍ରାସାଉଣ୍ତ ପାଇଁ ଅନୁମତି ପ୍ରାପ୍ତ କ୍ଲିନିକ ଗୁଡିକରେ ଯୋଗ୍ୟତାପ୍ରାପ୍ତ ଡାକ୍ତର ନିଯୁକ୍ତ, ଅଲଟ୍ରାସାଉଣ୍ତ ସହ ଇକୋ କାର୍ଡିଓଗ୍ରାଫି ନିମନ୍ତେ ଆବଶ୍ୟକୀୟ ଡାକ୍ତର ନିୟୋଜିତ ଉପରେ ବୈଠକରେ ଆଲୋଚନା ହୋଇଛି।

ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ସଂପୃକ୍ତ ସଂସ୍ଥା ଉପରେ ଅଚାନକ ଯାଞ୍ଚ କରିବାକୁ ବୈଠକରେ ମଧ୍ୟ ଆଲୋଚନା ହୋଇଛି। ଲିଙ୍ଗ ଅନୁପାତ କମ ରହିଲେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀ ପାଢୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଦେଷ୍ଟା କମିଟି କାର୍ଯ୍ୟକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଏଡିପିଏଚଓ ଡଃ ରଘୁନାଥ ନାୟକ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ପଦ୍ମଚରଣ ଦାସ, ଜେ.ପି. ତ୍ରିପାଠୀ, ଅନୁପମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୁଧାଂଶୁ ଶତପଥି ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଦମ୍ପତି ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ସାମନ୍ତରାୟପୁର ସ୍ଵପ୍ନେଶ୍ଵର ସାହିର ଏକ ଘରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୧୦ ଗ୍ରାମ ବ୍ରାଉନ ସୁଗାର ଓ ନକଦ ୨୫ ହଜାର ୪୩୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଦମ୍ପତି ପଞ୍ଚୁ ସାହୁ(୫୮) ଏବଂ ସତ୍ୟଭାମା ସାହୁ(୫୨) ଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନସୁଗାର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଖ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୩୫୭/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଏସଆଇ ସସ୍ମିତା ବେହେରା, ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମୀମାନେ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଗୋରୁ ବୋଝେଇ କଣ୍ଟେନର ଜବତ କଲା ନିରାକାରପୁର ପୋଲିସ, ୨୪ ଗାଈ ଉଦ୍ଧାର

ଖୋର୍ଦ୍ଧା: ସାରା ରାଜ୍ୟରେ ବେଆଇନ ଗୋରୁ ଚାଲାଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରୁ ବାଦ ପଡିନି। ପୁର୍ବରୁ ଏକାଧିକ ଥର ପୋଲିସ ଗୋ ଚାଲାଣ ଯୋଜନା ପଣ୍ଡ କରିଥିବା ବେଳେ ବହୁତ ଦିନ ପରେ ଆଜି ପୁଣି ଏକ ବଡ଼ ଧରଣର ବେଆଇନ ଗୋ ଚାଲାଣକୁ ରୋକିଛି ନିରାକାରପୁର ପୋଲିସ।

ପୋଲିସ ଏକ ଗୋରୁ ବୋଝେଇ ଆଇଚର ଟ୍ରକକୁ ଜବତ କରି ତନ୍ମଧ୍ୟରୁ ୨୪ ଗୋଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି।

ସୂଚନା ମୁତାବକ ଟାଙ୍ଗି ଥାନା ପଣସପୁର ଅଞ୍ଚଳରୁ ନୂଆ ଜଗନ୍ନାଥ ସଡକ ନିରାକାରପୁର ଦେଇ ପୁରି ଜିଲ୍ଲା ଚନ୍ଦନପୁର ଥାନା ସୁକଳ ଅଞ୍ଚଳକୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଓ ଟିମ ଉକ୍ତ ଗାଡିକୁ ଧରିବା ପାଇଁ ଯୋଜନା କରିଥିଲେ ଏବଂ ପରିଶେଷରେ ଗାଡିକୁ ଜବତ କରିଥିଲେ।

ଗାଡ଼ିରୁ ୨୪ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡ଼ି ଚାଳକ ଓ ହେଲ୍ପରକୁ ପୋଲିସ ଅଟକ ରଖିବା ସହ ୧୪୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଠାରେ ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି- ୨୦୪୭’’ ସମାରୋହ ଆୟୋଜିତ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘‘ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @୨୦୪୭’’ ସମାରୋହ ଆୟୋଜିତ ହେଉଛି। ବୁଧବାର ଦିନ ଖୋର୍ଦ୍ଧା ଟାଉନ ହଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦୀଗନ୍ତ ରାଉତରାୟ, ଖୋର୍ଦ୍ଧା ପୌରପାଳିକା ଅଧ୍ୟକ୍ଷା କନକଲତା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପାତ୍ର, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମ ଅବସରରେ ଶକ୍ତିର ଆବଶ୍ୟକତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସ୍ବାଧୀନତା ପରେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ହୋଇଥିବା ପ୍ରଗତି ବିଷୟରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ବିଦ୍ୟୁତ ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର, ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ, ଭବିଷ୍ୟତ ପାଇଁ ଶକ୍ତି ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତି ଉତ୍ସ ସମ୍ପର୍କରେ ଉପଭୋକ୍ତାମାନଙ୍କୁ ସଚେତନ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରି ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମ ମହିଷାସୁଣି ମନ୍ଦିର ପାଖେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେଙ୍କ ଏକ ଟିମ ଗଠନ କରି ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଡ଼ାଡିହ ଗ୍ରାମର ବ୍ରାଉନସୁଗାର ବେପାରି ଭରତ ସେଠି (୬୧) ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ବେପାରି ପ୍ରଭାତ ସେଠି ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଭାରତଙ୍କ ନିକଟରୁ ପୋଲିସ ୬୧.୮୩ ଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ପରିପ୍ରେକ୍ଷୀରେ ବାଘମାରି ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୯୨/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।  ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ରମାକାନ୍ତ ପୁହାଣ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ କର୍ମଚାରୀମାନେ ସାମିଲ ଥିବା ବେଳେ ଉକ୍ତ ମାମଲାର ତଦନ୍ତ କରିବେ ବାଘମାରି ଥାନାଧିକାରିଣୀ ପ୍ରଜ୍ଞା ରିତମ୍ଭରା କର।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଏବଂ ବାଣପୁର ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ୩ କେଜି ଗଞ୍ଜେଇ ସମେତ ରତ୍ନାକର ସାହୁ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରୁ ୨.୩୦ କେଜି ଗଞ୍ଜେଇ ସମେତ ବାସୁଦେବ ପ୍ରଧାନ ନାମକ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ଗୋଟି ଏନଡ଼ିପିଏସ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଖୋର୍ଦ୍ଧା ରେଞ୍ଜ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଟାଙ୍ଗୀ ରେଞ୍ଜ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାଇକ ସ୍ମାରକୀ ପାଇଁ ମାଗଣା ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଓଡ଼ିଶା ବୀର ମହାସଂଘ

ଭୁବନେଶ୍ୱର : ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଆଜି ଓଡ଼ଶା ସରକାରଙ୍କ କ୍ୟାବିନେଟ ବୈଠକରେ  ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିନା ମୂଲ୍ୟରେ ଏହି ଜାଗାକୁ ଯୋଗାଇ ଦେବା ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଆଜି ରାଜ୍ୟ ସରକାର ଦାବିକୁ ପୂରଣ କରିଥିବାରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି।

ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହି ପାଇକ ସ୍ମାରକୀ ନିର୍ମାଣ ଦ୍ୱାରା ବରୁଣେଇ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିବା ସହିତ ଓଡ଼ିଶାର ବୀରତ୍ୱ ବ୍ୟଞ୍ଜକ ଗୌରବଜ୍ଜ୍ୱଳ ସ୍ମୃତିର ସ୍ମାରକୀ ଭାବେ ଏହା ସବୁଦିନ ପାଇଁ ବିଶ୍ୱବାସୀଙ୍କୁ ଆକୃଷ୍ଟ କରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।