Categories
ଅପରାଧ ଆଞ୍ଚଳିକ

ବାଣପୁର: କ୍ୟାବିନ ପୋଡ଼ି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ କ୍ୟାବିନ ପୋଡ଼ି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଖବର ମୁତାବକ ସୋମବାର ବଡ଼ି ଭୋରରେ ଅଭିଯୁକ୍ତ ଶୁଭେନ୍ଦୁ ମହାପାତ୍ର ଏବଂ ସଚ୍ଚି ମିଶ୍ର କୁମାରାଙ୍ଗ ଛକ ରୋଡ ସାଇଡରେ ଅବସ୍ଥିତ ଏକ କ୍ୟାବିନକୁ କୌଣସି କାରଣବଶତଃ ନିଆଁ ଲଗାଇଦେଇଥିଲେ।

ତେବେ ନିଆଁ ବ୍ୟାପିବା ଭୟରେ ପଡିଶା ମାଟି ଘରେ ବାସ କରୁଥିବା ଗୋବିନ୍ଦ ଚନ୍ଦ୍ର ପାତ୍ର ଏହାକୁ ବିରୋଧ କରିବା ସହ କ୍ୟାବିନ ମାଲିକ ଶିଶିର ମିଶ୍ରଙ୍କୁ ସୂଚନା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତମାନେ ପୁନର୍ବାର ଅପରାହ୍ନରେ ଗୋବିନ୍ଦ ଏବଂ ତାଙ୍କ ପରିବାରବର୍ଗ ଙ୍କୁ ଆକ୍ରମଣ କରିଥିଲେ।

ଏ ନେଇ ବାଣପୁର ଥାନାରେ ଶିଶିରଙ୍କ ପତ୍ନୀ ସନ୍ଧ୍ୟାରାଣୀ ମିଶ୍ର ଏବଂ ଆହତ ଗୋବିନ୍ଦଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଥିବା ବେଳେ ପୋଲିସ କେସ ନମ୍ବର ୬୬/୨୩ ରେ ଏକ ମାମଲା ରୁଜୁ କରି ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏଏସଆଇ ଲକ୍ଷ୍ମୀଧର ପଣ୍ଡା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି।

Categories
ଆଞ୍ଚଳିକ

ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡାରେ ଦୁଇଦିନ ଧରି ପତିତପାବନ ଉଚ୍ଚ ବିଦ୍ୟାଳୟର ଚାଲିଥିବା ହୀରକ ଜୟନ୍ତୀ ମହୋତ୍ସବ ଆଜି ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣରେ ଉଦଯାପନ ହୋଇଯାଇଛି। ଆଜିର ଉଦଯାପନୀ ମହୋତ୍ସବରେ ପ୍ରାକ୍ତନ ଛାତ୍ର ତଥା ଆଲୁମିନ କମିଟିର ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ଦାସଙ୍କ ସଭାତିତ୍ୱରେ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁର୍ଗପ୍ରସାଦ ମହାରଣା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗ ଦେଇଥିଲେ। ରାଜ୍ୟପାଳ ଓ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୁର୍ଗା ପ୍ରସାଦ ମହାରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଶିକ୍ଷାନୁଷ୍ଠାନରୁ ଉତ୍କର୍ଷ ଲାଭକରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନାରେ କାର୍ଯରତ ଶ୍ରୀଯୁକ୍ତ ରମେଶ ପ୍ରଧାନ ଏବଂ ସଂଗୀତ ଓ ଭାଷାରେ ପାରଙ୍ଗମ ଥିବା ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।

ମୁଖ୍ୟ ବକ୍ତା ସୌମ୍ୟ ରଞ୍ଜନ ପଟ୍ଟନାୟକ ତିନୋଟି ବର୍ଗର ଯଥା ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଦେଶ ଦେଇ ଶିକ୍ଷା ଆମକୁ ଏକ କୌଶଳ ଦିଏ ତେଣୁ ପ୍ରଶ୍ନ ପଚାରିବାର କୌଶଳ ଶିକ୍ଷାକରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଆଗାମୀ ଶହେ ବର୍ଷ ପୂର୍ତ୍ତି ବେଳେ ତୁମେମାନେ ଏହାଠାରୁ ବଡ ମହୋତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

ବାଣପୁର ମାଟିର ପୁଅ ଗୋଦାବରୀଶ ମିଶ୍ରଙ୍କର ଦରିତ୍ରତା ଥିବା ସତ୍ୱେ ସେ ଯଦି ସଫଳ ହୋଇପାରିଲେ ତେବେ ତୁମେ ମାନେ କାହିଁକି ସଫଳତା ଆଡକୁ ଗତି କରି ପାରିବ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ବହୁ ଅସୁବିଧା ସମୟରେ ମଧ୍ୟ ସେହିପରି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯେତେ ବଡ଼ ବଡ଼ ୟୁନିଭରସିଟି ଅଛି ସେମାନଙ୍କର ଅବଦାନ ଅବର୍ଣ୍ଣନୀୟ। ତେଣୁ ଆଜିର ଛାତ୍ରଛାତ୍ରୀ ଏହି ଦାଇତ୍ୱ ନିଭାଇବାକୁ କହିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇ ତୁମକୁ ଦରମା କମ ମିଳିଲା ବୋଲି ତୁମେ ପିଲା ମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଗନ୍ନାଥ ହେଉଛନ୍ତି ଶୂନ୍ୟ। ତେଣୁ ଶୂନ୍ୟ ଠାରୁ ଯେ ଅଧିକ ହେବାକୁ ଚେଷ୍ଟା କରେ ସେ ଧୂଳିସାତ ହୋଇଯାଏ। ଜଗନ୍ନାଥ ହେଉଛନ୍ତି ସାରା ପୃଥିବୀର ସ୍ରଷ୍ଟା। ଜଗନ୍ନାଥଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ରାଜ୍ୟପାଳ।  ସଠିକ ଉତ୍ତର ଦେଇଥିବା ସୌଭାଗ୍ୟ ଜେନାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟପାଳ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସମସ୍ତେ ଜଗନ୍ନାଥଙ୍କ ସନ୍ତାନ ଅଟନ୍ତି ବୋଲି ସଭାକୁ ଅଭିହିତ କରିଥିଲେ ରାଜ୍ୟପାଳ।

ରାଜ୍ୟପାଳଙ୍କ ଓଡ଼ିଆଙ୍କ ପ୍ରତି ଓ ଜଗନ୍ନାଥଙ୍କ ପ୍ରତି ଅହେତୁକ ଭଲପାଇବା ଅଭିଭାଷଣରେ ପ୍ରକାଶ କରିଥିବାରୁ ସ୍ତମ୍ବୀଭୁତ ହୋଇଯାଇଥିଲେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ। ପରିଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାପ୍ତ ହୋଇଥିଲା ହୀରକ ଜୟନ୍ତୀର ମହୋତ୍ସବ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର:ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ଷାଠିଏ ବର୍ଷରେ ପଦାର୍ପଣ କରିଥିବାରୁ ରବିବାର ଠାରୁ ଦୁଇଦିନ ଧରି ବିଦ୍ୟାଳୟ ହୀରକ ଜୟନ୍ତୀ ମହୋତ୍ସବ ପାଳନ କରୁଛି। ଆଜିର ଉଦଘାଟନ ଉତ୍ସବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୂଷଣ ହରିଚନ୍ଦନ ଯୋଗ ଦେବାକୁ ଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତ ବାତିଲ ହୋଇଯାଇଥିଲା।

ଆଜିର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା କିଟ ୟୁନିଭର୍ସିଟିର ସାହିତ୍ୟ ବିଭାଗର ମୁଖ୍ୟ ଡ଼ଃ ବିଜୟା ନନ୍ଦ ସିଂ ଯୋଗ ଦେଇଥିବା ବେଳେ ସାମ୍ମାନ୍ୱିତ ଅତିଥିଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ଡା. ସନ୍ତୋଷ ତ୍ରିପାଠୀ, ଚିଲିକାର ପୂର୍ବତନ ବିଧାୟକ ଡ଼ଃ ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗଦେଇଥିଲେ। ଆଲୁମିନ କମିଟି ସଭାପତି ଡ଼ଃ ସୁରେନ୍ଦ୍ର ନାଥ ଦାସ ମଞ୍ଚ ପରିଚାଳନା କରିଥିଲେ।

ଅତିଥିମାନଙ୍କ ଦ୍ୱାରା ପ୍ରତିଷ୍ଠାତା ପର୍ଶୁରାମ ହରିଚନ୍ଦନ ଓ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବିଜ୍ଞାନ ମେଳାକୁ ଅତିଥିମାନେ ବୁଲି ଦେଖିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ପ୍ରକାଶିତ ବହୁ ପୁରାତନ ପତ୍ରିକା ଶତଘନୀକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀ ବିମୋହିତ ହୋଇଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଣପୁର ଅରାଙ୍ଗରେ ନିଃଶୁକ୍ଳ ସ୍ୱାସ୍ଥ୍ୟସେବା ଅନୁଷ୍ଠିତ

ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରି ଗ୍ରାମ ପଞ୍ଚାୟତର ଅରାଙ୍ଗ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଆଦର୍ଶ ଆରୋଗ୍ୟ ସେବା ସଦନ, ବାଣପୁର ଓ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ପ୍ରଖ୍ୟାତ ଯନ୍ତ୍ରଣା ଉପଶମ ଡାକ୍ତର ଶୋଭନ କୁମାର ରଥ ଯୋଗଦେଇ ଚିକିତ୍ସା କରିଥିଲେ।

ସମୁଦାୟ 70ଜଣ ରୋଗୀ ନିଶୁକ୍ଳ ଚିକିତ୍ସା ହୋଇଥିଲେ। ସେବା ସଦନର ପ୍ରତିଷ୍ଠାତା ଭି. କାମେଶ୍ୱର ଆଚାରୀ, ସ୍ୱାସ୍ଥ୍ୟସହାୟକ ପ୍ରଦୀପ ସାହୁ, ସମାଜସେବୀ ସାଗର ସାହୁ ଏବଂ ରବୀନ୍ଦ୍ର ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ। ଉକ୍ତ ଅନୁଷ୍ଠାନ ତରଫରୁ ଗାଁ ଗାଁ ରେ ସ୍ଵାସ୍ତ୍ୟ ଶିବିର କରି ଗରିବ ଲୋକଙ୍କର ଉପକୃତ କରୁଥିବରୁ ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠାନକୁ ସାଧୁବାଦ ଦିଆଯାଇଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ବିବାହିତା ମହିଳାଙ୍କୁ ବଳତ୍କାର କରି ଫଟୋ ଭାଇରାଲ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ବିବାହିତା ମହିଳାଙ୍କୁ ବଳାତ୍କାର ଏବଂ ଆପତ୍ତିଜନକ ଫୋଟୋ/ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ କରି ଗିରଫ ହେଲେ ଅଭିଯୁକ୍ତ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ।

ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜନୈକ ବିବାହିତା ମହିଳା ଙ୍କୁ ପ୍ରତାପ ଗ୍ରାମର ପ୍ରକାଶ ନାୟକ(24) ନାମକ ଅଭିଯୁକ୍ତ ଜୋର ଜବରଦସ୍ତି ବଳାତ୍କାର କରିବା ସହ ତାଙ୍କ ଆପତ୍ତିଜନକ ଫୋଟୋ/ଭିଡ଼ିଓ କୁ ସାମାଜିକ ଗଣମାଧ୍ୟମରେ ଭାଇରଲ କରିଥିଲେ।

ଏହି ପରିପ୍ରେକ୍ଷୀରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗତକାଲି ରାତିରେ ଅଭିଯୁକ୍ତଙ୍କୁ ଏକ ନିର୍ଦିଷ୍ଟ ଅଞ୍ଚଳରୁ ଗିରଫ କରିଥିଲେ l ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର 65/23 ରେ ବଳାତ୍କାର ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି, ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଜାରି ରହୁଛି। ଏପରିକି ବିଭିନ୍ନ ଫାଷ୍ଟଫୁଡ ସେଣ୍ଟରରେ ବେଆଇନ ଭାବେ ମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ତେବେ ସେଠାରେ ଖାଦ୍ୟର ମାନ ତଦନ୍ତ କରିବା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଖାଦ୍ୟ ଓ ସୁରକ୍ଷା ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ।  ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ସଂପୃକ୍ତ ଖାଦ୍ୟ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଏପରିକି ଖାଦ୍ୟ ଓ ସୁରକ୍ଷା ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି।

ବିଭାଗ ର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି। ତେବେ ଏହାର ସମାଧାନ ପାଇଁ କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କେବଳ ବାଣପୁର ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପରିତାପର ବିଷୟ ସମ୍ପୃକ୍ତ ଅଧିକାରୀ ବାଣପୁର-ବାଲୁଗାଁ ଅଞ୍ଚଳରେ ନିୟମିତ ଏବଂ ରାତ୍ରିକାଳିନ ଚଢ଼ାଉ କରୁନାହାନ୍ତି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ବାରି ହେଉନାହିଁ।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏ ଦିଗରେ ଦୃଷ୍ଟିଦେବେ ଏବଂ ବାଲୁଗାଁ-ବାଣପୁର ଅଞ୍ଚଳରେ ନିୟମିତ ବ୍ୟବଧାନ ସହ ସନ୍ଧ୍ୟାକାଳୀନ ଚଢ଼ାଉ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Categories
ଆଞ୍ଚଳିକ

ବିଶ୍ୱ ନାଟ୍ୟ ମେଳାରେ ବାଣପୁରର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ” ସମ୍ମାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲଗାତର ବିଶ୍ୱ ନାଟ୍ୟ ମେଳାରେ ନାଟକ ଏବଂ ଗୀତି ନାଟ୍ୟ ପରିବେଷଣ କରି ନୀରବଚ୍ଛିନ୍ନ ନାଟ୍ୟସାଧନା ଜାରିରଖିଥିବା ଓଡ଼ିଆ ମଞ୍ଚନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି। ନଅ ଦିନଧରି ଆୟୋଜିତ ଏହି ନାଟକ ଉତ୍ସବର ଉଦଯାପନୀ ଦିବସରେ ଶ୍ରୀ ସ୍ୱାଇଁଙ୍କୁ “କଳାସାଧକ” ଉପାଧିରେ ଭୂଷିତ କରାଯାଇଥିଲା।

ବିଶିଷ୍ଟ ଅତିଥିଭାବେ ଆମନ୍ତ୍ରିତ ବିଚାରପତି ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ।

ସେହିପରି ସଂଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଆମ୍ଭ ବାଲୁଗାଁ ଏବଂ ବାଣପୁର ଅଂଚଳରେ ଅତି ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ପ୍ରଯୋଜିତ ବିଶ୍ୱ ନାଟ୍ୟ ମେଳାରେ ନାଟକ “କୋଣାର୍କ କହୁଛି କଥା”କୁ ଛଅ ଜାତୀୟ ପୁରସ୍କାର

ସୀତାରାମ ଅଗ୍ରୱାଲ

ବାଣପୁର: କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ପ୍ରଯୋଜିତ, ଭିକାରୀ ଚରଣ ପ୍ରଧାନଙ୍କ ରଚିତ, ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶିତ ଐତିହାସିକ ନାଟକ “କୋଣାର୍କ କହୁଛି କଥା” କୁ ୩ଟି ଜାତୀୟ ପୁରସ୍କାର ମିଳିଛି। ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଅବସରରେ ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଓ ବିଶ୍ୱ ନାଟ୍ୟ ମେଳାରେ ମଞ୍ଚସ୍ଥ ଏହି ନାଟକଟି ପ୍ରଥମ ଶ୍ରେଷ୍ଠ ଐତିହାସିକ ନାଟକ, ଦ୍ୱିତୀୟ ଶ୍ରେଷ୍ଠ ଶିଶୁ ନାଟକ, ପ୍ରଥମ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ଲାଭ କରିଥିବା ବେଳେ “ଧର୍ମପଦ” ଭୂମିକାରେ ଅଭିନୟ କରୁଥିବା ରାଜଶ୍ରୀ ପଲାଇଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଅଭିନେତ୍ରୀ, ସର ‘ମା ଭୂମିକାରେ ଅଭିନୟ କରୁଥିବା ସ୍ୱୟଂ ଶ୍ରୀଦ୍ଧା ଘଡ଼ାଇ ଏବଂ ରାଜା ଭୂମିକାରେ ଅଭିନୟ କରୁଥିବା ଅନୀତା ପ୍ରଧାନଙ୍କୁ ଚେୟାରମ୍ୟାନ ଆୱାର୍ଡ ମିଳିଛି।

ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପ୍ରଯୋଜିକା ରଂଜୁ ବାଳା ଚମ୍ପତିରାୟ ଏହି ପୁରସ୍କାର ଆୟୋଜିତ ଭବ୍ୟ ପୁରସ୍କାର ବିତରଣୀ ଉତ୍ସବରେ ମାନ୍ୟଗଣ୍ୟ ଅଥିତିମାନଙ୍କ ହାତରୁ ଗ୍ରହଣ କରିଛନ୍ତି। ଫଳରେ ଆମ ଅଂଚଳର ଜନସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକାରେ ନୂତନ ବସଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କଲେ ଓଏସଆରଟିସି ଓଏସଡ଼ି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଓଏସଡ଼ି, ଓଏସଆରଟିସି ତଥା ବରିଷ୍ଠ ପ୍ରଶାସିକା ଦୀପ୍ତି ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ତହସିଲ ଗସ୍ତରେ ଆସି ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରଥମେ ଶ୍ରୀମତୀ ମହାପାତ୍ର ବାଣପୁର ପହଞ୍ଚି ମା’ ଭଗବତୀଙ୍କ ଦର୍ଶନ କରି ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ତେବେ ନୂତନ ବସ ଷ୍ଟାଣ୍ଡ ପାଇଁ ପୁର୍ବରୁ ୫-ଟି ସଚିବଙ୍କୁ ଦିଆଯାଇଥିବା ପ୍ରସ୍ତାବିତ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ଶ୍ରୀମତୀ ମହାପାତ୍ର। ଏହାପରେ ସେ ନାଚୁଣୀ ଯାଇ ସେଠାରେ ଏକ ବସ ବେ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଥିଲେ।

ଅନୁରୂପ ଭବେ ଶ୍ରୀମତୀ ମହାପାତ୍ର ଚିଲିକା ତହସିଲ ମଧ୍ୟ ଗସ୍ତ କରି ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଦୁଇ ଗୋଟି ସାମ୍ଭାବ୍ୟ ସ୍ଥାନ ଠିକ କରିଥିବା ଜଣାପଡିଛି।

ଆଜି ଗୋଟାଏ ଦିନରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ବୋଲଗଡ଼, ଚିଲିକା ଓ ବାଣପୁର ତହସିଲ ଗସ୍ତ କରି ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଶ୍ରୀମତୀ ମହାପାତ୍ର ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କରିଥିବା ଜଣାପଡିଛି। ତେବେ ୫-ଟି ସଚିବଙ୍କ ବାଣପୁର ଗସ୍ତକୁ ଅଢେଇ ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ ଉନ୍ନୟନ ପ୍ରକଳ୍ପ ପାଇଁ ବ୍ୟୟ ରାଶି ଘୋଷଣା ନହେବା ଅଞ୍ଚଳବାସିଙ୍କୁ ବ୍ୟଥିତ କରିଛି।

ସଚିବଙ୍କ ଗସ୍ତ ପରଠାରୁ ବହୁ ବଡବଡିଆ ବାବୁମାନଙ୍କ ବାରମ୍ବାର ବାଣପୁର ଗସ୍ତ ଜାରି ରହିଥିବା ବେଳେ କିଛିବି ଫଳପ୍ରଦ ହେଉନାହିଁ, ଯାହାକି ଜନସାଧାରଣଙ୍କ ମନରେ ଅସନ୍ତୋଷ ର ଦାନା ବାନ୍ଧୁଛି।

Categories
ଆଞ୍ଚଳିକ

ବାଣପୁର ହସପିଟାଲ ଫର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ହସପିଟାଲ ଫର୍ମାସିଷ୍ଟ ଙ୍କୁ ଆକ୍ରମଣ କରିବା ପଡ଼ିଲା ମହାଙ୍ଗା। ବନ୍ଧା ହେଲେ ଦୁଇ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ପୋଲିସ ସୂଚନା ମୁତାବକ ଗତକାଲି ରାତିରେ ଆୟୁଷ୍ମାନ ବେହେରା ଓ ସିଦ୍ଧାନ୍ତ ପରିଡ଼ା ନାମକ ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବାଣପୁର ମେଡିକାଲ କୁ ଚିକିତ୍ସା ନିମନ୍ତେ ଯାଇଥିଲେ।

ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ଏବଂ ଫାର୍ମାସିଷ୍ଟ ଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳିଗୁଲଜ କରିଥିଲେ, ଏପରିକି ପରବର୍ତ୍ତୀ ସମୟରେ ଫର୍ମାସିଷ୍ଟ ପ୍ରମୋଦ ଦେହୁରୀ ଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ଶ୍ରୀ ଦେହୁରୀ ଆହତ ହୋଇ ମେଡିକାଲ ଅଧିକାରୀ ଙ୍କ ପରାମର୍ଶ କ୍ରମେ ବାଣପୁର ଥାନାରେ ଏତଲା ଦେଇଥିଲେ।

ଏହାକୁ ଆଇଆଇସି ଜୟପ୍ରକାଶ ପରିଡ଼ା ଗୁରୁତର ସହ ନେଇ ସଙ୍ଗେସଙ୍ଗେ ଫୋର୍ସ ନେଇ ବାଣପୁର ମେଡିକାଲ ରେ ପହଞ୍ଚି ଯୁବକ ଦ୍ବୟ ଙ୍କୁ ଗିରଫ କରିଥିଲେ l ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର 62/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଇପିସିର ଧାରା 294,307,323,332,341,353,506 ଏବଂ 34 ଆଦି ଲାଗିଥିବାର ଜଣାପଡିଛି।

ତେବେ ଆଜି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନା ଥାଉକି ବାଣପୁର ମେଡିକାଲ ପରିସରରେ ବହୁ ଥର ଏପରି ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପକ୍ଷରୁ ଦୟା ମନୋଭାବ ଦେଖାଇ ଏତଲା ଦିଆଯାଉନଥିଲା। ତେବେ ଉକ୍ତ କାର୍ଯ୍ୟ ସମାଜରେ କେବେବି ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି। ଆଇଆଇସି ଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବଢୁଛି ଏଟିଏମ କାର୍ଡ ଠକେଇ: ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଟିଏମ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରାମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ଉକ୍ତ ଲୁଟେରାମାନେ ସଜାଗ ରହୁଛନ୍ତି  ଏବଂ ଅନଭିଜ୍ଞ ଜନସାଧାରଣଙ୍କୁ ଦେଖି ଟଙ୍କା ଲୁଟୁଛନ୍ତି। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି। ତେବେ ଆଜି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ବାଣପୁର ଥାନା ସାନହନ୍ତୁଆଡ଼ ଗ୍ରାମର ନାରାୟଣ ବିଶ୍ୱାଳ ଗୁରୁବାର ସକାଳେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଯାଞ୍ଚ ପାଇଁ ପତ୍ନୀଙ୍କ ଏଟିଏମ କାର୍ଡ ଧରି ଯାଇଥିଲେ। ତେବେ ନାରାୟଣ ଏଟିଏମ ମେସିନରୁ ଟଙ୍କା ଯାଞ୍ଚ କରିବା ନିମନ୍ତେ ପ୍ରକ୍ରିୟା ବିଷୟରେ ଅନଭିଜ୍ଞ ଥିବାରୁ ପୁର୍ବରୁ ସେଠାରେ ଉପସ୍ଥିତ ଥିବା ଏକ ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ ମାଗିଥିଲେ। ଏହାର ଫାଇଦା ନେଇ ଦୁର୍ବୁତ୍ତ ଜଣକ ପରସ୍ପରଙ୍କ ଏଟିଏମ କାର୍ଡ କୁ ଅଦଳବଦଳ କରିଦେଇଥିଲେ।

ପରବର୍ତ୍ତୀ ସମୟରେ ନାରାୟଣଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା କଟିଥିବାର ଜାଣିବାକୁ ପାଇ ଆଜି ଥାନାରେ ଏତଲା ଦେଇଛନ୍ତି। ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ତେବେ ବ୍ୟାଙ୍କ ପରିସରରେ ଥିବା ଏଟିଏମ କେନ୍ଦ୍ର ଗୁଡ଼ିକରେ ସିକ୍ୟୁରିଟି ଗାର୍ଡ ରହୁଥିବା ବେଳେ ଅନ୍ୟ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ସିକ୍ୟୁରିଟି ଗାର୍ଡ ରହୁନାହାନ୍ତି ଏବଂ ସେ ସବୁ ଏଟିଏମ ମଧ୍ୟ ସ୍ଥାନୀୟ ବ୍ୟାଙ୍କ ଅଧୀନରେ ଆସୁନାହିଁ। ଫଳରେ ଲୁଟର ଶିକାର ହେଉଥିବା ପୀଡ଼ିତ ମାନେ ନିକଟସ୍ଥ ବ୍ୟାଙ୍କକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ।

ବାଣପୁରରେ ବାରମ୍ବାର ଏପରି ଘଟଣା ଘଟୁଥୁବା ବେଳେ ବହୁ ବରିଷ୍ଠ ନାଗରିକ ଏବଂ ଅନଭିଜ୍ଞ ବ୍ୟକ୍ତି ମାନେ ଲୁଟର ଶିକାର ହେଉଛନ୍ତି। ତେବେ ସବୁ ଏଟିଏମ କେନ୍ଦ୍ର ଗୁଡିକରେ ପୋଲିସ ସୁରକ୍ଷା ଯୋଗାଇବା ସମ୍ଭବ ନହେଲେବି ଲଗାତାର ପାଟ୍ରୋଲିଂ ସହିତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବାଣପୁର ଆଇଆଇସି ଏବଂ ବାଲୁଗାଁ ଏସଡିପିଓ ଙ୍କ ନିକଟରେ ଜନସାଧାରଣ ମାନେ ଦାବି କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ପଂଚାୟତ ସମିତି ଆନୁକୂଲ୍ୟରେ ଶୁକ୍ରବାର ଦିନ ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜଣାଯାଇଛି ଯେ, ଆଗରୁ ହିତାଧିକାରୀ ମାନେ ପାଇଥିବା ହାତଲେଖା ଭିନ୍ନକ୍ଷମ ସାର୍ଟିଫିକେଟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାର୍ଚ୍ଚ ୩୧ ତାରିଖ ପରେ ଆଉ ପୁନର୍ବାର କାର୍ଯ୍ୟକ୍ଷମ ହେବନାହିଁ। ପୁଣି ପୂର୍ବରୁ ପାଇଥିବା ସାର୍ଟିଫିକେଟ ଧାରୀ ମାନଙ୍କ ମଧ୍ୟରୁ ବହୁ ହିତାଧିକାରୀ ମାନଙ୍କର ବର୍ତ୍ତମାନ ଭିନ୍ନକ୍ଷମରୁ ସୁସ୍ଥ ହୋଇଯାଇଥିବାରୁ ସେମାନଙ୍କୁ ଚି଼ହ୍ନଟ କରିବା ହେଉଛି ଆଜିର ଶିବିରର ଲକ୍ଷ୍ୟ। ତେଣୁ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀମାନେ ପୁନର୍ବାର ରେଜିଷ୍ଟ୍ରେସନ କରି କମ୍ପୁଟର ସାର୍ଟିଫିକେଟ ହାସଲ କରିବା ନିତାନ୍ତ ଆବଶ୍ୟକ ବୋଲି ଗୋଷ୍ଠୀ ସାମାଜିକ ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି।  ହିତାଧିକାରୀ ମାନେ ଉକ୍ତ ଶିବିର ମାଧ୍ୟମରେ ସାର୍ଟିଫିକେଟ ହାସଲ କଲେ ସେମାନେ ସେମାନଙ୍କର ସରକାରୀ ସୁବିଧା ଚାଲୁ ରହିବ ବୋଲି ଶ୍ରୀମତୀ ନାୟକ ଜଣାଇଛନ୍ତି।

ତେବେ ଭିନ୍ନକ୍ଷମ ମାନେ ଆଗକୁ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ଶିବିର ଅନୁଷ୍ଠିତ ହେଉଅଛି। ବାଣପୁର ବ୍ଲକ ର ସମସ୍ତ ୧୭ଗୋଟି ପଂଚାୟତ ଏବଂ ବାଣପୁର ଏନଏସିର ହିତାଧିକାରୀଙ୍କୁ ନେଇ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିବା ଜଣାଯାଇଛି।

ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବାଣପୁର ଏନଏସି ଅଧକ୍ଷ ମିଟୁ ନାୟକ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ମାନେ ଶିବିରକୁ ଆସୁ ଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଧାରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ।

ଯାହାଫଳରେ ବ୍ଲକ ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସମୁଦାୟ ୪୧୬ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ବେଳେ ସମସ୍ତ ହିତାଧିକାରୀ ମାନଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ଭୋଜନ କରିବାର ବ୍ୟବସ୍ଥା କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକୁ ବିଡ଼ିଓ ବୁଲବୁଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଦିନ ୧୧.୦୦ ଘଟିକାରେ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଏଥିରେ ସଭପତିତ୍ଵ କରିଥିଲେ।

ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଶାସନିକ ଅଧିକାରୀ ଡ ଶୂରପ୍ରତାପ ନରେନ୍ଦ୍ର ସି°ବର୍ମା, ପ°ଚାନନ ମହାରଣା, ପ୍ରଦୀପ୍ତ କୁମାର ଦାସ, ଜୟନ୍ତ କୁମାର ବିହାରୀ, ଅର୍ଚ୍ଚନା ତ୍ରିପାଠୀ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ କ୍ୟାରିଅର କାଉନସେଲିଂ, ଉପସ୍ଥାନ, ମେଧାବୃତ୍ତି ଓ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲେ।

ଅନେକ ଅଭିଭାବକ ପିଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇବା ସହ ବିଦ୍ୟାଳୟ ପରିସରରେ ମୋବାଇଲ ଫୋନ୍ ବ୍ୟାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅଧ୍ୟକ୍ଷ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଅଭିଭାବକମାନଙ୍କର ସହଯୋଗ କାମନା କରିଥିଲେ। ପରିଶେଷରେ ଅଧ୍ୟାପକ ଗୋଲକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ରାଜ୍ୟର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବ । ୧୯୬୩ ମସିହାରେ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରିଛି ।

ଏଥି ନିମନ୍ତେ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି ଏକାଧିକ ପଦକ୍ଷେପ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି ‘ନାକ’ ଟିମ ଗସ୍ତ । ୨୦୦୬ ମସିହା ପରଠାରୁ ମହାବିଦ୍ୟାଳୟ କୁ ‘ନାକ’ ଟିମ ପରିଦର୍ଶନ ପାଇଁ ଆସି ନ ଥିବାରୁ ମହାବିଦ୍ୟାଳୟ ର ଗ୍ରେଡ଼ ବୃଦ୍ଧି ପାଉନି ଏବଂ କଲେଜର ଆଖିଦୃଷ୍ଟିଆ ଉନ୍ନତି ନ ହେବା ସହ ବହୁ କେନ୍ଦ୍ରୀୟ ଅନୁଦାନ ମଧ୍ୟ କଲେଜ ହରାଉଛି ।

ତେବେ ମହାବିଦ୍ୟାଳୟ ର ଉନ୍ନତି ତଥା ‘ ନାକ’ ଟିମ ଗସ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟୟନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଓ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ‘ ଗ୍ରାଣ୍ଡ ଆଲୁମନି ମିଟ ‘ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସମସ୍ତ ସାମ୍ବାଦିକଙ୍କ ଏହା ଉପରେ ମତାମତ ଲୋଡ଼ାଯାଇଥିଲା। ନାକ ଟିମ ଚଳିତ ବର୍ଷ କଲେଜ ପରିଦର୍ଶନକୁ ଆସିବାକୁ ଥିବା ବେଳେ ଏହା ପୁର୍ବରୁ ଆଲୁମନି ଆସୋସିଏସନ କୁ ସକ୍ରିୟ କରିବା ଲକ୍ଷରେ ଅଧ୍ୟକ୍ଷ ଶ୍ରୀ ହୋତା ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ସର୍ବସହମତି କ୍ରମେ ଏପ୍ରିଲ ମାସରେ ଗ୍ରାଣ୍ଡ ଆଲୁମନି ମିଟ ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ସ୍ଥିର ହୋଇଛି । ତେବେ ଉକ୍ତ ମହାବିଦ୍ୟାଳୟ ରୁ ବହୁ ଛାତ୍ର ଛାତ୍ରୀ ପାଠପଢି ଆଜି ଦେଶ ବିଦେଶ ଓ ରାଜ୍ୟରେ ବିଭିନ୍ନ କ୍ଷେତ୍ର ରେ ଉଚ୍ଚ ପଦବୀରେ ଅବସ୍ଥାପିତ ଥିବା ସତ୍ବେ ମହାବିଦ୍ୟାଳୟ ପ୍ରତି ସେମାନଙ୍କ ଅନ୍ତରିକତା ରହୁ ନ ଥିବା ପରିଲକ୍ଷିତ ହେଉଛି।

ଏଥି ନିମନ୍ତେ ସେମାନଙ୍କୁ ବର୍ତ୍ତମାନ ପିଢ଼ି ସହ ଯୋଡିବା ପାଇଁ ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ଗ୍ରାଣ୍ଡ ଆଲୁମନି ମିଟ ର ପ୍ରଚାରପ୍ରସାର କରିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମ ସହ ଯୋଡିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଯାହା ହେଉନା କାହିଁକି ଅଧ୍ୟକ୍ଷଙ୍କ ଏପରି ସୁନ୍ଦର ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳବାସୀ, କଲେଜ କର୍ମଚାରୀ ଓ ସାମ୍ବାଦିକମାନେ ପ୍ରଶଂସା କରିବା ସହ ସମସ୍ତେ ଏକ ମନ ହୋଇ ମହାବିଦ୍ୟାଳୟ ର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଉକ୍ତ ବୈଠକରେ ସଂକଳ୍ପ ନେଇଥିଲେ । ଉକ୍ତ ବୈଠକରେ ଅନ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼ା ଏସପିଏନଏସ ବର୍ମା, ସହକାରୀ ପ୍ରଶାସନିକ ଅଧିକାରୀଣୀ ଡ଼ା ସୁଜାତା ମିଶ୍ର ଏବଂ ଆଲୁମନି ମିଟ ସଂଯୋଜକ ପ୍ରଫେସର ଲକ୍ଷ୍ମୀପ୍ରସାଦ ମିଶ୍ର ଆଦି ଯୋଗ ଦେଇଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଚାଞ୍ଚଲ୍ୟ ହତ୍ୟାକାଣ୍ଡର କଣ ଥିଲା କାରଣ, କାହିଁକି ମାରିଲା କାହ୍ନା ??

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଣପୁର କଲେଜର ଯୁକ୍ତ ଦୁଇ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନା ଅପହରଣ ପରେ ତଣ୍ଟିଚିପି ହତ୍ୟା କରି କୂଅରେ ଫୋପାଡି ଦେଇଥିଲା। ପୋଲିସ କୂଅରୁ ଶବ ଉଦ୍ଧାର କରିବାପରେ ଅଭିଯୁକ୍ତ କାହ୍ନାଙ୍କୁ ଗିରଫ କରିଛି।

ତେବେ ଆଶୀର୍ବାଦ ଓରଫ କାହ୍ନା କଣ ପାଇଁ ଆଶୁତୋଷ ଙ୍କ ହତ୍ୟା କଲେ ତାହା ବିଷୟରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଶ୍ରୀ ବାରିକଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ହତ୍ୟାର ଦୁଇଟି କାରଣ ରହିଛି। ପ୍ରଥମ ହେଉଛି ପ୍ରତିଶୋଧ ଏବଂ ଦ୍ଵିତୀୟ ହେଉଛି ଟଙ୍କା।

ଆଶୀର୍ବାଦଙ୍କ କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ର ପ୍ରମାଣ ଆଶୁତୋଷଙ୍କ ପାଖେ ପୁର୍ବରୁ ଥିଲା। ଫଳରେ ସେ ସଦାବେଳେ ଆଶୀର୍ବାଦଙ୍କୁ ବ୍ଲାକମେଲ କରୁଥିଲେ ଏବଂ ବହୁ ଟଙ୍କା ମଧ୍ୟ ତାଙ୍କଠୁ ପର୍ଯ୍ୟାୟକ୍ରମେ ନେଇଛନ୍ତି। ଆଶୁତୋଷ ଓ ଆଶୀର୍ବାଦଙ୍କ ବୟସରେ ତାରତମ୍ୟ ଥିଲେ ସୁଦ୍ଧା ଉଭୟ ସାଙ୍ଗ ପରି ମିଶୁଥିଲେ।

ତେବେ ଅନ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଉଭୟଙ୍କ ଯୁବତୀମାନଙ୍କ ପ୍ରତି ଦୁର୍ବଳତା ରହୁଥିଲା। ଯାହାର ଫାଇଦା ନେଇ ଉକ୍ତ ଦିନ ଆଶୀର୍ବାଦ ଓରଫ କାହ୍ନା ଆଶୁତୋଷଙ୍କୁ ଉକ୍ତ ଘରକୁ ଡାକିଥିଲେ। ସେଠାରେ ଉଭୟ ମଦ୍ୟ ପାନ କରିଥିଲେ। ଆଶୁତୋଷଙ୍କୁ ନିଶା ହେବାପରେ ବ୍ଲାକମେଲ ରେ ଅତିଷ୍ଠ ହୋଇ ପ୍ରତିଶୋଧ ପରାୟଣ ହୋଇ କାହ୍ନା ତାଙ୍କୁ ମାରିଦେଇଥିଲେ।

ଟଙ୍କା ମାଗିବା ଉକ୍ତ ହତ୍ୟାର ଦିଗ ବଦଳାଇବା ପାଇଁ କେବଳ ଉଦିଷ୍ଟ ଥିଲା। ପ୍ରକୃତରେ ପ୍ରତିଶୋଧର ରାଗ ଆଶୀର୍ବାଦଙ୍କ ମନରେ ଜଳୁଥିଲା। ଆଶୁତୋଷ ଙ୍କୁ କେମିତି ମାରିବ ସେ ନେଇ କାହ୍ନାଙ୍କ ମନରେ ଚାଲିଥାଏ ଷଡଯନ୍ତ୍ର ଏବଂ ସେହା ହିଁ ହେଲା। କିନ୍ତୁ ଅପରାଧୀ କେଉଁଠି ନା କେଉଁଠି ଅପରାଧର ସୁରାକ ଛାଡିଥାଏ। ତାହାହିଁ ପୋଲିସ ର ସନ୍ଦେହ କୁ ଆହୁରି ଦୃଢ଼ଭୂତ କଲା।

ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଓ ଟିମ ଉକ୍ତ ରହସ୍ୟମୟ ହତ୍ୟାକାଣ୍ଡର ଅତ୍ୟନ୍ତ ଚତୁରତାର ସହ ପର୍ଦାଫାଶ କରିବାରେ ସଫଳ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୁଣି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, କଲେଜ ଛାତ୍ରଙ୍କୁ ହତ୍ୟା, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ ଛାତ୍ରଙ୍କ ଶବକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ବାଣପୁର ପୋଲିସ। ଛାତ୍ର ଜଣକ ହେଉଛନ୍ତି ବାଣପୁର ଥାନା ବଡ଼ହନ୍ତୁଆଡ଼ ଗ୍ରାମ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁତ୍ର ଆଶୁତୋଷ ମହାପାତ୍ର (୧୭)।

ଆଶୁତୋଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ। ତେବେ ସୋମବାର ପୂର୍ବାହ୍ନରେ ଆଶୁତୋଷଙ୍କୁ ଦୁର୍ବୁତ୍ତମାନେ ଅପହରଣ କରି ନେଇଯାଇଥିବା ବାଣପୁର ଥାନାରେ ଗତକାଲି ଆଶୁତୋଷଙ୍କ ମାତା ଅନୁପମା ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ। ଦୁର୍ବୁତ୍ତମାନେ ଆଶୁତୋଷଙ୍କ ଫୋନରୁ ବାରମ୍ବାର ଆଶୁତୋଷ ଙ୍କ ପିତାଙ୍କ ଫୋନକୁ ଏକାଧିକ ମେସେଜ ପଠାଇଥିଲେ, ଯେଉଁଥିରେ ତାଙ୍କ ପୁଅ ସୁରକ୍ଷିତ ଅଛି ଏବଂ ପାଞ୍ଚ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବୁ ବୋଲି କହିଥିଲେ।

ତେବେ ଏହା ପୋଲିସର ନିଦ ହଜାଇଦେଇଥିଲା। ବିଗତ ଦୁଇ ଦିନ ହେବ ପୋଲିସ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲି ଠାରୁ ଅଭିଯୁକ୍ତ କାହ୍ନା ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେ ଆଶୁତୋଷଙ୍କ ହତ୍ୟା କରି କୂଅରେ ପକେଇଦେଇଥିବା ସ୍ୱୀକାର କରିଥିଲେ।

ଦୀକ୍ଷିତପଡ଼ା ଓ ଖଣତ ଗ୍ରାମ ମଧ୍ୟବର୍ତ୍ତୀ ଅଞ୍ଚଳର କାହ୍ନାଙ୍କ ଏକ ଅର୍ଦ୍ଧନିର୍ମିତ ଘରେ ଅପହରଣ କରି ରଖିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଦଉଡି ଜରିଆରେ ବେକକୁ ଚିପି ହତ୍ୟା କରି ଉକ୍ତ କୂଅ ମଧ୍ୟକୁ ଫୋପାଡ଼ିଦେଇଥିବାର ଜଣାପଡିଛି।

ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ ସମ୍ପୃକ୍ତ ଅଞ୍ଚଳକୁ ଅଭିଯୁକ୍ତଙ୍କ ସହ ଯାଇ ସିନ ରିକ୍ରିଏସନ କରିଥିବା ବେଳେ କୂଅରୁ ଆଶୁତୋଷଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି। ତେବେ କାହ୍ନା କଣ ପାଇଁ ଆଶୁତୋଷଙ୍କୁ ମାରିଲେ ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆବାସରେ ଅନିୟମିତତା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ଦେଲା ଚିଲିକା ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି। ଯାହାକୁ ନେଇ ରାଜ୍ୟର ସମସ୍ତ ବ୍ଲକରେ ବିରୋଧ ଦେଖାଯାଇଛି। ଯୋଗ୍ୟ ବିବେଚିତଙ୍କ ନାମ ଏହି ତାଲିକାରୁ ବାଦ ପଡିଥିବାରୁ ରାଜ୍ୟର ସମସ୍ତ ବ୍ଲକରେ ଅଶାନ୍ତ ଲାଗିରହିଛି। କେଉଁ କେଉଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ନାମ ପ୍ରକାଶ ହୋଇଛି ତ, ଆଉ କେଉଁଠି ତିନି ଜଣ ହିତାଧିକାରୀଙ୍କ ନାମ ଦେଖିବାକୁ ମିଳିଛି। ତେବେ ଏହାକୁ ଘୋର ବିରୋଧ କରିଛି ବିଜେପି।

ରାଜ୍ୟର ସମସ୍ତ ବ୍ଲକରେ ଶାସକ ଦଳ ଚଞ୍ଚକତା କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା ବେଳେ ଏକାଧିକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବାର ଅଭିଯୋଗ କରିଛି ବିଜେପି। ୨୦୨୮-୧୯ ରେ ରାଜ୍ୟ ସରକାର ଯେଉଁ ତାଲିକା ପ୍ରସ୍ତୁତ କରିଥିଲେ, ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ବିଗତ ତିନି ବର୍ଷ ହେଲା ଉକ୍ତ ତାଲିକାକୁ ସୁଧାରିବା ପାଇଁ ବିଜେପି ଦାବି କରିଆସୁଛି।

ରାଜ୍ୟ ସରକାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ଓଡିଶାକୁ ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ପ୍ରଦାନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସଦ୍ୟ ତାଲିକାରେ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ କରିଛି ବିଜେପି।

ଏହି ପରିପ୍ରେକ୍ଷୀରେ ଉକ୍ତ ତ୍ରୁଟିପୂର୍ଣ୍ଣ ଚିଠାକୁ ସ୍ଥଗିତ ରଖିବା ସହ ଆଗାମୀ ସାତ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବା ଦାବିରେ ବିଜେପି ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ମାନଙ୍କୁ ଦାବିପତ୍ର ପ୍ରଦାନ କରୁଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଦୁଇ ଗୋଟି ବ୍ଲକ ଯଥା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆଜି ବିଜେପି ପକ୍ଷରୁ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଛି।

ମଧ୍ୟାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବ୍ଲକ ଅଧ୍ୟକ୍ଷଙ୍କ ସମେତ, ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରିବା ସହ ଉଭୟ ବିଡ଼ିଓ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ପ୍ରକୃତ ହିତାଧିକାରୀଙ୍କ ଯୋଗ୍ୟ ତାଲିକା ପ୍ରସ୍ତୁତ ନ କରନ୍ତି ତେବେ ସେମାନଙ୍କ ସହଯୋଗରେ ବିଜେପି ବ୍ଲକ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ବ୍ଲକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ରଘୁନାଥ ଦେବଙ୍କ ପିଠରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରଘୁନାଥ ସାହି ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପିଠରେ ଗତ ଶନିବାର ଠାରୁ ଚାରିଦିନ ବ୍ୟାପି ଚାଲିଥିବା ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି। ଉକ୍ତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପୁରୋଧା ଏବଂ କର୍ତ୍ତା ଭାବରେ ସୂଂଧାଂଶୁ ଶେଖର ମିଶ୍ର ଓ ତାଙ୍କର ଧର୍ମପତ୍ନୀ କ୍ରିଷ୍ଣା କୁମାରୀ ମିଶ୍ର ଓ ମୁଖ୍ୟ ପୁରୋହିତ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ସମାପନ କରାଯାଇଥିଲା।

ଶନିବାର ଅଙ୍କୁରା ରୋପଣ କରାଯାଇଥିବା ବେଳେ ରବିବାର ପ୍ରାତଃ କାଳରେ ଜଳଯାତ୍ରା କରି ବାଣପୁର ସହର ପରିକ୍ରମା ସହ ସୂର୍ଯ୍ୟପୂଜା ଓ ଯଂଜ୍ଞ କୁଣ୍ଡ ସଂସ୍କାର କରାଯାଇ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଶାଲା ପୂଜା, ଯଜ୍ଞ ଓ ଦେବତାଙ୍କ ନ୍ୟାସ କରାଯାଇଥିବା ବେଳେ ଆଜି ପୂର୍ଣ୍ଣାହୁତି ସମାପନ କରାଯାଇ ନୂତନ ବିଗ୍ରହଙ୍କୁ ସିଂହାସନ ଆରୋହଣ କରାଯାଇଥିଲା।

ପୁରୋହିତ ମାନଙ୍କର ମନ୍ତ୍ର ଧ୍ୱନିରେ ରଘୁନାଥ ସାହି ତଥା ବାଣପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଘୁନାଥ ଦେବଙ୍କ କମିଟି ସଭ୍ୟ ଓ ବାଣପୁରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଗ୍ରହ ପ୍ରତିଷ୍ଠାପରେ ଅଂଚଳର ପ୍ରାୟ ଚାରିହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କମିଟି ସଦସ୍ୟ କୀର୍ତ୍ତିମାନ ପାତ୍ର କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ସୁଟକେଶରେ ଖଣ୍ଡବିଖଣ୍ଡିତ ମୃତ ଶରୀର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛ। ଜଣେ ଯୁବକଙ୍କ ମୃତ ଶରୀର କୁ ଏକ ସୁଟକେସ ମଧ୍ୟରୁ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ନାଚୁଣୀ ଥାନା ହରିପୁର ଷଣ୍ଢ ଛକଠାରୁ ମାତ୍ର ୧୦୦ ମିଟର ଦୂର ଜଙ୍ଗଲ ମଧ୍ୟରେ ଏକ ସୁଟକେସ ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ ।

ତେବେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ଏ ନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଓ ଟିମ ଜଙ୍ଗଲ ମଧ୍ୟରେ ପହଞ୍ଚି ସୁଟକେସ ଖୋଲିବାରୁ ଏହା ମଧ୍ୟରେ ଏକ ଶବ ଥିବାର ଦେଖିବାକୁ ପାଇଥିଲେ। ତନାଘନା ପରେ ପୋଲିସ ମୃତକଙ୍କ ପରିଚୟ ଜାଣିପାରିଛି।

ମୃତକ ବ୍ୟକ୍ତି ଜଣଙ୍କ ହେଲେ ରଣପୁର ଥାନା ବଳଭଦ୍ରପୁର ପଂଚାୟତ ଲାଖପଡାର ମନୋରଂଜନ ମହାପାତ୍ର। ତାଙ୍କର ଶବକୁ ତାଙ୍କ ପତ୍ନୀ ଚିହ୍ନଟ କଲେ। ସେ ଜଣେ ଟ୍ରକ୍ ଚାଳକ ଓ ଗାଁ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ବୟସ ୩୨ ବର୍ଷ ହେବ ବୋଲି ଜଣାପାଡିଛି।

ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ବାଲୁଗାଁ ଏସଡ଼ିପିଓ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଆଦି ଉପସ୍ଥିତ ରହି ତଦନ୍ତ ଜାରି ରଖିଥିବା ବେଳେ, ଚିଲିକା ଅଞ୍ଚଳରେ ଏପରି ହତ୍ୟାକାଣ୍ଡ ପ୍ରଥମ ଥର ପାଇଁ ଘଟିଥିବାରୁ ଅଞ୍ଚଳବାସି ଏହାକୁ ନେଇ ଭୟଭୀତ ଅଞ୍ଚନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ୟ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ଆମ ଗାଁ ଆମ ସାହିତ୍ୟ ଓ କୃଷ୍ଣଚନ୍ଦ୍ରପାଠାଗାରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ସଭାପତିତ୍ଵ କରିଥିବାବେଳେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ଡଃ. ନିଳାଦ୍ରୀଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ସୁସାହିତ୍ୟକ ପୂର୍ବତନ ମନ୍ତ୍ରୀ ଡ଼ାଦେବେନ୍ଦ୍ର ନାଥ ମାନସିଂ, ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ପ୍ରଫେସର ଡଃ ନୃସିଂହ ପ୍ରଧାନ, ଆଡ଼ଭୋକେଟ ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି, ଗାଳ୍ପିକ ଶିବ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ତ୍ରିପାଠୀଙ୍କ ସାରସ୍ଵତ ସୃଷ୍ଟିରେ ସରଳ ଗ୍ରାମ୍ୟ ଜୀବନର ଦୁଃଖ ଯନ୍ତ୍ରଣା ପ୍ରପୀଡ଼ିତ ମଣିଷର ନିଛକ ଚିତ୍ର ଚିତ୍ରଣ ସହିତ ମାନବିକ ମୂଲ୍ୟ ବୋଧର ଉଦବେଳନ କିପରି ତାଙ୍କ କବିତାକୁ ରସାଣିତ କରିଛି ବର୍ଣ୍ଣନା କରିବା ସହିତ ବୀର ପାଇକ ଜାତିର ଜାତୀୟତା ବୋଧ, ଦେଶାତ୍ମଭାବନା ପରାଧୀନ ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୃଷ୍ଟି କରିବାରେ କିପରି ପ୍ରେରଣା ଯୋଗାଇଛି ଏବଂ ତାହା ସହିତ ତାଙ୍କ ସାମଗ୍ରିକ କାବ୍ୟ ସମ୍ଭାର ଓଡ଼ିଆ ଭାଷା ଭଣ୍ଡାରକୁ ରୁଦ୍ଧିମନ୍ତ କରି ତାଙ୍କୁ କାବ୍ୟ ଜଗତରେ ଅତିବଡ଼ି ସମ୍ମାନରେ ସମ୍ମାନିତ କରିଛି ତାହା ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭାରମ୍ଭରେ ପଣ୍ଡିତ ପ୍ରସନ୍ନ ବିଗ୍ରହ ବେଦ ପାଠ କରିଥିବାବେଳେ କବି ଦେବାଶୀଷ ପଟ୍ଟନାୟକ ପାଇକ କବିଙ୍କ ସ୍ଵରଚିତ ଏହି ଯେ, ଦିଶୁଛି ଲାଲମାଟିର ଖୋର୍ଦ୍ଧା ଗଡ଼ ଆବୃତି କରିଥିଲେ। ଡଃ ନିଳାଦ୍ରୀଭୂଷଣ ହରିଚନ୍ଦନଙ୍କୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ବିଭୂତି ଭୂଷଣ ନନ୍ଦ, ଅଶୋକ ନନ୍ଦ, ଆନନ୍ଦ ଚନ୍ଦ୍ର ସେନାପତି, ଜ୍ୟୋତିର୍ମୟ ତ୍ରିପାଠୀ, ଅବନୀ ନନ୍ଦ ଏହାକୁ ପରିଚାଳନା କରିଥିବାବେଳେ ସଂପାଦକ ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ବାଳିକା ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଅଛି। ପ୍ରଶିକ୍ଷଣ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବାଳିକାମାନଙ୍କୁ ଆଲୋକପାତ କରିଥିଲେ।

ବାଳିକା ଆତ୍ମାରକ୍ଷା କୌଶଳର ପ୍ରଶିକ୍ଷଣ ଶିବିରର ସଂଯୋଜିକା ତଥା ଅଧ୍ୟାପିକା ଗିତାଞ୍ଜଳୀ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ପ୍ରହ୍ଲାଦ ଜେନା, ନିରଞ୍ଜନ ପ୍ରଧାନ, ନୀଳମଣି ଘଡ଼ାଇ, ରାମକୃଷ୍ଣ ପାଲଟାସିଂହ ପ୍ରମୁଖ ଉଦବୋଧନ ଦେଇ ଛାତ୍ରୀମାନଙ୍କୁ କୌଶଳ ଶିକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ଜେନା, ତପନ କୁମାର ସାହୁ, ପ୍ରଶାନ୍ତ ହୋତା, ବସନ୍ତ କୁମାର ଛାଟୋଇ ପ୍ରମୁଖ ସହଯୋଗ କରିଥିଲେ। ମାଷ୍ଟର ପ୍ରଶିକ୍ଷିକା ଭାବେ ଆସମା ବେଗମ ଛାତ୍ରୀ ମାନଙ୍କୁ ବାଳିକା ଆତ୍ମାରକ୍ଷର ବିଭିନ୍ନ କୌଶଳ ଗୁଡିକ ତାଲିମ ପ୍ରଦାନ କରିଥିଲେ।

ଏହି ଶିବିରରେ ୬୪ ଜଣ ଛାତ୍ରୀ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ପରିଶେଷରେ ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ପାତ୍ର ବଣ୍ଟନ କରାଯାଇଥିଲା।