Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସରନଇ ଓଭର ବ୍ରିଜ ତଳୁ ବାଇକ ସହ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ସରନଇ ଓଭର ବ୍ରିଜ ତଳୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ସରନଇ ଓଭର ବ୍ରିଜ ତଳେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖି ବାଲୁଗାଁ ଏସଡିପିଓଙ୍କୁ ସୂଚନା ଦେଇଥିଲେ।

ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ପହଞ୍ଚି ବାଇକ ଜବତ କରିବାସହ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକ ଜଣକ ବାଣପୁର ଥାନା ପଦନପୁର ଗ୍ରାମର କୁଳମଣି ଜେନାଙ୍କ ସାନ ପୁଅ ରଞ୍ଜିତ ଲେଙ୍କା ଓରଫ ଗାଣ୍ଡୁ (୨୭ ବର୍ଷ) ବୋଲି ଜଣାପଡିଛି। ଏବଂ ସେ ବାଲୁଗାଁରେ ଏକ ବିଅର ବାରରେ କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି। ହେଲେ ରଞ୍ଜିତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଠିକା ସଫେଇ କର୍ମଚାରୀଙ୍କ ଦ୍ଵାରା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଶତାଧିକ ଠିକା ସଫେଇ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯାହାଫଳରେ ଏନଏସି କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।

ପରିମଳ ବ୍ୟବସ୍ଥା ନେଇ ସହରର ସ୍ଵଚ୍ଛତା ଓ ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାର ଘୋର ଅନିୟମିତତା ବାଲୁଗାଁ ଏନଏସିରେ ଦେଖିବାକୁ ମିଳୁଛି। ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରିଆସୁଛନ୍ତି। ଏପରିକି ଆଧୁନିକିକରଣ ଉପାୟରେ ଲୋକଙ୍କ ଘରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଆଣି ତାହାକୁ ଏକତ୍ର କରି କମ୍ପୋଷ୍ଟ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ।

ସୂଚନା ମୁତାବକ ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ପତ୍ର ହୋଇଛି। ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏବଂ ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି।

ସଫେଇ କର୍ମଚାରୀଙ୍କ କହିବା ମୁତାବକ ଆମେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମକୁ କୌଣସି ପ୍ରକାରର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ। ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ।ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ।

ଏସବୁ ଅଭିଯୋଗ ନେଇ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀଙ୍କୁ ଏସମ୍ବନ୍ଧରେ ଏବଂ ମାସିକ ପ୍ରାପ୍ୟ ବିଷୟରେ ଗୁହାରି କରିବାକୁ ଯାଇଥିବା ବେଳେ ଆମକୁ ଜାତିଆଣ ଆକ୍ଷେପ କରି କାର୍ଯ୍ୟାଳୟରୁ ଫେରାଇ ଦେଉଛନ୍ତି। ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ କେହି କାମ କରିବାକୁ ଯିବେ ନାହିଁ ବୋଲି ସଫେଇ କର୍ମଚାରୀମାନେ ରୋକଠୋକ ମନା କରିଦେଇଛନ୍ତି।

ଏସମ୍ବନ୍ଧରେ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ ଯୋଗାଯୋଗ କରିବାରେ କୌଣସି ଜାତିଗତ ଆକ୍ଷେପ କରିନଥିବା କହିଛନ୍ତି। ଏଥିସହିତ ଆଜି ଯେଉଁ ସମସ୍ୟା ଉପୁଜିଛି ସେନେଇ ଏନ୍ଏସି ତରଫରୁ ଉକ୍ତ କମ୍ପାନୀକୁ ତାଗିଦ କରିଛନ୍ତି। ଏବଂ ଏହାର ଯଥାଶୀଘ୍ର ସମାଧାନ କରାଯିବା ସହ ଆଗାମି ଦିନରେ ଏପରି ବିଶୃଙ୍ଖଳା ସୃଷ୍ଟି ନହେବା ଦିଗରେ ଧ୍ୟାନ ଦେବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Categories
ଅପରାଧ ଆଜିର ଖବର

ବାଲୁଗାଁ: ଦୁଇ ମୋବାଇଲ ଲୁଟେରା ଗିରଫ, ୧୦ ଫୋନ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ଖୋର୍ଦ୍ଧା ରୋଡ଼ ଜିଆରପି ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଲୁଟେରା ଟାଙ୍ଗୀ ଏବଂ ବାଣପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରୁ ଟ୍ରେନ ଯାଉଥିବା ସମୟରେ ଯାତ୍ରୀଙ୍କଠାରୁ ମୋବାଇଲ ଛଡାଇ ଫେରାର ହେଇଯାଉଥିଲେ।

ତେବେ ଦୀର୍ଘ ଦୁଇ ଦିନର ଅପରେସନ ପରେ ଗିରଫ ହୋଇଛନ୍ତି ଉକ୍ତ ଦୁଇ ଅଭିଯୁକ୍ତ। ସେମାନଙ୍କ ନିକଟରୁ ୬ ଗୋଟି ସ୍ମାର୍ଟ ଫୋନ ଏବଂ ୪ ଗୋଟି କି ପ୍ୟାଡ଼ ଫୋନ ଜବତ କରିଛି ରେଳବାଇ ପୋଲିସ ଯାହାର ମୂଲ୍ୟ ୯୬ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେଶ ନମ୍ବର ୧୦୬/୨୨ ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିବାର ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନର ବାଲୁଗାଁ ସମେତ ବିଭିନ୍ନ ଷ୍ଟେସନରେ ବାରମ୍ବାର ମୋବାଇଲ ଲୁଟ ଅଭିଯୋଗ ହେବା ପରେ ଆରପିଏଫ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗକୁ ମଧ୍ୟ ଏପରି ଧରପଗଡ଼ ଜାରି ରହିବ ବୋଲି ଆରପିଏଫ କହିଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ଷମା ମାଗିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଦଳର ସଭାପତିଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି।

ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି ମଡାଇ ଦେଲି ତାହା ସଂପୂର୍ଣ୍ଣ ଭୁଲ କଥା।

ପ୍ରକୃତ କଥା ହେଲା ପୂର୍ବରୁ ଚିଲିକା ବିଜେପିର ଏକ ଗଡ ଥିଲା। ଗତ ନିର୍ବାଚନରେ ବିଜେଡି ତରଫରୁ ମୁଁ ଏଗାର ହଜାର ଭୋଟରେ ଜିତିବା ପରେ ବିଜେପିର ରାଗ ପଞ୍ଚମ ହୋଇଯାଇଛି। ସେମାନେ ମୋତେ ବିଭିନ୍ନ ସମୟରେ ହଇରାଣ କରିବାକୁ ଯୋଜନା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି।

ମୋତେ ମାଡ ମାରିବା ପରେ ସେମାନେ ଗାଡିର ନମ୍ବର ପ୍ଲେଟକୁ ବାଡାଇ ଭାଙ୍ଗି ଦେଲେ। ସେଥିରେ ଆଉ ଏକ ନମ୍ବର ପ୍ଲେଟ ଯୋଡି ମୋତେ ବଦନାମ କରିବାକୁ ଚେଷ୍ଠା କରିଥିଲେ। ସେଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି। ଏହି ଗୋଟିଏ ଘଟଣା ନୁହେଁ ସେମାନେ ବିଭିନ୍ନ ସମୟରେ ମୋତେ ବଦନାମ କରିବାକୁ ଚେଷ୍ଠା କରିଛନ୍ତି।

ତେବେ ଏ ସବୁ ଘଟଣା ନେଇ ମୁଁ ଦୁଃଖ ପ୍ରକାଶ କରି ମୋର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ସେ ଯାହା ବିଚାର କରିବେ। ମୁଁ ଶଙ୍ଖ ଚିହ୍ନରେ ଛିଡା ହୋଇ ଜିତିଛି। ମୁଁ ବିଜେଡିରେ ରହିଛି। ହେଲେ ସଭାପତି ତଥା ଦଳ ଯାହା ବିଚାର କରିବେ ସେଥିରେ ମୁଁ ସମ୍ମତି ପ୍ରଦାନ କରିବି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲେଇବ ଶିକ୍ଷକ ସଂଘ

ଭୂବନେଶ୍ବର: ଗତ କାଲି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମସା ମରା ଲିକ୍ୟୁଇଡି ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସ୍ଥଳେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ରଥମେ ତାଙ୍କୁ ବାଲୁଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତିକରାଯାଇଥିବା ସ୍ଥଳେ ପରେ ତାଙ୍କୁ ଭୂବନେଶ୍ବର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ସେ ଚିକିତ୍ସାଧିନ ଅଛନ୍ତି।ଚିକିତ୍ସା ସମୟରେ ସେ ଆତ୍ମହତ୍ୟା କରିବାକୁ କାହିଁକି ଚାହୁଁଥିଲେ ପଚାରି ବାରୁ ସେ କହିଥିଲେ ଯେ, ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ଯନ୍ତ୍ରଣା ସବୁବେଳେ ଦେଇଆସୁଛନ୍ତି। ଏହା ଅସହ୍ୟ ହୋଇଯାଇଥିବାରୁ ସେ ଆଉ ସହି ପାରିଲେ ନାହିଁ। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଏପରି ନିଷ୍ପତି ନେବାକୁ ବାଧ୍ୟ ହେଲେ।

ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ୨୦୧୬ ମସିହାରେ ନିଯୁକ୍ତ ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ଅଟନ୍ତି।ଯାହାଙ୍କର ନାମ ସନ୍ତୋଷୀ ବେହେରା ଅଟେ। ସେ ଯାହା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ ସବୁବେଳେ ଜାଣିସୁଣୀ ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାରରେ ବି ବିଦ୍ୟାଳୟକୁ ଜର ଜବରଦସ୍ତ ଡାକୁଥିଲେ।ଆଉ ନ ଆସିଲେ ଚାକିରି ଖାଇଯିବେ, ଦରମା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଆସୁଥିଲେ। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ସରକାରୀ ଛୁଟି ଥିଲେ ମଧ୍ୟ ସମସ୍ତଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସେଦିନ ସେହି ଶିକ୍ଷୟିତ୍ରୀ ଜଣଙ୍କ ଅନୁପସ୍ଥିତ ଥିଲେ। ତେଣୁ ପ୍ରଧାନ ଶିକ୍ଷକ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବାରମ୍ବାର ଉତ୍ତର ଦେବାକୁ ବାଧ୍ୟ କରୁଥିଲେ। ଚଳିତ ବର୍ଷ ଜାନୁୟାରୀ ରୁ ଅଗଷ୍ଟ ମାସ ଯାଏଁ ଗୋଟିଏ ବି ଦିନ ଛୁଟି ନିମନ୍ତେ ସିଏଲ ଦେଇନଥିଲେ। ସରକାର ଛୁଟି ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକ ସବୁବେଳେ ସମସ୍ତଙ୍କୁ ଛୁଟି ଦେବାରେ କୁଣ୍ଠାବୋଧ କରୁଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କୌଣସି ନିର୍ଦ୍ଦେଶନାମା ନଥାଇ ମଧ୍ୟ ଶୁକ୍ରବାର ଦିନ ସକାଳ ସ୍କୁଲ୍ କରି ସମସ୍ତଙ୍କୁ ହଇରାଣ ହରକତ୍ କରାଉଥିଲେ।

ଏହି ଖବର ଆସିବା ପରେ ଆଜି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ (ଇନିସିଆଲ୍ ଆପଏଣ୍ଟି) ଶିକ୍ଷକ ସଂଘ ମୁହଁ ଖୋଲିଛି। ରାଜ୍ୟ ସଂଘର ମହା ସଚିବ ବିଶ୍ବଜିତ୍ ବିଶ୍ବାଳ କହିଛନ୍ତି,ଏହି ଘଟଣା ଅନ୍ୟନ୍ତ ନିନ୍ଦନୀୟ। ଗୋଟିଏ ଶିକ୍ଷୟିତ୍ରୀଙ୍କୁ ନାନାଦି ପ୍ରକାର ମାନସିକ ଯନ୍ତ୍ରଣା ଦେବା ଭଳି ଅଭିଯୋଗ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ନାମରେ ଆଣୁଛନ୍ତି। ମାନସିକ ଯନ୍ତ୍ରଣା କାହାକୁ ଦେବା ଅଦୌ ଗ୍ରହଣୀୟ ନୁହେଁ।ବିଦ୍ୟାଳୟରେ ଏସବୁର ସ୍ଥାନ ନାହିଁ।

ବିଦ୍ୟାଳୟ ଏକ ମନ୍ଦିର ଆଉ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତାହାର ଦେଵାଦେବୀ। ତେଣୁ ପ୍ରଧାନ ଶିକ୍ଷକ ଏହିପରି କରି ଭୁଲ୍ କରିଛନ୍ତି।ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା ମଧ୍ୟ ଏ ଘୋଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି ଓଡିଶାର ଯେ କୌଣସି ସ୍ଥାନରେ ବି ଯଦି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅନ୍ୟାୟ ହୁଏ ତାହେଲେ ରାଜ୍ୟ ସଂଘ ଚୁପ୍ ବସିବ ନାହିଁ। ଏ ବିଷୟରେ ଅବଗତ କରିବା ନିମନ୍ତେ ଆମେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିବୁ ଏବଂ ତୁରନ୍ତ ସେହି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଵା ପାଇଁ ଦାବି ପତ୍ର ଦେବୁ।

ଆଉ ଯଦି କାର୍ଯ୍ୟନୁଷ୍ଠାନ ନହୁଏ ତାହେଲେ ସେ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦେଵାପାଇଁ ରାଜ ରାସ୍ଥାକୁ ଓହ୍ଲାଇବୁ ବୋଲି ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ତଥା ସଂପାଦକ ଅନ୍ତର୍ଯ୍ୟାମୀ ବେହେରା, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ପ୍ରତାପ ସାମଲ, ମାନସ ପୁହାଣ, ପ୍ରିୟବ୍ରତ ବେହେରା, ମାନସ ମିଶ୍ର, ଚିନ୍ମୟ ମିଶ୍ର, ବସନ୍ତ କୌଶଲ୍ୟ, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ରଣଜିତ୍ ନାୟକ, ରଶ୍ମି କୁମାର ଦାସ୍, ସୁବାସ୍ ଜେନା ଆଦି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରଧାନ ଶିକ୍ଷକଙ୍କ ଉପରେ ସାଂଘାତିକ ଅଭିଯୋଗ, ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପ ସହି ନପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବାର ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଇଂରାଜୀ ବିଭାଗର ସନ୍ତୋଷୀ ବେହେରା। ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ମାନସିକ ଚାପ ସହି ନପାରି ଶିକ୍ଷୟିତ୍ରୀ ବିଷପାନ କରିଥିବାର ଅଭିଯୋଗ ହୋଇଛି।

ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଶିକ୍ଷୟିତ୍ରୀ ଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ସନ୍ଦେହ ଘରରେ ରହଛି। ଏ ନେଇ ଚିଲିକା ବିଇଓ ଙ୍କୁ ଯୋଗାଯୋଗ କରିବାରୁ ସେ ବର୍ତ୍ତମାନ ବିଦ୍ୟାଳୟରେ ଅଛନ୍ତି ଏବଂ ପ୍ରାଥମିକ ତଦନ୍ତରେ ଅନୁମାନ କରିଛନ୍ତି ଯେ ମାତ୍ରାଧିକ କାର୍ଯ୍ୟ ଚାପ ସମ୍ଭାଳିନପାରି ଜନୈକ ଶିକ୍ଷୟିତ୍ରୀ ଏପରି ପଦକ୍ଷେପ ନେଇଛନ୍ତି।  ତେବେ ଏ ନେଇ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଅବସରରେ ବାଲୁଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଲୁଗାଁ ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ସମଗ୍ର ବାଲୁଗାଁ ସହର ପରିକ୍ରମା କରିଥିଲେ। ଏବଂ ପରିଶେଷରେ ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏହା ସମାପ୍ତ ହୋଇଥିଲା।

ଉକ୍ତ ଶୋଭାଯାତ୍ରାରେ ସ୍ୱତଃପ୍ରବୃତ ଭାବେ ବହୁ ଜନସାଧାରଣ ସାମିଲ ହୋଇଥିଲେ।  ଏତଦବ୍ୟତିତ ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲୁଗାଁର ମଧ୍ୟ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଲୁଗାଁ ସହର ପ୍ରକମ୍ପିତ ହୋଇଉଠିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଲୁଗାଁ ପରିଚାଳିତ କରିଥିଲା।  ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଲୁଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ

ବାଲୁଗାଁ: ପାଣିରେ ବୁଡ଼ି ୩୫ ଦିନର ଶିଶୁର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାଜଳ ପ୍ରବେଶ କରି ଫୁଟେ ଫୁଟେ ପାଣି ଜମିଥିଲା।

ତେବେ ରାତିରେ ଶିଶୁ ପୁତ୍ର ଟି ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସୋଲରୀ ଷ୍ଟେସନ ନିକଟସ୍ଥ ଟ୍ରାକ୍ ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଓ ସୋଲରୀ ଷ୍ଟେସନ ମଧ୍ୟବର୍ତ୍ତୀ ଟ୍ରାକରେ ଏକ ଅଚିହ୍ନା ଶବ ପଡିରହିଥିବାର ସୂଚନା ମିଳିଛି। ଶବଟି ଜଣେ ପୁରୁଷଙ୍କର ହୋଇଥିବା ବେଳେ ଆନୁମାନିକ ବୟସ ୬୦ ହେବ। ସେ ଏକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଜଣାପଡିଛି।

ଖବର ପାଇ ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଖୋର୍ଦ୍ଧାରୋଡ଼ ଜିଆରପିକୁ ସୂଚନା ଦେଇଛି। ଜିଆରପି ପହଞ୍ଚିବା ପରେ ଶବ ଜବତ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ନିରାକାରପୁର ସାମ୍ବାଦିକ ସଂଘ ଓ ଶାଳିଆ ପ୍ରେସ କ୍ଳବ

ଚିଲିକା: ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁସ୍ଥିତ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି। ପ୍ରଥମେ ନିରାକାରପୁର ସାମ୍ବାଦିକ ମାନେ ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତାକା ଦେଖାଇ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଶୋଭାଯାତ୍ରାଟି ବାଲୁଗାଁ ପହଞ୍ଚିବା ପରେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ଏଥିରେ ସାମିଲ ହୋଇ ଅଜାଦି କି ଅମୃତ ମହୋତ୍ସବର ନାରା ଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା’ ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ। ପରବର୍ତ୍ତୀ ସମୟରେ ବଡ଼କୁଳସ୍ଥିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ସଂଘର ସଭାପତି ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ : ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ରଘୁନାଥପୁର ଗ୍ରାମରେ ଘଟିଥିବା ରଙ୍କନାଥ ସାହୁଙ୍କ ହତ୍ୟା ଘଟଣାରେ ଆଜି 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଏସପି ଉକ୍ତ ହତ୍ୟା ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ତାଙ୍କ ନିର୍ଦେଶକ୍ରମେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏକାଧିକ ଟିମ ନିରନ୍ତର ଚଢ଼ାଉ ଜାରି ରଖି ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥପୁର ଗ୍ରାମର ପଦ୍ମଚରଣ ରାଉତ(୬୫),ପ୍ରଭାତ କୁମାର ରାଉତ(୫୩),କାଳୁ ଚରଣ ରାଉତ(୩୭), ନବୀନ ରାଉତ(୨୮) ଏବଂ ରାଜକିଶୋର ରାଉତ(୫୫) । ତେବେ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଦ୍ୟାବଧି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ନିରଞ୍ଜନ ସାହୁଙ୍କ ବାପା ରଙ୍କନାଥ ସାହୁଙ୍କୁ(୭୦) ପୂର୍ବ ଦିନର କୌଣସି ଏକ ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ମୁର୍ମୁଶୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପୁଅ ନିରଞ୍ଜନଙ୍କ ଏତଲା କ୍ରମେ ବାଲୁଗାଁ ପୋଲିସ କେଶ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ପରଟାରେ ମହାପ୍ରଭୁ ଜଗନ୍ନାଥ, ଭାଇରଲ ହେଉଛି ଫୋଟୋ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି।  ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫୋଟୋଟି ଭାଇରାଲ ହେଉଛି।

ପାଟଣା ସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାରବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା।

ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇଦେଇଛି। ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି।

ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳ: ବାଣପୁରରେ ପ୍ରଲିପ୍ତା ଓ ଚିଲିକାରେ ଅମ୍ଲାନ ଟପର

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ ବି-୨ ଗ୍ରେଡ଼ରେ ୪୭୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନର ପ୍ରଲିପ୍ତା ସାହୁ ସର୍ବାଧିକ ୫୭୪ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲି ସୋମନାଥ ଉଚ୍ଚ ବିଦ୍ୟାଳୟର ଅମ୍ଲାନ ଶତପଥି ସର୍ବାଧିକ ୫୮୩ ମାର୍କ ରଖି ଟପର ହୋଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ସଡ଼କ ଦୁର୍ଘଟଣାରେ ନନ୍ଦପୁର ଗ୍ରାମର ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ବାଲୁଗାଁ ପୋଲିସର ସୂଚନା ମୁତାବକ ବାଣପୁର ଥାନା ନନ୍ଦପୁର ଗ୍ରାମର ଭିକାରି ପ୍ରଧାନ (୨୯) ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହିତ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ ଯୋଗେ ନାଭାଲରୁ ବାଣପୁର ଅଭିମୁଖେ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ ଖବର ପାଇ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଲୁଗାଁ ପୋଲିସ କେଶ ନମ୍ବର ୧୩୮/୨୨ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅପରପକ୍ଷେ ଘଟଣାର ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନ ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଉମାମହେଶ୍ୱର ମନ୍ଦିର ପରିସରରେ ଭିକ୍ଷୁକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉମାମହେଶ୍ୱର ମନ୍ଦିର ପରିସରରେ ଜଣେ ବୃଦ୍ଧ ମୁର୍ମୁଶ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ତୁରନ୍ତ ଅବଗତ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୁର୍ମୁଶ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୃତକଙ୍କ ନାମ ବଳଭଦ୍ର ସ୍ୱାଇଁ (୭୦) ନିରାକାରପୁର ଅଞ୍ଚଳର ବୋଲି ଜଣାପଡିଛି। ଦୀର୍ଘ ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ଭିକ୍ଷା ବୃତ୍ତି କରି ସେ ଜୀବନ ନିର୍ବାହ କରୁଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ବଜରଙ୍ଗ ଦଳ ପକ୍ଷରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବଜରଙ୍ଗ ଦଳ ବାଣପୁର-ବାଲୁଗାଁ ପକ୍ଷରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ବଜାରସ୍ଥିତ ହନୁମାନ ମନ୍ଦିର ପରିସରରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶତାଧିକ ହିନ୍ଦୁମାନେ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇଥିଲେ।

ଏଥି ନିମନ୍ତେ ପୂବରୁ ବଜରଙ୍ଗ ଦଳ ପକ୍ଷରୁ ସମସ୍ତ ହିନ୍ଦୁମାନଙ୍କୁ ଆହ୍ଵାନ ଦିଆଯାଇଥିଲା।  ପରିଶେଷରେ ସମସ୍ତ କର୍ମକର୍ତ୍ତାମାନେ ଏକ ବାଇକ ରାଲିରେ ମାମୁଁ ଭଣଜା ପାହାଡ଼ ନିକଟରେ ଏକତ୍ରିତ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ।

ତେବେ ବାଣପୁର ବାଲୁଗାଁରେ ପ୍ରତି ମଙ୍ଗଳବାର ଦିନ ସକାଳ ୭ ଘଟିକାରେ ଏହିପରି ଭାବେ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଘଟଣା ମୁତାବକ ଆଜି ଅପରାହ୍ନରେ ସୁବୁଦ୍ଧିପାଟଣା ଛକରେ ହାଇୱେ ପାଟ୍ରୋଲିଂ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଛି। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଗାଡିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ଗାଡ଼ିରୁ ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ କର୍ମଚାରୀ ଦ୍ବୟ ହେଲେ ଏସପିଓ ବିଶ୍ୱରଞ୍ଜନ ନାୟକ ଏବଂ ଡ୍ରାଇଭର ଭାଗିରଥି ସେଠି।

ସୂଚନା ଥାଉକି ଗାଡ଼ିରେ ଉକ୍ତ ଦୁଇ ଜଣଙ୍କ ସମେତ ହୋମଗାର୍ଡ ବିଦ୍ୟାଧର ସେଠି ମଧ୍ୟ ଉପସ୍ଥିତ ଥିବା ବେଳେ ତାଙ୍କର କିଛି କ୍ଷତି ହୋଇନାହିଁ।

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବସ ଭ୍ୟାନଟିକୁ ଡାହାଣ ପାର୍ଶ୍ଵରୁ ଧକ୍କା ଦେଇଥିଲା। ଯାହାଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ଧକ୍କା ଦେଇଥିଲା। ବର୍ତ୍ତମାନ ଦୁର୍ଘଟଣା ଘଟାଇଥିବା ବସଟିକୁ ପୋଲିସ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଞ୍ଚଳିକ

ଚିଲିକାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ତିନି ମହିଳାଙ୍କ ସମେତ ୪ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଦୁଇ ମହିଳା, ଜଣେ ପୁରୁଷ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋଷଡିହ ଗ୍ରାମରୁ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୫୫ ଲିଟର ଦେଶୀ ମଦ ଏବଂ ୧୦.୪୦୦ ଲିଟର ବିଅର ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅବକାରୀ ବିଭାଗ ପିଆର ନମ୍ବର ୩୭, ୩୮, ୩୯, ୪୦/୨୨-୨୩ ରେ ଚାରି ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ଅନୁଷ୍ଠିତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପୋଲିସ୍ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ପୋଲିସ୍ ଭ୍ୟାନ୍ ଧକ୍କାରେ ୬୦ବର୍ଷର ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି କୃଷ୍ନ ଚନ୍ଦ୍ର ପାତ୍ର ଗୋଲା ସମ୍ପ୍ରଦାୟର ହେଇଥିବାରୁ ପ୍ରତିଦିନ ଛେଳି ଚରେଇବାକୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ମାତ୍ର ଆଜି ବାଲୁଗାଁ ସୀମା ଅଞ୍ଚଳକୁ ଛେଳି ଚରାଇବାକୁ ଆସିଥିବା ବେଳେ ଦିନ ୧୨ଟାରେ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ୍ ପୋଲିସ୍ ଭ୍ୟାନ୍ (ଓଡି ୦୫ଏପି ୨୭୪୨)ରାସ୍ତାରେ ପାର ହେଉଥିବା ସମୟରେ ବୃଦ୍ଧ କୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ନାଭାଲ୍ ଫାଣ୍ଡି ପୋଲିସ୍ ପହଞ୍ଚି ଗୁରୁତର ଅବସ୍ଥାରେ କୃଷ୍ଣ ପାତ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ଗୁରୁତର ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଲୁଗାଁ ପୋଲିସ୍ ଶବ ଜବତ କରି ୧୧୬/୨୦୨୨ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଛି।

ତେବେ ଘଟଣା ଘଟାଇଥିବା ପୋଲିସ୍ କର୍ମଚାରୀଙ୍କୁ ନାଭାଲ୍ ଫାଣ୍ତିରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଘରୋଇ କଳି ହେଲା କାଳ, ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ କଳି ହେଲା କାଳ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ।

ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଗୌତମ ନାୟକଙ୍କ ପୁତ୍ର ଶିବଦତ୍ତ ନାୟକ (୨୩) ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଶିବଦତ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ରୂପେ କାମ କରୁଥିବା ବେଳେ ରଜ ନିମନ୍ତେ ନିଜ ଗ୍ରାମକୁ ଛୁଟି ନେଇ ଫେରିଥିଲେ।

ତେବେ ତାଙ୍କ ବାପା ଗୌତମ ଓ ଶିବଙ୍କ ମଧ୍ୟରେ କାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏବଂ ଶିବ ରାତିରେ ଆତ୍ମହତ୍ୟା କରିଥିଲେ। ଏ ନେଇ ନାଭାଲ ଫାଣ୍ଡି ପୋଲିସ ଶବ ଜବତ କରି କେଶ ନମ୍ବର ୧୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।