ବାଣପୁରରେ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ମାମଲା: ୯ ମହିଳାଙ୍କ ସମେତ ୧୮ ଗିରଫ

Published: Mar 30, 2023, 4:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଗତକାଲି ଏକ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିଲେ। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ କେସ ନମ୍ବର ୧୨୮/୨୩ ଏବଂ ୧୨୯/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା। ଏପରିକି ଗ୍ରାମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଫୋର୍ସ ମୁତୟନ କରାଯାଇଥିଲା।

ତେବେ ଆଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ଉଭୟ ଗୋଷ୍ଠୀର ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତନ୍ମଧ୍ୟରୁ ୯ ମହିଳା ଓ ୯ ପୁରୁଷ ଅଭିଯୁକ୍ତ ଅଛନ୍ତି।  ତେବେ ଗିରଫଦାରି ଆହୁରି ବୃଦ୍ଧି ପାଇବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।  ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ବେଳେ ଗିରଫ ଭୟରେ ସେମାନେ ଫେରାର ହୋଇଯାଇଛନ୍ତି।

Related posts