Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହିସବୁ ହସ୍ପିଟାଲରେ ମିଳିବ ଚିକିତ୍ସା

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତକୁ ଦେଖି ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣେଇବାକୁ ଯାଉଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହି କମିଟି ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ରାଜ୍ୟର ଚାରୋଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ଏହି ପ୍ଲାଜମା ଥେରାପି। କଟକ ଏସ୍‌ସିବି, ଅଶ୍ୱିନୀ, ଭୁବନେଶ୍ୱରରେ ସମ୍‌ ଓ କିମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଓଡ଼ିଶାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 545 ଥିବାବେଳେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଏବେସୁଦ୍ଧା ରାଜ୍ୟରେ 2008ଟି ସକ୍ରିୟ ମାମଲା ରହିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳରେ ରାଜନୈତିକ ସଂକଟ, ଓଲି ସରକାର ପ୍ରତି ବଢିଲା ବିପଦ

କାଠମାଣ୍ଡୁ: ଗତ କିଛି ଦିନ ଧରି ଭାରତ ବିରୋଧୀ ମନୋଭାବ ପୋଷଣ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପିିଏସ୍ ଓଲିଙ୍କ ସ୍ଥିତି ଏବେ ଟଳମଳ। ନିଜ ଆସନ ବଞ୍ଚାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇ ପଡ଼ିଛି। ଓଲିଙ୍କ କ୍ୟାବିନେଟରେ ଥିବା ଦଳଗୁଡ଼ିକ ଆଣିଥିବା ପାର୍ଟିସନ ଅର୍ଡିନାନସକୁ କେନ୍ଦ୍ର କରି ସଂକଟ ଉପୁଜିଛି। ମ୍ୟାପ୍ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦ ବଢିବା ପରଠାରୁ ନେପାଳରେ ରାଜନୈତିକ ସଂକଟ ଘନୀଭୂତ ହେବାରେ ଲାଗିଛି। ବିରୋଧୀମାନେ ଏଥିପାଇଁ ଓଲିଙ୍କୁ ଦାୟୀ କରି ଆସୁଛନ୍ତି।

ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ଦିନ ଡାକିଥିବା କ୍ୟାବିନେଟ ବୈଠକ ପୂର୍ବରୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଥିଲେ। ପରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ସଂସଦର ଚଳିତ ବଜେଟ ଅଧିବେଶନ ବାତିଲ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ସହିତ ମ୍ୟାପ୍ ବିବାଦ ପରେ ଦଳର ନେତାମାନେ ପ୍ରଥମେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ, ଏହାପରେ ସେମାନେ ଦଳର ମୁଖ୍ୟଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ଦିନ ରାଷ୍ଚ୍ରପତିଙ୍କୁ ଭେଟି ଆଲୋଚନା କରୁଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଷ୍ଚାଣ୍ଡିଂ କମିଟିର ବୈଠକ ତାଙ୍କ ଅନୁପସ୍ଥିତିରେ ବସିଥିଲା। ସଂକଟ ଟାଳିବାକୁ ଓଲି ଗୋଟିଏ ପଟେ ଜାରି ରଖିଥିବା ବେଳେ, ଅନ୍ୟ ଏକ ଘଟଣାକ୍ରମରେ ସେ ପୂ୍ର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ଏକାକୀ ଭେଟିବାକୁ ମନା କରି ଦେଇଥିଲେ।

ଇତିମଧ୍ୟରେ ପ୍ରଚଣ୍ଡଙ୍କ ସମେତ ଦେଶର ଆଉ ତିନି ପ୍ରମୁଖ ନେତା ମାଧବ ନେପାଳ, ଝାଲନାଥ ଖାନାଲ ଏବଂ ବାମଦେବ ଗୌତମ ଏକ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ଓଲି କିଛିଦିନ ପୂର୍ବେ ତାଙ୍କର ଏକ ନୂଆ ଦଳ ଗଠନ କରିଥିବା ଜଣାପଡ଼ିଛି। ନେପାଳ କମ୍ୟୁନିଷ୍ଟ ପାର୍ଟି ନାମରେ ଗଠିତ ଏହି ନୂଆ ଦଳ  ପାର୍ଟିସନ ଅର୍ଡିନାନସକୁ ବିରୋଧ କରୁଛି। ଏହି ଅର୍ଡିନାନସକୁ ଅନୁମୋଦନ ନ କରିବାକୁ ପ୍ରଚଣ୍ଡ ରାଷ୍ଟ୍ରପତିଙ୍କୁ ଭେଟି ଦାବି ରଖିଛନ୍ତି।  ଏହା କାର୍ଯ୍ୟକାରୀ ହେଲେ ଦେଶରେ ଗୁରୁତର ରାଜନୈତିକ ଓ ସାମ୍ବିଧାନିକ ସଂକଟ ସୃଷ୍ଚି ହେବ ବୋଲି ସେ ସତର୍କ କରି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ 149

ଭୁବନେଶ୍ବର : ଆଜି ରାଜ୍ୟରେ 149 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 49 ଜଣ ରହିଥବାବେଳେ ଖୋର୍ଦ୍ଧାରୁ 24ଜଣ, ମୟୂରଭଞ୍ଜରୁ 14 ଜଣ, କଟକରୁ 13 ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡାରୁ 5ଜଣ ରହିଥିବାବେଳେ ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ତିନି ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର, ଜଗତସିଂହପୁର ଓ ନୟାଗଡରୁ 2 ଜଣ ଲେଖାଏଁ ରହିଛନ୍ତି ।  ସେହିପରି ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 502ରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର

ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା 11 ତମ ସ୍ଥାନରେ

ନୂଆଦିଲ୍ଲୀ : ଆଜି କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍‌ 15ଟି ରାଜ୍ୟ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶା 11ତମ ସ୍ଥାନରେ ରହିଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡ଼ିଶା 11ତମ ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ପ୍ରଥମରେ ରହିଛି ଚଣ୍ଡୀଗଡ, ଦ୍ବିତୀୟରେ ମେଘାଳୟ, ତୃତୀୟରେ ରାଜସ୍ଥାନ ରହିଛି । ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ହୋଇଛି ।

ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ତେବେ ଦେଶରେ ଏବେ ଏମିତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ଯେଉଁଠାରେ କରୋନା ଯୋଗୁଁ ଗୋଟିଏ ବି ମୃତ୍ୟୁ ହୋଇନାହିଁ । ସେହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟ ରାଜ୍ୟ ତୁଳନାରୁ କମ୍‌ ସଂଖ୍ୟକ କରୋନା ମାମଲା ରହିଛି ।

ସେହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ରହିଛି ମିଜୋରାମ, ନାଗାଲାଣ୍ଡ, ମଣିପୁର, ସିକିମ୍‌, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳୀ ଓ ଡାମନ୍‌ ଡିୟୁ ।

ମିଜୋରାମରେ ମୋଟ୍‌ 160ଟି ମାମଲା ରହିଥିଲା । ଏବେ ଏଠାରେ ମାତ୍ର 37ଟି ସକ୍ରିୟ ମାମଲା ରହିଛି । ସେହିପରି ନାଗାଲାଣ୍ଡରେ ମୋଟ୍‌ 459ଟି କେସ୍‌ ମଧ୍ୟରୁ ଏବେ ସୁଦ୍ଧା 291ଟି ସକ୍ରିୟ ମାମଲା ରହିଛି ।

ମଣିପୁରରେ ମୋଟ୍‌ 1260ଟି ମାମଲା ଥିବାବେଳେ ଏବେ 681ଟି ସକ୍ରିୟ ମାମଲା ରହିଛି ।  ସିକ୍କିମ୍‌ରେ 101ଟି ମାମଲା ଥିବାବେଳେ 48ଟି ସକ୍ରିୟ ମାମଲା ରହିଛି ।

ଆଣ୍ଡାମାନ ନିକୋବରର ଦ୍ବୀପ ସମୂହରେ ମାତ୍ର 100ଟି ମାମଲା ଦେଖାଯାଇଥିବାବେଳେ ଏବେ 50ଟି ସକ୍ରିୟମାମଲା ରହିଛି । ସେହିପରି ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉରୁ ମୋଟ 215ଟି ମାମଲା ଥିବାବେଳେ ଏବେ 129ଟି ସକ୍ରିୟ ମାମଲା ରହିଛି ।

(ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗିର ଓ ବରଗଡରେ ବି ହେବ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ବର : ସପ୍ତାହାନ୍ତ ସଟ୍‌ଡାଉନ୍‌ ହେବାକୁ ଥିବା ଜିଲ୍ଲାରେ ଏବେ ବରଗଡ ଓ ବଲାଙ୍ଗିର ସାମିଲ୍‌ ହୋଇଛି । ଆସନ୍ତା ଶନିବାର ଓ ରବିବାର ବରଗଡ ଜିଲ୍ଲା ସଟ୍‌ଡାଉନ୍‌ । କରୋନା ପାଇଁ ସପ୍ତାହାନ୍ତ ସଟ୍‌ଡାଉନ୍‌ କରିବାକୁ ପ୍ରଶାସନ  ଘୋଷଣା କରିଛି । ସେହିପରି ବଲାଙ୍ଗିରରେ ମଧ୍ୟ ସପ୍ତାହାନ୍ତ ସଟ୍‌ଡାଉନ୍‌ ହେବ । କରୋନା ସଂକ୍ରମଣ ରୋକିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ନୂଆ ନିଷ୍ପତ୍ତି । ପ୍ରତି ଶନିବାର ଓ ରବିବାର ବଲାଙ୍ଗିର ଜିଲ୍ଲା ସଟ୍‌ଡାଉନ୍‌ ରହିବ । ଜୁଲାଇ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନ, ଚା’ପାନ ଦୋକାନ, ରାସ୍ତାକଡ ଜଳଖିଆ ଓ ଲସି ଦୋକାନ ବନ୍ଦ ରହିବ । ଏହି କଟକଣା ଆସନ୍ତାକାଲିଠାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅନଲକ୍‌2.0ରେ 10ଟି ଜିଲ୍ଲାକୁ ଜୋନ୍‌ 1ରେ ରଖାଯାଇ ସେଠାରେ ସପ୍ତାହନ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ସପ୍ତାହନ୍ତ ସଟ୍‌ ଡାଉନ୍‌ ହେବାକୁ ଥବା ଜିଲ୍ଲାରେ ନବରଙ୍ଗପୁର ଗତକାଲି ସାମିଲ୍‌ ହୋଇଥିବାବେଳେ ଆଜି ବଲାଙ୍ଗିର ଓ ବରଗଡ ସାମିଲ୍‌ ହୋଇଛନ୍ତି । ସୂଚନାଯୋଗ୍ୟ, ଯେଉଁ ସବୁଜିଲ୍ଲାରେ 50ରୁ ଅଧିକ ସକ୍ରିୟ ମାମଲା ରହିବ ସେସବୁ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହେବ ଏବଂ ସେହି ଅଞ୍ଚଳମାନଙ୍କରେ କଟକଣାକୁ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ସୂଚନା ରହିଛ।

Categories
ଆଜିର ଖବର ରାଜ୍ୟ ଖବର

ଦିନ ଦ୍ବିପ୍ରହରରେ ବାଣପୁରରେ ଗୁଳିମାଡ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା। ବୟସ ତାଙ୍କର 37 ବର୍ଷ ବୋଲି ଜଣାପଡିଛି। ଗୁଳିଟି ତାଙ୍କର ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ବେଶ୍‌ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ପାଇ ବାଣପୁର ପୋଲିସ୍‌ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଘରୋଇ ଝଗଡା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମୋବାଇଲ୍‌ ପାଇଁ ନାବାଳକର ଆତ୍ମହତ୍ୟା

କେଉଁଝର : ମୋବାଇଲ୍‌ ପାଇଁ ନାବାଳକ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘଟଗାଁ ଥାନା ପଲାଣ ଘାଟି ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ରହିଛି । ଭଉଣୀ ମୋବାଇଲ୍‌ ନ ଦେବାରୁ 14 ବର୍ଷର ସାନଭାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ଘର ଫ୍ୟାନ୍‌ରେ ବେକରେ ଶାଢି ଗୁଡାଇ ଝୁଲି ପଡିଥିବା ସୂଚନା ମିଳିଛି । ଗତକାଲି ଭଉଣୀକୁ ସେ ମୋବାଇଲ୍‌ ମାଗିଥିଲେ । ଭଉଣୀ ତାକୁ ଦେଇନଥିବାରୁ ସେ ଏପରି ଏକ କାଣ୍ଡ ଘଟାଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ବାଲ୍ୟବିବାହ ବନ୍ଦ କଲା ଚାଇଲଡ୍ ଲାଇନ୍‌ : ଚତୁରତାର ସହ ବଡ ଝିଅକୁ ବେଦିରେ ବସାଇଥିଲେ

କନ୍ଦର୍ପ ବେହେରା
ରେଢାଖୋଲ : ଗତ କିଛି ଦିନ ତଳେ ଚାରମାଳ ଅଂଚଳରୁ ଏକ ବାଲ୍ୟ ବିବାହକୁ ପ୍ରଶାସନ ଓ ଚାଇଲଡ୍ ଲାଇନ୍ ବନ୍ଦ୍ କରିଥିବା ବେଳେ ପୁଣି ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଆଉ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ତାକୁ ପ୍ରତିରୋଧ କରିଥିବା ଘଟଣା ହସ୍ତଗତ ହୋଇଛି ।
ପ୍ରକାଶ ଯେ , ଗତ କାଲି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ପ୍ରସ୍ତୁତି ଚାଲିଥିଲା ହେଲେ ଝିଅର ବାପା,ମାଆ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଆସୁଥିବା ଜାଣି ନିଜର ବଡ ଝିଅକୁ ବେଦିରେ ବସାଇ ବାହାଘର କରିବାକୁ ସଜବାଜ ହେଉଥିଲେ ଓ ନାବାଳିକାକୁ ଲୁଚାଇ ରଖିଥିଲେ । ହେଲେ ଝିଅର ଘର ଚାଲାକିକୁ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଚେଲେଞ୍ଜ ଦେଇ ଝିଅର ବାହାଘର ହେବା ପର୍ଯ୍ୟନ୍ତ ବସି ରହିଥିଲେ । ହେଲେ ବାହାଘର ହୋଇପାରି ନଥିଲା । ଶେଷରେ ଝିଅର ବାପା ମାଆ ବାଧ୍ୟ ହୋଇ ବାହାଘର ବନ୍ଦ କରିବା ଭଳି ଘଟଣା ଏ ଅଂଚଳରେ ହାସ୍ୟରୋଳ ସୃଷ୍ଟି କରିଛି ।

ଏହି ଚଢଉରେ ଚାରମାଳ ଚାଇଲଡ୍ ଲାଇନର ସଂଯୋଜକ ସଂଜୟ ସାଗର , ଦ୍ରୌପଦୀ ପ୍ରଧାନ , ନାକଟିଦେଉଳ ସିଡିପିଓ କ୍ଷୀରାବ୍ଧୀ ପାଣ୍ଡିଆ , ନାକଟିଦେଉଳ ଥାନାଧିକାରୀ ଇସ୍ରାଏଲ ଏକ୍କା ପ୍ରମୁଖ ସାମିଲ ହୋଇଥିଲେ । ବର ପକ୍ଷ ଦେବଗଡ ଜିଲ୍ଲା ରିଆମାଳ ଥାନା ଅଂଚଳର ବୋଲି ଜଣାପଡିଛି । ଶେଷରେ ମୁଣ୍ଡ କାନ ଆଉଁସି ବର ପକ୍ଷ ଘରକୁ ଫେରିଯାଇଥିବା ଜଣା ପଡିଛି । ହେଲେ ଏଠାରେ ଏକ ପ୍ରଶ୍ନ ଆସେ ଯେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ବାହାଘର ବନ୍ଦ କରିଦେଉଥିବାବେଳେ ଚୁକ୍ତିନାମା ଲେଖିଦେଇଥାନ୍ତି । କିନ୍ତୁ ପରସମୟରେ ନିଜ ଝିଅକୁ ସେ ବର ପାଖରେ ସମର୍ପି ଦେଇଥାନ୍ତି କନ୍ୟାପକ୍ଷ । ତେଣୁ ଏଥିପାଇଁ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବା ଯାଏଁ ଏହା ସେମିତି ରହିଯିବ । ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି । ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି ।

ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନ ଙ୍କ ସହ ହେବା ପାଇଁ ସ୍ଥିର ହୋଇଥିଲା । ବରପକ୍ଷ ମଧ୍ୟ ପହଂଚି ସାରିଥିଲେ । ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ । ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନା ମିଳିଥିଲା । ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା । ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି । ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା । ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତା ତଥା ଚାରମାଳ ଥାନା ସହଯୋଗ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀଭାବେ 28 ଜଣ ବିଧାୟକ ନେଲେ ଶପଥପାଠ

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଫିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ ଆସନ୍ତା 5 ଯାଏଁ ପୌର କାର୍ଯ୍ୟାଳୟ ବନ୍ଦ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । କଣ୍ଟାକ୍ଟ ଟ୍ରେସିଂରେ 33 କର୍ମଚାରୀଙ୍କ ସ୍ବାବ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଚିହ୍ନଟ ବ୍ୟକ୍ତି ରହୁଥିବା ସାହି 5 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ । 15 ନମ୍ବର ଓ୍ବାର୍ଡର ତେଲେଙ୍ଗାସାହି ମଧ୍ୟ  5 ତାରିଖ ସକାଳ ପର୍ଯ୍ୟନ୍ତ କଣ୍ଟେନେମଣ୍ଟ ଜୋନ୍‌ରେ ରହିବ । ଏବେ କଣ୍ଟାକ୍ଟ ସର୍ଭେଲାନ୍ସ ହେବ ଓ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରଖାଯିବ । କଣ୍ଟାକ୍ଟ ଟ୍ରେସିଂରେ 33 ଜଣଙ୍କ ସ୍ବାବ୍‌ ଟେଷ୍ଟ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗଡ଼ିବ 151ଟି ଘରୋଇ ଟ୍ରେନ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଗଡ଼ିବ ୧୫୧ଟି ଘରୋଇ ଟ୍ରେନ୍ । ତେଜସ ଏକ୍ସପ୍ରେସ ଭଳି ଏସବୁ ଟ୍ରେନ ଚଳ।ଇବ।କୁ ଭ।ରତୀୟ ରେଳବ।ଇ ଯୋଜନ। ଆରମ୍ଭ କରିଛି । ୧୦୯ଟି ରୁଟରେ ଏହିସବୁ ଟ୍ରେନ ଚଳ।ଇବ।କୁ ରେଳବ।ଇ ପକ୍ଷରୁ ଟେଣ୍ଡର ମଗ।ଯ।ଇଛି । ଏଥିପ।ଇଁ ଘରୋଇ ଉଦ୍ୟୋଗ ପକ୍ଷରୁ ପ।ଖ।ପ।ଖି ୩୦ ହଜ।ର କୋଟି ଟଙ୍କ।ର ପୁଞ୍ଜି ବିନିଯୋଗ କର।ଯିବ । ଭ।ରତୀୟ ରେଳରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଏହ। ହେବ ପ୍ରଥମ ପଦକ୍ଷେପ । ଗତବର୍ଷ IRTC ପକ୍ଷରୁ ଲକ୍ଷ୍ନୌ-ଦିଲ୍ଲୀ ମଧ୍ୟରେ ତେଜସ ଏକ୍ସପ୍ରେସ ଚଳ।ଚଳ କରିଥିଲ। । ବର୍ତ୍ତମ।ନ IRTC ପକ୍ଷରୁ ତିନିଟି ରୁଟରେ କ।ଶୀ-ମହ।କ।ଳ ଏକ୍ପପ୍ରେସ, ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ, ଅହମ୍ମଦ।ବ।ଦ-ମୁମ୍ବ।ଇ ତେଜସ ଏକ୍ସପ୍ରେସ ଟ୍ରେନ ଚଳ।ଚଳ କରୁଛି । ଅତ୍ୟ।ଧୁନିକ ଜ୍ଞ।ନକୌଶଳର ପ୍ରୟୋଗ, ସମୟ।ନୁବର୍ତ୍ତିତ।,ଯୁବବର୍ଗଙ୍କ ପ।ଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏହ।ର ମୂଳ ଲକ୍ଷ୍ୟ ବୋଲି ରେଳବ।ଇ ପକ୍ଷରୁ କୁହ।ଯ।ଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ବର : ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ ସିଲ୍‌ କଲା ବିଏମ୍‌ସି । ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍‌ କରିଛି ବିଏମ୍‌ସି । କରୋନା କଟକଣା ଠିକ୍‌ ଭାବେ ପାଳନ ନ ହେବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍‌ସି । ଅନଲକ୍‌ 2,.0ରେ ରାଜ୍ୟସରକାର ଘରୋଇ ହସ୍ପିଟାଲ ପାଇଁ ନୂତନ ଏସ୍‌ଓପି ଜାରି କରିଛନ୍ତି । ନିକଟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ କଡା କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଉଛି। ନିକଟରେ ମଞ୍ଚେଶ୍ବର ବ୍ଲୁ ହ୍ବିଲ୍‌ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଥିଲା । ଗତକାଲି ମଧ୍ୟ  ସାମାଜିକ ଦୂରତ୍ବ ତଥା କରୋନା କଟକଣା ଠିକ୍‌ ରୂପେ ପାଳନ ନ ହେଇଥିବା ନେଇ ଜିମ୍‌ ସମେତ ତିନୋଟି ବଡ ବଡ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି ।

ସୂଚନାଯୋଗ୍ୟ, ଭୁବନେଶ୍ବର ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଲୋକାଲ୍‌ କେସ୍‌ ବଢୁଥିବାରୁ ବିଏମ୍‌ସି ଏବେ ଦୃଢ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 13 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ପୁଣି 13 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍‌ କ୍ବାରେଣ୍ଟଇନ୍‌ରୁ 8 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 5ଟି ରହିଛି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ହୋମ୍‌କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡ୍‌, ରାଜାରାଣୀ ମନ୍ଦିର ପୂର୍ବ ସଂକ୍ରମିତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ତିନିଜଣଙ୍କ ମଧ୍ୟରେ 24 ବର୍ଷୀୟ ଯୁବକ ଥିବାବେଳେ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି, ସେହିପରି 32 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଟଙ୍କପାଣି ରୋଡ୍‌ରୁ ଅନ୍ୟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 44 ବର୍ଷୀୟ ପୁରୁଷ ଥିବାବେଳେ 30 ବର୍ଷୀୟ ମହିଳା ଥିଲେ । ନୂଆଗାଁଠାରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁହେଁ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 30 ଓ 32 ବର୍ଷ । ସେହିପରି ୟୁନିଟ୍‌ 1ରୁ ଜଣେ 25 ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ବାଙ୍ଗାଲୋରରୁ ଫେରିଥିବାର ସୂଚନା ରହିଛି ।

ସେହିପରି 5ଟି ଲୋକାଲ୍‌ କେସ୍‌ ମଧ୍ୟରେ ଖଣ୍ଡଗିରି ଶରଧପାଲି ବସ୍ତିରୁ ଜଣେ 21ବର୍ଷୀୟ ଯୁବତୀ ଚିହ୍ନଟ ହାଇଛନ୍ତି । ସେ ନିକଟରେ ଯାଜପୁର ଜିଲ୍‌ଲା ଯାତ୍ରା କରିଥିବାର ସୂଚନା ରହିଛି । ସେହିପରି ଓଲ୍ଡ ଟାଉନ୍‌, ଭୀମଟାଙ୍କି ରୋଡ୍‌ରୁ ଜଣେ 32 ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି । ସାଲିଆ ସାହି ଜଣେ 55 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣ ରେଲ୍‌ଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି। ନୀଳାଦ୍ରିବିହାର ଅଞ୍ଚଳରୁ ଜଣେ 57 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆଉ ଜଣେ ଜୟଦେବ ବିହାରରୁ 18 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବର ସହରରୁ 9 ଜଣ ସୁସ୍ଥ ହୋଇଛନ୍ତି । ଆଜି ନୂତନ 13 ପଜିଟିଭ୍‌ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 345ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 201 ଜଣ । ସେହିପରି 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 139 ଜଣ ଏବେ ବି ସକ୍ରିୟ ରହିଛନ୍ତି ।

Categories
ବିଶେଷ ଖବର

କୋଚିଂ ସେଣ୍ଟର ଉପରେ କରୋନା ମାଡ଼

ଲିଙ୍ଗରାଜ ମିଶ୍ର

ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ  ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଆଗ୍ରହ ଯୋଗୁଁ ଆଇଆଇଟି, ଟ୍ରିପଲ ଆଇଟି, ଏମସ ଆଦି ସର୍ବଭାରତୀୟ ସଂସ୍ଥା ପ୍ରତିଷ୍ଠା ହୋଇଛି । ଏସବୁ ସଂସ୍ଥାର ଖ୍ୟାତି ମଧ୍ୟ ଜାତୀୟସ୍ତରରେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହିତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟମରେ ପରିଚାଳିତ ଦୁଇ ଦୁଇଟି ୟୁନିଭର୍ସିଟିର ସୁନାମ ମଧ୍ୟ ରହିଛି । ରାଜସ୍ଥାନର କୋଟା ଭଳି ଭୁବନେଶ୍ବର ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଉଚ୍ଚଶିକ୍ଷା ଓ ଉନ୍ନତ ମାନର କୋଚିଂ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ଛାତ୍ରଛାତ୍ରୀ ଭୁବନେଶ୍ବର ଉପରେ ନିର୍ଭର କରିଥାନ୍ତି । ଚାହିଦାକୁ ଦେଖି ଏଠାରେ ଗତ କିଛି ବର୍ଷ ମଧ୍ୟରେ ଆଗଧାଡିର ଅନେକ ଜାତୀୟ ସ୍ତରୀୟ କେନ୍ଦ୍ର ସମେତ ଛୋଟବଡ଼ ଲୋକାଲ କୋଚିଂ ସେଣ୍ଚର ରହି ଆସିଛି ।  ଯାହାକି ପିଲାଙ୍କୁ ଉନ୍ନତ ମାନର ପାଠପଢ଼ା ଯୋଗାଇ ଦେବା ସହ ଅନେକଙ୍କୁ ନିଯୁକ୍ତି ଓ କାମଧନ୍ଦାର ସୁଯୋଗ ଦେଇ ଆସିଛି । ହେଲେ ଏବେ କରୋନା ମାଡ଼ରେ ସବୁ କିଛି ଓଲଟପାଲଟ ହୋଇ ଯାଇଛି । କରୋନା ସଂକଟ ପରେ କୋଚିଂ ସେଣ୍ଚରଗୁଡ଼ିକ ଉପରେ ଲାଗିଛି କଟକଣା ।  ଅଗଷ୍ଟ 31 ଯାଏଁ କୋଚିଂ ସେଣ୍ଟର ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ଅନେକ ସଂସ୍ଥା ଅନ ଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ ସୁଦ୍ଧା ଏହା ଅଳ୍ପ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ରହୁଛି ।

ସାରା ଦେଶର ଅର୍ଥନୀତି କରୋନା ମାଡ଼ରେ କବଳିତ ହୋଇଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା । ଶିକ୍ଷାର ଗୁଣାତ୍ମକ ମାନ ବଢାଇବାରେ ଘରୋଇ ଅନୁଷ୍ଠାନ ଗୁଡ଼ିକ ବ୍ୟାବସାୟିକ ଭିତ୍ତିରେ ଏହାକୁ ଆଗେଇ ନେଉଥିବା ବେଳେ କୋଭିଡ-19 ସେମାନଙ୍କର ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି । ଅନଲାଇନ ଶିକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ହେଁ, ମାତ୍ର ବହୁତ କମ୍ ସଂଖ୍ୟାରେ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଉଛନ୍ତି । ବୈଷୟିକ କାରଣରୁ ହେଉ ବା ଅନ୍ୟାନ୍ୟ କାରଣରୁ ଅଧାରୁ ଅଧିକ ପିଲାଙ୍କ ପାଖରେ ଅନଲାଇନ ପାଠପଢ଼ା ପହଞ୍ଚି ପାରୁନାହିଁ । ସ୍କୁଲ କଲେଜରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ୟ୍ୟନ୍ତ ସବୁଠି ଗୋଟିଏ ସମସ୍ୟା । ପିଲାଏ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ । ଗୋଟିଏ ବର୍ଷ ଯଦି ନଷ୍ଟ ହୋଇଯାଏ ତାହାର ସାମଗ୍ରିକ ପ୍ରଭାବ ଯେ କେତେ ସଂଗୀନ ତାହା ସହଜେ ଅନୁମେୟ  ।

ପ୍ରବେଶିକା ପରୀକ୍ଷା ହେଉ ବା ଯେ କୌଣସି ବୋର୍ଡ ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷା ହେଉ ସବୁ କ୍ଷେତ୍ରରେ ଲାଗି ରହିଛି ଅନିଶ୍ଚିତତା । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ଶିକ୍ଷା କ୍ଷେତ୍ରଟି କେଉଁଠି ନା କେଉଁଠି ଆଢୁଆଳରେ ରହିଯିବା ଭଳି ମନେ ହେଉଛି । କରୋନା ସହ ଲଢେଇ ବେଳେ ଆମକୁ ଜୀବନ ବଞ୍ଚାଇବାକୁ ହେବ, ତା ସହିତ ଆମ ପିଲାଙ୍କ ଭବିଷ୍ୟତ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସୁତରାଂ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଭିଡ ପରିଚାଳନା ବେଳେ ଯେଭଳି ଅନ୍ୟ ସମସ୍ତ କ୍ଷେତ୍ର ପ୍ରତି ଗୁରୁତ୍ବ ଦେଉଛନ୍ତି, ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ଦୃଷ୍ଟି ଦେଇ ଏହାକୁ କିପରି ବଞ୍ଚାଇ ରଖିବାକୁ ହେବ ସେଥିପ୍ରତି ଚିନ୍ତା କରିବାର ସମୟ ଆସିଛି । କରୋନା ସହିତ ଲଢି ଶିକ୍ଷା ବ୍ୟବସ୍ଥାକୁ କିପରି ନିୟମିତ ଢାଞ୍ଚାରେ ପକାଯାଇ ପାରିବ, ସେ ଦିଗରେ ଶିକ୍ଷାବିତଙ୍କ ସୁଚିନ୍ତିତ ପରାମର୍ଶ ନିଆଯାଇ ସରକାର ବ୍ୟବସ୍ଥା କରିବା ଉଚିତ୍  ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ଖେଳପଡିଆ ନିର୍ମାଣକୁ ନେଇ ବିବାଦ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ୍‌ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି  । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ ବିଦ୍ୟାଳୟର ପରିସର ମଧ୍ୟରେ ଚାଲୁଥିବାର ଅଭିଯୋଗ ହେଉଛି  । ଏହାକୁ ନେଇ ଵାଲେଡ଼ିହ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ମାନେ ବାଣପୁର ବି.ଡ଼ି.ଓ, ବ୍ଲକ ଅଧ୍ୟକ୍ଷା, ତେର ନମ୍ବର ଜୋନ ଜିଲ୍ଲା ପରିଷଦ, ଭବାନୀପୁର ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ  ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇଦିନ ପୂର୍ବରୁ ଏହାକୁ ନେଇ ବିଭିନ୍ନ ବାଦ ବିବାଦ ସୃଷ୍ଟି ହେବାରୁ ବାଧ୍ୟହୋଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଏବଂ ବେସରକାରୀ ଜମିରେ କିପରି ସରକାରୀ ଖେଳ ପଡିଆ ନିର୍ମାଣ ହେଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ ।

ଅଭିଯୋଗ ମୁତାବକ କିଛି ଦିନତଳେ ଉକ୍ତ ଘରୋଇ ବିଦ୍ୟାଳୟ ପରିସରରେ କସରତ କରିବାକୁ ନେଇ ଗ୍ରାମର ଯୁବକମାନଙ୍କ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଯୁବକ ମାନଙ୍କୁ ବିଦ୍ୟାଳୟ ପରିସରରେ ପ୍ରବେଶ ପାଇଁ ବାରଣ କରିଥିଲେ ।ତେଣୁ ବର୍ତ୍ତମାନ ଯେତେବେଳେ ସରକାରୀ ଖେଳପଡିଆ ନିର୍ମାଣ କାର୍ଯ୍ୟ ବେସରକାରୀ ଜମିରେ ହେଉଛି ଗ୍ରାମବାସୀ ଓ ଯୁବକମାନେ ବ୍ଲକ ପ୍ରଶାସନର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠାଇଛନ୍ତି । ଘଟଣାକୁ ଗୁରୁତର ସହ ନେଇ ବାଣପୁର ବି.ଡ଼ି.ଓ ଏହାର ତଦନ୍ତ ପାଇଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଗତ ଜୁନ୍‌ 30 ତାରିଖ ଦିନ ନିର୍ଦେଶ ଦେଇଥିବା ବେଳେ ଗତକାଲି ବ୍ୟକ୍ତିଗତ ଭାବେ ନିର୍ମାଣ ଚାଲୁଥିବା ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଓଲଟି ଜଣେ ମୃତ, ସାତ ଗୁରୁତର

ବଣାଇ : ବଣାଇଠାରେ ଏକ ସଡକ ଦୁର୍ଘଟଣା ହୋଇଛି । ଏଠାରେ ଏକ ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ହୋଇଥିବାବେଳେ 7 ଜଣ ଗୁରୁତର ହୋଇଛନ୍ତି। ଗୁରୁଣ୍ଡିଆ ଥାନା କେଲଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ଟ୍ରାକ୍ଟର ଓଲଟି ପଡିଥିବାର ସୂଚନା ମିଳିଛି । ଭାରସାମ୍ୟ ହରାଇ ଟ୍ରାକ୍ଟରଟଇ ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଛି । ପିଡିଏସ୍‌ ଚାଉଳ ନେଇ କେଲଗାମରୁ ଜଟା ପଞ୍ଚାୟତ ଯିବାବେଳେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା 7 ଜଣଙ୍କୁ ବଣାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଯାନବାହନ ଚଳାଚଳ ନେଇ ଗଞ୍ଜାମ ଜିଲ୍ଲାରେ ଲାଗିଲା କଟକଣା

କେବଳ ଉପଯୁକ୍ତ  ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  6 ଲକ୍ଷ ଟପିଲା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗତ 24 ଘଣ୍ଟାରେ19 ହଜାର 148 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 434 ଜଣଙ୍କ ମୃତ୍ୟୁ ହୋଇଛି ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 4 ହଜାର 641କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 17 ହଜାର 834ରେ ପହଞ୍ଚିଛି । 2ଲକ୍ଷ 26 ହଜାର 947ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ 3ଲକ୍ଷ 59 ହଜାର 860ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ 1ଲକ୍ଷ 80 ହଜାର 298 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 8 ହଜାର 53 ମୃତ୍ୟୁ ହୋଇଛି ।

କ୍ରମାଙ୍କ ରାଜ୍ୟର ନାମ ପଜିଟିଭ୍‌ ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 100 50 0
2 ଆନ୍ଧ୍ର ପ୍ରଦେଶ 15252 6988 193
3 ଅରୁଣାଚଳ ପ୍ରଦେଶ 195 66 1
4 ଆସାମ 8582 5851 12
5 ବିହାର 10249 7946 70
6 ଚଣ୍ଡୀଗଡ 446 367 6
7 ଛତିଶଗଡ 2940 2303 14
8 ଦିଲ୍ଲୀ 89802 59992 2803
9 ଗୋଆ 1387 670 4
10 ଗୁଜୁରାଟ 33232 24030 1867
11 ହରିୟାଣା 14941 10499 240
12 ହିମାଚଳ ପ୍ରଦେଶ 979 614 10
13 ଜମ୍ମୁକାଶ୍ମୀର 7695 4856 105
14 ଝାଡଖଣ୍ଡ 2521 1931 15
15 କର୍ଣ୍ଣାଟକ 16514 8063 253
16 କେରଳ 4593 2439 24
17 ଲଦାଖ 990 694 1
18 ମଧ୍ୟପ୍ରଦେଶ 13861 10655 581
19 ମହାରାଷ୍ଟ୍ର 180298 93154 8053
20 ମଣିପୁର 1260 579 0
21 ମେଘାଳୟ 52 42 1
22 ମିଜୋରାମ 160 123 0
23 ଓଡ଼ିଶା 7316 5353 25
24 ପୁଡୁଚେରୀ 714 272 12
25 ପଞ୍ଜାବ 5668 3867 149
26 ରାଜସ୍ଥାନ 18312 14574 421
27 ତାମିଲନାଡୁ 94049 52926 1264
28 ତେଲେଙ୍ଗାନା 17357 8082 267
29 ତ୍ରିପୁରା 1396 1093 1
30 ଉତ୍ତରାଖଣ୍ଡ 2947 2317 41
31 ଉତ୍ତରପ୍ରଦେଶ 24056 16629 718
32 ପଶ୍ଚିମବଙ୍ଗ 19170 12528 683
ମୋଟ୍‌ ପଜିଟିଭ୍‌ 604641 359860 17834
Categories
ବିଶେଷ ଖବର

କୋଭିଡ-୧୯ ମୁକାବିଲା କଲାବେଳେ ଆମେ ଆମେରିକା ରାସ୍ତାରେ ବାଟ ଚାଲିବା ଆରମ୍ଭ କରିଛୁ କି?

କେଦାର ମିଶ୍ର

କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ କରୋନା ଥିଲା ଚୀନକୁ ବୁଡେଇ ଦେଉଥିବା ଏକ ଭୂତାଣୁ। ଚୀନର କର୍ପୋରେଟ ରାଜଧାନୀ ଭାବେ ପରିଚିତ ୱୁହାନ ସହର ଯେତେବେଳେ ଭୁତ ସହର ପାଲଟି ଗଲା ସେତେବେଳେ ତାକୁ ଦେଖି ଆମେରିକା ବେଶ ଆନନ୍ଦ ଅନୁଭବ କରୁଥିଲା। ଚୀନ ପରେ ଇରାନରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହେଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଅବସ୍ଥାରେ ପହଞ୍ଚି ସାରିଥିଲା। ଇରାନର ଜଣେ ପ୍ରଭାବଶାଳୀ ସେନାପତିଙ୍କୁ ଆମେରିକା ହତ୍ୟା କରିବାର ପରିଣତି ସ୍ୱରୂପ ପୂରା ଇରାନରେ ଆମେରିକା ବିରୋଧୀ ବାତାବରଣ ତିଆରି ହୋଇଥିଲା। ଏହି ସମୟରେ କରୋନା ଦ୍ଵାରା ସର୍ବାଧିକ ଆକ୍ରାନ୍ତ ଚୀନ ଓ ଇରାନ ପ୍ରତି ବହୁତ କମ ସମବେଦନା ଦେଖିବାକୁ ମିଳିଥିଲା। ଜାନୁଆରୀ-ଫେବୃଆରୀ ମାସରେ କରୋନା ମୁଖ୍ଯତଃ ତିନୋଟି ଦେଶେରେ ନିଜର କାୟା ବିସ୍ତାର କରୁଥିଲା-ଚୀନ, ଇରାନ ଓ ଦକ୍ଷିଣ କୋରିଆ। ହେଲେ ମାର୍ଚ୍ଚ ମାସ ବେଳକୁ ଏହି ମହାମାରୀର ଭୌଗୋଳିକ ବିସ୍ତାର ପୂରା ବଦଳି ଯାଇଥିଲା। ୟୁରୋପ ଏବଂ ଆମେରିକା ମାର୍ଚ୍ଚ-ଏପ୍ରିଲ ବେଳକୁ କରୋନା ଭୂତାଣୁର କବଳରେ ପଡି ସାରିଥିଲେ।

ଆଜିର ତାରିଖରେ ସ୍ଥିତି ପୂରା ଓଲଟା ହୋଇ ଯାଇଛି। ଏକଦା ଚୀନ, ଇରାନ ଓ ଦକ୍ଷିଣ କୋରିଆ ପ୍ରଥମ ତିନୋଟି ସ୍ଥାନରେ ଥିବା ବେଳେ ଏବେ ପ୍ରଥମ ତିନୋଟି ସ୍ଥାନରେ ଆମେରିକା, ବ୍ରାଜିଲ ଓ ଋଷିଆ ରହିଛନ୍ତି। ଭାରତରେ ବଢି ଚାଲିଥିବା ସଂକ୍ରମଣ ହାରକୁ ଦେଖିଲେ, ଆସନ୍ତା ସପ୍ତାହରେ ଭାରତ ଋଷିଆକୁ ଟପି ତୃତୀୟ ସ୍ଥାନକୁ ଆସିବ। ଆମେରିକାରେ କୋଭିଡ-୧୯ ସଂକ୍ରମଣ ଆରମ୍ଭରୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ଯା ବା ସଙ୍କଟ ଭାବରେ ନ ଦେଖି, ଏହା ପଛରେ ରାଜନୈତିକ ଷଡଯନ୍ତ୍ର ର କାହାଣୀ ବେଶୀ ଖୋଜାଗଲା। ଏହାକୁ ମାନବୀୟ ସଙ୍କଟ ବୋଲି ନଭାବି ଏଥିରେ ରାଜନୈତିକ ଖେଳ ଖେଳିବାର ଏକ ଉଦ୍ଦେଶ୍ୟ ଆମେରିକାକୁ ମହଙ୍ଗା ପଡିଛି। ୟୁରୋପୀୟ ଦେଶ ଗୁଡିକ ନିଜର ରାଜନୈତିକ ପରିପକ୍ଵତା ପ୍ରଦର୍ଶନ କରି ଏହାର ସମାଧାନ କରିବାରେ ସଫଳ ହୋଇଛନ୍ତି।ଇଟାଲୀ, ଜର୍ମାନୀ, ସ୍ପେନ, ଫ୍ରାନ୍ସ, ଇତ୍ୟାଦି ଦେଶ ଗୋଟେ ସମୟରେ ସର୍ବାଧିକ ସଂକ୍ରମଣ ର ଶିକାର ହୋଇଥିଲେ ମଧ୍ୟ ଏହାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ୟୁରୋପୀୟ ଦେଶମାନଙ୍କରେ ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁହାର କମି କମି ଆସୁଛି। ହେଲେ ଏହାର ଠିକ ଓଲଟା ପ୍ରକ୍ରିୟା ଆମେରିକାରେ ଦେଖିବାକୁ ମିଳିଛି।

ଗତ ମାସ ସାରା ଆମେରିକା, ବ୍ରାଜିଲ ଓ ଭାରତରେ ସଂକ୍ରମିତ ଏବଂ ମୃତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆମେରିକାର ସଂକ୍ରମଣ ସ୍ଥିତିକୁ ଦେଖି ସେଠିକାର ସଂକ୍ରାମକ ରୋଗ ର ନିରାକରଣ ପାଇଁ ନେତୃତ୍ଵ ନେଉଥିବା ବିଶିଷ୍ଟ ଡାକ୍ତର ଆଣ୍ଟୋନୀ ଫଉସୀ କହିଛନ୍ତି ଯେ, ଆମେରିକା ଅତ୍ୟନ୍ତ ବିପଜ୍ଜନକ ରାସ୍ତାରେ ଯାଉଛି। ଗତ ସପ୍ତାହରେ ଆମେରିକାରେ ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସ୍ଥିତି ଲାଗି ରହିଲେ, ଯଥା ଶୀଘ୍ର ଦିନକୁ ଏକ ଲକ୍ଷ ସଂକ୍ରମିତ ଆମେରିକାରେ ବାହାରିବା ଅସମ୍ଭବ ନୁହେଁ ବୋଲି ଡାକ୍ତର ଫଉସୀ କହିଛନ୍ତି। ଜୁନ ୨୭ ତାରିଖ ଦିନ ଆମେରିକାରେ ସର୍ବାଧିକ ୪୭,୩୪୧ ଜଣ ଆକ୍ରାନ୍ତ ବାହାରିଥିଲେ। ଗତ ସପ୍ତାହରେ ପ୍ରତିଦିନ ଆମେରିକାରେ ୪୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଏହି ସମୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପକ ହୋଇଛି। ଗତ ସପ୍ତାହ ସାରା ଭାରତରେ ପ୍ରତିଦିନ ହାରାହାରି ୧୮ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨୭ ରେ ଆମର ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଥିଲା। କରୋନା ସଂକ୍ରମଣକୁ ମାନବୀୟ ସଙ୍କଟ ବୋଲି ନ ଭାବି ଏହାକୁ ରାଜନୈତିକ ଭାବରେ ବ୍ୟବହାର କରିବାର ଭୟଙ୍କର ପ୍ରୟାସ ଆମେରିକାରେ ଅବ୍ଯାହତ ରହିଛି। ୨୭ ଲକ୍ଷ ୫୦ ହଜାର ଆକ୍ରାନ୍ତ ଏବଂ ୧.୩୦ ଲକ୍ଷ ମୃତ ଲୋକଙ୍କ ଯନ୍ତ୍ରଣା ଉପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏବେ ନିଜେ ରାଷ୍ଟ୍ରପତି ନିର୍ବାଚନୀ ରାଲି ଆୟୋଜନ କରିବା ଆରମ୍ଭ କଲେଣି। ଆମେରିକାରେ ଦିନକୁ ଦିନ ରାଜନୈତିକ ଘନଘଟା କରୋନା ସଙ୍କଟକୁ ଅଧିକ ଗମ୍ଭୀର କରୁଛି।

ଭାରତ ସିଧାସଳଖ ଆମେରିକା ରାସ୍ତାରେ ଚାଲିବାକୁ ପସନ୍ଦ କରୁଛି। ମାର୍ଚ୍ଚ ଓ ଏପ୍ରିଲ ବେଳକୁ କରୋନା ବିରୋଧୀ ସଂଘର୍ଷକୁ ଏକ ଜାତୀୟ ଆହ୍ଵାନ ବୋଲି କୁହାଯାଉଥିଲା। ମଇ ମାସରୁ ଏଥିରୁ ରାଜନୈତିକ ଫାଇଦା ଉଠାଇବାର ପ୍ରକ୍ରିୟା ଖୋଦ ଶାସକ ବିଜେପି ଆରମ୍ଭ କଲା। ପ୍ରଥମେ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ର ବିରୋଧୀ ସରକାରକୁ ଅପଦସ୍ତ କରିବାର ଯୋଜନା ଯୋଗୁଁ ଉଭୟ ରାଜ୍ୟରେ ରାଜନୀତି ଅତ୍ୟନ୍ତ ଉଗ୍ର ରୂପ ନେଇଥିଲା। ପରବର୍ତ୍ତୀ ପର୍ୟାୟରେ ପୂରା ଦେଶରେ ବିଜେପି ନିଜର ରାଜନୈତିକ ପ୍ରଚାରକୁ ତୀବ୍ର କରିବା ଆରମ୍ଭ କଲା। କରୋନା ସଂକ୍ରମଣ ସହିତ ଭାରତ-ଚୀନ ସୀମାନ୍ତରେ ସାମରିକ ଉତ୍ତେଜନା କାରଣରୁ ପରିସ୍ଥିତି ଅଧିକ ଜଟିଳ ହେବା ଆରମ୍ଭ କଲା।

ଉଭୟ କରୋନା ମୁକାବିଲା ଓ ସୀମାନ୍ତ ଉତ୍ତେଜନା ସମୟରେ ଆମଦେଶରେ ରାଜନୈତିକ ଏକତାର ଆବଶ୍ୟକତା ଅଧିକ ଥିବା ବେଳେ, ଆମେ ଆମେରିକା ଭଳି ବ୍ୟକ୍ତିଭିତ୍ତିକ ରାଜନୀତିର ଚକ୍ରବ୍ୟୁହରେ ପଡିସାରିଛୁ। ସମସ୍ୟାର ସମାଧାନ ତୁଳନାରେ ରାଜନୈତିକ ବ୍ୟକ୍ତିତ୍ବ ଚମକାଇବାର ଉଦ୍ଦେଶ୍ୟ ଆମକୁ ଅଧିକ ବିପଦ ଆଡକୁ ଟାଣି ନେଉଛି।

Categories
ଆଜିର ଖବର ଜାତୀୟ ଖବର

ଜିିଭିକେ ଅଧ୍ୟକ୍ଷଙ୍କ ବିରୋଧରେ ସିବିଆଇ ମାମଲା

ମୁମ୍ବାଇ :  ଅର୍ଥ ତୋଷରପାତ ଅଭିଯୋଗରେ ଜିଭିକେ ଗ୍ରୁପ୍‌ ଅଫ କମ୍ପାନିଜର ଅଧ୍ୟକ୍ଷ ଜି.ଭି.କ୍ରିଷ୍ଣା ରେଡ୍ଡି ଓ ତାଙ୍କ ପୁଅଙ୍କ ନାଁରେ ସିବିଆଇର ମାମଲା ରୁଜୁ ।  ବିମାନବନ୍ଦର ପରିଚାଳନାରେ 705 କୋଟି ଟଙ୍କାର ଆର୍ଥିକ ହେରଫେର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲା ରୁଜୁ କରିଛି । ଜି.ଭି.କ୍ରିଷ୍ଣା ରେଡ୍ଡି ଜିଭିକେ ଗୃପ ଅଫ କମ୍ପାନିଜର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୁଅ ଜି.ଭି.ସଂଜୟ ରେଡ୍ଡି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦେଶକ ରହିଛନ୍ତି । (ଏଜେନ୍ସି)

 

Categories
ଫଟୋ ଖବର

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନରେ ପଣସ, ମନ୍ତ୍ରୀ ସକାଳୁ ସକାଳୁ ଦେଖି ବେଶ ଖୁସ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପଣସ , କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନରେ ପଣସ, ମନ୍ତ୍ରୀ ସକାଳୁ ସକାଳୁ ଦେଖି ବେଶ ଖୁସ