ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ ସମୟର ୫ମାସ ପୂର୍ବରୁ ପୂରଣ କଲା ଭାରତ

Published: Jun 6, 2022, 11:20 am IST

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି।

ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’ ୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି। ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି। ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି। ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ ହ୍ରାସ କରିଛନ୍ତି।

୨୦୨୧ଜୁନ ମାସରେ ପ୍ରଧାନମନ୍ତ୍ରୀ ମଧ୍ୟ “୨୦୨୦-୨୫” ପାଇଁ ଉଦ୍ଦିଷ୍ଟ ଇଥାନଲ ମିଶ୍ରଣ ସଂକ୍ରାନ୍ତ ଏକ ଯୋଜନା ଖସଡାକୁ ଉନ୍ମୋଚନ କରିଥିଲେ। ଏଥିରେ ୨୦% ଇଥାନଲ ବ୍ଲେଡିଂ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶାବଳୀ ଓ ମାର୍ଗ ରହିଛି। ଏହି ଯୋଜନା ଖସଡାରେ ପେଟ୍ରୋଲରେ ୧୦ଶତାଂଶ ଇଥାନଲ ମିଶ୍ରଣ ୨୦୨୨ନଭେମ୍ବର ସୁଦ୍ଧା ହାସଲ କରିବାକୁ ଏକ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ତେବେ ସେ ଯା’ ହେଉ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକରେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ୧୦% ବ୍ଲେଡିଂ ଲକ୍ଷ୍ୟ ଧାର୍ଯ୍ୟ ସମୟରୁ ଯଥେଷ୍ଟ ଆଗରୁ ପୂରଣ ହୋଇଛି। ବର୍ତ୍ତମାନ ସୁଦ୍ଧା  ଦେଶର ସବୁ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲରେ ହାରାହାରୀ ୧୦ଶତାଂଶ ଇଥାନଲ ମିଶ୍ରଣ କରିବାକୁ ସକ୍ଷମ ହୋଇଛନ୍ତି  ଏବଂ  କରୁଛନ୍ତି  ମଧ୍ୟ।

ବିଗତ ଆଠବର୍ଷର ପ୍ରୟାସଲବ୍ଧ ଏହି ସଫଳତା ଦ୍ୱାରା ଭାରତର ଊର୍ଜା ନିରାପତ୍ତା କେବଳ ବଢିନାହିଁ, ଏହାଫଳରେ ଦେଶ, ୪୧, ୫୦୦କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବାରେ ସଫଳ ହୋଇଛି। ତୈଳ ଆମଦାନୀ ହ୍ରାସ ପାଇବା ସହିତ ଏହି ସମୟରେ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ୨୭ଲକ୍ଷ ମେଟ୍ରିକ ଟନ୍ ହ୍ରାସ ପାଇଛି। ସେହିଭଳି ଆଖୁଚାଷୀମାନଙ୍କୁ ୪୦, ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସ ଫଳରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଠିକ୍ ବାଟରେ ଚାଲିଛି। ଏହାଫଳରେ ଧାର୍ଯ୍ୟ ସମୟ ୨୦୨୫-୨୬ ସୁଦ୍ଧା ଭାରତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଅଚିରେ ପୂରଣ କରିପାରିବ।

ସୂଚନାଯୋଗ୍ୟ ଯେ, ଆଖୁରସରୁ ପ୍ରସ୍ତୁତ ସୂରାସାର ବା ଇଥାନଲ ଉତ୍ପାଦନକୁ ସରକାର ଏବେ ଉତ୍ସାହିତ କରୁଛନ୍ତି। ତେଣୁ ଚିନିକଳ ମାଲିକମାନେ ଚାଷୀଙ୍କ ଠାରୁ ଆଖୁ କିଣି ଇଥାନଲ ଉତ୍ପାଦନ କାମରେ ଅନବରତ ଲାଗିଛନ୍ତି।

****

 

Related posts