Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: ଆଜି ବିଜେଡିର ଏକ ଚାରି ଜଣିଆ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ସେମାନେ ଧାମନଗରରେ ହେଉଥିବା ଉପନିର୍ବାଚନରେ ବିଜେପି କଳା ଟଙ୍କା ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଧାମନଗରରେ ବିଜେପି ଏସଏଚଜି ମହିଳାମାନଙ୍କୁ ଅପମାନିତ କରିଛି। ଏକ ଛଦ୍ମବେଶୀ ମହିଳାଙ୍କ ଦ୍ବାରା ଟଙ୍କା ବାଣ୍ଟି ସେ ଜଣେ ଏସଏଚଜି ମହିଳା ବୋଲି ବିଜେପି ପ୍ରଚାର କରୁଛି। ଯାହା ଭୁଲ, ଏହା ବିଜେପିର ଏକ ଷଢଯନ୍ତ୍ର ବୋଲି ବିଜେଡି କହିଛି।

ସେହିପରି ବିଜେପି ଧାମନଗର ଉପନିର୍ବାଚନରେ ନିୟୋଜିତ ଅଧିକାରୀଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି। ସେମାନଙ୍କ ନାମରେ ମିଛ ଅଭିଯୋଗ ଆଣି ସେମାନଙ୍କୁ ହତାଶ କରାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏମାନେ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଅଫିସରଙ୍କୁ ଧମକ ଦେଉଛିନ୍ତି ବୋଲି ବିଜେଡି କହିଛି।

ବିଜେପି ଧାମନଗରରେ ହାରିଯିବା ଭୟରେ ଏପରି କରୁଛି। ନିର୍ବାଚନ କମିଶନର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି। ଏଥିସହିତ ଧାମନଗର ଉପନିର୍ବାଚନରେ ଏକ ସ୍ବତନ୍ତ୍ର ମନିଟରିଂ ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ନିର୍ବାଚନ କମିିଶନରଙ୍କ ନିକଟରେ ଦାବୀ କରିଛି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ମୁନ୍ନା ଖାଁ ଏବଂ ସାଂସଦ ନିଶିକାନ୍ତ ବିଶି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: ଆଚରଣବିଧି ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ, ସିଇଓ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେଲା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଏହା ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲୁଅଛି ଓ ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେଉଥିବା ନେଇ ଅନେକଗୁଡ଼ିଏ ଅଭିଯୋଗ ଆମ ପାଖକୁ ଆସୁଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିବାବେଳେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ନିର୍ବାଚନ ସମୟରେ ବେଆଇନ କାର୍ଯ୍ୟ ଯଥା ଭୋଟରମାନଙ୍କୁ ଟଙ୍କା ଦେଇ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ନିୟମିତ ଭୟଭୀତ କରାଇ ଭୋଟଦେବା ପାଇଁ ବାଧ୍ୟ କରିବା ହେଉଛି ଜଘନ୍ୟ ଅପରାଧ। ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହି ବି ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ) ଏବଂ ୧୭୧(ଚ) ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତିା

ଆସନ୍ତା ଉପନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଆଦର୍ଶ ଆଚରଣବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପଦେଶ ଦେଇଛନ୍ତି ଓ ଏହାର ବ୍ୟତିକ୍ରମ ହେଲେ ନିଶ୍ଚିତ ଭାବେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଉପନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ ସମୟରେ କ’ଣ କରିବା ଓ କ’ଣ ନକରିବା  ସଂପର୍କରେ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ସହ ଅବଗତ କରାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗ ସି-ଭିଜିଲ୍‌ ନାମକ ଏକ ମୋବାଇଲ୍‌ ଆପ୍‌ ଜାଗ୍ରତ ନାଗରିକମାନଙ୍କ ପାଇଁ ପ୍ରଚଳନ କରିଛନ୍ତି। ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍‌ କାମ ଯଥା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବା ଧମକଚମକ ଦେଇ ଭୋଟ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତାହାହେଲେ ଜାଗ୍ରତ ନାଗରିକମାନେ ନିଜ ମୋବାଇଲ୍‌ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍‌ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣବିଧିର କଡ଼ାକଡ଼ି ପାଳନ ନିମନ୍ତେ ସବୁ ପ୍ରକାରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଲଗାଇଛନ୍ତି।

ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଗାଡ଼ିର ଅପବ୍ୟବହାର, ଡାକବାଜି ଯନ୍ତ୍ର ବ୍ୟବହାର ଆଇନର ଉଲ୍ଲଂଘନ କରିବା, ବେଆଇନ ଭାବେ ସଭାସମିତି କରିବା, ଭୋଟରଙ୍କୁ ଟଙ୍କା ଦେଇ ନିଜ ସପକ୍ଷରେ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦି ବାବଦରେ ଅଦ୍ୟାବଧି ସର୍ବମୋଟ ୧୦୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସବୁଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଥାନାରେ ଦୁଇଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦରଜ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ପ୍ରକାଶ କରିଛନ୍ତି।

ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଜନସାଧାରଣ ଓ ବ୍ୟକ୍ତିଗତ କୋଠାବାଡ଼ିଗୁଡ଼ିକୁ ବିକୃତ କରି ନିର୍ବାଚନ ପ୍ରଚାର (ପେଣ୍ଟିଂ ) କରିବା ଅଭିଯୋଗରେ ୧୬୧୪ ଗୋଟି କେସ୍‌ ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ଜନସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି ଯଥା କୋଠାବାଡ଼ିଗୁଡ଼ିକରେ ପୋଷ୍ଟରବ୍ୟାନର, କାନ୍ଥରେ ଲେଖିବା ଇତ୍ୟାଦି ଅଭିଯୋଗରେ ୨୦୦୬ ଗୋଟି କେସ୍‌ ଧରା ପଡ଼ିବାେ ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପୋଲିସ ପ୍ରଶାସନ ଦ୍ୱାରା ଚଢ଼ାଉ କରାଯାଇ ୬୩୯ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ସିଆର୍‌ପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୦୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ ଗୋଟି କେସ୍‌ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ୧୪୦୦ ହଜାର ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନମନଗର ଉପନିର୍ବାଚନରେ କିଛି ଅନିୟମତା ଦେଖିଲେ ଏହି ଦୁଇ ଜଣଙ୍କୁ କରନ୍ତୁ ଫୋନ

ଭୁବନେଶ୍ବର:  ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ଯଦି କିଏ କେଉଁଠି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଦୃଷ୍ଟିକୁ ଆସେ ତେବେ ଆପଣ ଫୋନ କରି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇଜଣ ବରିଷ୍ଠ ଆଇଏଏସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।

ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଲେ ଏପରି କଥା

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ଲିଗାଲ୍ କୁଇକ୍ ଆକ୍ସନ କମିଟିର ଅଧ୍ୟକ୍ଷ, ବରିଷ୍ଠ ଆଇନ୍‌ଜୀବୀ ଶ୍ରୀଯୁକ୍ତ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସ ଭବନରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଧାମନଗର ଉପନିର୍ବାଚନରେ ବିଜୁ ଜନତାଦଳ ଓ ଭାରତୀୟ ଜନତା ପାର୍ଟି ଦ୍ୱାରା ହେଉଥିବା ବିଭିନ୍ନ ଅନୈତିକ କାର୍ଯ୍ୟ, ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ଭୋଟର ମାନଙ୍କୁ ଭୟଭୀତ କରିବା ସହିତ ଭୋଟ ବ୍ୟବଧାନ ଅଧିକ ହେଲେ ପୁରସ୍କୃତ କରିବା ପ୍ରଲୋଭନ ଦେଖାଇବା ଇତ୍ୟାଦି ବିରୁଦ୍ଧରେ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ବିଷୋଦ୍‌ଗାର କରିଥିଲେ ।

ଏହି ନିର୍ବାଚନକୁ ନିରପେକ୍ଷ ଉପାୟରେ କରାନଗଲେ, ଆଗାମୀ ଦିନରେ କଂଗ୍ରେସ ଦଳ ଦୃଢ଼ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସ୍ଥିତ ସଦସ୍ୟବୃନ୍ଦ ସର୍ବୋପରି ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ବରିଷ୍ଠ ନେତା ପ୍ରକାଶ ଜେନା ଏହି ସମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତିି । ଶେଷରେ ସଦସ୍ୟ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ମଇଦାନକୁ ଭର୍ଚ୍ୟୁୟାଲି ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଧାମନଗର ଭୋଟ। ଏଥରର ଉପନିର୍ବାଚନ ଟିକିଏ ସରଗରମ ହେଉଛି। କାରଣ ପ୍ରଥମ ଥର ପାଇଁ ବିଜେଡିର ଜଣେ ବିଦ୍ରୋହୀ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେଥିପାଇଁ ପୁରା ଧାମନଗରରେ ବିଜେଡି ଟିମ୍ ନିଜର ଜାନ ଲଗାଇ କାମ କରୁଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପୁରା ସେଠାରେ ଶିବିର ପକାଇ ଜଗି ରହିଛନ୍ତି।

ଏହି ଉପନିର୍ବାଚନଟି ବେଶ ଟକରାଟକରି ହେଉଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ଥିଲା। ହେଲେ ଶେଷ ମୁର୍ହତରେ ଏହାକୁ ବନ୍ଦ କରାଗଲା। ଆଜି ଦଳ ତରଫରୁ କୁହାଯାଇଛି ଯେ, 31 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁୟାଲି ପ୍ରଚାର କରିବେ। ପୂର୍ବରୁ ଯେତେ ଉପନିର୍ବାଚନ ହୋଇଛି ସେଥିରେ ସେ ଭର୍ଚ୍ୟୁୟାଲି ପ୍ରଚାର କରିଛନ୍ତି। ଆଉ ସଫଳତା ମଧ୍ୟ ହାସଲ କରିଛନ୍ତି। ଏଥର ମଧ୍ୟ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦଳ ଆଶା ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Bypoll: ନିର୍ବାଚନ ଅଧିକାରଙ୍କ ନିକଟରେ ବିଜେପି ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଛି। ଧାମନଗର ଉପନିର୍ବାଚନରେ ବିଜେପିର ନେତାମାନେ ଭୋଟରମାନଙ୍କୁ ପ୍ରଲୋଭିତ କରୁଛନ୍ତି। ବିଜେପି ନେତାମାନେ ଭୋଟରଙ୍କୁ ଜବରଦସ୍ତ କିମ୍ବା ଟଙ୍କା ଦେଇ ପ୍ରଲୋଭନ କରିବାରେ ଲାଗିଛନ୍ତି। ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ବୋଲି କୁହାଯାଇଛି।

ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Byelection: ବିଜେଡି ବିରୋଧରେ ସିଇଓଙ୍କୁ ଭେଟିଲେ ବିଜେପି ସଭାପତି

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲୁଛି। ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଂଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି। ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି।

ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟୀତ୍ୱରେ ନିୟୋଜିତ ଅଛନ୍ତି। ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ, ଭଦ୍ରକ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏସଏଚଜି ଗୃପ ଜରିଆରେ ଟଙ୍କା ବାଂଟିବାର ପ୍ରମାଣ ଦିଆଯିବା ସତ୍ୱେ ସିଇଓ କିମ୍ବା ଜିଲ୍ଲାପାଳ କୈାଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

ଅନ୍ୟ ପଟେ ନିଜ ଆଡୁ କୈାଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରୁନଥିବା ଉଭୟ ସିଇଓ ଓ ଜିଲ୍ଲାପାଳ ପ୍ରଛଦ୍ଦପଟରେ ରହି ଶାସକ ବିଜେଡି ସପକ୍ଷରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ।

ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦୀ ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହାର ଭିଡିଓ ବର୍ତମାନ ହାଟରେ ପଡି ଦାଣ୍ଡରେ ବୁଲୁଛି, ତଥାପି ଉଭୟ ସିଇଓ ଏବଂ ଜିଲ୍ଲାପାଳ ନୀରବ। ନିଜ କର୍ତବ୍ୟ ଓ ଦାୟୀତ୍ୱରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସପୂର୍ଣ୍ଣଅଗଣତାନ୍ତ୍ରୀକ ଓ ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଶାସକ ବିଜେଡିର ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଏବଂ ସିଇଓ ଓ ଜିଲ୍ଲାପାଳଙ୍କ ପକ୍ଷପାତିତା ବିରୁଦ୍ଧରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି। ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସମେତ ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି । ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ, ୧୭୧-ଏଫ୍ ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏଥି ସହ ଭୋଟରଙ୍କୁ ଲାଂଚ ଦେବା ପାଇଁ ପ୍ରବର୍ଥାଉଥିବା ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ଆଗାମୀ ଦିନରେ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ସେମାନଙ୍କୁ ବାଦ୍ ଦେବା ପାଇଁ ଦାବୀ କରାଯାଇଛି। ଆସନ୍ତା ୪୮ ଘଂଟା ଭିତରେ ସିଇଓ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟୀ ତରଫରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅବସରରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମୁଖପାତ୍ର ମନୋଜ ମହାପାତ୍ର, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Byelection: ଜବତ ହେଲାଣି ୧୦ ଲକ୍ଷ ଟଙ୍କାର ମଦ, ୧୮୭ଟି ଅସ୍ତ୍ରଶସ୍ତ୍ର

ଭୁବନେଶ୍ବର: ବର୍ତ୍ତମାନ ଧାମନଗର ଉପନିର୍ବାଚନ ଲଢେଇ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳ ତରଫରୁ କର୍ମିମାନେ ଲଢେଇ କରିବା ଆରମ୍ଭ କରିସାରିଲେଣି। ତେବେ ଏହି ଲଢେଇ ଭିତରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡା ନଜର ରଖିଛନ୍ତି ନିର୍ବାଚନ ଅଧିକାରୀ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ, ମଇଦାନରେ ମୋଟ ୫ ପ୍ରାର୍ଥୀ

Dhamnagar Byelection : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ମଧ୍ୟରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀପତ୍ର ଯାଞ୍ଚବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଥିଲା ଓ ସମୁଦାୟ ୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍‌ ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଶେଷରେ ୫ ଜଣ ପ୍ରାର୍ଥୀ ଯଥା ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଉପନିର୍ବାଚନ ଲଢ଼ିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥର ଉପନିର୍ବାଚନରେ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ଡମି ବ୍ରେଲି ବାଲାଟ୍‌ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୪୧୭ ଓ ସମୁଦାୟ ବୁଥ୍‌ ସଂଖ୍ୟା ହେଉଛି ୨୫୨ ।

ସମୁଦାୟ ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟର ୧୨,୧୬୨ ଜଣଙ୍କ ମଧ୍ୟରୁ ୫୦୫ ଜଣ ଭୋଟର ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡୋମାେଇଜେସନ୍‌ କାର୍ଯ୍ୟ ସମାପ୍ତ ହୋଇଛି ଓ ନଭେମ୍ବର ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ୍‌ କାର୍ଯ୍ୟ ସମାପ୍ତ ହେବ ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନ ଶେଷ ହେବା ଯାଏ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯାଉ: ବିଜେପି

ଭୁବନେଶ୍ୱର : ସରକାରୀ କର୍ମକର୍ତାମାନଙ୍କୁ ଶାସକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାବେ ବ୍ୟବହାର କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତାଇବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଅତୀତରେ ପୋଲିସ, ଆମ୍ବୁଲାନ୍ସର ସହାୟତାରେ ଟଙ୍କା ବାଂଟୁଥିବାର ଅନେକ ନଜିର ଅତୀତରେ ଦେଖିବାକୁ ମିଳିଛି।

ବର୍ତ୍ତମାନ ଆଉ ଗୋଟିଏ ପାଦ ଆଗେଇ ଆସି ସ୍ୱୟଂସହାୟକ ଗୋଷ୍ଠୀଙ୍କ (ଏସ୍‌ଏଚ୍‌ଜି) ସହାୟତାରେ ଅନୈତିକ ଉପାୟରେ ବ୍ୟାପକ ଟଙ୍କା ବାଂଟୁଛି ଶାସକ ବିଜେଡି। ଧାମନଗର ଉପନିର୍ବାଚନରେ ମଧ୍ୟ ସମାନ ପନ୍ଥା ଆପାଣାଇଥିବା ଶାସକ ବିଜେଡି ଏସ୍‌ଏଚ୍‌ଜି ଗ୍ରୁପ ମାଧ୍ୟମରେ ଟଙ୍କା ବାଂଟିବାର ପ୍ରୟାସ ଆରମ୍ଭ କରିଦେଇଛି ବିଜେଡି। ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ।

ତେଣୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯିବାକୁ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି।

ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ଏମ୍‌ବିକେ, ସିଆରପି ଭଳି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଟଙ୍କା ବାଂଟିବାର କାର୍ଯ୍ୟରେ ନିୟୋଜିତ କରୁଛି। ଶାସକ ବିଜେଡି ମିଶନଶକ୍ତି ଜରିଆରେ ଏମ୍‌ବିକେ ଓ ସିଆରପିମାନଙ୍କୁ ଲଗାଇ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ସମ୍ମିଳନୀ କରାଇ ଭୋଟ୍ ପାଇଁ ପ୍ରଭାବିତ କରୁଛି।

ଗତ ପଂଚାୟତ, ପୌର ନିର୍ବାଚନ ଓ ବ୍ରଜରାଜନଗର ସମୟରେ ଏଭଳି ଅନେକ ଘଟଣାମାନ ସାମ୍ନାକୁ ଆସିଥିଲା ଏବଂ ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ବରଂ ନିରବଦ୍ରଷ୍ଟା ସାଜି ଶାସକ ବିଜେଡି ସପକ୍ଷରେ ଭୋଟ୍ କରାଇବା କାର୍ଯ୍ୟରେ ଏସ୍‌ଏଚ୍‌ଜି କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହିତ କରାଯାଇଥିଲା। ଯାହାକି ସଂପୂର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ୱ ହେଉଛି ନିର୍ବାଚନ ଆୟୋଗଙ୍କର ଏବଂ ନିଜ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆୟୋଗ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି।

ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ, ଦେଲେ ଏହି ପରାମର୍ଶ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ଅନୁସାରେ ଅକ୍ଟୋବର ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା.୦୧/୦୧/୨୦୨୨ରିଖ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ଅଟେ।

ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ଏମ୍‌-୩ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୨ ଗୋଟି ବୁଥ୍‌ରେ ଏଥର ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ୍‌ ଜରିଆରେ ସେମାନେ ଘରେ ରହି ମତଦାନ କରିପାରିବେ ଓ ଏଥି ନିମନ୍ତେ ୨୦ ଗୋଟି ପୁଲିଙ୍ଗ ପାର୍ଟିଙ୍କ ସହ ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ।

ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ଧାମନଗର ଉପନିର୍ବାଚନରେ ଭୋଟର ଫଟୋ ପରିଚୟ ପତ୍ର ସହ ଅନ୍ୟ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମତଦାନ ସମୟରେ ଭୋଟରମାନେ ବ୍ୟବହାର କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୪୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ବୋଲି ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।  ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ତିନିଗୋଟି ପର୍ଯ୍ୟାୟରେ ସେମାନଙ୍କ ସଂପର୍କରେ ପ୍ରଚାରପ୍ରସାର କରିବେ। ଯାହାଫଳରେ ଭୋଟରମାନେ ପ୍ରାର୍ଥୀମାନଙ୍କ ସଂପର୍କରେ ନିର୍ବାଚନ ପୂର୍ବରୁ ସବିଶେଷ ସୂଚନା ପାଇପାରିବେ।

ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଥମ ୪ ଦିନ ମଧ୍ୟରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ରୁ ୮ ଦିନ ମଧ୍ୟରେ ଓ ତୃତୀୟ ପର୍ଯ୍ୟାୟରେ ୯ମ ଦିନଠାରୁ ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଧାମନଗର ଉପନିର୍ବାଚନରେ ଶତକଡ଼ା ୫୦ ଭାଗ ଅର୍ଥାତ୍‌ ୧୨୬ଗୋଟି ବୁଥ୍‌ରେ େୱବ୍‌କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି। ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଓ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଏଥର ଉପନିର୍ବାଚନ ପାଇଁ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍‌ ରାଜ୍ୟ ପୋଲିସବଳ ନିୟୋଜିତ ହେବେ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ ଗୋଟି ବୁଥ୍‌ ମଧ୍ୟରୁ ୧୦୭ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ କମୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ ଦାସ, ବିଜୁ ଜନତା ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଉପସଭାପତି ଶିବାନନ୍ଦ ରାୟଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା

Dhamnagar Byelection: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ 40 ଜଣ ଥିବା ପ୍ରଚାରକ ମଧ୍ୟରେ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ। ତେବେ ଏହି ତାଲିକାରେ ପ୍ରଥମରେ ଅଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ସେହିପରି ଏହି ତାଲିକାରେ ଓଡିଶା ପ୍ରଭାରୀ ସୁନୀଲ ବଂଶଲ, ଡି ପୁରେନ୍ଦେଶ୍ବରୀ ଏବଂ ବିଜୟପାଳ ସିଂ ତୋମାର ମଧ୍ୟ ଅଛନ୍ତି। ଧାମନଗର ଉପନିର୍ବାଚନରେ ଏହି ତାରକାଗଣ ପ୍ରଚାର କରିବେ।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Byelection: ବିଜେଡି ପ୍ରକାଶ କଲା ଚାଲିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ 40 ଜଣ ଷ୍ଟାର ପ୍ରଚାରକ ଅଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ 2ୟରେ ପ୍ରଣବ ପ୍ରକାଶ ଦାସ ଅଛନ୍ତି।

ଆସନ୍ତା ନଭେମ୍ବର 3 ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏଥିପାଇଁ ପ୍ରମୁଖ ତିନି ଦଳ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ। ଏହି ଷ୍ଟାର ପ୍ରଚାରକ ତାଲିକା ବାହାରିବା ପରେ ବର୍ତ୍ତମାନ ମଇଦନ ଦୁଲୁକିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ କି ରାଜେନ୍ଦ୍ର ଦାସ, ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ। ସେ ପୂର୍ବରୁ ବିଜେଡି ବିଧାୟକ ଥିଲେ, ଏପରିକି ଧାମନଗରରେ ବିଜେଡି ସଂଗଠନକୁ ସୁଦୃଢ ମଧ୍ୟ ରଖିଥିଲେ।

ହେଲେ ଏହି ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଲା ନାହିଁ। ଅନ୍ୟପକ୍ଷରେ ତାଙ୍କ ପାଖରେ କାମ କରୁଥିବା ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଟିକେଟ ମିଳିଲା।

ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ରାଜେନ୍ଦ୍ର। ତାଙ୍କୁ ବିଜେଡି ତରଫରୁ ପ୍ରଣବ ପ୍ରକାଶ ଦାସ ମନେଇବାରେ ବହୁ ଚେଷ୍ଠା ମଧ୍ୟ କରିଛନ୍ତି। ସେ ରାଜି ମଧ୍ୟ ହୋଇଥିଲେ। ଟିକେଟ ଘୋଷଣା ବେଳକୁ ସେ ପାଖରେ ମଧ୍ୟ ଥିଲେ। ହେଲେ ନିର୍ବାଚନ ମଣ୍ଡଳୀ ଯିବା ପରେ ତାଙ୍କର ପଟ ବଦଳି ଗଲା। କର୍ମିମାନେ ଅବନ୍ତିଙ୍କୁ ଟିକେଟ ଦେବାକୁ ନେଇ ସହଜରେ ଗ୍ରହଣ କଲେ ନାହିଁ।

ଗତକାଲି ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ। ଏହି ଘୋଷଣା ପରେ ବିଜେଡି ଶିବିରରେ ଛନକା ପଶିଗଲା। କିପରି ତାଙ୍କୁ ମ୍ୟାନେଜ କରାଯିବ ସେଥିରେ ଗତକାଲି ରାତି ତମାମ ଚାଲିଲା କସରତ। ହେଲେ କିଛି କାମ ଦେଲା ନାହିଁ।

ରାଜେନ୍ଦ୍ର ଆଉ କୌଣସି କଥାରେ ରାଜି ହେଲେ ନାହିଁ। ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଘୋଷଣା କରି ଆଜି ସ୍ବାଧୀନ ପ୍ରାର୍ଥି ଭାବେ ତାହା ଦାଖଲ କଲେ।

ତଥାପି ବିଜେଡି ତାଙ୍କର ପିଛା ଛାଡି ନାହିଁ। ପ୍ରାର୍ଥୀପତ୍ର କିପରି ସେ ପ୍ରତ୍ୟାହାର କରିବେ ସେଥିପାଇଁ ବିଜେଡିର ଏକ ବଡ ଟିମ ଅନବରତ କାମ କରିବାରେ ଲାଗିଛନ୍ତି। ପ୍ରାର୍ଥୀ ପତ୍ର ଦାଖଲ ହେଉ ପଛେ କିପରି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସେ ନେଇ ଜୋରଦାର ଉଦ୍ୟମ ଚାଲିଛି।

ଶେଷ ପର୍ଯ୍ୟନ୍ତ ଚେଷ୍ଠା ଜାରି ରଖିଛନ୍ତି ପ୍ରଣବ ପ୍ରକାଶ ଦାସ। ବିଭିନ୍ନ ଲୋଭନୀୟ କଥା ଦେଖାଇ ତାଙ୍କୁ ହୁଏତ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ବୁଝେଇପାରିବେ ବୋଲି ଦଳ ଆଶା ରଖିଛି। ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ୧୭ ତାରିଖ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: ଶେଷରେ ବହୁ ବାଦବିବାଦ ପରେ ବର୍ତ୍ତମାନ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ଆଜି ସକାଳେ ତାଙ୍କର ସମର୍ଥକଙ୍କ ସହିତ ବିରାଟ ପଦଯାତ୍ରାରେ ଯାଇ ଏହି ନାମାଙ୍କନ ଭରିଛନ୍ତି। ଫଳରେ ରାଜେନ୍ଦ୍ରଙ୍କୁ ପରିଚାଳନା କରିବାରେ ବିଜେଡି ଫେଲ ମାରିଛି।

ବିଜେଡି ତରଫରୁ ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ତୀବ୍ର ଅସନ୍ତୁଷ୍ଟ
ଥିଲେ। ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଘୋଷଣା କରିଥିଲେ। ଫଳରେ ଧାମନଗର ରାଜନୀତି ଚଳଚଞ୍ଚ ହୋଇପଡିଲା। କାରଣ ରାଜେନ୍ଦ୍ର ଦାସ ଜଣେ ପୂର୍ବତନ ବିଧାୟକ ଭାବେ ତାଙ୍କର ସଂଗଠନ ରହିଛି। ଫଳରେ ସେ ଏହି ଉପନିର୍ବାଚନରେ ବେଶ ଟକ୍କର ଦେବେ ବୋଲି ସମ୍ଭାବନା ସୃଷ୍ଟି କରିଛି।

ତେବେ ପରବର୍ତ୍ତି ସମୟରେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନରେ ବିଜେପିକୁ ଧକ୍କା, ବିଡିଓ ବଦଳି ଅଭିଯୋଗକୁ ଖଣ୍ଡନ କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଶେଷରେ ଧାମନଗରର ଦୁଇ ବିଡିଓ ବଦଳି ବେଆଇନି ବୋଲି ବିଜେପି କରିଥିବା ଅଭିଯୋଗକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବିଡିଓ ବଦଳି ଆଇନି ଅନୁସାରେ ହୋଇଛି, କିଛି ଭୁଲ ହୋଇ ନାହିଁ ବୋଲି ରୋକଠୋକ କହିଲେ। ଆଜି ସଂଧ୍ୟାରେ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ନିର୍ବାଚନ କମିସନର ଅଫିସରୁ ଏହି ତଥ୍ୟ ଦିଆଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏକ ରାଜନୈତିକ ଦଳ ତରଫରୁ ଧାମନଗର ବିଡିଓ ଏବଂ ତିହିଡି ବିଡିଓଙ୍କ ବଦଳି ବେଆଇନି। ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ସେମାନଙ୍କ ସରକାର ବେଆଇନି ଭାବେ ବଦଳି କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଅଭିଯୋଗ କରାଯାଇଥିଲା।

ତେବେ ଏ ସଂପର୍କରେ ଏକ ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ, ଉଭୟଙ୍କ ବଦଳି ଆଇନ ଅନୁଯାୟୀ କରାଯାଇଛି। ଧାମନଗର ବ୍ଲକର ବିଡିଓ ଥିବା ଦୁର୍ଗାଚରଣ ମୁର୍ମୁ 2018 ମସିହାରୁ ସେହି ସ୍ଥାନରେ କାମ କରୁଛନ୍ତି। ଉପନିର୍ବାଚନ ବେଳେ ଯେଉଁ ଅଧିକାରୀ ତିନି ବର୍ଷରୁ ଅଧିକ କାର୍ଯ୍ୟ କରୁଥିବେ ସେମାନଙ୍କୁ ବଦଳି କରାଯିବ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ତାଙ୍କୁ ବଦଳି କରାଯାଇଛି।

ସେହିପରି ତିହିଡି ବ୍ଲକର ବିଡିଓ ଥିବା ବସନ୍ତ କୁମାର ସାହାଣୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସିନ୍ଦା। ଉପନିର୍ବାଚନ ବେଳେ କୌଣସି ଅଫିସର ସେହି ଜିଲ୍ଲାର ବାସନ୍ଦା ହୋଇ ନ ଥିବାର ଆବଶ୍ୟକ। ସେଥିପାଇଁ ତାଙ୍କର ବଦଳି କରାଯାଇଛି। ଏହି ବଦଳି ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହମତିରେ କରାଯାଇଛି। ତେଣୁ ଏହା ଠିକ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ଅଧିକାରୀ ଆହୁର ମଧ୍ୟ କହିଛନ୍ତି ଯେ, ଯଦି ଏହି ଦୁଇ ବିଡିଓଙ୍କୁ ବଦଳି କରାଯାଇ ନ ଥାଆନ୍ତା ତେବେ ତାହା ବେଆଇନି ହୋଇ ଥାଆନ୍ତା। ସେଥିପାଇଁ ଯେଉଁ ରାଜନୈତିକ ଦଳ ତରଫରୁ ଅଭିଯୋଗ କରାଯାଇଛି ତାହା ଭୁଲ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାପରେ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଧାମନଗର ନିର୍ବାଚନ ମଣ୍ଡଳୀରୁ ଦୁଇ ବିଡିଓଙ୍କ ବଦଳି ନେଇ ବିଜେପିର ଅଭିଯୋଗ

ଭୁବନେଶ୍ବର: ଧାମନଗର ଏବି ତିହିଡି ବିଡିଓଙ୍କୁ ବଦଳି ନେଇ ଖପ୍ପା ହୋଇଛି ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି। ଏଥିରେ ଦଳ କହିଛି ଯେ, ସରକାର ହଠାତ ଧାମନଗର ଏବଂ ତିହିଡି ବ୍ଲକର ବିଡିଓଙ୍କୁ ବଦଳି କରିଦେଲେ। ଏହା ବିଜେଡି ଦଳର ଚାପରେ ସରକାର ଏପରି କରିଛନ୍ତି ବୋଲି ବିଜେପି କହିଛି।

ଦଳ ଅଭିଯୋଗ କରିଛି ଯେ, ବିଜେଡି ଧାମନଗରରେ ହାରିଯିବା ଭୟରେ ବିଡିଓଙ୍କୁ ବଦଳି କରିଛି। ଏହା ଅଗଣତାନ୍ତ୍ରିକ ଏବଂ ଏହା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ବିଜେପି କହିଛି। ପୁଣି ଥରେ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ଭଦ୍ରକ: ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଶତାଧିକ କର୍ମିଙ୍କ ଗହଣରେ ଆସି ସେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା ପ୍ରସାଦ ହରିଚନ୍ଦନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ଆସନ୍ତାକାଲି ଧାମନଗର ଉପନିର୍ବାଚନର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ସେହିଭଳି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ୧୭ ତାରିଖ ରହିଛି।

ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗରମ ହେଲା ଧାମନଗର ରାଜନୀତି, ପ୍ରାର୍ଥୀପତ୍ର ଦାଖଲ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ଆଜି ସକାଳେ ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।

ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟବଂଶୀ ଗତକାଲି ନିଜର ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀ ପତ୍ର ଦାଖଲ କରୁଛି ବୋଲି ଘୋଷଣା କରିଥିଲେ। ଏଥିପାଇଁ ଆପଣମାନଙ୍କ ଆର୍ଶିବାଦ ଦରକାର ବୋଲି ନିବେଦନ କରି ଚିଠି ଲେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ନୂଆଦିଲ୍ଲୀରୁ ଏହି ଘୋଷଣା ହୋଇଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏହି ଘୋଷଣା କରି ଏହ ବିଜ୍ଞପ୍ତି ଜାରୀ କରିଛନ୍ତି। ସେହି ଅନୁସାରେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବେ ସୂଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞା।

ସୂର୍ଯ୍ୟବଂଶୀ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ପୂର୍ବରୁ ସେ ବିଜେପିରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଓଡିଶା ପ୍ରଭାରୀ ପୁରିନ୍ଦର ସିଂ କହିଥିଲେ। ବର୍ତ୍ତମାନ ଏହାକୁ ରାଷ୍ଟ୍ରୀୟ ବିଜେପି ସ୍ବୀକୃତ ପ୍ରଦାନ କରିଛି। ଆସନ୍ତା ନଭେମ୍ବର ତିନି ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ।

Categories
ବିଶେଷ ଖବର

ଧାମନଗର ଉପନିର୍ବାଚନ: ନଭେମ୍ବର ୩ରେ ଭୋଟ, ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ଵର: ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୧୪ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ସେହିଭଳି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ୧୭ ତାରିଖ ରହିଛି।

ତେବେ ସମୟ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୁରଜ୍ ସୂର୍ଯ୍ୟବଂଶୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି।

ସେପଟେ ବିଜେପି ହାତରୁ ସିଟ ଛଡ଼ାଇବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ଚେଷ୍ଟା କରିବ। ତେବେ ବିଜେଡ଼ି ପକ୍ଷରୁ କାହାକୁ ଟିକେଟ ମିଳିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ ବିଷ୍ଣୁ ସେଠୀଙ୍କଠାରୁ ପରାସ୍ତ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ନା ଅନ୍ୟ କାହାକୁ ଟିକେଟ ଦେବ, ତାହାକୁ ନେଇ ଦ୍ଵନ୍ଦ୍ଵ ଲାଗିରହିଛି।  କିନ୍ତୁ କୌଣସି ଏକ ନୂଆ ଯୁବ ନେତାଙ୍କୁ ବିଜେଡ଼ି ସୁପ୍ରିମ ଟିକେଟ ଦେବେ ବୋଲି ଆଲୋଚନା ହେଉଛି।

ସେହିଭଳି କଂଗ୍ରେସ ଏହି ଉପନିର୍ବାଚନରେ ବାଜିମାତ କରିବ ବୋଲି ଆଶା ରଖିଛି। ସେଥିପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୀତ କରିବାକୁ ୩ ପୂର୍ବତନ ସଭାପତିଙ୍କୁ ଦାୟିତ୍ବ ବାଣ୍ଟିଛି। ତେବେ ସେଠାରେ କେଉଁ ନେତାଙ୍କୁ ଟିକେଟ ମିଳିବ, ତାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ସସ୍ପେନ୍ସ ରହିଛି।