Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଂଚ ନେବା ମହଙ୍ଗା ପଡିଲା: ଭିଜିଲାନସ୍ ଜାଲରେ ଫସିଗଲେ ନାକଟିଦେଉଳ ବ୍ଲକ୍ ର ଏପିଓ ବାବୁ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ ଜେଲର ଚାରିକାନ୍ଥ ଭିତରେ ସଂପୃକ୍ତ ଅଧିକାରୀ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ୍ ଅଧିକାରୀ ସୁରେନ୍ଦ୍ର ସାହୁ ନାକଟିଦେଉଳର ଜନୈକ ବ୍ୟକ୍ତିଙ୍କର ଏକ ମାଟିକାମର ବିଲ୍ କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ଜାଲରେ ଫସିଯାଇଥିଲେ। ତାଙ୍କ ଠାରୁ କେମିକାଲ୍ ବୋଳା ୪ ହଜାର ଟଙ୍କା ଭିଜିଲାନସ୍ ଅଧିକାରୀ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

ନାକଟିଦେଉଳ ବ୍ଲକ୍ ଗଜାବୁରୀ ଠାରେ ଏକ କେନାଲ କାମର ବିଲ୍ କରିବା ପାଇଁ ନାକଟିଦେଉଳ ଗ୍ରାମର ସଲିମ୍ ସାହୁ ଏପିଓଓଙ୍କ ପାଖକୁ ବାରମ୍ବାର ଦଉଡୁଥିଲେ। ହେଲେ ଏପିଓ ମହାଶୟ ଆଜି ବିଲ୍ ହେବ କାଲିକି ହେବ କହି ତାରିଖ ଘୁଂଚାଇ ଚାଲିଥିଲେ। ବିଲ୍ କରିବା ପାଇଁ ସେ କିଛି ଟଙ୍କାର ଆବଶ୍ୟକ ବୋଲି କହିବାରୁ ସଲିମ୍ ସାହୁ ତାଙ୍କ ଜଣେ ସାଙ୍ଗ ସ୍ଥିତପ୍ରଜ୍ଞ ସାହୁଙ୍କ ମାଧ୍ୟମରେ ୪ ହଜାର ଟଙ୍କା ଧରି ନାକଟିଦେଉଳ ବ୍ଲକ୍ ଅଫିସକୁ ସଂଧ୍ୟାରେ ଯାଇ ଦେଖା କରିଥିଲେ। ଭିଜିଲାନସ୍ ଅଧିକାରୀମାନେ ଆଗରୁ ପ୍ରସ୍ତୁତ ହୋଇ ଯାଇଥିଲେ। ସ୍ଥିତପ୍ରଜ୍ଞ ସାହୁ ଟଙ୍କା ଦେବା ମାତ୍ରକେ ଭିଜିଲାନସ୍ ଅଧିକାରୀ ତାଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରି ସମ୍ବଲପୁରୁ ଭିଜିଲାନସ୍ କୋର୍ଟକୁ ନେଇ ଯାଇଥିବା ଜଣା ପଡିଛି।

Categories
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ଅନିୟମିତତା ଅଭିଯୋଗ: ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗରେ ଆଜି ନାକଟିଦେଉଳ ବିଜେପି ତରଫରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ।

କେନ୍ଦ୍ର ସରକାର ୨୦୨୨ ମସିହା ପର୍ଯ୍ୟନ୍ତ ଦେଶରେ ସମସ୍ତ ଗରୀବ ଲୋକଙ୍କୁ ପକ୍କାଘର ପ୍ରଦାନ କରିବାକୁ ଲକ୍ଷ୍ୟ କରିଥିବା ବେଳେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ବିଜେପି ଅଭିଯୋଗ କରିଛି। ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ସର୍ଭେ କାମରେ ଭୁଲ କରିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସଂପର୍କ ରଖି ଘର ହାତେଇଥିଲେ। ବହୁ ଗରୀବ ହିତାଧିକାରୀ ବାଦ୍ ପଡିଥିଲେ ମଧୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯାଇ ପାରି ନ ଥିବା ବିଜେପି ଅଭିଯୋଗ କରିଛି।

ଯେଉଁ ମାନେ ଏହି ଭ୍ରଷ୍ଟାଚାର କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବିଜେପି ତରଫରୁ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା। ଆଜିର ଏହି ବିକ୍ଷୋଭରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢାଖୋଲ ନିର୍ବାଚନ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ନାକଟିଦେଉଳ ଜୋନ୍‌-୧ର ଜିଲ୍ଲା ପରିଷଦ ସଭ୍ୟ ପୂର୍ଣଚନ୍ଦ୍ର ଗଡତ୍ୟା, ଜୋନ୍‌-୨ର ସଭ୍ୟ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖଙ୍କ ନେତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ବହୁ ବିଜେପି କର୍ମୀ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଲଳିତ କଳା ଏକାଡେମୀର କର୍ମଶାଳାରେ ସାମିଲ ହେଲେ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ

କନ୍ଦର୍ପ ବେହେରା
ରେଢାଖୋଲ: କରୋନା ମହାମାରୀ ସମୟରେ ସାରା ଦେଶର ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଓଡିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଅନ୍ ଲାଇନ୍ ଚିତ୍ରକଳା କର୍ମଶାଳା।

ଏହି ଚିତ୍ରକଳା କର୍ମଶାଳାରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏହି କର୍ମଶାଳାକୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏଥିରେ ଲଳୀତ କଳା ଏକାଡେମୀର ସଚିବ ପଂଚାନନ ସାମଲ ଜୁମ୍ ମିଟ୍ କୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ନୁପଦ ସେଠୀ, ଉପସଭାପତି ଶ୍ରୀନିବାସ ପଢିଆରୀ, ସଭାପତି ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ବେଳେ ମନୋନୀତ ଚିତ୍ରଶିଳ୍ପୀମାନେ ନିଜ ବାସଭବନରେ ରହି ଚିତ୍ର ଆଙ୍କିଥିଲେ। ଏହି ଚିତ୍ରକଳାରେ ଶିଳ୍ପୀ ସୁଧିର କୁମାର ସ୍ୱାଇଁ ଭାଗ ନେଇ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ଉପରେ ଆଧାରିତ ଚିତ୍ରକୁ ଆଙ୍କି ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି।

ସେହି ପରି ଗ୍ରାଫିକସ୍ କଳାରେ ୧୩ ଜଣଙ୍କ ମଧ୍ୟରୁ ସୁଧୀର ମଧ୍ୟ ମନୋନୀତ ହୋଇଛନ୍ତି। ତାଙ୍କର ଚିତ୍ରକଳାକୁ ଆର୍ଟ ଗ୍ୟାଲେରୀରେ ସ୍ଥାନ ଦିଆଯିବ। ଆଗାମୀ ରଥଯାତ୍ରା ସମୟରେ ସୁଧୀରଙ୍କ ଚିତ୍ରକଳାକୁୁ ଲୋକାର୍ପିତ କରାଯିବ।

ସୂଚନା ଥାଉକି ପୂର୍ବରୁ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ମହାମାରୀ କରୋନାକୁ ଆଧାର କରି ଚିତ୍ରକଳା ପ୍ରତିଯୋଗୀତାରେ ସୁଧୀର ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଚିତ୍ରକଳା ବିଭାଗରେ ଅଧ୍ୟାପନା କରୁଛନ୍ତି। ସେ ଭିନ୍ନ ଭିନ୍ନ ସମୟରେ ସାଂପ୍ରତିକ ଘଟଣା ବଳିକୁ ଆଧାର କରି ବିଭିନ୍ନ ଯାଗାରେ ଚିତ୍ରକଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ବହୁ ଅନୁଷ୍ଠାନରୁ ମଧ୍ୟ ଚିତ୍ରପାଇଁ ପୁରସ୍କୃତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗେଲ୍ ଇଣ୍ଡିଆ କଂପାନୀ ପାଇପ୍ ଲାଇନ୍ ବିଛାକୁ ନେଇ ଆମ୍ବଝରି ଗ୍ରାମରେ ଉତ୍ତେଜନା: ୨ ପ୍ଲାଟୁନ୍ ଫୋର୍ସ ମୃତୟନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ପଂଚାୟତର ଆମ୍ବଝରି ଗ୍ରାମରେ ଚାଷ ଜମିରେ ଗେଲ୍ ଇଣ୍ଡିଆ ନାମକ ଏକ ଗ୍ୟାସ୍ କଂପାନୀ ପାଇପ୍ ବିଛାକୁ ନେଇ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି କାମକୁ ବିରୋଧ କରିଥିବା ଜଣା ପଡିଛି।

ପ୍ରକାଶ ଯେ, ଆମ୍ବଝରି ଗ୍ରାମରେ ପାଇପ୍ ବିଛାଇବା ପାଇଁ ଗତ ୪/୯/୨୦୧୮ ରେ ଏକ ସର୍ଭେକାମ କଂପାନୀ କରିଥିଲା। ଗ୍ରାମବାସୀ ଏ ସଂପର୍କରେ ଜାଣିପାରି ନ ଥିଲେ। ଚାଷ ଜମିରେ ପାଇପ୍ ବିଛା ହେବା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଗତ ୨୨/୧୦/୨୦୧୮ ରେ କଂପାନୀ ମୁଖ୍ୟ, ପ୍ରଧାନମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ, ନାକଟିଦେଉଳ ତହସିଲ୍‌ଦାର, ବିଧାୟକ, ମାନବାଧିକାର କମିଶନ୍ ଆଦିକୁ ଲିଖିତା କାରରେ ଜଣାଇଥିଲେ।

ହେଲେ ଗେଲ୍ ଇଣ୍ଡିଆ କଂପାନୀ ଚାଷୀମାନଙ୍କୁ କିଛି ବି ନୋଟିସ୍ ନ ଦେଇ ବିନା ଅନୁମତିରେ ପାଇପ୍ ଲାଇନ୍ ବିଛାଇବା ଜାଣିବା ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କଂପାନୀ କାମକୁ ଘୋର ବିରୋଧ କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ଆମ୍ବଝରି ଗ୍ରାମରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୃତୟନ କରିଥିଲା ପ୍ରଶାସନ।

ଘଟଣା ସ୍ଥଳରେ ଅତିରିକ୍ତ ଏସ୍ ପି ଉଗ୍ରେସନ୍ ପ୍ରଧାନ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ, ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର, ଡିଏ୍ ପି ଜ୍ୟୋସ୍ନାମୟୀ ପ୍ରଧାନ, ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପଦ୍ମାସନୀ ମେହେର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ଅପରାହ୍ନ ପାଖାପାଖି ୧ଟା ରେ ଗ୍ରାମବାସୀ, ପ୍ରଶାସନୀକ ଅଧିକାରୀ, ପୋଲିସ୍ ଅଧିକାରୀ ମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇ ଥିଲା। ପାଖାପାଖି ୬ ଘଂଟାର ଆଲୋଚନା ପରେ ଚାଷୀମାନଙ୍କୁ ଗେଲ୍ ଇଣ୍ଡିଆ କଂପାନୀ ଆବଶ୍ୟକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ।

Categories
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ

କନ୍ଦର୍ପ ବେହେରା
ରେଢାଖୋଲ: ଜଳ ସଂପଦ ବିଭାଗ ତରଫରୁ ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।
ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ।

ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁଡାନାଳୀ ରାସ୍ତାର ମରାମତି ଦାବୀରେ କଂଗ୍ରେସ ତରଫରୁ ଆମରଣ ଅନଶନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ ଥିବା ରାସ୍ତା ମରାମତି ଦାବୀରେ ଆଜି ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ଆମରଣ ଅନଶନ କରାଯାଇଥିଲା।

ପ୍ରକାଶ ଯେ, ଦୀର୍ଘ ଦିନ ହେଲା କୁଡାନାଳୀ ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ତଥା ବର୍ଷା ହେଲେ ଗ୍ରାମ୍ୟ ରାସ୍ତା କାଦୁଅରେ ଭରପୁର ହେବା ଆଦି ଦାବୀରେ ବ୍ଲକ୍ ସଭାପତି ଉଗ୍ରେସନ ଦେହୁରୀ ଏବଂ ରମାକାନ୍ତ ସାହୁ, ରିଙ୍କୁନ୍ ସାହୁ ଆମରଣ ଅନଶନରେ ବସିଥିଲେ। ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୁଡାନାଳୀ, ତଳନାଳୀ ଓ ଲୁବୁରୀ ଗ୍ରାମ୍ୟ ରାସ୍ତା ଗୁଡିକ ଦୟନୀୟ ହୋଇ ପଡିଛି। ସରକାର ଏ ଦିଗରେ ପଦେକ୍ଷପ ନେଉନାହାନ୍ତି। ପୂର୍ବରୁ ଗ୍ରାମବାସୀ ତରଫରୁ ବିଡିଓଙ୍କ ଠାରେ ଲିଖିତାକାରରେ ଲେଖି ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ଆଶୁ ସମାଧାନ ହୋଇପାରି ନଥିଲା। ୭ ଦିନ ମଧ୍ୟରେ ଏହି ରାସ୍ତାର ମରାମତି କରା ନ ଗଲେ ଅନଶନ କରିବାକୁ ମଧ୍ୟ ବିଡିଓଙ୍କ ଠାରେ ଲିଖିତାକାରରେ ଜଣାଇଥିଲେ। କୌଣସି ସମାଧାନ ନ ହେବାରୁ ଆଜି ସକାଳ ୧୦ଟା ୩୦ ମିନିଟ୍ ସମୟରୁ ନାକଟିଦେଉଳ ବ୍ଲକ୍ ପ୍ରାଙ୍ଗଣରେ ଅନଶନ କରିଥିଲେ।

ଏହି ଅନଶନରେ ବ୍ଲକ୍ କଂଗ୍ରେସ ସଭାପତି ଉଗ୍ରେସନ ଦେହୁରୀ, ରେଢାଖୋଲ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ରିଙ୍କୁନ୍ ସାହୁ , ଗୌରୀ ପାତ୍ର ଜିଲ୍ଲା କଂଗ୍ରେସ ସଦସ୍ୟ ପ୍ରମୁଖ ଅନଶନରେ ବସିଥିଲେ। ଏହି ଅନଶନରେ ଅଶ୍ୱିନୀ ଗୁରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି , ବିପିନ୍ ପ୍ରଧାନ , ପୁର୍ବତନ ବ୍ଲକ୍ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବିଡିଓ ବିଶିକେସନ ସାହୁ ଅନଶନ କାରୀଙ୍କ ପାଖକୁ ଯାଇ ୭ ଦିନ ମଧ୍ୟରେ ଏହି ରାସ୍ତାଗୁଡିକର ମରାମତି କାମ କରିବାକୁ ପ୍ରତିଶୃତି ଦେବା ପରେ ଅପରାହ୍ନ ୨ ଟାରେ ଅନଶନ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକ୍‌ର ଅବହେଳିତ ଗ୍ରାମ ଜରାସିଂହା : କେବେ ନିର୍ମାଣ ହେବ ଶଙ୍ଖନାଳ ଉପରେ ପୋଲ

କନ୍ଦର୍ପ ବେହେରା
ରେଢାଖୋଲ: ଗ୍ରାମାଂଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଯେଉଁ ଗ୍ରାମକୁ ରାସ୍ତା ଓ ପୋଲ ନାହିଁ ସେଇ ଗ୍ରାମକୁ କୋଟି କୋଟି ଟଙ୍କା ମଂଜୁର କରି ରାସ୍ତା ଓ ପୋଲ ନିର୍ମାଣ କରୁଛନ୍ତି। ହେଲେ ସରକାରଙ୍କ ଏହି ସବୁ ମୌଳିକ ସୁବିଧା ଗାଁ ମାନଙ୍କରେ ପହଂଚି ପାରୁ ନାହିଁ। ଯା ଫଳରେ ଲୋକମାନେ ଆଜି ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଛୋଟ ଛୋଟ ଛୁଆଙ୍କୁ ଧରି ଚାଲି ଚାଲି ନାଳ ପାର ହୋଇ ପଂଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି।

ଏଭଳି ଏକ ଗ୍ରାମ ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଣିମୋରା ଗ୍ରାମପଂଚାୟତର ଜରେସିଂହା ଗ୍ରାମ। ଗାଁରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଆଦିବାସୀ ସଂପ୍ରଦାୟର। ଏହି ଗାଁରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ହେଲେ ଏହି ଗାଁକୁ ଯିବାକୁ ହେଲେ ଶଙ୍ଖ ନାଳ ହିଁ ସାଜିଛି ବାଧକ। ଯା ଫଳରେ ବର୍ଷାଦିନରେ ଏହି ଗ୍ରାମର ଲୋକମାନେ ନାଳ ପାର ହୋଇ ଯାତାୟତ କରିବା ସମ୍ଭବପର ହେଉନାହିଁ। ଯାହାଫଳରେ ବର୍ଷାଦିନରେ ଉଚ୍ଚଶିକ୍ଷା ପାଇଁ ଯାତାୟତ କରୁଥିବା ପିଲାମାନଙ୍କ ପାଠପଢା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥାଏ।

ବର୍ଷାଦିନରେ ନାଳରେ ଅତ୍ୟଧିକ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଅନ୍ୟ ଏକ ପଂଚାୟତ ଦେଇ ଲୋକଙ୍କୁ ଜଙ୍ଗଲିଆ ରାସ୍ତା ମଧ୍ୟ ଦେଇ ନିଜର ପଂଚାୟତ କାର୍ଯ୍ୟାଳୟ ଯିବା ପାଇଁ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ଜରେସିଂହା ଗାଁରୁ ମୁଖ୍ୟ ରାସ୍ତାକୁ ମାତ୍ର ୧ କିଲୋମିଟର ରାସ୍ତା ପଡୁଥିବାରୁ ଏହି ଗାଁର ଲୋକମାନେ ଶଙ୍ଖନାଳରୁ ପାର ହୋଇ ପଂଚାୟତ, ବ୍ଲକ୍‌, ବ୍ୟାଙ୍କ୍‌, ଡାକ୍ତରଖାନା, ହାଟବଜାର ସହ ବିଭିନ୍ନ କାର୍ଯ୍ୟରେ ଯାତାୟତ କରିଥାନ୍ତି। ଜରେସିଂହା ଗାଁ କୁ ଯାତାୟତ ପାଇଁ ଏହି ଶଙ୍ଖନାଳରେ ଏକ ପୋଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ ନେତା ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ମାନେ ଭୋଟ୍‌ଟିଏ ପାଇଁ ଆସିଥାନ୍ତି ହେଲେ ଏହି ପୋଲ କିପରି ତିଆରି ହେବ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। କେତେ ଯେ ନିର୍ବାଚନ ଗାଁ ଲୋକମାନେ ଦେଖିଲେଣି ତାର ହିସାବ ନାହିଁ। ନିର୍ବାଚନ ପରେ ନିର୍ବାଚିତ ହେଉଥିବା ନେତା ଓ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି କେବଳ ଧର୍ମକୁ ଆଖିଠାର ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ବର୍ଷ ବର୍ଷ ଧରି ଏଇ ଗ୍ରାମର ଲୋକମାନେ ଜୀବନକୁ ବିପଦରେ ପକାଇ ପିଲାଛୁଆଙ୍କୁ ଧରି ଶଙ୍ଖନାଳକୁ ପାରହୋଇ ଯାତାୟତ କରୁଛନ୍ତି। ତଥାପି ପ୍ରଶାସନର ନିଦ ଭାଙ୍ଗି ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାର ଏହି ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଶଙ୍ଖନାଳରେ ଏକ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କଲେ ଏହି ଗ୍ରାମର ଲୋକମାନେ ସୁବିଧାରେ ଯାତାୟତ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
ଫଟୋ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାଉଣ୍ଡ ଜିରୋ ରିପୋର୍ଟ: ନାକଟିଦେଉଳ ବ୍ଲକ୍‌ର ପାହାଡତଳୀ ଗାଁ କୁନ୍ଦେଇଜୋରୀ ବିକାଶ ଠାରୁ ବହୁଦୂରରେ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେବଳ କାଗଜ କଲମରେ ସୀମିତ ରହିଛି ଏହି ଯୋଜନା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ସାଲେଭଟା ଗ୍ରାମପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁନ୍ଦେଇଜୋରୀ। ଏହି ଗାଁରେ କେବଳ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ବାସ କରନ୍ତି। ସରକାରଙ୍କ ଯୋଜନା ଏହି ଗାଁରେ ଠିକ୍ ଭାବରେ ପହଂଚି ପାରିନି। ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଏହି ଗାଁଟି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଆଦି ମୌଳିକ ସୁବିଧା ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପହଂଚି ପାରିନି। ଇଂରେଜ ସରକାରଙ୍କ ଶାସନ କାଳରୁ ହିଁ ଏହି ଗାଁରେ ରାଜସ୍ୱ ଗ୍ରାମ ଭାବରେ ମାନ୍ୟତା ପାଇଛି।

କୁନ୍ଦେଇଜୋରୀ ଗାଁ ପଂଚାୟତ ସଦର ମହକୁମା ସାଲେଭଟାଠାରୁ ୧୫ କିମି ଦୂର। ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ। ପଂଚାୟତ ସଦର ମହୁକୁମା ଠାରୁ ଗାଁକୁ ଯେଉଁ ପାଦଚଲା ମାଟି ରାସ୍ତା ଅଛି ହେଲେ ବର୍ଷା ଦିନେ ଯିବା ଆସିବା କରିବା ବହୁ କଷ୍ଟ କର। ସାଲେଭଟାରୁ କୁନ୍ଦେଇଜୋରୀ ମଝିରେ ଏକ ଛୋଟ ନାଳ ଅଛି। ଯାହା ଫଳରେ ବର୍ଷାଦିନେ ଲୋକମାନେ ଦେବଗଡ ଜିଲ୍ଲାର ଛତାବର ଦେଇ ଯାତାୟାତ କରିଥାନ୍ତି। ୧୫ କିମିର ରାସ୍ତା ପଂଚାୟତକୁ ପହଂଚିବା ପାଇଁ ହେଲେ ଦେବଗଡ ଜିଲ୍ଲା ସୀମାଦେଇ ୪୫ କିମି ଗଲେ ଯାଇ ଗ୍ରାମପଂଚାୟତକୁ ପହଂଚିପାରନ୍ତି ଗାଁ ଲୋକେ। ଗାଁରେ ପ୍ରାଥମିକ ବିଦ୍ୟାଳୟ କି ଅଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ପିଲାମାନେ ନିକଟସ୍ଥ ବାଗବର ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଇଥାନ୍ତି।

ବର୍ଷାଦିନେ ଟିକିରା ନଦୀରେ ପାଣି ଆସିଯାଉଥିବାରୁ ପିଲାମାନେ ମାସାଧିକ କାଳ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ଏହି ନଦୀରେ ଆଗରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ନଦୀ ପାର ହେଉଥିବା ସମୟରେ। ଏପରିକି ଡଙ୍ଗାରେ ନଦୀପାର ହୋଇ ବାଗବର ଗାଁକୁ ଯାଇଥାନ୍ତି। ହେଲେ ଡଙ୍ଗା ଏବେ ନ ଥିବାରୁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପିଲାମାନେ ଟ୍ୟୁସନ୍ ଯାଉଛନ୍ତି ଟିକିରା ନଦୀରେ ପାର ହୋଇ।

ସ୍ୱାସ୍ଥ୍ୟସେବା କହିଲେ ଗ୍ରାମବାସୀ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଛତାବର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ବାଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ଟିକିରା ନଦୀ ପ୍ରତିବନ୍ଧକ ସୃଷ୍ଟି କରିଥାଏ। କେବଳ ଯେ କୁନ୍ଦେଇଯୋରୀର ଗ୍ରାମବାସୀ ଟିକିରା ନଦୀରେ ପାରହେଉଛନ୍ତି ତା ନୁହେଁ। ସେଇ ଟିକିରା ନଦୀ ପାର ହୋଇ ସାଲେଭଟା ଗ୍ରାମପଂଚାୟତର ସାଧୁବାହାଳି, ରହୁଣିଗାଡିଆ, ଧଉରାଗୋଠ, ସାଳବଣିଆଁ, ନେଭରାପାଳ, ଗୁହିରାନାଳୀ ଓ ବଡଝରଣ ଗ୍ରାମବାସୀ ସେଇ ନଦୀରେ ପାର ହୋଇଥାନ୍ତି।

ସମ୍ବଲପୁର ଜିଲ୍ଲାର ଶେଷ ସୀମାରେ ଥିବାରୁ ଗାଁକୁ କୌଣସି ଚାରିଚକିଆଯାନ ଯାଇ ପାରୁ ନଥିବାରୁ କୌଣସି ପ୍ରଶାସନୀକ ଅଧିକାରୀ ଓ ରାଜନୈତିକ ନେତା ପହଂଚିପାରି ନଥାନ୍ତି। ପାହାଡତଳିର ଗାଁ ଭାବରେ କୁନ୍ଦେଇଯୋରୀ ରହିଛି। ଗାଁ ର ରୁକ୍ମିଣୀ ଦେହୁରୀ, ଶ୍ରୀରାମ ସାହୁ , ହୃଷିକେଶ ସାହୁ, ରଶ୍ମିତା ବିଶି, ଦଶରଥ ନାଏକଙ୍କର ଭଲ ଘର ଖଣ୍ଡିଏ ନାହିଁ। ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜ୍ଜୁ ପକ୍କାଘର ଯୋଜନା ସାତ ସପନ। କିଏ ତାଳ ବରଡା ତଳେ ଜୀବନ ବିତାଉଛି ତ ଆଉ କିଏ ପୋଲିଥିନ୍ ତଳେ ଜୀବନ ବିତାଉଛି। ଏହି ଗାଁ ରେ କାହାରି ଘରେ ସରକାରଙ୍କ ତରଫରୁ ମିଳୁଥିବା ପାଇଖାନା ନାହିଁ। ଗାଁ ପାଖରେ ପାହାଡ ଥିବାରୁ ହାତୀମାନେ ଅନାୟାସରେ ଆସି ଫସଲ ଓ ଘର ଦ୍ୱାର ଭାଙ୍ଗି ଚାଲି ଯାଆନ୍ତି। ଏତେ ବଡ ଜୀବକୁ ବାଧା ଦେବାକୁ ଗ୍ରାମବାସୀ ସାହାସ ବାନ୍ଧି ପାରୁନାହାନ୍ତି। ସନ୍ଧ୍ୟା ହେଲେ ଗାଁ ଦାଣ୍ଡରେ ନିଆଁ ଜାଳି ବସିଥାନ୍ତି ରାତି ତମାମ୍।

ଜିଲ୍ଲା ହେଡକ୍ୱାଟର ଠାରୁ ଗାଁ ର ଦୂରତା ୧୫୦ କିମି। ଜିଲ୍ଲା ପ୍ରଶାସନ ଠାରେ ଏପରି ଗାଁର ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାର ଖବର ଗ୍ରାମବାସୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ରାସ୍ତାଘାଟ ସୁବିଧା ନ ଥିବାରୁ କୌଣସି ବ୍ୟକ୍ତି ରୋଗରେ ପଡିଲେ ବର୍ଷାଦିନେ ଆମ୍ବୁଲାନ୍ସ କି କୌଣସି ଗାଡି ଗାଁକୁ ଆସିପାରି ନଥାଏ। ବାଧ୍ୟହୋଇ ଗ୍ରାମବାସୀ ଭାରରେ କୁଣ୍ଢେଇଗୋଳା ଓ ଛତାବର ଡାକ୍ତରଖାନକୁ ନେଇଥାନ୍ତି। ଏହି ଗାଁର ଜମି ନଦୀକୂଳରେ ଥିଲେ ମଧ୍ୟ ଉଠାଜଳସେଚନର ସୁବିଧା ନାହିଁ। ବର୍ଷାପାଣି ଦ୍ୱାରା ଗ୍ରାମବାସୀ ନିର୍ଭରଶୀଳ। ଗାଁ ପାଖରେ ଏକ କଟା ରହିଛି। ୨୪ ବର୍ଷ ଆଗରୁ ଏହି କଟା କାମ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ମଧ୍ୟ କଟାଟି ଅସଂପୂର୍ଣ ହୋଇପଡିଛି। ଏହି କଟାର ପୁନରୁଦ୍ଧାର କରାଗଲେ ଗାଁ ଜମିରେ ମଧ୍ୟ ଜଳସେଚନର ସୁବିଧା ହୁଅନ୍ତା।

କୁନ୍ଦେଇଜୋରୀ ଗ୍ରାମକୁ ବ୍ଲକ୍ ଏବଂ ଜିଲ୍ଲା ହେଡ୍‌କ୍ୱାର୍ଟରକୁ ଯିବାକୁ ହେଲେ ଦେବଗଡ ଜିଲ୍ଲାର ପିଟାସିକ ଗ୍ରାମକୁ ଚାଲିଚାଲି ପାଖାପାଖି ୧୦ କି.ମି ଯିବାକୁ ପଡେ। ସାଧୁବାହାଳି ଗ୍ରାମଠାରୁ କୁନ୍ଦେଇଜୋରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ ଓ କୁନ୍ଦେଇଜୋରୀ ଠାରୁ ସାଲେଭଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ। ଟିକିରା ନଦୀ ଉପରେ ବାଗବର ଠାରେ ପୋଲ ନିର୍ମାଣ କରାଗଲେ କେବଳ କୁନ୍ଦେଇଯୋରୀ ଗ୍ରାମବାସୀ ନିର୍ଭରଶୀଳ ହେବେ ତା ନୁହେଁ ଏହି ଆଠଟି ଗ୍ରାମର ଳୋକମାନେ ମଧ୍ୟ ନିର୍ଭର କରିବେ। ପ୍ରଶାସନ ଠାରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଆମ ପ୍ରତିନିଧିଙ୍କ ଠାରେ ଅଭିଯୋଗ କରିଛନ୍ତି।

ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଓ ହରିଜନ ସଂପ୍ରଦାୟର। ଏ ସବୁ ସାତ ସପନ ଏହି ଗାଁ ରେ। ଗାଁର ଭାଗବତ ଟୁଙ୍ଗୀ ନାହିଁ। ୩ ଟି ନଳକୂପ ଥିଲେ ମଧ୍ୟ ୨ ଟିର ପାଣି ଦୂଷିତ। ଲୋକମାନେ ବାଧ୍ୟହୋଇ ଟିକିରା ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଲୋକସଂଖ୍ୟା ୬୦। ରାସ୍ତାଘାଟର କୌଣସି ସୁବିଧା ନ ଥିବାରୁ ଗ୍ରାମର ଅଧିକାଂଶ ଲୋକ ନିକଟସ୍ଥ ବାଗବର ଗ୍ରାମକୁ ଚାଲିଯାଇଛନ୍ତି। ସେଠାରୁ ଯିବାଆସିବା କରି ଚାଷବାସ କରନ୍ତି। ଗାଁରେ ପୋଖରୀଟିଏ ମଧ୍ୟ ନାହିଁ। କୁନ୍ଦେଇଜୋରୀ ଯଦିଓ ଏକ ଅନୁନ୍ନତ ଅଂଚଳ ତଥାପି ଏହି ଗାଁର କିଛି ବ୍ୟକ୍ତି ବାହାର ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରି ଉଚ୍ଚ ପଦପଦବୀରେ ରହିଛନ୍ତି। ଏହି ଗାଁରୁ ଡାକ୍ତର, ଇଂଜିନିୟର, ପାଣିପାଗ ବିଶେଷଜ୍ଞ ଓ ଶିକ୍ଷକ ଆଦି ବାହାରିଛନ୍ତି। ତଥାପି ଏହି ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ। ଅପହଂଚ ହୋଇପଡିଛି ଏହି ଗାଁଟି। ଗ୍ରାମପଂଚାୟତ ବୈଠକ, ପଲ୍ଲୀସଭା, ଗ୍ରାମସଭାରେ ଗାଁର ଉନ୍ନତି ପାଇଁ ବାରମ୍ବାର କୁହାଗଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଲେ ମଧ୍ୟ ଯୋଜନା ଯୋଜନାରେ ଅଟକିଯାଉଛି।

ଏହି ଗାଁକୁ ଯିଏ ଯିବ ସରକାରଂକ ଯୋଜନା ଏହି ଗାଁରେ ପହଂଚିପାରିନି ବୋଲି ଜାଣିପାରିବ। କେବଳ ବିଦ୍ୟୁତ୍ ସଂଯୋଗ ଛଡା ଆଉ କିଛି ବିକାଶ ହୋଇପାରିନାହିଁ। ଏହି ଅବହେଳିତ ଗାଁକୁ ସରକାରଙ୍କ ଦୃଷ୍ଟି କେବେ ପଡିବ ତାହା ସମୟ ହିଁ କହିବ।