ବାଣପୁର: ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷ ପିଇ ଜଣେ ବିବାହିତ ଯୁବକଙ୍କ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିବା ବେଳେ ଭାଉଜ ତାଙ୍କର ସ୍ୱାମୀକୁ ବିଷ ଦେଇ ମାରିଦେଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି। ମୃତକଙ୍କ ସ୍ତ୍ରୀ ରଶ୍ମିତା ସ୍ୱାଇଁ ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ ସୁନାକେରା ଗ୍ରାମର ଚିତ୍ତରଞ୍ଜନ ସ୍ୱାଇଁ (୪୦) ପାରିକଂସାରୀ ଗ୍ରାମର ରଶ୍ମିତାଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ୧୦ ବର୍ଷର ପୁତ୍ରସନ୍ତାନ ଅଛି। ମୃତକଙ୍କ ଭାଉଜ ସାଥିରେ ଅନୈତିକ ସମ୍ପର୍କ ଥିବାବେଳେ ସ୍ତ୍ରୀ ରଶ୍ମିତା ଏହାକୁ ବାରମ୍ବାର ବିରୋଧ କରିଥିଲେ। ଯାହାଫଳରେ ଭାଉଜ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ସ୍ତ୍ରୀ ରଶ୍ମିତା ଏହାକୁ ବିରୋଧ କରି ତାଙ୍କ ବାପ ଘରେ ରହୁଥିବା ବେଳେ ମୃତକ ଚିତ୍ତରଞ୍ଜନ ସୁନାକେରା ଗ୍ରାମ ନିଜ ଘରେ ରହୁଥିଲେ।
ସ୍ତ୍ରୀ ସ୍ୱାମୀର ଏହିଭଳି କାର୍ଯ୍ୟକୁ ବିରୋଧ କରିବାରୁ ଅଭିଯୁକ୍ତ ଭାଉଜ ଧମକ ଦେଇଥିଲା କି ତୋର ସ୍ୱାମୀକୁ ମୁଁ ମାରିଦେବି। ତେଣୁ ଭାଉଜ ହିଁ ମୋ ସ୍ୱାମୀକୁ ମାରିଦେଇଛି ବୋଲି ଅଭିଯୋଗ କରିଛନ୍ତି ରଶ୍ମିତା। ବାଣପୁର ପୋଲିସ ଅଭିଯୋଗ ଆଧାରରେ ମୋକଦ୍ଦମା କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରି ଅଧିକାରିଣୀ ଗାୟତ୍ରୀ ଗୋଚ୍ଛାୟତ କହିଛନ୍ତି।