Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଯୌତୁକ ଜନିତ ବଧୂ ହତ୍ୟା ହୋଇଥିବାର ଅଭିଯୋଗ ହେଉଛି। ଅଭିଯୋଗ କରିଛନ୍ତି ପେଣ୍ଡୁରାପଲ୍ଲୀ ଗ୍ରାମର ବଧୂଙ୍କ ପିତା ଅନୁ ବେହେରା।

ଅଭିଯୋଗ ମୁତାବକ ଅନୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ବେହେରା (୨୨) ତିନି ବର୍ଷ ତଳେ ଭେଟେଶ୍ୱର ଗ୍ରାମର ଶେଷଦେବ ପଲେଇଙ୍କ ପୁତ୍ର ଦୀପକ ପଲେଇ (୨୯) ଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ। ତେବେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ଯାଆ ଆଦି ତାଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବାରୁ ଗତକାଲି ଶ୍ରଦ୍ଧାଞ୍ଜଳି ବିଷ ପିଇ ଦେଇଥିଲେ।

ତାଙ୍କୁ ବାଣପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସେଠାରେ ଶ୍ରଦ୍ଧାଞ୍ଜଳି ମୃତ୍ୟୁବରଣ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୪୯୮ (କ), ୩୦୪(ଖ), ୩୦୬, ୩୪, ୪ ଡ଼ିପି ଆକ୍ଟ ରେ କେସ ନମ୍ବର ୩୫୫/୨୨ ରେ ମାମଲା ରୁଜୁ କରି ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମି ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମିଳିଲା ଆଉ ଏକ ମୃତଦେହ: ତିନି ଦିନ ମଧ୍ୟରେ ଦ୍ଵିତୀୟ ଘଟଣା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଆଜି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି।  ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ମାରିକି ବୁଦାରେ ଫୋପାଡ଼ିଦେଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।  ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ କେହି ମାରିଦେଇଥିବାର ଚର୍ଚ୍ଚା ହେଉଛି। ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ଜଣେ ଯୁବକଙ୍କର ମୃତଦେହ ଗୋଟିଏ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ବୟସ ଆନୁମାନିକ ୪୦ ଭିତରେ ହେବ। ତାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ଏକ ସବୁଜ ରଙ୍ଗର ଅନ୍ତଃ ବସ୍ତ୍ର ପିନ୍ଧିଛନ୍ତି। ଗୋଟେ ଗାମୁଛାକୁ ବେକରେ ଲଗାଇ ଯୁବକ ଜଣକ ଗଛରେ ଝୁଲିଛନ୍ତି। ବର୍ତ୍ତମାନ ଉକ୍ତ ସ୍ଥାନରେ ଜନସାଧାରଣ ରୁଣ୍ଡ ହୋଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ସେଠାରେ ପହଂଚିନାହିଁ।

ତେବେ ଯୁବକଜଣଙ୍କ କିଏ ଆଉ ସେ କାହିଁକି ଆତ୍ମହତ୍ୟା କଲେ ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ!: ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା, ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଡିଜିଟାଲ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଟଙ୍କା ଲୁଟ କରିବାର ଲୁଟେରା ମାନେ ନୂଆ ତରିକା ଆପଣଉଛନ୍ତି। ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ସଜାଗ ରହୁଛନ୍ତି ଉକ୍ତ ଲୁଟେରା ଏବଂ ଅନଭିଜ୍ଞ ଗ୍ରାହକଙ୍କୁ ଦେଖି ଲୁଟୁଛନ୍ତି ଟଙ୍କା। ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି।

ତେବେ ଗତକାଲି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବାଣପୁର ଥାନା ବାଁଳେଇ ଗ୍ରାମର ପୁଷ୍ପାଞ୍ଜଳି ଭୋଳ ଗତକାଲି ମଧ୍ୟାହ୍ନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇଁ ନିଜ ଛୋଟ ଶିଶୁକୁ ଧରି ଯାଇଥିଲେ। ତେବେ ପୁର୍ବରୁ ସେଠାରେ ଲୁଟେରା ମାନେ ସକ୍ରିୟ ଥିଲେ। କେହି ଜଣେ ଦୁର୍ବୁତ୍ତ ପୁଷ୍ପାଞ୍ଜଳିଙ୍କୁ ଭଉଣୀ ସମ୍ବୋଧନ କରି ଏଟିଏମରୁ ପଇସା ଉଠାଇଦେବେ ବୋଲି କହିଥିଲେ।

ତେବେ ପୁଷ୍ପାଞ୍ଜଳିଙ୍କ ଠାରୁ ଏଟିଏମ କାର୍ଡ ନେଇ ଦୁର୍ବୁତ୍ତ ଜଣକ ମେସିନ ମଧ୍ୟରେ ଭର୍ତ୍ତି କରିଥିଲେ ଏବଂ ପୁଷ୍ପାଞ୍ଜଳି ପିନ ନମ୍ବର ଟାଇପ କରିଥିଲେ। ସେହି ସମୟରେ ଦୁର୍ବୁତ୍ତ ଜଣକ ପିନ ଜାଣିଦେଇଥିଲେ ଏବଂ ପୁଷ୍ପାଞ୍ଜଳି ସାମାନ୍ୟ ଅନ୍ୟମନସ୍କ ହେବା ସମୟରେ ଦୁର୍ବୁତ୍ତ ଜଣକ ସଙ୍ଗେସଙ୍ଗେ ତାଙ୍କ ଏଟିଏମ କାର୍ଡକୁ ବଦଳି କରି ମଞ୍ଜୁ ପ୍ରଧାନ ନାମକ ଜଣେ ମହିଳାଙ୍କ ଏଟିଏମ କାର୍ଡ ଧରାଇଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଷ୍ପାଞ୍ଜଳିଙ୍କ ଏଟିଏମ କାର୍ଡରେ ଥିବା ସମସ୍ତ ୯ ହଜାର ୮୦୦ ଟଙ୍କା କାଢିନେଇଥିଲେ।

ଏହା ଜାଣିଲା ପରେ ପୁଷ୍ପାଞ୍ଜଳି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି। ବାଲୁଗାଁ ଏସଡିପିଓ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଏଟିଏମ ସେଣ୍ଟର ଗୁଡ଼ିକ ପାଖରେ ବୁଲୁଥିବା ଅଭ୍ୟାସଗତ ଅପରାଧି ତଥା ଡିଜିଟାଲ ଲୁଟେରାଙ୍କୁ ଠାବ କରି ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଟ୍ରକ ଚାଳକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସାମ୍ବାଦିକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଗାଡ଼ି କାଗଜପତ୍ର ମାଗିବା ସହ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ସାମ୍ବାଦିକଜଣଙ୍କ ଦୁର୍ବ୍ୟବହାର କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୩୯୨, କେସ ନମ୍ବର ୩୪୪/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଆଞ୍ଚଳିକ

ବାଣପୁର: ଠାକୁରାଣୀ ଦର୍ଶନ କରି ଫେରୁଥିବା ବେଳେ ଅଟୋ-ବାଇକ ମଧ୍ୟରେ ଧକ୍କା, ୮ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଠାକୁରାଣୀଙ୍କୁ ଦର୍ଶନ କରି ଫେରିବା ବେଳେ ଲେଉଟିଲା ଅଟୋ। ଏକାଧିକ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ଥାନା ସରଳସିଂହ ଗ୍ରାମର ରବୀନ୍ଦ୍ର ବିଶ୍ୱାଳ, ଶେଷ ବିଶ୍ୱଳ, ନରସିଂହ ବିଶ୍ୱାଳ ଓ ଧୁଶା ବିଶ୍ୱାଳଙ୍କ ପରିବାରବର୍ଗ ଏକ ଅଟୋ ଏବଂ ଏକାଧିକ ବାଇକରେ ବାଣପୁର ମା’ ବିରିଜାଈ ମନ୍ଦିର ମାନସିକ ପାଇଁ ଯାଇଥିଲେ। ତେବେ ପୂଜାର୍ଚ୍ଚନା ସାରି ଅପରାହ୍ନରେ ଫେରିବାବେଳକୁ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହୋଇ ଅଟୋଟି ଲେଉଟିପଡିଥିଲା।

ଫଳରେ ଅଟୋରେ ଉପସ୍ଥିତ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅହଲ୍ୟା ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, କାହ୍ନୁ ବିଶ୍ୱାଳ, ଦୀପା ବିଶ୍ୱାଳ, ହୁଲାସ ବିଶ୍ୱାଳ, କୁନି ବିଶ୍ୱାଳ,ଧନେଶ୍ୱର ରଣା (ଅଟୋ ଚାଳକ) ଏବଂ ଜ୍ୟୋତ୍ସ୍ନା ସାହୁ। ଅଟୋରେ ଦୁଇ ଶିଶୁ, ପାଞ୍ଚ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ବାଣପୁର ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢୁଥିବା ବେଳେ କିଛି ଦିନ ହେବ ଅବକାରୀ ବିଭାଗ କ୍ରମାଗତ ଚଢ଼ାଉ ଜାରି ରଖିଛି। ନୂତନ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା କାର୍ଯ୍ୟରେ ଯୋଗଦେବା ପରଠାରୁ ନିରନ୍ତର ଚଢ଼ାଉ ଜାରି ରଖିଛନ୍ତି।

ଅବକାରୀ ଅଧିକ୍ଷକ ଝସକେତନ ବରିହା ଏବଂ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ସକାଳେ ପୁଣି ବାଲୁଗାଁ ଅବକାରୀ ଅଧିକାରୀ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୨୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି।

ଜେଲ ରୋଡ଼ ନିକଟରୁ ୧୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଥିବା ଜଣାପଡିଛି। ସେହିପରି ଭାବେ ଅନ୍ତରକିଆରୀ କେନାଲ ରୋଡ଼ରୁ ଅଭିଯୁକ୍ତ ବସନ୍ତ ମହାରଣା (୩୮) ଗିରଫ ହେବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୬୯ ଓ ୭୦ ରେ ଦୁଇ ଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉ ରେ ଏଏସଆଇ ରଜନୀ ମିଞ୍ଜ ଓ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କ୍ଷମା ମାଗିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଦଳର ସଭାପତିଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ମୋର ଯେପରି ଆକ୍ରମଣାତ୍ମ କାର୍ଯ୍ୟ କଳାପ ସେଥିପାଇଁ ମୁଁ ଦୁଃଖିତ। ମୋତେ କ୍ଷମା କରନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ଏହି କଥା କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି ଯେ, ମୋତେ ମାରିଦେବା ପାଇଁ ଏକ ସୁଚିନ୍ତିତ ଷଢଯନ୍ତ୍ର କରାଯାଇଥିଲା। ହେଲେ ଭଗବାନଙ୍କ ଆର୍ଶିବାଦରୁ ସେଥିରୁ ବଞ୍ଚିଗଲି।

ଏକ ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ମୁଁ ଚିଲିକା ବ୍ଲକକୁ ଯିବି ବୋଲି ବିଜେପି କର୍ମିମାନେ ଆଗରୁ ସଜାଗ ହୋଇ ରହିଥିଲେ। ସେଠାରେ ପହଁଞ୍ଚିବା ମାତ୍ରେ ମୋ ଉପରକୁ ଆକ୍ରମଣ କଲେ। ଠେଙ୍ଗାରେ ଲାଗିଥିବା ଦଳୀୟ ପତାକା ଧରି ସେମାନେ ମୋତେ ପିଟିଲେ। ଯାହା ସାରା ଓଡିଶା ଦେଖିଛି। ମୋ ମୁଣ୍ଡକୁ ଠେଙ୍ଗାରେ ପାହାର ପକାଇବା ପରେ ବ୍ରେକ ଉପରୁ ମୋର ଗୋଡ ଖସିଗଲା। ଫଳରେ ଗାଡି ଆଗକୁ ଗଡିଗଲା। ମିଡିଆରେ ଯାହା କୁହାଯାଉଛି ଯେ, ମୁଁ ଲୋକଙ୍କୁ ଉପରକୁ ଗାଡି ମଡାଇ ଦେଲି ତାହା ସଂପୂର୍ଣ୍ଣ ଭୁଲ କଥା।

ପ୍ରକୃତ କଥା ହେଲା ପୂର୍ବରୁ ଚିଲିକା ବିଜେପିର ଏକ ଗଡ ଥିଲା। ଗତ ନିର୍ବାଚନରେ ବିଜେଡି ତରଫରୁ ମୁଁ ଏଗାର ହଜାର ଭୋଟରେ ଜିତିବା ପରେ ବିଜେପିର ରାଗ ପଞ୍ଚମ ହୋଇଯାଇଛି। ସେମାନେ ମୋତେ ବିଭିନ୍ନ ସମୟରେ ହଇରାଣ କରିବାକୁ ଯୋଜନା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି।

ମୋତେ ମାଡ ମାରିବା ପରେ ସେମାନେ ଗାଡିର ନମ୍ବର ପ୍ଲେଟକୁ ବାଡାଇ ଭାଙ୍ଗି ଦେଲେ। ସେଥିରେ ଆଉ ଏକ ନମ୍ବର ପ୍ଲେଟ ଯୋଡି ମୋତେ ବଦନାମ କରିବାକୁ ଚେଷ୍ଠା କରିଥିଲେ। ସେଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି। ଏହି ଗୋଟିଏ ଘଟଣା ନୁହେଁ ସେମାନେ ବିଭିନ୍ନ ସମୟରେ ମୋତେ ବଦନାମ କରିବାକୁ ଚେଷ୍ଠା କରିଛନ୍ତି।

ତେବେ ଏ ସବୁ ଘଟଣା ନେଇ ମୁଁ ଦୁଃଖ ପ୍ରକାଶ କରି ମୋର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି। ସେ ଯାହା ବିଚାର କରିବେ। ମୁଁ ଶଙ୍ଖ ଚିହ୍ନରେ ଛିଡା ହୋଇ ଜିତିଛି। ମୁଁ ବିଜେଡିରେ ରହିଛି। ହେଲେ ସଭାପତି ତଥା ଦଳ ଯାହା ବିଚାର କରିବେ ସେଥିରେ ମୁଁ ସମ୍ମତି ପ୍ରଦାନ କରିବି ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ବାଣପୁରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଣପୁର ବିଷରପାଟଣା ଛକରୁ ବାହାରି ମା’ ଭଗବତୀ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ମା’ ଙ୍କ ନିକଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଗୋଟି ଦୀପ ଦାନ କରାଯାଇଥିଲା।

ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର ପ୍ରଥମ ଦୀପଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ସମଗ୍ର ବାଣପୁର ସହର ପରିକ୍ରମା କରି ପଲଟନ ପଡିଆଠାରେ ଶେଷ ହୋଇଥିଲା।

ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଏବଂ ସହିଦ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଣପୁର ସହର ପ୍ରକମ୍ପିତ ହୋଇଉଠିଥିଲା।

ତେବେ ଶୋଭାଯାତ୍ରା କିଛି ବାଟ ଅତିକ୍ରମ କଲା ପରେ ପ୍ରବଳ ବର୍ଷା ହୋଇଥିବା ସତ୍ତ୍ୱେ ସମସ୍ତେ ଦେଶପ୍ରମକୁ ଉଜ୍ଜୀବିତ କରି ବର୍ଷାରେ ଭିଜି ନିରନ୍ତର ତ୍ରିରଙ୍ଗା ଯାତ୍ରା କରିଚାଲିଥିଲେ। ଶୋଭାଯାତ୍ରା ଶେଷ ହେବା ପରେ ପଲଟନ ପଡିଆ ନିକଟରେ ବାଲୁଗାଁସ୍ଥିତ କାଳିଜାଇ କଳା ନିକେତନ ପକ୍ଷରୁ ଚିତାକର୍ଷକ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଖଣ୍ଡ ପରିଚାଳିତ କରିଥିଲା। ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଠାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ: ୪୧୮ ଟି ଅଭିଯୋଗ ଗ୍ରହଣ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୧୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।

ଜନଶୁଣାଣୀ ଶିବିର ସମାପ୍ତ ହେବା ପରେ ଜିଲ୍ଲାପାଳ ଓ ଟିମ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକୁ ଯାଇଥିଲେ। ସେଠାରେ ବିଭିନ୍ନ ସମସ୍ୟା ସ୍ଥାନୀୟ ମେଡିକାଲ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ପଚାରିଥିଲେ ଜିଲ୍ଲାପାଳ। ତେବେ ଡାକ୍ତରଖାନା ରେ ଡାକ୍ତରମାନେ ସପ୍ତାହକୁ ମାତ୍ର ଦୁଇ ଦିନ କାର୍ଯ୍ୟକୁ ଆସୁଥିବାର ଜନପ୍ରତିନିଧିଙ୍କ ଠାରୁ ଶୁଣି ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ତୁରନ୍ତ ସମସ୍ତ ଡାକ୍ତର ବାଣପୁରରେ ସପ୍ତାହରେ ସାତ ଦିନ ଯାକ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ଘର ବ୍ୟବସ୍ଥା ନଥିବାରୁ ଡାକ୍ତର ମାନେ ଉକ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମେଡିକାଲ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏବଂ ଏ ଦିଗରେ ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ଅନୁରୋଧ ମଧ୍ୟ କରିଥିଲେ। ଏହାପରେ ସ୍ଥାନୀୟ ନେହେରୁ ସେବା ସଂଘ ଯାଇ ଜଳବନ୍ଦୀ ସମସ୍ୟା ବୁଲି ଦେଖିଥିଲେ ଜିଲ୍ଲାପାଳ।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଆଇ ଗୌରବ ଶିବାଜି, ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡିଓ ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ଅନ୍ୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବାଣପୁର ପଞ୍ଚୁଆ ଫତୁରି ଓ ଭାରତୀୟ ଇଂରାଜୀ ଉପନ୍ୟାସର ଉନ୍ମେଷ

ଡକ୍ଟର ସତ୍ୟ ଷଡ଼ଙ୍ଗୀ

୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବାଣପୁରଠାରେ ଯେଉଁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ, ଇଂରେଜ ପଲଟଣ ତାହାକୁ ଦମନ କଲେ। କିନ୍ତୁ ୧୮୩୬ ମସିହାରେ ପୁଣି ଏଠାରେ ମୁଣ୍ଡ ଟେକିଲା ଆଉ ଏକ ମୁକ୍ତି ସଂଗ୍ରାମ – ଯାହା ଇତିହାସରେ ‘ପଞ୍ଚୁଆ ଫତୁରି’ ନାମରେ ଜଣାଶୁଣା। ଆଶ୍ଚର୍ଯ୍ୟ ଜନକ ଭାବରେ ଏହି ଘଟଣା ସହ ଭାରତୀୟ ଇଂରାଜୀ କଥା ସାହିତ୍ୟର ଯୋଗସୂତ୍ର ରହିଛି।

ପଞ୍ଚୁଆ ଫତୁରିର ମୁଖ୍ୟ ନାୟକ ଥିଲେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ସଂଗ୍ରାମ ଏତେ ପ୍ରଭାବଶାଳୀ ଥିଲା ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକୃତ ଭାରତର ରାଜଧାନୀ କଲିକତାରେ ଅବସ୍ଥାପିତ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ତଥା ଲେଖକ ଶଶୀ ଚନ୍ଦ୍ର ଦତ୍ତ ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ବା Novelette ରଚନା ନିମନ୍ତେ ତହିଁରୁ ପ୍ରେରଣା ଲାଭ କରିଥିଲେ। ପ୍ରସିଦ୍ଧ ‘ଆନନ୍ଦ ମଠ’ (୧୮୮୨) ଉପନ୍ୟାସ ପାଇଁ ବଙ୍କିମ ଚନ୍ଦ୍ର ସନ୍ନ୍ୟାସୀ ବିଦ୍ରୋହ ଦ୍ୱାରା ଅନୁପ୍ରେରିତ ହେଲା ଭଳି ତାହାର ଯଥେଷ୍ଟ ପୂର୍ବରୁ ୧୮୪୫ ମସିହାରେ ପ୍ରକାଶ ପାଇଥିବା ଏହି ରଚନା ପାଇଁ ଶଶୀ ଚନ୍ଦ୍ର ଦତ୍ତ ବାଣପୁର ମୁକ୍ତି ସଂଗ୍ରାମରୁ ପ୍ରେରଣା ପାଇଥିଲେ। କଥାକାର Novelette ର ନାମ ରଖିଥିଲେ – The Republic of Orissa।

ସାଧାରଣତଃ ଯେଉଁ ରାଜ୍ୟର ମୁଖ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି, ସେହି ରାଜ୍ୟକୁ ରିପବ୍ଲିକ୍ କୁହାଯାଏ। ଆଦର୍ଶ ରାଷ୍ଟ୍ରକୁ ମଧ୍ୟ ରିପବ୍ଲିକ୍ କୁହାଯାଏ। ପ୍ଲାଟୋଙ୍କ ରାଷ୍ଟ୍ର ନୀତିଶାସ୍ତ୍ର ଗ୍ରନ୍ଥର ନାମ ରିପବ୍ଲିକ୍। ଆଜି ଭାରତ ମଧ୍ୟ ଗୋଟିଏ ରିପବ୍ଲିକ୍। ପଞ୍ଚୁଆ ଫତୁରିରେ ତାହା ହିଁ ଘଟିଥିଲା।

ସଂଗ୍ରାମର ନେତା ବୀର କୃତ୍ତିବାସଙ୍କ ଆହ୍ୱାନରେ ଅରାଙ୍ଗ ଠାରେ ୧୮୩୬ ଜୁନ୍ ପହିଲାରେ ପାଞ୍ଚଶହ କନ୍ଧ ଓ ପାଇକଙ୍କ ବୈଠକ ବସିଥିଲା। ସେଥିରେ ରୋଡଙ୍ଗରୁ ଆସିଥିବା ପଞ୍ଚାନନ ନାୟକଙ୍କୁ ରାଜା ଘୋଷଣା କରାଗଲା। ଲୋକମତରେ ପଞ୍ଚାନନ ଜଣେ ବଳଦ ବେପାରୀ। ତାଙ୍କର ନୂଆ ନାମ ହେଲା ରାଜା ଶରଣ ସିଂହ। କୃତ୍ତିବାସ ହେଲେ ସେନାପତି ଓ ମନ୍ତ୍ରୀ। ସେହିଦିନ ରାଜା ଶରଣ ସିଂହ ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଓଡିଶାର ଏହି ଅଭିନବ ଘଟଣା ଜାତୀୟତାବାଦୀ ଶିକ୍ଷିତ ଶଶୀ ଚନ୍ଦ୍ର ଦତ୍ତଙ୍କୁ ସ୍ପର୍ଶ କରିଥିଲା।
The Saturday Evening Harkaru ପତ୍ରିକାରେ ପ୍ରକାଶିତ ଉପରୋକ୍ତ କ୍ଷୁଦ୍ର କାହାଣୀଟିକୁ ଓଡିଆରେ ଅନୁବାଦ କରି ଡ. ସୋମା ଚାନ୍ଦ ତାଙ୍କ ‘ଭିନ୍ନ ଦୃଷ୍ଟିରେ ଓଡିଶା’ ପୁସ୍ତକରେ ସ୍ଥାନୀତ କରିଛନ୍ତି। ତାଙ୍କ ମତରେ, “ଓଡ଼ିଆଙ୍କ ସ୍ୱାଧୀନ ଚେତନା, ବିଦ୍ରୋହାତ୍ମକ ଆଭିମୁଖ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେଣୁ ତାଙ୍କର ଜାତୀୟତାବୋଧ ଭିତ୍ତିକ ଏହି କଳ୍ପିତ କାହାଣୀରେ ଓଡିଶାକୁ ଅଗ୍ରଗଣ୍ୟ ଭୂମିକା ଦେବାରେ କାର୍ପଣ୍ୟ କରିନାହାନ୍ତି।” ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଗୌରବ ଦାୟକ।

ଭାରତୀୟ ଇଂରାଜୀ କଥା ସାହିତ୍ୟ ଧାରାରେ ଲେଖକ ଶଶୀ ଚନ୍ଦ୍ର ଦତ୍ତଙ୍କ ଉପରୋକ୍ତ କାହାଣୀର କ୍ରମ ହେଉଛି ୨ୟ। ସେ ମହାଶୟଙ୍କର ଅନ୍ୟ ଗୋଟିଏ ଦୀର୍ଘକାୟ ଉପନ୍ୟାସ ମଧ୍ୟ ଅଛି। ତାହାର ଶୀର୍ଷକ ହେଉଛି – The Young Zamindar। ୧୮୮୫ ରେ ବହିଟି ପ୍ରକାଶ ପାଇଥିଲା। ବିସ୍ମୟକର ଭାବରେ ଏହାର ଷଷ୍ଠ ଅଧ୍ୟାୟରେ ବାଣପୁରର ଭୌଗୋଳିକ ବିବରଣୀ, ଅରାଙ୍ଗ ଗଡ଼ର ବର୍ଣ୍ଣନା ସହିତ କୃତ୍ତିବାସ ପାଟ୍ଟଶାଣୀଙ୍କ ସଂଗ୍ରାମର ଗୋଟିଏ ଝଲକ ଦେଖିବାକୁ ମିଳେ।

୧୮୩୬ ଜୁନ୍ ମାସ ୬ ତାରିଖରେ କୃତ୍ତିବାସ ଚିଲିକା ଉପକଣ୍ଠ ବଡକୂଳ ଆକ୍ରମଣ କରିଥିଲେ। ଲେଖକ କାହାଣୀ ଛଳରେ ସେହି ଦୃଶ୍ୟ ପରିବେଷଣ କରି ବାଣପୁର ପଞ୍ଚୁଆ ଫତୁରି ତଥା ଏହାର ନାୟକ ଯୋଦ୍ଧା କୃତ୍ତିବାସଙ୍କୁ ସ୍ୱୀକୃତି ଦେବା ସହ ଅମର କରିଦେଇଛନ୍ତି। (Odisha Review, ଅଗଷ୍ଟ ୨୦୧୭ ସଂଖ୍ୟାରେ ଲେଖକଙ୍କ ପ୍ରକାଶିତ ଲେଖା ଦ୍ରଷ୍ଟବ୍ୟ) The Young Zamindar ଉପନ୍ୟାସରେ କୃତ୍ତିବାସଙ୍କ ଚାକ୍ଷୁସ ବର୍ଣ୍ଣନା ପ୍ରଦାନ କରାଯାଇଥିବା ହେତୁ ଏହା ବଳିଷ୍ଠ ଭାବେ ପ୍ରମାଣିତ ହୁଏ ଯେ The Republic of Orissa ରଚନା ପଛରେ ମଧ୍ୟ କୃତ୍ତିବାସଙ୍କ ପ୍ରେରଣା ବିଦ୍ୟମାନ। ‘ଆଜାଦୀ କୀ ଅମୃତ ମହୋତ୍ସବ’ ପାଳନର ଉଲ୍ଲାସରେ ଏହି ତଥ୍ୟ ଆମମାନଙ୍କ ମନରେ ନୂଆ ଉନ୍ମାଦନା ଭରିଦେଉ।

ଡକ୍ଟର ସତ୍ୟ ଷଡ଼ଙ୍ଗୀ (ଅବସର ପ୍ରାପ୍ତ ଅଧ୍ୟାପକ, ବାଣପୁର), ଯୋଗାଯୋଗ ନଂ- ୯୪୩-୮୩୬-୦୫୧୬ 

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବାପା ଉପରକୁ ବୋମା ମାଡ କଲା ପୁଅ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ବାପା ଉପରେ ପୁଅ ଏବଂ ସହଯୋଗୀ ବୋମାମାଡ କରିଛନ୍ତି। ଏ ନେଇ ଆହତ ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଭବାନୀପୁର ପଞ୍ଚାୟତ ଶାନ୍ତିନଗର ବାସିନ୍ଦା ସଠ ରାଉତରାୟ (୮୫) ଙ୍କୁ ଆଜି ବଡି ଭୋରରୁ ତାଙ୍କ ବଡ଼ ପୁତ୍ର ସୁବାସ ରାଉତରାୟ ଏବଂ ଅନ୍ୟ ସହଯୋଗୀ ମାନେ ଏକ ବୋମା ତାଙ୍କ ଉପରକୁ ଫିଙ୍ଗି ଫେରାର ହୋଇଯାଇଛନ୍ତି। ସଠ ଶୌଚ ହେବା ପାଇଁ ବଡି ଭୋରରେ ନିଜ ଘର ସାମ୍ନା କେନାଲକୁ ଯାଇଥିବା ବେଳେ ପୁର୍ବରୁ ସୁବାସ ଓ ଅନ୍ୟ ସହଯୋଗୀମାନେ ସେଠାରେ ଛପି  ରହିଥିଲେ। ଶୌଚ ପରେ ସଠ କେନାଲରୁ ବାହାରୁଥିବା ସମୟରେ ଅଭିଯୁକ୍ତ ମାନେ ସଠଙ୍କ ଉପରକୁ ଏକ ହାତ ତିଆରି ବୋମା ଫୋପାଡ଼ିଥିଲେ।  ଫଳରେ ସଠ କ୍ଷତବିକ୍ଷତ ହୋଇ ତଳେ ପଡିଯାଇଥିଲେ।

ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଏ ନେଇ ସଠ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛି।

ତେବେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି। ସଠ ଓ ତାଙ୍କ ବଡ଼ ପୁତ୍ରଙ୍କ ସହ ପୁର୍ବରୁ ଶତ୍ରୁତା ଲାଗିରହିଥିବା ବେଳେ ବଡ଼ ପୁତ୍ର ଓ ପରିବାର ଘରେ ନରହି ଅନ୍ୟତ୍ର ରହୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରୀନିବାସରୁ ଛାତ୍ରୀ ନିଖୋଜ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଜଣେ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଯୁକ୍ତ ତିନି ପ୍ରାଣୀବିଜ୍ଞାନ ବିଭାଗର ଜନୈକା ଛାତ୍ରୀ ଆଜି ସକାଳ ୮ ଘଟିକା ସମୟରେ ଟ୍ୟୁସନ ଯିବା ନାମରେ ଛାତ୍ରୀ ନିବାସରୁ ବାହାରକୁ ଯାଇଥିଲେ। ତେବେ ୧୦ ଘଟିକା ସମୟରେ ଜନୈକା ଛାତ୍ରୀଙ୍କ ପରିବାରବର୍ଗ ତାଙ୍କୁ ଦେଖା କରିବା ପାଇଁ ଛାତ୍ରୀନିବାସକୁ ଯାଇଥିବା ବେଳେ ସେ ଟ୍ୟୁସନ ଯାଇଥିବାର ଛାତ୍ରୀ ନିବାସ କର୍ତ୍ତୃପକ୍ଷ କହିଥିଲେ।

କିନ୍ତୁ ପରିବାରବର୍ଗ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଛାତ୍ରୀ ଜଣକ ଟ୍ୟୁସନ ଯାଇନାହାନ୍ତି ଏବଂ ତାଙ୍କ ମୋବାଇଲ ବି ବନ୍ଦ ଥିଲା। ତେବେ ସେ ତାଙ୍କ ସମ୍ପର୍କୀୟ ମାମୁଁଙ୍କ ପୁଅ ସହ ଫେରାର ହୋଇଯାଇଥିପାରେ ବୋଲି ପରିବାର ବର୍ଗ ସନ୍ଦେହ କରିଛନ୍ତି। ତେବେ ଅପରାହ୍ନ ୧ ଘଟିକା ଯାଏଁ ଛାତ୍ରୀନିବାସକୁ ଛାତ୍ରୀ ଜଣକ ଫେରିନଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପାରିବାରିକ କଳହର କରୁଣ ପରିଣତି, ନିଜ ଘରେ ନିଆଁ ଲଗାଇଲେ ସ୍ବାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା। ପରିଶେଷରେ ସ୍ୱାମୀ ରାଗରେ ନିଜ ଘରେ ଲଗେଇଦେଲେ ନିଆଁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଉଡିଆ ସାହିରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ସୂଚନା ମୁତାବକ କଉଡିଆ ସାହିର ବିଭୁତି ସାହୁ ଏବଂ ଦମୟନ୍ତୀ ସାହୁ ଉଭୟ ପତି ପତ୍ନୀ ଅଟନ୍ତି। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଶେଷରେ ସ୍ୱାମୀ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ।

ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା। ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ଅପରପକ୍ଷେ ସ୍ୱାମୀ ବିଭୁତି ଘରେ ନିଆଁ ଲାଗିଯାଇଥିବାର ଖବର ବାଣପୁର ଅଗ୍ନିଶମ ବାହିନୀକୁ ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଥିଲା। ତେବେ ପାଖପାଖି ଏକ ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିବାର କହିଛି ଅଗ୍ନିଶମ ବାହିନୀ। ଅନ୍ୟ ପକ୍ଷରେ ପୋଲିସ ଫେରାର ଅଭିଯୁକ୍ତ ବିଭୁତିଙ୍କୁ ଖୋଜିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ। ସବ ଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ। କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବସମ୍ମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ମେ ୨୦ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଧାୟକଙ୍କ ଓକିଲ। ଯାହାକି ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସର୍ତ୍ତ ଅନୁଯାୟୀ, ଚିଲିକା ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ ଅଟେ। ଏହାସହିତ ସେ ୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ କୌଣସି ସଭାସମିତି ଅଥବା ରାଜନୈତିକ ରାଲି କରିପାରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ଦର୍ଶନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ମା’ ଭଗବତୀ ପୀଠ ଦର୍ଶନକୁ ଆସିଥିଲେ। ତାଙ୍କ ସାଙ୍ଗରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ମଧ୍ୟ ସାମିଲ ଥିଲେ। ଶ୍ରୀ ମହାପାତ୍ର ମନ୍ଦିରରେ ମା’ଙ୍କ ଦର୍ଶନ ସାରି ବେଢାରେ କିଛି ସମୟ ଅତିବାହିତ କରିବା ସହ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ସେବାୟତଙ୍କ ସହ ଶ୍ରୀ ମହାପାତ୍ର ମନ୍ଦିରର ଉନ୍ନତି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।

ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକ ଟିମ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ମନ୍ଦିର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲା। ତେବେ ବାଣପୁର ଗସ୍ତର ଆଭିମୁଖ୍ୟ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି କହିବା ସହ କେବଳ ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସିଥିବାର କହିଛନ୍ତି। ତେବେ ରାଜନୈତିକ ପ୍ରଶ୍ନରୁ ସମ୍ପୂର୍ଣ୍ଣ ଦୁରେଇ ରହିଥିଲେ ଶ୍ରୀ ମହାପାତ୍ର।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଏବଂ ବାଣପୁର ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ୩ କେଜି ଗଞ୍ଜେଇ ସମେତ ରତ୍ନାକର ସାହୁ ନାମକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରୁ ୨.୩୦ କେଜି ଗଞ୍ଜେଇ ସମେତ ବାସୁଦେବ ପ୍ରଧାନ ନାମକ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ଗୋଟି ଏନଡ଼ିପିଏସ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଖୋର୍ଦ୍ଧା ରେଞ୍ଜ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଟାଙ୍ଗୀ ରେଞ୍ଜ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଦେବଦୁତ ସାଜିଲା ଅଗ୍ନିଶମ ବାହିନୀ, ଜଳବନ୍ଦିରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ଲଗାଣ ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସଡ଼କ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।  ଏକାଧିକ ବାସିନ୍ଦାଙ୍କ ଘରେ ଫୁଟେ ଫୁଟେ ପାଣି ପ୍ରବେଶ କରିଥିବା ବେଳେ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ପ୍ରଶାସନ। ଜନସାଧାରଣମାନେ ଏହି ବିପଦ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖୋଜୁଥିବା ବେଳେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି।

ତେବେ ଉକ୍ତ ବିଭିଷିକା ମଧ୍ୟରେ ଏକ ପରିବାର ଜଳବନ୍ଦୀରେ ଦୀର୍ଘ ଘଣ୍ଟାଧରି ଫସିରହିଥିବା ବେଳେ ଶେଷରେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ସୂଚନା ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ କୋତରି ଗ୍ରାମର ଏକ ପରିବାରର ଚାରି ଜଣ ସଦସ୍ୟ ଜଳବନ୍ଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ। ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଖବର ପାଇ ଖୋର୍ଦ୍ଧା ଏଏଫଓ ଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଉକ୍ତ ସ୍ଥାନକୁ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଉକ୍ତ ପରିବାରର ସମସ୍ତ ଚାରି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛନ୍ତି।

ତେବେ ବିପଦ ସମୟରେ ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର ଉକ୍ତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଲଗାଣ ବର୍ଷାରେ ଅଧା ବାଣପୁର ହେଲା ଜଳମଗ୍ନ, ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନଏସି ର ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ବ୍ଲକର ଦେଓଗାଁ, ଗାଲୁଆ, ଭେଟେଶ୍ୱର, ଭବାନୀପୁର ଆୟତ୍ତପୁର ଓ ଦେଓଗାଁ ପଞ୍ଚାୟତର କିଛି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଏନଏସି ର ୨ ନମ୍ବର ୱାର୍ଡ ଏବଂ ୧୨ ନମ୍ବର ୱାର୍ଡର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ହସ୍ତଗତ ହୋଇଛି।

ଅନୁରୂପ ଭାବେ ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ନେହେରୁ ସେବା ସଂଘ ପରିସରର ବିଦ୍ୟାଳୟ ମଧ୍ୟ ଜଳମଗ୍ନ ହୋଇଥିବାର ଦେଖାଯାଇଛି। ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ଅଳ୍ପ ଅଞ୍ଚଳ ଜଳମଗ୍ନ ହୋଇଥିବାର ରିପୋର୍ଟ ମିଳିଛି ଏବଂ ସେ ସବୁ ଅଞ୍ଚଳ ଗ୍ରାମ ବାହାରେ ଥିବା ତଳି ଅଞ୍ଚଳ ବୋଲି ବିଡ଼ିଓ କହିଛନ୍ତି। ତେବେ ଆଜି ସକାଳୁ ପାଣି କଟିବାରେ ଲାଗିଛି ଏବଂ ବ୍ଲକ ପ୍ରଶାସନ ଏଥି ନିମନ୍ତେ ପଦକ୍ଷେପ ନେଇଥିବାର କହିଛନ୍ତି ବିଡ଼ିଓ ଶ୍ରୀ ନାୟକ।

ଅନୁରୂପ ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ନେହେରୁ ସେବା ସଂଘ ପରିସରରେ ଜେସିବି ଦ୍ୱାରା ରାସ୍ତା ସଫା କରାଯାଉଛି ଏବଂ ୧୨ ନମ୍ବର ୱାର୍ଡ କରଞ୍ଜିଆ ସାହିକୁ କର୍ମଚାରୀମାନେ ପାଣି ପମ୍ପ ନେଇ ଜଳ ନିଷ୍କାସନ ପାଇଁ ଯାଇଥିବାର କହିଛନ୍ତି। କିନ୍ତୁ କରଞ୍ଜିଆ ସାହି ଚତୁଃପାର୍ଶ୍ୱରେ ଥିବା କେନାଲ ବନ୍ଦ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଞ୍ଚଳ ବାସି କହିଛନ୍ତି।

ସେହିପରି ଭାବେ ବିଇଓ ସନାତନ ଜାଲି ସମସ୍ତ ସିଆରସିସି ଙ୍କୁ ଜଳମଗ୍ନ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ନିକଟରେ ତୁରନ୍ତ ପହଞ୍ଚି ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ଛକରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଅନଙ୍ଗଭୀମ ବିଶ୍ୱାଳଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଅନଙ୍ଗ ଏବଂ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତମାନେ ତାଙ୍କ ଘରେ ପଶି ଲୁଟ କରୁଥିଲେ।

ତେବେ ହଠାତ ପରିବାରର ଜଣେ ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେ ଏହା ଜାଣିବାକୁ ପାଇଥିଲେ ଓ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଲୁଟେରାମାନେ ଲୁଟିଥିବା ଅଳ୍ପ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୭୫/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

ତେବେ ବାଣପୁର-ବାଲୁଗାଁ ଅଞ୍ଚଳରେ କିଛି ମାସ ହେବ ରାତ୍ରି ସମୟରେ ବାଇକ ଚୋରି ଏବଂ ଜନସାଧାରଣଙ୍କ ଘରୁ ଲୁଟ ବୃଦ୍ଧି ପାଉଥିବା ବେଳେ ପୋଲିସ ରାତ୍ରିକାଳିନ ପାଟ୍ରୋଲିଂ କଡ଼ାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଚିଲିକା: ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବାଣପୁର ସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରାଦ୍ଧବାର୍ଷିକୀରେ ଚିଲିକା ନିର୍ବାଚନମଣ୍ଡଳିର ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣମାନେ ଯୋଗଦେଇ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସଭାଶେଷରେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ଶ୍ରୀ ଦାସଙ୍କ ସ୍ମୃତିରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ସୂଚନା ଥାଉକି ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି। ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ପ୍ରଶଂସା ଲାଭ କରିଥିଲେ।