Categories
ବିଶେଷ ଖବର

‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଦେଶ ପାଖରେ ଥିବା ସମ୍ବଳର ଉପଯୋଗ କରିବା ପାଇଁ ଯୁବ ଶକ୍ତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି। ଏହି ଯୁବଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ ବୋଲି ଗୁରୁବାର ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି। କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବ ଶକ୍ତି। ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ। ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି। ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି। ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍କିଲକୁ ସମ୍ମାନ ଦେବା ଓ ଦେଶରେ ଥିବା ଦକ୍ଷତା ପ୍ରତିଭାକୁ ସମ୍ମାନିତ କରିବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହ ଏକ ବିଶେଷ କାର୍ଯ୍ୟକ୍ରମ। ଏହି ବାର୍ଷିକ ଦକ୍ଷତା ସମାବର୍ତ୍ତନ ସମାରୋହରେ ସ୍କିଲ୍ ସାର୍ଟିଫିକେଟ୍ ଗ୍ରହଣ କରିଥିବା ଦକ୍ଷତା ପରିସଂସ୍ଥାନର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ  ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ୍ ସାର୍ଟିଫିକେସନରେ ମହିଳାଙ୍କ ସଂଖ୍ୟା ବଢିବା ଖୁସିର ବିଷୟ । ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ସ୍କିଲ୍ ଇକୋସିଷ୍ଟମରେ ୧.୫ କୋଟି ନାଗରିକ ସାମିଲ ହୋଇଛନ୍ତି।

ବିଶ୍ୱରେ ଦକ୍ଷତା ପରବର୍ତ୍ତନଶୀଳ । ଆମ ସ୍କିଲିଂ ଇକୋସିଷ୍ଟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ଦ୍ୱାରା ଉଭା ହେଉଥିବା କ୍ଷେତ୍ର ଗୁଡିକରେ ସ୍କିଲର କୋର୍ସ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ସ୍କୁଲର ପାଠ୍ୟକ୍ରମରେ ଯୋଡାଯାଉଛି । ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ସ୍କିଲ୍ ଆବଶ୍ୟକତାକୁ ପୂରଣ କରିବା ଓ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ଦେଶର ମାନବ ସମ୍ବଳକୁ ସ୍କିଲ୍ ଏବଂ ଅପସ୍କିଲ୍ କରି ଏକ ବିକଶିତ ଭାରତ ଓ ଭାରତକୁ ବିଶ୍ୱର କୌଶଳର ପେଣ୍ଠସ୍ଥଳୀରେ ପରିଣତ କରିବାର କଳ୍ପନାକୁ ସାକାର କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।  ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ, ଏହି ଅବସରରେ ଦେଶବ୍ୟାପୀ ଥିବା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଇଟିଆଇ, ଏନଏସଟିଆଇ ଏବଂ ଉଦ୍ୟୋଗୀ ବିକାଶ ଯୋଜନାର ସଂକ୍ଷିପ୍ତ ତାଲିମ ପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ୧୨ଟି ଭାରତୀୟ ଭାଷାରେ ଆଇଟିଆଇ ପୁସ୍ତକ ଉନ୍ମୋଚନ ସହ ଉଦ୍ୟୋଗୀ ବିକାଶ ସମ୍ପର୍କିତ ହ୍ୟାଣ୍ଡବୁକର ଲୋକାର୍ପଣ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସଂସଦର ସ୍ଵତନ୍ତ୍ର ଅଧିବେଶନ: କେନ୍ଦ୍ରୀୟ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୯-୨୦୨୩) ସ୍ବତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ରୀୟ କକ୍ଷରେ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି।

ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସଂସଦ ଭବନ ଓ କେନ୍ଦ୍ରୀୟ କକ୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଏକ ପ୍ରେରଣାଦାୟୀ କାହାଣୀ ରହିଛି। ପ୍ରଥମେ ପ୍ରଥମେ ସଂସଦ ଭବନର ଏହି ଅଂଶ କିପରି ଗ୍ରନ୍ଥାଳୟ ଭାବେ ବ୍ୟବହୃତ ହେଉଥିଲା ତାହାର ସେ ସ୍ମୃତିଚାରଣ କରିଥିଲେ। ଏହି ଅଂଶରେ ହିଁ ଆମର ସମ୍ବିଧାନ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଓ ସ୍ବାଧୀନତା ପରେ କ୍ଷମତା ହସ୍ତାନ୍ତର ମଧ୍ୟ ହୋଇଥିଲା।

ଏହି କେନ୍ଦ୍ରୀୟ କକ୍ଷରେ ହିଁ ଆମର ଜାତୀୟ ପତାକା ଓ ଜାତୀୟ ସଂଗୀତ ଗୃହୀତ ହୋଇଥିଲା। ବିଶ୍ବର ୪୧ଟି ଦେଶର ରାଷ୍ଟ୍ର ଓ ସରକାର ମୁଖ୍ୟ ଭାରତୀୟ ସଂସଦରେ ସେମାନଙ୍କର ଅଭିଭାଷଣ ରଖିଥିଲେ। ୮୬ ଥର ବିଭିନ୍ନ ରାଷ୍ଟ୍ରପତିଗଣ କେନ୍ଦ୍ରୀୟ କକ୍ଷରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଗତ ସାତ ଦଶନ୍ଧି ମଧ୍ୟରେ ଲୋକସଭା ଓ ରାଜ୍ୟସଭା ପ୍ରାୟ ଚାରି ହଜାର ଆଇନ ସଂସଦର ଯୁଗ୍ମ ଅଧିବେଶନ ଜରିଆରେ ପାସ କରାଇଛନ୍ତି। ଯୌତୁକ ନିରୋଧୀ ଆଇନ, ବ୍ୟାଙ୍କିଂ ସେବା ଆୟୋଗ ବିଲ୍ ଓ ଆତଙ୍କବାଦ ବିରୁଦ୍ଧ ସଂଗ୍ରାମ ପାଇଁ ଆଇନ ମଧ୍ୟ ପାସ୍ ହୋଇଛି। ସେ ମଧ୍ୟ ତିନି ତଲାକ୍ ଉଚ୍ଛେଦ ଆଇନ ସହ ଟ୍ରାନ୍ସଜେଣ୍ଡର ଓ ଦିବ୍ୟାଙ୍ଗଙ୍କ ପାଇଁ ଆଇନ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଧାରା ୩୭୦ ଉଚ୍ଛେଦର ଜନ ପ୍ରତିନିଧିମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ପୂର୍ବ ପୁରୁଷଗଣ ଆମକୁ ଦେଇଥିବା ସମ୍ବିଧାନ ବର୍ତ୍ତମାନ ଜମ୍ମୁ ଓ କଶ୍ମୀରରେ ତ୍ବରାନ୍ବିତ ହେଉଛି। “ଆଜି ଜମ୍ମୁ ଓ କଶ୍ମୀର ବିକାଶ ପଥରେ ଅଗ୍ରଗତି କରୁଛି ଓ ଏହାର ଜନସାଧାରଣ ଏହି ସୁଯୋଗ ସେମାନଙ୍କ ହାତରୁ ଆଉ ଖସିଯିବାକୁ ଚାହୁଁନାହାନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

୨୦୨୩ ସ୍ବାଧୀନତା ଦିବସରେ ଲାଲକିଲାର ପ୍ରାଚୀର ଉପରୁ ଦେଇଥିବା ସମ୍ବୋଧନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ହିଁ ଠିକ୍ ସମୟ ଓ ଏକ ପୁନଃ ଜାଗରିତ ଚେତନା ସହ ଭାରତ ପୁଣି ମୁଣ୍ଡ ଟେକୁଛି। “ଭାରତ ଏକ ଶକ୍ତିରେ ଭରପୂର”, ଶ୍ରୀ ମୋଦୀ ଏହି ଜାଗରିତ ଚେତନା ଉପରେ କହି ପ୍ରତ୍ୟେକ ନାଗରିକ ଏହାକୁ ଭିତ୍ତିକରି କଠିନ ପରିଶ୍ରମ ଓ ଉତ୍ସର୍ଗ ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବାରେ ସମର୍ଥ ହେବେ ବୋଲି କହିଥିଲେ। ଭାରତ ନିଶ୍ଚିତ ଭାବେ ଏହି ବାଛିଥିବା ପଥରେ ପହଂଚିବ। “ଦ୍ରୁତ ଫଳାଫଳ ଦ୍ରୁତ ପ୍ରଗତି ଦ୍ବାରା ହିଁ ହାସଲ କରିହେବ” ବୋଲି ସେ କହିଥିଲେ। ପଞ୍ଚମ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ରାଷ୍ଟ୍ରକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପଞ୍ଚମ ସ୍ଥାନକୁ ଉଠିଥିଲେ ମଧ୍ୟ ଏବେ ଶ୍ରେଷ୍ଠ ତିନି ସ୍ଥାନକୁ ଉନ୍ନୀତ ହେବା ନେଇ ସେ ନିଶ୍ଚିତ। ସେ ଭାରତୀୟ ବ୍ୟାଙ୍କିଂ କ୍ଷେତ୍ରର ଶକ୍ତି ନେଇ କହିଥିଲେ। ସମଗ୍ର ବିଶ୍ବ ଭାରତର ଡିଜିଟାଲ ଭିତ୍ତିଭୂମି, ୟୁପିଆଇ ଓ ଡିଜିଟାଲ ଉଚ୍ଚତା ନେଇ ଜାଣିବାକୁ ଉତ୍ସୁକ। ହଜାର ବର୍ଷ ମଧ୍ୟରେ ଭାରତର ଆକାଂକ୍ଷା ସବୁଠାରୁ ଉଚ୍ଚରେ ଥିବାରୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସମୟର ଗୁରୁତ୍ବ ଉପରେ ଅବତାରଣା କରିଥିଲେ। ହଜାର ହଜାର ବର୍ଷ ଭାରତର ଆଶା ଆକାଂକ୍ଷା ଶୃଙ୍ଖଳ ଦ୍ବାରା ବନ୍ଧା ହୋଇଥିଲେ ମଧ୍ୟ ଏବେ ଆମ ଦେଶ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନୁହଁ। ନୂତନ ଆକାଂକ୍ଷା ନୂତନ ଆଇନ ତିଆରି ସହ ଯୁଗ ସହ ଖାପ ଖୁଆଇବାକୁ ଅନୁପଯୁକ୍ତ ଆଇନଗୁଡ଼ିକ ପରିହାର କରିବା ବର୍ତ୍ତମାନ ସାଂସଦମାନଙ୍କ ଗୁରୁଦାୟିତ୍ବ ବୋଲି ସେ କହିଥିଲେ।

ପ୍ରତ୍ୟେକ ଭାରତୀୟର ଆଶା ଓ ପ୍ରତ୍ୟେକ ସାଂସଦଙ୍କ ବିଶ୍ବାସ ଯେ ପାସ୍ ହେଉଥିବା ସମସ୍ତ ଆଇନ, ଆଲୋଚନା ଓ ସମ୍ବାଦ ଦ୍ବାରା ସଂସଦରୁ ପ୍ରଚାର ହେଉଛି ତାହା ଭାରତୀୟମାନଙ୍କ ଆକାଂକ୍ଷାକୁ ପୂରଣ କରିବ। “ସଂସଦରେ ପ୍ରବର୍ତ୍ତିତ ହେଉଥିବା ପ୍ରତ୍ୟେକ ସଂସ୍କାର ନିମନ୍ତେ ଭାରତ ଆକାଂକ୍ଷାର ମୂଳ ପ୍ରତିଫଳିତ ହେବା ଆବଶ୍ୟକ” ବୋଲି ସେ ଗୁରୁତ୍ବର ସହ କହିଥିଲେ।

ଗୋଟିଏ ବଡ଼ ଚିତ୍ର କ’ଣ ଛୋଟ କାନଭାସରେ ଅଙ୍କାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଆମ କଳ୍ପନାର କାନଭାସକୁ ସମ୍ପ୍ରସାରିତ ନ କରି ଆମେ ସ୍ବପ୍ନର ଭବ୍ୟ ଭାରତ ଗଠନ କରିପାରିବା ନାହିଁ। ଭାରତର ଭବ୍ୟ ଐତିହ୍ୟର ଅବତାରଣା କରି ସେ କହିଥିଲେ, ଯଦି ଆମ ଚିନ୍ତାଧାରା ଆମର ମହାନ ଐତିହ୍ୟ ସହ ସଂଯୋଗ ହୁଏ, ତେବେ ଏକ ଭବ୍ୟ ଭାରତର ଚିତ୍ର ଆଙ୍କିପାରିବା। “ଭାରତକୁ ଏକ ବଡ଼ କାନଭାସରେ କାର୍ଯ୍ୟ କରିବାକୁ ହେବ। ଏକ ଛୋଟ ପରିସର ମଧ୍ୟରେ ଗୋଳେଇ ଘାଣ୍ଟି ହେବାର ସମୟ ଅତିକ୍ରାନ୍ତ ହୋଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

ଏକ ଆତ୍ମନିର୍ଭର ଭାରତ ସୃଷ୍ଟିର ପ୍ରାଥମିକତା ଉପରେ ସେ କହିଥିଲେ, ପୁରୁଣା ଆଶଙ୍କାର ପ୍ରତ୍ୟାଖାନ କରି ସାରା ବିଶ୍ବ ଏବେ ଭାରତର ଆତ୍ମନିର୍ଭର ମଡେଲ କଥା ଆଲୋଚନା କରୁଛି। ପ୍ରତିରକ୍ଷା, ନିର୍ମାଣ, ଶକ୍ତି ଓ ଖାଇବା ତେଲ କ୍ଷେତ୍ରରେ କିଏ ବା ଆତ୍ମନିର୍ଭର ହେବାକୁ ନ ଚାହିଁବ ବୋଲି କହି ଏଥିପାଇଁ ରାଜନୀତି ଏକ ପ୍ରତିବନ୍ଧକ ହେବା ଅନୁଚିତ୍ ବୋଲି ସେ କହିଥିଲେ। ନିର୍ମାଣ କ୍ଷେତ୍ରରେ ଭାରତ ନୂତନ ଶିଖର ପହଂଚିବା ଉପରେ ଗୁରୁତ୍ବ ଆରୋପ କରି ପ୍ରଧାନମନ୍ତ୍ରୀ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ର ମଡେଲ ଉପରେ ଆଲୋକପାତ କରିଥିଲେ। ଯେତେବେଳେ ଭାରତୀୟ ସାମଗ୍ରୀ ତ୍ରୁଟିଯୁକ୍ତ ନ ହେବ ଓ ନିର୍ମାଣ ପଦ୍ଧତିର ମଧ୍ୟ ପରିବେଶ ଉପରେ ଶୂନ୍ୟ ପ୍ରତିକ୍ରିୟା ଦେଖାଦେବ ତେବେ ଯାଇ ଏହା ଗ୍ରହଣଯୋଗ୍ୟ ହେବ। ଦେଶର ନିର୍ମାଣ କ୍ଷେତ୍ର ଯଥା କୃଷି ସାମଗ୍ରୀ, ପରିପାଟୀ ବିକାଶ, ସଫ୍ଟଓ୍ବର, ହସ୍ତକଳା ଇତ୍ୟାଦି କ୍ଷେତ୍ରରେ ଏକ ନୂତନ ବୈଶ୍ବିକ ବେଞ୍ଚମାର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଚାଲିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ‘ଦେଶକୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଆମର ସାମଗ୍ରୀ କେବଳ ଆମ ଗ୍ରାମ, ସହର, ଜିଲ୍ଲା ଓ ରାଜ୍ୟରେ ସର୍ବଶ୍ରେଷ୍ଠ ହେବ ନାହିଁ ଏହା ବିଶ୍ବରେ ସର୍ବଶ୍ରେଷ୍ଠ ହେବ”।

ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷା ନୀତିର ମୁକ୍ତ ପଦ୍ଧତି ଉପରେ ଆଲୋକପାତ କରି ଏହା ସର୍ବଜନାଦୃତ ବୋଲି କହିଥିଲେ। ନାଳନ୍ଦା ବିଶ୍ବବିଦ୍ୟାଳୟର ଚିତ୍ର ଜି-୨୦ ଶିଖର ବୈଠକରେ ଦେଖି ବିଦେଶରୁ ଆସିଥିବା ଗଣ୍ୟମାନ୍ୟ ଅତିଥିଗଣ ଭାରତରେ ଏଭଳି ଅନୁଷ୍ଠାନ ୧୫ ଶହ ବର୍ଷ ପୂର୍ବରୁ ଥିଲା ବୋଲି ବିଶ୍ବାସ କରିପାରି ନ ଥିଲେ। “ଆମକୁ ଲକ୍ଷ୍ୟ ହାସଲ ନିମନ୍ତେ ଏଥିରୁ ପ୍ରେରଣା ନେବାକୁ ପଡ଼ିବ” ବୋଲି ଶ୍ରୀ ମୋଦୀ କହିଥିଲେ।

ଦେଶରେ ବୃଦ୍ଧି ପାଉଥିବା କ୍ରୀଡ଼ା କ୍ଷେତ୍ରର ସଫଳତା ନେଇ ଦେଶରେ ଟୁ ଓ ଥ୍ରୀ ଟାୟାର ସହରରେ ଏହା ଲୋକପ୍ରିୟତା ହାସଲ କରୁଛି। “ଦେଶର ଏହା ସଂକଳ୍ପ ହେବା ଉଚିତ ଯେ ପ୍ରତ୍ୟେକ କ୍ରୀଡ଼ା ମଞ୍ଚରେ ଭାରତୀୟ ତ୍ରିରଙ୍ଗା ଶୋଭା ପାଇବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ସାଧାରଣ ନାଗରିକଙ୍କ ଉନ୍ନତ ଜୀବନମାନ ଆକାଂକ୍ଷା ପାଇଁ ଗୁଣାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ହେବ।

ଗୋଟିଏ ଦେଶର ଜନସଂଖ୍ୟାରେ ଯୁବକ-ଯୁବତୀଙ୍କ ବହୁଳତାର ଗୁରୁତ୍ବ ରହିଛି। ଯେପରି ଅଗ୍ରଭାଗରେ ଭାରତୀୟ ଯୁବାଗୋଷ୍ଠୀ ସବୁବେଳେ ରହିବେ, ସେଥିପାଇଁ ଆମକୁ ଏକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ବିଶ୍ବସ୍ତରରେ କୌଶଳ ବିକାଶକୁ ଆଖି ଆଗରେ ରଖି ଭାରତ ଏହାର ଯୁବପିଢ଼ିକୁ କୁଶଳୀ କରୁଛି, ନିକଟରେ ୧୫୦ଟି ସେବିକା ମହାବିଦ୍ୟାଳୟ ଦେଶରେ ଯୁବିପିଢ଼ିକୁ ପେଶାଦାର ସ୍ବାସ୍ଥ୍ୟ ସେବକ-ସେବିକା କରି ଗଢ଼ି ତୋଳିବା ପାଇଁ ପ୍ରତିଷ୍ଠା ହୋଇଛି। ସମୟାନୁସାରେ ସଠିକ୍ ନିଷ୍ପତ୍ତି ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ନିଷ୍ପତ୍ତି ଗ୍ରହଣ କଦାପି ବିଳମ୍ବିତ ହେବା ଅନୁଚିତ” ଓ ଲୋକ ପ୍ରତିନିଧିଗଣ ରାଜନୀତିକ ଲାଭ ବା କ୍ଷତିରେ ବନ୍ଧା ନୁହନ୍ତି। ଦେଶର ସୌର ଶକ୍ତିକୁ ନେଇ ସେ କହିଥିଲେ ଯେ, ଏହା ବର୍ତ୍ତମାନ ଦେଶର ଶକ୍ତି ସଙ୍କଟ ନ ହେବା ଉପରେ ଗ୍ୟାରେଣ୍ଟି ଦେଉଛି। ସେ ମଧ୍ୟ ଦେଶର ଉଦଜାନ ମିଶନ, ସେମି କଣ୍ଡକ୍ଟର ମିଶନ ଓ ଜଳ ଜୀବନ ମିଶନ ଉପରେ ଆଲୋକପାତ କରି ଏହା ଉନ୍ନତ ଭବିଷ୍ୟତ ପାଇଁ ବାଟ କଢ଼ାଉଛି ବୋଲି କହିଛନ୍ତି। ଭାରତୀୟ ସାମଗ୍ରୀ ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ପହଂଚିବାକୁ ପ୍ରଧାନମନ୍ତ୍ରୀ ଦେଶର ରଣନୀତିକ କ୍ଷେତ୍ରର ବିକାଶ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ସହ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏହା ଉପଲବ୍ଧ ହେବ ବୋଲି କହିଥିଲେ। ଜ୍ଞାନ ଓ ନବୋନ୍ମେଷ ଉପରେ ପ୍ରଧାନମନ୍ତ୍ରୀ ନିକଟରେ ପାସ୍ ହୋଇଥିବା ଗବେଷଣା ଓ ନବୋନ୍ମେଷ ଆଇନର ଉଦାହରଣ ଦେଇଥିଲେ। ଚନ୍ଦ୍ରଯାନର ସଫଳତା ନେଇ ଦେଶରେ ଯେଉଁ ଉତ୍ସାହର ଗତି ବୃଦ୍ଧି ପାଇଛି ତାହା ବେକାର ଯିବା ଅନୁଚିତ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସାମାଜିକ ନ୍ୟାୟ ହେଉଛି ଆମର ପ୍ରାଥମିକତା” ଓ ସାମାଜିକ ନ୍ୟାୟ ଉପରେ ଆଲୋଚନା ଖୁବ୍ ସୀମିତ ହୋଇଥିବାରୁ ଏହା ଆହୁରି ବ୍ୟାପକ ହେବା ଆବଶ୍ୟକ। ସାମାଜିକ ନ୍ୟାୟ ମଧ୍ୟରେ ଅବହେଳିତ ଗୋଷ୍ଠୀଙ୍କୁ ସଂଯୋଗୀକରଣ ଜରିଆରେ ସଶକ୍ତ କରିବା, ସ୍ବଚ୍ଛ ଜଳ, ବିଦ୍ୟୁତ, ଡାକ୍ତରୀ ଚିକିତ୍ସା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଉପଲବ୍ଧ କରାଇବା ଦରକାର। ବିକାଶରେ ଅସାମାଞ୍ଜସ୍ୟତା ମଧ୍ୟ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଥିବାରୁ ସେ ଏହି ପରିପ୍ରେକ୍ଷୀରେ ଦେଶର ପୂର୍ବାଞ୍ଚଳର ଅନଗ୍ରସରତା ଉପରେ ଦର୍ଶାଇଥିଲେ। “ଆମକୁ ପୂର୍ବାଞ୍ଚଳକୁ ମଜଭୁତ କରି ସେଠାରେ ସାମାଜିକ ନ୍ୟାୟର ଶକ୍ତି ପ୍ରଦର୍ଶନ କରିବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ଆକାଂକ୍ଷିତ ଜିଲ୍ଲା ଯୋଜନା ଏକ ସନ୍ତୁଳିତ ବିକାଶକୁ ଜୀବନ ଦେଇଛି ବୋଲି କହିବା ସହ ଏହା ଦେଶର ୫୦୦ ବ୍ଲକକୁ ସମ୍ପ୍ରସାରିତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

“ସମଗ୍ର ପୃଥିବୀ ଭାରତକୁ ଦେଖୁଛି” ବୋଲି କହି ସେ କହିଥିଲେ ଯେ ଭାରତ ଶୀତଳ ଯୁଦ୍ଧ ଯୁଗରେ ଏକ ନିରପେକ୍ଷ ଦେଶ ଭାବେ ବିବେଚନା କରାଯାଉଥିଲା। ମାତ୍ର ଭାରତ ଆଜି ‘ବିଶ୍ବମିତ୍ର’ ଭାବେ ପରିଚିତି ଲାଭ କରିଛି ଓ ଭାରତ ଅନ୍ୟ ଦେଶଗୁଡ଼ିକ ସହ ମିତ୍ରତା ସ୍ଥାପନ କରୁଥିବା ବେଳେ ସେମାନେ ମଧ୍ୟ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ବିବେଚନା କରୁଛନ୍ତି। ଭାରତ ଏପରି ବୈଦେଶିକ ନୀତିରୁ ଯଥେଷ୍ଟ ଲାଭ ଉଠାଇ ବିଶ୍ବରେ ସ୍ଥିର ଉତ୍ପାଦନ ଓ ବଣ୍ଟନର ଏକ ଉଦାହରଣ ସାଜିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀ ଗ୍ଲୋବଲ ସାଉଥ୍ ଆବଶ୍ୟକତା ପୂରଣ ଦିଗରେ ଏକ ମାଧ୍ୟମ ପାଲଟିଛି ଓ ଭବିଷ୍ୟତ ପିଢ଼ି ଏହି ଗୁରୁତ୍ବପୂର୍ଣ୍ଣ ସଫଳତା ନିମନ୍ତେ ଖୁବ୍ ଗର୍ବିତ ହେବ। “ଜି-୨୦ ଶିଖର ସମ୍ମିଳନୀ ବପନ କରିଥିବା ବୀଜ ବିଶ୍ବ ପାଇଁ ଏକ ବିଶାଳ ବଟବୃକ୍ଷର ଆସ୍ଥା ଭଳି ହେବ” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଜି-୨୦ ଶିଖର ସମ୍ମିଳନୀରେ ଜୈବ ଇନ୍ଧନ ଆନ୍ଦୋଳନ ଭାରତ ନେତୃତ୍ବରେ ବୈଶ୍ବିକ ସ୍ତରରେ ସ୍ଥାନ ନେଉଛି ବୋଲି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ନୂତନ ସଂସଦ ଭବନର ଗୌରବ ଓ ମର୍ଯ୍ୟାଦା ସୁରକ୍ଷିତ ରଖି ଏହାର ସ୍ଥିତି ଯେପରି ପୁରୁଣା ସଂସଦ ଭବନ ଭଳି ନ ହେବ ସେଥିପାଇଁ ଅନୁରୋଧ କରିଥିଲେ। ଏହି ଭବନର ନାମ ସମ୍ବିଧାନ ସଦନ ହେବ। “ସମ୍ବିଧାନ ସଦନକୁ ପୁରୁଣା ଭବନ ମାର୍ଗଦର୍ଶନ ଦେବ ଓ କିପରି ମହାନ ବ୍ୟକ୍ତିତ୍ବଗଣ ଆମ ସାମ୍ବିଧାନିକ ସଭାରେ ଅଂଶବିଶେଷ ଥିଲେ, ତାହା ମନେ ପକାଇ ଦେଉଥିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଅନ୍ତ ଘଟାଇଥିଲେ।

Categories
ଆଜିର ଖବର

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ।

ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର ଭିତ୍ତିଭୂମି।

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ- ଯାହାର ଅର୍ଥ ହେଲା “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରତ୍ୟେକ କାର୍ଯ୍ୟ ହାସଲ କରିହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ଯେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀ ଆମକୁ ସବୁବେଳେ ସ୍ମରଣ କରାଇ ଦିଏ ଯେ ସ୍ୱାସ୍ଥ୍ୟ ହିଁ ଆମ ସମସ୍ତ ନିଷ୍ପତ୍ତିର ମୁଖ୍ୟ ବିଷୟ ହେବା ଆବଶ୍ୟକ । ସମୟ ମଧ୍ୟ ଆମକୁ ସଚେତନ କରି ଦେଇଛି ଯେ ସେ ଔଷଧ ହେଉ ବା ଟୀକା ଯୋଗାଣ ବା ଲୋକଙ୍କୁ ଘରକୁ ଫେରାଇ ଆଣିବା ସବୁଥିରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ସରକାରଙ୍କ ମାନବ ହିତୈଷୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୈତ୍ରୀ ଟୀକା ପଦକ୍ଷେପ ଜରିଆରେ ଭାରତ ଦକ୍ଷିଣ ଗୋଲାର୍ଦ୍ଧର କେତେକ ଦେଶ ସମେତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ୍-୧୯ ଟୀକା ମାତ୍ରା ପ୍ରଦାନ କରିଥିଲେ।

ବୈଶ୍ୱିକ ମହାମାରୀ କାଳରେ ନମନୀୟତାକୁ ଏକ ବିରାଟ ନୀତିବାଣୀ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ସ୍ୱାସ୍ଥ୍ୟ ପଦ୍ଧତି ନମନୀୟ ହେବା ଉଚିତ। ଆମକୁ ନିଶ୍ଚିତ ଭାବେ ପରବର୍ତ୍ତୀ ସ୍ୱାସ୍ଥ୍ୟ ଆପାତକାଳ ନିମନ୍ତେ ଏହାର ଦୂରୀକରଣ ଓ ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଆଜିର ଆନ୍ତଃ ସଂଯୋଗୀକରଣ ବିଶ୍ୱରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ମହାମାରୀ ବିଶ୍ୱର ଗୋଟିଏ ପଟରେ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ସମସ୍ୟା କିପରି ଦ୍ରୁତ ଭାବେ ଅନ୍ୟପଟକୁ ବ୍ୟାପିଥାଏ ତାହା ଆମେ ଅନୁଭବ କରୁଛୁ।

“ଭାରତରେ ଆମେ ଏକ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣର ପାଖାପାଖି ପଦକ୍ଷେପ ନେଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଭେଷଜ ପଦ୍ଧତିକୁ ପ୍ରୋତ୍ସାନ ଦେଉଛୁ ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟର ସାର୍ବଜନୀନ ଇଚ୍ଛାର ଏକ ଇଚ୍ଛାପତ୍ର ପାଲଟିଛି। ଚଳିତ ବର୍ଷ ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି। ଭାରତରେ ପରିଚିତ ଶ୍ରୀ ଅନ୍ନ ବା ମିଲେଟର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ବିଶ୍ୱାସ ସ୍ୱାସ୍ଥ୍ୟ ଏବଂ ସୁଧାର ପ୍ରତ୍ୟେକଙ୍କ ନମନୀୟତାକୁ ବୃଦ୍ଧି କରିବ। ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ସାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ବୈଶ୍ୱିକ ଶିଖର ବୈଠକ ଓ ତାହା ପୁଣି ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏହି ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ଉପାଦେୟ ହେବ। ପାରମ୍ପରିକ ଔଷଧର ବୈଶ୍ୱିକ ଗନ୍ତାଘର ସୃଷ୍ଟି କରିବା ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ।

ସ୍ୱାସ୍ଥ୍ୟ ଓ ପରିବେଶ ଜୈବିକ ଦୃଷ୍ଟିକୋଣରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମୁକ୍ତ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୌଷ୍ଟିକତା ଓ ନିରାପଦ ଆଶ୍ରୟସ୍ଥଳ ସ୍ୱାସ୍ଥ୍ୟ ପାଇଁ ପ୍ରଧାନ ଅବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଳବାୟୁ ଓ ସ୍ୱାସ୍ଥ୍ୟ ଦିଗରେ ପଦକ୍ଷେପ ନେଇଥିବାରୁ ସେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଣୁ କୀଟାଣୁ ପ୍ରତିରୋଧକ ନିରୋଧୀ (ଏଏମଆର)ର ଭୟ ଉପରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଏମଆର ବୈଶ୍ୱିକ ଜନ ସ୍ୱାସ୍ଥ୍ୟ ଓ ସମସ୍ତ ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ଏକ ବିରାଟ ବିପଦ ସୃଷ୍ଟି କରିଛି। ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ‘ଗୋଟିଏ ସ୍ୱାସ୍ଥ୍ୟ’ ଓ ଆମର ଲକ୍ଷ୍ୟ ‘ଗୋଟିଏ ବିଶ୍ୱ’ ଗୋଟିଏ ସ୍ୱାସ୍ଥ୍ୟ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବ ଓ ଏ ପ୍ରକାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରିଥିଲେ। ମଣିଷ, ପ୍ରାଣୀ, ବୃକ୍ଷଲତା ଓ ପରିବେଶ ପାଇଁ ଏହି ଲକ୍ଷ୍ୟ ଉପକାରୀ। ଏପରି ସମନ୍ୱିତ ମତ କାହାରିକୁ ପଛରେ ନ ପକାଇବା ଭଳି ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେକୌଣସି ସ୍ୱାସ୍ଥ୍ୟ ଜନିତ ପଦକ୍ଷେପର ସଫଳତା ଜନ ସହଯୋଗ ଉପରେ ନିର୍ଭରଶୀଳ। ଏହାର ଗୁରୁତ୍ୱ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଆମର କୁଷ୍ଠ ନିରାକରଣ ଅଭିଯାନର ସଫଳତା ଏହାର ଏକ ଉଦାହରଣ ବୋଲି କହିଥିଲେ। ଆମର ଯକ୍ଷ୍ମା ଉନ୍ମେଳନ କାର୍ଯ୍ୟକ୍ରମ ମଧ୍ୟ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ। ସେ କହିଥିଲେ ଯେ ଆମେ ଜନସାଧାରଣଙ୍କୁ ଦେଶର ନିଃ-କ୍ଷୟ ମିତ୍ର ବା ଟିବି ଦୂରୀକରଣର ବନ୍ଧୁ, ହେବା ପାଇଁ ନିବେଦନ କରିଥିଲୁ ଓ ପ୍ରାୟ ଏକ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

“ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ସୁଲଭ ହେବା ନେଇ ନବୋନ୍ମେଷ ଓ ଡିଜିଟାଲ ସମାଧାନ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟମ ଏ ଦିଗରେ ଉପାଦେୟ ହୋଇଛି ଓ ଦୂରଦୂରାନ୍ତରରେ ଥିବା ରୋଗୀମାନେ ଟେଲି ମେଡିସିନ୍ ଜରିଆରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ସେ ଭାରତୀୟ ଜାତୀୟ କାର୍ଯ୍ୟକ୍ରମ ଇ-ସଞ୍ଜିବନୀର ପ୍ରଶଂସା କରିବା ସହ ଏହା ଏ ପର୍ଯ୍ୟନ୍ତ ୧୪୦ ନିୟୁତ ଟେଲି ପରାମର୍ଶ ଯୋଗାଇ ପାରିଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାନବ ଇତିହାସରେ ସଫଳ ଟୀକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଏହା ଦୁଇ ଦଶମିକ ଦୁଇ ବିଲିୟନ ଟୀକା ମାତ୍ରା ପ୍ରଦାନ କରିବା ସହ ବିଶ୍ୱବ୍ୟାପୀ ଗ୍ରହଣଯୋଗ୍ୟ ଟୀକା ପ୍ରମାଣପତ୍ର ପ୍ରଦାନ କରିଛି । ଡିଜିଟାଲ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ବୈଶ୍ୱିକ ପଦକ୍ଷେପ ବିଭିନ୍ନ ସ୍ୱାସ୍ଥ୍ୟଗତ ଡିଜିଟାଲ ପଦକ୍ଷେପକୁ ଏକ ସମଭାବାପନ୍ନ ମଞ୍ଚକୁ ନେଇ ଆସିବ।

“ଆସନ୍ତୁ ଆମେ ଆମର ନବୋନ୍ମେଷକୁ ଜନହିତରେ ଉପଯୋଗ କରିବା। ପାଣ୍ଠି ଯୋଗାଣରେ ଦୋହରା ମାନଦଣ୍ଡ ଗ୍ରହଣ କରିବା ନାହିଁ। ପ୍ରଯୁକ୍ତିବିଦ୍ୟାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା” ବୋଲି ପ୍ରଧାନମନ୍ତ୍ରୀ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ। ଏହି ପଦକ୍ଷେପ ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯତ୍ନ କ୍ଷେତ୍ରରେ କ୍ରମଶଃ ସମକ୍ଷକ ହୋଇ ଏହାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳତା ହାସଲ ଦିଗରେ ସହାୟକ ହେବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମାନବ ଜଗତ ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭକାମନା ସଂସ୍କୃତିରେ ଆବୃତ୍ତି କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଓ ତାହାର ମର୍ମ ହେଉଛି “ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ”। ମୁଁ ଆପଣମାନଙ୍କ ଆଲୋଚନାର ସଫଳତା କାମନା କରୁଛି।

Categories
ବିଶେଷ ଖବର

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଅଜିଠୁ ସଂସଦରେ ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଉଦବୋଧନରେ କହିଛନ୍ତି ଯେ, “ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ। ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ। ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ। ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି। ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ।

ଏହି ଜି-୨୦ ସମ୍ମିଳନୀ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ। ବରଂ ଏହି ଜି-୨୦ ସମ୍ମିଳନୀ ଭାରତର ସାମର୍ଥ୍ୟକୁ ବିଶ୍ୱ ସାମ୍ନାରେ ପ୍ରସ୍ତୁତ କରିବାର ସୁଯୋଗ। ଏତେ ବଡ଼ ଦେଶ, ଗଣତନ୍ତ୍ରର ଜନନୀ, ଏତେ ବିବିଧତା, ଏତେ ସାମର୍ଥ୍ୟ; ପୁରା ବିଶ୍ୱ ଭାରତକୁ ଜାଣିବା ଏବଂ ଭାରତ ବିଶ୍ୱ ସମ୍ମୁଖରେ ନିଜ ସାମର୍ଥ୍ୟ ପ୍ରଦର୍ଶନ ନିମନ୍ତେ ଏହା ଏକ ବହୁତ ବଡ଼ ସୁଯୋଗ।

ବିଗତ ଦିନଗୁଡ଼ିକରେ ମୋର ସମସ୍ତ ଦଳର ଅଧ୍ୟକ୍ଷଙ୍କ ସହ ସକାରାତ୍ମକ ବାତାବରଣରେ ଚର୍ଚ୍ଚା ହୋଇଛି। ଗୃହରେ ମଧ୍ୟ ଏହାର ପ୍ରତିଫଳନ ନିଶ୍ଚିତ ଦୃଶ୍ୟମାନ ହେବ। ଗୃହରେ ବି ସେହି ସ୍ୱର ଉଠିବ, ଯାହା ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସ୍ତୁତ କରିବା ଲାଗି କାମରେ ଆସିବ। ଏହି ଅଧିବେଶନରେ ଦେଶକୁ ବିକାଶର ନୂଆ ଉଚ୍ଚତାକୁ ନେଇଯିବା ଲାଗି ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ଆଦିକୁ ଧ୍ୟାନରେ ରଖି ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏହି ଅଧିବେଶନରେ ନେବା ପାଇଁ ଉଦ୍ୟମ ହେବ। ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଆଲୋଚନାକୁ ଆହୁରି ସୁଦୃଢ଼ କରିବେ। ସଂସଦର ଏହି କାର୍ଯ୍ୟକାଳର ଯେଉଁ ସମୟ ଏବେ ବାକି ରହିଛି, ମୁଁ ସମସ୍ତ ଦଳର ନେତାମାନଙ୍କୁ ଏବଂ ସମସ୍ତ ଫ୍ଲୋର ଲିଡରଙ୍କୁ କହିବାକୁ ଚାହିଁବି ଯେ ପ୍ରଥମ ଥର ପାଇଁ ଯେଉଁମାନେ ସଂସଦ ଆସିଛନ୍ତି, ଯେଉଁ ନୂଆ ସାଂସଦ ଅଛନ୍ତି, ଯେଉଁ ଯୁବ ସାଂସଦ ଅଛନ୍ତି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଏବଂ ଗଣତନ୍ତ୍ରର ଭାବୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ଆମେ ଅଧିକରୁ ଅଧିକ ସୁଯୋଗ ସେହିମାନଙ୍କୁ ଦେବା ଏବଂ ଆଲୋଚନାରେ ସେମାନଙ୍କର ଭାଗୀଦାରି ବଢ଼ାଇବା।

ବିଗତ ଦିନଗୁଡ଼ିକରେ ପାଖାପାଖି ସମସ୍ତ ଦଳର କୌଣସି ନା କୌଣସି ସାଂସଦଙ୍କ ସହିତ ମୋର ଔପଚାରିକ ସାକ୍ଷାତ ଯେବେ ବି ହୋଇଛି, ଗୋଟିଏ କଥା ନିଶ୍ଚିତ ସମସ୍ତ ସାଂସଦ କୁହନ୍ତି ଯେ ଗୃହରେ ହୋହଲ୍ଲା ଏବଂ ତା’ପରେ ଗୃହ ସ୍ଥଗିତ ହୋଇଯାଏ। ଏହାଦ୍ୱାରା ଆମ ସାଂସଦମାନଙ୍କର କ୍ଷତି ହୋଇଥାଏ। ଯୁବ ସାଂସଦମାନଙ୍କ କହିବା କଥା ହେଉଛି ଯେ ଅଧିବେଶନ ନ ଚାଲିବା କାରଣରୁ ଆଲୋଚନା ହୋଇ ନ ପାରିବା କାରଣରୁ ଆମେ ଯାହା ଏଠାରୁ ଶିଖିବାକୁ ଚାହୁଁ, ଆମେ ଯାହା ବୁଝିବାକୁ ଚାହୁଁ କାରଣ ଏହା ଗଣତନ୍ତ୍ରର ବହୁତ ବଡ଼ ବିଶ୍ୱବିଦ୍ୟାଳୟ। ଆମେ ତାହାଦ୍ୱାରା ପଛୁଆ ରହିଯାଉଥାଉ। ଆମକୁ ସେହି ସୌଭାଗ୍ୟ ମିଳୁନାହିଁ ଏବଂ ଏଥିପାଇଁ ଗୃହ ଚାଲିବା ବହୁତ ଜରୁରି। ଏହି ସମସ୍ତ ଦଳର ଯୁବ ସାଂସଦମାନଙ୍କର ବିଶେଷ ସ୍ୱର ବାହାରିଥାଏ।

ମୁଁ ବୁଝୁଛି ଯେ ଏବଂ ବିରୋଧୀ ଦଳର ଯେଉଁ ସାଂସଦ ଅଛନ୍ତି ସେମାନଙ୍କର ବି କହିବା କଥା ହେଉଛି ବିତର୍କରେ ଆମକୁ କହିବାକୁ ସୁଯୋଗ ମିଳୁନାହିଁ। ସେହି କାରଣରୁ ଗୃହ ସ୍ଥଗିତ ହୋଇଯାଏ। ସେହି କାରଣରୁ ହୋହଲ୍ଲା ହୋଇଥାଏ। ସେଥିଯୋଗୁ ଆମର ବହୁତ କ୍ଷତି ହୋଇଥାଏ। ମୁଁ ବୁଝୁଛି ଯେ ସମସ୍ତ ଫ୍ଲୋର ଲିଡର, ସମସ୍ତ ଦଳୀୟ ନେତା ଆମର ଏହି ସାଂସଦମାନଙ୍କ ଯନ୍ତ୍ରଣାକୁ ବୁଝିବେ। ସେମାନଙ୍କ ବିକାଶ ନିମନ୍ତେ, ଦେଶର ବିକାଶରେ ସେମାନଙ୍କ ସାମର୍ଥ୍ୟକୁ ଯୋଡ଼ିବା ଲାଗି ସେମାନଙ୍କର ଯେଉଁ ଉତ୍ସାହ ରହିଛି, ଉମଙ୍ଗ ରହିଛି, ସେମାନଙ୍କର ପ୍ରତିଭା ରହିଛି, ତାହାର ଲାଭ ଦେଶକୁ ମିଳୁ, ନିଷ୍ପତ୍ତିଗୁଡ଼ିକରେ ମିଳୁ, ନିଷ୍ପତ୍ତି ପ୍ରକ୍ରିୟାରେ ମିଳୁ, ଏହା ଗଣତନ୍ତ୍ରରେ ବହୁତ ଆବଶ୍ୟକ। ମୁଁ ଆହୁରି ସମସ୍ତ ଦଳଙ୍କୁ କହିବାକୁ ଚାହେଁ ଯେ ସମସ୍ତ ସାଂସଦ ଏହି ଅଧିବେଶନକୁ ଆହୁରି ଅଧିକ ସଫଳ ବନାଇବା ଦିଗରେ ସାମୂହିକ ଉଦ୍ୟମ କରିବେ।

ଏହି ଅଧିବେଶନରେ ଆଉ ଏକ ସୌଭାଗ୍ୟ ଯେ ଆଜି ପ୍ରଥମ ଥର ପାଇଁ ଆମ ଉପରାଷ୍ଟ୍ରପତି ଜୀ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ, ତାଙ୍କର ଏହା ପ୍ରଥମ ଅଧିବେଶନ ହେବ ଏବଂ ପ୍ରଥମ ଦିନ ହେବ। ଯେଉଁ ପ୍ରକାରେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଭାରତର ମହାନ ସଂସ୍କୃତି ଓ ଆମ ଆଦିବାସୀ ପରମ୍ପରା ସହ ଦେଶର ଗୌରବ ବଢ଼ାଇବାରେ ବଡ଼ ଭୂମିକା ନିଭାଇଛନ୍ତି, ସେହିଭଳି ଭାବେ ଜଣେ ଚାଷୀ ପୁତ୍ର ଉପରାଷ୍ଟ୍ରପତି ପଦରେ ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଦେଶର ଗୌରବ ବଢ଼ାଇବେ, ସାଂସଦମାନଙ୍କୁ ପ୍ରେରଣା ଦେବେ, ପ୍ରୋତ୍ସାହିତ କରିବେ। ତାଙ୍କୁ ବି ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି।”

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ।

Categories
ବିଶେଷ ଖବର

ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କ ୮୨ତମ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କର ୮୨ତମ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ଲୋକସଭା ବାଚସ୍ପତି, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ର ଭାରତରେ ଏକ ବ୍ୟବସ୍ଥା ନୁହେଁ। ଗଣତନ୍ତ୍ର ଆମର ସ୍ୱଭାବ ଏବଂ ଭାରତରେ ଜୀବନର ଏକ ଅଂଶବିଶେଷ। ସେ ଜୋର ଦେଇ କହିଥିଲେ ଯେ, “ଆମେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବୁ ଆଗାମୀ ବର୍ଷରେ ଅସାଧାରଣ ଲକ୍ଷ୍ୟ ହାସଲ କରିବୁ। ‘ସବକା ପ୍ରୟାସ’ ଦ୍ୱାରା ହିଁ କେବଳ ଏସବୁ ସଂକଳ୍ପ  ପୂରଣ ହୋଇପାରିବ। ଗଣତନ୍ତ୍ରରେ, ଭାରତୀୟ ସଂଘୀୟ ବ୍ୟବସ୍ଥାରେ, ଆମେ ଯେତେବେଳେ ‘ସବକା ପ୍ରୟାସ’ ବିଷୟରେ ଆଲୋଚନା କରିଥାଉ, ଏଥିରେ ସମସ୍ତ ରାଜ୍ୟମାନଙ୍କର ଭୂମିକା ଏକ ବଡ଼ ଆଧାର ପାଲଟିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ‘ସବକା ପ୍ରୟାସ’ ଉପରେ ଆହୁରି ଗୁରୁତ୍ୱାରୋପ କରି କହିଥିଲେ ଯେ, ଉତ୍ତରପୂର୍ବାଞ୍ଚଳର ବହୁ ଦଶନ୍ଧି ପୁରୁଣା ବିବାଦର ସମାଧାନ ହେଉ କିମ୍ବା ଦୀର୍ଘ ଦଶନ୍ଧି ଧରି ପଡ଼ି ରହିଥିବା ସମସ୍ତ ବଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ହେଉ, ଏଇ କିଛି ବର୍ଷ ହେବ ଦେଶରେ ସମସ୍ତଙ୍କ ପ୍ରୟାସ ବଳରେ ଏପରି ଅନେକ କାର୍ଯ୍ୟ ସାଧିତ ହୋଇପାରିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ କରୋନା ମହାମାରୀ ବିରୋଧରେ ଲଢ଼େଇ ହେଉଛି ‘ସବକା ପ୍ରୟାସ’ର ଏକ ମହାନ ଉଦାହରଣ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସଦନର ପରମ୍ପରା ଏବଂ ବ୍ୟବସ୍ଥାଗୁଡ଼ିକର ସ୍ୱଭାବ ଭାରତୀୟ ହେବା ଉଚିତ୍। ସରକାରଙ୍କ ନୀତି, ଆମର ଆଇନ, ଭାରତୀୟ ଭାବନା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ସୁଦୃଢ଼ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସବୁଠାରୁ ଗୁରୁତ୍ଵପୂର୍ଣ, ସଦନରେ ଆମ ନିଜର ସ୍ୱଭାବ ଭାରତୀୟ ମୂଲ୍ୟବୋଧ ଆଧାରିତ ହେବା ଉଚିତ୍। ଏହା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। “ଆମର ହଜାର ହଜାର ବର୍ଷର ବିକାଶ ଯାତ୍ରାରେ ଆମେ ଏ କଥାକୁ ହୃଦୟଙ୍ଗମ କରିସାରିଛୁ ଯେ ବିବିଧତା ମଧ୍ୟରେ ଏକତାର ଭବ୍ୟ, ଦିବ୍ୟ ଓ ଅଖଣ୍ଡ ଧାରା ପ୍ରବାହମାନ ରହିଛି। ଏକତାର ଏହି ଅଖଣ୍ଡ ଧାରା, ଆମ ବିବିଧତାକୁ ସଜାଇ ଥାଏ, ଏହାର ସଂରକ୍ଷଣ କରିଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ପ୍ରସ୍ତାବ ଦେଇ କହିଥିଲେ, “ସମାଜ ପାଇଁ କିଛି ବିଶେଷ କାର୍ଯ୍ୟ କରୁଥିବା ଜନପ୍ରତିନିଧିମାନଙ୍କ ଲାଗି ଆମେ ବର୍ଷକୁ ୩-୪ ଦିନ ସଦନରେ ଏପରି ବ୍ୟବସ୍ଥା କରିପାରିବା କି, ଯାହା ମାଧ୍ୟମରେ ସେମାନଙ୍କ ସାମାଜିକ ଜୀବନର ଏହି ପାର୍ଶ୍ୱ ସମ୍ପର୍କରେ ଦେଶକୁ ଜଣାଇପାରିବା।” ସେ କହିଥିଲେ ଯେ, ଅନ୍ୟ ଜନପ୍ରତିନିଧିମାନଙ୍କ ସହିତ ସମାଜର ଅନ୍ୟ ଲୋକମାନେ ମଧ୍ୟ ଏଥିରୁ ଅନେକ କିଛି ଶିକ୍ଷା ଲାଭ କରିପାରିବେ।

ଫଳପ୍ରଦ ଆଲୋଚନା ପାଇଁ ପୃଥକ ସମୟ ନିର୍ଦ୍ଧାରଣ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ସମ୍ମାନ ପ୍ରତି ଧ୍ୟାନ ଦିଆଯିବା ସହିତ ସମ୍ପୂର୍ଣ୍ଣ ଭାବେ ଗମ୍ଭୀରତା ପାଳନ କରି ଏକ ଆଲୋଚନା କରାଯିବା ଉଚିତ୍। ଏହି ଆଲୋଚନା କାଳରେ କେହି ପରସ୍ପର ପ୍ରତି ରାଜନୈତିକ ଆକ୍ଷେପ କରିବା ଉଚିତ୍ ନୁହେଁ। ସଦନ ପାଇଁ ଏହା ସବୁଠୁ ସୁସ୍ଥ ସମୟ, ସୁସ୍ଥ ଦିନ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ଏକ ରାଷ୍ଟ୍ର ଏକ ବିଧାନପାଳିକା ମଞ୍ଚ’ ସମ୍ପର୍କରେ ନିଜର ବିଚାର ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଏପରି ଏକ ପୋର୍ଟାଲ ବିକଶିତ କରାଯିବା ଉଚିତ୍ ଯାହା କେବଳ ଆମର ସଂସଦୀୟ ବ୍ୟବସ୍ଥାକୁ ଆବଶ୍ୟକ ବୈଷୟିକ ପ୍ରୋତ୍ସାହନ ଦେବ ନାହିଁ ବରଂ ଦେଶର ସମସ୍ତ ଗଣତାନ୍ତ୍ରିକ ସଂସ୍ଥାକୁ ଯୋଡ଼ିବା କ୍ଷେତ୍ରରେ କାର୍ଯ୍ୟ କରିପାରିବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆସନ୍ତା ୨୫ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ, ସେ ସାଂସଦମାନଙ୍କୁ ଗୋଟିଏ ମନ୍ତ୍ରକୁ ବାସ୍ତବ ରୂପ ଦେବା ଲାଗି ନିବେଦନ କରିଥିଲେ । ତାହା ହେଉଛି- କର୍ତ୍ତବ୍ୟ, କର୍ତ୍ତବ୍ୟ ଆଉ କର୍ତ୍ତବ୍ୟ।