Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ

ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା ହେଉ କିମ୍ବା ବନ୍ୟା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟମାନେ କେନ୍ଦ୍ର ପାଖରେ  କ୍ଷତିପୂରଣ ପାଇଁ ସହାୟତା ରାଶି ଦାବୀ କରିଥାନ୍ତି। ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଏପରି ଜଣେ ବ୍ୟକ୍ତି ଯେ କି ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତାର ଆବଶ୍ୟକ ନାହିଁ ବୋଲି କହିଥିଲେ। ତେବେ ସେତେବେଳେ ଏହାର କାରଣ କଣ ବୋଲି ହଠାତ୍ କେହି ଜାଣିପାରିଲେ ନାହିଁ।

ଏହାର କିଛି ସମୟ ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଯାହା ଲେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବୀନ ଟୁଇଟ କରି ଜଣାଇଲେ ଯେ, ବର୍ତ୍ତମାନ ମହାମାରି ନେଇ କେନ୍ଦ୍ର ସରକାର ଚାପରେ ଅଛନ୍ତି। ସେପରି କ୍ଷେତ୍ରରେ ରାଜ୍ୟ ସରକାର ତାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ। ଯାହା କିଛି କ୍ଷତି ହୋଇଛି ତାହା ରାଜ୍ୟ ତରଫରୁ ଭରଣା କରାଯିବ। ନବୀନଙ୍କ ଏପରି ମହନୀୟତା ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା । ନୀବନଙ୍କ ଏପରି ନିଷ୍ପତି ଟୁଇଟରେ ଦିନ ତମାମ ଟ୍ରେନଣ୍ଡିଂ ମଧ୍ୟ ହୋଇଛି।

ତେବେ ପଶ୍ଚିମବଂଗ ଘଟଣାକୁ ନେଇ ନବୀନଙ୍କ ଏପରି ନିଷ୍ପତି ଜାତୀୟ ସ୍ତରରେ ଆହୁରି ଯୋରଦାର ହୋଇଗଲା। ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ନବୀନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ହେଲେ ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଡେରିରେ ଆସି ଶିଘ୍ର ପଳାଇଲେ। ଫଳରେ  କୋଲକତାରେ ସରକାରଙ୍କ ପାଇଁ ପଡିଥିବା ଆସନ ଖାଲି ଥିବା ଏବଂ ଓଡିଶାରେ ସରକାରଙ୍କ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ବସିଥିବାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଳରେ ଜାତୀୟ ସ୍ତରର ନବୀନଙ୍କ ଭାବମୂର୍ତ୍ତିକୁ ଏହି ଘଟଣା ଆହୁରି ଉଚ୍ଚକୁ ନେଇଯାଇଛି।

ନବୀନଙ୍କ ଏପରି ନିଷ୍ପତିରେ ରାଜ୍ୟ ବିଜେପିର ମୁହଁ ବନ୍ଦ

ନବୀନଙ୍କ ଏହି ନିଷ୍ପତି ଜାତୀୟ ସ୍ତରରେ ପ୍ରଶଂସା ହୋଇଛି ସତ, ହେଲେ ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତାଙ୍କ ମୁହଁ ମଧ୍ୟ ବନ୍ଦ କରିବାରେ ସକ୍ଷମ ହୋଇଛି। କାରଣ ଯଦି ନବୀନ ପଟ୍ଟନାୟକ କିଛି ସହାୟତା ରାଶି ମାଗି ଥାଆନ୍ତେ ଆଉ କେନ୍ଦ୍ର ସରକାର ତାହା ପୂରଣ କରିଦେଇଥାଆନ୍ତେ ତେବେ ରାଜ୍ୟ ବିଜେପି ବାହାବା ନିଶ୍ଚିତ ନେଇ ଥାଆନ୍ତେ। ଦଳର ଯେପରି ସାମାଜିକ ଗଣମାଧ୍ୟମ ସକ୍ରିୟ ଅଛି ସେଥିରେ ପୁରା ମାଇଲେଜ ଉଠାଇଥାଆନ୍ତା ବିଜେପି। ହେଲେ ତାହା ହୋଇପାରିଲା ନାହିଁ।

ଦ୍ବିତୀୟରେ ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା ପରିଚାଳନା ନେଇ ବେଶ୍ ସନ୍ତୁଷ୍ଠ ହେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ବାରା ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଉପରେ କାଦୁଅ ଫିଙ୍ଗା ଖେଳଟି ଆଉ ଖେଳିପାରିଲେ ନାହିଁ। କହିବାକୁ ଗଲେ ନବୀନଙ୍କ ଏହି ମାଷ୍ଟ୍ରର ଷ୍ଟ୍ରୋକରେ ରାଜ୍ୟ ବିଜେପିର ମଙ୍ଗୁଆଳମାନେ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି। କିମ୍ବା ସିଧା କହିଲେ ନବୀନ ସେମାନଙ୍କୁ ଚୁପ କରାଇ ଦେଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ମାଇଲେଜ ବିଜେପିକୁ ନ ଯାଇ ସିଧା ବିଜେଡି ଖାତାରେ ଜମା ହୋଇଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆସୁଛି ବାତ୍ୟା: ଲୋକଙ୍କୁ ନିରପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତାଉତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ତଟୀୟ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉତେ” ସମ୍ପର୍କରେ ୨୪*୭ ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି ।

ଜାତୀୟ ବିପର‌୍ୟ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ଜାଗତିଆର ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର‌୍ୟ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର‌୍ୟ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି ।

ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର‌୍ୟ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି। ଶକ୍ତି ମନ୍ତ୍ରଣାଳୟ ମଧ୍ୟ ନିଜର ଆପାତକାଳୀନ କାର‌୍ୟ୍ୟବ୍ୟବସ୍ଥାକୁ ସକ୍ରିୟ କରିଛି ଓ ଟ୍ରାନ୍ସଫର୍ମର, ଡିଜି ସେଟ୍ ଓ ଅନ୍ୟାନ୍ୟ ଉପକରଣମାନ ମହଜୁଦ ରଖିଛି ଯାହାଦ୍ୱାରା ଘୂର୍ଣ୍ଣିବାତ୍ୟାରେ ବିଜୁଳି ଲାଇନ କ୍ଷୟକ୍ଷତି ହେଲେ ତାହାକୁ ତୁରନ୍ତ ମରାମତି କରାଯାଇପାରିବ।

ଅପର ପକ୍ଷରେ ଟେଲିକମ୍ ବିଭାଗ ମଧ୍ୟ ଟେଲିକମ୍ ଟାୱାର ଓ ଏକ୍ସଚେଞ୍ଜଗୁଡ଼ିକ ଉପରେ ନିରବଚ୍ଛିନ୍ନ ଭାବେ ନିଘା ରଖିଛନ୍ତି ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଜାଗତିଆର ରହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ଯେଉଁମାନେ କି ଏହି ଘୂର୍ଣ୍ଣିବାତ୍ୟାଯେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି ଓ ସେଥିରେ ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ତଥା କୋଭିଡ଼ ଉପଦ୍ରୁତ କ୍ଷେତ୍ରରେ ଚିକିତ୍ସା ଓ ଅନ୍ୟାନ୍ୟ କାର‌୍ୟ୍ୟ ଯଥାରୀତି ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ୧୦ଟି କୁଇକ୍ ରେସପନ୍ସ ମେଡ଼ିକାଲ ଟିମ୍ ଏବଂ ୫ଟି ସ୍ୱାସ୍ଥ୍ୟ ସେସପନ୍ସ ଟିମକୁ ପ୍ରସ୍ତୁତ ରଖାଯାଇଛି ଯେଉଁମାନେ ଜରୁରି ପରିସ୍ଥିତିରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ବନ୍ଦରମାନଙ୍କରେ ଜରୁରି ତରୀମାନ ଜାଗତିଆର ରଖାଯାଇଛି ।

ଏନଡ଼ିଆରଏଫ ବିପର୍ଯ୍ୟୟ ପ୍ରସ୍ତୁତି କାର‌୍ୟ୍ୟରେ ରାଜ୍ୟ ଏଜେନ୍ସିମାନଙ୍କୁ ସହାୟତା ଯୋଗାଇଦେଉଛି ଏବଂ ଘୂର୍ଣ୍ଣବାତ୍ୟା ପରେ ଉପଦ୍ରୁତ ଲୋକମାନଙ୍କ କିଭଳି ଭାବେ କ୍ଷତିଗ୍ରସ୍ତ ସ୍ଥାନମାନଙ୍କରୁ ଉଦ୍ଧାର ଓ ସ୍ଥାନାନ୍ତର କରାଯିବ ସେଥି ନିମନ୍ତେ ସହାୟତା ପରାମର୍ଶ ଦିଆଯାଉଛି।ଏହା ବ୍ୟତୀତ ସମ୍ଭାବ୍ୟ ଘୂର୍ଣ୍ଣବାତ୍ୟାର ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଜନସାଧାରଣଙ୍କୁ ଲଗାତାର ଭାବେ ପ୍ରଚାର ଅଭିଯାନ ମାଧ୍ୟମରେ ସଚେତନ କରାଯାଉଛି ।

ଏହି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଲୋକମାନଙ୍କ ନିରାପତ୍ତା ନିମନ୍ତେ ସକଳ ପ୍ରକାର ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ କିଭଳି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେ ସଂପର୍କରେ ରାଜ୍ୟ ସରକାରମାନଙ୍କ ସହିତ ଯୋଗାଯୋଗରେ ରହନ୍ତୁ ।

ବିଜୁଳି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି ଭଳି ଅନ୍ୟାବଶ୍ୟକ ସେବା ଜାରି ରଖିବା କିଭଳି ସୁନିଶ୍ଚିତ କରାଯିବ ସେଥିଘେନି ମଧ୍ୟ ପଦକ୍ଷେପ ଗ୍ରହଣ କରନ୍ତୁ । ବାତ୍ୟା ପରେ ସେସବୁ କିଭଳି ତୁରନ୍ତ ବହାଲ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ଶକ୍ତି, ଟେଲିକମ୍, ଜାହାଜ ଚଳାଚଳ, ମତ୍ସ୍ୟଚାଷ ଆଦି ମନ୍ତ୍ରଣାଳୟର ସଚିବ, ଏନଡ଼ିଏମଏର ସଦସ୍ୟଗଣ ତଥା ସଦସ୍ୟ ସଚିବ, ରେଳବାଇ ବୋର୍ଡ଼ର ଅଧ୍ୟକ୍ଷ, ଏନଡ଼ିଆରଏଫ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।