Categories
ଆଜିର ଖବର ରାଜ୍ୟ ଖବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ। ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା। ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ଦାସବର୍ମା କହିଥିଲେ।

ଏଥି ସହିତ ସଞ୍ଜୟ ଦାସବର୍ମା ନିଜର ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ମହାମାରି କରୋନା ମୁକାବିଲା ପାଇଁ ଦଳୀୟ କର୍ମୀ, ନେତୃ ମଣ୍ଡଳୀ ଓ ନିର୍ବାଚିତ ପ୍ରତିନିଧିମାନକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରେରଣାରେ ସଫଳତାର ସହ ଚାଲି ଆସିଥିବା ଜୀବନ ବିନ୍ଦୁ(ରକ୍ତଦାନ) କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାସବର୍ମା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଯାଇଥିବାରୁ ଘରେ ପୂରାଉ ନାହାନ୍ତି ଘର ମାଲିକ

ବାଲେଶ୍ବର: କରୋନା ପାଇଁ ସମସ୍ତେ ସତର୍କ ଓ ସଚେତନ ରହିବା ଭଲର କଥା କିନ୍ତୁ ଏହାକୁ ନେଇ ଭ୍ରମରେ ରହିବା ଆଦୌ ଉଚିତ୍‌ ନୁହେଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ବରରୁ ଜଣେ ବ୍ୟକ୍ତି ଘରକୁ ଫେରିଥିବାବେଳେ ତାଙ୍କୁ ଘରେ ପଶିବାକୁ ଦିଆଯାଉନାହିଁ। ଏହିପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ସହର ସହଦେବଖୁଣ୍ଟାରେ ଘଟିଯାଇଛି। ଭୁବନେଶ୍ବରର ଯାଇଥିବାରୁ ତାଙ୍କୁ ଘରେ ପୂରାଉ ନାହାନ୍ତି ଘର ମାଲିକ। ସମ୍ପୃକ୍ତ ବ୍ୟକ୍ତି ଜଣକ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ପରାମର୍ଶ କରି ସ୍ତ୍ରୀ, ପୁଅ ସହ ଆଜି ଘରକୁ ଫେରିଥିଲେ। ତେବେ କରୋନା ପ୍ରଭାବିତ ଭୁବନେଶ୍ବରରୁ ଫେରିଥିବାରୁ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଦିନ ସାଢ 11ଟାରୁ ଘର ବାହାରେ ବସିଥିଲେ ବି ଘରେ ପଶିପାରୁନାହାନ୍ତି ବ୍ୟକ୍ତି ଓ ତାଙ୍କ ପରିବାର। ଘଟଣାସ୍ଥଳରେ ଏଡିଏମ୍‌, ତହସିଲଦାର ଓ ପୋଲିସ୍‌ ପହଞ୍ଚି ବୁଝାସୁଝା କରାଇଛନ୍ତି। ରିପୋର୍ଟ ଲେଖା ସରିବା ପର୍ଯ୍ୟନ୍ତ ଘର ମାଲିକ ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ଆଲୋଚନା କରିନଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏବଂ ଭଦ୍ରକ ପରେ କଟକ ସହରରେ ବି ୪୮ଘଣ୍ଟିଆ ସଟ୍ ଡାଉନ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‌ ଡାଉନ୍‌ ଜାରି ରହିବ।

ସୂଚନା ଅନୁଯାୟୀ କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିବାର ଖବର ମିଳିଛି। ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସମ୍ପର୍କରେ ଜଣାପଡିନାହିଁ ।

 

Categories
ଆଜିର ଖବର ରାଜ୍ୟ ଖବର

ନିଖିଳ ଓଡିଶା ଆଇନଜୀବୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ନିଖିଳ ଓଡିଶା ଆଇନଜୀବୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିର ଅନୁଦାନ ରାଶି ବୃଦ୍ଧି କରିଥିବାରୁ ସଂଘ ଧନ୍ୟବାଦ ଅର୍ପଣ କରିଛି। ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟି ଟଙ୍କାରୁ ୫କୋଟି ଟଙ୍କା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଅବସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ ସ୍ଵୀକୃତି ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଆଜି ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଓ ବିଜୁ ଜନତା ଦଳର ଲିଗାଲ ଫ୍ରଣ୍ଟର ରାଜ୍ୟ ଆବାହକ ମିଲନ କାନୁନଗୋଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମ୍ବଲପୁର, ବରଗଡ଼, ଯାଜପୁର, ଅନୁଗୁଳ, ନୟାଗଡ, ଫୁଲବାଣୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବହୁ ଆଇନଜୀବୀ ଯୋଗଦେଇ, ଆଗାମୀ ଦିନରେ ଆଇନଜୀବୀମାନଙ୍କ ସାମୁହିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

କ୍ୟାପିଟାଲ ଥାନା ଠୁ ଶହେ ମିଟର ଦୂର ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଗୁଣ୍ଡାଙ୍କ ଆତଙ୍କରାଜ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟା ସମୟରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ଥିବା ମାର୍କେଟ ବିଲ୍ଡିଂ କଡ଼ରେ ଉଠାଦୋକାନୀମାନଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବଳ ମାଡ ମାରିବା ସହିତ ଶହେରୁ ଅଧିକ ଦୋକାନ ଭାଙ୍ଗି ଦେଇଛନ୍ତି। କ୍ୟାପିଟାଲ ଥାନା ଠାରୁ ମାତ୍ର ଶହେ ମିଟର ଆଗରେ ଥିବା ଏହି ଜନଗହଳି ପୂର୍ଣ୍ଣ ବଜାରରେ ଏ ପ୍ରକାର ଖୋଲା ଆତଙ୍କରାଜ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ସନ୍ଧ୍ୟା ସମୟରେ ପ୍ରାୟ ୨୫ ଜଣ ଗୁଣ୍ଡାଶ୍ରେଣୀର ଯୁବକ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଉଠାଦୋକାନୀ ଓ ସାଧାରଣ ଲୋକଙ୍କୁ ଅନ୍ଧାଧୂନ ବାଡେଇ ଫେରାର ହୋଇ ଯାଇଥିଲେ।

ସନ୍ଧ୍ୟା ର ଏହି ସମୟରେ ମାର୍କେଟ ବିଲ୍ଡିଂ ରେ ପ୍ରବଳ ଜନଗହଳି ଲାଗି ଥାଏ। ଏମିତି ଏକ ସମୟରେ ଏ ପ୍ରକାର ଆକ୍ରମଣ ପୋଲିସ ର ଅପାରଗତା ଯୋଗୁଁ ହିଁ ଘଟୁଛି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ରେ ଅନେକ ଦୋକାନୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଗତକାଲି ରାତିରେ ସ୍ଥାନୀୟ କିଛି ଲୋକଙ୍କ ସହିତ ଦୋକାନୀମାନଙ୍କର ଝଗଡା ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ହୋଇଥାଇ ପାରେ ବୋଲି କୁହାଯାଉଛି।

ଆକ୍ରମଣକାରୀଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା କହୁଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 3/1: ଆଜି ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭୁବନେଶ୍ବରକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚେୌଧୁରୀ। ଭୁବନେଶ୍ୱର ସହରରେ ଏବେ ୧୯୫ ସର୍ବସାଧାରଣ ଶୌଚାଳୟ ଅଛି। ସେଥିରୁ ୧୪୪ଟି ଆଇଏସଓ ମାନର ରହିଛି । ଅନ୍ୟ ୫୧ଟି ଖୁବ୍ ଶୀଘ୍ର ହେବ । କାଲିଠାରୁ ଦେଶବ୍ୟାପୀ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ସମେତ ୮୧ ସହର ଏହି ଅଭିଯାନରେ ଭାଗ ନେଇଛନ୍ତି। ପୂର୍ବରୁ ଭୁବନେଶ୍ୱର ବାହ୍ୟ ମଳ ମୁକ୍ତ ସହର ଓଡିଏଫ ଘୋଷିତ ହୋଇଥିଲା।

Categories
ବିଶେଷ ଖବର

ପୁରୀ ପରି ଲିଙ୍ଗରାଜ ମନ୍ଦିର ମଧ୍ୟ ହେବ ବିଶ୍ବ ସ୍ତରୀୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରର କରାଯିବ। ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ବିକାଶ ସହିତ ଏକ ଉଚ୍ଚ କୋଟୀର ଧର୍ମ କ୍ଷେତ୍ରରେ ପରିଣତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ବଡ ଘୋଷଣା। ଏହି ପ୍ରାଚୀନ ଐତିହ୍ୟର ଚତୁଃପାର୍ଶ୍ଵ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା “ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା”। ଏହି ଯୋଜନାରେ ରହିଛି ଏକ ଆକର୍ଷଣୀୟ ପ୍ରବେଶ ପଥ ନିର୍ମାଣ, ବିନ୍ଦୁ ସାଗର ପୁନରୁଦ୍ଧାର, ନିକଟସ୍ଥ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ, ଇ- ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ତ୍ୟାଗ କରିବାକୁ ଜନ ସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯାହା ନିଷ୍ପତି କରାଯାଇଛି ସେଗୁଡିକ ହେଲା

୧-ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତରଣ
୨-ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ
୩- ମନ୍ଦିର ନିକଟସ୍ଥ ଚାରିଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
୪-ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ
୫-ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ ପଥ ନିର୍ମାଣ
୬-ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ
୭-ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ

୮-କେଦାରଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ

କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

୧-ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଏବଂ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ
୨-ପକ୍କା ଘର ଦୋକାନ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ମିଳିବ ୧୦ ହଜାର ଟଙ୍କାର ସହାୟତା

୩- ବିଏମସି, ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟ୍ କିମ୍ବା ନୂତନ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସଂପୃକ୍ତ ବ୍ୟବସାୟୀମାନଙ୍କୁ ଥଇଥାନ
୪-ସ୍ଥିତିବାନ ଆବାସିକ ଗୃହ, ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ

ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସବୁ ନିଷ୍ପତି ନିଆଯାଇଛି। ଏହା ଦ୍ବାରା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ ଫେରିପାଇବା ସହ ପର୍ଯ୍ୟଟକ ତଥା ଭକ୍ତମାନେ କୌଣସି ଅସୁବିଧାର ଯେପରି ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଗତ ସପ୍ତାହରେ ଫାଇବ-ଟି ସଚିବ ଭି.କେ ପାଣ୍ଡିୟାନ ଭୋର ୪ଟାରୁ ଯାଇ ଲିଙ୍ଗରାଜ ମନ୍ଦିରର ଆଧୁନିକକରଣ ଉପରେ ଆଲୋଚନା କରିଥିଲେ। ସେତେବେଳେ ସେ ସେଠାରେ ଥିବା ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ସେହି ରିପୋର୍ଟ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ବଡ ଘୋଷଣା କରିଛନ୍ତି।

Categories
ଆଜିର ଖବର

ବ୍ୟାଙ୍କ ମ୍ୟାନେଜର ରଂଜିତାଙ୍କ ଆତ୍ମହତ୍ୟା, ସିଲିଂ ଫ୍ୟାନରୁ ମୃତ ଦେହ ଉଦ୍ଧାର କଲା ପୋଲିସ

ଭୁବନେଶ୍ବର,05/12: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରୁ  ୟୁକୋ ବ୍ୟାଙ୍କ ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମିଳିଛି। ରଞ୍ଜିତା ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ରହୁଥିଲେ। ଆଜି ସକାଳୁ ତାଙ୍କ ପାଖରେ ଥିବା ବାପା ମା ଝିଅକୁ ଉଠାଇବାକୁ କବାଟ ବାଡାଇଥିଲେ। ହେଲେ ସେ ଜବାବ ନ ଦେବାରୁ ଝରକା ବାଟେ ଅନାଇବାରୁ ସେ ଘରର ସିଲିଂ ଫ୍ୟାନରେ ଝୁଲୁଥିବାର ଦେଖା ଯାଇଥିଲା। ଏହି ଘଟଣା ଚାରିଆଡେ ପ୍ରଚାର ହେବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ପୋଲିସ ପହଁଚି ଶବକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ରଂଜିତାଙ୍କ ଘର ହେଉଛି ନବରଂଗପୁର ଜିଲ୍ଲାରେ। ସେ ଅଶୋକ ନଗରର ୟୁକୋ ବ୍ୟାଙ୍କର ମ୍ୟାନେଜନର ଭାବେ କାଯ୍ୟ କରୁଥିବାରୁ ଭୁବନେଶ୍ବରରେ ରହୁଥିଲେ। ସେ ବିବାହ କରି ନ ଥିଲେ। ହେଲେ ପ୍ରେମ ସଂପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି କୁହାଯାଉଛି।

 

Categories
ଆଞ୍ଚଳିକ

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ବସ୍ ଷ୍ଟାଣ୍ଡରେ ଅଜଣା ବ୍ୟକ୍ତିର ମୃତଦେହ, ପୋଲିସର ଛାନଭିନ୍ ଆରମ୍ଭ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର-29/11: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ବସ ଷ୍ଟାଣ୍ଡରେ ଏକ ଅଚିହ୍ନା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏପରି ଦୁର୍ଘଟଣା କିପରି ଘଟିଲା ତାହା ସନ୍ଦେହ ସୃଷ୍ଟି କରିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେହି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।