Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୫ଟି ସ୍ଥାନରେ ନଡ଼ିଆ ଚାଷୀଙ୍କ ପାଇଁ ଆୟୋଜିତ ହେବ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ନଡ଼ିଆ ଚାଷୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଓଡ଼ିଶାର ପାଞ୍ଚଟି ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨୮ ତାରିଖ, ଗୁରୁବାର ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୦୦ ଜଣ ଚାଷୀ ଭାଗ ନେବେ। ସେହିପରି ପୁରୀ କୃଷି ବିକାଶ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୩୦୦ ନଡ଼ିଆ ଚାଷୀ ଅଂଶଗ୍ରହଣ କରିବେ। ୧୦୦ ଜଣ ଲେଖାଏଁ ନଡ଼ିଆ ଚାଷୀଙ୍କୁ ନେଇ ୨୯ ତାରିଖରେ ଖୋର୍ଦ୍ଧା ଉଦ୍ୟାନ କୃଷି ବିଦ୍ୟାଳୟ ଏବଂ ୩୦ ତାରିଖରେ କେନ୍ଦ୍ରାପଡ଼ା କୃଷି ବିକାଶ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ମେ ପହିଲାରେ ଭୁବନେଶ୍ବରର ଇମେଜ୍‌ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୨୦୦ ଚାଷୀ ଅଂଶଗ୍ରହଣ କରିବେ।

ସମ୍ପ୍ରତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ‘‘ଅନ୍ନଦାତା ଦେବୋ ଭବ – କିଷାନ ଭାଗିଦାରୀ ପ୍ରାଥମିକତା ହମାରୀ’’ ଅଭିଯାନ ଜାରି ରହିଛି। ଏହି କ୍ରମରେ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ‘ବୈଜ୍ଞାନିକ ପ୍ରଣାଳୀରେ ନଡ଼ିଆ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ’ ବିଷୟବସ୍ତୁକୁ ନେଇ ନଡ଼ିଆ ଚାଷୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୬ ଏପ୍ରିଲ ଠାରୁ ମେ ପହିଲା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସାରା ଦେଶର ନଡ଼ିଆ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା। କେନ୍ଦ୍ର କୃଷି ଏବଂ କୃଷ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ପ୍ରାୟ ୨୦ ହଜାର ନଡ଼ିଆ ଚାଷୀ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏହି ଉପଲକ୍ଷେ ନଡ଼ିଆ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ବିଷୟବସ୍ତୁକୁ ନେଇ ୮୦ଟି ସେମିନାର ଆୟୋଜନ କରାଯିବ। ଆଇସିଏଆର, ସିପିସିଆରଆଇ, ରାଜ୍ୟ କୃଷି/ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଭାଗିତାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ୨୬ରୁ ୨୮ ଏପ୍ରିଲ ମଧ୍ୟରେ ଏକ ଭର୍ଚୁଆଲ ବାଣିଜ୍ୟ ମେଳା ମଧ୍ୟ ଆୟୋଜନ କରାଯାଉଛି। ଚାଷୀ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଏହି ସଚେତନତା ଅଭିଯାନରେ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ବାଣପୁରରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ତତସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥୁବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି। ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀସରିତା ମହାକୁଡ଼ ଯୋଗଦେଇଥିବା ବେଳେ କିଆଗୋରଡା, ପଙ୍କାଳ, ମହତପଲା ଏବଂ ଗୋପୀନାଥପୁର ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇନ୍‌ଟାକ ଭୁବନେଶ୍ୱର ଶାଖା ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍‌ଚରାଲ ହେରିଟେଜ (ଇନ୍‌ଟାକ୍‌) ଭୁବନେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଧଉଳି ଶାନ୍ତି ସ୍ତୁପ ପାଦଦେଶରେ ଥିବା ଧଉଳି ଗାର୍ଡେନଠାରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍‌, ସମାଜ ବିଜ୍ଞାନୀ ଏବଂ ଲେଖକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ମାତୃଭାଷାର ସ୍ଥିତି ସମ୍ପର୍କରେ ବ୍ୟାଖ୍ୟାନ ସହ ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଏବଂ ଏ କ୍ଷେତ୍ରରେ ସ୍ୱୀକୃତି ଓ ଗବେଷଣାର ଗୁରୁତ୍ୱ ରହିଥିବା ଦୋହରାଇଥିଲେ।

ଏହି ଅବସରରେ ପ୍ରକାଶ କରି ଡ. ବସନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ, ସେନ୍ଟର୍ ଅଫ୍ ଏକ୍ସେଲେନ୍ସ ଫର୍ ଷ୍ଟଡିଜ ଇନ୍ କ୍ଲାସିକାଲ ଓଡ଼ିଆ, ସିଆଇଆଇଏଲ୍‌, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ସ୍ଥାନୀୟ ଭାଷା ସାହିତ୍ୟ ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଓଡ଼ିଶା ତଥା ଦେଶର ବିଭିନ୍ନ ଭାଗରେ ପ୍ରଚଳିତ ମାତୃଭାଷାକୁ ସ୍ୱୀକୃତି, ଏହାର ସଂରକ୍ଷଣ ଏବଂ ଗବେଷଣା ଦିଗରେ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଓଡ଼ିଶାରେ ବିଭିନ୍ନ ଆଦିମ ଅଧିବାସୀ ଓ ବିଭିନ୍ନ ଅଂଚଳର ଜନସାଧାରଣଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଭିନ୍ନ ଭିନ୍ନ ଉପଭାଷାର ଉଦାହରଣ ଦେଇ ସେ ମାତୃଭାଷା ଏବଂ ଅଧ୍ୟୟନ ଅଥବା ଶିକ୍ଷାର ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡ.ଗୌରହରି ଦାସ, ଡ.ବସନ୍ତ କୁମାର ପଣ୍ଡା ଏବଂ ଡ.ରତିକାନ୍ତ ମିଶ୍ରଙ୍କୁ ଇନ୍‌ଟାକ ଭୁବନେଶ୍ୱର ଶାଖାରେ ନୂତନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅମିୟ ଭୂଷଣ ତ୍ରିପାଠୀ, ରାଜ୍ୟ ଆବାହକ, ଇନ୍‌ଟାକ, ଓଡ଼ିଶା ଅଧ୍ୟକ୍ଷତା କରିଥିଲେ ଏବଂ ଭୁବନେଶ୍ୱର ଶାଖା ଆବାହକ ବୈକୁଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ନାଚୁଣୀ: ‘ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ନାଚୁଣୀ: ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମୋରାମରି ପଞ୍ଚାୟତ ସଳପଡିହ ବିଟ ହାଉସ ପରିସରରେ ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ବସନ୍ତ ମାଳି ମୁଖ୍ୟଅତିଥି, ସମିତି ସଭ୍ୟ ରତ୍ନାକର ପ୍ରଧାନ, ସାମାଜିକ କର୍ମୀ ଏସ କେ ଆବିଦ, ସୁକାନ୍ତ ନାୟକ, ହର୍ଷକଶ୍ୟପ ସୁଆର, ଅଭିଜିତ ବିଶ୍ବାଳ, ପରିବେଶବିତ ଧନେଶ୍ବର ବିଧାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବରୋପ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ।

ଯୁବ ସାମ୍ବାଦିକ ତଥା ସମାଜସେବୀ ପ୍ରଭାତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ଵ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବା। ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ନିଆ ନିୟନ୍ତ୍ରଣ ଜରୁରୀ। ଜଙ୍ଗଲ କ୍ଷୟ ହେଲେ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ଯଜନ୍ତୁ ମଧ୍ଯ ପ୍ରଭାବିତ ହୋଇଥାନ୍ତି। ଆମେ ସଚେତନ ହେଲେ ଜଙ୍ଗଲ ନିଆ ଦାଉରୁ ରକ୍ଷା କରାଯାଇପାରିବ ବୋଲି କହିଥିଲେ। ଫରେଷ୍ଟ ଗାର୍ଡ ଧନେଶ୍ବର ଭୁଜବଳ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦିନକୁ ଦିନ ଭୂଗର୍ଭ ଜଳ ତଳକୁ ଖସି ଖସି ଯାଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଜାତୀୟ ସମସ୍ୟା ଭାବରେ ପ୍ରତିହତ ହେବ। ଏହି ଜ୍ୱଳନ୍ତ ସମସ୍ୟା ଉପରେ ଆଜି ଭୁବନେଶ୍ୱରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫାଉଣ୍ଡେସନର ସଭାପତି ଡଃ ବିପିନ ବିହାର ମିଶ୍ର କହିଲେ ଯେ, ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଆଜି ଦିନରେ ସମ୍ପତ୍ତି ଭଳି ସୁରକ୍ଷିତ ରଖିବାକୁ ହେବ। ନଚେତ ଆଗାମୀ ପିଢି ବଞ୍ଚିବା କଷ୍ଟକର ହୋଇପଡ଼ିବ। ଏହି ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ଏବଂ ତା ସହିତ ବିଭିନ୍ନ ସ୍ଥାନରେ ଜଳସମ୍ପଦର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଗୁୁରୁକଲ୍ୟାଣ ମହାପାତ୍ର କହିଲେ ଯେ, ଜଳ ହିଁ ଜୀବନ ଏବଂ ଏହାର ସଂରକ୍ଷଣ ପାଇଁ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ନଚେତ ଆମ ପରବର୍ତ୍ତୀ ପିଢି ଆମକୁ ଭର୍ତ୍ସନା କରିବେ। ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଜୀବନ ବିନ୍ଦୁ ବୋଲି ବୁଝିବାକୁ ହେବ। ଅନ୍ୟତମ ଅତିଥି ତଥା ଭେଟରାନ ସିନେ ପ୍ରଯୋଜକ ସୁବାସ ରଥ ସମ୍ପ୍ରତି ସ୍ଥିତିରେ ଯଦି ଆମ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ନକରିବା, ତେବେ ଆଗାମୀ ସମୟରେ ସେ ନେଇ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ। ଏ ନେଇ କିଛି କିଛି ସିନେମା ମଧ୍ୟ ର୍ନିମିତ ହୋଇଛି।

ଏହି ସିନେମାଗୁଡ଼ିକ କୌଣସି ମନୋରଞ୍ଜନ ମାତ୍ର ନୁହେଁ, ଆମର ଭବିଷ୍ୟତ ପାଇଁ ଚେତାବନୀ ମଧ୍ୟ। ଅତଏବ ଆମେ ଏବେଠୁ ସଚେତନ ହେବା ଆବଶ୍ୟକ ଏବଂ ଏହି ପୂଣ୍ୟ କାର୍ଯ୍ୟ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ମଣିଷ ସମାଜ ବଞ୍ଚିବା ପାଇଁ ଆବଶ୍ୟକ ଜଳର ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବା ଆବଶ୍ୟକ ଉପରେ ଅନ୍ୟତମ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଚରଣ ମହାନ୍ତି ଆଲୋକପାତ କରିଥିଲେ।

ଯୁବ ସାମାଜିକ କର୍ମୀ ଦିଲ୍ଲୀପ ପଟ୍ଟନାୟକ ଜଳ ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ସମୟର ଏକ ଆହ୍ୱାନ ଏବଂ ଆମ ସମସ୍ତଙ୍କ ପ୍ରୟାସରେ ହିଁ ଏହାର ସଂରକ୍ଷଣ ସମ୍ଭବ ହେବ ବୋଲି କହିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡଃ ସୁକାନ୍ତି ମିଶ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପସ୍ଥିତି ସମସ୍ତ ଅତିଥି ଏବଂ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସକ୍ରିୟ ସଦସ୍ୟ ନିଜାମୁଦ୍ଦିନ ବେଗ୍‌, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ସମ୍ ନର୍ସିଂ କଲେଜରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ପ୍ରାଥମିକ ଚିକିତ୍ସା ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗତ ୮ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ୧୬ ଜଣ ପ୍ରଶିଷକଙ୍କ ନିମନ୍ତେ ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ଡଃ ପ୍ରଭାତୀ ତ୍ରିପାଠୀ, ଆସୋସିଏଟ୍ ଡିନ୍ ପ୍ରଫେସର (ଡଃ) ସସ୍ମିତା ଦାସ, ପ୍ରଶିକ୍ଷକ ଏବଂ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା। ଦୁଇଟି ଅଧିବେଶନରେ ଦୁଇ ପ୍ରକାର ପ୍ରାଥମିକ ଚିକିତ୍ସା ବିଷୟରେ କାର୍ଯ୍ୟକ୍ରମ ପ୍ରଶିକ୍ଷକ ସୂଯ୍ୟୋସ୍ନା ଜେନା, ପି.ଇ. ଦିଗଲ୍ ଓ ନିବେଦିତା ରାଉତ ଶିକ୍ଷା ଦେଇଥିଲେ। ଏସ୍‌ଏନ୍‌ସିର ଆସିଷ୍ଟାଂଟ ପ୍ରଫେସର ଝୁନିଲତା ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଇରୱାଡି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳଙ୍କ ପ୍ରୋତ୍ସାହନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଏକ ଇରୱାଡ଼ି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଜାତୀୟ ସେବା ଯୋଜନାର କ୍ୟାଡେଟ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ସମ୍ବିଧାନ ଦିବସର ସଂକଳ୍ପ ପାଠ କରି ନିଜକୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଥିଲେ।

ଏନ୍ ସି ସି ଅଫିସର୍ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ବାଲୁଗାଁ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବନରାମ ନନ୍ଦ, ସହକାରୀ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର ନାୟକ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ଵର ଅନନ୍ୟ ବିଭବ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ବିରଳ ପ୍ରଜାତିର ଇରୱାଡି ଡଲଫିନ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏଥିସହିତ ଚିଲିକାର ଜୈବବିବିଧତା, ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହିତ ଚିଲିକାର ପରିବେଶ ସୁରକ୍ଷା ପାଇଁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ପ୍ରୋତ୍ସାହନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ସମସ୍ତ ବନପାଳ, ବନରକ୍ଷୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନ୍‌ଫ୍ଲାମେସନ୍। ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ  ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ। କିନ୍ତୁ ଯଥାଶୀଘ୍ର ଚିକିତ୍ସା ଦ୍ୱାରା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ରୋଗ ମୁକ୍ତ ହୋଇପାରିବେ ବୋଲି ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ ରୁ ଊର୍ଦ୍ଧ୍ୱ ରୋଗୀ ଉପସ୍ଥିତ ଥିଲେ। ର‌୍ୟୁମାଟୋଲୋଜି ହେଉଛି ଏହି ରୋଗର ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଜ୍ଞାନର ଏକ ନୂତନ ବିଭାଗ। ମୁଖ୍ୟତଃ ମହିଳମାନେ ଏହି ରୋଗରେ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଅନିୟମିତ ଜୀବନଶୈଳୀ ତଥା ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଏହି ରୋଗର ମୁଖ୍ୟ କାରଣ ଯାହାକି ବର୍ତ୍ତମାନ ଆଧୁନିକ ବିଶ୍ୱରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲୋକମାନେ ଏହି ସବୁଥିରୁ ନିବୃତ ରହିବା ପାଇଁ ବାଡି ବଗିଚା ଭଳି କାର୍ଯ୍ୟରେ ସମୟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର କହିଥିଲେ ଯେ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗ ଖୁବ୍ କାର୍ଯ୍ୟକ୍ଷମ। ଏଠାରେ ଗୋଟିଏ ଛାତ ତଳେ ଆର୍ଥ୍ରାଇଟିସ୍ ରୋଗୀମାନେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ନ୍ୟୁଟି ୍ରସନ୍ ଓ ଡାଏଟିକ୍‌ସ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର ଏବଂ ଫିଜିଓଥେରାପିଷ୍ଟ ପ୍ରତିଭା ମହାନ୍ତି ମଧ୍ୟ ଯୋଗ ଦେଇ ରୋଗୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ମଧ୍ୟ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍‌ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍‌ଥ ବିଭାଗର ଫାକଲ୍ଟି ଏବଂ ଏମ୍‌.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା।

ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍‌ର ଆୟୋଜନ କରାଯାଇଥିଲା। ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା। ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା। ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଇଥିଲା। ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଜଣାଗଲା ସେମାନଙ୍କୁ ରୁରାଲ୍ ହେଲ୍‌ଥ ଟ୍ରେନିଂ ସେଂଟର (ଆର୍‌ଏଚ୍‌ଟିସି)କୁ ପଠାଯାଇଥିଲା।

ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ  ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ। ୧୦୦ ରୁ ଊର୍ଦ୍ଧ୍ୱ ବିଭିନ୍ନ ବୟସର ଗ୍ରାମବାସୀ, ଏମ୍‌ବିବିଏସ୍‌, ଇନ୍‌ଟର୍ନ ଛାତ୍ରଛାତ୍ରୀ, ବିଏସ୍‌ସି ନର୍ସିଂ ଇନ୍‌ଟର୍ନ ଛାତ୍ରଛାତ୍ରୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ: ୩୧୪ଟି ବ୍ଲକରେ କରିବେ ପଦଯାତ୍ରା

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସିଲଭର ଗାନ୍ଧୀ ଯାଜପୁର ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀ ‘ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ’ର ନାରା ଦେଇ ଲୋକମାନଙ୍କୁ ସଚେତନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭଏସ୍ ଅଫ୍ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍‌ଷ୍ଟି କରିବା ଦିଗରେ ତତ୍ପର ରହିଆସିଛି। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ।

କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ।

ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍ ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ କରାଇଛି। ଅଣକୁଶଳୀ ଫର୍ମ ପୂରଣ କରିବା ସହିତ ଯେଉଁମାନଙ୍କର ଜବ୍ କାର୍ଡ ନାହିଁ ସେମାନେ ନୂଆ କାର୍ଡ ଆବେଦନ ନିମନ୍ତେ ଫର୍ମ ପୂରଣ କରିପାରିଛନ୍ତି।

ଚନ୍ଦକା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସମାଜସେବୀ ବିରଜା ପ୍ରସାଦ ସାମନ୍ତରାୟ ତଥା ୱାର୍ଡ ମେମ୍ବରମାନେ ଏଥିରେ ସହାୟତା କରିଥିଲେ। ଏଥି ସହିତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଲୋକେ କିପରି କୋଭିଡ ସମୟରେ ଅପପ୍ରଚାରର ଶିକାର ହେବାରୁ ଦୂରେଇ ରହିବେ ସେ ବିଷୟରେ କୁହାଯାଇଥିଲା। କୋଭିଡ ସଚେତନତା ନିମନ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଧୋଇବା ପଦ୍ଧତି ସହ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ୱ ବୁଝାଇ ଦିଆଯାଇଥିଲା।

କରୋନା ସମୟରେ ଘରୋଇ ହିଂସା, ଶିଶୁ ଓ ନାରୀ ନିର୍ଯାତନା, ବୟସ୍କ, ପ୍ରସୂତି ତଥା ଶିଶୁ ଅବହେଳା ତଥା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା କିପରି ସାମାଜିକ ଜୀବନକୁ ପ୍ରଭାବିତ କରୁଛି ସେଥିପ୍ରତି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ସବୁ ଅନୈତିକ କାର୍ଯ୍ୟରେ କିପରି ରୋକ ଲାଗିପାରିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ, ମହିଳା ଲିଗାଲ୍ ସେଲ୍‌ର ନିର୍ଦ୍ଦେଶକ ତଥା ଭିଜିଲାନ୍ସ କମିଟିର ସଦସ୍ୟା ଜୟଶ୍ରୀ ମହାପାତ୍ର, ଷ୍ଟେଟ୍‌ କମିଶନର ଫର୍ ପର୍ସନ୍ସ ୱିଥ୍ ଡିଜ୍‌ଆବିଲିଟିସ୍‌ର ସୁଲୋଚନା ଦାସ, ସୋଆ ଲ ଫ୍ୟାକଲ୍ଟିର ଆସୋସିଏଟ୍ ପ୍ରଫେସର ଡ. ମଧୁବ୍ରତା ମହାନ୍ତି, ଚନ୍ଦକା ଗ୍ରାମପଂଚାୟତର ସରପଂଚ ରାଜଶ୍ରୀ ସାମନ୍ତରାୟ ଏବଂ ସମାଜସେବୀ ଶ୍ରୀ ସାମନ୍ତରାୟଙ୍କୁ ନେଇ ରେଡିଓ ଇଂଟରଆକ୍ଟିଭ୍ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।