Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କର୍ମୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ, ଦାବି ପତ୍ର ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ତରଫରୁ ରାଜ୍ୟ ସମ୍ପାଦିକା ଝୁନୁପମା ଶତପଥି, କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ସଂଜୀବନୀ ପାଢୀ ଓ ସମ୍ପାଦିକା ପ୍ରେମଳତା ସାମନ୍ତରାୟଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆଠ ଦଫା ଦାବି ନେଇ ଭବନିପାଟଣାସ୍ଥ ବାଲାଜି ମନ୍ଦିର ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭା ଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗତ ୨୦୧୮ ରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ସହିତ ଇପିଏଫ, ଇଏସଆଇସି ଓ ଗ୍ରାଚୁଇଟି ଇତ୍ୟାଦିରେ ସାମିଲ, ମିନି ଅଙ୍ଗନବାଡିଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ଭାବେ ମାନ୍ୟତା ପ୍ରଦାନ, ଅଙ୍ଗନବାଡି କର୍ମଚାରୀମାନଙ୍କୁ ଅବସର କାଳୀନ ସହାୟତା ରାଶି ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ସହାୟତା ସାଙ୍ଗକୁ ପରିବାର ଜଣକୁ ଚାକିରି ପ୍ରଦାନ, ଗ୍ରାମ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ ଏବଂ ପୋଷଣ ଟ୍ରାକରରେ ଅନଲାଇନ ବ୍ୟବସ୍ଥା ବନ୍ଦ କରାଯିବା ସହିତ ଗ୍ରୀଷ୍ମ ଅବକାଶ ବ୍ୟବସ୍ଥା ପୁନଃ ଚାଲୁ କରାଯିବା, ନୂତନ ଶିକ୍ଷା ନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରି- ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ ଏବଂ ଶେଷରେ ଶତକଡା ୫୦ ଭାଗ ଅଙ୍ଗନବାଡି କର୍ମୀଙ୍କୁ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମଚାରୀଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଆଦି ବିଭିନ୍ନ ସମସ୍ଯା ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରିଥିଲେ।

ଅଙ୍ଗନବାଡି କର୍ମଚାରି ମନେ ସରକାରଙ୍କ ସମସ୍ତ ଗୁରୁଦାୟିତ୍ବ ଗ୍ରାମାଞ୍ଚଳରେ ତୁଲାଉଥିବା ବେଳେ ସେମାନଙ୍କ ସମସ୍ୟା ଗୁଡିକ ପ୍ରତି ସରକାର ଗୁରୁତ୍ବ ଦେଉ ନ ଥିବା ହେତୁ ସମଗ୍ର ରାଜ୍ୟରେ ଏଭଳି ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ଦାବିପତ୍ର ଦାଖଲ କରାଯାଉଥିବା ବିଷଯ ରାଜ୍ୟ ସମ୍ପାଦିକା ଶ୍ରୀମତୀ ସତପଥିଙ୍କ ଠାରୁ ପ୍ରକାଶ। ସେହିପରି ଅଙ୍ଗନବାଡି କର୍ମଚାରୀ ମାନଙ୍କ ଦାବି ହାସଲ ହେବା ପର୍ଯ୍ୟନ୍ତ ଏଭଳି ଶାନ୍ତିପୂର୍ଣ୍ଣ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପାଢିଙ୍କ ସୂତ୍ର ରୁ ପ୍ରକାଶ। ଏହି ଶୋଭା ଯାତ୍ରା ରେ ଜିଲ୍ଲାର ପ୍ରାୟ ସମସ୍ତ ଅଙ୍ଗନବାଡି କର୍ମଚାରୀ ଯୋଗ ଦେଇଥିବା ଦେଖା ଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସ୍ଥଗିତ ରହିଲା ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ, ଫେବ୍ରୁଆରି ୨ୟ ସପ୍ତାହରେ ପୁଣି ହେବ ଆଲୋଚନା

ଭୁ‌ବନେଶ୍ବର: ଆଜି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିନ୍ତୁ ଏହାକୁ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଥିଲା। ଏହି ବୈଠକରେ ଅଙ୍ଗନବାଡ଼ି କର୍ମୀମାନଙ୍କ ୮ ଦଫା ଦାବି ନେଇ ଆଲୋଚନା ହୋଇଥିଲା। ଫେବ୍ରୁଆରି ୨ୟ ସପ୍ତାହରେ ଏହା ଉପରେ ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିବା ପରେ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଘର ସଭାପତି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ଦେଢ଼ମାସ ହେବ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଅଙ୍ଗନବାଡ଼ି କର୍ମୀମାନେ ଭୁବନେଶ୍ବର ଲୋୟର ପିଏମ୍‌ଜି ସମେତ ରାଜ୍ୟର ଜିଲ୍ଲା ସଦର ମହକୁମା ଓ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଶିଶୁମାନଙ୍କର ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଭାବିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଲେ ବାଣପୁର ବ୍ଲକର ଶତାଧିକ ଅଙ୍ଗନବାଡି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଡାକରାରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀମାନେ ଆଠ ଦଫା ଦାବି ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଙ୍ଗନବାଡି କର୍ମୀ ଦୀର୍ଘ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ୨୦୨୧ ମସିହା ଡିସେମ୍ବର ମାସ ୬ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ସେତେବେଳେ ସରକାର ଦାବି ପୂରଣ ପାଇଁ ସମୟ ନେଇଥିବା ବେଳେ ଅଦ୍ୟାବଧି କୌଣସି ଦାବି ପୂରଣ ପୁରାଣ ହୋଇନାହିଁ।

ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଆଜିଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଯୋଗ ଦେବା ସହ ବ୍ଲକ ସମ୍ମୁଖରେ ଅଫିସ ସମୟ ପର୍ଯ୍ୟନ୍ତ ପ୍ରତିଦିନ ଧରଣା ଦେବେ। ଦାବିଗୁଡିକ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଙ୍ଗନବାଡି କର୍ମୀ ମାନେ କହିଛନ୍ତି।

Categories
ଆଜିର ଖବର

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ” କାର୍ଯ୍ୟକ୍ରମ: ଶିଶୁଙ୍କ ପୋଷଣ ସୁନିଶ୍ଚିତ ସହ ଏସ୍‌ଏଚ୍‌ଜି ମା’ଙ୍କ ପାଇଁ ଜୀବିକା

ସୁନ୍ଦରଗଡ଼: “ମୋ ଝିଅର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା। ଯାହା ଖାଇଲେ ବି ତା’ର ଓଜନ ବଢ଼ୁ ନଥିଲା। ଗତ ୬ ମାସ ହେଲା ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି। ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡୁ ଖାଇବା ଫଳରେ ଏବେ ତା’ର ଓଜନ ଧୀରେ ଧୀରେ ବଢୁଛି। ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ସେ ଆଗ୍ରହ ଦେଖାଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ କଲେଇପୋଷ ଗ୍ରାମର ଦଶମୀ ମୁଣ୍ଡା।

ଦଶମୀଙ୍କ ଝିଅ ପ୍ରିୟଙ୍କା ମୁଣ୍ଡାଙ୍କ ବୟସ ଏବେ ୪ ବର୍ଷ। ଜନ୍ମ ହେବା ପରେ ପ୍ରିୟଙ୍କାର ଓଜନ ଅପେକ୍ଷାକୃତ କମ୍ ରହିଥିଲା। ତାକୁ ନିୟମିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଲାଗି ଡାକ୍ତର କହିଥିଲେ। ତେବେ ଏହା ପ୍ରିୟଙ୍କାର ବାପା, ମା’ଙ୍କ ପକ୍ଷରେ ସମ୍ଭବ ନଥିଲା। ୩ ବର୍ଷ ବୟସରେ ପ୍ରିୟଙ୍କା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସେଠାରେ ସେ ସ୍ପିରୁଲିନା ଚିକି ଓ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତାରେ ବୃଦ୍ଧି ପରିଲକ୍ଷିତ ହେଉଛି।

ପ୍ରିୟଙ୍କା ୨୦୨୧ ଅଗଷ୍ଟ ମାସରେ ଅଙ୍ଗନବାଡ଼ିକୁ ଆସିଥିଲା। ସେତେବେଳେ ତା’ ଓଜନ ୮.୯ କିଲୋଗ୍ରାମ ରେକର୍ଡ କରାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ପ୍ରିୟଙ୍କାର ଓଜନରେ ପ୍ରାୟ ୨ କିଲୋଗ୍ରାମ ବୃଦ୍ଧି ହୋଇଛି। ଏବେ ତା’ର ଓଜନ ୧୦.୯ କିଲୋଗ୍ରାମ ରେକର୍ଡ କରାଯାଇଛି। ସେହିପରି ବର୍ଷକ ତଳେ ପ୍ରିୟଙ୍କାର ଉଚ୍ଚତା ୮୮ ସେଣ୍ଟିମିଟର ରହିଥିବା ବେଳେ ଏବେ ୯୧ ସେଣ୍ଟିମିଟର ରେକର୍ଡ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ଏହା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି।

“ଆଗରୁ ମୋ’ ଝିଅ ଫୂର୍ତ୍ତି ନଥିଲା। ତା’ର ଓଜନ ଓ ଉଚ୍ଚତା କମ୍ ଥିଲା। ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଫଳରେ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଉଛି। ଆଗ ଅପେକ୍ଷା ତା’ର ଓଜନ ଏବଂ ଉଚ୍ଚତା ମଧ୍ୟ ବଢ଼ିଛି”, କହନ୍ତି ଲାଠିକଟା ବ୍ଲକ ଚିକଟମାଟି ଗାଁର ଜଣେ ହିତାଧିକାରୀଙ୍କ ମା’ ସଙ୍ଗୀତା ତନ୍ତୀ।

୨୦୨୦ ଅଗଷ୍ଟ ମାସ ୧୫ ତାରିଖରେ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ଲେଫ୍ରିପଡ଼ା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସ୍ପିରୁଲିନା ଓ ହେମଗିର ବ୍ଲକରେ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳକୁ ସଂପ୍ରସାରଣ କରାଯାଇଥିଲା। ଫଳରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଶିଶୁ ସ୍ପିରୁଲିନା ଏବଂ ୬୩ ହଜାରରୁ ଅଧିକ ଶିଶୁ ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ବିଶେଷ ସଫଳତା ଦେଖିବାକୁ ମିଳୁଛି । ୨୦୨୦ ଅଗଷ୍ଟ ମାସରେ ଜିଲ୍ଲାରେ ପୋଷଣ ହାର ୮୫.୬୪ ପ୍ରତିଶତ ରହିଥିଲା। ଏବେ ଏହା ବୃଦ୍ଧି ପାଇ ୮୮.୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଅପେକ୍ଷାକୃତ ପୁଷ୍ଟିହୀନତା ହାର ୧୩.୪ ପ୍ରତିଶରୁ ହ୍ରାସ ପାଇ ୧୦.୬ ପ୍ରତିଶତରେ ପହଞ୍ଚିଛି”, କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚ୍ର।

ଏହି ପୋଷଣ କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି। ଅଙ୍ଗନବାଡ଼ି ଦିଦିମାନେ କେନ୍ଦ୍ରରେ ପିଲାମାନଙ୍କୁ ମାଣ୍ଡିଆ ଲଡ଼ୁ ଏବଂ ସ୍ପିରୁଲିନା ଚିକି ଖାଇବାକୁ ଦେଉଛନ୍ତି। ଯେଉଁମାନେ ଅଙ୍ଗନବାଡ଼ିକୁ ଆସୁ ନାହାନ୍ତି (୭ ମାସରୁ ୨ ବର୍ଷ ବୟସର ଶିଶୁ) ସେମାନଙ୍କ ଘରକୁ ଯାଇ ସ୍ପିରୁଲିନା ଚିନି ଦିଆଯାଉଛି।

ଏହି ପୋଷଣଯୁକ୍ତ ଖାଦ୍ୟ ଖାଇବା ଫଳରେ ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧି କିପରି ଘଟୁଛି ତାହା ଅଙ୍ଗନବାଡ଼ି କର୍ମୀମାନେ ଅନୁଧ୍ୟାନ କରୁଛନ୍ତି। ନିୟମିତ ବ୍ୟବଧାନରେ ପିଲାମାନଙ୍କର ଉଚ୍ଚତା, ଓଜନ ଏବଂ ବାହୁ ମାପ ଆଦି ରେକର୍ଡ କରାଯାଉଛି।

“ଅଙ୍ଗନବାଡ଼ି କେନ୍ଦ୍ରରେ ଆମେ ପିଲାମାନଙ୍କୁ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ଖାଇବାକୁ ଦେଉଛୁ । ପିଲାମାନେ ମଧ୍ୟ ଏହାକୁ ଖାଇବା ଲାଗି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରୁଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ଅନୁରାଧା ମିଞ୍ଜ।

ସୁପରଫୁଡ୍ ସ୍ପିରୁଲିନା

ଶିଶୁଙ୍କ ପୋଷଣ ପାଇଁ ସ୍ପିରୁଲିନା ଭଳି ସୁପର ଫୁଡ୍ ବ୍ୟବହାର କରିବାରେ ସୁନ୍ଦରଗଡ଼ ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା। ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନେ ଏହାକୁ କିପରି ଆଗ୍ରହର ସହ ଖାଇବେ ସେଥିପାଇଁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ପ୍ରସ୍ତୁତ କରାଯାଉଛି। ଚିନାବାଦାମ ସହ ଗୁଡ଼ କିମ୍ବା ଚିନିରେ ସ୍ପିରୁଲିନା ପାଉଡର ମିଶ୍ରଣ କରାଯାଇ ସ୍ପିରୁଲିନା ଚିକି ତିଆରି କରାଯାଉଛି। ସେହିପରି ଚିନି ଦାନାରେ ସ୍ପିରୁଲିନା ପାଉଡର ମିଶାଇ ସ୍ପିରୁଲିନାଯୁକ୍ତ ଚିନି ପ୍ରସ୍ତୁତ କରାଯାଉଛି।

ସ୍ପିରୁଲିନାରେ ପ୍ରଚୁର ପରିମାଣର ପୋଷଣଯୁକ୍ତ ପଦାର୍ଥ – ଆମିନୋ ଏସିଡ୍‌, ଶ୍ୱେତସାର, ସ୍ନେହସାର ଆଦି ରହିଛି। ତେଣୁ ଏହାକୁ ପୋଷଣର “ପାୱାର ହାଉସ୍‌’ ବୋଲି କୁହାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଯୋଡ଼ା ଯାଇଛି। ମାଣ୍ଡିଆ ଲଡ଼ୁ ମିକ୍ସ ଏବଂ ସ୍ପିରୁଲିନା ଚିକି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି।

ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ବର୍ତ୍ତମାନ ଜିଲ୍ଲାର ୫ଟି ସ୍ଥାନର ସ୍ୱତନ୍ତ୍ର ୟୁନିଟ୍ ରହିଛି। ଆଗରୁ କେବଳ ସୁନ୍ଦରଗଡ଼ ଏବଂ ରାଉରକେଲାରେ ଚିକି ପ୍ରସ୍ତୁତ କରାଯାଉଥିଲା। ନିକଟରେ ବଣାଇଁ, ନୂଆଗାଁ ଏବଂ ରାଜଗାଙ୍ଗପୁର ବ୍ଲକକୁ ଏହା ସଂପ୍ରସାରଣ କରାଯାଇଛି। ସ୍ପିରୁଲିନା ଚିନି ଏବେ ସୁନ୍ଦରଗଡ଼କୁ ରାଜ୍ୟ ବାହାରୁ ଆସୁଛି।

ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ସ୍ପିରୁଲିନା ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନିୟୋଜିତ କରାଯିବ।

ସେହିପରି ମାଣ୍ଡିଆ ଲଡୁ ମିକ୍ସ ପ୍ରସ୍ତୁତିରେ ମିଶନଶକ୍ତି ମା’ ମାନଙ୍କୁ ଯୋଡ଼ା ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ମିକ୍ସ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି।

ତେଣୁ ଉକ୍ତ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ବାଣପୁର ବିଡ଼ିଓ ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି, ଏବଂ ଉକ୍ତ ଅଭିଯୋଗର ତଦନ୍ତ ସମସ୍ତ ନିୟମାବଳୀ ଆଧାରରେ କରାଯିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ: ୬ ଟି ଘରେ କରୁଛି ରେଡ୍

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଜଣେ ଅଙ୍ଗନବାଡି କର୍ମୀ ପଡିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ୬ ଟି ଘରେ ଭିଜିଲାନ୍ସ ବିଭାଗ ଏକକାଳୀନ ରେଡ୍ କରିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଅଙ୍ଗନବାଡି ଦିଦି କବିତା ମାଥନଙ୍କ ୬ ଟି ଘରକୁ ରେଡ୍ କରାଯାଉଛି। ଭୁବନେଶ୍ଵରର କୋରଡ଼କଣ୍ଟା ଅଙ୍ଗନବାଡି କେନ୍ଦ୍ରରେ କବିତା କାର୍ଯ୍ୟ କରନ୍ତି। ଏହି ସମୟରେ ଭୁବନେଶ୍ଵରର କେଶୁରା ଓ ଝାରପଡାରେ ଏକାଧିକ ବହୁତଳ କୋଠା ଠାବ କରାଯାଇଛି। ଏହାସହ ଅଙ୍ଗନବାଡି ଦିଦିଙ୍କ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାର ଶାଶୁ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରୁଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି। କୌଣସି ସରକାରୀ ସୂଚନା ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ଅଙ୍ଗନବାଡି କର୍ମୀଙ୍କ ପାଖରେ ମୋବାଇଲ ରହିଲେ ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ସୂଚନା ମିଳିପାରିବ।

ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ ଏସଏଚଜି ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ମାପିବା ପାଇଁ ମେସିନ ଦିଆଯିବ। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କର ସମସ୍ଯା ବିଷୟରେ ଆଲୋଚନା କରାଯାଇଥିଲା। ତେଣୁ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।