Categories
ଆଞ୍ଚଳିକ

ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ସ୍କୁଲରେ ପ୍ରେରଣା ଯୋଗାଇବା ସହ ପିଲାଙ୍କର ବୁଦ୍ଧିକୁ ବିକାଶରେ ରୂପାନ୍ତରିତ କରିଥାଏ ବିଜ୍ଞାନ ମେଳା। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ମେଳାକୁ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ସମ୍ମାନିତ ଅତିଥି ଓ ମନୋଜ କୁମାର ହରିଚନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ବାଣପୁର ବ୍ଲକର ସମସ୍ତ ୮୦ ଟି ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ସମ୍ବନ୍ଧରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଥିଲେ। ସେଥି ମଧ୍ୟରୁ ୭ଟି ସ୍କୁଲ ଯଥା ଗୋରଡ଼ଝରି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ଆଡ଼ଭାନମେଣ୍ଟ ଆଇସିଟି, ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର ଶୁଭମ ସାହୁ ପରିବେଶ ଅନୁକୂଳ, ଗୋଦାବରୀଶ ହାଇ ସ୍କୁଲର ଛାତ୍ରୀ ସର୍ବାଣୀ ପ୍ରଧାନ ସ୍ୱାସ୍ଥ୍ୟ ଓ ସଫେଇ କାରଣ, ଭେଟିନାଥ ଦେବ ସରକାରୀ ସ୍କୁଲର ଛାତ୍ର ହରେକୃଷ୍ଣ ପ୍ରଧାନ ଯାନବାହାନ ଯନ୍ତ୍ରିକରଣ, ବାନମ୍ବର ହାଇସ୍କୁଲର ଶଶାଙ୍କ ଶେଖର ଘଡାଇ ପରିବେଶ ସନ୍ତୁଳନ, ପତିତପାବନ ସରକାରୀ ହାଇ ସ୍କୁଲର ଶୁଭ ପରିଡା ଐତିହାସିକ ଉନ୍ନତି ସହିତ ନୂତନ ଚିନ୍ତାଧାରା ଓ ଗାଣିତିକ ବିଜ୍ଞାନ ପ୍ରକଳ୍ପରେ ଛାତ୍ରୀ ମଧୁସ୍ମିତା ବରାଳ କୃତକାର୍ଯ୍ୟ ହୋଇଥିଲେ।

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ ନାୟକ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟପିକା ନିହାରବାଳା ରାଉତ ବିଚାରପତି ଭାବେ ଯୋଗଦେଇ ଉର୍ଣ୍ଣତ ମାନର ପ୍ରକଳ୍ପ ତିଆରି କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ। ପ୍ରକଳ୍ପ ଗୁଡିକରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଗୋଦାବରୀଶ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ପୁରସ୍କାର ବିତରଣ କରିଥିଲେ।

ସମସ୍ତ ବିଜ୍ଞାନ ମେଳାକୁ ସିଆରସିସି ସମୀର ସେଠି, ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀକାନ୍ତ ନାୟକ ଓ କୈଳାଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: କାର୍ଯ୍ୟରତ ରାଜସ୍ବ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: କାର୍ଯ୍ୟରତ ରାଜସ୍ବ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏପରି ସାଙ୍ଘାତିକ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଶନିବାର ଅପରାହ୍ନରେ ବାଣପୁର ତହସିଲ ଅଧୀନରେ ଥିବା ନୀଳାଦ୍ରିପ୍ରସାଦ ଆର ଆଇ ସର୍କଲର ଆରଆଇ ସୁରେଶ ଚନ୍ଦ୍ର ପ୍ରଧାନ ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ହଠାତ ନୀଳାଦ୍ରିପ୍ରସାଦ ଅଞ୍ଚଳର କିଛି ଦୁର୍ବୁତ୍ତମାନେ ସୁରେଶଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏହାପରେ ସୁରେଶ ସଙ୍ଗେସଙ୍ଗେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିବା ବେଳେ ଏ ନେଇ ବାଣପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ।

ତହସିଲଦାରଙ୍କ ଜରିଆରେ ସୁରେଶ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୫୧୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀ ମନ୍ଦିର ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା:

୧. ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ।

୨. ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ।

୩.ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା।

୪. ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର)

୫. ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ।

୬. ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ।

୭. ରୋଷ ଘର ଉନ୍ନତିକରଣ।

୮. ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ।

୯. ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ।

୧୦. ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ।

ତେବେ ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ ଥିବାରୁ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣ୍ଡିଆନଙ୍କ ଗସ୍ତ ଉପଲକ୍ଷେ ସମଗ୍ର ବାଣପୁର ସହରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଭଗବତୀ ମନ୍ଦିର ଗସ୍ତ ସାରି ପାଣ୍ଡିଆନ ଭୁଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ପରିଦର୍ଶନକୁ ଯାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଷପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନାରଣଦେଇପୁର ଗ୍ରାମ ଦେବରାଜ ବିଶୋଇଙ୍କ ଝିଅ ବର୍ଷାରାଣୀ ପ୍ରଧାନ ବାଲୁଗାଁ ଥାନା କିମ୍ଭିରୀପଡା ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନଙ୍କୁ ଚଳିତ ବର୍ଷ ଜୁନ ମାସ ୧୯ ତାରିଖରେ ବିବାହ କରିଥିଲେ।

ତେବେ ଶାଶୁ ଘରେ କଳହ ଲାଗି ରହିବାରୁ ବର୍ଷା ଦୀର୍ଘମାସ ହେଲା ନିଜ ବାପଘର ନାରଣଦେଇପୁର ଗ୍ରାମରେ ରହୁଥିଲେ। ହେଲେ ଆଜି ସଂନ୍ଧ୍ୟାରେ କୌଣସି କାରଣବଶତଃ ବିଷ ପିଇଦେଇଥିଲେ। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତର ଏ ନେଇ ବାଣପୁର ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଆସିବେ ୫ଟି ସଚିବ ଭିକେ ପାଣ୍ଡିଆନ!: ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ୫ଟି ସଚିବ ଭିକେ ପାଣ୍ଡିଆନ କୁଆଡେ ବାଣପୁର ଗସ୍ତରେ ଆସୁଛନ୍ତି ବୋଲି ଚିଲିକା ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଶାସନ ଏପରି ପ୍ରସ୍ତୁତି ଦେଖି ସମସ୍ତେ ଅନୁମାନ କରିଛନ୍ତି ଯେ ୫ଟି ସଚିବ ବାଣପୁର ଆସୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏପରି କାମ ହେଉଛି।

ସୂଚନା ଥାଉକି ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏଥିରୁ ବଞ୍ଚିତ ହୋଇଛି। ଏଯାବତ ୫ଟି ସଚିବଙ୍କ ଶୁଭ ଦୃଷ୍ଟି ଉକ୍ତ ମନ୍ଦିର ଉପରେ ପଡ଼ିନଥିବା ବେଳେ ଭକ୍ତ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମନରେ ଏ ନେଇ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ନେଇ ଏକାଧିକ ଖବର ପରିବେଷଣ କରିଛନ୍ତି।

ଚର୍ଚ୍ଚା ଅନୁଯାୟୀ ଖୁବ ଶୀଘ୍ର ୫ଟି ସଚିବ ଭିକେ ପାଣ୍ଡିଆନ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ଏହାର ଉନ୍ନତି ପାଇଁ ମେଗା ଯୋଜନା ଘୋଷଣା କରିବେ। ପ୍ରଶାସନର ତତ୍ପରତାରୁ ଏହାର ପୂର୍ବାଭାସ ମିଳିଛି। ବିଗତ ଦୁଇ ଦିନ ହେବ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। କୋଉଠି ରାତାରାତି ରୋଡ ମରାମତି କରାଯାଉଛି ତ ଆଉ କୋଉଠି ଅଚଳ ଷ୍ଟ୍ରିଟ ଲାଇଟକୁ ସଙ୍ଗେସଙ୍ଗେ ବଦଳାଯାଉଛି। ଏପରିକି ଭଗବତୀ ମନ୍ଦିର ପରିସର ଏବଂ ଏହାର ଚତୁଃପାର୍ଶ୍ୱ ବର୍ତ୍ତମାନ ଚକାଚକ ଦିଶୁଛି।

୫ଟି ସଚିବଙ୍କ ଗସ୍ତ ପୁର୍ବରୁ ଭଗବତୀ ମନ୍ଦିରକୁ ସାଜସଜ କରିବା ପାଇଁ ତହସିଲ, ଏନଏସି ଏବଂ ପୂର୍ତ୍ତବିଭାଗ ଲାଗିପଡିଛନ୍ତି। ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ନନ୍ଦପୁର ଛକରୁ ବିଷରପାଟଣା ଛକ ପର୍ଯ୍ୟନ୍ତ ଥିବା ଖାଲଖମା ପିଚୁ ରୋଡ଼କୁ ପୂର୍ତ୍ତବିଭାଗ ଦୁଇ ରାତି ହେଲା ଯୁଦ୍ଧକାଳିନ ଭିତ୍ତିରେ ମରାମତି କରି ଚକାଚକ କରିଛି। ଏପରିକି ଉକ୍ତ ରୋଡରେ ପୁର୍ବରୁ ଥିବା ସମସ୍ତ ସ୍ପିଡ଼ ବ୍ରେକର (ହମ୍ପସ) କୁ ରାତାରାତି ଉଡାଇଦିଆଯାଇଛି।

ସେହିପରି ମା’ ଭଗବତୀ ମନ୍ଦିର ପରିସରରେ ଥିବା ଜନସୁବିଧା କେନ୍ଦ୍ରଟି ବଣବୁଦା ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ତାହା ବଗିଚା ରୁପ ନେଇଛି। ମନ୍ଦିର ପଛ ପାର୍ଶ୍ଵରେ ଥିବା ଶୌଚାଳୟକୁ ଏନଏସି ପକ୍ଷରୁ ଚିତ୍ର କରାଯାଇ ନୂଆ ରୂପ ଦିଆଯାଇଛି।

ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବତୀ ମନ୍ଦିରରେ ଡେରା ପକାଇଥିବା ବେଳେ ଘନଘନ ତଦାରଖ ଜାରି ରହିଛି।  ଅପରପକ୍ଷେ ଏନଏସି ଅଧ୍ୟକ୍ଷ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ନିଜ ଟିମ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରୁଛନ୍ତି।

ତେବେ ଯାହା ହେଉ ଉକ୍ତ ଗସ୍ତକୁ ନେଇ ଖୁସି ଅଛନ୍ତି ବାଣପୁରବାସୀ। ମା’ ଙ୍କ ମନ୍ଦିର ମେଗା ଯୋଜନାରେ ସାମିଲ ହେବା ପରେ ବାଣପୁର ମା’ ଭଗବତୀ ମନ୍ଦିରର ଖ୍ୟାତି ଆହୁରି ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା କରାଯାଉଛି।

ତେବେ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ବହୁ ପ୍ରତିକ୍ଷିତ ଦାବି ଯଥା ବାଣପୁରକୁ ସବ ଡିଭିଜନ ମାନ୍ୟତା, ଏନଏସିରେ ଡ୍ରେନେଜ ସମସ୍ୟା, ଗୋଦାବରୀଶ ମହାବିଦ୍ୟାଳୟକୁ ସରକାରୀ ଓ ଅଟୋନମସ୍ ମାନ୍ୟତା ଆଦି ମୁଣ୍ଡ ଟେକୁଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ଚିଲିକାରେ ତିନି ଦଫା ଦାବି ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ କରିବା, କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରିବା ଓ ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତରେ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨୭ତାରିଖରେ ଶିକ୍ଷକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସାରା ଓଡିଶା ଦେଖିବ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଶିକ୍ଷକ ମାନେ ସରକାରଙ୍କର ପ୍ରକୃତ ବିଦ୍ରୋହୀ ଭାବେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ସିଙ୍ଗିପୁର ଶନି ମନ୍ଦିର ନିକଟରୁ ଏକ ବିରାଟ ରାଲି କରି ଗଙ୍ଗାଧରପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ରାଲି ସମୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି ହୋଇଛି। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶନାମାରେ ସାରା ରାଜ୍ୟର ବିଭିନ୍ନ ଅଣ ସରକାରୀ ସାହାଯ୍ୟପ୍ରାପ୍ତ କଲେଜର ସମୁଦାୟ ୯୪ ଜଣ ଅଧ୍ୟାପକ/ଅଧ୍ୟାପିକା ଙ୍କ ବଦଳି ହୋଇଥିବା ବେଳେ ତନ୍ମଧ୍ୟରୁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ଅନ୍ୟତମ।

ତାଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗକୁ ବଦଳି ହୋଇଛି। ସେହିପରି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଜୟଶ୍ରୀ ସାହୁଙ୍କ ଅନୁଗୁଳ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଛି। ତେବେ ଶ୍ରୀ ବେହେରା ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ତାଙ୍କ ବଦଳି ପରେ କିଏ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ପ୍ରାଣହାନୀ, ଗାଡ଼ି ଚାଳକ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ (୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଘରକୁ ଫେରୁଥିବା ବେଳେ ଓଡଗାଁ-କୋଳଥଡିହ ମଝି ରାସ୍ତାରେ ଏକ ବୋଲେରୋ ପିକ ଅପ ଗାଡ଼ି ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୪୯୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Categories
ଆଞ୍ଚଳିକ

ବାଣପୁରର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲା: ଗିରଫ ହେଲେ ଫେରାର ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ପଙ୍କାଳ ଗ୍ରାମ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଲକ୍ଷ୍ମୀଧର ରାଉତରାୟ। ତାଙ୍କୁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରାଯାଇଥିବାର ଜଣାପଡିଛି। ଏନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ତେବେ ଖୁବ ଶୀଘ୍ର ଉକ୍ତ ହତ୍ୟାକାଣ୍ଡରେ ଫେରାର ଥିବା ଲକ୍ଷ୍ମୀଧରଙ୍କ ଅନ୍ୟ ଦୁଇ ଭାଇ ମଧ୍ୟ ଗିରଫ ହେବେ ବୋଲି ଏସଡିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଅକ୍ଟୋବର ୧୦ ତାରିଖ ଦିନ ପଙ୍କାଳ ଗ୍ରାମର ସୁବାସ ରାଉତରାୟଙ୍କ ତିନି ଭାଇ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କୁ ତତ୍ୱାବଧାନରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଅଭିଯୁକ୍ତମାନଙ୍କ ତଲାସ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହାଙ୍ଗା ପଡ଼ିଲା କମେଣ୍ଟ ମରା, ପୋକସୋ ଆକ୍ଟରେ ବନ୍ଧା ହେଲେ ରୋଡ ରୋମିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି।

ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଉକ୍ତ ଯୁବକଙ୍କ ବିରୁଦ୍ଧରେ ୧୨ ପୋକସୋ ଆକ୍ଟରେ କେସ ନମ୍ବର ୪୭୧/୨୨ ରେ ମାମଲା ରୁଜୁହେବା ସହ ଆଇପିସିର ଏକାଧିକ ସଙ୍ଗୀନ ଦଫା ମଧ୍ୟ ଲାଗିଥିବାର ଜଣାପଡିଛି । ଆଇଆଇସି ଶ୍ରୀ ପରିଡାଙ୍କ କହିବା ମୁତାବକ ନାବାଳିକା ତଥା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆସିଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ପୋଲିସର ଉକ୍ତ ପଦକ୍ଷେପ ଦ୍ୱାରା ରୋଡରୋମିଓ ମାନେ ସାବାଡ଼ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର : ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର (ଭାପୁର )ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ଏକ ୭ଦିନିଆ ପ୍ରଶିକ୍ଷଣ ଶିବିର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ଏଠାରେ ଆଜିଠାରୁ ୭ଦିନିଆ କୌଶଳ ପ୍ରଦାନ ଦିଆଯିବ।ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତର ପ୍ରାୟ ୨୫ଜଣଆ କମିଟି ଙ୍କ ସହ ୫୦ ଜଣ ଯୁବ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିବେ। ଉକ୍ତ କମିଟିର ସଭାନେତ୍ରୀ ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ,ଉପସଭାପତି ପଂଚାୟତ ନିର୍ବାହୀ ଅଧିକାରୀ, ସମ୍ପାଦକ ଅଶୋକ ବାରିକଙ୍କ ସହ ଅନ୍ୟ ୨୫ଜଣ ସଦସ୍ୟ ୫ଦିନ ଧରି ଅନୁସନ୍ଧାନ ଓ ଉଦ୍ଧାର ପାଇଁ ନୋଡାଲ ଏନ ଜି ଓ ନେହେରୁ ସେବାସଙ୍ଘର ପ୍ରଶିକ୍ଷକ ଗୋବିନ୍ଦ ବେହେରା ଏବଂ ପ୍ରଦୀପ କୁମାର ଦାସଙ୍କ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ।

ଅନ୍ୟ ୨୫ ଜଣ ଯୁବକ ଯୁବତୀ ୨ଦିନ ଧରି ପ୍ରାଥମିକ ଚିକିତ୍ସା କୌଶଳ ଭୁବନେଶ୍ୱରରୁ ଆସିଥିବା ସିଭିଲ ଡିଫେନ୍ସ ର ପ୍ରଶିକ୍ଷକଙ୍କ ଦ୍ଵାରା ଶିକ୍ଷା ନେବାକୁ ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଭେଟେଶ୍ୱର ପଞ୍ଚାୟତର ସମାଜସେବୀ ଜିତେନ୍ଦ୍ର ଭୋଳଙ୍କ ପରିଚାଳନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି

ବାଣପୁର: ଚଳିତ ମହାକାର୍ତ୍ତିକ ରାସ ପୂର୍ଣ୍ଣିମା ତିଥି ତା-୮.୧୧.୨୨ ରିଖ ମଙ୍ଗଳବାର ଦିନ ଅପରାହ୍ନରେ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ପରି ମା’ଭାଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ମନ୍ଦିର ପ୍ରଶାସନ, ମନ୍ଦିର ଖଡ଼ିରତ୍ନ, ପରିଛା ସାମନ୍ତ, ଛତିଶା ନିଯୋଗଙ୍କ ମିଳିତ ବୈଠକର ନିଷ୍ପତିକ୍ରମେ ତା’ ୭.୧୧.୨୨ ରିଖ ସୋମବାର ସଂଧ୍ୟାରୁ ରାତ୍ର ୧୦ଟା ୩୦ରେ ମା’ଙ୍କ ବଡ଼ସିଂହାର ହୋଇ ପହଡ଼ ପଡ଼ିବ।

ସେହି ଦିନ ରାତ୍ର ୧୨ଘଟିକା ପରେ ମା’ଙ୍କ ମଙ୍ଗଳବାର ନୀତିକାନ୍ତି ଆରମ୍ଭ ହୋଇ ଦ୍ଵାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେ ଖେଚଡ଼ି ଡାଲି ଧୂପ ବଢି ଶଙ୍କୁଡ଼ି ପୂଜା ହୋଇ ମଙ୍ଗଳବାର ଭୋର ୫ଟାରୁ ମାଠ ପୁଳି ଧୂପ ଶେଷ ପରେ ଦେବନୀତି ବନ୍ଦ ରହିବ।

ମଙ୍ଗଳବାର ଦିନ ଗ୍ରହଣ ଲାଗୁଥିବାରୁ ଦିନ ସାରା ମନ୍ଦିର ଖୋଲା ରହିବ ଏବଂ ସର୍ବ ସାଧାରଣ ମଣ୍ଡପ ଉପରେ ରହି ଦୂରରୁ କେବଳ ମା’ଙ୍କୁଦର୍ଶନ କରିବେ। ସ୍ପର୍ଶ କରିବେ ନାହିଁ। ଗ୍ରହଣସ୍ପର୍ଶ ଅପରାହ୍ନ ୨ଟା ୩୯ମିରୁ ଆରମ୍ଭ ହେଉଥିବାରୁ ଗ୍ରହଣ ମଧ୍ୟ ସମୟ ୪ଟା ୨୯ମିରେ ଗ୍ରହଣ ଭୋଗ ହୋଇ ପୋତା ହେବ। ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୨୯ମି ପରେ ପୁଣି ମଙ୍ଗଳବାର ରାତ୍ର ନୀତିକାନ୍ତି ଆରମ୍ଭ ହେବ। ସେହି ଦିନ ମା’କାଠି ଠାକୁରାଣି ସଂଧ୍ୟା ୮ ଘଟିକାରେ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିବେ ଏବଂ ବଡ଼ସିଂହାର ପରେ ମଙ୍ଗଳବାର ରାତ୍ର ୧୧ ଘଟିକାରେ ପିତ୍ରାଳୟକୁ ଫେରିବା ପରେ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ।

ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ।

ଏ ନେଇ ତହସିଲଦାର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ତେବେ ଚୋରା କୋଇଲା କିଣିବାକୁ ଡ଼ିଲ କରିଥିବା ସେଇ ବାଣପୁରର ବେପାରି ଜଣକ କିଏ, ତାହାର ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସମଗ୍ର ବାଣପୁର ସହର ପରିକ୍ରମା କରିଥିଲା।

ଉକ୍ତ ପଦଯାତ୍ରାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡ଼ା ଏସପିଏନଏସ ବର୍ମା ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

ସୂଚନା ଥାଉକି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ଏକ ଆଲୋଚନା ଚକ୍ର ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ବାଣପୁରରେ ବଢିଚାଲିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ: ଚିନ୍ତାରେ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ହାତୀମାନେ ଏବେ ଗାଁ ମୁହାଁ ହେଉଥିବାରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି।  ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଦୁଇଟି ପଞ୍ଚାୟତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହା ହାତୀମାନଙ୍କ ରହଣି ସ୍ଥଳ ପାଲଟି ଯାଇଛି। ଫଳରେ ହାତୀମାନଙ୍କ ଉପଦ୍ରବ ଏଠାରେ ଅସହ୍ୟ ହେବାକୁ ଲାଗିଲାଣି।

ଉକ୍ତ ଦୁଇ ପଞ୍ଚାୟତର ବହୁ ଲୋକ ଚାଷୀ ଓ ଦିନ ମଜୁରିଆ ହୋଇଥିବାରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ହାତୀ ମାନେ ବାରମ୍ବାର ଏମାନଙ୍କର ଶହଶହ ଏକରର ଧାନ ଫସଲ ନଷ୍ଟ କରିଦେଉଥିବାରୁ ବର୍ଷସାରା କିପରି ନିଜ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ଗ୍ରାମବାସୀ ମିଶି ପାଳି କରି ରାତିତମାମ ଜଙ୍ଗଲୀ ହାତୀଙ୍କୁ ଜଗୁ ଥିଲେ ସୁଦ୍ଧା ହାତୀଙ୍କ ଦାଉରୁ ଫସଲ ବଞ୍ଚେଇବା କଷ୍ଟ କର ହୋଇଯାଉଛି। ଯାହା ଫଳରେ ଚାଷୀ ମାନେ ଫସଲ ଅମଳ କରିବା ଆଶା ଏକ ପ୍ରକାର ଛାଡିଦେଲେଣି।

ତେବେ ଏନେଇ ଜଙ୍ଗଲ ବିଭାଗକୁ ଜଣେଇଲେ ମଧ୍ୟ ସେମାନେ ନିରୁପାୟ। ବାଲୁଗାଁ ବନାଞ୍ଚଳ ରେଞ୍ଜ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ବନବିଭାଗ ଜଙ୍ଗଲୀ ହାତୀଙ୍କୁ ଘଉଡ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିଆସୁଥିବାର କହିଛନ୍ତି। ବାଣପୁର, ରଣପୁର, ନୟାଗଡ଼ ଏବଂ ଟାଙ୍ଗୀର କିଛି ଜଙ୍ଗଲ ଅଞ୍ଚଳ ହାତୀମାନଙ୍କ ଚଲାପଥ ହୋଇଥିବାରୁ ସେମାନେ ବର୍ଷତମାମ ଉକ୍ତ ରାସ୍ତା ଦେଇ ଯା ଆସ କରିଥାନ୍ତି। ତେବେ ବନ ବିଭାଗ ଅଦ୍ୟାବଧି ୭୭ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥିବାର ଶ୍ରୀ ମହାନ୍ତି କହିଛନ୍ତି।  ଏବଂ ଯେଉଁ ଚାଷୀଙ୍କ ଫସଲ ହାତୀମାନଙ୍କ ଦ୍ୱାରା ନଷ୍ଟ ହେଉଛି, ସେମାନଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ହୋଇଥିବାର ରେଞ୍ଜ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

ତେବେ ବେଳ ଥାଉ ଥାଉ ଯଦି ବେଣୀ ବନ୍ଧାନଯାଏ, ଭବିଷ୍ୟତରେ ଉକ୍ତ ସମସ୍ୟା ଉଗ୍ରରୂପ ନେବ ବୋଲି ଚାଷୀମାନେ ମତ ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବେଆଇନ ବାଘ ଛାଲ ଜବତ ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ

ସୀତାରାମ ଅଗ୍ରୱାଲ

ବାଣପୁର: ଗତବର୍ଷ ବେଆଇନ ବାଘ ଛାଲ ଜବତ ଅଭିଯୋଗରେ ଭୁବନେଶ୍ୱର ଏସଟିଏଫ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଦ୍ମପୁର ଗ୍ରାମର ରତ୍ନାକର ସାହୁଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ଆଉ ତିନି ଅଭିଯୁକ୍ତ ଫେରାର ଥିଲେ। ତେବେ ଏ ସଂକ୍ରାନ୍ତରେ ଏସଟିଏଫ କେସ ନମ୍ବର ୩୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ଘାସେଡ଼ିହ ଗ୍ରାମ ବାଉରୀ ସାହିର ଶେଖ ସାହାଜାନ ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତଙ୍କୁ ବାଣପୁର ଜେଏମଏଫସି କୋର୍ଟରେ ଏସଟିଏଫ ହାଜର କରିଥିବାବେଳେ ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବାଣପୁର ଜେଲକୁ ପଠାଇଦିଆଯାଇଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଯୋଗଦେଇଥିଲେ।

ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବୁଲବୁଲ ବେହେରା ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ‘ସୁରଭୀ ‘କାର୍ଯ୍ୟକ୍ରମରେ ଭାଗନେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଖବର ପ୍ରସାରଣ ପରେ ସଜାଗ ହେଲା ପ୍ରଶାସନ: ଆରମ୍ଭ ହେଲା ବାଣପୁର କେନାଲ ରୋଡ ମରାମତି କାର୍ଯ୍ୟ

ବାଣପୁର: ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡରେ ଆସିଛି। ବାଣପୁର ଅନ୍ତରକିଆରି କେନାଲ ରୋଡ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରକାଶ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡର ସ୍ଥିତିକୁ ନେଇ ସମୀକ୍ଷା ନିୟୁଜରେ ଗତ ୧୭ ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡ ଦେଇ ପାଣି କେନାଲକୁ ପ୍ରବାହିତ ହେଉଥିବା ଯୋଗୁଁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଥିଲା।

ଯାହାଫଳରେ ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିବା ଅଭିଯୋଗ ହେଉଥିଲେ  ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ବାବଦରେ ପଚାରିଯାଇଥିଲା। ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ ଏହାକୁ ଗୁରୁତର ସହ ନେଇ ଆଜି ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀ ତ୍ରିଲୋଚନ ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି ରାସ୍ତା ଦେଇ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ନଚେତ୍ ରୋଡଟି ପୁନର୍ବାର ସେହି ପୁରୁଣା ସ୍ଥିତିକୁ ଆସିଯିବ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ମରଣଯନ୍ତା ପାଲଟିଛି ଅନ୍ତରକିଆରୀ କେନାଲ ରୋଡ, ମରାମତି ପାଇଁ ବିଭାଗ ପାଖରେ ନାହିଁ ଅର୍ଥ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି।

ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ଆସୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ କରିବାରେ ବିଭାଗ କୁଣ୍ଠାବୋଧ କରୁଛି। ବାରମ୍ବାର ରୋଡରେ ପକ୍କା କାମ ନକରି ଅଳ୍ପ ବାଲି ଓ ପିଚୁ ପକାଇ ଦିଆଯାଉଛି ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ରୋଡ ପୁଣି ପୂର୍ବବସ୍ଥାକୁ ଫେରିଆସୁଛି।

ତେବେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୋଟି କୋଟି ତାଙ୍କ ରାସ୍ତା ନିର୍ମାଣ ଓ ମରାମତି ପାଇଁ ପ୍ରଦାନ କରୁଥିବା ବେଳେ ବାଣପୁରରେ ତାହା ବିଫଳ ସଦୃଶ ହେଉଛି। ତେବେ ଏ ନେଇ ବାଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ତ୍ରିଲୋଚନ ପାତ୍ରଙ୍କୁ ପଚାରିବାରୁ ସେଠାରେ ଏକ ଓସାରିଆ ପକ୍କା ରୋଡ ହେବା ପାଇଁ ସର୍ଭେ ସରିଛି ବୋଲି କହିଥିବା ବେଳେ ଆମ ପ୍ରତିନିଧି ନଷ୍ଟ ହୋଇଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରାଯାଉ ବୋଲି ଦାବି ରଖିଥିବା ବେଳେ ତାହା ପାଇଁ ବିଭାଗୀୟ ଅର୍ଥ ନଥିବା କହିଛନ୍ତି।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ନେଇ ପଚାରିବାରୁ ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।