Categories
ଆଞ୍ଚଳିକ

ବାଲୁଗାଁ: ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଚିଲିକା କୂଳ ବାଲୁଗାଁ ମହାବିଦ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା (ସହରୀ) ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ ସହରର ବିକାଶ ମୂଳକ ଯୋଜନା ନିମନ୍ତେ ସରକାରଙ୍କ ସମସ୍ତ ପ୍ରକାର ପଦକ୍ଷେପ, ପ୍ରୟାସ ସମ୍ବଦ୍ଧରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା। ଯାହାକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଲୋକାଭିମୁଖୀ ଯୋଜନାରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଲୋଚନା କରାଯାଇଥିଲା।

ଏହିପରିପ୍ରେକ୍ଷୀରେ ମତ୍ସ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ଅଗ୍ନିଶମ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ବଦ୍ଧରେ ଅବଗତି କରାଯାଇଥିଲା। ପ୍ରମୁଖ ଭାବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଯଥା ମୁକ୍ତା ଯୋଜନା, ସ୍ୱଚ୍ଛ ଭାରତ, ପାନୀୟ ଜଳ, ଆବାସ ଯୋଜନା, ଭତ୍ତା ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତି କରାଯିବା ସହ ସଚେତନତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ ପରିଷଦ ବର୍ଗ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପରିଷଦର ସମସ୍ତ କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରତିନିଧି ଶ୍ରୀରାମ ସ୍ବଦେଶ ବିଶ୍ୱାଳଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Categories
ଆଞ୍ଚଳିକ

ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚୋରି ଅଭିଯୋଗରେ ଆଜି ବାଲୁଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରାପୁଟ ଗ୍ରାମର ବାବୁଲା ଦାସ (୨୮), ଗବପଦର ଗ୍ରାମର ବନମାଳୀ ବେହେରା (୭୫) ଏବଂ ବଡ଼କୁଳ ଗ୍ରାମର ଶିବପ୍ରସାଦ ସାହୁ (୩୩)।

ପୋଲିସ ସୂଚନା ମୁତାବକ ବଡ଼କୁଳ ଗ୍ରାମର ପାଣ୍ଡଵ ମହାରଣା ପ୍ଳଟିଙ୍ଗ ଓ କନଷ୍ଟ୍ରକସନ କାମ ଉପଲକ୍ଷେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚନ୍ଦ୍ରାପୁଟ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନେଇଛନ୍ତି। ତେବେ ଦୁଇ ଦିନ ତଳେ ଉକ୍ତ ଭଡ଼ା ଘରୁ ସମସ୍ତ ନିର୍ମାଣ ସାମଗ୍ରୀ ଚୋରି ହୋଇଯାଇଥିବା ପାଣ୍ଡଵ ଦେଖିବାକୁ ପାଇଥିଲେ।

ଏ ନେଇ ପାଣ୍ଡଵ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡିଥିଲା କି ବାବୁଲା ଦାସ ପାଣ୍ଡଵଙ୍କ ଉକ୍ତ ସାମଗ୍ରୀ ଭଡ଼ା ଘରୁ ଚୋରି କରି ଶିବପ୍ରସାଦଙ୍କୁ ବିକ୍ରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଶିବପ୍ରସାଦ ଉକ୍ତ ଚୋରି ସାମଗ୍ରୀକୁ କବାଡିଆ ଦୋକାନୀ ବନମାଳୀ ବେହେରାଙ୍କୁ ବିକ୍ରି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ : ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ରେଳ ଷ୍ଟେସନରେ ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ଖବର ମୁତାବକ ଆଜି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ନସମ ପ୍ରଭାକର(୪୭) ଭୁବନେଶ୍ୱରରୁ ବିଜୟୱାଡା ଯାଉଥିବାବେଳେ ବାଲୁଗାଁ ଷ୍ଟେସନ ଠାରେ ଅସୁସ୍ଥତା ଅନୁଭବ କରିବାରୁ ଜିଆରପି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ମାତ୍ର ଡାକ୍ତର ଚିକିତ୍ସା କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା କହିଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।ଆଜି ଅପରାହ୍ନରେ କୌଣସି କାମ ନେଇ ସ୍ତ୍ରୀ ଓ ଝିଅ ସହ ବିଜୟୱାଡା ଯାଉଥିଲେ। ମୃତ ବ୍ୟକ୍ତି ଜଣକ ତେଲେଙ୍ଗାନା ଖମାମ ଅଞ୍ଚଳର ନସମ ସାମାଇହାଙ୍କ ପୁଅ ନସମ ପ୍ରଭାକର ଯିଏକି ଭୂଷଣ କମ୍ପାନୀରେ କାର୍ଯ୍ୟରତ ଥିବା ସ୍ତ୍ରୀ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ରଙ୍କୁ ଶ୍ରେଷ୍ଠ ଏନସିସି ଅଫିସର ପୁରସ୍କାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ସହ ଆଞ୍ଚଳିକ ସ୍ତରରେ ପରିବେଶ ସୁରକ୍ଷା ଓ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ପାଇଁ ଚଳିତବର୍ଷ ଓଡ଼ିଶା ଡାଇରେକ୍ଟୋରେଟ ପକ୍ଷରୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଏନସିସି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରର ବାୟୁ ସେନା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏନସିସିର ଡ଼ିଡ଼ିଜି ଜେ ସୁରେଶ ଡକ୍ଟର ମିଶ୍ରଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି ଡକ୍ଟର ମିଶ୍ର ପରିବେଶ ସୁରକ୍ଷା କ୍ଷେତ୍ରରେ ପୂର୍ବରୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ଲାଭ କରିବା ସହ ଚଳିତ ବର୍ଷ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ଲାଭ କରିବା ସହ ଅନେକ ସଚେତନତା ଓ ସେବାମୂଳକ କାର୍ଯ୍ୟ କରି ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଡକ୍ଟର ମିଶ୍ରଙ୍କୁ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ତଥା ମହାବିଦ୍ୟାଳୟର କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡି ଚାଳକ ଚମ୍ପଟ ମାରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ନମସ୍କାର ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର (ଗାଡି ନଂ ଏପି ୩୭ ଟିଡି ୬୧୭୯) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ରାସ୍ତା ପାର୍ଶ୍ଵରେ ଥିବା ଗଛ ଯୋଗୁଁ ଲଟକି ରହିଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ଓ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଥିବା ବେଳେ ଆହତ ୮ ଜଣ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସେତେଟା ଗୁରୁତର ନଥିବାରୁ ଆଶୁଚିକିତ୍ସା କରି ପଠାଇ ଦିଆଯାଇଛି। ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୌଡା ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀ ଶ୍ରୀ ଊମାମହେଶ୍ୱର ଦେବଙ୍କ ହୁଣ୍ଡି, ଏକ ଲକ୍ଷରୁ ଉର୍ଦ୍ଧ୍ଵ ଦାନ ଅର୍ଥ ସଂଗ୍ରହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଶୈବପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ଗମ୍ଭୀର ହୁଣ୍ଡି ଖୋଲାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମନ୍ଦିର ଟ୍ରଷ୍ଟି ବୋର୍ଡ ସଦସ୍ୟ, ମନ୍ଦିର କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଥିଲା। ଏଥିରୁ ସମୁଦାୟ ଦାନ ଅର୍ଥ ୧,୦୩୯୨୦ ଟଙ୍କା ସଂଗୃହିତ କରାଯାଇ ମନ୍ଦିର ଜମା ଖାତାରେ ଜମା କରାଯିବା ସହ ଉକ୍ତ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲଗାଯିବା ନେଇ ବିଧାୟକ ଶ୍ରୀ ଜଗଦ୍ଦେବ କହିଛନ୍ତି।

ସୂଚନା ଥାଉକି ଦୀର୍ଘ ଦୁଇ ବର୍ଷ ପୂର୍ବେ ଭିତର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ଶ୍ରଦ୍ଧାଳୁଙ୍କ ଦାନ ୧,୦୮୩୫୦ ଟଙ୍କା ମିଳିଥିଲା।

Categories
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍କଳୀୟ ଜନ ଜୀବନରେ ପ୍ରତିଫଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଅବସରରେ ଚଳିତ ମାସ ଷୋହଳ ତାରିଖରେ ଉଦଘାଟିତ ହୋଇଥିବା ଏହି ସର୍ଜନାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।

ଆମନ୍ତ୍ରିତ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ନିଜ ବକ୍ତବ୍ୟରେ ସମଗ୍ର ବିଶ୍ୱକୁ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ମହାନ ଅବଦାନ ସମ୍ପର୍କରେ ବିଭିନ୍ନ ଆଲେଖ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୁଖ୍ୟ ଅତିଥି ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ରଜନୀ ରାଣୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରାକ୍ତନ୍ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ଓ କାଉନ ସିଲର ସୁଜାତା ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ସକଳ ଓଡ଼ିଆଙ୍କ ବିଶ୍ୱାସର ଆଧାର ବୋଲି ମତବ୍ୟକ୍ତ କରିବା ସହ ପ୍ରତିଟି ଓଡ଼ିଆଙ୍କ ଜୀବନ ଶୈଳୀରେ କିପରି ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପ୍ରତିଫଳିତ ହୋଇଛି ତାହାର ଦୃଷ୍ଟାନ୍ତ ଉପସ୍ଥାପିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ଡକ୍ଟର ଦାଶ ସମସ୍ତ ଅତିଥି ମାନଙ୍କୁ ପ୍ରୀତି ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଓ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳଙ୍କ ସଂଯୋଜନାରେ ଅତିଥିମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଯୁକ୍ତ ତିନି ନୋଡାଲ ଅଧିକାରୀ ଝରଣା ନାଥ।

ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ଅଧ୍ୟାପକ ହିମାଂଶୁ ଶେଖର ଦାଶ, ପ୍ରବୀଣ କୁମାର ଜେନା,ସୁଧାକର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ସରିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମମୟ ହେଲା ବାଣପୁର-ବାଲୁଗାଁ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି।  ତେବେ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ କୋଟି କୋଟି ଦେଶବାସୀ ଚାତକ ପରି ଚାହିଁ ରହିଥିବା ବେଳେ ପରିଶେଷରେ ଟିଭି ଓ ମୋବାଇଲ ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇଛନ୍ତି।

ଏହି ଉପଲକ୍ଷେ ସାରା ଦେଶରେ ଦୀପାବଳି ପରି ଉତ୍ସବ ପାଳନ କରାଯାଇଛି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ। ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ରାମ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ ଉକ୍ତ ଉତ୍ସବ।

ବାଣପୁରର ରଘୁନାଥ ଦେବ, ରଙ୍କନାଥ ଦେବ, ଦାଶରଥିପୁର, ଭେଟେଶ୍ୱର, ମଙ୍ଗରାଜପୁର, ଗମେଇ, ଗୋଡ଼ିଝର, ସାନ ହନ୍ତୁଆଡ଼, ରାଣୀପଡ଼ା ଆଦି ପ୍ରମୁଖ ଅଞ୍ଚଳରେ ଆଡମ୍ବର ସହକାରେ ପାଳନ ହୋଇଛି ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବାଣପୁର ବଜାରରେ ଏକାଧିକ ଧାର୍ମିକ ଓ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ରାମଙ୍କ ବିଗ୍ରହ ଓ ହନୁମାନଙ୍କ ପତାକା ସହ ନଗର ପରିକ୍ରମା କରାଯାଇଥିଲା। ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଏବଂ ରଘୁନାଥ ଦେବ କମିଟି ପକ୍ଷରୁ ଉଭୟ ରଙ୍କନାଥ ଏବଂ ରଘୁନାଥ ଦେବଙ୍କ ପିଠରେ ଦିନ ତମାମ ପୂଜାର୍ଚ୍ଚନା, ସୁନ୍ଦରାକାଣ୍ଡ ପଠନ, ହନୁମାନ ଚାଳିଶା ପଠନ, ହୋମ ଆଦି ଜାରି ରହିଥିଲା।

ଅନୁରୂପ ଭାବେ ବାଲୁଗାଁ ସହରଠୁ ନେଇ ଚିଲିକା ବ୍ଲକର ସବୁ ଗ୍ରାମାଞ୍ଚଳ ମଧ୍ୟ ଆଜି ଉତ୍ସବମୁଖର ହୋଇଉଠିଛି। ସବୁଠି ଗୈରିକ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା।  ରାମଭକ୍ତ ମାନେ ଉଭୟ ବାଣପୁର ଓ ବାଲୁଗାଁରେ ଆତସବାଜି ଫୁଟାଇବା ସହ, ମିଷ୍ଟାନ ବଣ୍ଟନ କରିଥିଲେ ଏବଂ ସଂନ୍ଧ୍ୟାରେ ଉଭୟ ଅଂଚଳବାସି ନିଜ ନିଜ ଘରେ ଦୀପ ଲଗାଇ ଶ୍ରୀ ରାମଙ୍କୁ ବନ୍ଦନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ୯୧ ଲିଟର ଦେଶୀମଦ ସହ ଚାରିଜଣ ଗିରଫ

ବାଣପୁର/ବାଲୁଗାଁ: ଶନିବାର ବାଲୁଗାଁ ଓ ଟାଙ୍ଗୀ ଅବକାରୀ ବିଭାଗ ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରିଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।

ସୂଚନା ମୁତାବକ ଅବକାରୀ ବିଭାଗ ବାଣପୁର ଥାନା ଅଂଚଳର ମଙ୍ଗରାଜ ବିଶ୍ୱାଳ ଠାରୁ ୩୦ ଲିଟର ମଦ ସହ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି, ଶୈଳବାଳା ମହାରଣା ଠାରୁ ୨୬ଲିଟର ସହ ବାଲୁଗାଁ ଥାନା ଅଂଚଳର ରଜତ ପଢିଆଳି ଓ ରମେଶ ପଢିଆଳୀଙ୍କ ଠାରୁ ୩୫ଲିଟର ଦେଶୀମଦ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଟାଙ୍ଗୀ ଅବକାରୀ ଅଧିକାରୀ ନାରାୟଣ ଜେନା, ବାଲୁଗାଁ ଏଏସଆଇ ସୁମତି ମହାନ୍ତି ଓ କନଷ୍ଟେବଳ ତୁଷାର ଚମ୍ପତି, ଆଶିଷ ପ୍ରଧାନ, ଚିନ୍ମୟ ଦାସ ଚଢ଼ାଉରେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଘର ଦେବାକୁ କହି ୬ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁରେ ଘର ଦେବାକୁ କହି ୬ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନାଁ ଘର ମିଳିଲା ନାଁ ଦେଇଥିବା ଟଙ୍କା ଫେରସ୍ତ ମିଳିଲା। ପରିଶେଷରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ବାଲୁଗାଁ ଗୋପୀନାଥପୁର ଗ୍ରାମର କାମିନୀ ବାଳା ନାୟକ ଏକ ଘର କିଣିବା ପାଇଁ ସେହି ଗ୍ରାମର ଭାସ୍କର ପାଢ଼ୀଙ୍କୁ (୫୬) ଦୀର୍ଘ ବର୍ଷେ ପୂର୍ବରୁ ଅଗ୍ରୀମ ଆକାରରେ ୬ ଲକ୍ଷ ଦେଇଥିଲେ। ଏନେଇ ଶ୍ରୀମତୀ ନାୟକ ବାରମ୍ବାର ଶ୍ରୀ ପାଢ଼ୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ଉତ୍ତର ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ ଭାସ୍କର ପାଢ଼ୀକୁ ଠକେଇ ଅଭିଯୋଗରେ ଗିରଫ କରିଛି।

Categories
ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ୧୨୦୩୪ ତମ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଭାରତୀୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର ଏବଂ କୋଚ଼ିନ ସିପ ୟାର୍ଡ଼ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ ମିଳିତ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଉକ୍ତ କେନ୍ଦ୍ରର ପରିଚାଳକ କାହ୍ନୁଚ଼ରଣ ପଲାଇଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼ାଃ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସମାଜସେବୀ ନିରଞ୍ଜନ ସେଠୀ, ସନାତନ ବଳବନ୍ତରାୟ, ସ୍ବପ୍ନା ବଡ଼ଜେନା ଏବଂ ମମତା ପରିଡ଼ା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ସମସ୍ତ ଜନସାଧାରଣ ଏବଂ ବିଶେଷ କରି ଗରିବ ମା’ ଓ ଭଉଣୀ ମାନେ କିପରି ଏହାର ଲାଭ ଉଠାଇପାରିବେ, ମୁଖ୍ୟ ଅତିଥି ଡ଼ାଃ ପାତ୍ର ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ। ଏହି କେନ୍ଦ୍ରରେ ୧୭୫୯ ଗୋଟି ଉଚ୍ଚ ଗୁଣବତ୍ତା ଔଷଧ ସହ ୨୮୦ ଗୋଟି ସର୍ଜିକାଲ ଉପକରଣ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ମିଳିବ ବୋଲି ଏହାର ପରିଚାଳକ ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଖିପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉକ୍ତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଉଦଯାପିତ ହେଲା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶଵବିଦ୍ୟାଳୟର ପ୍ରଯୋଜନା ଓ ବାଲୁଗାଁ ମହାବିଦ୍ୟାଳୟର ଆନୁକୁଲ୍ୟରେ ଗତ ଜାନୁୟାରୀ ମାସ ୩ ତାରିଖରୁ ଜାନୁୟାରୀ ୮ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ବାଲୁଗାଁ ମହାବିଦ୍ୟାଳୟରେ ସଭାଗୃହରେ ଆୟୋଜିତ ସଭା ଓ ଆଲୋଚନା ମାଧ୍ୟମରେ ମହାସମାରୋହରେ ଉଦଯାପିତ ହୋଇଅଛି। ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାସ ସଭାପତିତ୍ବ କରିଥିବା ସମୟରେ +୨ ଅଧ୍ୟକ୍ଷା ଡଃ ଜୟନ୍ତୀ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଓଡ଼ିଶାର ସୁପ୍ରସିଦ୍ଧ ସମାଜସେବୀ ତଥା ଜାତୀୟ ଯୁବ ପ୍ରକଳ୍ପର ଟ୍ରଷ୍ଟିବୋର୍ଡ ସଭ୍ୟ ମଧୁସୂଦନ ଦାସ, ଓଡ଼ିଶା ପୁନର୍ଗଠନ ସଂଘର ସମ୍ପାଦକ ମାନସ କୁମାର ଦାସ ଓ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଯଥାକ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତାରୂପେ ଯୋଗଦେଇ ନୂତନ ଓଡ଼ିଶା ଓ ଭାରତ ଗଠନ ନିମନ୍ତେ ଯୁବ ସମାଜ ସଂକଳ୍ପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହି ସ୍ଵତନ୍ତ୍ର ଶିବିରର ବିଭିନ୍ନ ଦିବସରେ ପୋଷ୍ୟଗ୍ରାମ ଓ ଗୋପବନ୍ଧୁ କଲୋନୀ, ଶାନ୍ତି ନଗର ଓ ଉପକୂଳରେ ସଫେଇ ଅଭିଯାନ, ସାକ୍ଷରତା ସର୍ଭେ, ସଡ଼କ ସୁରକ୍ଷା, ଗନ୍ଧିବାଦର ପ୍ରାସଙ୍ଗିକତା, ନାରୀ ସଶକ୍ତିକରଣର ସାମର୍ଥ୍ୟ ବିକାଶ କୌଶଳ, ବୃକ୍ଷରୋପଣ, ତମାଖୁ ମୁକ୍ତ ମହାବିଦ୍ୟାଳୟ ରକ୍ତଦାନ ଓ କୋଭିଡ-୧୯ ସମ୍ପର୍କିତ ସଚେତନତାର ବାର୍ତ୍ତା ଓ ମହତ୍ତ୍ଵ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ କୌଶଳ ଅର୍ଜନ କରିବାରେ ସାମର୍ଥ୍ୟବାନ ହୋଇଥିଲେ। ବିଭିନ୍ନ ଦିବସରେ ସମ୍ବଳ ଅଧିକାରୀରୂପେ, ଅଧ୍ୟାପିକା ମନସ୍ଵିନୀ ପଟ୍ଟନାୟକ, ହିମାଂଶୁ କୁମାର ଦାସ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ବାଣପୁର ଗ୍ରାମୀଣ ମହିଳା ମହାିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟସ୍ତରୀୟ ସମ୍ପାଦକ ଶ୍ରୀ ସୋମ, ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ଏନ.ସି.ସି ଅଫିସର ଡଃ ଅକ୍ଷର କୁମାର ମିଶ୍ର ପ୍ରମୁଖ ସ୍ବେଚ୍ଛାସେବୀଙ୍କ ଗ୍ରହଣରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ ଯୁବ ମାନ ପ୍ରାଣକୁ ଉଦୀପିତ କରିଥିଲେ।

ଏହି ଶିବିରରେ ଜାତୀୟ ସେବା ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡଃ ଜୟଶ୍ରୀବାଳା ମଲ୍ଲିକ ଓ ସି.ୱାଇ.ଏସ.ଡି ର ସମ୍ପାଦକ ଜିତେନ୍ଦ୍ର କୁମାର ସୁନ୍ଦରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ କର୍ଯ୍ୟାଳୟର ଯୁବ ଅଧିକାରୀ ଅଜିତ କୁମାର, ମଳୟ ରଞ୍ଜନ ତ୍ରିପାଠୀ ଓ ନିଖିଳ ପାଣିଗ୍ରାହୀ ପ୍ରମୁଖ ଅଧିକାରୀଗଣ ପରିଦର୍ଶନରେ ଆସି ସ୍ବେଚ୍ଛାସେବୀ କାର୍ଯ୍ୟାବଳୀ ଓ ଶୃଙ୍ଖଳାକୁ ବେଶ ପ୍ରଶଂସା କରିଥିଲେ।

ଏହି ଉଦଯାପନି ସମାରୋହରେ ବିଭିନ୍ନ ଦିବସରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ନିଜର ଉତ୍କର୍ଷତା ନିମନ୍ତେ ସ୍ବେଚ୍ଛାସେବୀ ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ରଶ୍ମିରେଖା ବେହେରା, ସଂଚିତା ନାୟକ, ସୋନାଲି ଜାଲି, ଶୁଭସ୍ମିତା ମହାରଣା, ରାଜସ୍ମିତା ଦସ, ସନ୍ତୋଷ କୁମାର ବାରିକ, କାର୍ତ୍ତିକଶ୍ୱର ଜେନା, ବିଚିତ୍ର ପରିଡ଼ା, ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ କୈଳାସ ଚନ୍ଦ୍ର ମହାରଣା, ଏବଂ ଶିବିରକୁ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ।

Categories
ଆଞ୍ଚଳିକ

ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ନାଚୁଣୀ ପୋଲିସ ଗାଡି ଜବତ କରି ତଦନ୍ତ ଜାରୀ ରଖିଛି।

Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ୪ ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଜାନୁଆରୀ ୪ ତାରିଖରେ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଲୁଗାଁ ବିଭାଗୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ।

ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।

ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ମୁମ୍ବାଇ ସ୍ଥିତ ବିଏନଏଚଏସ ର ଉପ ନିର୍ଦେଶକ ଡ଼ଃ ପି ସାଥିୟା ସେଲଭମ , ଅବସରପ୍ରାପ୍ତ ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ।

Categories
ଆଞ୍ଚଳିକ

ବାଲୁଗାଁର ଏକ ଘରୋଇ ହସପିଟାଲରେ ଉତ୍ତେଜନା, ଡାକ୍ତରଙ୍କ ଅବହେଳା ଅଭିଯୋଗ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଯାହାଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ମୁତାବକ, ବାଲୁଗାଁ ଅଞ୍ଚଳର ଜଣେ ମହିଳା ପ୍ରସୂତି ପାଇଁ ବାଣପୁର ମେଡିକାଲ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ଅପରାହ୍ନରେ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲ ନେଇଥିଲେ।

ତେବେ ମହିଳାଙ୍କ ଅସ୍ତ୍ରୋପଚାର ଜରୁରୀ ହୋଇପଡିବାରୁ ବାଲୁଗାଁସ୍ଥିତ ଏକ ଘରୋଇ ମେଡିକାଲକୁ ଅସ୍ତ୍ରୋପଚାର ପାଇଁ ଉକ୍ତ ମହିଳାଙ୍କୁ ପଠାଇଥିଲେ ଜନୈକ ଡାକ୍ତର। ତେବେ ଡାକ୍ତର ସେଠାରେ ବିଳମ୍ବରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେଠାରେ ଉପସ୍ଥିତଥିଲା। ତେବେ ଆଜି ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବାପରେ ଶବ ଜବତ କରଯାଇ ତଦନ୍ତ କରାଯିବ ବୋଲି ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ମାସ ଧରି ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) ଅନ୍ତର୍ଗତ ସମାଜ ବିକାଶ କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ ଆୟୋଜିତ ହୋଇଯାଇଛି।

ନିମନ୍ତ୍ରିତ ଅତିଥିମାନେ ସମାଜ ସେବା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଯଥାର୍ଥ ବ୍ୟକ୍ତିତ୍ୱ ନିର୍ମାଣ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚିତ ହୁଏ ଓ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଛନ୍ତି।

ଗତକାଲି ପୂର୍ବାହ୍ଣରେ ସମାଜସେବା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡ଼କ୍ରସ ମିଳିତ ଆୟୋଜନରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ରୀନା ରାଉତ,ମନସ୍ବିନୀ ପଟ୍ଟନାୟକ,ଓ ଧୋବୀ ପରିଡାଙ୍କ ତତ୍ୱାବଧାନରେ ଫାଷ୍ଟ ଏଡ଼ ଟ୍ରେନିଙ୍ଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ସମାଜସେବୀ ଅନନ୍ତ ଚରଣ ଖଟେଇ ଉକ୍ତ ପ୍ରାଥମିକ ଚିକିତ୍ସା ସହାୟତା ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଅତିଥିଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସମାଜକର୍ମୀ ଶ୍ରୀ ସୋମ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ଦ୍ୱାରା ଅଭିଭୂତ କରିଥିଲେ l ସେ କହିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶୀଳତା ଭରି ରହିଛି l ମହାବିଦ୍ୟାଳୟର ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଏହି ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇଉଠେ।

ଏଥିସହିତ ରାଷ୍ଟ୍ର ଗଠନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ସୃଷ୍ଟି ହୁଏ। ଧର୍ମ ବର୍ଣ୍ଣ,ଜାତି ନିର୍ବିଶେଷରେ ଛାତ୍ର ଛାତ୍ରୀ ମାନେ ସମାଜ ସେବା କରିବା ଦ୍ୱାରା ଓଡିଶାରେ ଯୁବ ବିକାଶ ସହ ଉନ୍ନତ ଓଡିଶାର ଗଠନ ସମ୍ଭଵପର ହୋଇପାରିବ ବୋଲି ଶ୍ରୀ ସୋମ ପରାମର୍ଶ ଦେଇଥିଲେ l ଏହାପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ମୁଖ୍ୟ ଅତିଥି ଶ୍ରୀ ସୋମ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଏହି ସମାଜସେବା କାର୍ଯ୍ୟକ୍ରମର ଅନ୍ୟତମ ଆବାହକ ଶିବରlମ ସିଂ, ହିମାଂଶୁ କୁମାର ଦାଶ, ପ୍ରବୀଣ କୁମାର ଜେନା ,ସ୍ୱାତୀ ଝରଣା ନାଥ,ସ୍ଵାଗତିକା ସାହୁ,ପତିତପାବନ ପଣ୍ଡା,କୀର୍ତ୍ତିମୟୀ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ପ୍ରିୟମ୍ବଦା ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ l
ଏହି ଅବସରରେ ଅଧ୍ୟକ୍ଷl ସମାଜସେବା କାର୍ଯ୍ୟକ୍ରମର ସମସ୍ତ ଆବାହକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

Categories
ଆଞ୍ଚଳିକ

ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁଃବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସଭାପତିତ୍ୱ କରିଥିବା ବେଳେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ଅନିଲ ମହାଲିକ ଓ ମୁଖ୍ୟ ବକ୍ତା ଭାବେ ପୁରୀ ଆଦିତ୍ୟ ବାହିନୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଶିକ୍ଷା ପ୍ରଣାଳୀର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବିଦ୍ୟାମନ୍ଦିରର ପରିଚାଳନା ସମ୍ପାଦକ ଅନନ୍ତ ପ୍ରସାଦ ସେଠି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ପ୍ରହଲ୍ଲାଦ ଦାଶ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ସଂଗୀତ,ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ। ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀ,ଅଭିଭାବକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ

ବାଲୁଗାଁ: ବାଲୁଗାଁ ସହରର ଗୋପବନ୍ଧୁ ନଗରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ସମାରୋହ ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀ ମାନଙ୍କର ମନ ପ୍ରାଣ ଶରୀରର ରୂପାନ୍ତର ଦିଗରେ ସହାୟକ ହେବl ସହ ଚେତନlଗତ ବିକାଶ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଥାଏ ତାହା ଉପସ୍ଥାପିତ କରିଥିଲେ।

ଉକ୍ତ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନର ସଂଯୋଜକ ସୁରେନ୍ଦ୍ର ନାଥ ଜେନା ଓ ପ୍ରକାଶ କୁମାର ମହାପାତ୍ର ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଭିନଵ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ବାତାବରଣ ଓ ଶିଶୁ ମନସ୍ତତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ।

ଏହି ସଭାରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନେ ମାତୃ ସଂଗୀତ, ଲୋକ ସଂଗୀତ, ସାମାଜିକ ଉତ୍ତରଣ, ସଚେତନ ମୂଳଜ, ଦେଶାତ୍ମବୋଧକ ତଥା ଆଧ୍ୟାତ୍ମିକ ସଂଗୀତ ଆଧାରିତ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।