ଧାନ ମଣ୍ଡି ତୁରନ୍ତ ଖୋଲିବା ଦାବିରେ ସିପିଆଇ (ଏମ) ର ତହସିଲ କାର୍ଯ୍ୟାଳୟରେ ଧାରଣା

Published: Dec 14, 2022, 6:32 pm IST

ରଣପୁର: ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ସି.ପି.ଆଇ.ଏମ. ରଣପୁର ଆଞ୍ଚଳିକ କମିଟି ତରଫରୁ ଧାରଣା ଦିଆଯାଇଛି। ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସି ପି ଆଇ (ଏମ) ପକ୍ଷରୁ  ଧାରଣା ଦିଆଯାଇଛି।

ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, କ୍ଷେତମୁଳିଆ ନେତା ଦୁଃଶାସନ ଜେନା, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, ରଜତ ଜେନା, ନିରଞ୍ଜନ ରାଉତ, କୁଳମଣି ପଲେଇ ଓ ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ଦେଇ ସରକାରଙ୍କ ମଣ୍ଡି ଖୋଲି ଧାନ କିଣିବାରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନ ନୀରବତାକୁ ତୀବ୍ର ସମାଲୋଚନା କରିଥିଲେ। ଚଳିତ ବର୍ଷ ଧାନ ଫସଲ ଅମଳ କରି ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀ ଅଭାବୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ତେଣୁ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ରଣପୁର ଅଞ୍ଚଳରେ ତୁରନ୍ତ ମଣ୍ଡି ଖୋଲି ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ସହାୟକ ମୂଲ୍ୟ, ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ, ଧାନର ଅଭାବୀ ବିକ୍ରି ବନ୍ଦ, ଧାନ କ୍ରୟରେ ଦଳାଲିଙ୍କୁ ଜବତ କରିବା ଓ ଚାଷୀଙ୍କ ବକେୟା ଗଜା ଧାନର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ଦାବି କରିଥିଲେ।

ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ପାଇଁ ବିଳମ୍ବ କଲେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନି ଦିଆଯାଇଛି। ପରିଶେଷରେ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର କେଶବ ଚନ୍ଦ୍ର ବିଶ୍ୱାଳ ପ୍ରଶାସନ ତରଫରୁ ଗ୍ରହଣ କରିଥିଲେ।

Related posts