ବାଣପୁର: ପୁଣି ସମାନ ସ୍ଥାନ ସମାନ ଢଙ୍ଗରେ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି

Published: Feb 15, 2024, 6:53 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ପୁଣି ସମାନ ସ୍ଥାନରେ ସମାନ ଢଙ୍ଗର ଚୋରି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଫେରାର ହେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ଛକ ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପୁଣି ଉକ୍ତ ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି।

ସୂଚନା ମୁତାବକ କୁମାରାଙ୍ଗ ଛକ ନିକଟରେ ନିରପ୍ରସାଦ ପଟ୍ଟନାୟକଙ୍କ ଘରେ ଭଡ଼ାସୂତ୍ରରେ ରହୁଥିବା ବାଲୁଗାଁ ମେଡିକାଲ ହିସାବ ଅଧିକାରୀ ସନ୍ତୋଷ ରାମ ଗତକାଲି ରାତିରେ ପତ୍ନୀଙ୍କ ସହ କୌଣସି କାଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ରାତି ୨ ଘଟିକାରେ ଘରକୁ ଫେରିଥିଲେ। ତେବେ ଘରକୁ ଆସି ଦେଖିଲା ବେଳକୁ ଦୁଇ ଗୋଟି କବାଟର ତାଲା ଭଂଗାଯାଇଛି। ଏବଂ କଟର ମାଧ୍ୟମରେ କବାଟ ଶିଙ୍କୁଳିକୁ କଟାଯାଇଛି। ଭିତରେ ପ୍ରବେଶ କରିବା ମାତ୍ରେ ବେଡ଼ରୁମ ଆଲମିରା ଖୋଲା ଅଛି ଏବଂ ସେଥିରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହାସହିତ ନଗଦ ଟଙ୍କା ମଧ୍ୟ ଚୋରି ହୋଇଛି। ତେବେ ସମୁଦାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୦ ହଜାର ଟଙ୍କା ନଗଦ ଏବଂ ଏକ ଷ୍ଟିଲ ବାକ୍ସ ମଧ୍ୟରେ ଥିବା ଆନୁମାନିକ ୧୫ ହଜାର ଟଙ୍କା ଚୋରି ହୋଇଥିବାର ସନ୍ତୋଷ କହିଛନ୍ତି। ସେହିପରି ଭାବେ ଦୁର୍ବୁତ୍ତ ମାନେ ଏକ ଏଲଇଡ଼ି ଟିଭି ମଧ୍ୟ ଚୋରି କରିନେଇଛନ୍ତି।

ଏ ନେଇ ସନ୍ତୋଷ ବାଣପୁର ଥାନାରେ ଏତଲା ଦେଲାପରେ ପୋଲିସ କେସ ନମ୍ବର ୮୯/୨୪ ରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି। ତେବେ ଏହାକୁ ଗୁରୁତର ସହ ନେଇଛି ପୋଲିସ ଏବଂ ବିଭିନ୍ନ ଟିମ ଗଠନ କରାଯାଇ କ୍ଷିପ୍ରଗତିରେ ତଦନ୍ତ ଜାରିରହିଥିବାର ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସୂଚନା ଥାଉକି ପୁର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଚୋରି ହୋଇଛି।

Related posts