ତିର୍ତ୍ତୋଲରୁ ତାରତୋଲ ରାସ୍ତା ବିଛିନ୍ନ, ବନ୍ୟାଜଳରେ ଭାସୁଛି ଆଦିବାସୀ ପଡା

Published: Sep 1, 2020, 10:12 pm IST

ରମେଶ ମହାନ୍ତି

ଜଗତସିଂହପୁର: ବନ୍ୟାଜଳରେ ପ୍ରଭାବିତ ହୋଇ ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତିର୍ତ୍ତୋଲ ତାରତୋଲ ରାସ୍ତାର ଆଦିବାସୀ ପଡା ନିକଟ ରାସ୍ତାରେ ଏକ ଘାଇସୃଷ୍ଟି ହେବା ସହିତ ରାସ୍ତା ଉପରେ ପାଣି ଚାଲୁଛି। ଏହି ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନଙ୍କ ସୁରକ୍ଷା ପାଇଁ ଘାଇ ସୃଷ୍ଟି ହୋଇଥିବା ବାଟଦେଇ ଗାଡି ମଟର ଚଳାଚଳ ଓ ସାଧାରଣ ଲୋକେ ଯାତାୟତ ନକରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବାଉଁଶ ବନ୍ଧାଯିବା ସହିତ ଗତକାଲି ଠାରୁ ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ୍ ଷ୍ଟାଫ୍ ଜଗାରଖା କରୁଛନ୍ତି।

ତିର୍ତ୍ତୋଲ ଆଦିବାସୀ ପଡା ଓ ଗୋପିଆକୁଦ ବନ୍ୟାଜଳରେ ଭାସୁଥିବା ବେଳେ ସେଠାରେ ରହୁଥିବା ଲୋକମାନେ ଘରଦ୍ବାର ଛାଡି ୧୨ନଂ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲଟାଣି ରହିବା ସହ ଗୋପିଆକୁଦ ଗେଷ୍ଟହାଉସ ଓ ତିର୍ତ୍ତୋଲ ବଜାର ସ୍ଥିତ ଏମ୍ ଏସ୍ ଏକାଡେମୀ ବାଳକ ବିଦ୍ୟାଳୟରେ ମଧ୍ୟ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡିଛି। ତିର୍ତ୍ତୋଲ ଆଦିବାସୀ ପଡା ନିକଟରେ ହୋଇଥିବା ଏହି ଘାଇ ଯୋଗୁଁ ତିର୍ତ୍ତୋଲରୁ ତାରତୋଲ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ଧୋୟା ଅଞ୍ଚଳର ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନେ ରାହାମା ବାଟଦେଇ ବହୁବାଟ ବୁଲିକରି ଯାତାୟତ କରିବାକୁ ପଡୁଛି।

ଏମିତିକି ଧୋୟା ଅଞ୍ଚଳର ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ପାଇଁ ମଧ୍ୟ ବ୍ଲକ୍ ପ୍ରଶାସନକୁ ରାହାମା ବାଟଦେଇ ବୁଲିକରି ଯାତାୟତ କରିବାକୁ ପଡୁଛି। ପୁର୍ଣ୍ଣିମା ପଡୁଥିବାରୁ ସମୁଦ୍ରରେ ଜୁଆର ସୃଷ୍ଟି ହୋଇ ପାଣି ଫୁଲିକରି ରହିବା ଯୋଗୁଁ ମହାନଦୀର ବନ୍ୟାଜଳ ସମୁଦ୍ର ଟାଣୁନାହିଁ ବୋଲି କୁହାଯାଉଛି।

Related posts