ବାଣପୁର-ବାଲୁଗାଁ ଏବିଭିପିର ନଗର ସମ୍ମିଳନୀ ଅନୁଷ୍ଠିତ

Published: Nov 24, 2020, 9:24 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବାଣପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଅଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଏବିଭିପି ଓଡିଶା ରାଜ୍ୟ ସମ୍ପାଦକ  ଶଶିକାନ୍ତ ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରୁଣା ନଗର ସମିତି ଭଙ୍ଗା ଯାଇ ନୂତନ ସମିତି ଘୋଷଣା କରାଯାଇଥିଲା। ଏହି ସମ୍ମିଳନୀରେ ନୂତନ ଭାବରେ ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ରଙ୍କୁ ନଗର ସଭାପତି ଏବଂ ବିବେକାନନ୍ଦ ଗଡ଼ନାୟକଙ୍କୁ ନଗର ସମ୍ପାଦକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଅଛି।

ନଗର ସହ ସମ୍ପାଦକ ରୂପେ ପ୍ରିୟାଂଶୁ ପ୍ରଧାନ, ସୌମ୍ୟ ରଂଜନ ସାହୁ, ପୃଥ୍ୱୀରାଜ ଛୋଟରାୟ, ଶୁଭମ ତ୍ରିପାଠୀ ଓ ପ୍ରଦୀପ କୁମାର ସ୍ୱାଇଁ ନିର୍ବାଚିତ ହୋଇଥିବାସ୍ଥଳେ ନଗରର ଅନ୍ୟ ଗୁରୁତ୍ୱପୂର୍ଣ ଦାଇତ୍ୱଗୁଡିକୁ ମଧ୍ୟ ଘୋଷଣା କରାଯାଇଅଛି। ବାଣପୁର-ବାଲୁଗାଁ ନଗର ଅଧୀନରେ ଥିବା ସମସ୍ତ ସାତ ଗୋଟି କ୍ୟାମ୍ପସରେ ଏବିଭିପି କିପରି ଆହୁରି ସୁଦୃଢ ହେବ ସେ ବିଷୟରେ ସମ୍ମିଳନୀରେ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇଥିଲା

ଛାତ୍ର ଛାତ୍ରୀ ମାନେ ସମ୍ପ୍ରତି ସମୟରେ ପାଠ ପଢିବା ସହ ନିଜକୁ ରାଷ୍ଟ୍ରହିତ କାର୍ଯ୍ୟରେ ନିୟୋଜିତ କରିବା ଉଚିତ ବୋଲି ନବ ନିର୍ବାଚିତ ନଗର ସଭାପତି ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ମନ୍ତବ୍ୟ ରଖିଥିଲେ। ନଗର ଛାତ୍ରୀ ପ୍ରମୁଖ ବର୍ଷାରାଣୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁ ପରିଷଦ ଗୀତ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ସେଠି ପରିଚାଳନା କରିଥିବାବେଳେ ପ୍ରିୟାଂଶୁ, ରାଜେଶ, ସୁଜିତ, ସୌମ୍ୟ, ଆଶାତୀତ, ହିମାଂଶୁ, ବିପ୍ଳବ ଆଦି ସହଯୋଗ କରିଥିଲେ।

Related posts