ବାଉଁଶିଆ ଗ୍ରାମରେ ସ୍ବପ୍ନେଶ୍ବର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Published: Jan 20, 2020, 2:07 pm IST

ସମୀକ୍ଷା ବ୍ୟୁରୋ
ଓଡଗାଁ : ଓଡଗାଁ ବ୍ଲକ୍‌ ଅନ୍ତର୍ଗତ ବାଉଁଶିଆ ରଘୁନାଥପୁର ବ୍ରାହ୍ମଣ ଶାସନରେ ଏକ ନୂତନ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଅନାଦି କାଳରୁ ବ୍ରାହ୍ମଣ ଶାସନରେ ପୂଜା ପାଉଥିବା ସ୍ବପ୍ନେଶ୍ବର ମହାଦେବଙ୍କୁ ନୂତନ ମନ୍ଦିରରେ ସ୍ଥାପନ କରାଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଚାଲିଥିଲା । ଶୁକ୍ରବାର ଗ୍ରାମର ମହିଳା ମାନେ କୁସୁମୀ ନଦୀରୁ କଳଶ ଶୋଭାଯାତ୍ରାରେ ବାହାରି ଯଜ୍ଞପୀଠରେ ପହଞ୍ଚିଥିଲେ । କଳସ ସ୍ଥାପନା ପରେ ଯଜ୍ଞକୁଣ୍ଡରେ ତିନିଦିନ ବ୍ୟାପୀ ଘୃତଯଜ୍ଞ ଜାରି ରହିଥିଲା । ପୂର୍ବରୁ ମନ୍ଦିର ଛାତ ବେଙ୍ଗଲ ଟାଇଲ ରହିଥିବା ବେଳେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ନିର୍ମିତ ହୋଇଛି । ମୁଖ୍ୟ କର୍ମଣିଆ ଭାବେ ଦଧୀନାଥ ଦାଶ ଦେବଶର୍ମା ଆହୁତି ପ୍ରଦାନ କରିଥିବା ବେଳେ ପଦ୍ମନାଭ ଦାଶ କର୍ତ୍ତା ରହିଥିଲେ । ଗ୍ରାମ ସଭାପତି ତ୍ରିନାଥ ଦାଶ ଏବଂ ଯଜ୍ଞ କମିଟି ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସହିତ ସମସ୍ତ ଗ୍ରାମବାସୀ ଯଜ୍ଞରେ ସହାୟତା କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।

Related posts