Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲା ସହ ବିଭିନ୍ନ ପ୍ରସଂଗ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ ଗୁପ୍ତଚର ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଲୋକସଭା କାର୍ଯ୍ୟ ଅନେକ ଥର ବ୍ୟାହତ ହୋଇଥିଲା ଏବଂ ଶେଷରେ ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର କାର୍ଯ୍ୟ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।

ଲୋକସଭା ଦୁଇଥର ସ୍ଥଗିତ ହୋଇ ଆରମ୍ଭ ହେବା ମାତ୍ରେ ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ।

ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ୱାଇଏସଆର କଂଗ୍ରେସ ସଦସ୍ୟ ବିଶାଖାପାଟନମ୍ ଇସ୍ପାତ କାରଖାନାର ଘରୋଇକରଣକୁ ବିରୋଧ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ।

ରାଜ୍ୟସଭାର କାର୍ଯ୍ୟ ମଧ୍ୟ ଦୁଇଥର ବ୍ୟାହତ ହୋଇଥିଲା। ଅପରାହ୍ନ 1 ଟାରେ ପୁଣିଥରେ ଆଲୋଚନା ଆରମ୍ଭ ହେବା ମାତ୍ରେ ୱାଇଏସର କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଷ୍ଟାଟସ ମାନ୍ୟତା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ଗୃହର ନେତା ପୀୟୁଷ ଗୋୟଲ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା କୋଭିଡ ମହାମାରୀ ଉପରେ ଗୃହରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ କୋଭିଡଙ୍କ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ୱାଇଏସଆର କଂଗ୍ରେସର ସଦସ୍ୟମାନେ ଶାନ୍ତ ହୋଇନଥିଲେ ଏବଂ ହୋହାଲ୍ଲା ଜାରି ରଖିଥିଲେ। ଫଳରେ ବାଚସ୍ପଚି ଗୃହ କାର୍ଯ୍ୟକୁ ଅପରାହ୍ନ 2.45 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହାପୂର୍ବରୁ, ଯେତେବେଳେ ମଧ୍ୟାହ୍ନ 12 ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା, ସେତେବେଳେ ପେଗାସସ୍ ଗୁପ୍ତଚର କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ, ଟିଏମସି , ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ପୁନର୍ବାର ଗୃହର ମଧ୍ୟଭାଗକୁ ଆସିଥିଲେ। ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ବାମପନ୍ଥୀ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଡେପୁଟି ଚେୟାରମ୍ୟାନ୍ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଗୃହର କାର୍ଯ୍ୟକୁ ଦିନ 1 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସକାଳେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ଗତକାଲି 17 ଟି ମୁଲତବୀ ପ୍ରସ୍ତାବ ଆସିଛି ଏବଂ ଆଜି ମଧ୍ୟ 15 ଟି ପ୍ରସ୍ତାବ ଆସିଛି। ଏକାସାଙ୍ଗରେ ଏତେଗୁଡିଏ ପ୍ରସ୍ତାବକୁ କିପରି ଅନୁମତି ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ ଏବଂ ଏହାକୁ ଗୃହରେ ଉଠାଇବାକୁ ଦିଆଯାଉ। ତେବେ ଦିନ ତମାମ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠିକରେ ଚାଲିପାରି ନ ଥିଲା।

Categories
ଆଜିର ଖବର ଜାତୀୟ ଖବର

ଦଳିତ, ପଛୁଆ ଏବଂ ମହିଳାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତିକୁ ହଜମ କରି ପାରୁନାହାନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଦଳର ଅସନ୍ତୋଷ ତଥା ସ୍ଲୋଗାନ ମଧ୍ୟରେ ମନ୍ତ୍ରୀ ପରିଷଦରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ। ଏହି ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଦଳିତ-ପଛୁଆ ବର୍ଗ (ଏସସି ଏସଟି, ଓବିସି ମନ୍ତ୍ରୀ) ଏବଂ ମହିଳାମାନେ ମନ୍ତ୍ରୀ ହେବା କିଛି ଲୋକେ ପସନ୍ଦ କରନ୍ତି ନାହିଁ। ଏହି ମାସରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ୩୬ ଜଣ ନୂତନ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଦଳିତ ଭାଇମାନେ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ଅନେକ ସାଥୀ ମନ୍ତ୍ରୀ ହୋଇଛନ୍ତି, ଏଥିପାଇଁ ଗୃହର ସମସ୍ତ ସଦସ୍ୟ ଖୁସି ହେବା କଥା। ଏଥର ବହୁ କୃଷକ ପରିବାର ଏବଂ ଗ୍ରାମାଞ୍ଚଳ, ସାମାଜିକ, ଅର୍ଥନୈତିକ ପଛୁଆ ବର୍ଗର ଲୋକମାନେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି। ତେଣୁ ଟେବୁଲକୁ ବାଡେଇ ତାଙ୍କୁ ସମ୍ମାନିତ କରାଯିବା କଥା।

କିନ୍ତୁ ସେମାନଙ୍କୁ ପରିଚିତ କରାଇବା ସମୟରେ ବାଧା ସୃଷ୍ଟି କରାଗଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟକ ମହିଳା, ଦଳିତଙ୍କ ନେତା, ଗରିବ, ପଛୁଆ ଏବଂ କୃଷକ ମନ୍ତ୍ରୀ ହୋଇଛନ୍ତି। ହେଲେ ଏହାକୁ ବିରୋଧୀ ଦଳ ହଜମ କରୁନାହାଁନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତେଜନା ଭିତରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୨ ଟା ଯାଏଁ ଗୃହ ମୁଲତବି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ସୋମବାର ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳି ଦଳର ସାଂସଦମାନେ ମୁଦ୍ରାସ୍ଫୀତି, କୃଷକଙ୍କ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପହଞ୍ଚିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ସରକାରଙ୍କ ନୂତନ ମନ୍ତ୍ରୀମାନଙ୍କୁ ପରିଚିତ କରାଇ ପାରି ନ ଥିଲେ। ଉତ୍ତେଜନା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଲୋକସଭାରେ ମନ୍ତ୍ରୀଙ୍କ ପରିଚୟ ସମୟରେ ହୋହାଲ୍ଲାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଯେଉଁ ମହିଳାମାନେ ଏହି ଗୃହରେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ପରିଚିତ କରାଉଛି। କିନ୍ତୁ କିଛି ଲୋକ ଏନେଇ ବହୁ କଷ୍ଟ ଅନୁଭବ କରୁଛନ୍ତି। ଏହା କ’ଣ ମହିଳା ବିରୋଧୀ ମାନସିକତା? ଦୀର୍ଘ ସମୟ ପରେ ସଂସଦର ଏହି ଅଧିବେଶନରେ ବିରୋଧୀ ମୁଦ୍ରାସ୍ଫୀତି, କରୋନା ମହାମାରୀ, କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ସହିତ ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଫୋନ୍ ହ୍ୟାକ୍ ମାମଲା ମଧ୍ୟ ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛି।

ସଂସଦ ଅଧିବେଶନରେ ସରକାର ପ୍ରାୟ ୩୦ ଟି ବିଲ୍ ପାରିତ କରିବାକୁ ଚେଷ୍ଟା କରିବେ, ସେଥିମଧ୍ୟରୁ ବିଦ୍ୟୁତ୍ ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ପ୍ରସଙ୍ଗରେ ସରକାର ଏକ ଅର୍ଥପୂର୍ଣ୍ଣ ତଥା ସୁସ୍ଥ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ସେହିପରି ରାଜ୍ୟସଭାରେ ଅଭିନେତା ଦିଲୀପ କୁମାର ଏବଂ କ୍ରୀଡ଼ାବିତ୍ ମିଲ୍କା ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଜ୍ୟସଭାକୁ ମଧ୍ୟ ଏକ ଘଣ୍ଟା ପାଇଁ ମୁଲତବି କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ବିଜେପିର ନେତା ହେଲେ ପୀୟୂଷ ଗୋଏଲ: ଲୋକସଭାର ନୂଆ ନେତା ଘୋଷଣା କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି।

ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ ଏକ ନେତାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଲଗାତାର ୩ ବର୍ଷ ଧରି ନକ୍ସଲ ହିଂସା ହ୍ରାସ, ୨୦୧୭ରେ ୯୦୮ ରୁ ହ୍ରାସ ପାଇ ୨୦୧୯ରେ ୬୭୦ରେ ପହଂଚିଲା

ନୂଆଦିଲ୍ଲୀ,୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ଭାରତ ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି ରହିଛି ।

ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୭ରେ ୯୦୮ଟି ନକ୍ସଲ ହିଂସା ଘଟଣା ଘଟିଥିଲା । ଏଥିରେ ୧୮୮ ଜଣ ସାଧାରଣ ନାଗରିକ ଓ ୭୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୧୩୬ ଜଣ ନକ୍ସଲ ନିହତ ହେବା ସହିତ ୧୮୮୮ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା ।

୨୦୧୮ରେ ପୂର୍ବ ବର୍ଷ ଅପେକ୍ଷା କମ ଅର୍ଥାତ ୮୩୩ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୧୭୩ ଜଣ ସାଧାରଣ ନାଗରିକ ଓ ୬୭ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିଥିଲା । ଏହି ବର୍ଷ ୨୨୫ ଜଣ ନକ୍ସଲ ନିହତ ହେବା ସହିତ ୧୯୩୩ ଜଣ ଗିରଫ ହୋଇଥିଲେ । ୨୦୧୯ରେ ଘଟିଥିବା ୬୭୦ଟି ନକ୍ସଲ ହିଂସା ଘଟଣାରେ ୧୫୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଏହି ବର୍ଷ ୧୪୫ ଜଣ ନକ୍ସଲ ନିହତ ହେବା ସହ ୧୨୭୬ ଜଣ ଗିରଫ ହୋଇଥିଲେ ।

Categories
ବିଶେଷ ଖବର

ଆସନ୍ତାକାଲି ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୫୨ ଜଣ ଲୋକସଭା ଏବଂ ୩୩୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସମୀକ୍ଷା ବ୍ୟୁରୋ

ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ସୋମବାର ଦିନ ନ ହୋଇ ଆସନ୍ତା ୧୯ ତାରିଖରେ ହେବ। ଏଥର ୬ଟି ଲୋକସଭା ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଅଛନ୍ତି। ସେହିପରି ୪୧ ଟି ବିଧାନସଭାରେ ଏଥର ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୦୧ ଜଣ ପୁରଷ, ୩୪ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି।

ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ଅଧିକାରୀମାନେ ତଦାରଖ କରୁଛନ୍ତି। ଭୋଟରମାନଙ୍କୁ ଯେପରି ପ୍ରଭାବିତ ନ କରାଯିବ ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଥର ପୋଲିସ ପ୍ରାୟ ୪ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଦ୍ୱ ଲିଟରର ମଦ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୫୦ଟି ବେଆଇନି ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ହେଭିୱେଟ ଲୋକସଭା ପ୍ରାର୍ଥୀ ଭାବେ ଜୟ ପଣ୍ଡା,ରବି ଜେନା,ପ୍ରତାପ ଷଡଙ୍ଗୀ,ଅନୁଭବ ମହାନ୍ତି,ରାଜଶ୍ରୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ପରି କେତେକ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି ବିଧାନସଭା ପାଇଁ ଡାକ୍ତର ଦାମୋଦର ରାଉତ, ପୁତ୍ର ସଂବିଦ ରାଉତରାୟ,ମନମୋହନ ସାମଲ, ବସ୍ତାରୁ ରଘୁନାଥ ମହାନ୍ତି, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ଶଶିଭୂଷଣ ବେହେରା, ପ୍ରତାପ ଜେନା, ଅନନ୍ତ ଦାସ, ପ୍ରଫୁଲ ସାମଲ, ନିରଂଜନ ପଟ୍ଟନାୟକ, ପ୍ରଣବ ଦାସ, ପ୍ରଣବ ବଳବନ୍ତରାୟ, ଚିରଞ୍ଜୀବୀ ବିଶ୍ବାଳ, ଗଣେଶ୍ବର ବେହେରା, ପ୍ରମିଳା ମଲ୍ଲିକ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।