Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଅନୁଭୂତି ବଖାଣିଲେ ହିତାଧିକାରୀ

ଭୁବନେଶ୍ୱର: ‘‘ଆଗରୁ ଭଙ୍ଗା ମାଟି ଘରେ ରହିବା ପାଇଁ ବହୁତ ଅସୁବିଧା ହେଉଥିଲା। ପକ୍କା ଘର ମିଳୁନଥିଲା। ଝଡ଼ ତୋଫାନ ହେଲେ ପିଲାଛୁଆଙ୍କୁ ନେଇ ହଇରାଣ ହେବାକୁ ପଡ଼ୁଥିଲା। ଏବେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପରେ ସବୁ ଅସୁବିଧା ଦୂର ହୋଇଛି। ବର୍ଷା ପବନ ହେଲେ ମଧ୍ୟ ଆମେ ସୁରକ୍ଷିତ ରହିପାରୁଛୁ,’’ ଏହା କହିଛନ୍ତି କେନ୍ଦ୍ର ସରକାରଙ୍କ ଲାଭକାରୀ ଯୋଜନାରେ ଉପକୃତ ହୋଇଥିବା କେନ୍ଦୁଝର ଜିଲ୍ଲାର ହିତାଧିକାରୀ ସୁଲୋଚନା ପାତ୍ର। ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ପ୍ରତିକ୍ରିୟା ରଖି ଶ୍ରୀମତୀ ପାତ୍ର କହିଛନ୍ତି, ତାଙ୍କୁ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ଲାଭ ମିଳିଛି। ଏସବୁ ଯୋଜନା ତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। କେବଳ ଆବାସ ଯୋଜନା ନୁହେଁ, ସେ ଏବେ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ପାଇଛନ୍ତି। ରିହାତି ଦରରେ ଗ୍ୟାସ୍‌ ରିଫିଲ୍‌ କରିପାରୁଛନ୍ତି। ଏଥିପାଇଁ ୩୦୦ ଟଙ୍କାର ସବସିଡି ମିଳୁଛି। ଗ୍ୟାସରେ ଏବେ ସେ ଶୀଘ୍ର ରୋଷେଇ ସାରି ପିଲାମାନଙ୍କ କଥା ବୁଝିପାରୁଛନ୍ତି। ପିଲାମାନେ ଠିକ୍‌ ସମୟରେ ସ୍କୁଲ୍‌ ଯାଉଛନ୍ତି। ଘରେ ବିଦ୍ୟୁତ ସଂଯୋଗ ହେବା ପରେ ତାଙ୍କ ପିଲାମାନଙ୍କର ପାଠପଢ଼ା ଜନିତ ଅସୁବିଧା ମଧ୍ୟ ଦୂର ହୋଇଛି ବୋଲି ସୁଲୋଚନା କରିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

କେବଳ କେନ୍ଦୁଝର ଜିଲ୍ଲାର ସୁଲୋଚନା ନୁହନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହୋଇଥିବା ଆଉ ଜଣେ ମହିଳା ହିତାଧିକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତର ସାବିତ୍ରୀ ଚାନ୍ଦି ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପଲକ୍ଷେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଉଜ୍ଜ୍ୱଳା ଯୋଜନା ଦ୍ୱାରା ସେ ରିହାତି ଦରରେ ଗ୍ୟାସ ପାଉଛନ୍ତି। ଧୂଆଁମୁକ୍ତ ରୋଷେଇ ଘର ଯୋଗୁ ତାଙ୍କୁ ବିଶେଷ ସୁବିଧା ମିଳିଥିବା ସାବିତ୍ରୀ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଦ୍ୱାରା ଲାଭାନ୍ୱିତ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ କେରେଡ଼ି ଗ୍ରାମର ସଞ୍ଜୁକ୍ତା ରଣା ନିଜର ମତ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଣା ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ପ୍ରିମିୟମ ପଇଠ କରି ଆସୁଥିଲେ। ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ ବ୍ୟାଙ୍କ ସହଯୋଗରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ପରିବାରର ଦୁର୍ଦ୍ଦିନ ସମୟରେ ଏହି ଅର୍ଥ ତାଙ୍କୁ ବିଶେଷ ସହାୟକ ହୋଇଥିଲା।

ଅନ୍ୟପଟେ ଆବାସ ଯୋଜନାରେ ପକ୍କା ଘର ପାଇ କନ୍ଧମାଳ ଜିଲ୍ଲା ବିଶିପଡ଼ା ଦେହୁରୀସାହିର ଗରିବ ହିତାଧିକାରୀ ବିଜୟ କୁମାର ବେହେରାଙ୍କ ଜୀବନରେ ସୁଧାର ଆସିପାରିଛି। ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

କେବଳ ଏମାନେ ନୁହନ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର ଲାଭ ପାଇଥିବା ବହୁସଂଖ୍ୟାରେ ହିତାଧିକାରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ବଖାଣିବା ସହିତ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବ୍ୟାପକ ପ୍ରଚାରପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ତଥା ଉପାନ୍ତ ଅଞ୍ଚଳରେ ବିପୁଳ ଜନସମର୍ଥନ ମିଳୁଛି। ହିତାଧିକାରୀଙ୍କ ନିକଟରେ ଯୋଜନାର ଶତପ୍ରତିଶତ ଲାଭ ପହଞ୍ଚାଇବା ଏହି ଯାତ୍ରାର ଉଦ୍ଦେଶ୍ୟ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ଜାତୀୟ ଖବର

ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍‌ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍‌ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି। ଡ୍ରୋନ୍‌ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।

ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି। ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍‌ ୬୦ ରୁ ଊର୍ଦ୍ଧ୍ବ ଡ୍ରୋନ୍‌ ବ୍ୟବହାର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଚାଷୀ ଭାଗ ନେଇ ଡ୍ରୋନ୍‌ ବ୍ୟବହାର କୌଶଳ ଶିଖିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଚାଷ ଜମିରେ ଡ୍ରୋନ୍‌ ପ୍ରୟୋଗ କରି କୀଟନାଶକ ସିଞ୍ଚନ ପ୍ରଦର୍ଶନ କରାଯାଇଥିଲା।

ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ୍ସ ଟ୍ରାଭାଙ୍କୋର୍‌ ଲିମିଟେଡ୍‌ (ଏଫଏସିଟି) ପକ୍ଷରୁ ଡ୍ରୋନ୍‌ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଶେଷଜ୍ଞମାନେ ଡ୍ରୋନରେ କୀଟନାଶକ ସିଞ୍ଚନ ଉପକରଣ ଲଗାଇ ଚାଷୀଙ୍କୁ ଫସଲରେ କୀଟନାଶକ ପ୍ରୟୋଗ ଶିଖାଇ ଦେଇଥିଲେ। ଚାଷୀମାନେ ଏସବୁ ଡ୍ରୋନ୍‌ କିଣିବାକୁ ଚାହିଁଲେ କେନ୍ଦ୍ର ସରକାର ସବସିଡି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡ୍ରୋନ୍‌ ବ୍ୟବହାର ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ହାତରେ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଚାଷୀଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କିନ୍ତୁ ଡ୍ରୋନ୍‌ ବ୍ୟବହାର ଦ୍ୱାରା ଚାଷୀମାନେ ଚାଷ ଜମି ଭିତରକୁ ପ୍ରବେଶ ନକରି ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଓ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। ଆଜି କେନ୍ଦ୍ର ଜନଜାତି ଏବଂ ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ୍‌ ଅନ୍ତର୍ଗତ ବୁଢ଼ିଖମାରୀରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ କେନ୍ଦ୍ରମନ୍ତ୍ରୀ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ହିତାଧିକାରୀମାନେ ଯୋଜନାର ସୁଫଳ ପାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ଶତପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବାକୁ ଶ୍ରୀ ଟୁଡୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ୱିତୀୟ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି। ଆଜି ମାଲକାନଗିରି, କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ । ମାଥିଲି ଠାରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚି ସାଧାରଣ ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। କେତେକ ହିତାଧିକାରୀଙ୍କୁ ଯୋଜନାର ଲାଭ ନେବାକୁ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କୁ ସହାୟତା ବିତରଣ କରାଯାଇଥିଲା ।
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ରଥ ବ୍ଲକ୍ର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବ । ହିତାଧିକାରୀଙ୍କୁ ବାହନ ନିକଟରେ ପଞ୍ଜୀକରଣ କରାଯିବା ସହିତ ଆବଶ୍ୟକ ସ୍ଥଳେ ସହାୟତା ମଧ୍ୟ ବିତରଣ କରାଯିବ ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତୃଣମୂଳସ୍ତରର ହିତାଧିକାରୀମାନଙ୍କୁ ସଚେତନ କରାଯାଇଛି । ସଚେତନତା ରଥ ବିଭିନ୍ନ ଗ୍ରାମପଞ୍ଚାୟତରେ ପହଞ୍ଚି ଏଲଇଡି ସ୍କ୍ରିନ୍ ମାଧ୍ୟମରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରି ହିତାଧିକାରୀଙ୍କୁ ସଚେତନ କରିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସହାୟତା ବିତରଣ କରାଯିବା ସହିତ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଯାଇଛି । ଜିଲ୍ଲାର ଦେଓଗାଁ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହିତାଧିକାରୀଙ୍କୁ ପ୍ରଚାର ପୁସ୍ତିକା ବିତରଣ କରାଯାଇଛି ସଚେତନତା କରାଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆରମ୍ଭ କରିଥିଲେ । ଏହି ଯାତ୍ରା ଆସନ୍ତା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସମାନ୍ତରାଳ ଭାବେ ଆରମ୍ଭ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଂକଳ୍ପ ଯାତ୍ରାର ଏହି ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବ। ଯାତ୍ରା ଅବସରରେ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯିବ। ସଚେତନତା ରଥରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯିବ।

ଏହି ଅବସରରେ ଆୟୋଜିତ ସଭାରେ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅତିରିକ୍ତ ସଚିବ ରଞ୍ଜନା ଚୋପ୍ରା, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ସମାରୋହରେ ଉପସ୍ଥିତ ଜନସାଧାରଣଙ୍କୁ ସେ ବିକଶିତ ଭାରତ ସଂକଳ୍ପର ଶପଥ ପାଠ କରାଇଥିଲେ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ବ୍ୟାପକ ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ‘ଆମ ସଂକଳ୍ପ ବିକଶିତ ଭାରତ’ ଶପଥ ପାଠ କରିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହୋଇଛି ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ। ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିରୁ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅଧିକ ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଶ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ପିଏମ୍‌ ପିଭିଟିଜି ମିଶନର ଶୁଭାରମ୍ଭ କରିବେ। ସେ ପିଏମ-କିଷାନର ୧୫ତମ କିସ୍ତି ମଧ୍ୟ ଜାରି କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ତଥା ଶିଳାନ୍ୟାସ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତ  

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଝାଡ଼ଖଣ୍ଡ ପରିଦର୍ଶନ କରିବେ। ନଭେମ୍ବର ୧୫ ତାରିଖ ସକାଳ ପ୍ରାୟ ସାଢ଼େ ୯ ଟା ରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ ପାର୍କ କମ୍ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତି ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ମିଶନର ଶୁଭାରମ୍ଭ କରିବେ। ସେ ପିଏମ-କିଷାନର ୧୫ଶ କିସ୍ତି ପ୍ରଦାନ କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ।

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତିୟ ଗୌରବ ଦିବସ ଅବସରରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ।

ପରିମଳ ସୁବିଧା, ଅତ୍ୟାବଶ୍ୟକ ଆର୍ଥିକ ସେବା, ବିଜୁଳି ସଂଯୋଗ, ଏଲପିଜି ସିଲିଣ୍ଡର, ଗରିବମାନଙ୍କ ପାଇଁ ବାସଗୃହ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପହଞ୍ଚାଇବା ଉପରେ ଏହି ଯାତ୍ରାର ଗୁରୁତ୍ୱ ରହିବ । ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ଆଦିବାସୀ ଜନସଂଖ୍ୟା ଥିବା ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ।

ପିଏମ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – ‘ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ମିଶନ’ର ଶୁଭାରମ୍ଭ କରିବେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ ଟି ଗ୍ରାମ (୨୨୦ଟି ଜିଲ୍ଲା)ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ଟି ପିଭିଟିଜି ରହୁଛନ୍ତି।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟ୍ ସହିତ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଓ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

ଏହାବ୍ୟତୀତ ପିଏମଜେଏୱାଇ, ସିକଲ୍ ସେଲ୍ ଡିଜିଜ୍ ଏଲିମିନେସନ୍, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।

ପିଏମ-କିଷାନ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ଦେଖାଇବାକୁ ଥିବା ଏହି ପଦକ୍ଷେପ ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ୮ କୋଟିରୁ ଅଧିକ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି।

ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ରରେ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା- ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା; ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ- ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା; କେଡିଏଚ୍-ପୂର୍ଣ୍ଣଡିହ କୋଇଲା ପରିଚାଳନା କାରଖାନା; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ଅନ୍ତର୍ଭୁକ୍ତ ରହିଛି।

ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍ ଅନ୍ତର୍ଭୁକ୍ତ; ଆଇଆଇଟି ଆଇଏସଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟସ୍ (ପିଓଏଲ୍) ଡିପୋ; ହଟିଆ-ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ-ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ-ପାତ୍ରତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ରହିଛି । ଏହାବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ରେଳ ବିଦ୍ୟୁତୀକରଣର ଶତ ପ୍ରତିଶତ ସଫଳତାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।