Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ଜନ ଔଷଧୀ ରଥର ଶୁଭାରମ୍ଭ

ନୂଆଦିଲ୍ଲୀ: ଜନ ଔଷଧୀ ଜନ ଚେତନା ଅଭିଯାନ ଆରମ୍ଭ ପାଇଁ ଉଦ୍ଦିଷ୍ଟ ଜନ ଔଷଧୀ ରଥର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ। ଆଜି ନୂଆଦିଲ୍ଳୀଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସହିତ ଦେଶରେ ପଞ୍ଚମ ଜନ ଔଷଧୀ ଉତ୍ସବର ଆନୁଷ୍ଠାନିକ ଆରମ୍ଭ ମଧ୍ୟ ହୋଇଛି।

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଜନ ଔଷଧୀ ସପ୍ତାହ ପାଳନ ପରେ ୨୦୨୩ ମାର୍ଚ୍ଚ ସାତ ତାରିଖରେ ଜନ ଔଷଧୀ ଦିବସ ପାଳିତ ହୋଇଥାଏ। ଏଥର ଜନ ଔଷଧୀ ସପ୍ତାହରେ ଲୋକଙ୍କ ମଧ୍ୟରେ ଜନ ଔଷଧୀର ଉପକାରିତା ଓ ସୁବିଧା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଚାର କରାଯିବ। ଏହି ଔଷଧର ମୂଲ୍ୟ କମ୍ ଏବଂ ମାନଦୃଷ୍ଟିରୁ ଏହା ବେଶ୍ ଭଲ। ସମଗ୍ର ଦେଶରେ ଥିବା ସମସ୍ତ ଜନ ଔଷଧୀ କେନ୍ଦ୍ରରେ ଏହି ଔଷଧ ଉପଲବ୍ଧ। ଏସବୁ କେନ୍ଦ୍ରରେ ମଧ୍ୟ ମହିଳାଙ୍କ ପାଇଁ ସାନିଟାରୀ ପ୍ୟାଡ ଅତି ଶସ୍ତାରେ ବିକ୍ରି କରାଯାଉଛି। ଗୋଟିଏ ପ୍ୟାଡର ଦାମ ମାତ୍ର ଏକ ଟଙ୍କା। ତେଣୁ ମହିଳାମାନଙ୍କ ମଧ୍ୟରେ ଏଥିପାଇଁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି। ସେମାନେ ଏହା ଜାଣିଲେ ଏବଂ ଶସ୍ତାରେ ଏସବୁ ସୁରକ୍ଷିତ ପ୍ୟାଡ ବ୍ୟବହାର କଲେ ବିଶେଷ ଉପକୃତ ହେବେ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ସେ ଆହୁରି କହିଥିଲେ ଯେ ମାର୍ଚ୍ଚ ସାତ ତାରିଖରେ ଏକ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଜନ ଔଷଧୀର କିଛି ପ୍ରମୁଖ ଲାଭାର୍ଥୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ। ଲାଭାର୍ଥୀମାନେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବେ। ଏଥିରେ ଚିକିତ୍ସକମାନେ ମଧ୍ୟ ଜନ ଔଷଧୀ କେନ୍ଦ୍ର ସମ୍ପର୍କରେ ସେମାନଙ୍କ ଅନୁଭୂତି କରିବେ। ଏହା ଫଳରେ ସମ୍ପୃକ୍ତ କେନ୍ଦ୍ରଗୁଡିକର ପ୍ରଚାର ଅଧିକ ହେବ। ଜନ ଔଷଧୀ କେନ୍ଦ୍ର ଯେକୌଣସି ବ୍ୟକ୍ତି ଖୋଲିପାରିବେ। ଏଥିରେ ଦୋକାନୀଙ୍କୁ ୨୦% କମିଶନ ପ୍ରଦାନରେ ବ୍ୟବସ୍ଥା ରହିଛି। ଏହା ଫଳରେ ସମ୍ପୃକ୍ତ ଦୋକାନୀ ଉଭୟ ରୋଜଗାର ଓ ସେବାର ସୁଯୋଗ ପାଉଛନ୍ତି।

ମାର୍ଚ୍ଚ ପହିଲାରୁ ୭ତାରିଖ ଯାଏ ଫର୍ମାସୀ ବିଭାଗ ପକ୍ଷରୁ ବିଭିନ୍ନ ସହରରେ ନାନାବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ମୂଳତଃ ଜନ ଔଷଧୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ ଦିଆଯିବା ସହିତ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ। ଏହି ଯୋଜନା ଉପରେ ସେମିନାର, ହେରି ଟେଜୱାକ, ସ୍ୱାସ୍ଥ୍ୟ ଶିବିର, ଶିଶୁ, ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଦି ବ୍ୟବସ୍ଥା କରାଯାଇଛି। ଏଥିରେ ଡାକ୍ତର, ନର୍ସ, ଏନ୍ଜିଓର ସଦସ୍ୟ, ଲୋକ ପ୍ରତିନିଧି, ଫାର୍ମାସିଷ୍ଟ, ଜନ ଔଷଧୀ ମିତ୍ର ଆଦିଙ୍କୁ ନିମନ୍ତ୍ରଣ କରାଯିବ।

ଲୋକଙ୍କୁ ଶସ୍ତାରେ ଉତ୍ତମ ମାନର ଜେନେରିକ ଔଷଧ ଯୋଗାଣ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ଭାରତ ସରକାରଙ୍କ ଫର୍ମାସୀ ବିଭାଗ ପକ୍ଷରୁ ୨୦୦୮ ନଭେମ୍ବରରେ ଆରମ୍ଭ ହୋଇଥିଲା। ୨୦୨୩ ଜାନୁୟାରୀ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶରେ ଜନ ଔଷଧୀ କେନ୍ଦ୍ର(ଷ୍ଟୋର) ସଂଖ୍ୟା ୯୦୮୨ରେ ପହଞ୍ଚିଛି। ଏହି ଯୋଜନା ଏଯାଏ ଦେଶର ମୋଟ ୭୬୪ଜିଲ୍ଲା ମଧ୍ୟରୁ ୭୪୩ରେ କାର୍ଯ୍ୟକାରୀ ହେଉଛି। ୨୦୨୩ ଡିସେମ୍ବର ସୁଦ୍ଧା ଏହି କେନ୍ଦ୍ର ସଂଖ୍ୟା ୧୦ହଜାର ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଜନ ଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧର ସଂଖ୍ୟା ଓ ପ୍ରକାର ୧୭୬୯। ଏହାଛଡା ଏଥିରେ ୨୮୦ ସର୍ଜିକାଲ ଉପକରଣ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରି ହେଉଛି। ଏହା ବ୍ୟତୀତ ପ୍ରୋଟିନ ପାଉଡର, ମାଲ୍ଟ ଭିତ୍ତିକ ଫୁଡ୍ ସପ୍ଲିମେଣ୍ଟ, ସାନିଟାଇଜର, ମାସ୍କ, ଗ୍ଲକୋମିଟର, ଓକ୍ସିମିଟର ସମେତ ବିଭିନ୍ନ ପ୍ରକାରର ନୂଆ ଔଷଧ ଏବଂ ଡାକ୍ତରୀ ସାମଗ୍ରୀ ଜନ ଔଷଧୀ କେନ୍ଦ୍ରରୁ ମିଳୁଛି।

ଜନ ଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧପତ୍ର ମୂଲ୍ୟ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ଔଷଧ ଠାରୁ ୫୦ରୁ ୯୦% କମ୍ । ୨୦୨୧-୨୨ରେ ଜନ ଔଷଧୀ କେନ୍ଦ୍ରଗୁଡିକ ଦ୍ୱାରା ୮୯୩.୫୬ କୋଟି ଟଙ୍କାର ଔଷଧ ବିକ୍ରି କରାଯାଇଥିଲା। ଏହାଫଳରେ ସାଧାରଣ ଜନତା ନିଜର ଔଷଧ ଖର୍ଚ୍ଚ ବାବଦରେ ମିଳିତ ଭାବେ ୫୩୬୦ କୋଟି ଟଙ୍କା ବଞ୍ଚାଇଛନ୍ତି। ୨୦୨୨-୨୦୨୩ ଆର୍ଥିକ ବର୍ଷରେ (୧୫.୨. ୨୩ପର୍ଯ୍ୟନ୍ତ ) ଜନ ଔଷଧୀକୁ କାର୍ଯ୍ୟକାରୀ କରୁଥିବା ଭାରତୀୟ ମେଡିକାଲ ଡିଭାଇସ୍ ବ୍ୟୁରୋ ୧୦୦୦କୋଟିରୁ ଅଧିକ ଟଙ୍କାର ଔଷଧ ବିକିଛି । ଏହା ଫଳରେ ସାଧାରଣ ଜନତାଙ୍କ ଔଷଧ ବାବଦ ଖର୍ଚ୍ଚ ୬୦୦୦ ଟଙ୍କା ବଂଚିଛି। ଜନ ଔଷଧୀର ଚାରିଟି ଆଇଟି ସୁବିଧା ଥିବା ଗୋଦାମ ଗୁରୁଗ୍ରାମ, ଚେନ୍ନାଇ, ଗୁଆହାଟି ଓ ସୁରତରେ ରହିଛିି। ଏହାଛଡା ୩୬ଜଣ ବିତରକଙ୍କ ଜରିଆରେ ସମଗ୍ର ଦେଶକୁ ଔଷଧ ଯୋଗାଇ ଦିଆଯାଉଛି।

ବିଗତ ଆଠବର୍ଷ ମଧ୍ୟରେ ଜନ ଔଷଧୀ ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତାର ପ୍ରକୃତ ରହସ୍ୟ ହେଲା ଶସ୍ତାରେ ଉତ୍ତମ ମାନର ଔଷଧ ଯୋଗାଣ। ଏହା ଫଳରେ ଲୋକଙ୍କର ଔଷଧ/ଚିକିତ୍ସା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ଏହା ଦ୍ୱାରା ବିଶେଷ ଉପକୃତ ହୋଇଛନ୍ତି। ଭାରତର ଲୋକେ ଏହା ଦ୍ୱାରା ଔଷଧ ଖର୍ଚ୍ଚ ବାବଦରେ ୨୦୦୦କୋଟିରୁ ଅଧିକ ଟଙ୍କା ବଂଚାଇ ପାରିଛନ୍ତି। ଏହି ଔଷଧ ଉପରେ ଲୋକଙ୍କ ବିଶ୍ୱାସ ଏବଂ ଏହାର ସୁଲଭ ମୂଲ୍ୟ ସମଗ୍ର ଜନ ଔଷଧୀ ଯୋଜନାକୁ ବିଶେଷ ଲୋକପ୍ରିୟ କରିଛି ଏବଂ ଏହାର କାରବାର ବୃଦ୍ଧି ପାଉଛି। କ୍ରମଶଃ ଏହା ଦେଶର କୋଣ ଅନୁକୋଣରେ ପହଞ୍ଚିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ ସେମାନେ ମେଡିକାଲ ଉପକରଣ ତଥା ଏହି କ୍ଷେତ୍ରରେ ଇନୋଭେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣପଦକ ପାଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ଜଣେ ଡାକ୍ତରଙ୍କ ପୁଅ ଭାବରେ ଡାକ୍ତରଙ୍କ ଦାୟିତ୍ୱକୁ ମୁଁ ଭଲ ଭାବେ ଜାଣେ। ଡାକ୍ତରଙ୍କ ସ୍ନେହ ଓ ମଧୁର କଥା ରୋଗୀଙ୍କୁ ଭଲ କରିଦେବ। ଡାକ୍ତରଙ୍କ ପରିଶ୍ରମ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇଛି।

ପ୍ରତି ବର୍ଷ ଏମ୍ସ ପରିସରରେ ୫୦୦୦ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ କ୍ୟାମ୍ପସକୁ ଅଙ୍ଗାରକାମ୍ଳ ରହିତ ପରିବେଶ କରିବା ଦରକାର। ପ୍ଲାଷ୍ଟିକ ମୁକ୍ତ ସହ ସ୍ୱଚ୍ଛ ରଖିବା ଦରକାର। ସେହିପରି ଓଡିଶାରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ରୋବଟିକ୍ସ ମାଧ୍ୟମରେ ଅପରେସନ କରିବାରେ ଭୁବନେଶ୍ୱର ଏମ୍ସ ସଫଳତା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ମାତୃଭାଷାରେ ଶିକ୍ଷାର ପ୍ରାଧାନ୍ୟକୁ ଗୁରୁତ୍ୱ ଉପରେ ଶ୍ରୀ ପ୍ରଧାନ କହିବା ସହ ଆଗାମୀ ଦିନରେ ମେଡିକାଲ ସାଇନ୍ସର ସମସ୍ତ ବହିକୁ ମାତୃଭାଷାରେ ଅନୁବାଦ କରାଯିବା ନେଇ ସୂଚନା ଦେଇଛନ୍ତି।

ଏମ୍ସର କଳ୍ପନା ପାଇଁ ଦେଶର ଅଦ୍ୱିତୀୟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବାଜପେୟୀ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଷମା ସ୍ୱରାଜ, ତତ୍କାଳୀନ ଶିକ୍ଷା ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ସର ଭିତ୍ତିପ୍ରସର କରାଯାଇଥିଲା। ଏମ୍ସ ଆଜି ଅନେକ ସଫଳତା ସାଉଁଟିଛି। ଆଜି ଏମ୍ସ ଭୁବନେଶ୍ଵରରେ ଲୋକାର୍ପିତ ୩୬ ଶଯ୍ୟାବିଶିଷ୍ଟ ବର୍ନ ସେଣ୍ଟରରେ ସହଯୋଗୀ ହୋଇଥିବାରୁ ଏନଟିପିସିକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏମସ ଭୁବନେଶ୍ୱରରେ ମଧ୍ୟ ୧୫୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲଡିଂର ଶିଳାନ୍ୟାସ ଖୁସିର ବିଷୟ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଇଣ୍ଟରନାଲନାଲ ମିଲେଟ ବର୍ଷ ଭାବେ ଘୋଷଣା କରିଛି। ଏହି କ୍ରମରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ମହତ୍ତ୍ୱ କୋଭିଡ ସମୟରେ ଜଣାପଡିଥିଲା। ଏହି ଖାଦ୍ୟକୁ ଆମେ ସମସ୍ତେ ଲୋକପ୍ରିୟ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୋଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି।

ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ସମୀକ୍ଷା କରିବା ପରେ କହିଛନ୍ତି। ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ  ବୋଲି ଶ୍ରୀ ମାଣ୍ଡଭିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି  ପ୍ରକଳ୍ପର ନିରନ୍ତର ସମୀକ୍ଷା ଜାରୀ ରହିଛି। ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ। ଚାଷୀଙ୍କୁ ସୁବିଧା ଦେବ। ସହ ଏବଂ ଭାରତକୁ ଆତ୍ମନିର୍ଭର କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସାର ଓ ୟୁରିଆ ଉତ୍ପାଦନକୁ ବଢାଇବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟିକ ବାତାବରଣକୁ ବଢାଇବାରେ ଏହି ପ୍ରକଳ୍ପ ସହାୟକ ହେବ।

ସେ କହିଛନ୍ତି ଯେ ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ରହିଛି। ପର୍ଯ୍ୟାବରଣ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ ସେ ନେଇ ଚିନ୍ତା କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଲ ଟୁ ସିନ ଗ୍ୟାସ ପ୍ରକଳ୍ପ ବିଶ୍ୱରେ ପ୍ରତିପାଦିତ ହୋଇପାରିଛି। ଏ ଟେକ୍ନୋଲୋଜିକୁ ଭାରତରେ ଉପଯୋଗ କରି କୋଲ ଇଣ୍ଡିଆ, ଗେଲ ଓ  ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ ମିଳିତ ଉଦ୍ୟୋଗରେ ତାଳଚେର ସାର କାରଖାନା ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବା ନେଇ ଅପେକ୍ଷା ରଖାଯାଇଛି। ସ୍ଥାନୀୟ ଅର୍ଥନୀତି, ରୋଜଗାର, ବ୍ୟବସାୟିକ ବାତାବରଣ ତିଆରି କରିବାରେ ଏହି ପ୍ରକଳ୍ପର ବହୁତ ବଡ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଭାରତର ନିଜସ୍ୱ କୋଇଲାକୁ ବ୍ୟବହାର କରି ସେଥିରୁ ଗ୍ୟାସ ଉତ୍ପାଦନ କରି ସେହି ଗ୍ୟାସରୁ ୟୁରିଆ ତିଆରି କରିବା ଉଦ୍ଦେଶ୍ୟ ନେଇ ତାଳଚେର ଠାରେ ପ୍ରଧାନମନ୍ତ୍ରୀ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। କାମ ତୀବ୍ର ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ୫ଟି ୟୁରିଆ ପ୍ଲାଣ୍ଟରୁ ୪ଟି ଉତ୍ପାଦନକ୍ଷମ ହୋଇଗଲାଣି, ତାଳଚେର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ। ଆମ ଦେଶ ପାଖରେ ନିଜସ୍ୱ ଏନର୍ଜି ଚାହିଦା ପୂରଣ କରିବାର କ୍ଷମତା ଅଛି। କିନ୍ତୁ ଏନର୍ଜିକୁ ଗ୍ୟାସରେ ଏବଂ ଗ୍ୟାସକୁ କନଭର୍ଟ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ। କୋଇଲାରୁ ଗ୍ୟାସ, ଗ୍ୟାସରୁ ୟୁରିଆ ଏବଂ ୟୁରିଆରୁ କୃଷକଙ୍କ ଆବଶ୍ୟକତାକୁ ପୂରଣ କରାଯିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଡା. ମାଣ୍ଡଭିୟଙ୍କ ସହ ତାଳଚେର ସାର କାରଖାନା ପରିସରରେ ଚାରାରୋପଣ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ୨୦ଟି ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ସିଟ୍ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ବିଶେଷ ଖବର

‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: “କୋଭିଡ ଏବେ ବି ରହିଛି। କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଖବର ମଧ୍ୟ ମିଳୁଛି। ଏ ସମୟରେ ସତର୍କ ରହିବା ସହ କୋଭିଡ ମାର୍ଗଦର୍ଶିକା ପାଳନ ଯେପରିକି ମାସ୍କ ବ୍ୟବହାର ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତା ରକ୍ଷା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ”। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସହ ଆଜି ଆଭାସୀ ମାଧ୍ୟମରେ ଟିକାକରଣ ଅଗ୍ରଗତି ଓ ହର ଘର ଦସ୍ତକ ୨.୦ର ଅଭିଯାନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ପ୍ରକାଶ କରିଛନ୍ତି।

କେତେକ ଜିଲ୍ଲା ଓ ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ବୃଦ୍ଧି ଓ ପରୀକ୍ଷା ହ୍ରାସ ଉପରେ ଆଲୋଚନା କରି ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଠିକ ସମୟ ଓ ଅଧିକ ପରୀକ୍ଷା ଦ୍ୱାରା କୋଭିଡ ମାମଲାଗୁଡ଼ିକର ସଅଳ ଚିହ୍ନଟ ହେବା ସହ ମାମଲା ଓ ଗୋଷ୍ଠୀ ସଂକ୍ରମଣ ମଧ୍ୟ ହ୍ରାସ ପାଇବ। ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନୀରିକ୍ଷଣ ବୃଦ୍ଧି ସହ ଦେଶରେ ନୂତନ ପ୍ରଜାତିର ଚିହ୍ନଟ ନିମନ୍ତେ ଜିନୋମ ସିକୁଏନ୍ସିଂ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପାଞ୍ଚସୂତ୍ରୀ ରଣନୀତି ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ପାଳନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଚାଲୁ ରଖିବାକୁ ସେ କହିଥିଲେ। ସେମାନେ ସଂଶୋଧିତ କୋଭିଡ ନୀରିକ୍ଷଣ ରଣନୀତିଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ବିଦେଶାଗତ ପରିଭ୍ରମଣକାରୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରୀକ୍ଷାଗାର ଓ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ସମାଜର ଦୁର୍ବଳ ଶ୍ରେଣୀର କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଜୁନ ପହିଲାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ହର ଘର ଦସ୍ତକ ୨.୦ ଅଭିଯାନକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ “ଚାଲନ୍ତୁ ଆମେ ୧୨-୧୭ ବୟସ ଶ୍ରେଣୀ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମର ଅଭିଯାନକୁ ତ୍ୱରାନ୍ୱିତ କରିବା ପ୍ରଥମ ଓ ଦ୍ୱିତୀୟ ମାତ୍ରା ଦେଇ, ଯାହାଫଳରେ ସେମାନେ ଟିକାର ସୁରକ୍ଷାବଳୟ ମଧ୍ୟରେ ବିଦ୍ୟାଳୟ ଯାଇପାରିବେ।” ସରକାରୀ ଓ ଘରୋଇ/ଅଣ ଆନୁଷ୍ଠାନିକ ବିଦ୍ୟାଳୟ ଯେପରିକି ମଦ୍ରାସା ଦିବସ ଯତ୍ନ ବିଦ୍ୟାଳୟଗୁଡ଼ିକରେ ୧୨ରୁ ୧୭ ବର୍ଷ ବୟସ ଶ୍ରେଣୀ ନିମନ୍ତେ ବିଦ୍ୟାଳୟଭିତ୍ତିକ ଅଭିଯାନ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନଙ୍କ ନିମନ୍ତେ ଖରା ଛୁଟିରେ ଟିକାକରଣ ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଦୁର୍ବଳ ଶ୍ରେଣୀରେ ଯାଉଥିବାରୁ ସେମାନେ ପ୍ରତିଷେଧକ ମାତ୍ରା ବଳରେ ସୁରକ୍ଷିତ ରଖିବା ଆବଶ୍ୟକ । “ଆମର ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନେ ଘରକୁ ଘର ବୁଲି ଜନସଂଖ୍ୟାର ଦୁର୍ବଳ ଶ୍ରେଣୀ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେଉଛନ୍ତି” ବୋଲି ସେ କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ୧୮-୫୯ ବର୍ଷ ଶ୍ରେଣୀ ହିତାଧିକାରୀମାନଙ୍କୁ ଘରୋଇ ହସ୍ପିଟାଲ ଜରିଆରେ ନିୟମିତ ଟିକାକରଣ ନେଇ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡର ସମ୍ପ୍ରସାରିତ ସୁରକ୍ଷା ପାଇଁ ଆମେ ହର ଘର ଦସ୍ତକ ଅଭିଯାନରୁ ଶିକ୍ଷା ଲାଭ କରିବାକୁ ମଧ୍ୟ ସେ କହିଥିଲେ। “ଦେଶ ବ୍ୟାପୀ ପର୍ଯ୍ୟାପ୍ତ ଟିକା ମାତ୍ରା ଉପଲବ୍ଧ ଅଛି । ଆମେ କୋଭିଡ ଟିକାକରଣକୁ ବ୍ୟାପକ ହର ଘର ଦସ୍ତକର ଦ୍ୱିତୀୟ ପର୍ଯ୍ୟାୟରେ ସୁନିଶ୍ଚିତ କରିବା” ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କୌଣସିମତେ କୋଭିଡ-୧୯ ଟିକା ଯେପରି ନଷ୍ଟ ନ ହୁଏ ତାହା ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏଗୁଡ଼ିକର ନିରୀକ୍ଷଣକୁ ମଧ୍ୟ ସୁନିଶ୍ଚିତ କରି “ଆମେ ଅବଧି ପୁରୁଥିବା ମାତ୍ରାର ପ୍ରଥମ ବ୍ୟବହାର” ନୀତି ଜରିଆରେ ଯେଉଁ ମାତ୍ରାର ଅବଧି ଶୀଘ୍ର ପୂରଣ ହେବାକୁ ଯାଉଛି ତାହା ଆଗ ବ୍ୟବହାର କରିବା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ହର ଘର ଦସ୍ତକ ୨.୦ ଅଭିଯାନ ଜରିଆରେ କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସପମ୍ ରଞ୍ଜନ ସିଂ (ମଣିପୁର) ଆଲୋ ଲିବାଂଙ୍ଗ (ଅରୁଣାଚଳ ପ୍ରଦେଶ) ତାଜେରୁ ହରୀଶ ରାଡା (ତେଲେଙ୍ଗାନା), ଅନୀଲ ଭିଗ୍ (ହରିୟାଣା), ଋଷିକେଷ ଗଣେଷ ଭାଇ ପଟେଲ (ଗୁଜରାଟ), ବନ ଗୁପ୍ତା (ଝାଡ଼ଖଣ୍ଡ) ମଙ୍ଗଳ ପାଣ୍ଡେ (ବିହାର), ଡକ୍ଟର ରାଜେଶ ଟୋପେ (ମହାରାଷ୍ଟ୍ର) ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ) ବୈଠକରେ ଉପସ୍ଥିତ ଥିଲେ।

ଡକ୍ଟର ମନୋହର ଅଗନାନୀ, ଅତିରିକ୍ତ ସଚିବ, ରୋଲି ସିଂ, ଅତିରିକ୍ତ ସଚିବ, ଲଭ ଅଗ୍ରୱାଲ, ଯୁଗ୍ମ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏନଏଚଏମ ମିଶନ ନିର୍ଦେଶକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟାନ୍ୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗରରେ ବୈଶ୍ୱିକ ଆୟୁଷ ନିବେଶ ଓ ନବୋନ୍ମେଷ ଶିଖର ସମ୍ମିଳନୀ ଉଦ୍ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ମଞ୍ଜପାରା ମହେନ୍ଦ୍ର ଭାଇ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ସବୁ ସଦସ୍ୟ ଉପସ୍ଥିତ ଥାଇ ପାଞ୍ଚଟି ଅଧିବେଶନ, ଆଠଟି ଗୋଲଟେବୁଲ ବୈଠକ, ଛଅଟି କର୍ମଶାଳା, ଦୁଇଟି ପାଠ୍ୟଚକ୍ରରେ ପ୍ରାୟ ୯୦ଜଣ ସ୍ୱନାମଧନ୍ୟ ବକ୍ତା ଓ ଶହେଜଣ ପ୍ରଦର୍ଶକ ଉପସ୍ଥିତ ରହିବେ। ଏହି ଶିଖର ବୈଠକରେ ପୁଞ୍ଜିଲଗାଣର ଉତ୍ସ ସହ, ଗବେଷଣା ଓ ବିକାଶ, ଷ୍ଟାର୍ଟ ଅପ୍ ବାତାବରଣ ଓ ସୁଧାର ଶିଳ୍ପ ସମ୍ପର୍କରେ ଆଲୋଚନା ହେବ। ଏହା ଶିଳ୍ପପତି, ଶିକ୍ଷାବିତ୍ ଓ ବିଦ୍ୟାନମାନଙ୍କୁ ଏକାଠି କରିବା ସହ ଭବିଷ୍ୟତ ସମନ୍ୱୟ ନିମନ୍ତେ ଏକ ମଞ୍ଚ ସୃଷ୍ଟି କରିବ। ଡକ୍ଟର ଟେଡ୍ରସ ଘାବିୟେସସ ମହାତ୍ମାଗାନ୍ଧୀଙ୍କ ରାଜ୍ୟ ଓ ଦେଶରେ ଉପସ୍ଥିତ ରହି ନିଜର ଖୁସି ପ୍ରକଟ କରିବା ସହ ଏହି ରାଜ୍ୟ ଓ ଦେଶକୁ ସେ ବିଶ୍ୱର ଗର୍ବ ବୋଲି ବିବେଚନା କରନ୍ତି ବୋଲି କହିଥିଲେ।

ସେ କହିଥିଲେ ଯେ ଭାରତର ଦର୍ଶନ “ବସୁଧୈବ କୁଟୁମ୍ବକମ୍’ ଗତକାଲି ଜାମନଗରଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ୱିକ କେନ୍ଦ୍ରରେ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ ଏହି କେନ୍ଦ୍ରର ପ୍ରତିଷ୍ଠା ଐତହାସିକ ଓ ଏହା ଖୁବ ସୁଦୂର ପ୍ରସାରୀ ହେବ। ଏହି କେନ୍ଦ୍ର ଅଭିନବୀକରଣର ଏକ ଇଞ୍ଜିନ ଭାବେ ପ୍ରମାଣ, ତଥ୍ୟ ଓ ପାରମ୍ପାରିକ ଔଷଧର ସର୍ବାଧିକ ବ୍ୟବହାର ସମ୍ପର୍କରେ ସୂଚନା ଦେବ। ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବୀକରଣ ନିମନ୍ତେ ପ୍ରଶଂସା କରିଥିଲେ। ପାରମ୍ପରିକ ଔଷଧ ଉପରେ ଗବେଷଣା ନିମନ୍ତେ ଆୟୁଷ ମନ୍ତ୍ରଣାଳୟର ତଥ୍ୟ ସଂଗ୍ରହ ପଦ୍ଧତିର ସେ ପ୍ରଶଂସା କରିଥିଲେ। ଆୟୁଷ ସାମଗ୍ରୀରେ ପୁଞ୍ଜି ବିନିଯୋଗ ଓ ଏହା ବୈଶ୍ୱିକ ଚାହିଦା ଯୋଗୁଁ ସମଗ୍ର ବିଶ୍ୱ ଭାରତକୁ ଆସୁଥିବା ବେଳେ, ଭାରତ ସମସ୍ତଙ୍କ ନିକଟରେ ପହଁଚିପାରୁଛି। ସେ ସ୍ୱାସ୍ଥ୍ୟ ବାତାବରଣରେ ସାଧାରଣଭାବେ ଦୀର୍ଘ ମିଆଦି ପୁଞ୍ଜିନିବେଶ ଓ ନିର୍ଦ୍ଦିଷ୍ଟଭାବେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱଆରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ମହାନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ସେ କହିଥିଲେ “ଏପରି ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ମୋର ବିଶ୍ୱାସ ଯେ କେବଳ କେନ୍ଦ୍ର ନୁହେଁ ବରଂ ଆପଣଙ୍କ ଏକକ ନେତୃତ୍ୱ ପାରମ୍ପାରିକ ଔଷଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ।” ସେ ମଧ୍ୟ ପାରମ୍ପାରିକ ଔଷଧ ନିମନ୍ତେ ଅଙ୍ଗୀକାରବଦ୍ଧତା ପାଇଁ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୭୫ବର୍ଷ ପୂରଣ କରିବା ଅଦଭୂତ ସଂଯୋଗ ବୋଲି କହିଥିଲେ।

ପ୍ରବିନ୍ଦ କୁମାର ଜଗନ୍ନାଥ ଭାରତ ଓ ଗୁଜରାଟରର ପାରମ୍ପାରିକ ଔଷଧ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ମଧ୍ୟ ତାଙ୍କ ଦେଶରେ ଭାରତର ସ୍ୱାସ୍ଥ୍ୟଗତ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏକ ବଂଶାନୁକ୍ରମିକ ସମ୍ପର୍କ ଯୋଗୁଁ ତାଙ୍କ ଦେଶରେ ମଧ୍ୟ ଆୟୁର୍ବେଦକୁ ଗୁରୁତ୍ୱ ଦିଆଯିବା କଥା ଶ୍ରୀ ଜଗନ୍ନାଥ କହିଥିଲେ।

ସେ ମରିସସରେ ଆୟର୍ବେଦ ହସ୍ପିଟାଲ ପ୍ରତିଷ୍ଠା ସହ ପ୍ରଥମ ଲକଡାଉନ କାଳରେ ଭାରତ ଦାନ ଦେଇଥିବା ପାରମ୍ପାରିକ ଔଷଧପତ୍ର ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ। “ଏହା ବନ୍ଧୁତ୍ୱ ଭାବର ଏକ ନିଦର୍ଶନ ଓ ସେଥିପାଇଁ ସେ ଭାରତ ସରକାର ଓ ବିଶେଷକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞ ବୋଲି ପ୍ରବିନ୍ଦ କୁମାର ଜଗନ୍ନାଥ କହିଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ଅଭିନବୀକରଣ ଶିଖର ସମ୍ମିଳନୀଧାରଣା ତାଙ୍କର ବୈଶ୍ୱିକ ମହାମାରୀ କାଳରେ ଆସିଥିଲା। ଆୟୁଷ ସେତେବେଳେ ଜନସାଧାରଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହେବା ସହ ଆୟୁଷ ସାମଗ୍ରୀର ଚାହିଦା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଫାର୍ମା କମ୍ପାନୀ ଓ ଟିକା ଉତ୍ପାଦନକାରୀମାନେ ଠିକ୍ ସମୟରେ ପୁଞ୍ଜି ବିନିଯୋଗ ହେଲେ ସେମାନେ ଟିକା ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କଲେ। “କିଏ କେବେ ବି କଳ୍ପନା କରିଥିଲା କି ଆମେ ଏତେ ଶୀଘ୍ର କରୋନା ଟିକା ବାହାର କରିବାରେ ସମର୍ଥ ହେବୁ? ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଆୟୁଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଦେଖିସାରିଛୁ ଯେ ଆୟୁଷ ଔଷଧ ବିକଳ୍ପ ଔଷଧ ଓ ପ୍ରସାଦନ ସାମଗ୍ରୀ ଉତ୍ପାଦନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଆୟୁଷ କ୍ଷେତ୍ର ଯାହା ୩ବିଲିୟନ ଡଲାରରୁ ମଧ୍ୟ କମ୍ ଥିଲା ଆଜି ୧୮ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଆୟୁଷ ମନ୍ତ୍ରଣାଳୟ ପାରମ୍ପାରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। କିଛି ଦିନ ତଳେ ସର୍ବ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏକ ଉଷ୍ମାୟନ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। ବର୍ତ୍ତମାନ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୪ଟି ଭାରତୀୟ ଷ୍ଟାର୍ଟଅପ ୟୁନିକର୍ଣ୍ଣ କ୍ଲବରେ ଯୋଗଦେଇଛନ୍ତି। “ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆମ ଆୟୁଷ ଷ୍ଟାର୍ଟଅପ୍ରୁ ୟୁନିକର୍ଣ୍ଣର ଆବିର୍ଭାବ ହେବ”।

ଔଷଧୀୟ ବୃକ୍ଷରାଜି ଆୟ ବୃଦ୍ଧି ଓ ଲୋକଙ୍କ ଜୀବନଜୀବିକାରେ ଏକ ଉତ୍ତମ ମାଧ୍ୟମ ବୋଲି କହି ପ୍ରଧାନମନ୍ତ୍ରୀ ଯେଉଁ ଚାଷୀମାନେ ଔଷଧୀୟ ବୃକ୍ଷରାଜି ଚାଷ କରୁଛନ୍ତି ସେମାନଙ୍କୁ ସହଜରେ ବଜାର ସୁବିଧା ଉପଲବ୍ଧ କରାଇବା ନେଇ ହେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ ସରକାର ଆଧୁନିକୀକରଣ ଓ ଅ।।ୟୁଷ ଇ-ବଜାର ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ। ଭାରତ ଔଷଧୀୟ ଗୁଳ୍ମ ରାଜିର ଗନ୍ତାଘର ଓ ଏକ ଦୃଷ୍ଟିରୁ କହିଲେ ଏହା ଆମର ‘ସବୁଜ ସୁନା ସମତୁଲ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆୟୁଷ ସାମଗ୍ରୀ ଅଧିକରୁ ଅଧିକ ଉପଲବ୍ଧ କରାଇବା ସହ ଅସ୍ୱାଭାବିକ ପଦକ୍ଷେପମାନ ନିଆଯାଇଛି। ଅନ୍ୟାନ୍ୟ ଦେଶଗୁଡିକ ସହ ଆୟୁଷ ଔଷଧର ସ୍ୱୀକୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ଗତ କିଛିବର୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। “ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ ଆଇଏସଓ ମାନ ବିକଶିତ କରୁଛନ୍ତି । ଏହା ୧୫୦ରୁ ଅଧିକ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ” ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଫାସାଇ (FSSAI) ଆୟୁଷ ଆହାର’ ନାମରେ ଏକ ନୂତନ ଶ୍ରେଣୀ ଗତ ସପ୍ତାହରେ ଘୋଷଣା କରିଛି। ଏହା ବହୁଳଭାବେ ଆୟୋଜକମାନଙ୍କୁ ଔଷଧୀୟ ପୌଷ୍ଟିକ ବିକଳ୍ପ ଯୋଗାଇବ। ସେହିପରି ଭାରତ ମଧ୍ୟ ଏକ ସ୍ୱତନ୍ତ୍ର ଆୟୁଷ ଚିହ୍ନ ତିଆରି କରିବାକୁ ଯାଉଛନ୍ତି। ଏହା ଭାରତରେ ତିଆରି ହେଉଥିବା ସର୍ବୋଚ୍ଚ ମାନର ଆୟୁଷ ସାମଗ୍ରୀ ପ୍ରତି ପ୍ରୟୋଗ କରାଯିବ। ଏହି ଆୟୁଷ ଛାପ ଆଧୁନିକ ବୈଷୟିକ ଜ୍ଞାନ ସଂଶ୍ଲିଷ୍ଟ ରହିବ। ସ୍ୱତନ୍ତ୍ର ଆୟୁଷ ଛାପ ସାରା ପୃଥିବୀରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀ ପ୍ରତି ବିଶ୍ୱାସ ଭାଜନ କରାଇବ” ବୋଲି ସେ କହିଥିଲେ।

ଦେଶବ୍ୟାପୀ ଆୟୁଷ ସାମଗ୍ରୀ ଉପରେ ଗବେଷଣା ଓ ପ୍ରସ୍ତୁତି ତଥା ଏହାର ଚାହିଦା ବୃଦ୍ଧି ପାଇଁ ସରକାର ଆୟୁଷ ଉଦ୍ୟାନର ଏକ ନେଟୱାର୍କି ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ଆୟୁଷ ଉଦ୍ୟାନ ଦେଶରେ ଆୟୁଷ ସାମଗ୍ରୀ ନିର୍ମାଣରେ ଏକ ଦିଗ୍ଦର୍ଶନ ଦେବ ବୋଲି ଶ୍ରୀ ମୋଦି କହିଥିଲେ।

ପାରମ୍ପାରିକ ଔଷଧର ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେରଳ ପର୍ଯ୍ୟଟନରେ ପାରମ୍ପାରିକ ଔଷଧର ଚାହିଦା ବୃଦ୍ଧି ପାଉଛି। “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଦକ୍ଷତା ରହିଛି। ଏହି ଦଶନ୍ଧିରେ ହିଲ୍ ଇଣ୍ଡିଆ ବା ଭାରତରେ ଆରୋଗ୍ୟ ଛାପ ପ୍ରତିଫଳିତ ହେବ ବୋଲି କହିଥିଲେ। ଆୟୁର୍ବେଦ, ୟୁନାନୀ ଓ ସିଦ୍ଧରେ ପର୍ଯ୍ୟବଶିତ ସୁଧାର କେନ୍ଦ୍ରଗୁଡିକ ଖୁବ ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ। ସେହି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଦେଶୀ ନାଗରିକମାନଙ୍କ ନିମନ୍ତେ ପଦକ୍ଷେପ ନେଇଛନ୍ତି। ଖୁବ୍ ଶୀଘ୍ର ଭାରତ ଆୟୁଷ ଶ୍ରେଣୀ ଭିସା ପ୍ରବର୍ତ୍ତନ କରିବାକୁ ଯାଉଛି। ନା ଭାରତରେ ଆୟୁଷ ଥେରାପି ପାଇଁ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କେନିଆ ପୂର୍ବତନ ପ୍ରଧାନମନ୍ତ୍ରୀ ରାଲିଆ ଓଡିଙ୍ଗାଙ୍କ କନ୍ୟା ରୋଜମେରି ଓଡିଙ୍ଗା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ଯୋଗୁଁ କିପରି ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇଥିଲେ ତାହାର ବର୍ଣ୍ଣନା କରିଥିଲେ। ରୋଜମେରି ଓଡିଙ୍ଗା ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବିପୁଳ କରତାଳି ସହ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀରେ ଆମେ ଆମ ଅଭିଜ୍ଞତା ସମଗ୍ର ବିଶ୍ୱ ସହ ସାମିଲ କରିବୁ। ଆମର ଐତିହ୍ୟ ସମଗ୍ର ମାନବତା ପାଇଁ ଏକ ତତ୍ୱ ହୋଇ ରହିବ ବୋଲି ସେ କହିଥିଲେ। ଆୟୁର୍ବେଦର ଲୋକପ୍ରିୟତା ଏହାର ‘ଓପନ ସୋର୍ସ ମଡେଲ’ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହାକୁ ଆଇଟି ସେକ୍ଟର ଓପନ ସୋର୍ସ ମୁଭମେଂଟ ସହ ତୁଳନା କରି ଆୟୁର୍ବେଦର ପରମ୍ପରା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି କହିଥିଲେ । ଆମର ପୂର୍ବଜମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଉଚିତ। ଅମୃତକାଳର ଆଗାମୀ ୨୫ବର୍ଷ ପାରମ୍ପାରିକ ଔଷଧର ସୁବର୍ଣ୍ଣଯୁଗ ହେବ ବୋଲି ଶ୍ରୀ ମୋଦୀ ଆଶା ପୋଷଣ କରିଥିଲେ।
ପ୍ରଧାନମନ୍ତ୍ରୀ ଅଭିଭାଷଣ ଏକ ବ୍ୟକ୍ତିଗତ ଓ ମଜାଳିଆ ଟିପ୍ପଣୀ ସହ ଶେଷ ହୋଇଥିଲା। ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ଙ୍କ ଭାରତ ଓ ଏହାର ଶିକ୍ଷକମାନଙ୍କ ପ୍ରତି ଅନୁରାଗ ଏବଂ ତାଙ୍କର ଗୁଜରାଟ ପ୍ରତି ସ୍ନେହକୁ ଦେଖି ଶ୍ରୀ ମୋଦୀ ତାଙ୍କୁ ଗୁଜରାଟୀରେ ‘ତୁଳସୀ ଭାଇ’ ବୋଲି ନାମକରଣ କରିଥିଲେ। ଭାରତୀୟ ପରମ୍ପରାରେ ତୁଳସୀର ମହତ୍ୱ ଓ ସ୍ଥିତି ସମ୍ପର୍କରେ କହି ପ୍ରଧାନମନ୍ତ୍ରୀଙ୍କୁ ଉଲ୍ଲସିତ ଥିବା ହୁ’ର ମହାନିର୍ଦ୍ଦେଶକ ଓ ସେଠାରେ ଉପସ୍ଥିତ ମରିସସ୍ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ର ନୂତନ ଭ୍ୟାରିଏଣ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କୋଭିଡ-୧୯ର ନୂତନ ପ୍ରଜାତି ଏକ୍ସଇ ଉପରେ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଦେଶରେ କୋଭିଡ-୧୯ ମାମଲାଗୁଡିକର ସମୀକ୍ଷା କଲାବେଳେ ସେ ଅଧିକାରୀମାନଙ୍କୁ ବର୍ତ୍ତମାନ ଚାଲିଥିବା ତଦାରଖ ଓ ନୂତନ ପ୍ରଜାତି ଓ ମାମଲାଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଡକ୍ଟର ମାଣ୍ଡଭିୟ ଅଧିକାରୀମାନଙ୍କୁ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ଔଷଧପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ଦେବା ଉଚିତ ବୋଲି କହିଥିଲେ।

ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଏନଟିଏଜିଆଇ ଡକ୍ଟର ଏନ କେ ଆରୋରା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ମୁକାବିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଓଡ଼ିଶା ସମେତ ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୋଭିଡ ୧୯ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ କୋଭିଡ ମହାମାରୀ ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ। ସହଯୋଗୀ ଭାବନା ନେଇ ସମସ୍ତେ ଏହି ଜନସ୍ୱାସ୍ଥ୍ୟ ଆହ୍ବାନର ମୁକାବିଲା କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସୂଚନା କମିଶନରମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବମାନେ ଅଂଶଗ୍ରହଣ କରିଥିଲେ। ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମଧ୍ୟ କୋଭିଡ ୧୯ ପ୍ରତିରୋଧ ଏବଂ ପରିଚାଳନା ତଥା ଜାତୀୟ କୋଭିଡ ୧୯ ଟିକାକରଣର ଅଭିଯାନର ଅଗ୍ରଗତି ନିମନ୍ତେ ଜନସ୍ୱାସ୍ଥ୍ୟ ମୁକାବିଲା ସ୍ଥିତି ସମୀକ୍ଷା କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂ ଦେଓ ଏବଂ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ ଅଂଶଗ୍ରହଣ କରିଥିଲେ। କୋଭିଡ ମହାମାରୀ ପରିଚାଳନା ପାଇଁ ଭାରତ ସରକାରଙ୍କ ନିରନ୍ତର ସହାୟତା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ସର୍ବସମ୍ମତି କ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ।

ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଯେତେ କୋଭିଡ ଭାରିଏଣ୍ଟ ଆସୁ ପଛେ, ‘ନମୁନା ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର’ ଏବେ ବି କୋଭିଡ ମୁକାବିଲା ପାଇଁ ସବୁଠୁ ପ୍ରାମାଣିକ ରଣନୀତି ହୋଇ ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟରେ ସକ୍ରିୟ ସଂକ୍ରମିତ ଏବଂ ପଜିଟିଭିଟି ହାର ହ୍ରାସ ପାଇଛି। କିନ୍ତୁ ଆମକୁ ସତର୍କ ରହିବାକୁ ହେବ ଏବଂ ମୁକାବିଲାକୁ ସୁଦୃଢ଼ ରଖିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ। ଅଧିକାଂଶ ରାଜ୍ୟ ଆରଟି-ପିସିଆର ପରୀକ୍ଷାରେ ପଛରେ ପଡ଼ିଛନ୍ତି। ତେଣୁ ଆରଟି-ପିସିଆର ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଏବଂ ଦୈନିକ ପଜିଟିଭିଟି ହାର ଉପରେ ନଜର ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସ୍ତରରେ କେତେଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ଭେଣ୍ଟିଲେଟର ଏବଂ ଅକ୍ସିଜେନ୍‌ ସହାୟତାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଟିକା ନେଇଥିବା ଏବଂ ନେଇନଥିବା ଲୋକଙ୍କ ସଂଖ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି।

ଇସିଆରପି-୨ ପାଣ୍ଠିକୁ ପ୍ରଭାବୀ ଢଙ୍ଗରେ ତଥା ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୂଆ ଭିତ୍ତିଭୂମି ସୃଷ୍ଟି କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କ ଆଗରେ ଦୋହରାଇଥିଲେ। ବର୍ତ୍ତମାନ ଆବଣ୍ଟିତ ଇସିଆରପି-୨ ପାଣ୍ଠି ୩୧ ମାର୍ଚ୍ଚ ୨୦୨୨ରେ ଶେଷ ହେଉଥିବାରୁ ନିୟମିତ ବ୍ୟବଧାନରେ ଏହାର ଖର୍ଚ୍ଚ ସମୀକ୍ଷା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ହେଲେ କେବଳ ବର୍ତ୍ତମାନର ମହାମାରୀ ସମୟରେ ନୁହେଁ ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ପିଏସଏ ପ୍ଲାଣ୍ଟ, ଏଲଏମଓ ଷ୍ଟୋରେଜ୍‌ ଟ୍ୟାଙ୍କ ଏବଂ ଏମଜିପିଏସ ସଂଯୋଗ ଏବଂ ସଞ୍ଚାଳନ କାର୍ଯ୍ୟ ତୁରନ୍ତ ସାରିବାକୁ ସେ ପରାମର୍ଶ ଦେଇଥିଲେ।

ମହାମାରୀ ମୁକାବିଲାରେ ଟିକାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭିୟ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷ କରି ୧୫-୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଏବଂ ଦ୍ବିତୀୟ ଡୋଜ୍‌ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଇ-ସଞ୍ଜିବନୀ ଭଳି ପ୍ଲାଟଫର୍ମର ଉପଯୋଗ କରି ଟେଲି ପରାମର୍ଶ ସେବାର ଅଧିକ ଲାଭ ନେବା ପାଇଁ ଡକ୍ଟର ମାଣ୍ଡଭିୟ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳରେ ଏକ ଟେଲି ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ସମସ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଏହା ଦେଶର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବଢ଼ାଇବା ସହିତ ଅପହଞ୍ଚ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ହସ୍ପିଟାଲ ଭିତ୍ତିଭୂମି ବଢ଼ାଇବା, ପରୀକ୍ଷା ବଢ଼ାଇବା, ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା, ଲୋକମାନଙ୍କ ମଧ୍ୟରେ କୋଭିଡ ଉପଯୁକ୍ତ ବ୍ୟବହାର ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ରାଜ୍ୟମାନେ ଏହି ସମୀକ୍ଷା ବୈଠକରେ ସେମାନଙ୍କର ଶ୍ରେଷ୍ଠ ବିଧି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଟିକାକରଣ ପାଇଁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଝାଡ଼ଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ପଜିଟିଭ୍‌ ଚିହ୍ନଟ ହେଉଥିବା ଲୋକଙ୍କ ମଧ୍ୟରେ ଟିକା ନେଉଥିବା ଏବଂ ନେଉନଥିବା ଲୋକମାନଙ୍କର ସଠିକ୍‌ ବିଶ୍ଳେଷଣ କରାଯାଉଥିବା ଛତିଶଗଡ଼ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ସ୍ପିଡ୍‌ ପୋଷ୍ଟ ଜରିଆରେ ମେଡ଼ିସିନ ଯୋଗାଇ ଦିଆଯାଉଥିବା ବିହାର ପକ୍ଷରୁ ସୂଚନା ଦିଆଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍ନାନୀ, ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ, ଏନସିଡିଟି ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂ ଏବଂ ରାଜ୍ୟମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ ଔଷଧ ପ୍ରସ୍ତୁତି କ୍ଷେତ୍ରକୁ ଅଧିକ ଲୋକଲୋଚନକୁ ଆଣିଛି। ସେ ଜୀବନ ଶୈଳୀ ହେଉ ବା ଔଷଧ କିମ୍ବା ମେଡିକାଲ ପ୍ରଯୁକ୍ତି ବିଦ୍ୟା  ବା ଟିକା, ଗତ ଦୁଇବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଯତ୍ନର ପ୍ରତ୍ୟେକ କ୍ଷେତ୍ର ବୈଶ୍ୱିକ ଦୃଷ୍ଟି ଆକର୍ଷଣ କରିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ପ୍ରସ୍ତୁତି ଶିଳ୍ପକୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡିଛି। ଭାରତୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବୈଶ୍ୱକ ଆସ୍ଥା ଯୋଗୁଁ ଭାରତକୁ ନିକଟରେ ‘ବିଶ୍ୱର ଫାର୍ମାସୀ’ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ବିସ୍ତୁତଭାବେ କହିଥିଲେ ଯେ ସୁଧାର ସଂଜ୍ଞା କେବଳ ଶାରୀରିକ ଅବସ୍ଥା ମଧ୍ୟରେ ସୀମିତ ନୁହେଁ । ଆମେ ସମଗ୍ର ମାନବ କଲ୍ୟାଣରେ ବିଶ୍ୱାସ କରୁ। ଏହି ଉତ୍ସାହ ଆମେ କୋଭିଡ-୧୯ କାଳରେ ବିଶ୍ୱକୁ ପ୍ରଦର୍ଶନ କରିଛୁ।

ବୈଶ୍ୱିକ ମହାମାରୀର ପ୍ରାଥମିକ ଅବସ୍ଥାରେ ଆମେ ୧୫୦ଟି ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଓ ଔଷଧ ଉପକରଣ ପଠାଇଥିଲୁ। ସେହିବର୍ଷ ପାଖାପାଖି ୧୦୦ଟି ଦେଶକୁ ଆମେ ୬୫ ନିୟୁତ କୋଭିଡ ଟିକାମାତ୍ରା ମଧ୍ୟ ପଠାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍‌ଭାବନର ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଭାରତ ବିଶ୍ୱରେ ଔଷଧ ଉଦ୍‌ଭାବନ ଓ ଔଷଧୀୟ ଉପକରଣ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ। ନୀତିଗତ ନିଷ୍ପତ୍ତି ଅଂଶୀଦାରମାନଙ୍କ ସହମତିରେ କରାଗଲେ କୌଣସି ବାଧାବିଘ୍ନ ମଧ୍ୟ ରହିବ ନାହିଁ। ଭାରତରେ ଅନେକ ବିଜ୍ଞାନୀ ଓ ବୈଷୟିକ ଜ୍ଞାନ ତତ୍ୱବିତ୍ ଅଛନ୍ତି ଓ ସେମାନଙ୍କ ସହଯୋଗରେ ଔଷଧ ଶିଳ୍ପକୁ ସଫଳତାର ନୂତନ ଶିଖରକୁ ନେଇ ହେବ। ଏହି ଶକ୍ତିକୁ ଉଦ୍‌ଜୀବିତ କରି ‘ଆବିଷ୍କାର ଓ ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବେ।

ସ୍ୱଦେଶୀ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ। “ଆଜି ୧୩୦କୋଟି ଭାରତବାସୀ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଆଜି ଆମକୁ ଔଷଧ ଓ ଟିକାର ମୂଳ କଞ୍ଚାମାଲ ପ୍ରସ୍ତୁତ ପାଇଁ ଚିନ୍ତା କରିବାକୁ ହେବ। ଏହି କ୍ଷେତ୍ରରେ ଭାରତ ବିଜୟୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।”

ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଭାରତରେ ବିଚାର କରି ଉଦ୍‌ଭାବନ କରିଥିବା ଓ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରକୃତ ସାମର୍ଥ୍ୟ ଦେଖାଇ ବିଶ୍ୱ ସେବା କରିବାକୁ ସେ ଉପସଂହାରରେ ମତବ୍ୟକ୍ତ କରିଥିଲେ।