Categories
ବିଶେଷ ଖବର

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହିସବୁ ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାରତୀୟ ସରକାରୀ ସୂତ୍ର ଅନୁଯାୟୀ ଏହି ଫୋନ୍ କଲ୍ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ନାଗରିକଙ୍କୁ ସୁମିରୁ ବାହାର କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସରକାରଙ୍କ ନିରନ୍ତର ସମର୍ଥନ ଲୋଡିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଏବଂ ୟୁକ୍ରେନରୁ ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ।

ପିଏମଓ ଅନୁଯାୟୀ, ଉଭୟ ନେତା ୟୁକ୍ରେନର ସ୍ଥିତିର ସମୀକ୍ଷା କରିଥିଲେ, ବିଶେଷ କରି ଖାରକିଭରେ ଯେଉଁଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଅଟକି ରହିଛନ୍ତି। ସେହି ବିପଦଗ୍ରସ୍ତ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ଭି.କେ ସିଂଙ୍କ ସହ ସ୍ଵଦେଶ ଫେରୁଛନ୍ତି ୟୁକ୍ରେନରେ ଗୁଳିର ଶିକାର ହୋଇଇଥିବା ହରଜୋତ ସିଂ

ନୂଆଦିଲ୍ଲୀ: ୟୁକ୍ରେନ ଛାଡିବା ସମୟରେ ଗୁଳିରେ ଆହତ ହୋଇଥିବା ଭାରତୀୟ ହରଜତ ସିଂ ଆଜି ଘରକୁ ଫେରିବେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରେଜଜୋବ ବିମାନ ବନ୍ଦରକୁ ନିଆଯାଇଛି ଏବଂ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂଙ୍କ ତାଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ସେ ଆଜି ସନ୍ଧ୍ୟା ୭ ଟାରେ ସି -୧୭ ଏୟାରଫୋର୍ସ ବିମାନ ଦ୍ୱାରା ହିନ୍ଦନ ଏୟାରବେସରେ ପହଞ୍ଚିବେ। ତାଙ୍କ ସହ ଅନ୍ୟ ୨୦୦ ଜଣ ଭାରତୀୟ ଆଜି ଭାରତ ଫେରିବେ। ସୂଚନା ଅବୁଷାରେ ଆଜି ସାତୋଟି ସ୍ୱତନ୍ତ୍ର ବିମାନରେ ୧ ହଜାର ୫୦୦ ଭାରତୀୟ ଫେରିବେ ବୋଲି ଆଶା କରାଯାଉଛି।

ୟୁକ୍ରେନର ରାଜଧାନୀ କିବରେ ଏକ କ୍ୟାବରେ ଚଢୁବାବେଳେ ତାଙ୍କୁ ଚାରିଟି ଗୁଳି ବାଜିଥିଲା ​​ଏବଂ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.କେ ସିଂ ପୂର୍ବରୁ ସୂଚନା ଦେଇଥିଲେ ଯେ, ହରଜୋତ ସିଂ ସୋମବାର ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରିବେ। ଭାରତୀୟ ଛାତ୍ରମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ପଡୋଶୀ ଦେଶ ୟୁକ୍ରେନକୁ ପଠାଯାଇଥିବା ଚାରିଜଣ ମନ୍ତ୍ରୀଙ୍କ ମଧ୍ୟରେ ଭି.କେ ସିଂ ଅଛନ୍ତି। ଭି.କେ ସିଂ ପୋଲାଣ୍ଡରେ ଏହି ଅଭିଯାନରେ ନିୟୋଜିତ ଅଛନ୍ତି। ଯେତେବେଳେ ହରଜୋତ ସିଂଙ୍କୁ ଗୁଳି କରାଯାଇଥିଲା, ସେତେବେଳେ ତାଙ୍କ ପାସପୋର୍ଟ ମଧ୍ୟ ହଜି ଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୨୧୦୦ ଭାରତୀୟ

ନୂଆଦିଲ୍ଲୀ: ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ଆଜି ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

ଏଥିସହିତ, ଏବେ ସୁଦ୍ଧା ୧୫ ହଜାର ୯୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇସାରିଛି। ଅପରେସନ ଗଙ୍ଗା ଅଧୀନରେ ୨୨ ଫେବୃଆରୀ ୨୦୨୨ ଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୬୬ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୧୩ ହଜାର ୮୫୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ସେହିପରି ଏବେ ସୁଦ୍ଧା ଭାରତୀୟ ବାୟୁସେନାର ୧୦ଟି ବିମାନରେ ୨୦୫୬ ଜଣ ଯାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅପରେସନ ଗଙ୍ଗାର ଅଂଶବିଶେଷ ସ୍ବରୂପ ବାୟୁସେନାର ବିମାନ ୨୬ ଟନ୍‌ ରିଲିଫ ସାମଗ୍ରୀ ୟୁକ୍ରେନକୁ ପଠାଇଛି।

ଆଜି ଫେରିଥିବା ସ୍ବତନ୍ତ୍ର ବେସାମରିକ ବିମାନ ମଧ୍ୟରୁ ୯ଟି ନୂଆଦିଲ୍ଲୀରେ ଏବଂ ୨ଟି ମୁମ୍ବାଇରେ ଅବତରଣ କରିଛି। ବୁଦାପେଷ୍ଟରୁ ୬ଟି, ବୁକାରେଷ୍ଟରୁ ୨ଟି, ରେସେଜୋରୁ ୨ ଏବଂ କୋସିଚେରୁ ଗୋଟିଏ ବିମାନ ଫେରିଛି।

ଆସନ୍ତାକାଲି ୮ଟି ବିମାନ ଭାରତରେ ପହଞ୍ଚିବ। ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୨ଟି ଏବଂ ବୁକାରେଷ୍ଟରୁ ଗୋଟିଏ ବିମାନରେ ୧୫୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ।

Categories
ବିଶେଷ ଖବର

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୩ ହଜାର ଭାରତୀୟ

ନୂଆଦିଲ୍ଲୀ: ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି। ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି। ଅପରେସନ ଗଙ୍ଗା ଅଧୀନରେ ଆଜି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍‌ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି।

ଗତକାଲି ହିଣ୍ଡନ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ତିନୋଟି ଅଧିକ ଓଜନ ପରିବହନକାରୀ ସି-୧୭ ବିମାନ  ପୁଣିଥରେ ଆଜି ସକାଳେ ହିଣ୍ଡନ ଏୟାରବେସକୁ ଫେରିଛି। ଏସବୁ ବିମାନ ଜରିଆରେ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଜଣ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଅଣାଯାଇଛି। ଏହାଛଡ଼ା ଏହି ତିନୋଟି ବିମାନ ଜରିଆରେ ୧୬.୫ ଟନ୍‌ ରିଲିଫ ସାମଗ୍ରୀ ଭାରତରୁ ଏସବୁ ରାଷ୍ଟ୍ରମାନଙ୍କୁ ପଠାଯାଇଛି। ଗୋଟିଏକୁ ଛାଡ଼ି ସବୁ ବେସାମରିକ ବିମାନ, ଆଜି ସକାଳେ ଭାରତରେ ପହଞ୍ଚିଛନ୍ତି। ଅନ୍ୟପଟେ କୋସିଚେରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଆଜି ସନ୍ଧ୍ୟା ପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଜି ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୪ଟି, କୋସିଚେରୁ ଗୋଟିଏ ଏବଂ ରେସେଜୋରୁ ୨ଟି ବିମାନ ଭାରତୀୟମାନଙ୍କୁ ନେଇ ଫେରିଛି।

ଆସନ୍ତାକାଲି, ବୁଦାପେଷ୍ଟ, କୋସିଚେ, ରେସେଜୋ ଏବଂ ବୁକାରେଷ୍ଟରୁ ୧୧ଟି ସ୍ଵତନ୍ତ୍ର ବିମାନ ଜରିଆରେ ୨୨୦୦ରୁ ଅଧିକ ଭାରତୀୟ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କଲା ଋଷ, ଭାରତୀୟମାନଙ୍କୁ ଉଦ୍ଧାର କରିବାରେ ହେବ ସହାୟ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭଲ ଖବର ମିଳିଛି। ସାମୟିକ ଅସ୍ତ୍ରବିରତି ପାଇଁ ଋଷ ଘୋଷଣା କରିଛି। ଭାରତ ସମୟ ଅନୁଯାୟୀ ୧୧ ଟା ୩୦ ମିନିଟରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଛି। ଏହା ପ୍ରାୟ ସନ୍ଧ୍ୟା ୫ ଟା ଯାଏଁ ଲାଗୁ ରହିବ। ୟୁକ୍ରେନରେ ମାରିୟୁପୋଲ ଏବଂ ଭୋଲନୋଭାଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଗ୍ରୀନ କରିଡର ନିର୍ମାଣ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଫଳରେ ଏହି ଦୁଇ ସହରରୁ ଭାରତୀୟମାନଙ୍କୁ ନିରାପଦ ଉଦ୍ଧାର କରିବା ପାଇନ ସହଯୋଗ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଗଙ୍ଗା ଅଭିଯାନରେ ୟୁକ୍ରେନରୁ ଫେରିଲେ ଆଉ ୬୨୯ ଭାରତୀୟ

ନୂଆଦିଲ୍ଲୀ: ଆଜି ସକାଳେ ୟୁକ୍ରେନରେ ଫସି ରହିଥିବା ୬୦୦ ରୁ ଅଧିକ ଲୋକ ତିନୋଟି ବାୟୁସେନା ବିମାନ ଦ୍ୱାରା ଭାରତ ଫେରିଛନ୍ତି। ଏହି ତିନୋଟି ବିମାନ ନୂଆଦିଲ୍ଲୀ ନିକଟ ହିନ୍ଦନ ଏୟାରବେସରେ ଅବତରଣ କରିଛି। ଯୁଦ୍ଧ ଗ୍ରସ୍ତ ୟୁକ୍ରେନର ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ଭାରତ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରୁଛି। କାରଣ ଋଷର ସାମରିକ ଆକ୍ରମଣ ଯୋଗୁଁ ଫେବୃଆରୀ ୨୪ ତାରିଖରୁ ୟୁକ୍ରେନ୍ର ଏୟାର ସ୍ପେସ୍ ବନ୍ଦ ରହିଛି।

ଭାରତୀୟ ବାୟୁସେନା ବିବୃତ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା (IAF) ଅପରେସନ୍ ଗଙ୍ଗାର ଅଂଶ ଭାବରେ ୨ ହଜାର ୫୬ ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ୧୦ ଟି ବିମାନ ଚଳାଚଳ କରିଛି। ତିନୋଟି ବାୟୁସେନା ବିମାନ ଶୁକ୍ରବାର ହିନ୍ଦନ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। “ଏହି ବିମାନଗୁଡିକ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିଛି। ଏହି ବିମାନଗୁଡିକ ଦ୍ଵାରା ଭାରତରୁ ୧୬.୫ ଟନ୍ ରିଲିଫ୍ ସାମଗ୍ରୀ ମଧ୍ୟ ଏହି ଦେଶକୁ ପଠାଇଛି।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲେଣି ପ୍ରାୟ ୧୦,୮୦୦ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୭ଟି ସ୍ୱତନ୍ତ୍ର ବିମାନ ଭାରତ ଫେରିଛି। ଏଥିମଧ୍ୟରେ ୧୪ଟି ବେସାମରିକ ବିମାନ ରହିଥିବା ବେଳେ ଭାରତୀୟ ବାୟୁସେନାର ୩ଟି ସି-୧୭ ବିମାନ ରହିଛି। ଆଜି ରାତି ସୁଦ୍ଧା ଆଉ ଏକ ବେସାମରିକ ବିମାନ ଫେରିବ ବୋଲି ଆଶା କରାଯାଉଛି। ବେସାମରିକ ବିମାନରେ ୩୧୪୨ ଜଣ ଯାତ୍ରୀ ଫେରିଛନ୍ତି। ସି-୧୭ ବିମାନରେ ୬୩୦ ଜଣ ନାଗରିକ ଉଦ୍ଧାର ହୋଇଛନ୍ତି। ଏବେ ସୁଦ୍ଧା, ୪୩ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୯୩୬୪ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି।

ଭାରତୀୟ ବାୟୁସେନାର ୭ଟି ସି-୧୭ ବିମାନରେ ୧୪୨୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯.୭ ଟନ୍‌ ରିଲିଫ ସାମଗ୍ରୀ ପଠାଯାଇଛି। ଆଜି ବୁକାରେଷ୍ଟରୁ ୪ଟି, କୋସିଚେରୁ ୨ଟି, ବୁଦାପେଷ୍ଟରୁ ୪ଟି, ରେସେଜୋରୁ ୩ଟି ଏବଂ ସୁଚେଭାରୁ ୨ଟି  ବେସାମରିକ ବିମାନ ଫେରିଛି। ଅନ୍ୟପଟେ ଭାରତୀୟ ବାୟୁସେନାର ୨ଟି ବିମାନ ବୁକାରେଷ୍ଟରୁ ଏବଂ ଗୋଟିଏ ବୁଦାପେଷ୍ଟରୁ ଫେରିଛି।

ଆସନ୍ତକାଲି, ୧୧ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୨ଶହରୁ ଅଧିକ ଭାରତୀୟ ଫେରିବେ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀରେ ୧୦ଟି ଏବଂ ମୁମ୍ବାଇରେ ଗୋଟିଏ ବିମାନ ଅବତରଣ କରିବ। ବୁଦାପେଷ୍ଟରୁ ୫ଟି, ରେସେଜୋରୁ ୨ଟି ଏବଂ ସୁଚେଭାରୁ  ୪ଟି ବିମାନ ଭାରତ ଆସିବ। ରୋମାନିଆ, ପୋଲାଣ୍ଡ ଏବଂ ସ୍ଲୋଭାକିଆରୁ ୪ଟି ସି-୧୭ ବିମାନ ଆଜି ବିଳମ୍ବିତ ରାତି ଏବଂ ଆସନ୍ତକାଲି ସକାଳେ ଭାରତରେ ପହଞ୍ଚିବା ନେଇ ଆଶା କରାଯାଉଛି।

Categories
ବିଶେଷ ଖବର

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା, ନିଜ ସମ୍ପର୍କୀୟ ଫସିରହିଥିଲେ ଏସବୁ ଜାଣିବା ଜରୁରୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି। କ୍ରମାଗତ ୮ ଦିନ ଧରି ୟୁକ୍ରେନ ଉପରେ ଋଷ ବୋମା ବିସ୍ଫୋରଣ କରିଛି। ଋଷର ଏହି ଆକ୍ରମଣ ଦ୍ଵାରା ୟୁକ୍ରେନରେ ଥିବା ଭାରତୀୟ ନାଗରିକମାନଙ୍କ ଜୀବନ ସୁରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି କରିଛି। ତେଣୁ ଭାରତ ସରକାର ନାଗରିକମାନଙ୍କୁ ସେଠାରେ ଫେରାଇ ଆଣିବା ପାଇଁ ବିମାନ ପଠାଉଛି। ଗଙ୍ଗା ଅଭିଯାନରେ ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି।

ଆଜି ପର୍ଯ୍ୟନ୍ତ ଏହି ଗଙ୍ଗା ଅଭିଯାନରେ ୬ ହଜାରରୁ ଉର୍ଦ୍ଧ୍ଵ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଅଣାଯାଇଛି। ତେବେ ଫସି ରହିଥିବା ବାକି ଭାରତୀୟଙ୍କୁ ଖୁବ ଶୀଘ୍ର ସ୍ଵଦେଶ ଫେରାଇ ଅନାଯିବ ବୋଲି କେନ୍ଦ୍ର ସରକାର ଦାବି କରିଛି। ଏହା ଭିତରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି।

ଆବଶ୍ୟକ ପଦକ୍ଷେପ/କ’ଣ କରିବେ?:

– ସୂଚନା ସଂଗ୍ରହ କରି ଅନ୍ୟ ଭାରତୀୟମାନଙ୍କୁ ପଠାନ୍ତୁ।

– ମାନସିକ ସ୍ତରରେ ଦୃଢ଼ ରୁହନ୍ତୁ/ଭୟଭୀତ ହୁଅନ୍ତୁ ନାହିଁ।

– ନିଜକୁ ଛୋଟ ଛୋଟ ଦଳ/ଦଶ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳରେ ସଂଗଠିତ କରନ୍ତୁ/ସେହି ଦଳ ମଧ୍ୟରେ ସହଯୋଗୀ/ଯୋଡ଼ି ବ୍ୟବସ୍ଥା କରନ୍ତୁ/ ପ୍ରତି ଦଶଜଣିଆ ଦଳରେ ଜଣେ ସଂଯୋଜକ/ଉପସଂଯୋଜକଙ୍କୁ ଚୟନ କରନ୍ତୁ।

– ଆପଣଙ୍କ ଉପସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ ଆପଣଙ୍କର ସହଯୋଗୀ/ଛୋଟ ଦଳର ସଂଯୋଜକ ସବୁବେଳେ ନିଶ୍ଚିତ ଭାବେ ଜାଣିବା ଉଚିତ୍‌।

– ଏକ ହ୍ବାଟ୍ସ ଗ୍ରୁପ୍‌ ତିଆରି କରନ୍ତୁ, ସମସ୍ତ ସୂଚନା, ନାମ, ଠିକଣା ମୋବାଇଲ ନମ୍ବର ଏବଂ ଭାରତରେ ଯୋଗାଯୋଗ ଠିକଣାକୁ ପ୍ରସ୍ତୁତ କରନ୍ତୁ/ନୂଆଦିଲ୍ଲୀ କିମ୍ବା ଦୂତାବାସରେ ଥିବା ନିୟନ୍ତ୍ରଣ କକ୍ଷକୁ ନିଜର ଜିଓଲୋକେସନ ହ୍ବାଟ୍ସଆପରେ ଶେୟାର କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ସୂଚନା ଅପଡେଟ୍‌ କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ନିଜ ଦଳ/ସହଯୋଗୀ/ଦଳର ସଂଯୋଜକଙ୍କ ସଂଖ୍ୟା ଗଣନ୍ତୁ ଏବଂ ସେମାନଙ୍କର ଅବସ୍ଥିତି ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌/ହେଲ୍ପଲାଇନ ନମ୍ବରକୁ ରିପୋର୍ଟ କରନ୍ତୁ।

– ଫୋନ ବ୍ୟାଟେରୀକୁ ସଂରକ୍ଷିତ କରି ରଖିବା ପାଇଁ କେବଳ ସଂଯୋଜକ/ଉପସଂଯୋଜକ ହିଁ ସ୍ଥାନୀୟ କର୍ତ୍ତପକ୍ଷ/ଦୂତାବାସ/ଭାରତରେ ଥିବା ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବେ।

ସୁରକ୍ଷିତ ରହିବାର ମାର୍ଗଦର୍ଶିକା:

– ସବୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ପ୍ରସ୍ତୁତ ରଖନ୍ତୁ କିମ୍ବା ୨୪ ଘଣ୍ଟା ହାତ ପାଖରେ ରଖନ୍ତୁ

– ଅତ୍ୟାବଶ୍ୟକ ସାମଗ୍ରୀ କିଟ୍‌ରେ ଆପଣଙ୍କର ପାସପୋର୍ଟ, ପରିଚୟ ପତ୍ର, ଅତ୍ୟାବଶ୍ୟକ ଔଷଧ, ଜୀବନରକ୍ଷାକାରୀ ଔଷଧ, ଟର୍ଚ୍ଚ, ଦିଆସିଲି, ଲାଇଟର, କ୍ୟାଣ୍ଡେଲ, ନଗଦ ଟଙ୍କା, ଏନର୍ଜି ବାର୍ସ, ପାୱାର ବ୍ୟାଙ୍କ, ପାଣି, ଫାଷ୍ଟଏଡ୍ କିଟ୍‌, ହେଡ୍‌ଗିୟର, ମଫଲର, ଗ୍ଲୋଭ୍ସ, ଶୀତ ଜ୍ୟାକେଟ, ଶୀତରୁ ରକ୍ଷା ପାଇବାର ସକ୍ସ ଏବଂ ଗୋଡ଼କୁ ଭଲ ଭାବେ ଫିଟ୍‌ ହେଉଥିବା ହଳେ ଜୋତା ରଖନ୍ତୁ ।

– ଖାଦ୍ୟ ଓ ପାଣି ସଞ୍ଚୟ କରନ୍ତୁ ଓ ଅନ୍ୟମାନଙ୍କୁ ବାଣ୍ଟନ୍ତୁ, ଯଥାସମ୍ଭବ ପେଟପୂରା ନଖାଇ ଅଳ୍ପ ଅଳ୍ପ ଖାଆନ୍ତୁ । ଯଥେଷ୍ଟ ପାଣି ପିଅନ୍ତୁ । ଯଦି ଖୋଲା ସ୍ଥାନ/ପଡ଼ିଆରେ ରହିଛନ୍ତି, ବରଫ ତରଳାଇ ପାଣି ପ୍ରସ୍ତୁତ କରନ୍ତୁ ।

– ବର୍ଷା/ଶୀତ/ଝଡ଼/ବାଧ୍ୟତାମୂଳକ ଭାବେ ତଡ଼ି ଦିଆଯିବା/ଉଦ୍ଧାର ପରିସ୍ଥିତିର ସମ୍ମୁଖିନ ହେଲେ ଗ୍ରାଉଣ୍ଡ ମ୍ୟାଟିଂ/ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଗୋଟିଏ ବଡ଼ ଗାର୍ବେଜ୍‌ ବ୍ୟାଗ ରଖନ୍ତୁ।

– ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହେଲେ – ନିୟନ୍ତ୍ରଣ କକ୍ଷ/ହେଲ୍ପ ଲାଇନ/ହ୍ବାଟ୍ସଆପରେ ପରିସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତୁ ଏବଂ ପରାମର୍ଶ ଲୋଡ଼ନ୍ତୁ।

– ମୋବାଇଲରୁ ସମସ୍ତ ଅନାବଶ୍ୟକ ଆପ୍ସ ଡିଲିଟ୍‌ କରି ଦିଅନ୍ତୁ, ବ୍ୟାଟେରୀ ସଞ୍ଚୟ କରିବା ଲାଗି କମ୍‌ କଥା ହୁଅନ୍ତୁ/କିମ୍ବା ଅଡିଓ ମୋଡ୍‌ରେ କଥା ହୁଅନ୍ତୁ।

– ଘର ଭିତରେ ରୁହନ୍ତୁ, ବିଶେଷ କରି ମାନ୍ୟତାପ୍ରାପ୍ତ ନିରାପଦ ସ୍ଥାନ, ବେସମେଣ୍ଟ, ବଙ୍କରରେ ଆଶ୍ରୟ ନିଅନ୍ତୁ।

– ଯଦି ଆପଣ ରାସ୍ତାରେ ଅଛନ୍ତି, ତା’ହେଲେ ରାସ୍ତା କଡ଼କୁ ଚାଲିଯାଆନ୍ତୁ, କୋଠା ଆଢ଼ୁଆଳରେ ରହି ଯାଆନ୍ତୁ, ଆକ୍ରମଣର ଶିକାର ନହେବା ପାଇଁ ତଳକୁ ମୁଣ୍ଡ କରି ଚାଲନ୍ତୁ, ରାସ୍ତା ପାରି ହୁଅନ୍ତୁ ନାହିଁ, ସହରର କେନ୍ଦ୍ରସ୍ଥଳୀ, ସହରତଳି ଅଞ୍ଚଳକୁ ଯାଆନ୍ତୁ ନାହିଁ।  ସହରାଞ୍ଚଳରେ ଅଧିକ ସତର୍କତାର ସହିତ ରାସ୍ତା କଡ଼କୁ ଚାଲିଯାଆନ୍ତୁ।

– ପ୍ରତ୍ୟେକ ମାନ୍ୟତାପ୍ରାପ୍ତ ଦଳରେ ଏକ ଧଳା ପତାକା/ଧଳା କପଡ଼ା ରଖନ୍ତୁ ଯାହା ସଙ୍କେତ ଦେବାରେ କାମରେ ଆସିପାରିବ।

– ରୁଷ ଭାଷାରେ ଦୁଇ ତିନୋଟି ବାକ୍ୟ ଶିଖନ୍ତୁ (ଉଦାହରଣ ସ୍ବରୂପ : ଆମେ ଛାତ୍ରଛାତ୍ରୀ, ଆମେ ପ୍ରତିପକ୍ଷ ସୈନିକ ନୋହୁଁ, ଦୟାକରି ଆମର କ୍ଷତି କରନ୍ତୁ ନାହିଁ, ଆମେ ଭାରତୀୟ) ଏଠାରେ ରୁଷ ଭାଷାରେ କେତୋଟି ବାକ୍ୟ ଦିଆଗଲା:
Я студентизИндии (ମୁଁ ଜଣେ ଭାରତୀୟ ଛାତ୍ର)
Я некомбатант (ମୁଁ ଜଣେ ସାଧାରଣ ଲୋକ)
Пожалуйстапомогите (ଦୟାକରି ମୋତେ ସାହାଯ୍ୟ କରନ୍ତୁ)

– ଅଣନିଃଶ୍ବାସୀ ଲାଗିଲେ, ନିୟମିତ ଗଭୀର ଶ୍ବାସ ନିଅନ୍ତୁ, ରକ୍ତ ସଞ୍ଚାଳନ ଠିକ୍‌ ରଖିବା ଲାଗି ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳନ କରନ୍ତୁ।

– ଜରୁରିକାଳୀନ କିଟ୍‌ ବ୍ୟତୀତ ସର୍ବନିମ୍ନ ବ୍ୟକ୍ତିଗତ ଉପକରଣ ପ୍ୟାକ କରନ୍ତୁ, ବିଶେଷ କରି ଲମ୍ବା ଉଠାଣି ଯାତ୍ରା/ଚାଲିବା ପାଇଁ ଅନୁକୂଳ ଛୋଟ ବ୍ୟାକପ୍ୟାକ୍‌।

– ଅତି କମ ସମୟ ମଧ୍ୟରେ ସୂଚନା ମିଳିବା କ୍ଷଣି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରୁହନ୍ତୁ/ଧୀର ହୋଇଯିବା, ଥକିଯିବା ଏବଂ ଭିଡ଼ ଏଡ଼ାଇବା ପାଇଁ ବଡ଼ ବ୍ୟାଗ ସାଥୀରେ ଆଣନ୍ତୁ ନାହିଁ।

– ସାମରିକ ଚେକପୋଷ୍ଟ କିମ୍ବା ପୁଲିସ/ସଶସ୍ତ୍ର ବାହିନୀ/ବିଦ୍ରୋହୀଙ୍କ ଦ୍ବାରା ଅଟକ ରହିଲେ- ସହଯୋଗ କରନ୍ତୁ/ନିୟମ ମାନନ୍ତୁ/ସେମାନଙ୍କ ସମ୍ମୁଖରେ ପାପୁଲି ଖୋଲା ରଖି ହାତ ଉପରକୁ କରନ୍ତୁ/ନମ୍ର ବ୍ୟବହାର କରନ୍ତୁ/ଆବଶ୍ୟକ ସୂଚନା ଦିଅନ୍ତୁ/ ଯୁକ୍ତିତର୍କ ନକରି ସମ୍ଭବ ହେଲେ ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନ ସହ ଯୋଗାଯୋଗ କରନ୍ତୁ।

– ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନର ମାର୍ଗଦର୍ଶିକା ଅନୁଯାୟୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ଉଦ୍ଧାର ପାଇଁ ଯାତ୍ରା ଆରମ୍ଭ କରାଯିବା ଉଚିତ୍‌।

କ’ଣ କରିବେ ନାହିଁ:

– ସବୁବେଳେ ବଙ୍କର/ବେସମେଣ୍ଟ/ଆଶ୍ରୟସ୍ଥଳୀରୁ ବାହାରକୁ ବାହାରନ୍ତୁ ନାହିଁ

– ସହରତଳି/ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ

– ସ୍ଥାନୀୟ ଆନ୍ଦୋଳନକାରୀ କିମ୍ବା ବିଦ୍ରୋହୀଙ୍କ ସହ ଯୋଗ ଦିଅନ୍ତୁ ନାହିଁ

– ସୋସିଆଲ ମିଡିଆରେ କୌଣସି କମେଣ୍ଟ କରନ୍ତୁ ନାହିଁ

– ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରଣ ହୋଇନଥିବା ଗୁଳିଗୋଳା ଉଠାନ୍ତୁ ନାହିଁ

– ସାମରିକ ବାହନ/ବାହିନୀ/ସୈନିକ/ଚେକ୍‌ ପୋଷ୍ଟ/ବିଦ୍ରୋହୀଙ୍କ ସହିତ ଫଟୋ/ସେଲଫି ଉଠାନ୍ତୁ ନାହିଁ

– ଯୁଦ୍ଧ ପରିସ୍ଥିତିର ଭିଡିଓ ରେକର୍ଡିଂ ଏବଂ ଲାଇଭ୍‌ କରନ୍ତୁ ନାହିଁ

– ସତର୍କ ସାଇରନ ବାଜିବା କ୍ଷଣି, ଯେଉଁଠି ସମ୍ଭବ ତୁରନ୍ତ ଆଶ୍ରୟ ନିଅନ୍ତୁ । ଯଦି ଆପଣ ଖୋଲା ସ୍ଥାନରେ ଅଛନ୍ତି, ପେଟ ମାଡ଼ି ତଳେ ଶୋଇ ପଡ଼ନ୍ତୁ ଏବଂ ପିଠିରେ ପକାଇଥିବା ବ୍ୟାଗରେ ମୁଣ୍ଡକୁ ଘୋଡ଼ାଇ ଦିଅନ୍ତୁ।

– ବନ୍ଦ ସ୍ଥାନରେ ନିଆଁ ଜଳାନ୍ତୁ ନାହିଁ

– ମଦ ପିଅନ୍ତୁ ନାହିଁ/ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ

– ଶୀତପ୍ରକୋପ/ପାଦ ଘା’ ଠାରୁ ଦୂରେଇ ରହିବାକୁ ଓଦା ସକ୍ସ ପିନ୍ଧନ୍ତୁ ନାହିଁ। ଯେଉଁଠି ସମ୍ଭବ, ଆପଣଙ୍କର ଜୋତା ଓହ୍ଲାଇ ଦିଅନ୍ତୁ ଏବଂ ସକ୍ସ ଓ ଅନ୍ୟାନ୍ୟ ପୋଷାକପତ୍ର ଶୁଖାଇ ଦିଅନ୍ତୁ ।

– ଦୁର୍ବଳ/ଭାଙ୍ଗି ଯାଥିବା କୋଠାରେ ଆଶ୍ରୟ ନିଅନ୍ତୁ ନାହିଁ ଏବଂ ଧ୍ବଂସାବଶେଷ ଠାରୁ ଦୂରେଇ ରୁହନ୍ତୁ

– ବିସ୍ଫୋରଣ ସମୟରେ ଭଙ୍ଗା କାଚ ଆଘାତ ପାଇବା ଠାରୁ ସୁରକ୍ଷିତ ରହିବା ଲାଗି କାଚ ଝରକା ଠାରୁ ଦୂରେଇ ରୁହନ୍ତୁ।

– ଚେକପୋଷ୍ଟରେ ସୁରକ୍ଷାକର୍ମୀ ନମାଗିବା ପର୍ଯ୍ୟନ୍ତ ହଠାତ୍‌ ଆଗକୁ ବଢ଼ି ନିଜର ଜିନିଷ/କାଗଜପତ୍ର ପାଇଁ ପକେଟ ଖୋଜନ୍ତୁ ନାହିଁ। ସଶସ୍ତ୍ର ବ୍ୟକ୍ତିବିଶେଷଙ୍କ ସମ୍ମୁଖିନ ହେବା ସମୟରେ ହଠାତ୍‌ କିମ୍ବା ଚଞ୍ଚଳ ଗତିରେ ଏପଟସେପଟ ହୁଅନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି। ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି। ଦ୍ରୁତ ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସବୁ ସମ୍ବଳକୁ ବିନିଯୋଗ କରୁଛି। ଚାରି ଜଣ କେନ୍ଦ୍ର ମନ୍ତ୍ରୀ – ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, କୀରନ ରିଜିଜୁ ଏବଂ ଜେନେରାଲ ଭି.କେ. ସିଂ ଉଦ୍ଧାର କାର୍ଯ୍ୟ ତଦାରଖ ଓ ସହାୟତା କରିବା ଲାଗି ୟୁକ୍ରେନ ନିକଟବର୍ତ୍ତୀ ଦେଶକୁ ଯାଇଛନ୍ତି। ଭାରତୀୟ ବେସାମରିକ ବିମାନ ସହିତ ଭାରତୀୟ ବାୟୁସେନାର ବିମାନ ନିୟମିତ ଭାବେ ଅଟକ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲଗାତାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଉଦ୍ଧାର ପ୍ରକ୍ରିୟା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୨୦୦ରୁ ଅଧିକ ଭାରତୀୟ ଫେରି ଆସିଛନ୍ତି। ଆଜି ୧୦ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୮୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି।

ଆଜି ବୁକାରେଷ୍ଟରୁ ୫ଟି, ବୁଦାପେଷ୍ଟରୁ ୨ଟି, କୋସିକେରୁ ଗୋଟିଏ ଏବଂ ରେସେସୋରୁ ୨ଟି ବେସାମରିକ ବିମାନ ଜରିଆରେ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି। ଏହାବ୍ୟତୀତ, ଭାରତୀୟ ବାୟୁସେନାର ୩ଟି ବିମାନ ଆଜି ଅଧିକ ଭାରତୀୟମାନଙ୍କୁ ନେଇ ସ୍ୱଦେଶ ଫେରୁଛି। ବେସାମରିକ ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି। ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରିବେ। ଆସନ୍ତାକାଲି ୩୫୦୦ ଭାରତୀୟ ଏବଂ ମାର୍ଚ୍ଚ ୫ ତାରିଖରେ ୩୯୦୦ ଭାରତୀୟ ସ୍ୱଦେଶ ଫେରିବେ ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ସ୍ଵଦେଶ ଫେରିଲେ ୧୦୦୦ ଛାତ୍ରଛାତ୍ରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ୪ ହଜାର ଭାରତୀୟଙ୍କୁ ଆଣିବା ଯୋଜନା

ନୂଆଦିଲ୍ଲୀ: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏହି ସମୟରେ, ଅପରେସନ୍ ଗଙ୍ଗା ଅଧୀନରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ପାଞ୍ଚଟି ବିମାନରେ ଭାରତ ଫେରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଯୋଜନା ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନେ ସ୍ୱତନ୍ତ୍ର ବିମାନ ଯୋଗେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିଥିଲେ, ଏହି ସମୟରେ ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ସ୍ୱାଗତ କରିଥିଲେ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଅପରେସନ ଗଙ୍ଗା ଅନୁଯାୟୀ ୩ ହଜାର ୭୨୬ ଭାରତୀୟଙ୍କୁ ଆଣିବା ପାଇଁ ଯୋଜନା ହୋଇଛି। ଏଥି ସହିତ ଭାରତୀୟ ବାୟୁସେନା ମୁଖପାତ୍ର କହିଛନ୍ତି ଯେ, ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ୟୁକ୍ରେନ ନିକଟବର୍ତ୍ତୀ ବିଭିନ୍ନ ସ୍ଥାନକୁ ଭାରତୀୟ ବାୟୁସେନା ଆହୁରି ତିନୋଟି ବିମାନ ଚଳାଚଳ କରୁଛି।

କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି କହିଛନ୍ତି ଯେ, ଅପରେସନ୍ ଗଙ୍ଗା ଅଧୀନରେ ଭାରତର ସମସ୍ତ ନାଗରିକଙ୍କୁ ଫେରାଇ ଆଣିବା ହେଉଛି ଭାରତର ସାମର୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଦେଶରୁ ଫେରାଇ ଅଣାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନିରନ୍ତର ନେତୃତ୍ୱ ନେଉଛନ୍ତି। ଭାରତୀୟ ନାଗରିକମାନେ ପୋଲାଣ୍ଡରୁ ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ଭାରତ ମାତା କି ଜୟର ସ୍ଲୋଗାନ ଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Categories
ବିଶେଷ ଖବର

ୟୁକ୍ରେନରେ ବନ୍ଧକ ରହିଛନ୍ତି କି ଭାରତୀୟ? ଋଷର ଦାବି ଉପରେ ବୈଦେଶିକ ମନ୍ତ୍ରଣାଳୟ ଦେଲା ଉତ୍ତର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷ ଯୁଦ୍ଧର ଅଷ୍ଟମ ଦିନ। ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଋଷର ରାଷ୍ଟ୍ରପତି କହିଥିଲେ ଯେ, ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ସୈନ୍ୟ ବନ୍ଧକ ରଖିଛନ୍ତି ଏବଂ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି।

ଏଭଳି ପରିସ୍ଥିତିରେ ୟୁକ୍ରେନ ଦ୍ୱାରା ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିବା ଅଭିଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ସ୍ପଷ୍ଟୀକରଣ ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିବା ପରି ପରିସ୍ଥିତି ସମ୍ପର୍କରେ କୌଣସି ଖବର ନାହିଁ।

ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନରେ ଆମର ଦୂତାବାସ ସେଠାରେ ଅଟକି ରହିଥିବା ଏନଆରଆଇ ସହ ଯୋଗାଯୋଗରେ ଅଛି। ଆମର ଦୂତାବାସ ୟୁକ୍ରେନର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବଜାୟ ରଖିଛି। ବୁଧବାର ଦିନ ଅନେକ ଭାରତୀୟ ନିଜେ ଖାର୍କିଭ ଛାଡିଥିଲେ। ଭାରତୀୟ ଛାତ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧକ ରଖାଯିବା ବିଷୟରେ ଆମ ପାଖରେ କୌଣସି ଖବର ନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଛାତ୍ରମାନଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୟୁକ୍ରେନରୁ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ସ୍ଥାନାନ୍ତର ବିଷୟରେ ବୁଧବାର ରାତିରେ ଆୟୋଜିତ ଏକ ବାର୍ତ୍ତାଳାପରେ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଋଷର ରାଷ୍ଟ୍ରପତି କହିଥିଲେ ଯେ, ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ବନ୍ଧକ ରଖିଛନ୍ତି ଏବଂ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଋଷର ସୀମା ମଧ୍ୟକୁ ଯିବା ବନ୍ଦ କରାଯାଉଛି। ଆଲୋଚନା ପରେ ଏହି ଅଭିଯୋଗ ସମ୍ପର୍କରେ ଋଷର ରାଷ୍ଟ୍ରିୟ ଭବନଙ୍କ ତରଫରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।

ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଭାରତୀୟ ଛାତ୍ରମାନଙ୍କୁ ଯୁଦ୍ଧ ଜୋନରୁ ବାହାର କରି ଭାରତ ପଠାଇବା ପାଇଁ ସମସ୍ତ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିଗରେ ଋଷର ସେନା ସମସ୍ତ ପ୍ରକାର ଉଦ୍ୟମ କରୁଛି। ଭାରତୀୟ ଛାତ୍ରମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଋଷିୟ ସେନା ଖାର୍କିଭରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ନିର୍ମାଣ ଉପରେ ମଧ୍ୟ କାର୍ଯ୍ୟ କରୁଛି।

ଏଥି ସହିତ ଋଷର ଏହି ଅଭିଯୋଗକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରିଛି। ଟୁଇଟରରେ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଆମେ ଭାରତ, ପାକିସ୍ଥାନ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ସରକାରଙ୍କୁ ମସ୍କୋରୁ ଅନୁରୋଧ କରୁଛୁ ଯେ, ସେମାନଙ୍କ ଛାତ୍ରମାନଙ୍କ ପାଇଁ ୟୁକ୍ରେନର ଅନ୍ୟ ସହରକୁ ଯିବା ପାଇଁ ସୁରକ୍ଷିତ କରିଡର ଅନୁମତି ଦିଅନ୍ତୁ। ଏହି ଛାତ୍ରମାନଙ୍କୁ ଖାର୍କିଭ ଏବଂ ସୁମିରେ ଋଷର ଆଆକ୍ରମଣ ଯୋଗୁଁ ବନ୍ଧକ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନକୁ ରିଲିଫ ସାମଗ୍ରୀ ପଠାଇଲା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ୟୁକ୍ରେନକୁ ରିଲିଫ ସାମଗ୍ରୀ ପଠାଇଛି। ୟୁକ୍ରେନର ଜନସାଧାରଣଙ୍କ ପାଇଁ ଏନଡିଆରଏଫ ପକ୍ଷରୁ କମ୍ବଳ, ଚଦର ଏବଂ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି। ଆଜି ସକାଳେ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଥିବା ଏକ ବିମାନ ଏବଂ ସନ୍ଧ୍ୟାରେ ରୋମାନିଆ ଅଭିମୁଖେ ଯାତ୍ରା କରିଥିବା ଭାରତୀୟ ବାୟୁସେନା (ଆଇଏଏଫ) ବିମାନରେ ଏସବୁ ରିଲିଫ ସାମଗ୍ରୀ ପଠାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି: ୨୪ ଘଣ୍ଟା ଯୋଗାଇବ ସାହାଯ୍ୟ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଭୟଙ୍କର ପରିସ୍ଥିତିକୁ ଦେଖି ଭାରତ ସେଠାରେ ଫସି ରହିଥିବା ନାଗରିକମାନଙ୍କୁ ଥଇଥାନ କରିବା ଅଭିଯାନକୁ ଜୋରଦାର କରିଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ଭାରତ ସରକାର ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆ ରିପବ୍ଲିକର ସୀମାରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିବାକୁ 24×7 ହେଲ୍ପଲାଇନ ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ଅପରେସନ୍ ଗଙ୍ଗା ଅଧୀନରେ ସରକାର ଏହି ହେଲ୍ପଲାଇନ ଆରମ୍ଭ କରିଛନ୍ତି। ୟୁକ୍ରେନରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ମିଶନକୁ ଅପରେସନ୍ ଗଙ୍ଗା ନାମରେ ନାମିତ କରାଯାଇଛି। ତାଲିକାରେ ଏହା ଦେଖାଯାଇପାରେ ଯେ, ଅସୁବିଧାଜନକ ଅଞ୍ଚଳରେ ଫସି ରହିଥିବା ଲୋକମାନେ ସ୍ଲୋଭାକିଆ, ରୋମାନିଆ, ପୋଲାଣ୍ଡ ଏବଂ ହଙ୍ଗେରୀର ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ ଯାହା ଦ୍ଵାରା ଯଥାଶୀଘ୍ର ସେଠାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୧,୩୦୦ ରୁ ଅଧିକ ଭାରତୀୟଙ୍କୁ କରାଗଲା ସ୍ଥାନାନ୍ତର: ବୈଦେଶିକ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଋଷର ଆକ୍ରମଣ ପରେ ୟୁକ୍ରେନର ପରିସ୍ଥିତି ଅଧିକ ଭୟଭୀତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନରୁ ୧,୩୭୭ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି। ସୋସିଆଲ ମିଡିଆରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲେଖିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପୋଲାଣ୍ଡରୁ ୬ ଟି ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି। ୧୩୭୭ ରୁ ଅଧିକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଅଣାଯାଇଛି।

ୟୁକ୍ରେନରେ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍ ଗଙ୍ଗା ଅଧୀନରେ ଭାରତ ଆସନ୍ତା ତିନି ଦିନ ମଧ୍ୟରେ ୨୬ ରୁ ଅଧିକ ବିମାନ ଚଳାଚଳ କରୁଛି। ୟୁକ୍ରେନର ବିମାନ ମାର୍ଗ ବନ୍ଦ ହେତୁ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ରିପବ୍ଲିକର ବିମାନ ବନ୍ଦରଗୁଡିକ ଭାରତୀୟମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବହୃତ ହେଉଛି। ଗତକାଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଗଣମାଧ୍ୟମକୁ କହିଛନ୍ତି ଯେ, ୟୁକ୍ରେନର ରାଜଧାନୀ କିବରେ କୌଣସି ଭାରତୀୟ ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନର ରାଜଧାନୀ କିବରେ ଆଉ ନାହାନ୍ତି କୌଣସି ଭାରତୀୟ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଦନ ଶ୍ରୀଙ୍ଗଲା କହିଛନ୍ତି ଯେ, ଉଚ୍ଚ ସ୍ତରୀୟ ବୈଠକରେ ନବୀନଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆଜି ପୁଣିଥରେ ଆମେ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କ ସହିତ ଭାରତୀୟଙ୍କ ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ କଥା ହେଲୁ। ଏପର୍ଯ୍ୟନ୍ତ ୧୨ ହଜାର ଅର୍ଥାତ୍ ପ୍ରାୟ ୬୦% ଭାରତୀୟ ୟୁକ୍ରେନ ଛାଡିଛନ୍ତି। ବର୍ତ୍ତମାନ କିବରେ କୌଣସି ଭାରତୀୟ ନାଗରିକ ନାହାଁନ୍ତି।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରା ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି। ମାନବିକତା ଆଧାରରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନିମ୍ନ କଟକଣାକୁ କୋହଳ କରାଯାଇଛି…

– ବୋର୍ଡିଂ ପୂର୍ବରୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଦାଖଲ କରିବାର ବାଧ୍ୟତାମୂଳକ ଆବଶ୍ୟକତାକୁ ଭାରତୀୟ ନାଗରିକମାନଙ୍କ ପାଇଁ କୋହଳ କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା ବର୍ତ୍ତମାନର ମାର୍ଗଦର୍ଶିକାରେ ଏହି ନିୟମ ରହିଛି। ଭାରତ ଆସିବା ପୂର୍ବରୁ ସେମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ମଧ୍ୟ ଏହିସବୁ କାଗଜପତ୍ର ଅପଲୋଡ୍‌ କରିବାକୁ ପଡ଼ିବ ନାହିଁ।

– ଆହୁରି, ଯେଉଁ ଯାତ୍ରୀମାନେ କୋଭିଡ-୧୯ ଟିକାକରଣ ସମ୍ପୂର୍ଣ୍ଣ କରିଛନ୍ତି (ପ୍ରସ୍ଥାନ/ଟିକାକରଣ ଯେକୌଣସି ରାଷ୍ଟ୍ରରୁ ହୋଇଥିଲେ ସୁଦ୍ଧା), ସେମାନେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ବିମାନ ବନ୍ଦରରୁ ଘରକୁ ଯିବା ଲାଗି ଅନୁମତି ମିଳିବ। ତେବେ ସେମାନଙ୍କୁ ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ୧୪ ଦିନ ପର୍ଯ୍ୟନ୍ତ ସ୍ୱ-ନିରୀକ୍ଷଣ ଲାଗି ପରାମର୍ଶ ଦିଆଯିବ।

– ଯେଉଁ ଯାତ୍ରୀମାନେ ପହଞ୍ଚିବା ପୂର୍ବର ନେଗେଟିଭ ଆରଟି ପିସିଆର ପରୀକ୍ଷା ରିପୋର୍ଟ ଦାଖଲ କରିବାରେ ସକ୍ଷମ ହେବେ ନାହିଁ କିମ୍ବା ଯେଉଁମାନେ କୋଭିଡ -୧୯ ଟିକାକରଣ ସମ୍ପୂର୍ଣ୍ଣ କରିନଥିବେ, ସେମାନଙ୍କୁ ପହଞ୍ଚିବା ପରେ ନିଜର ନମୁନା ଦେବାକୁ ଅନୁମତି ଦିଆଯିବ, ଏପରି ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୧୪ ଦିନ ପାଇଁ ସ୍ୱାସ୍ଥ୍ୟାବସ୍ଥାର ସ୍ୱ-ନିରୀକ୍ଷଣରେ ରହିବେ। ଯଦି ସେମାନେ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତା’ହେଲେ ତାଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ, ଚିକିତ୍ସା କରାଯିବ।

ୟୁକ୍ରେନରେ ରାଜନୈତିକ ଅସ୍ଥିରତା କାରଣରୁ ବହୁସଂଖ୍ୟକ ଭାରତୀୟ ନାଗରିକ (ମୁଖ୍ୟତଃ ଛାତ୍ରଛାତ୍ରୀ) ସେଠାରେ ଫସି ରହିଛନ୍ତି। ୟୁକ୍ରେନରେ ନୋଟିସ ଟୁ ଏୟାରମ୍ୟାନ କିମ୍ବା ନୋଟିସ ଟୁ ଏୟାର ମିଶନ (ନୋଟାମ୍‌) ବା ବିମାନ ଚଳାଚଳ ଉପରେ କଟକଣା ରହିଥିବାରୁ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସିଧାସଳଖ ବିମାନ ଯୋଗେ ଉଦ୍ଧାର କରାଯିବା ସମ୍ଭବ ନୁହେଁ। ଏହି କାରଣରୁ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଏହାପରେ ଏସବୁ ରାଷ୍ଟ୍ରରୁ ଅପରେସନ ଗଙ୍ଗା ଜରିଆରେ ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି।

୨୮ ଫେବୃଆରୀ ୨୦୨୨ (ମଧ୍ୟାହ୍ନ ୧୨ଟା) ସୁଦ୍ଧା, ୫ଟି ବିମାନ (ଗୋଟିଏ ମୁମ୍ବାଇ ଏବଂ ୪ଟି ଦିଲ୍ଲୀ)ରେ ୧୧୫୬ ଜଣ ଭାରତୀୟ ନାଗରିକ ୟୁକ୍ରେନରୁ ଉଦ୍ଧାର ହୋଇ ଭାରତରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ବିମାନ ଯାତ୍ରୀଙ୍କୁ ଏବେ ସୁଦ୍ଧା ସଙ୍ଗରୋଧରେ ରଖାଯାଇନାହିଁ।

Categories
ବିଶେଷ ଖବର

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହେଲା ଟ୍ୱିଟର ହ୍ୟାଣ୍ଡେଲ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସେଠାରେ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟାକୁ ଜୋରଦାର କରୁଛି। ସମ୍ପ୍ରତି ଭାରତୀୟମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଆରମ୍ଭ କରିଛି। ଏହି ଟ୍ୱିଟର ହ୍ୟାଣ୍ଡେଲର ନାମ OpGanga Helpline ରଖାଯାଇଛି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବା ପାଇଁ ଅପରେସନ୍ ଗଙ୍ଗା ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି।

ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆରେ ଭାରତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିସାରିଛି। ଯାହା ଦ୍ଵାରା ସଙ୍କଟଗ୍ରସ୍ତ ଭାରତୀୟମାନେ ଶୀଘ୍ର ଏହି ଦେଶଗୁଡ଼ିକ ସହିତ ୟୁକ୍ରେନ ସୀମା ଦେଇ ସ୍ଥାନାନ୍ତରିତ ହୋଇପାରିବେ। ୟୁକ୍ରେନର ବିପଦ ଅଞ୍ଚଳରେ ଏବେ ମଧ୍ୟ ହଜାର ହଜାର ଭାରତୀୟ ଫସି ରହିଛନ୍ତି। ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୪ ଘଣ୍ଟିଆ ହେଲ୍ପଲାଇନ ଆରମ୍ଭ କରିଛନ୍ତି।

ହେଲ୍ପଲାଇନ ନମ୍ବର ପ୍ରଦାନ-

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ଅରିନ୍ଦମ ବାଗଚି ମଧ୍ୟ ସୋସିଆଲ ମିଡିଆରେ ଏକ ଟୁଇଟରେ ଏହି ସୂଚନା ଦେଇଛନ୍ତି। ଅରିନ୍ଦାମ ବାଗଚି ଟ୍ୱିଟ୍ କରିଛନ୍ତି ଯେ ୟୁକ୍ରେନ – ଓପଙ୍ଗା ହେଲ୍ପଲାଇନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିବା ପାଇଁ ଏକ ଉତ୍ସର୍ଗୀକୃତ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ଦୟାକରି @opganga ସହିତ ଯୋଗାଯୋଗ କରନ୍ତୁ।

ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ୟୁକ୍ରେନକୁ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଫେରୁଛି। ବାସ୍ତବରେ, ୟୁକ୍ରେନ କହିଛି ଯେ, ଏହାର ପୂର୍ବ ଅଞ୍ଚଳରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହାର ଆକାଶ ସୀମା ବନ୍ଦ ହୋଇଯାଇଛି। ଏହି ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଭାରତ ନିବେଦନ କରିଛି ଏବଂ ପରିସ୍ଥିତି ଏକ ବଡ଼ ସଙ୍କଟରେ ପରିଣତ ହୋଇପାରେ ବୋଲି ଚେତାବନୀ ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହିତ କଥା ହୋଇଛନ୍ତି।

ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନରେ ବର୍ତ୍ତମାନର ସଂକଟପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ। ହିଂସାର ତୁରନ୍ତ ପରିସମାପ୍ତି କରିବା ସହିତ ଆଲୋଚନା ମାର୍ଗକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ନିବେଦନକୁ ପୁଣିଥରେ ଦୋହରାଇଥିଲେ। ସେ କହିଥିଲେ ଯେ ଶାନ୍ତି ପ୍ରକ୍ରିୟାରେ ଭାରତ ଯେକୌଣସି ପ୍ରକାର ହସ୍ତକ୍ଷେପ କରିବା ଲାଗି ପ୍ରସ୍ତୁତ ରହିଛି।

ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ଚିନ୍ତା ବ୍ୟକ୍ତ କରିଥିଲେ। ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଏବଂ ନିରାପଦ ଭାବେ ଉଦ୍ଧାର କରିବା ଲାଗି ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ସେ ସହଯୋଗ ଲୋଡ଼ିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୁଷ୍‌, ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ୱର: ଯୁଦ୍ଧ କମ୍ବା ହିଂସା କୌଣସି ପରିସ୍ଥିତିରେ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧ ଓ ହିଂସା ସବୁବେଳେ ସାରା ମାନବସମାଜ ଓ ପୃଥିବୀ ପାଇଁ ବିପଦ। ଏଣୁ ଯୁଦ୍ଧ ପରିସ୍ଥିତିକୁ କେତେବେଳେ ବି ବରଦାସ୍ତ କରାଯାଇ ପାରିବ ନାହିଁ। ଏହି ବିଶ୍ୱ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛି ଓ ତା’ର ରକ୍ତକ୍ଷୟି ସଂଗ୍ରାମର କୁଫଳ ଭୋଗିଛି।

ତେଣୁ ମାନବ ସଭ୍ୟତା ବିକାଶର ଚରମ ସୋପାନ ଆଡ଼କୁ ଗତି କରୁଥିବା ବେଳେ ଯୁଦ୍ଧ କରି ଲକ୍ଷ ଲକ୍ଷ ନରନାରୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ଓ ସାରା ବିଶ୍ୱକୁ ଯୁଦ୍ଧର ଆତଙ୍କ ଭିତରକୁ ଠେଲିଦେବାକୁ ନବନିର୍ମାଣ କୃଷକ ସଂଗଠନ ବିରୋଧ କରିଛି। ଆମେ ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ। ସମାଧାନର ରାସ୍ତା ଯୁଦ୍ଧ ନୁହେଁ, ସ୍ଥାୟୀ ବିଶ୍ୱଶାନ୍ତି ଆମର ଦାବି, ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲିବା ବନ୍ଦ କର ସ୍ଲୋଗାନମାନ ଦେଇ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ।

ଶୋଭାଯାତ୍ରାକାରୀଙ୍କୁ ଉଦ୍‌ବୋଧନ ଦେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଯୁଦ୍ଧ ବିରୁଦ୍ଧରେ ତମାମ ଦୁନିଆରେ ଜନମତ ସଂଗଠିତ ହେବା ଦରକାର। ଶାନ୍ତି ସପକ୍ଷରେ ଜନମତ ଅଧିକ ସଂଗଠିତ ହେଲେ ରୁଷ୍ ଉପରେ ନୈତିକ ଚାପ ପଡ଼ିବ। ସେହିଭଳି ନାଟୋ ଠାରୁ ୟୁଏନ୍‌ଏ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧ ବିରତି ପାଇଁ ତତ୍ପର ହେବାର ଆବଶ୍ୟକତା ଅଛି। ଭାରତର ଭୂମିକା ନେଇ ରାଜ୍ୟପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ଯୁଦ୍ଧ ବିରତି ପାଇଁ ସକରାତ୍ମକ ଭୂମିକା ନିଭାଇବାକୁ ଅନୁରୋଧ କରାଯାଇଛି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଓ ୟୁକ୍ରେନରେ ନାଟୋ, ଆମେରିକାର କୁଟନୀତି କ୍ଷତି କରୁଛି, ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ, ନାଟୋ ଓ ଆମେରିକା ୟୁକ୍ରେନକୁ ନେଇ ରାଜନୈତିକ କୁଟନୀତି ବନ୍ଦ କରନ୍ତୁ, ୟୁକ୍ରେନର ସାର୍ବଭୌମ ଓ ବ୍ୟକ୍ତି ସ୍ୱାଧୀନତା ରକ୍ଷା କରାଯାଉ, ଯୁଦ୍ଧ ସମାଧାନର ମାଧ୍ୟମ ନୁହେଁ। ସମାଧାନର ଏକମାତ୍ର ରାସ୍ତା ଶାନ୍ତି ଓ ଅହିଂସା। ଅହିଂସା ରାସ୍ତାରେ ଭାରତର ଅବଦାନ ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ରୁଷିଆ ଉପରେ କିଭଳି ଚାପ ପ୍ରୟୋଗ କରାଯିବ, ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ତ୍ୱପୂର୍ଣ୍ଣ ଭମିକା ଗ୍ରହଣ କରନ୍ତୁ।

ଆଜିର ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଦୀନେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ-ରୁଷ ସମ୍ପର୍କକୁ ନେଇ ଆମେରିକା ଦେଲା ବଡ଼ ବିବୃତ୍ତି, ଜାଣନ୍ତୁ କ’ଣ କହିଲା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛି ଯେ, ଋଷ ସହିତ ଭାରତର ସମ୍ପର୍କ ଆମେରିକା-ରୁଷ ସମ୍ପର୍କଠାରୁ ଭିନ୍ନ ଏବଂ ଏଥିରେ କୌଣସି ଅସୁବିଧା ନାହିଁ। ଏଥିରେ କିଛି ଫରକ ପଡ଼ିବ ନାହିଁ। ଆମେରିକା ଏହା ମଧ୍ୟ କହିଛି ଯେ, ଋଷ ସହିତ ସମ୍ପର୍କ ଥିବା ପ୍ରତ୍ୟେକ ଦେଶକୁ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହାର ପ୍ରଭାବ ବ୍ୟବହାର କରିବାକୁ କହିଛି।

ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଭାରତ ସହିତ ଆମେରିକାର ଗୁରୁତ୍ୱପୂର୍ଣ୍ଣ ହିତ ଏବଂ ମୂଲ୍ୟ ଜଡିତ ରହିଛି। ପ୍ରାଇସ କହିଛନ୍ତି ଯେ, “ଭାରତ ସହ ଆମର ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥ ରହିଛି। ଆମେ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବୋଧ ବାଣ୍ଟୁ ଏବଂ ଆମେ ଜାଣୁ ଯେ ଋଷ ସହିତ ଭାରତର ସମ୍ପର୍କ ଏବଂ ଋଷ ସହିତ ଆମେରିକାର ସମ୍ପର୍କଠାରୁ ଭିନ୍ନ ଅଟେ। ଏବଂ ଏଥିରେ ପ୍ରକୃତରେ କୌଣସି ଅସୁବିଧା ନାହିଁ। ”

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଋଷ ସହିତ ଭାରତର ଦୃଢ ସମ୍ପର୍କ ରହିଛି, ଯାହା ଆମ ପାଖରେ ନାହିଁ। ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଭାରତ ଏବଂ ଋଷର ସମ୍ପର୍କ ଅଛି, ଯାହା ଆମ ପାଖରେ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ୟୁକ୍ରେନରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ ଏବଂ ସେବେଠାରୁ ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣ ପାଇଁ ଋଷକୁ ସମାଲୋଚନା କରାଯାଉଛି ଏବଂ ଆମେରିକା ସମେତ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତ ସହିତ ଆମେରିକାର ବ୍ୟାପକ ରଣନୀତିକ ଭାଗିଦାରୀ ରହିଛି ବୋଲି ପ୍ରାଇସ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ, ଆସନ୍ତାକାଲି ଛାଡିବ ୨ ଟି ଏୟାର ଇଣ୍ଡିଆ ବିମାନ!

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେତୁ ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ଆଶ୍ଵସ୍ତି ଖବର ରହିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ୨ ଟି ଏୟାର ଇଣ୍ଡିଆ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ବିମାନ ଶନିବାର ଭୋର ୨ ଟାରୁ ଉଡ଼ାଣ ଆରମ୍ଭ କରିବ। ଏହି ବିମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଦେଇ ଲୋକଙ୍କୁ ଭାରତ ଆଣିବ।

ଏହାପୂର୍ବରୁ, ଭାରତୀୟ ଉଦ୍ଧାରକାରୀ ଦଳ ରୋମାନିଆ ସୀମାରେ ପହଞ୍ଚିଛନ୍ତି। ଯେଉଁଠାରୁ ୟୁକ୍ରେନର ରାଜଧାନୀ କିଭକୁ ମାତ୍ର ୧୨ ଘଣ୍ଟା ଯାତ୍ରା କରି ପହଞ୍ଚାଇ ପାରିବେ। ଉଦ୍ଧାରକାରୀ ଦଳ ଭାରତୀୟ ଲୋକଙ୍କୁ ବୁଖାରେଷ୍ଟକୁ ଆଣିବେ। ଏହା ପରେ ଏହି ଲୋକମାନେ ବିମାନରେ ଚଢିବେ। ବେସାମରିକ ବିମାନ ଉଡ଼ାଣ ପାଇଁ ଆକାଶ ସୀମା ବନ୍ଦ ଥିବାରୁ ଭାରତୀୟ ନାଗରିକମାନେ ନିରାପଦରେ ଘରକୁ ଫେରିବା ପାଇଁ ବୁଖାରେଷ୍ଟ ବିମାନରେ ଯାତ୍ରା କରିବେ।

ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନ୍ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ, ସେଠାରେ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ୟୁକ୍ରେନରେ ବିମାନ ଉଡ଼ାଣ ବନ୍ଦ ଥିବାରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

ଅନେକ ଭାରତୀୟ ନାଗରିକ କିଭରେ ଥିବା ଭାରତୀୟ ଦୂତାବାସରେ ଆଶ୍ରୟ ନେଇଥିଲେ। ଦୂତାବାସ ପରିସରରେ ଗୁଳି ବିନିମୟ ହେବାର ଖବର ମଧ୍ୟ ରହିଛି, କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଶାନ୍ତ ରହିବାକୁ ଭାରତୀୟ ଦୂତାବାସ ଲୋକଙ୍କୁ ନିବେଦନ କରୁଛି। ସେମାନଙ୍କୁ କୁହାଯାଉଛି ଯେ, ଶୀଘ୍ର ଏକ ବିକଳ୍ପ ମାର୍ଗ ଦେଇ ସେମାନଙ୍କୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି।