Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ଆସୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ, ହୋଇଛି ବଡ ଆୟୋଜନ, ୟୁଟର୍ଣ୍ଣ କରିବ ରାଜନୀତି

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ତାଙ୍କ ଚିଲିକା ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରିବେ। ସେଥିପାଇଁ ଆୟୋଜନ ହୋଇଛି ଏକ ବିରାଟ କାର୍ଯ୍ୟକ୍ରମ। କୋର୍ଟ କଟକଣା କରିଥିବାରୁ ସେ ଦୀର୍ଘ ମାସ ଧରି ଚିଲିକା ଯାଇପାରି ନାହାଁନ୍ତି। ଏବେ ଏହି କଟକଣା ଚଳିତ ଜୁଲାଇ ୨୪ ତାରିଖର ଶେଷ ହେଉଛି।

ସେଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୁଲାଇ ୨୮ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ସେଦିନ ବିଧାୟକଙ୍କୁ ପ୍ରାୟ ୫ ହଜାର ମୋଟରସାଇକଲେ ଶୋଭାଯାତ୍ରାରେ ନିଆଯିବ। ଏଥିସହିତ ପାଇକମାନଙ୍କ ଦ୍ବାରା ଏକ ବଡ ପାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି।

ଏହି ଶୋଭାଯାତ୍ରା ୨୮ ତାରିଖ ଶୁକ୍ରବାର ଦିନ ହେବ। ସେଦିନ ଏହି ଶୋଭାଯାତ୍ରା ବାଲୁଗାଁର ଐତିହାସିକ ମାମୁଁଭଣଜା ପାହାଡରୁ ଆରମ୍ଭ ହୋଇ ବାଣପୁରର ଐତିହାସିକ ପଲଟନ ପଡିଆରେ ଶେଷ ହେବ।

ତେବେ ଏହି ବିରାଟ ପଟୁଆରର ଆୟୋଜନ କରିଛି ଏକ ପାଇକ ମହାସଂଘ। ସେଦିନ ସଂଘର କର୍ମକର୍ତ୍ତାମାନେ ପାଇକ ବେଶରେ ପାଇକ ଆଖଡା କରି ପ୍ରଶାନ୍ତଙ୍କୁ ଶୋଭାଯାତ୍ରାରେ ନେବେ।

ବାଣପୁର ପଲଟନ ପଡିଆରେ ଶୋଭାଯାତ୍ରା ଶେଷ ହେବା ପରେ ସେଠାରେ ଏକ ପାଇକ ଆଖଡାର ଆୟୋଜନ ମଧ୍ୟ ହେବ। ଏଥିସହିତ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସଭାରେ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ମଧ୍ୟ ସାମିଲ ହେବେ।

ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତଙ୍କ ଦୀର୍ଘ ଦିନର ଅନୁପସ୍ଥିତ ଯୋଗୁଁ ସେଠାକାର ରାଜନୀତି ମଧ୍ୟ ଗୋଳିଆ ହୋଇ ଯାଇଛି। ନାଉରୀ ନ ଥାଇ ଚିଲିକାରେ ଡଙ୍ଗା ଚଳାଇବା ପରି ଅବସ୍ଥା ହୋଇପଡିଛି। କର୍ମିମାନେ କଣ କରିବେ, କାହାକୁ ଗୁହାରୀ କରିବେ ସେ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଦୀର୍ଘ ଅନୁପସ୍ଥିତକୁ ଦେଖି କେତେକ ନେତା ମନେ ମନେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ଜଗଦ୍ଦେବ ପ୍ରବେଶ ପରେ ସେଥିରେ ଭଟ୍ଟା ପଡିବା ସହିତ ଚିଲିକା ରାଜନୀତିର ମୋଡ ବଦଳିଯିବ ବୋଲି ଆଶା କରାଯାଉଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଚଢା ଦରରେ ବିକ୍ରି ହେଉଛି ପରିବା, ଖାଉଟି ହନ୍ତସନ୍ତ, ପ୍ରଶାସନର ନାହିଁ ଲଗାମ

ସୀତାରାମ ଅଗ୍ରୱାଲ

ଚିଲିକା: ଶ୍ରାବଣ ମାସ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ହେଲେ ଏହା ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବଜାରରେ ପରିବା ଦର ନାହିଁ ନଥିବା ମୂଲ୍ୟରେ ବିକ୍ରି ହେଉଛି। ଖାଉଟିମାନେ କେଉଁ ପରିବା କେତେ ପରିମାଣର ନେବେ ଦ୍ଵନ୍ଦରେ ପଡୁଥିବା ଦେଖାଯାଇଛି।

ଆଗରୁ କେବଳ ଟମାଟ ଦର ୧୨୦ ଟଙ୍କା ଥିବାବେଳେ ଏବେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ। ବଜାରରେ ପୋଟଳ ୧୦୦ ଟଙ୍କା, ବିନସ ୨୦୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୮୦ଟଙ୍କା, ବାଇଗଣ ୬୦ ଟଙ୍କା ଥିବାବେଳେ ମଧ୍ୟବିତ୍ତ ପରିବାର ବଜାରରୁ ପରିବା କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ପରିବା ବ୍ୟବସାୟୀଙ୍କ କହିବା ମୁତାବକ ସ୍ଥାନୀୟ ଫସଲ ନ ଥିବା କାରଣରୁ, ମାତ୍ର ଶତକଡା ୨୫ ଭାଗ ପନିପରିବା ସ୍ଥାନୀୟ ଫସଲରୁ ଆସୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପନିପରିବା ନିମନ୍ତେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଚଳିତ ବର୍ଷ ଚାଷୀମାନେ ପରିବା ଫସଲ କରିପାରି ନାହାନ୍ତି। ତେଣୁ ଆଗାମୀ ଦିନରେ ବର୍ଷାହେଲେ ପରିବା ଦର କମିବାର ଆଶା ରଖିଛନ୍ତି ବ୍ୟବସାୟୀ।

ସେପଟେ ପନିପରିବା ଦର ଉପରେ ପ୍ରଶାସନ କୌଣସି ଅଙ୍କୁଶ ଲଗାଇବାର ନିୟମ ନ ଥିବାରୁ ଲାଭଖୋର ବ୍ୟବସାୟୀ ମାନେ ଏହାର ଫାଇଦା ନେଉଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ପବିତ୍ର ରଥଯାତ୍ରା ଅବସରରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାନୁମାନ ଅନୁସାରେ ୧୭୩୧ ମସିହାରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଙ୍କଣ ଶିଖରୀରେ ୪ ମାସ ୧୬ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାସ କରିଥିଲେ। ୨୦୧୪ ମସିହାରେ ଶ୍ରୀକ୍ଷେତ୍ର ପୁରୀରୁ ନନ୍ଦିଘୋଷ ରଥର ଚକ ଆଣି ଏଠାରେ ସ୍ଥାପନ କରିବା ପରଠୁ ଅର୍ଥାତ ନଅ ବର୍ଷ ଧରି ଚିଲିକାର ନୀଳ ଜଳରାଶିରେ ରଥ ଯାତ୍ରା ପାଳନ କରାଯାଉଛି।

ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ବିଧି ବିଧାନ ପରମ୍ପରା ଅନୁଯାୟୀ ଏଠାରେ ନୀତି କାନ୍ତି ସମ୍ପନ୍ନ ହେବା ପରେ, ତିନି ଠାକୁର ମନ୍ଦିରରୁ ବାହାରି ପହଣ୍ଡି ହେଇ କାଠ ଡଙ୍ଗାରେ ନିର୍ମିତ ରଥରେ ହୋମ ଯଜ୍ଞ ପରେ ରଥାରୂଢ ହୋଇ ଚିଲିକା ମଝିରେ ଥିବା କଙ୍କଣ ଶିଖରୀ ଟାପୁ ଚାରିପଟେ ଭ୍ରମଣ କରି ଭୋଗ ମଣ୍ଡପରେ ବିରାଜ କରିଥିଲେ। ଜଗନ୍ନାଥଙ୍କ ଭକ୍ତ ତଥା ଆଦ୍ୟ ସେବକ କୁମାଣ୍ଡଳପାଟଣାର ହାଡିବନ୍ଧୁ ପଟ୍ଟନାୟକ ଛେରା ପହଁରା କରିଥିଲେ। ସ୍ଥାନୀୟ ନଈରୀ ଓ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଏହି ଅନନ୍ୟ ରଥ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଘଣ୍ଟ କାହାଳି, ହୁଳହୁଳିରେ ଫାଟି ପୁରା ଟାପୁ ଫାଟି ପଡୁଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁଙ୍କ ଚିଲିକା ମଧ୍ୟରେ ପରିକ୍ରମା କରୁଥିଲେ।

ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ମାତ୍ର ଅହେତୁକ ଭକ୍ତଙ୍କ ସମାଗମରେ ଡଙ୍ଗାର ଆବଶ୍ୟକ ମୁତାବକ ନଥିବାରୁ ବହୁ ଭକ୍ତ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

ଚିଲିକାରେ ମାଟ୍ରିକ ପ୍ରତିଭା ମେଧା ସମ୍ୱର୍ଦ୍ଧନା ସମାରୋହ

ସୀତାରାମ ଅଗ୍ରୱାଲ

ଚିଲିକା: ରବିବାର ପୂର୍ବାହ୍ନରେ ଚିଲିକା ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅଂଳାଡ଼ିହ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସଭାପତି ପ୍ରମୋଦ କୁମାର ସ୍ବାଇଁ ଏବଂ ସମ୍ପାଦକ କୁନା ମହତ୍ଵଙ୍କ ମିଳିତ ଆବାହକତ୍ୱରେ ଚଳିତ ବର୍ଷର ମାଟ୍ରିକ ପ୍ରତିଭା ମେଧା ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସଭାପତି ଶ୍ରୀ ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଚିଲିକା ଜେଏମଏଫସି କୋର୍ଟର ବିଚାରପତି ବିକାଶ ଗୋଏଲ ମୁଖ୍ୟ ଅତିଥି, ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟବକ୍ତା, ସମାଜ ସେବିକା ସ୍ୱାଗତିକା ଜଗଦେବ ଉଦ୍ଘଘାଟକ, ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡ଼ଃ ମଧୁସୂଦନ ସେନାପତି ସମ୍ମାନିତ ବକ୍ତା, ସରପଞ୍ଚ ଲିପାଲିନୀ ମହାପାତ୍ର, ବାଙ୍କୋଇସ୍ଥିତ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ଡଃ ସୁକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘର ସଦସ୍ୟ ଆଶିଷ ପତି, ଚିଲିକା ବ୍ଲକ୍ ଓଷ୍ଟା ସଭାପତି ବିଜୟ ପାତ୍ର, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ ପାଇକରାୟ, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁ, ସମାଜସେବୀ ସୁଧାକର ମହାପାତ୍ର, ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ ସୁଦର୍ଶନ ପରିଡ଼ା, ଶଙ୍କର୍ଷଣ ବେହେରା ଓ ସାଧନ କେନ୍ଦ୍ର ସଂଯୋଜକ ବିଶ୍ବଭୂଷଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବାଲେଶ୍ଵର ମହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ଆତ୍ମାର ସଦଗତି ନିମିତ୍ତ ୧୦୧ ଦ୍ଵୀପ ପ୍ରଜ୍ବଳନ କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ବ୍ଲକ୍ ଟପ୍ପର ଶୁଭଲକ୍ଷ୍ମୀ ଶତୃଶଲ୍ୟଙ୍କୁ ମୁଖ୍ୟ ଅତିଥି ମୁକୁଟ ପରିଧାନ କରାଇବା ପରେ ସମସ୍ତ ୧୬ ଟି ବିଦ୍ୟାଳୟର ଏ-୧ ଗ୍ରେଡର ୧୭ ଜଣ ବିଦ୍ୟାର୍ଥୀଙ୍କୁ ପ୍ରତିଭା ସମ୍ମାନ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଡ଼ଃ ସୁକାନ୍ତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଓ ସଭାପତି ଶ୍ରୀ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ପାଦକ କୁନା ମହତ୍ଵ ଓ ସଂଯୋଜକ ମୃତ୍ୟୁଞ୍ଜୟ ରଥ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।ପରିଶେଷରେ ଟ୍ରଷ୍ଟି ସୁରେଶ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବାଣପୁର ବିଇଓ ସନାତନ ଜାଲୀ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଇଓ ସନାତନ ଜାଲି ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟାଭାର ଗ୍ରହଣ କରିବା ପରେ ତାଙ୍କୁ ବ୍ଲକର ସମସ୍ତ ଏବିଇଓ, ସିଆରସିସି ଓ ଅଫିସ୍ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଗତ ମେ ମାସ ୩୧ ତାରିଖରେ ଚିଲିକା ପୂର୍ବତନ ବିଇଓ ନଳିନୀ କାନ୍ତ ମହାନ୍ତି ଅବସର ଗ୍ରହଣ କରିବା ପରେ ଉକ୍ତ ପଦବିଟି ଖାଲି ପଡିଥିଲା। ତେବେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରେଇ ବାଣପୁର ବିଇଓ ଶ୍ରୀ ଜାଲିଙ୍କୁ ଚିଲିକା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ପରେ ସେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ବଜ୍ରାଘାତରେ ଚାରି ଛାତ୍ର ଗୁରୁତର 

ସୀତାରାମ ଅଗ୍ରୱାଲ

ଚିଲିକା: ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତର ତାରିମି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ଚାରି ଜଣ ଛାତ୍ର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଖବର ମୁତାବକ ଅପରାହ୍ନ ପାଖାପାଖି ତିନି ଘଟିକା ସମୟରେ ଉକ୍ତ ଗ୍ରାମର ଭାଟପୋଖରା ସାହିରେ ଖରା ଛୁଟି ଉପଲକ୍ଷେ କିଛି ଛାତ୍ର ଭୋଜି କରୁଥିଲେ। ତେବେ ହଠାତ ସେହି ସମୟରେ ଉକ୍ତ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବଜ୍ରପାତ ହୋଇଥିଲା ଏବଂ ଉକ୍ତ ଛାତ୍ରମାନେ ଏହାର ଶିକାର ହୋଇଥିଲେ। ଯାହା ଫଳରେ ଚାରି ଜଣ ଛାତ୍ର ଆହତ ହୋଇଛନ୍ତି।

ଆହତ ଛାତ୍ରମାନେ ହେଲେ ଶୁଭମ ଚମ୍ପତ୍ତି, ଦିନେଶ ସାହୁ, ସୁନୀଲ ସାହୁ ଏବଂ ଜିଜ୍ଞାଂଶୁ ସାହୁ। ସମସ୍ତଙ୍କ ବୟସ ୧୬-୨୨ ମଧ୍ୟରେ ହେବ। ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ତେବେ ସେମାନଙ୍କୁ ସରକାରୀ ସହାୟତାରେ ଚିକିତ୍ସା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ବଡକୁଳ ପାନ୍ଥନିବାସରେ ଧୁମଧାମରେ ପାଳିତ ହେଲା ରଜ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଦେଶ ବିଦେଶରୁ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଛି। ମାତ୍ର ବର୍ତ୍ତମାନ ରଜ ମାହୋଲରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବଡକୁଳ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ଉକ୍ତ ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଓଟିଡିସି କର୍ମଚାରୀ ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ରଜ ଉପଲକ୍ଷେ ପର୍ଯ୍ୟଟକଙ୍କ ଭରପୁର ମନୋରଞ୍ଜନ ନିମିତ୍ତ ରଜ ଦୋଳି, ସେଲଫି ପଏଣ୍ଟ ସ୍ଥାପନ କରାଯିବାସହ ରଜ ପାନ, ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଓଟିଡିସି ପକ୍ଷରୁ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା। ଯାହାକି ରଜ ପର୍ବରେ ଭରପୁର ମଜା ନେବାପାଇଁ ସ୍ଥାନୀୟ ବାସିନ୍ଦା ସମେତ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି।

ପାଗ ମୁଖ୍ୟତଃ କୋହଲା ରହିଥିବା ବେଳେ ଗୁଳୁଗୁଳି ହେତୁ ଦିନ ସମୟରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ବେଳେ ଅପରାହ୍ନରେ ଖଚାଖଚ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଏସମ୍ବନ୍ଧରେ ପାନ୍ଥନିବାସ କର୍ତ୍ତୃପକ୍ଷ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ପର୍ଯ୍ୟଟକଙ୍କୁ ରଜର ମଜା ନେବାପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ଧୁମଧାମରେ ପାଳନ କରାଯାଇଛି।

ଏଥିସହିତ ଏହି କାର୍ଯ୍ୟକ୍ରମ ଦୀର୍ଘ ତିନି ଦିନ ଧରି ଚାଲୁ ରହିବାସହ ବିଭିନ୍ନ କିଶମର ପିଠା, ମିଠା ପ୍ରସ୍ତୁତି ସହିତ ରଜ ପାନର ମଜା ସମସ୍ତ ପର୍ଯ୍ୟଟକ ମାନେ ନେଇପାରିବେ ବୋଲି ଶ୍ରୀ କର କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ବାଣପୁର ଏନଏସି ପାଇଁ ଅନୁମୋଦନ ହୋଇଛି ୪୦୦ କୋଟି ଟଙ୍କା; ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଏବଂ ବାଣପୁର ଏନଏସି ପାଇଁ ୨୦୦ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ‘ସମୀକ୍ଷା’ କୁ ଏକ ସାକ୍ଷାତକାର ଦେଇ ସେ ଏହି ଘୋଷଣା କରିଛନ୍ତି।

ବିଧାୟକଙ୍କ କହିବା କଥା ଯେ, ଚିିଲିକା ନିର୍ବାଚନ ମଣ୍ଡଳୀର ଏହି ଦୁଇ ଏନଏସିର ଷ୍ଟର୍ମୱାଟର ଡ୍ରେନେଜ ବ୍ୟବସ୍ଥା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦ ହୋଇଛି। ଏହି କାମର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ଏକ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ମଞ୍ଜୁର ହୋଇସାରିଛି। ଡିପିଆର ପ୍ରସ୍ତୁତି ପରେ ଏହାର କାମ ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା ଆସନରୁ ଛିଡା ହେବେ ବାବା ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ଚାଲିଛି ସମୀକ୍ଷା

ଭୁବନେଶ୍ବର: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ଆରମ୍ଭ ହୋଇଛି ଭିତିରିଆ ଅଙ୍କକଷା। କେଉଁ କେଉଁଠି ଛିଡା ହେବେ ସେ ନେଇ ଚାଲିଛି ହିସାବ ନିକାଶ। କାରଣ ଏବେଠାରୁ ପ୍ରାର୍ଥୀଙ୍କୁ ଠିକ କରି ରଖିଲେ ନିର୍ବାଚନ ବେଳକୁ କୌଣସି ଅସୁବିଧା ହେବ ନାହିଁ।

ତେବେ ବିଜେଡି ପାଇଁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପୁରୀ ଲୋକସଭା ଆସନ। କାରଣ ଏହି ଆସନରୁ ଜିତିଥିବା ପିନାକୀ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଉ ଯାଉ ନାହାଁନ୍ତି। ଏପରି ପରିସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ମାନସମନ୍ଥନ।

ଦଳର ଭିତିରିଆ ଖବର ଅନୁସାରେ କୁଆଡେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ନବୀନ ଚିନ୍ତା କରୁଛନ୍ତି। କାରଣ ସେ ହି ପୁରୀ ପରି ଏକ ବଡ ନିର୍ବାଚନ ମଣ୍ଡଳୀରେ ଟକ୍କର ଦେଇ ପାରିବେ। ତାଙ୍କର ଭାବମୂର୍ତ୍ତି ବେଶ ଭଲ ରହିଥିବା ବେଳେ, ପୁରୀ ଅଞ୍ଚଳରେ ସେ ବେଶ ଜଣାଶୁଣା।

ବର୍ତ୍ତମାନ ପୁରୀ ଲୋକସଭାରୁ ବିଜେପିରୁ ସମ୍ବିତ ପାତ୍ର ଛିଡା ହେବା ନିଶ୍ଚିତ। ସେଥିପାଇଁ ସେ ବହୁଦିନ ଧରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଜୋଡିବାରେ ଲାଗିଛନ୍ତି। ଏହି ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସେ ବୁଲିବାରେ ଲାଗିଛନ୍ତି। କହିବାକୁ ଗଲେ ସମ୍ବିତ ବର୍ତ୍ତମାନ ସୁଦ୍ଧା ପୁରୀ ଲୋକସଭା ଆସନର ସମସ୍ତ ପଞ୍ଚାୟତକୁ ଦୁଇଦୁଇ ଥର ଗସ୍ତ କରିସାରିଲେଣି।

ପୁରୀରେ ସମ୍ବିତଙ୍କ ଏପରି ମାରଥନ ପ୍ରଚାର ଦେଖି ବିଜେଡି ଚିନ୍ତାରେ ପଡିଯାଇଛି। ତାଙ୍କୁ ଟକ୍କର ଦେବା ପାଇଁ ହେଲେ ସେହିପରି ଜଣେ ଧାର୍ମିକ, ଭଲ ଭାଷଣ ଦେଇପାରୁଥିବା ନେତାର ଆବଶ୍ୟକତା ରହିଛି। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରା ଫିଟ ବୋଲି ଦଳ ଚିନ୍ତା କରିଛି।

ଅନ୍ୟପକ୍ଷରେ ବାବା ପାଟ୍ଟଶାଣୀଙ୍କର ପୁରୀ ଲୋକସଭା କ୍ଷେତ୍ରରେ ସମସ୍ତ ବିଜେଡି ନେତାଙ୍କ ସହିତ ଭଲ ସଂପର୍କ ମଧ୍ୟ ରହିଛି। ପୁରୀ ଲୋକସଭା ଅଧିନରେ ଥିବା ଚିଲିକା ବିଧାନସଭା ଅଞ୍ଚଳ ହେଉଛି ତାଙ୍କର ଜନ୍ମସ୍ଥାନ। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରୀ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ଗଲେ ମୋର ପ୍ରଥମ ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’; ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏହି ନାମଟି ଉଚ୍ଚାରଣ କଲେ ଓଡିଶା ରାଜନୀତିରେ ସେ କିଏ ତାହା କହିବା ଆବଶ୍ୟକ ନାହିଁ। ସେ ହୋଇପାରନ୍ତି ବାହୁବଳୀ, ସେ ହୋଇପାରନ୍ତି ଦଉଡିବା ଘୋଡା. ସେ ହୋଇପାରନ୍ତି ରାଗ ସ୍ବାଭାବ। ହେଲେ ସବୁରି ଉପରେ ଗୋଟିଏ ନିଶ୍ଚିତ ଯେ, ସେ ଯେଉଁ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି ସେଠାକାର ଲୋକଙ୍କୁ ସେ ନିଜର କରି ନିଅନ୍ତି। ଆଉ ଜିତନ୍ତି ମଧ୍ୟ। ବାଣପୁର ପଲଟନ ପଡିଆରେ ଗାଡି ମଡାଇବା ଅଭିଯୋଗ ପରେ ତାଙ୍କୁ ଚିଲିକା ଯିବାକୁ କୋର୍ଟ ବାରଣ କରିଛନ୍ତି। ସେପଟେ ବିଜେଡି ମଧ୍ୟ ଦଳରୁ ଦୂରେଇ ଦେଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ ଭବିଷ୍ୟତ କଣ, ସେ ନେଇ ତାଙ୍କୁ ସାକ୍ଷାତ କରିଛନ୍ତି ଆମ ସମୀକ୍ଷା ପ୍ରତିନିଧି ସୀତାରାମ ଅଗ୍ରୱାଲ।

ସମୀକ୍ଷା- କୋର୍ଟ କଟକଣା ଯୋଗୁଁ ଆପଣ ଚିଲିକା ନିର୍ବାଚନ ମଣ୍ଡଳୀକୁ ଆଉ ଯାଇପାରୁ ନାହାଁନ୍ତି। ଯେତେବେଳେ ନିର୍ବାଚନ ମଣ୍ଡଳିକୁ ବିଧାୟକ ଯାଇପାରୁ ନାହିଁନ୍ତି, ସେତେବେଳେ ଚିଲିକାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିରେ ଚିଲିକାବାସୀ କାହାକୁ ଦୋଷ ଦେବେ ?

ବିଧାୟକ- ଦେଖନ୍ତୁ କୋର୍ଟ କଟକଣା ଯୋଗୁଁ ଯାଇପାରୁ ନାହିଁ, ତାହା ସତ କଥା। ହେଲେ ଚିଲିକା କାମ ଯେ, ସଂପୂର୍ଣ୍ଣ ଠପ୍ ହୋଇଯାଇଛି ତାହା କହିବା ଭୁଲ। ହଁ, ଏହା ସତ ଯେ, କାମ ଯେପରି ଦ୍ରୁତ ଗତିରେ ଆଗେଇବା କଥା ସେଥିରେ ଟିକିଏ ଧିମେଇ ଯାଇଛି। ହେଲେ ଭୁବନେଶ୍ବରରେ ରହି ଚିଲିକାର ସର୍ବାଙ୍ଗିନ ଉନ୍ନତି ପାଇଁ ଯାହା କରିବା କଥା ତାହା କରୁଛି। ଖୋର୍ଦ୍ଧା ଜିଲ୍ଲା ଅଫିସ ଏବଂ ଭୁବନେଶ୍ବର ଅଫିସରଙ୍କ ସହିତ ଯୋଗାଯୋଗ କରି ସମସ୍ତ କାମକୁ ଆଗେଇ ନେଉଛି।

ସମୀକ୍ଷା- ଜଗଦ୍ଦେବବାବୁ, କେଉଁ ଉନ୍ନତି କଥା କହୁଛନ୍ତି, କଣ ହେଉଛି ଉନ୍ନତି ? ବର୍ତ୍ତମାନ ବାଲୁଗାଁ ବାଣପୁର ଏନଏସିରେ ଏ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହୋଇପାରିଲା ନାହିଁ ? କଥାରେ କହନ୍ତି ବେଙ୍ଗ ମୁତିଲେ ବନ୍ୟା ପରି, ବାଣପୁରରେ ସାମାନ୍ୟ ବର୍ଷା ହେଲେ ସହର ଭାସୁଛି, ଆପଣ କେମିତି କହୁଛନ୍ତି ଉନ୍ନତି କାମ ହେଉଛି ?

ବିଧାୟକ- ସୀତାରାମ ବାବୁ ଆପଣ ଭଲ କଥାଟିଏ କହିଲେ। ମୁଁ ଆପଣଙ୍କୁ ଏହାର ଉତ୍ତର ମାଧ୍ୟମରେ ଏକ ନୂଆ ସୂଚନା ପ୍ରଦାନ କରିବାକୁ ଚାହୁଁଛି। ତାହା ହେଲା, ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତା ନବୀନ ପଟ୍ଟନାୟକ ବାଲୁଗାଁ ଓ ବାଣପୁର ଏନଏସିକୁ ୨୦୦ ଶହ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଟଙ୍କାରେ ଉଭୟ ସହରର ଜଳ ସଂରକ୍ଷଣ ଓ ନିସ୍କାସନ କାର୍ଯ୍ୟ କରାଯିବ।

ଆପଣ ଜାଣି ଖୁସି ହେବେ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟର ଡିପିଆର ପ୍ରସ୍ତୁତ କରିବା ପାଇଁ କୋଟିଏ ଟଙ୍କା ଅନୁମୋଦନ ହୋଇସାରିଛି। ଡିପିଆର ପ୍ରସ୍ତୁତ ପରେ କାମ ଆରମ୍ଭ ହେବ। ଆଉ ଏକ ଖୁସି ଖବର ଆପଣଙ୍କ ମାଧ୍ୟମରେ ଚିଲିକା ଜନସାଧାରଣଙ୍କୁ ଦେବା ପାଇଁ ଚାହେଁ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ପ୍ରାୟ ୧୨ ଶହ କୋଟି ଟଙ୍କାର ଉନ୍ନୟନ କାମ କରିବାକୁ ପ୍ରସ୍ତାବ କରିଛନ୍ତି। ତେଣୁ ଉନ୍ନତି କାମ ହେଉ ନାହିଁ ବୋଲି କହିବା ଭୁଲ କଥା।

ସମୀକ୍ଷା- ବର୍ତ୍ତମାନ ଆପଣ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଉ ନ ଥିବାରୁ ସେଠାକାର ରାଜନୀତି ମଧ୍ୟ ଗୋଲିଆ ହୋଇଗଲାଣି। ନେତା ନ ଥିବାରୁ କର୍ମିମାନେ ହତୋତ୍ସାହ ହୋଇପଡିଲେଣି। ଆପଣଙ୍କ ଅନୁପସ୍ଥିତରେ ଅନେକ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡିଲେଣି। କର୍ମିଙ୍କ ଭିତରେ ଆଉ ତାଳମେଳ ରହୁ ନାହିଁ। ନିର୍ବାଚନ ପାଖେଇଲାଣି, କେମିତେ ଚିଲିକାରେ ବିଜେଡିର ସଂଗଠନ କରିବେ ?

ବିଧାୟକ- ଦେଖନ୍ତୁ, କଥାରେ ଅଛି ବାଘ ନ ଥିଲେ ମିରିଗ ନାଟ, ମୋର ଦୁର୍ଭାଗ୍ୟ ଯେ, ଚିଲିକା ଯାଇପାରୁ ନ ଥିବାରୁ ସେଠାରେ କିଛି ମିରିଗ ପରି ନାଟ କରୁଛନ୍ତି। ଅନ୍ୟପଟେ କର୍ମିମାନେ ଯେଉଁ ହତୋତ୍ସାହ ହୋଇପଡିବା କଥା କହୁଛନ୍ତି ତାହା ସତ। ମୋର ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି। ଏହାପରେ ଏହି କଟକଣା ହଟିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୁଁ ଚିଲିକା ଯିବି।

ବିଜ୍ଞାନରେ ଅଛି, ଯଦି ସୂର୍ଯ୍ୟ ଉଇଁଲେ ଗଛଲତା ସବୁ କଅଁଳି ଉଠେ, ଫୁଲଫଳସବୁ ହସି ଉଠେ, ପରିବେଶ ପୁରା ସତେଜ ହୋଇଯାଏ । ଠିକ ସେହିପରି ମୁଁ ଚିଲିକା ଯିବା ପରେ ଦେଖିବେ, ପୁଣି ପୂର୍ବର ଯେଉଁ ସଂଗଠନ ଥିଲା ତାହା ସବୁ ପୁଣି କଅଁଳି ଉଠିବ। ପୁଣି କର୍ମିମାନେ ଚଳଚଞ୍ଚଳ ହୋଇ ଉଠିବେ। ପୁଣି ସଂଗଠନ ମଜବୁତ ହୋଇଯିବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, କର୍ମିଙ୍କ ମଧ୍ୟରେ ସେହି ଉତ୍ସାହ ପୁଣି ଫେରି ଆସିବ। ମୋର ପ୍ରଥମ ଲକ୍ଷ ହେବ ‘କମନ ୱାର୍କ ଫର କମନ ମ୍ୟାନ’ ।

ସମୀକ୍ଷା- ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆଉ ଚିଲିକାରୁ ନୁହଁ, ଖୋର୍ଦ୍ଧା କିମ୍ବା ବେଗୁନିଆରୁ ଛିଡା ହେବେ ?

ବିଧାୟକ- ଦେଖନ୍ତୁ, ଆପଣ କେବେ ଭାବି ଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବ ଚିଲିକାର ବିଧାୟକ ହେବେ। ଆଜ୍ଞା ମୋ ଘର ହେଉଛି ଖୋର୍ଦ୍ଧା, ମୋର ନେତା ନବୀନବାବୁ, ମୋତେ ସେ ପ୍ରଥମେ ବେଗୁନିଆରେ ଛିଡା ହେବାକୁ କହିଲେ। ସେଠାରେ ଛିଡା ହେଲି ଆଉ ଜିତିଲି ମଧ୍ୟ। ସେଇଟା ମୋର ଘର ନ ଥିଲା। ହେଲେ ପରେ ଘର ହେଲା।

ତାପରେ ୨୦୧୯ ରେ ସେହିପରି ମୋର ନେତା ନବୀନବାବୁ କହିଲେ ଚିଲିକାରୁ ଛିଡା ହୁଅ। ଛିଡା ହେଲି, ଆଉ ଭଲ ଭୋଟରେ ଜିତିଲି। ଏବେ ଚିଲିକା ମଧ୍ୟ ମୋର ଘର। ତେଣୁ ଏଥିରୁ ଆପଣ ଜାଣିପାରୁ ଥିବେ ମୋତେ ନବୀନ ବାବୁ ଯେଉଁଠାରୁ ପ୍ରାର୍ଥୀ କରୁଛନ୍ତି ମୁଁ ସେଠାରେ ଛିଡା ହୋଇଛି, ଆଉ ଜିତିକି ମଧ୍ୟ ଆସୁଛି। ସେହିପରି ଆସନ୍ତା ନିର୍ବାଚନରେ ମୋତେ ନବୀନବାବୁ ଯେଉଁଠାରୁ ପ୍ରାର୍ଥୀ କରିବେ ମୁଁ ସେହିଠାରୁ ଛିଡା ହେବି। ଆଉ ଗ୍ୟାରେଣ୍ଟି ସହ କହୁଛି ସେଠାରୁ ମଧ୍ୟ ଜିତିବି। ମୁଁ ହେଉଛି ଲଢୁଆ ପୁଅ, ଲଢିବି, ଭୟ କରିବାର ନାହିଁ।

ସମୀକ୍ଷା- ବର୍ତ୍ତମାନ ସୁଦ୍ଧା ବିଜେଡି ଆପଣଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନାହିଁ। ଫଳରେ କର୍ମୀମାନଙ୍କର ସନ୍ଦେହ ହେଲାଣି ଯେ, ଆପଣଙ୍କୁ ଆଉ ବିଜେଡି ଟିକେଟ ଦେବ ନାହିଁ। ସେଥିପାଇଁ ଆପଣ କୁଆଡେ ବିଜେପି ଆଡେ ମୁହାଁଇଲେଣି ବୋଲି ଚର୍ଚ୍ଚା ଚାଲିଛି।

ବିଧାୟକ- ହା..ହା..ହା..। ଦେଖନ୍ତୁ ଦଳ ଯେହେତୁ ନିଳମ୍ବନ ଆଦେଶ ହଟାଇ ନାହିଁ ସେଥିପାଇଁ ଏପରି ଗୁଜାବ ଉଠୁଛି। ଯେଉଁଦିନ ଦଳ ନିଳମ୍ବନ ଆଦେଶ ହଟାଇ ଦେବ ସେହି ଦିନ ହୁଏତ ଏହି ଗୁଜବ ବା ଏହି ଚର୍ଚ୍ଚା ଆଉ ହେବ ନାହିଁ। ଏପରି ଗୁଜବ ବା ଚର୍ଚ୍ଚାକୁ ମୁଁ କେବେ ବିଶ୍ବାସ କରେ ନାହିଁ। ଆଜି ପର୍ଯ୍ୟନ୍ତ ଯାହା ବି ରାଜନୀତିରେ କରିଛି ତାହା କେବଳ ବିଜେଡି ପାଇଁ କରିଛି, ଆଉ ମୋର ନେତା ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ଯୋଗୁଁ କରିପାରିଛି। ତେଣୁ ଏପରି ଗୁଜବରେ ତିଳେ ମାତ୍ର ବାସ୍ତବତା ନାହିଁ।

Categories
ଆଞ୍ଚଳିକ

ବାଣପୁରରେ “ସାହିତ୍ୟସିନ୍ଦୁରା”ର ସାହିତ୍ୟ ଜନ୍ମୋତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଅଶି,ମଶି, କାଳି, କଲମର ମାଟି ବାଣପୁରରେ ପାଳିତ ହେଲା ସାରସ୍ଵତ ଅନୁଷ୍ଠାନ “ସାହିତ୍ୟସିନ୍ଦୁରା ” ର ଜନ୍ମୋତ୍ସବ। ଓଡ଼ିଆଜାତିର ଇଷ୍ଟଦେବତା ଶ୍ରୀ ଜଗନ୍ନାଥଙ୍କ ଜନ୍ମୋତ୍ସବ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁଙ୍କ କରୁଣା ଭିକ୍ଷା କରି ଆବାହକ ଶିକ୍ଷାବିତ୍ ଗୋଲକ ପରିଡ଼ାଙ୍କ ସହଯୋଗରେ ବିଧାରପୁରର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା।

ଏହି ସାରସ୍ଵତ ସମାରୋହ ତାମିଲନାଡୁ ସରକାରଙ୍କ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାରଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ଡଃ ନୃସିଂହ ପ୍ରଧାନ, ଆଇନଜୀବି ରବି ମାନସିଂ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ମୁରଲୀଧର ସାମନ୍ତସିଂହାର,ରାଜେନ୍ଦ୍ର ପ୍ରସାଦ ରଥ, ଭିକାରୀଚରଣ ପ୍ରଧାନ,ମଦନ ମହାପାତ୍ର, ଦିଗାମ୍ବର ବିଶ୍ଵାଳ, ଡଃ କୈଳାସ ମହାରଣା, ଅଧ୍ୟାପକ ଲକ୍ଷ୍ମୀଧର ସୁବୃଦ୍ଧି, ସର୍ବେଶ୍ଵର ଷଡ଼ଙ୍ଗୀ, ମହେଶ୍ଵର ଜେନା, ରଙ୍କନାଥ ସେଠୀ, ଦିଲ୍ଲୀପ ଶତପଥି, ଶଶିଭୂଷଣ ବରାଳ, ରବୀନ୍ଦ୍ର ପ୍ରଧାନ, ଲଳିତ ମୋହନ ନାୟକ, ସଂଧ୍ୟା ଦେବୀ, ବିଷ୍ଣୁପ୍ରିୟା ଦେବୀ ପ୍ରମୁଖ ଚିଲିକା ବାଣପୁର ଅଞ୍ଚଳର ବହୁ ସାରସ୍ଵତ ପ୍ରତିଭା ଯୋଗଦେଇ ମାତୃ ଭାଷା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ କରିବାପାଇଁ ସଂକଳ୍ପ ନେଇଥିଲେ l

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ମା କାଳିଜାଈ ପୀଠ: ମିଳୁନି ପିଇବା ପାଣି, ପର୍ଯ୍ୟଟକ ହତାସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ।

ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ।

ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ ଉପରେ ସଦାସର୍ବଦା ନିର୍ଭର କରିଥାନ୍ତି ସ୍ଥାନୀୟ ବ୍ୟକ୍ତି।

ଉକ୍ତ ମନ୍ଦିରକୁ ଅନେକ ସମୟରେ କେତେ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ମାନେ ଦର୍ଶନ କରିବାକୁ ଯାଉଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା କାହାର ଦୃଷ୍ଟି ଗୋଚରରେ ଆସୁନଥିବା ସମସ୍ତଙ୍କୁ ଚକିତ କରିଛି।

ବହୁ କଷ୍ଟରେ ପାରିକୁଦ ରାଜା ସନ୍ତୋଷ ଦେଓଙ୍କ ସହାୟତା ଏବଂ ମନ୍ଦିର ପୂଜକ ଓ ଉଠା ଦୋକାନୀ ମାନଙ୍କ ପ୍ରୟାସରେ ଏଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ତାହା ଦୟନୀୟ ଅବସ୍ଥାରେ ପଡିରହିଛି।

ନୀଳ ଜଳରାଶିରେ ବୋଟିଂ ସାଙ୍ଗକୁ ପ୍ରକୃତିମୟୀ ଚିଲିକାର ମନଲୋଭା ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ସମେତ ସ୍ଥାୟୀ ବାସିନ୍ଦା ମନଭରି ଉପଭୋଗ କରିବାସହ ମା’ଙ୍କ ଦର୍ଶନ ନିମନ୍ତେ ଅହରହ ସମାଗମ ହେଉଥିଲେ ସୁଦ୍ଧା ଏଭଳି ସ୍ଥିତିରେ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

ନିଳାମ୍ବୁ ଚିଲିକା ପାଇଁ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ପୀଠର ଉନ୍ନତି ଦିଗରେ ବିଭିନ୍ନ ମସ୍ୟଜୀବୀ ସଂଘ,ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସୋଲରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୋଲରି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବାଙ୍ଗାଲୋରରୁ କୋଲକାତା ଯାଉଥିବା ଏକ କୋରିଅର ଟ୍ରକ ସହ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପଣସ ବୋଝେଇ ଟ୍ରକ ସୋଲରି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ଉଭୟ ଗାଡ଼ି ଚାଳକ ଓ ସହଯୋଗୀ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଉଭୟ ଗାଡ଼ି ରାଜରାସ୍ତାରେ ଛିଡା ହୋଇଛି।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ସର୍ବମୋଟ ୬୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବାବେଳେ ସେଥିମଧ୍ୟରୁ ୫୯ ଗୋଟି ଅଭିଯୋଗ ବ୍ୟକ୍ତିଗତ ରହିଛି ଏବଂ ୦୫ ଗୋଟି ଗୋଷ୍ଠୀ ଅଭିଯୋଗ ରହିଛି।

ଅନୁରୂପ ଭାବେ ୦୪ ଗୋଟି ଅଭିଯୋଗର ସ୍ଥଳବିଶେଷରେ ତତ୍କାଳ ସମାଧାନ କରାଯାଇଛି ଏବଂ ଜଣେ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ରେଡକ୍ରସ ପାଣ୍ଠି ରୁ ପ୍ରଦାନ କରାଯାଇଛି।

ଉକ୍ତ ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ବିଡ଼ିଓ ଜଗଦିଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ବେଗୁନିଆରୁ କିଏ ହେବ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ନା ପ୍ରଦୀପ ସାହୁ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକିଥିଲେ ମଧ୍ୟ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତି ବେଶ୍ ଉଷୁମ ହେବାରେ ଲାଗିଛି। ତେବେ ଏହା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଟିକିଏ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ତିନୋଟି ହେଭି ୱେଟ ନେତା ବିଜେଡି ଟିକେଟ ପାଇବେ ବୋଲି ଅନାଇ ବସିଛନ୍ତି। ଯାହାକୁ ନେଇ ସେଠାକାର ବିଜେଡି କର୍ମିମାନେ କୈଣସି ସ୍ପଷ୍ଟ ଚିତ୍ର ପାଇପାରୁ ନାହାଁନ୍ତି।

ବେଗୁନିଆରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ରାଜେନ୍ଦ୍ର ସାହୁ। ସେ ଖୋର୍ଦ୍ଧାରେ ଦୁଇଥର ବିଧାୟକ ହେବା ପରେ ବିଜେଡି ତାଙ୍କୁ ଗତ ନିର୍ବାଚନରେ ବେଗୁନିଆ ଠେଲି ଦେଇଥିଲା। ତାଙ୍କର ଅନିଚ୍ଛା ସତ୍ବେ ସେ ସେଠାରେ ଲଢେଇ କଲେ ଆଉ ଜିତିଲେ ମଧ୍ୟ। ହେଲେ ଗତ କିଛି ମାସ ଧରି ସେ ଆଉ ବେଗୁନିଆରୁ ପ୍ରାର୍ଥୀ ନ ହୋଇ ଖୋର୍ଦ୍ଧାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏପରି ଚର୍ଚ୍ଚା ଦେଖି ରାଜେନ୍ଦ୍ର କୁଆଡେ କର୍ମିମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ବେଗୁନିଆରୁ ହିଁ ଛିଡା ହେବେ। ବେଗୁନିଆବାସୀ ତାଙ୍କୁ କୁଆଡେ ଭଲ ପାଇବା ଦେଇଛନ୍ତି, ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସେ ବେଶ କିଛି କାମ କରିଛନ୍ତି। ସେଥିପାଇଁ ସେ ବେଗୁନିଆ ଛାଡିବେ ନାହିଁ ବୋଲି ଏକ କର୍ମି ସମ୍ମିଳନୀରେ ରାଜେନ୍ଦ୍ର ଘୋଷଣା କରିଛନ୍ତି। ଏପରି ଘୋଷଣା ସତ୍ବେ କର୍ମିମାନଙ୍କ ମନରୁ କିନ୍ତୁ ସନ୍ଦେହ ଦୂର ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ବେଗୁନିଆ ଆସନ ଉପରେ ଆଖି ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେହି ଆସନଟି ହେଉଛି ତାଙ୍କର ପୁରୁଣା ଆସନ। ଚିଲିକାରେ ପ୍ରଶାନ୍ତଙ୍କ ଉପରେ ମରଣାତ୍ମକ ଆକ୍ରମଣ ଏବଂ ଗିରଫ ହେବା ସହ ଦଳରୁ ବହିସ୍କାର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଅନ୍ୟପକ୍ଷରେ କୋର୍ଟ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯିବାକୁ ବାରଣ କରି ଥିବାରୁ ସେ ବର୍ତ୍ତମାନ ସୁଦ୍ଧା କିଛି କରିପାରୁ ନାହାଁନ୍ତି। ଫଳରେ ତାଙ୍କ ପାଇଁ ବେଗୁନିଆ ଏକ ସୁରକ୍ଷିତ ଆସନ ବୋଲି ପ୍ରଶାନ୍ତ ଚିନ୍ତା କରିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଅନୁସାରେ ସେ କୁଆଡେ ଜୁନ ମାସରୁ ବେଗୁନିଆ ସଂଗଠନକୁ ସୁଦୃଢ କରିବେ ବୋଲି ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ବେଗୁନିଆର କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ସାହୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି। ସେ ମଧ୍ୟ ବେଗୁନିଆ ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ଫଳରେ ବେଗୁନିଆରୁ ରାଜେନ୍ଦ୍ର ନା ପ୍ରଶାନ୍ତ ନା ପ୍ରଦୀପ କିଏ ପ୍ରାର୍ଥୀ ହେବ ସେ ନେଇ କର୍ମିମାନେ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ଚିଲିକା ବିଧାନସଭା ଆସନକୁ ନେଇ ବର୍ତ୍ତମାନ ବିଜେଡି କର୍ମିମାନେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି। ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବାରୁ ସେଠାରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡି ନାହିଁ। ସେହିପରି ଚିଲିକାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ରାଜେନ୍ଦ୍ର ସାହୁଙ୍କ ବେଗୁନିଆରେ ମନ ଲାଗୁ ନ ଥିବାରୁ ସେ ଖୋର୍ଦ୍ଧା ଆସିପାରନ୍ତି ବୋଲି କୁହାଯାଉଛି। ଫଳରେ ଖୋର୍ଦ୍ଧା ଜିଲ୍ଲାର ଏହି ତିନୋଟି ଆସନ କେବଳ ଆଶାୟୀଙ୍କ ପାଇଁ ନୁହେଁ ଖୋଦ ବିଜେଡି ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

Categories
ଆଞ୍ଚଳିକ

ଚିଲିକା ଶୁଣିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଚିଲିକା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପାଳିତ ହୋଇଯାଇଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ, ବାଣପୁର ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜରିପଡା ପଞ୍ଚାୟତରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନ୍ୟ ପଞ୍ଚାୟତଗୁଡିକରେ ବିଜେପିର ବହୁ ତୁଙ୍ଗ ନେତାମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତ୍ୟେକ ସ୍ଥାନରେ ଶହ ଶହ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କି ବାତ୍ ଶୁଣିଥିଲେ।

ସେହିପରି ଭାବେ ବାଣପୁର ବ୍ଲକର କୁମାରାଙ୍ଗ, ନନ୍ଦପୁର ଏବଂ ଗମ୍ଭାରୀମୁଣ୍ଡା ଆଦି ପଞ୍ଚାୟତରେ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଥିବା ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ସଂଧ୍ୟାରେ ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ତରାପି ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ରାଜ୍ୟପାଳଙ୍କୁ ପ୍ରଥମେ ଜିଲ୍ଲା ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା।

ଏହି ଅବସରରେ ଆୟୋଜିତ ସଭାରେ ପ୍ରଥମେ ଶତବାର୍ଷିକୀ କମିଟି ଉପସଭାପତି ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମ୍ମାନିତ ଅତିଥି ଭାବେ କଲିକତା ସ୍ଥିତ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ପରିପରକ୍ଷୀରେ ଏକ ଡାକ ଟିକଟ ଉନ୍ମୋଚନ ସହ ବିଦ୍ୟାଳୟ ସ୍ମରଣିକା ଉନ୍ମୋଚନ ହୋଇଥିଲା। ପରି ଶେଷରେ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସଭା ସମାପନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ ସମୀକ୍ଷା ପାଣି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରିଣୀ ସମୀକ୍ଷା ପାଣି l ସୁଶ୍ରୀ ପାଣି 2019 ବ୍ୟାଚ ଓଆରଏସ ଅଧିକାରିଣୀ। ସେ ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ତେବେ ନିକଟରେ ଭୁବନେଶ୍ୱର ସ୍ଥିତ ‘ରୋଟି’ ରେ ପ୍ରଶିକ୍ଷଣ ସାରି ଆଜି ଚିଲିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁଶ୍ରୀ ପାଣି। କାର୍ଯ୍ୟରେ ଯୋଗ ଦେଲା ପରେ ସମସ୍ତ ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ତେବେ ଚିଲିକା ତହସିଲ ଅଞ୍ଚଳରେ ଜନ ଅଭିଯୋଗ ର ସମାଧାନ, 5T ଲାଗୁ କରିବା, ଡିମାରକେସନ ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା ଆଦି ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଚିଲିକା ତହସିଲ ଏକ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ପୂର୍ବତନ ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆଙ୍କ କିଛି ମାସ ତଳେ ରଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଥିବା ବେଳେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ବାଣପୁର ବ୍ଲକରେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି।

ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟକ୍ଷମ ହେଉନଥିବା ନଳକୂପ ଗୁଡିକ ଯଥାଶୀଘ୍ର ମରାମତି ପାଇଁ ଆରଡ଼ବ୍ଲୁଏସଏସ ବିଭାଗକୁ ନିର୍ଦେଶ ଦିଆଯାଇଛି।

ବିଶେଷ କାରଣ ନ ଥିଲେ ବିଦ୍ୟୁତ କାଟ ନକରାଯିବାକୁ ବୈଠକରେ ଶୀତଲ ଅଗ୍ରୱାଲ ବିଦ୍ୟୁତ ବିଭାଗକୁ କଡା ତାଗିଦ କରିଥିଲେ। ତତସହିତ ମହାତ୍ମାଗାନ୍ଧୀ ରୋଜଗାର ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅଙ୍ଗନବାଡି ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଚୁର ଓଆରଏସ ଯୋଗାଣ ସହ ଆମ୍ବୁଲାନ୍ସ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ନିଆଁ ଲାଗିଥିବା ସ୍ଥାନରେ ତ୍ୱରିତସେବା ଯୋଗାଇବାକୁ ଅଗ୍ନିଶମ ବିଭାଗକୁ ନିର୍ଦେଶ ସହ ବରିଷ୍ଠ ନାଗରିକମାନଙ୍କୁ କୌଣସି ଜରୁରୀ କାର୍ଯ୍ୟନଥିଲେ ଖରା ସମୟରେ ଘରୁ ନବାହାରିବାକୁ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତ ଜନିତ କ୍ଷୟକ୍ଷତି ଶୂନ୍ୟ କରିବା ଲକ୍ଷରେ ବାଣପୁର ପ୍ରଶାସନ ସଜାଗ ରହିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସରକାରୀ ଜାଗାରୁ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘରଗୁଡିକୁ ଉଚ୍ଛେଦ କଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଜେଟିଠାରେ ଦୀର୍ଘବର୍ଷ ଧରି ସରକାରୀ ଜାଗାରେ ବେପାରୀମାନେ ବେପାର ବଣିଜ ଚଳାଇ ଆସୁଥିଲେ। ଯାହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଜବର ଦଖଲ ଉଚ୍ଛେଦ ନେଇ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା। ଏଥିସହିତ ବେଆଇନି ଦୋକାନ ଘର ଉଚ୍ଛେଦ କରିବା ନେଇ ଗତ ମାର୍ଚ୍ଚ ୨୫ ତାରିଖରେ ଚିଲିକା ତହସିଲଦାର ଦିଲିପି କୁମାର ଷଡ଼ଙ୍ଗୀ ଏକ ନୋଟିସ ମଧ୍ୟ ଜାରି କରିଥିଲେ।

ସରକାରୀ ଜାଗାକୁ ଦଖଲ କରି ବସିଥିବା କିଛି ବ୍ୟକ୍ତି ନିଜେ ନିଜ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିବା ବେଳେ ସରକାରୀ ନୋଟିସକୁ ବେଖାତିର କରି ଆସୁଥିଲେ। ଯାହାଫଳରେ ସୋମବାର ପୂର୍ବାହ୍ନରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତତ୍ୱବାଧାନରେ ଚିଲିକା ତହସିଲଦାର ଶ୍ରୀ ଷଡ଼ଙ୍ଗୀ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଚିଲିକା କୁଳ ଜେଟି ଠାରେ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘର ଗୁଡିକୁ ଉଚ୍ଛେଦ କରିଛନ୍ତି।

ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ମାନସିଂହପୁର ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଟାଙ୍ଗି ଥାନା ଓ କୁହୁଡ଼ି ଫାଣ୍ଡି ପୋଲିସ କର୍ମଚାରୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସାବଧାନ!, ଆଜି ବାଣପୁର-ବାଲୁଗାଁରେ ଚାଲିଛି ବାଇକ ଧରପଗଡ, ଏପର୍ଯ୍ୟନ୍ତ ୨ ଲକ୍ଷରୁ ଉର୍ଦ୍ଧ୍ଵ ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ଜଗି ରହୁଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଧରିବାରେ ଲାଗିଛି।

ଆଜି ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ତାଙ୍କର ମିଳିତ ଫାଇନ ଆଦାୟ ହୋଇଥିବା ବେଳେ ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ ପ୍ରମୋଦ ସିଂହ ଏବଂ ବାଲୁଗାଁ ପୋଲିସ ସାମିଲ ଥିଲା। ଅନୁରୂପ ଭାବେ ଖବର ଲେଖା ହେଲା ବେଳକୁ ବାଣପୁର ଥାନା ଅଞ୍ଚଳରେ ମିଳିତ ଚଢ଼ାଉ ଜାରି ରହିଅଛି। ଉକ୍ତ ଚଢ଼ାଉରେ କନିଷ୍ଠ ମୋଟରଜାନ ନିରୀକ୍ଷିକା ତୃପ୍ତିରେଖା ଜେନା ଏବଂ ବାଣପୁର ପୋଲିସ ସାମିଲ ଅଛି।