Categories
ଜାତୀୟ ଖବର ବିଶେଷ ଖବର

କରୋନା ସମୟରେ କିପରି ନିୟନ୍ତ୍ରଣ କରିବେ ମାନସିକ ଚାପ, ଜାଣନ୍ତୁ ବିଶେଷଜ୍ଞ ମତ

ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ଉଗ୍ରରୂପ ଧାରଣ କରୁଥିବା ସମୟରେ ଲୋକମାନଙ୍କ ଚଳାଚଳରେ ପ୍ରତିବନ୍ଧକ, ଆତ୍ମୀୟସ୍ୱଜନ ଏବଂ ଜଣାଶୁଣା ବ୍ୟକ୍ତିମାନଙ୍କ ମୃତ୍ୟୁ ଖବର ସାଙ୍ଗକୁ ଅତିମାତ୍ରାରେ କରୋନା ସମ୍ପର୍କୀତ ସମ୍ବାଦକୁ ସାମାଜିକ ଗଣମାଧ୍ୟମରୁ ଜାଣିବାର ଆଗ୍ରହ ଲୋକମାନଙ୍କ ମନରେ ମାନସିକ ଚାପକୁ ବଢାଇ ଦେଉଛି ବୋଲି ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ହୃଦରୋଗ ବିଭାଗ ସହକାରୀ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି କୋଭିଡ ସମୟରେ ମାନସିକ ଚାପ ନିୟନ୍ତ୍ରଣ ଶୀର୍ଷକ ଏକ ୱେବିନାର ଆଲୋଚନାରେ ଯୋଗଦେଇ ଡାକ୍ତର ଦାସ କହିଛନ୍ତି ଯେ, କରୋନା ସଂକ୍ରମଣ ସମ୍ପର୍କୀତ ବିଭିନ୍ନ କଟକଣା ଲୋକମାନଙ୍କର ରୋଜଗାର, ଚାକିରି, ଜୀବିକା ଆଦିକୁ ପ୍ରଭାବିତ କରିଛି । ଲୋକଙ୍କୁ ଏକୁଟିଆ କରିଦେଇଛି । ବିଭିନ୍ନ ପ୍ରକାରର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଲୋକଙ୍କର ମାନସିକ ଅବସାଦ ଏବଂ ଚାପ ବୃଦ୍ଧି ପାଉଛି । ଏସବୁ ଉଗ୍ର ରୂପ ଧାରଣ କରି ଆତ୍ମହତ୍ୟା ଭଳି ଘଟଣା ସମଗ୍ର ବିଶ୍ୱରେ ବର୍ତ୍ତମାନ ଦେଖାଦେଇଛି ।

ତେଣୁ ମାନସିକ ଚାପ କମାଇବା ନିମନ୍ତେ ବହି ପଢିବା, ଗୀତ ଶୁଣିବା, ଶାରୀରିକ ବ୍ୟାୟାମ କରିବା, ସାମାଜିକ ଗଣମାଧ୍ୟମ ଏବଂ ଟେଲିଭିଜନରେ ଦୀର୍ଘସମୟ ବ୍ୟୟ ନ କରିବା ଭଳି ଉପଦେଶ ଦେଇଛନ୍ତି । ମାନସିକ ଚାପର କାରଣ, ଲକ୍ଷଣ ଏବଂ ଉପଚାର ଉପରେ ବିସ୍ତୃତ ଆଲୋଚନା କରି ଏ ସମ୍ପର୍କୀତ ଚାପହ୍ରାସର ବିଭିନ୍ନ ଉପାୟ ସମ୍ପର୍କରେ ଡକ୍ଟର ଦାସ ଆଲୋଚନା କରିଥିଲେ ।

ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ୍ ନିରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ଦୈନିନ୍ଦିନ ଜୀବନରେ ମାନସିକ ଚାପ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ନିଜର ସମସ୍ୟାକୁ ନିଜେ ନିୟନ୍ତ୍ରଣ ନ କରିଲେ ଏହା ଜଟିଳ ଶାରୀରିକ ସମସ୍ୟାରେ ପରିଣତ ହୁଏ । ତେଣୁ ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଅନ୍ୟସହ ନିଜକୁ ତୁଳନା ନ କରିବା, ସହନଶୀଳ ହେବା, ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ଶାରୀରିକ ଶ୍ରମ ଆଦି ଆବଶ୍ୟକ ବୋଲି କହିଥିଲେ ।

ଶିକ୍ଷାବିତ୍ ଶ୍ରୀମତୀ ସୋମଭଦ୍ରା ତ୍ରିପାଠୀ କରୋନା କଟକଣା ଭିତରେ ଛାତ୍ର ସମାଜର ମାନସ୍ତାତ୍ତ୍ୱିକ ସମସ୍ୟା ବର୍ଣ୍ଣନା କରି ସେମାନଙ୍କ ପାଇଁ ଚିତ୍ରକଳା, ନୃତ୍ୟ, ଗୀତଗାଇବା, ଗୀତ ଶୁଣିବା, ପରିବାରବର୍ଗଙ୍କ ସହ ମିଳିମିଶି ଏକତ୍ର ବସି କଥା ହେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏସବୁ ଦ୍ୱାରା ମାନସିକ ଚାପ ହ୍ରାସ ପାଇବ ବୋଲି ମତ ଦେଇଥିଲେ ।

ଆଞ୍ଚଳିକ ଜନ ସମ୍ପର୍କ କାର‌୍ୟ୍ୟାଳୟ ତଥା ପତ୍ରସୂଚନା କାର‌୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଆଲୋଚନା ପ୍ରସଙ୍ଗରେ ସମସ୍ତଙ୍କର ମାନସିକ ଚାପ ଏବଂ ସମସ୍ୟା ପରସ୍ପରଠାରୁ ଅଲଗା ହୋଇଥିବାରୁ ଏହାର ନିରାକରଣ ନିମନ୍ତେ ପୁସ୍ତକ ପଠନ, ଜ୍ଞାନ ଆହୋରଣ ଆଦି ମାଧ୍ୟମରେ ସମୟର ସଦୁପଯୋଗ କରିବାକୁ ଉପଦେଶ ଦେଇଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କୀତ ଅନେକ ଭୁଲ ତଥ୍ୟ ପ୍ରକାଶ ପାଉଥିବାରୁ ପତ୍ରସୂଚନା କାର‌୍ୟ୍ୟାଳୟର ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ସୂଚନାଗୁଡିକୁ ଗ୍ରହଣ କରିବାକୁ କହିଥିଲେ। ଏଥିସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ ।

ଆରଓବି ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଅ।ରମ୍ଭରୁ ବିଷୟ ଉପରେ ସୂଚନା ଦେଇ କରୋନା ସମ୍ପର୍କୀତ ତଥ୍ୟଗୁଡିକ କେଉଁ ଉତ୍ସରୁ ଆସୁଛି ତାହା ତଦାରଖ କରିବା ଉଚିତ ବୋଲି କହିଥିଲେ । ବର୍ତ୍ତମାନ ପରସ୍ପର ମଧ୍ୟରେ ଥିବା ମାନବୀୟ ଆଚରଣ ସଙ୍କଟଗ୍ରସ୍ତ ହୋଇଯାଇଥିବାରୁ ପରସ୍ପର ସହ ଯୋଗାଯୋଗ ରକ୍ଷା, ସରକାରୀ ବ୍ୟବସ୍ଥା ଉପରେ ଭରସା ରଖିବା ଏବଂ ସରକାରୀ ତଥ୍ୟକୁ ବିଶ୍ୱାସକୁ ନିଆଯିବା ଉଚିତ ବୋଲି କହିଥିଲେ ।

ବର୍ତ୍ତମାନ ମାନବିକତା କ୍ଷେତ୍ରରେ ଏହା ଏକ ପରୀକ୍ଷାର ସମୟ ହୋଇଥିବାରୁ ପରସ୍ପର ମଧ୍ୟରେ ଥିବା ସାମାଜିକ ସମ୍ପର୍କକୁ ଦୃଢ କରାଯିବା ଉଚିତ ବୋଲି ମଧ୍ୟ କହିଥିଲେ । କ୍ଷେତ୍ରପ୍ରଚାର ଅଧିକାରୀ ମନମୋହନ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷକ, ଗୃହିଣୀ, ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ । ଏଥିରେ ପତ୍ରସୂଚନା କାର‌୍ୟ୍ୟାଳୟର ସମସ୍ତ ଅଧିକାରୀ, ଆରଓବିର ସମସ୍ତ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । କାର‌୍ୟ୍ୟକ୍ରମ ଶେଷର ସତ୍ୟନାରାୟଣ ନନ୍ଦ ଆଲୋଚନାର ସଂକ୍ଷିପ୍ତ ଅବତାରଣା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି: ଏଣିକି ଦିନ ୨ ଟା ପରେ ବନ୍ଦ ହେବ ଦୋକାନ ବଜାର

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମେ’ ମାସରେ କରୋନା ପିକ୍ ରେ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି।

ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟ ବ୍ୟବସାୟୀ ସଂଘ ଏକ ବଡ ନିଷ୍ପତ୍ତି ନେଇଛି। ଜୀବିକା ଠାରୁ ଜୀବନକୁ ଅଧିକ ଗୁରୁତ୍ଵ ଦେଇ ସାରା ରାଜ୍ୟରେ ସବୁ ଦୋକାନ ଦିନ ୨ଟା ପରେ ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ସପ୍ତାହନ୍ତ ସଟଡାଉନ ପରେ ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଦୋକାନ ପାଇଁ ଏହି ନିୟମ ଲାଗୁ କରିବାକୁ ସଂଘ ଘୋଷଣା କରିଛି। ଏହି ନିୟମ ମେ’ ୧୫ ତାରିଖ ଯାଏଁ ଲାଗୁ ରହିବ। କିନ୍ତୁ ଦୋକାନ ବନ୍ଦ ରହିଲେ ମଧ୍ୟ ମାଲ୍‌ ପରିବହନ ଜାରି ରହିବ। ବ୍ୟବସାୟୀ ମହାସଂଘ ସମ୍ପାଦକ ସମ୍ପାଦକ ସୁଧାକର ପଣ୍ଡା ଏନେଇ ସୂଚନା ଦେଇଛନ୍ତି।

ତେବେ କଟକ ବ୍ୟବସାୟୀ ସଂଘ ମଧ୍ୟ ମେ’ ୩ ତାରିଖରୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର‌୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ଓ ସମାଧାନ କରିବା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ଗତ ୧୪ ମାସ ଧରି କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଭାରତର ଜନସାଧାରଣଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପକୁ ମଧ୍ୟ ମନ୍ତ୍ରୀ ପରିଷଦ ସମୀକ୍ଷା କରିଥିଲା।
ଡାକ୍ତରଖାନାରେ ଶଯ୍ୟା, ପିଏସଏ ଅକ୍ସିଜେନ ସୁବିଧା ଆଦି ବଢ଼ାଇବା, ମୌଳିକ ଭିତ୍ତିଭୂମି ନିର୍ମାଣ, ଅକ୍ସିଜେନ ଉତ୍ପାଦନ, ଭଣ୍ଡାରଣ ଓ ଯୋଗାଣ ସହ ଜଡ଼ିତ ପ୍ରସଙ୍ଗର ସମାଧାନ, ଆବଶ୍ୟକ ଔଷଧ ଉପଲବ୍ଧତା ସହ ଜଡ଼ିତ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆପୋସ ସମନ୍ବୟ ସ୍ଥାପନ କରାଯାଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା।

ସମସ୍ତ ଜରୁରୀ ସାମଗ୍ରୀ ଓ ସେବା ଯୋଗାଣ ତଥା ଉପଲବ୍ଧତାକୁ ଆହୁରି ଅଧିକ ବଢ଼ାଇବା ଲାଗି ଗ୍ରହଣ କରାଯାଇଥିବା ଉପାୟ ବିଷୟରେ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖାଦ୍ୟଶସ୍ୟ ବ୍ୟବସ୍ଥା ଜରିଆରେ ସମାଜର ଦୁର୍ବଳ ଶ୍ରେଣୀକୁ ଦିଆଯାଇଥିବା ବ୍ୟାପକ ସହାୟତା ଓ ଜନଧନ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସଫଳତାପୂର୍ବକ ଦୁଇଟି ଟିକା ଉତ୍ପାଦନ କରିପାରିଛି। ଆହୁରି କେତୋଟି ଟିକା ମଞ୍ଜୁରି ପାଇବା ଏବଂ ସାମିଲ କରାଯିବାର ବିଭିନ୍ନ ପର‌୍ୟ୍ୟାୟରେ ରହିଛି। ବର୍ତ୍ତମାନସୁଦ୍ଧା ୧୫ କୋଟିରୁ ଅଧିକ ଟିକାକରଣ ହୋଇସାରିଛି।

ମନ୍ତ୍ରିପରିଷଦ ‘କୋଭିଡ ସଂକ୍ରାନ୍ତ ଉପଯୁକ୍ତ ଆଚରଣ’ ଉପରେ ଗୁରୁତ୍ବ ଦେବା ଦିଗରେ ବିଶେଷ ଧ୍ୟାନ ଦେଇଥିଲା। ମାସ୍କ ପିନ୍ଧିବା, ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଏଥିରେ ସାମିଲ ରହିଛି।

ଅତ୍ୟନ୍ତ ବ୍ୟାପକ ଉତ୍ତରଦାୟିତ୍ବକୁ ପୂରଣ କରିବା ଲାଗି ସମାଜର ଭାଗିଦାରୀ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସଙ୍କଟର ମୁକାବିଲା କରିବା ଲାଗି ଦେଶ ନିଜ ଆଡ଼ୁ ଯେକୌଣସି ପ୍ରୟାସ କରିବ ଏବଂ ଭୂତାଣୁକୁ ପରାଜିତ କରିବ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ବିଶ୍ବାସ ପ୍ରକଟ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ କୋଭିଡ-୧୯ ମହାମାରୀ ପରିଚାଳନା ଉପରେ ଏକ ଉପସ୍ଥାପନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏହି ଜିଲ୍ଲାର ସମଗ୍ର ଅଞ୍ଚଳରେ ଲାଗୁ ହେଲା ସପ୍ତାହନ୍ତ ସଟଡ଼ାଉନ

ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ବର: କରୋନା ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ମେ’ ଏବଂ ଜୁନରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ ମିଳିବ। ଏହି ଦୁଇ ମାସରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅତିରିକ୍ତ ଚାଉଳ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୧୯: ସୁସ୍ଥ ହେଲେ ୪୪୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୬ ହଜାର ୫୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ହଜାର ୫୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜୁ ଯୁବ ଜନତା ଦଳ ତରଫରୁ କୋଭିଡ଼ ହେଲ୍‌ପ ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ବିଜୁ ଯୁବ ଜନତା ଦଳ ଓଡ଼ିଶା ତରଫରୁ କୋଭିଡ଼ ହେଲ୍‌ପ ଲାଇନ୍ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି।

ବିଜୁ ଯୁବ ବ୍ୟାପାର ମୁଖ୍ୟ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ଏହା ହୋଇଯାଇଛି।

ମହାମାରୀ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା, ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା, ଟୀକା ନେବା ପାଇଁ ସାଧାରଣ ଲୋକଙ୍କୁ ପଞ୍ଜିକୃତ କରିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ଏହି କୋଭିଡ଼୍ ହେଲ୍‌ପ ଲାଇନ୍ ମାଧ୍ୟମରେ କରାଯିବ।

ସାଧାରଣ ଜନତା ଅଧିକ ବିବରଣୀ ଜାଣିବା ପାଇଁ ୯୮୫୩୨୦୧୫୪୧, ୯୪୩୭୧୦୮୨୦୨, ୯୪୩୮୧୬୬୯୦୯, ୯୪୩୯୭୯୬୫୫୨, ୯୪୩୭୭୧୦୭୭୭, ୯୩୩୮୧୭୧୪୦୮ ନମ୍ବରରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨୦୨୧ ନିମନ୍ତେ ଶ୍ରେଷ୍ଠ ପ୍ରଧ୍ୟାପକ ସମ୍ମାନରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଉତ୍କୃଷ୍ଠତାକୁ ନେଇ ଭର୍ଚ୍ଚୁଆଲି ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନିକଟରେ ୟୁଏସଏର ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ପ୍ରଫେସର ଶୁକ୍ଳାଙ୍କର ନାମ ଚୟନ କରାଯାଇଥିଲା। ମାଇନିଙ୍ଗ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲଜିରେ ବାୟୋ-ରିସୋର୍ସେସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଓ ମୁଖ୍ୟ ବୈଜ୍ଞାନିକ ଭାବେ ସେ କାର୍ଯ୍ୟ ତୁଲାଇଛନ୍ତି।

ଭାରତରେ ମାଇକ୍ରୋବାୟୋଲଜି କ୍ଷେତ୍ରରେ ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ ରହିଥିବା ବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୧୯ରେ ହାଇଡ୍ରୋ ମେଟାଲର୍ଜିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଆର.ପି.ଦାସ ମେମେରିଆଲ ଆୱାର୍ଡ, ୨୦୧୮ରେ ଗ୍ଲୋବାଲ ଏଜୁକେସନ ଆଣ୍ଡ କର୍ପୋରେଟ ଲିଡରସିପ ଆୱାର୍ଡ ଓ ୨୦୧୦ରେ ଆସୋସିଏସନ ଅଫ ମାଇକ୍ରୋବାୟୋଲଜିଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରଫେସର ଏସ.ଆର.ଭ୍ୟାସ ମେମୋରିଆଲ ଆୱାର୍ଡରେ ପ୍ରଫେସର ଶୁକ୍ଳା ସମ୍ମାନିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫ ହଜାର ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯୭, ସୁନ୍ଦରଗଡରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡାରୁ ୨୪୩, ଝାରସୁଗୁଡାରୁ ୨୪୩, ବଲାଙ୍ଗୀରିରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭, କେନ୍ଦୁଝରରୁ ୧୪୦, ମୟୂରଭଞ୍ଜରୁ ୧୩୬, ବାଲେଶ୍ବରରୁ ୧୩୫, ଗଞ୍ଜାମରୁ ୮୮, କଳାହାଣ୍ଡିରୁ ୭୮, ଭଦ୍ରକରୁ ୭୩, ନୟାଗଡରୁ ୭୦, ଗଜପତିରୁ ୬୫, ସୋନପୁରରୁ ୬୫, ଅନୁଗୁଳରୁ ୬୧, ମାଲକାନାଗିରିରୁ ୨୦, ଢେଙ୍କାନାଳରୁ ୧୬, ବୌଦ୍ଧରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୬ ହଜାର ୬୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୪୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଦେଇ ଦୁଇଟି ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟର ନିଷ୍ପତି

ଭୁବନେଶ୍ବର, ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡ଼ିକ ହେଉଛି ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍।

ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍

ହାଓଡ଼ା ଠାରୁ ପ୍ରତି ସୋମ, ମଙ୍ଗଳ, ଗୁରୁ ଓ ଶନିବାର ଦିନ ରାତ୍ରି ୧୧ଘ.୩୦ମି.ରେ ଭାସ୍କୋ-ଡ଼ା-ଗାମାକୁ ଛାଡୁଥିବା ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଟ୍ରେନ ହାଓଡ଼ା ଠାରୁ ଜୁନ ମାସ ୨୬ ତାରିଖ ପର‌୍ୟ୍ୟନ୍ତ ଚଳାଚଳ କରିବ। ସେହିଭଳି, ଫେରିବା ମାର୍ଗରେ ଭାସ୍କୋ-ଡ଼ା-ଗାମା ଠାରୁ ପ୍ରତି ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ସକାଳ ୬ଘ.୫୦ମି.ରେ ହାଓଡ଼ା କୁ ଛାଡୁଥିବା ୦୮୪୦୮ ଭାସ୍କୋ-ଡ଼ା-ଗାମା-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଭାସ୍କୋ-ଡ଼ା-ଗାମା ଠାରୁ ଜୁନ ମାସ ୨୯ ତାରିଖ ପର‌୍ୟ୍ୟନ୍ତ ଚଳାଚଳ କରିବ।

ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ

ହାଇଦ୍ରାବାଦ ଠାରୁ ପ୍ରତିଦିନ ସକାଳ ଆଠ ଘଟିକାରେ ହାଓଡ଼ା କୁ ଯାତ୍ରା କରୁଥିବା ୦୮୬୪୬ ହାଇଦ୍ରାବାଦ-ହାଓଡ଼ା ସ୍ପେଶାଲ ହାଇଦ୍ରାବାଦରୁ ୧୫ ମଇ ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ। ସେହିଭଳି, ଫେରିବା ମାର୍ଗରେ ହାଓଡ଼ା ଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ହାଇଦ୍ରାବାଦକୁ ଯାତ୍ରା କରୁଥିବା ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ୧୭ ମଇ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

ଉପରୋକ୍ତ ଟ୍ରେନଗୁଡ଼ିକ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ମନୋନୀତ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ।

Categories
ଫଟୋ ଖବର

କାରୁକାର୍ଯ୍ୟ ଭରା ଭୁବନେଶ୍ବରର କଳାରାହଙ୍ଗରେ ଥିବା ପ୍ରାଚୀନ ଜଳେଶ୍ବର ମନ୍ଦିର

ଭୁବନେଶ୍ବରର ପଟିଆ ନିକଟସ୍ଥ କଳାରାହଙ୍ଗରେ 12ଶ ଶତାଦ୍ଧୀର ପ୍ରାଚୀନ ମନ୍ଦିର ଜଳେଶ୍ବର ମନ୍ଦିର ଶୋଭା ପାଉଛି। ଏହି ମନ୍ଦିର ଗଠନ ଶୈଳୀକୁ ଲକ୍ଷ କରି କେହି କେହି 2ୟ ଲିଙ୍ଗରାଜ ମନ୍ଦିର ବୋଲି କହିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ ହେଉଛି: ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇ ଚାଲିଛି। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏହାକୁ ନଜରରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି ଯେ, ଦ୍ବିତୀୟ ଲହରରେ କୋରୋନା ଏତେ ମାରାତ୍ମାକ ହେବ ବୋଲି ଆଶା କରିନଥିଲୁ। ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଡେଇଁବ ଏବଂ ଏହାର ପ୍ରଭାବ ରାଜ୍ୟ ଉପରେ ବି ପଡିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେଥିପାଇଁ କୋଭିଡ ନିୟମ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଅନୁରୋଧ କରିଛନ୍ତି।

ଏହାସହିତ ରାଜ୍ୟରେ ଟେଷ୍ଟିଙ୍ଗ କ୍ଷମତାକୁ ବଢାଯାଇଛି। ଦୈନିକ ୫୦ ହଜାର ଉପରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ମେ’ ପହିଲାରୁ ୧୮ରୁ ୪୪ ବୟସର ବ୍ୟକ୍ତିଙ୍କୁ ଟିକାକରଣ ହେବ ବୋଲି ଯେଉଁ ଘୋଷଣା ହୋଇଥିଲା ତାହା ଏବେ ହେବ ନାହିଁ। ଦ୍ବିତୀୟ ଡୋଜକୁ ଏବେ ପ୍ରାଥମୟକତା ଦିଆଯିବ। ଟିକା ଆସିଲେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ଶନି ଓ ରବି ସଟ୍‌ଡାଉନ୍‌ରେ ରାଜ୍ୟରେ ଟିକାଦାନ ହେବ ନାହିଁ। ଏହି ଦୁଇ ଦିନ ଟିକାଦାନ କେନ୍ଦ୍ରର ସାନିଟାଇଜେସନ୍‌ ହେବ। ମେ’ ୩ ପରେ ଟିକାକରଣ ଆରମ୍ଭ ହେବ, କିନ୍ତୁ ୧୮ ବର୍ଷରୁ ୪୪ ବର୍ଷ ପାଇଁ ଟିକାଦାନ କେବେ ହେବ ଟିକା ପହଞ୍ଚିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଏବେ ହସ୍ପିଟାଲ ବ୍ୟବସ୍ଥା ଠିକ୍‌ ରହିଛି। ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିହେଉନାହିଁ। ଏବେ ୩୩% ସାଧାରଣ ବେଡ୍‌, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। କୌଣସି ହସ୍ପିଟାଲରେ ଯେପରି ସିଲିଣ୍ଡର ଖାଲି ରହିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଥିବା ସଚିବ ମଧ୍ୟ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ବାଲୁଗାଁରେ ରାଜ ରାସ୍ତା ଅବରୋଧ କଲେ ଆନ୍ଦୋଳନରତ ଛାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ।

କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ ପଢା ସମ୍ଭବ ହୋଇପାରିନି। ତେବେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ର ଛାତ୍ରୀମାନେ ସଠିକ ଭାବରେ ମହାବିଦ୍ୟାଳୟ ଗୁଡିକରେ ପଢ଼ାପଢି ହୋଇନଥିବା ହେତୁ ଏବଂ ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଦୀର୍ଘ ସମୟ ଧରି ବାଲୁଗାଁ ଗାନ୍ଧିଛକ ଠାରେ ରାସ୍ଥା ଅବରୋଧ କରିଥିଲେ।

ପରିକ୍ଷା ବାତିଲ ନ ହେଲେ ଆଗାମୀ ଦିନମାନଙ୍କରେ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ସରକାରଙ୍କୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ତେବେ କୌଣସି ଅଘଟଣକୁ ଏଡ଼େଇବା ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦୃଷ୍ଟିରୁ ବିକ୍ଷୋଭ ସ୍ଥଳରେ ବାଲୁଗାଁ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଂଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ କୌଣସି ସୂଚନା ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ବେଡ୍, ଔଷଧକୁ ନେଇ କୌଣସି ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାଗରିକ ଦ୍ଵାରା କରାଯାଉଥିବା କରୋନା ସୂଚନା ପୋଷ୍ଟ ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗୁଜବ ପ୍ରସାର କରୁଥିବା କହି ଯଦି କୌଣସି ନାଗରିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତ ଅବମାନନା କେସ ରୁଜ୍ଜୁ କରାଯିବ ବୋଲି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଡିଜିପିଙ୍କୁ ସୁପ୍ରିମକୋର୍ଟ କଡା ଆଦେଶ ଦେଇଛନ୍ତି।

ସମଗ୍ର ଦେଶରେ ଲୋକେ ଏକ ବଡ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ନାଗରିକମାନେ ତାଙ୍କର ସମସ୍ୟା ସାମାଜିକ ଗଣମାଧ୍ୟମରେ ଜଣାନ୍ତି, ତେବେ ସେଭଳି ସୂଚନା ଉପରେ କଟକଣା ଜାରି କରିବା ଉଚିତ୍ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ଅଭିଯୋଗ ଶୁଣିବା ଉଚିତ୍। ଆଜି ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏନେଇ ଗୁରୁତ୍ବାରୋପ କରିବା ସହ ସମସ୍ତ ସରକାର ଏବଂ ଡିଜିପିଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଆଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବରିଷ୍ଠ ସାମ୍ବାଦିକ ରୋହିତ ସାରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସାରଦାନାଙ୍କ ପରଲୋକ ହୋଇଯାଇଛି। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜତକ’ ରେ ରୋହିତ କାର୍ଯ୍ୟରତ ଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। କୋଭିଡ଼ରେ ସେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ୪୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ଦିନ ୨ ଟା ପରେ ଦୋକାନ ବଜାର ବନ୍ଦ ରହିବ: ସିଏମସି କମିଶନର

କଟକ: ଦିନ ୨ ଟା ପରେ କଟକର ଦୋକାନ ବଜାର ବନ୍ଦ ରହିବ। ଆସନ୍ତା ୩ ତାରିଖରୁ ଦିନ ୨ ଟା ପରେ କଟକରର ଦୋକାନ ବଜାର ବନ୍ଦ ରହିବ। ମେ’ ୧୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ। କଟକ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଲୋଡିଂ ଏବଂ ଅନଲୋଡିଂକୁ ଛାଡି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଠ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲିର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ବର: ଚିଠ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ଚିଠ୍ ଫଣ୍ଡ ମାଧ୍ୟମରେ ଗ୍ରାହକଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଆଜି ରୋଜ୍ ଭ୍ୟାଲିର ସମ୍ପତ୍ତିକୁ ଇଡି ଜବତ କରିଛି। ଇଡି ପକ୍ଷରୁ ୩୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣା: ମେ’ ୧ ରୁ ବନ୍ଦ ରହିବ ନନ୍ଦନ କାନନ

ଭୁବନେଶ୍ଵର: ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର କରୋନା କଟକଣାକୁ ମଧ୍ୟ କଡାକଡି କରୁଛନ୍ତି। ଗତକାଲି ଭୁବନେଶ୍ବରର ମାର୍କେଟ ବିଲ୍ଦିଙ୍ଗ, ରାଜମହଲ ଭେଣ୍ଡିଂ ଜୋନ ଆଦିକୁ ସିଲ୍ କରାଯାଇଥିବା ବେଳେ ନନ୍ଦନ କାନନକୁ ମଧ୍ୟ ମେ’ ୧ ତାରିଖରୁ ବନ୍ଦ କରିବା ପାଇଁ ଘୋଷଣା ହୋଇଛି।

ନନ୍ଦନକାନନ କର୍ତ୍ତୁପକ୍ଷ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହିତ ବଟାନିକାଲ ଗାର୍ଡେନକୁ ମଧ୍ୟ ବନ୍ଦ ରଖିବା ପାଇଁ ଘୋଷଣା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆସନ୍ତା ଦୁଇ ଦିନ ପାଇଁ ଟୀକାକରଣ ବନ୍ଦ: ଆଜି ପହଞ୍ଚିବ କୋଭାକ୍ସିନ ଟୀକା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ତଥା ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ଆଜି ଓଡ଼ିଶାକୁ ଟୀକା ଆସୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଆଜି କିଛି କୋଭାକ୍ସିନ ଟୀକା ଆସୁଥିବା ନେଇ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଟୀକା ଆସିବା ପରେ କେଉଁ ଦିନ ଟୀକାକରଣ ଆରମ୍ଭ ହେବ, ତାହା ନେଇ ସ୍ଥିର କରାଯିବ।

ବର୍ତ୍ତମାନ ଦ୍ଵିତୀୟ ଡୋଜ ଦେବା ପାଇଁ ଟୀକା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେଥିପାଇଁ ଦ୍ଵିତୀୟ ଡୋଜ ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶର ନାମଜାଦା ତଥା ବରିଷ୍ଠ ଓକିଲ ସୋଲି ସୋରାବଜୀଙ୍କ କରୋନା ପରଲୋକ

ନୂଆଦିଲ୍ଲୀ, ଦେଶର ଜଣେ ନାମଜାଦା ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ କରୋନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳଙ୍କୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ପଜେଟିଭ ଆସିବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ସୁପ୍ରିମ କୋର୍ଟ ତଥା ଦେଶର ଆଇନଜୀବିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

1930 ମସିହାରେ ଜନ୍ମିତ ସୋଲି 1953 ମସିହାରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଦୁଇଥର ଆଟର୍ଣ୍ଣି ଜେନେରାଲ ଏବଂ ଥରେ ସୋଲିସେଟର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି। ସେ ଦେଶର ବହୁ ପ୍ରମୁଖ ଘଟଣାର ବରିଷ୍ଠ ଓକିଲ ଭାବେ ଲଢେଇ କରିଛନ୍ତି।  ସେଥି ମଧ୍ୟରେ ରହିଛି କେଶବାନନ୍ଦ ଭାରତୀ, ଏସଆର ବୋମାଇ ଏବଂ ମେନକା ଗାନ୍ଧୀ ମାମଲା ପରିଚାଳନା କରୁଥିଲେ।

ତାଙ୍କର ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ 2002 ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ୪୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ସୁବିଧା

ଜାମନଗର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ  ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତୀ ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ଆବଶ୍ୟକ ମାନବସମ୍ବଳଚିକିତ୍ସାଗତ ସହାୟତାଉପକରଣଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ। ଏହି ହସ୍‌ପିଟାଲ ଜାମନଗରଖମ୍ଭାଲିଆଦ୍ୱାରକାପୋରବନ୍ଦର ଏବଂ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଂଚଳର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନିତା ଏମ୍ ଅମ୍ବାନି କହିଛନ୍ତି, “ଭାରତ କୋଭିଡର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ଆମେ ଯଥାସମ୍ଭବ ପ୍ରତ୍ୟେକ ଉପାୟରେ ସହାୟତା କରିବାକୁ ପ୍ରତିବଦ୍ଧ। ଅଧିକ ସ୍ୱାସ୍ଥ୍ୟସେବା ସୁବିଧା ସାମ୍ପ୍ରତିକ ସମୟରେ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଛି। ରିଲାଏନ୍ସ ଫାଉଣ୍ଡେସନ କୋଭିଡ ଆକ୍ରାନ୍ତ ରୋଗୀଙ୍କ ପାଇଁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ସ୍ଥାପନ କରୁଛି। ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟା ଥିବା ସୁବିଧା ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଆଉ ୬୦୦ ଶଯ୍ୟା ତାହା ପରବର୍ତୀ ଆଉ ଏକ ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସପିଟାଲ ଗୁଣାତ୍ମକ ଚିକିତ୍ସା ସେବା ମାଗଣାରେ ଯୋଗାଇଦେବ। ରିଲାଏନ୍ସ ଫାଉଣ୍ଡେସନ ପ୍ରତିଟି ଭାରତୀୟଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଦୃଢଭାବରେ ଛିଡା ହୋଇଛି। ମୂଲ୍ୟବାନ ଜୀବନ ବଂଚାଇବାକୁ ଆମେ ଆମର ଅକ୍ଳାନ୍ତ କାର୍ଯ୍ୟ ଜାରି ରଖିବୁ। ଏକାଠି ମିଶି ଆମେ ଏହା କରିପାରିବା ଏବଂ ଏହି ଲଢେଇରେ ଆମେ ଜିତିବା।”

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଗ୍ରୁପ୍ ପ୍ରେସିଡେଂଟ୍ ଶ୍ରୀ ଧନରାଜ ନଥ୍‌ୱାନି କହିଛନ୍ତି, “ଏହି କୋଭିଡ ମହାମାରୀ ସମୟରେ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ମୋଦି ଭାରତର ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ଗୁଜରାଟର ସମ୍ମାନାସ୍ପଦ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଭାଇ ରୁପାନି ମଧ୍ୟ ଏହି ଜଟିଳ ସମୟରେ ଗୁଜରାଟରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ କଠିନ ପରିଶ୍ରମ କରୁଛନ୍ତି। ରିଲାଏନ୍ସ ସିଏମ୍‌ଡି ମୁକେଶ ଅମ୍ବାନି ଗୁଜରାଟରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ହସପିଟାଲ ସୁବିଧା ଉପଲବ୍ଧ କରାଇବା ଦିଗରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ତେଣୁ ଆମ ଅଧ୍ୟକ୍ଷଙ୍କ ନେତୃତ୍ୱରେ ରିଲାଏନ୍ସ ଟିମ୍ ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ଦୁଇଟି କୋଭିଡ ଚିକିତ୍ସା ସୁବିଧା ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି।”

ଭାରତରେ ଯେକୌଣସି ଗୁରୁତର ସଙ୍କଟ ସମୟରେ ଏବଂ କୋଭିଡ ୧୯ ସଂକ୍ରମଣ ବ୍ୟାପିବା ପରେ ଗତ ଏକବର୍ଷ ଧରି ରିଲାଏନ୍ସ ସହାୟତାର ହାତ ବଢାଇ ଆସିଛି। ରିଲାଏନ୍ସ ଗୁଜରାଟ ଏବଂ ଦେଶର ଜନସାଧାରଣଙ୍କୁ ବିଭିନ୍ନ ଭାବରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛି। ରିଲାଏନ୍ସ ମଧ୍ୟ ଗୁଜରାଟ ଏବଂ ଆଉ କେତେକ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦେଉଛି। ଆରଆଇଏଲ ମୁମ୍ବାଇ ମହାନଗରରେ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ଯୋଗାଇ ଦେଉଛିଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଦ୍ୱାରା ୮୭୫ଟି କୋଭିଡ ଶଯ୍ୟା ପରିଚାଳିତ ହେଉଛି। ଜାମନଗର ଏବଂ ମୁମ୍ବାଇରେ ରିଲାଏନ୍ସ କୋଭିଡ ଚିକିତ୍ସା ପାଇଁ ୧୮୭୫ଟି କୋଭିଡ୍ ଚିକିତ୍ସା ଶଯ୍ୟା ସ୍ଥାପନ ଓ ପରିଚାଳନା କରିବ।