ଆସନ୍ତାକାଲିଠାରୁ ଦୁଇ ଦିନିଆ କେରଳ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Aug 31, 2022, 1:29 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର‌୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କୋଚିରେ ପ୍ରଧାନମନ୍ତ୍ରୀ

ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ।

ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବାବେଳେ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ ଲିମିଟେଡ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ଭାରତର ସାମୁଦ୍ରିକ ଇତିହାସରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥାଯୁକ୍ତ ସବୁଠାରୁ ବୃହତ ଯୁଦ୍ଧ ପୋତ ଆଇଏନଏସ ବିକ୍ରାନ୍ତ ନିର୍ମିତ ହୋଇଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ସେନାରେ କମିଶନଭୁକ୍ତ ହେବା ଦ୍ୱାରା ଭାରତର ଦୁଇଟି ଏୟାର କ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ନିଶାଣର ମଧ୍ୟ ଉନ୍ମୋଚନ କରିବେ।

ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାୟନ ଓ ଯାନ୍ତ୍ରିକକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ନମ୍ବର ବର୍ଥର ଯାନ୍ତ୍ରିକକରଣ ବ୍ୟବସ୍ଥାର ଉଦଘାଟନ କରିବେ। ଏହାର ପଣ୍ୟ ପରିବହନ କ୍ଷମତା ନୂତନ ମାଙ୍ଗାଲୁରୁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଯାନ୍ତ୍ରିକକରଣ ଟର୍ମିନାଲ ଦ୍ୱାରା ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର କରାଯାଇ ପାରିବା ସହ ସାମର୍ଥ୍ୟ ଶତକଡା ୩୫ ଭାଗ ବୃଦ୍ଧି ପାଇବ। ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ପଣ୍ୟ କାରବାର କ୍ଷମତା ୪.୨ ଏମଟିପିଏ ବୃଦ୍ଧିପାଇଛି ଓ ୨୦୨୫ ବେଳକୁ ଏହାର ୬ ଏମଟିପିଏ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦର ଦ୍ୱାରା ଅଧିଗୃହୀତ ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସମନ୍ୱିତ ଏଲପିଜି ଓ ବ୍ଲକ ଲିକ୍ୟୁଡି ପିଓଏଲ ସୁବିଧା ଯୋଗୁ ବଡ ବଡ ଗ୍ୟାସ ପରିବହନକାରୀ (୪୫ ହଜାର ଟନ ପର‌୍ୟ୍ୟନ୍ତ) ଖୁବ ଦକ୍ଷତାର ସହ କରିପାରିବ। ଏହା ସେ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଗତି ଦେବା ସହ ଦେଶର ସର୍ବୋଚ୍ଚ ଏଲପିଜି ରପ୍ତାନୀକାରୀ ବନ୍ଦର ମାନ୍ୟତା ମଧ୍ୟ ପାଇବ।

ପ୍ରଧାନମନ୍ତ୍ରୀ ଭଣ୍ଡାରଣ ଟ୍ୟାଙ୍କ ଓ ଖାଇବା ତେଲ ବିଶୋଧନାଗାର ନିର୍ମାଣର ଶିଳାନ୍ୟାସ କରିବେ। ଏହାଛଡା ବିଟୁମେନ ଭଣ୍ଡାରଣ ବ୍ୟବସ୍ଥାର ମଧ୍ୟ ଶିଳାନ୍ୟାସ କରିବେ। ଏହା ବିଟୁମେନ ଓ ଖାଇବା ତେଲ ପୋତର ରହଣି ଓ ସାମଗ୍ରିକ ମାଲ ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ କୁଲାଇଠାରେ ମଧ୍ୟ ମାଛଧରା ବନ୍ଦର ଶିଳାନ୍ୟାସ କରିବେ। ସାଗରମାଳା ପ୍ରକଳ୍ପ ଅଧୀନରେ କରାଯାଉଥିବା ଏହି କାର‌୍ୟ୍ୟ ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁବିଧା ମିଳିପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମାଙ୍ଗାଲୁରୁ ତୈଳ ବିଶୋଧନାଗାର ଓ ପେଟ୍ରୋ ରସାୟନ ଲିମିଟେଡର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାହା ହେଲା ବିଏସ-VI ଉନ୍ନୀତକରଣ ପ୍ରକଳ୍ପ ଓ ସମୁଦ୍ରଜଳ ଲବଣମୁକ୍ତ ପ୍ରକଳ୍ପ। ବିଏସ-VI ଉନ୍ନୀତକରଣ କାରଖାନା ୧୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବ। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦ୍ର ଜଳ ଲବଣମୁକ୍ତ କାରଖାନା ମଧୁର ଜଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବର୍ଷ ସାରା ହାଇଡ୍ରୋକାର୍ବନ ଓ ପେଟ୍ରୋ ରସାୟନ ଯୋଗାଣ ଅବ୍ୟାହତ ରଖିବ।

Related posts