ରାଷ୍ଟ୍ରପତି ନିର୍ବାଚନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ପର୍ଯବେକ୍ଷକ ଭାବେ ଦିଆଗଲା ନିଯୁକ୍ତି

Published: Jul 12, 2022, 10:07 pm IST

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ (ଇସିଆଇ ) ଆଜିଠାରୁ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟର ବିଧାନସଭା ସମେତ ଦିଲ୍ଲୀ, ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ସଚିବାଳୟକୁ ନିର୍ବାଚନ ସାମଗ୍ରୀ ପ୍ରେରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିରେ ନିର୍ଦ୍ଧାରିତ ବାଲାଟ ବକ୍ସ, ବାଲାଟ ପେପର, ସ୍ୱତନ୍ତ୍ର କଲମ ଓ ଅନ୍ୟାନ୍ୟ ଜଉମୁଦ ଦିଆ ନିର୍ବାଚନ ସାମଗ୍ରୀ ଆଦି ପଠାଯାଇଛି। ଏହି ସାମଗ୍ରୀ ପ୍ରେରଣ କାର୍ଯ୍ୟ ଦୁଇଦିନ ଚାଲିବ। ଚଳିତମାସ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ନୂଆଦିଲ୍ଳୀସ୍ଥିତ ‘ନିର୍ବାଚନ ସଦନ’ରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ଅନ୍ୟତମ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାମ ଚାଲିଛି।

ଏସବୁ ସାମଗ୍ରୀ ଗ୍ରହଣ କରିବାକୁ ସବୁ ରାଜ୍ୟର ସହକାରୀ ରିଟର୍ଣ୍ଣିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ଅଧିକାରୀମାନେ ନୂଆଦିଲ୍ଲୀକୁ ଆସି ନିର୍ବାଚନ ସାମଗ୍ରୀଗୁଡିକୁ ସଂଗ୍ରହ କରୁଛନ୍ତି। ଏହି ଅଧିକାରୀ ମାନେ ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ବିମାନବନ୍ଦର ଠାରେ ସେମାନଙ୍କ ପାଇଁ ଏକ ‘ହେଲପ ଡେସ୍କ’ର ବ୍ୟବସ୍ଥା କରାଯାଇଛି। ଏହି ଡେସ୍କରେ ଇସିଆଇର ଅଧିକାରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ, ଦିଲ୍ଲୀ ପୁଲିସ ଏବଂ ସିଆରଇଏସ୍ଏଫର ପ୍ରତିନିଧି ରହିଛନ୍ତି।

ନିର୍ବାଚନ ସଦନରେ ସମ୍ପୃକ୍ତ ନିର୍ବାଚନ ସାମଗ୍ରୀଗୁଡିକୁ ଭଲଭାବେ ତନଖି କରାଯିବା ପରେ ଉପଯୁକ୍ତ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ସେସବୁକୁ ବିଭିନ୍ନରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହକାରୀ ରିଟର୍ଣ୍ଣିଂ ଅଫିସରମାନଙ୍କୁ ହସ୍ତାନ୍ତର କରାଯାଉଛି। ଏହି ସମାଗ୍ରୀ ଗ୍ରହଣ କରିବାକୁ ଆସିବାବେଳେ ସମ୍ପୃକ୍ତ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ଦିଲ୍ଲୀ ପୁଲିସ ଟିମ୍ ସୁରକ୍ଷା ଯୋଗାଇ ଦେଉଛି। ସମ୍ପୃକ୍ତ ଅଧିକାରୀମାନେ ଏସବୁ ସାମଗ୍ରୀ ସଂଗ୍ରହ କରିବା ପରେ ସେହିଦିନ ନିଜ ନିଜ ରାଜ୍ୟକୁ ଫେରି ଯାଉଛନ୍ତି। ପରିବହନ ସମୟରେ ବାଲାଟବକ୍ସ ଗୁଡିକୁ ବିମାନର ଆଗ ଧାଡିରେ ରଖିବାର ବ୍ୟବସ୍ଥା କରାଯାଇଛି ଏବଂ ସେଥିପାଇଁ ସ୍ୱତନ୍ତ୍ର ଟିକଟ କରାଯାଉଛି। ଏଥି ସହିତ ନିର୍ବାଚନ ସାମଗ୍ରୀ ନେଉଥିବା ଅଧିକାରୀ ସେଗୁଡିକ ସେସବୁ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଆଗଧାଡିରେ ବସିବେ ଏବଂ ତାଙ୍କ ପାଇଁ ଅଲଗା ଟିକେଟ କରାଯାଇଛି।

ରାଜ୍ୟରୁ ଆସିଥିବା ସହକାରୀ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଆଜି ଉଦ୍ବୋଧନ ଦେବା ଅବସରରେ ସିଇସି ଶ୍ରୀ ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ପଦ୍ଧତିର କଠୋର ପରିଚାଳନା ନିର୍ବାଚନ ଆୟୋଗଙ୍କ ବିଶେଷତ୍ୱ। ନିର୍ଭୁଲ ଭାବେ, ପୂର୍ବ ନିର୍ଦ୍ଧାରିତ ନୀତି ଓ ନିୟମ ଅନୁସାରେ ନିର୍ବାଚନ ସାମଗ୍ରୀଗୁଡିକୁ ଠିକ୍ ସମୟରେ ନିରାପଦ ଓ ସୁରକ୍ଷିତ ଭାବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁୟର୍ ବା ମାନକ ନୀତି ଅବଲମ୍ବନ କରାଯାଉଛି ଏବଂ ନିର୍ବାଚନ କାର୍ଯ୍ୟରେ ଲାଗୁଥିବା ସାମଗ୍ରୀ ସବୁକୁ କିପରି ପରିବହନ କରାଯିବ ଓ ସୁରକ୍ଷିତ ରଖାଯିବ ତାହାର ନୀତି ନିୟମ ନିର୍ଦ୍ଧାରିତ ହୋଇଛି। ଏଥିରେ କୌଣସି ବ୍ୟତିକ୍ରମର ଅବକାଶ ନାହିଁ।

ସମ୍ପୃକ୍ତ ଅଧିକାରୀ ବାଲାଟ ବକ୍ସ ଆଦିକୁ ଧରି ପ୍ରାଦେଶିକ ରାଜଧାନୀରେ ପହଞ୍ଚିବା ପରେ ସେସବୁକୁ ପୂର୍ବରୁ ବିଶୋଧିତ ହୋଇଥିବା ଷ୍ଟ୍ରଙ୍ଗରୁମରେ ଜଉମୁଦ୍ ଦେଇ ରଖାଯିବ। ଷ୍ଟ୍ରଙ୍ଗରୁମ ଗୁଡିକରେ ନିରନ୍ତର ଭିଡିଓ ଗ୍ରାଫି ମନିଟରିଂ ବ୍ୟବସ୍ଥା ରହିବ। ଏହାଛଡା ରାଷ୍ଟ୍ରପତି ନିର୍ବାଚନ ଉଦ୍ଦିଷ୍ଟ ବାଲାଟ ପେପର ଗୁଡିକୁ ମଧ୍ୟ ଜଉମୁଦ ଦେଇ ଷ୍ଟ୍ରଙ୍ଗରୂପରେ ସୁରକ୍ଷିତର ରଖିବାକୁ ହେବ।

ନିର୍ବାଚନ ସରିବା ପରେ ଭୋଟ କାଗଜ ପଡିଥିବା ଜଉମୁଦ ଦିଆ ବାଲାଟବକ୍ସ ଓ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରିଟର୍ଣ୍ଣିଂ ଅଫିସରେ ଅର୍ଥାତ୍ ରାଜ୍ୟସଭା ସଚିବାଳୟରେ ପରବର୍ତ୍ତୀ ବିମାନ ଯୋଗେ ପରିବହନ ସମୟରେ ଭୋଟବାକ୍ସ ଓ ଅନ୍ୟ ସମସ୍ତ ନିର୍ବାଚନ ସାମଗ୍ରୀ ବିମାନର କ୍ୟାବିନରେ ରହିବ ଏବଂ ସମ୍ପୃକ୍ତ ଅଧିକାରୀ ତାହା ଉପରେ ତୀକ୍ଷ୍ମ ବ୍ୟକ୍ତିଗତ ନଜର ରଖିବେ।

ନିର୍ବାଚନ ଆୟୋଗ ଇତିମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପରିଚାଳନା ପାଇଁ ସହକାରୀ ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିଛନ୍ତି। ଜୁନ ୧୩ତାରିଖରେ ରିଟର୍ଣ୍ଣିଂ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନୀ ଅଧିକାରୀମାନଙ୍କର ଏକ କର୍ମଶାଳା ଏଥିପାଇଁ ମଧ୍ୟ ଆୟୋଜିତ ହୋଇଥିଲା।

ନୂଆଦିଲ୍ଲୀର ବିଜ୍ଞାନଭବନରେ ଆୟୋଜିତ ଏହି କର୍ମଶାଳାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହାଛଡା ନିର୍ବାଚନ ପରିଚାଳନାକାର୍ଯ୍ୟ ଓ ତଦାରଖ କରିବା ପାଇଁ ଆୟୋଗ ୩୭ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନଙ୍କର ଏହି ବୈଠକ ଚଳିତ ମାସ ୧୧ତାରିଖରେ ଅନୁଷ୍ଠିତ ହୋଇଥିଲା। ସେଥିରେ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସୂଚନା ଆୟୋଗ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ପର୍ଯ୍ୟବେକ୍ଷକମାନେ ବରିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ସେମାନେ ଭାରତ ସରକାରଙ୍କ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ଅଫିସର।

ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୩୦ଟି ଓ ସଂସଦଭବନରେ ଦୁଇଟି ଭୋଟ ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ର ପାଇଁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସାମଗ୍ରୀର ପରିବହନ, ସୁରକ୍ଷା ଆଦି କଥା ତଦାରଖ କରିବା ସହିତ ନିର୍ବାଚନ ଯେପରି ନିରପେକ୍ଷ ଓ ଅବାଧରେ ହେବ ତାହା ସୁନିଶ୍ଚିତ କରିବେ। ଚଳିତମାସ (ଜୁଲାଇ ୨୦୨୨) ୨୧ତାରିଖରେ ଭୋଟ ଗଣତି ହେବ। ସଂସଦଭବନରେ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଏହି କାର୍ଯ୍ୟ ତଦାରଖ କରିବେ।

Related posts