Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ବ୍ଲକର ୩୦ ଜଣ ଓ ବାଲିଅନ୍ତା ବ୍ଲକର ୧୦ ଜଣ ମୋଟ ୪୦ ଜଣ ଆପଦ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏଥିରେ ଅଗ୍ନିଶମ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ଏବଂ ସିଭିଲ ଡିଫେନ୍ସର କର୍ମକର୍ତ୍ତା ମାନେ ତାଲିମ ପ୍ରଦାନ କରିବେ।

ଜିଲ୍ଲା ଦୁର୍ବିପାକ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଆପଦକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ କୂଳଦୀପ ପାଲଟାସିଂ ପ୍ରମୁଖ ସହଯୋଗ କରିଛନ୍ତି।

Categories
ଆଞ୍ଚଳିକ

କଳାହାଣ୍ଡି: ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ରକ୍ଷକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବାରେ ତାଲିମ ଦିଆଯାଇଥିବା “ରକ୍ଷକ” ସଦସ୍ୟମାନଙ୍କୁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ  ରକ୍ଷକର ରାଷ୍ଟ୍ରୀୟ ପ୍ରଶିକ୍ଷକ ଅଙ୍କୁର ଶର୍ମା ରକ୍ଷକ ପ୍ରକଳ୍ପ ମାଧ୍ୟମରେ ଦୁର୍ଘଟଣା ମାତ୍ରା ହ୍ରାସ କରିବା ସହ ଅମୂଲ୍ୟ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ପୋଲିସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ର ଶେଖର ଶବର ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରୀକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପ୍ରଶିକ୍ଷକ ରତିକାନ୍ତ ନାଥଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ଭାବେ ସଂଜିବ କୁମାର ସାହୁ, ଶାନ୍ତନୁ କୁମାର ପରିଡା, ଦଇତାରି ପୁଜାରୀ, ରାମ ନାରାୟଣ ଦାଶ,ନାରାୟଣ ପ୍ରଧାନ, ମଦନ ମୋହନ ପ୍ରଧାନ,ଶିବ ପ୍ରସାଦ ସା, ପଲ୍ଲୀଶ୍ରୀ ପଟ୍ଟନାୟକ, ରଜନୀକାନ୍ତ ଜେନା, ରାଧାରାଣୀ ନାୟକ, ଭବାନୀ ଶଙ୍କର ପଣ୍ଡା, ସଂଜୟ କୁମାର ପୁରୋହିତ, ଗିରିରାଜ ଗହୀର, ସୁଧିର କୁମାର ପଣ୍ଡା, ବିଶ୍ବ ରଂଜନ ବେହେରା, ସୁଶାନ୍ତ କୁମାର ସାହୁ, ଅନୀଲ କୁମାର ମାଝୀ, ଗୋବିନ୍ଦ ବ୍ରହ୍ମା, ସୁଦାମ ଚରଣ ମିଶ୍ର, ମିଲନ କିଶୋର କୁମାର, ଦୁର୍ଯୋଧନ ପଶାୟତ, ରଶ୍ମୀ ରାଣୀ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଅନିଲ କୁମାର ସା, ବିରଞ୍ଚି ନାରାୟଣ ଦାଶ, ଜୟଦେବ ବେହେରା, ଡମ୍ବରୁ ଧର ମାଝୀ, ନେତ୍ରାମ ହଂସ, ମୋହନ ଚରଣ ବିଷି ପ୍ରମୁଖ ରେଡକ୍ରସ ପରାମର୍ଶଦାତା, ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର ଅଧିକାରୀମାନଙ୍କୁ  ରକ୍ଷକ ତାଲିମ ପ୍ରମାଣ ପତ୍ର ଓ ପ୍ରାଥମିକ ଚିକିତ୍ସା କିଟ୍ ପ୍ରଦାନ କରାଯାଇଥିଲା।

ଏହି ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ଆଗାମୀ ଦିନରେ ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ପ୍ରଦାନ କରିବେ ଓ ସେମାନେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ ସୁରକ୍ଷା ପ୍ରଦାନ କରି “ରକ୍ଷକ” ସାଜିବେ।

Categories
ବିଶେଷ ଖବର ରାଜ୍ୟ ଖବର

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି। ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ। ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।

ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ। ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ। ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ।