Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀ ପରିଣାମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଜି-୨୦ ନେତୃମଣ୍ଡଳୀ ସମ୍ମିଳନୀର ଫଳାଫଳକୁ ନେଇ ହୋଇଥିବା ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଭାରତର ଜି-୨୦ ଶେରପା ଅମିତାଭ କାନ୍ତ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ବିନୟ ମୋହନ କ୍ୱାତ୍ରା ଏବଂ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ଯୋଗ ଦେଇଥିଲେ।

ଡଃ ମିଶ୍ର କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀ ଏକ ସମୟର ବ୍ୟାପାର ନୁହେଁ ଏବଂ ଭାରତୀୟ ଅଧ୍ୟକ୍ଷତା ଦୃଢ଼ ପରିଣାମ ପ୍ରଦାନ କରିଛି ଯାହାକୁ ନିବିଡ଼ ଭାବରେ ଅନୁସରଣ ଏବଂ ତଦାରଖ କରାଯାଉଛି । ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ସମସ୍ତ ସଂପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ସେମାନଙ୍କ କ୍ଷେତ୍ର-ଆଧାରିତ ଫଳାଫଳ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯାଇଛି। ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ଗୋଷ୍ଠୀ ମଧ୍ୟ ଗଠନ କରାଯାଉଛି ।

ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ଜି-୨୦ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ରହିବାକୁ ଏହି ବୈଠକରେ ଡ. ପି.କେ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ।

ଭର୍ଚୁଆଲ୍ ଜି-୨୦ କୁ କାର୍ଯ୍ୟକାରୀ କରିବା ପାଇଁ ଜି-୨୦ ସଚିବାଳୟ, ଆର୍ଥିକ ବ୍ୟାପାର ବିଭାଗ, ବୈଦେଶିକ ମନ୍ତ୍ରଣାଳୟ ଆଦି ସମସ୍ତେ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି।

ଜି-୨୦ ଘୋଷଣାପତ୍ର ଏବଂ ପୂର୍ବରୁ ମନ୍ତ୍ରୀ/କାର୍ଯ୍ୟକାରୀ ଗୋଷ୍ଠୀ ବୈଠକର ପରିଣାମ ଉପରେ ଧ୍ୟାନ ଦେବାକୁ ଡ. ମିଶ୍ର ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଅଂଶୀଦାରମାନଙ୍କ ସହିତ ୱେବିନାର ଆୟୋଜନ କରିବା ଏବଂ ଏହି ପ୍ରକ୍ରିୟାରେ ରାଜ୍ୟ ସରକାର ଏବଂ ଥିଙ୍କଟ୍ୟାଙ୍କମାନଙ୍କୁ ସାମିଲ କରିବାକୁ ସେ ମନ୍ତ୍ରଣାଳୟଗୁଡ଼ିକୁ କହିଛନ୍ତି।

ବିଶେଷ କରି ଆଫ୍ରିକୀୟ ସଂଘ ଏବଂ ସାଧାରଣତଃ ଦକ୍ଷିଣ ବିଶ୍ୱ ପ୍ରତି ଆମର ସମର୍ଥନ ସମସ୍ତ କାର୍ଯ୍ୟରେ ଜାରି ରହିବା ଉଚିତ ବୋଲି ଡ. ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ଆଫ୍ରିକା ସଂଘ ସହ ସମ୍ପର୍କ ବଢ଼ାଇବା ପାଇଁ ଆମକୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି, ଯାହା ପ୍ରଧାନମନ୍ତ୍ରୀଙ୍କ ହୃଦୟର ଅତି ନିକଟତର ବିଷୟ। ଜି-୨୦ ସଂକଳ୍ପରେ ଦକ୍ଷିଣ ବିଶ୍ୱ ପାଇଁ ସମର୍ଥନ ଓ ସହାୟତା ଦୃଷ୍ଟିରୁ ଭାରତର ଅଧ୍ୟକ୍ଷତା ଏକ ଅଭୂତପୂର୍ବ ଉପଲବ୍ଧି ବୋଲି କୁହାଯାଇଥିଲା।

Categories
ବିଶେଷ ଖବର

ଜି – ୨୦ ପ୍ରସ୍ତୁତି ସମନ୍ୱୟ କମିଟିର ନବମ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୁୟାଦିଲ୍ଲୀ: ୨୦୨୩ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡଃ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଜି – ୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଜି – ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ୍‌, ପ୍ରୋଟୋକଲ୍‌, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭାରତ ମଣ୍ଡପମ୍‌ର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି। ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମ୍‌ରେ ସଂସ୍କୃତି ଏବଂ ‘ଗଣତନ୍ତ୍ରର ମାତା’ ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମ ସ୍ଥଳରେ ନଟରାଜ ପ୍ରତିମୂର୍ତ୍ତି ସ୍ଥାପନର ଅଗ୍ରଗତି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତା ମାନଙ୍କର ପତ୍ନୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ପ୍ରଥମ ଥର ପାଇଁ ଜି- ୨୦ ପାଇଁ ‘ଜି- ୨୦ ଇଣ୍ଡିଆ’ ନାମକ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି, ଯାହା ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ। ଭାରତ ମଣ୍ଡପମ୍‌ରେ ପ୍ରତିଷ୍ଠା ହେବାକୁ ଥିବା ‘ଇନୋଭେସନ୍ ହବ୍‌’ (ନବସୃଜନ କେନ୍ଦ୍ର) ଏବଂ ‘ଡିଜିଟାଲ୍ ଇଣ୍ଡିଆ ଏକ୍ସପେରିମେଣ୍ଟାଲ ହବ୍‌’ (ଡିଜିଟାଲ୍ ଇଣ୍ଡିଆ ପରୀକ୍ଷଣ କେନ୍ଦ୍ର) ଜରିଆରେ ଜି- ୨୦ ପ୍ରତିନିଧି ଓ ଗଣମାଧ୍ୟମର ସଦସ୍ୟମାନେ ଡିଜିଟାଲ୍ ଇଣ୍ଡିଆକୁ ପ୍ରତ୍ୟକ୍ଷ ଭାବେ ଦେଖିବେ।

ଲଜିଷ୍ଟିକ ଦୃଷ୍ଟିକୋଣରୁ ଡ୍ରିଲ୍ ଆୟୋଜନ କରାଯିବା ସହ ଆଗାମୀ ଦିନରେ ଡ୍ରେସ୍ ରିହର୍ସାଲ୍ କରିବାକୁ ଯୋଜନା କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦିଗ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଜନସାଧାରଣଙ୍କ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୁରକ୍ଷା ଓ ପ୍ରୋଟୋକଲ କାରଣରୁ କଟକଣା ଜାରି କରା ଯାଉଥିଲେ ମଧ୍ୟ ଜନସାଧାରଣ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ପ୍ରୟାସ କରାଯିବା ଉଚିତ୍ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରିଥିଲେ। ସହରରେ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଟ୍ରାଫିକ୍ କଟକଣା ସମ୍ପର୍କିତ ଯୋଗାଯୋଗକୁ ଅଧିକ ଉପଭୋକ୍ତା ଅନୁକୂଳ କରାଯିବ।

ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବିଦେଶୀ ଗଣମାଧ୍ୟମକୁ ମିଶାଇ ୩୬୦୦ରୁ ଅଧିକ ଅନୁରୋଧ ଗ୍ରହଣ କରାଯାଇଛି ଏବଂ ମାନ୍ୟତା ପତ୍ର ଜାରି କରାଯାଉଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ମଣ୍ଡପମ୍‌ରେ ଥିବା ମିଡିଆ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।

ଏକ ନିରପେକ୍ଷ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ସଂପୃକ୍ତ ଅଧିକାରୀ ଓ ସଂଗଠନ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଏଜେନ୍ସି ମଧ୍ୟରେ ସୁରୁଖୁରୁରେ ସମନ୍ୱୟ ରକ୍ଷା ପାଇଁ ଭାରତ ମଣ୍ଡପରେ ଏକ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା କିଛି ଦିନ ଧରି ପ୍ରମୁଖ ଶାସନ ସଚିବ କ୍ଷେତ୍ର ଓ ସ୍ଥଳ ପରିଦର୍ଶନ କରି କାର୍ଯ୍ୟସ୍ଥଳୀରେ ପ୍ରସ୍ତୁତି ସ୍ଥିତି ଯାଞ୍ଚ କରିବେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଚିନ୍ତା ବଢାଇଲା କରୋନା ଭୂତାଣୁର ନୂଆ ପ୍ରତିରୂପ: ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.୨.୮୬ (ପିରୋଲା) ଏବଂ ଇଜି.୫ (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.୨.୮୬ (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି। ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Categories
ବିଶେଷ ଖବର

ଜି-୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ସୋମବାର ଦିନ ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି।

ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀ ନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି। ସେ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଭୀଷଣ ଗ୍ରୀଷ୍ମ ଲହରୀ, କାନାଡା ଜଙ୍ଗଲରେ ନିଆଁ ଏବଂ ଏହାପରେ ଉତ୍ତର ଆମେରିକାର ବିଭିନ୍ନ ଭାଗରେ ସହରଗୁଡ଼ିକୁ ପ୍ରଭାବିତ କରୁଥିବା କୁହୁଡ଼ି ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପରେ ବଡ଼ ବାତ୍ୟା ଆଦିର ଉଦାହରଣ ଦେଇଥିଲେ। ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠୁ ବଡ଼ ବନ୍ୟା ହୋଇଥିବା ପ୍ରମୁଖ ସଚିବ କହିଥିଲେ।

ପ୍ରମୁଖ ସଚିବ ଜୋର ଦେଇ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟର ପ୍ରଭାବ ବହୁତ ବ୍ୟାପକ ଏବଂ ପ୍ରକୃତି ସହ ଆପୋସ ଭାବେ ଜଡ଼ିତ, ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ଆମେ ଅନୁଭବ କରିସାରିଲୁଣି। ବିଶ୍ୱ ସମ୍ମୁଖରେ ଦେଖା ଦେଉଥିବା ଆହ୍ୱାନ ଏବଂ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି, ପ୍ରମୁଖ ସଚିବ ଜି୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ମହତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଗୋଷ୍ଠୀ ବିଶେଷ ଅଗ୍ରଗତି ହାସଲ କରିଛି ଏବଂ ଭଲ ଧାରାରେ ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ। ବିଶ୍ୱ ସମ୍ମୁଖରେ ଆସୁଥିବା ସମସ୍ୟା ଦୂର କରିବା ଲାଗି ମହତ୍ୱାକାଂକ୍ଷୀ ହେବା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ, ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଯାହାଫଳରେ ଏକ ନୂଆ ବିପର୍ଯ୍ୟୟ ବିପତ୍ତିକୁ ରୋକିବା ସହିତ ପୂର୍ବର ବିପତ୍ତି ମୁକାବିଲା କରିବା ନିମନ୍ତେ ଏକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।

ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରୟାସରେ ସମନ୍ୱୟ ଆଣିବା ଲାଗି ସାମୂହିକ ପ୍ରୟାସକୁ ଆହୁରି ବ୍ୟାପକ କରିବା ଉପରେ ଶ୍ରୀ ମିଶ୍ର ଜୋର ଦେଇଥିଲେ। ସଂକୀର୍ଣ୍ଣ ସଂସ୍ଥାଗତ ଦୃଷ୍ଟିକୋଣ ଦ୍ୱାରା ପରିଚାଳିକ ଖଣ୍ଡିତ ପ୍ରୟାସ ପରିବର୍ତ୍ତେ ସମସ୍ୟା ସମାଧାନ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ। ‘‘ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ’’ କାର୍ଯ୍ୟକ୍ରମ ପାଇଁ ମିଳିତ ଜାତିସଂଘ ମହାସଚିବଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ‘‘ଆଗୁଆ ଚେତାବନୀ ଓ ଆଗୁଆ ପଦକ୍ଷେପ’’କୁ ଜି୨୦ ପାଞ୍ଚଟି ପ୍ରାଥମିକତା ମଧ୍ୟରୁ ଗୋଟିଏ ଭାବେ ଗ୍ରହଣ କରିଛି ଏବଂ ଏଥିପାଇଁ ବିଶେଷ ଜୋର ଦେଉଛି।

ବିବର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ସବୁ ଦିଗରୁ ଢାଞ୍ଚାଗତ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉପରେ ପ୍ରମୁଖ ସଚିବ ଜୋର ଦେଇଥିଲେ। ସେ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଭାରତରେ ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଅର୍ଥବିନିଯୋଗ ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛୁ। କେବଳ ବିପର୍ଯ୍ୟୟ ମୁକାବିଲା ନୁହେଁ ବରଂ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି ଓ ପୁନରୁଦ୍ଧାର ପାଇଁ ଆମେ ଏକ ଆକଳନଯୋଗ୍ୟ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ। ବିଶ୍ୱସ୍ତରରେ ଆମେ ଏପରି ବ୍ୟବସ୍ଥା କରିପାରିବା ନାହିଁ କି? ବୋଲି ସେ ପ୍ରଶ୍ନ କରିଥିଲେ। ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠିଯୋଗାଣର ସବୁ କ୍ଷେତ୍ରରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ।

ସେ କହିଥିଲେ ଯେ, ଜଳବାୟୁ ପାଣ୍ଠି ଯୋଗାଣକୁ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣର ଏକ ପ୍ରମୁଖ ଅଙ୍ଗ ଭାବେ ସାମିଲ କରାଯିବା ଉଚିତ୍‌। ଏ କ୍ଷେତ୍ରରେ ଘରୋଇ ପାଣ୍ଠି ଯୋଗାଣ ପାଇଁ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମିଶ୍ର ପ୍ରଶ୍ନ ଛଳରେ କହିଥିଲେ, ‘‘ସରକାର ଘରୋଇ ପାଣ୍ଠିଯୋଗାଣକୁ ଆକୃଷ୍ଟ କରିବା ଲାଗି କିଭଳି ପରିବେଶ ସୃଷ୍ଟି କରିବା ଉଚିତ? ଜି-୨୦ ଏ ଦିଗରେ କିପରି କାର୍ଯ୍ୟ କରିପାରିବ ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଣ୍ଠି ଯୋଗାଣକୁ କେବଳ କର୍ପୋରେଟ୍‌ ସାମାଜିକ ଉତ୍ତରଦାୟିତ୍ୱର ଅଭିବ୍ୟକ୍ତି ନୁହେଁ ବରଂ ସଂସ୍ଥାର ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କରାଯାଇପାରିବ?’’

ଜି୨୦ ରାଷ୍ଟ୍ର, ମିଳିତ ଜାତିସଂଘ ଓ ଅନ୍ୟମାନଙ୍କ ସହଭାଗିତାରେ କିଛି ବର୍ଷ ପୂର୍ବରୁ ଗଠନ କରାଯାଇଥିବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟର ଲାଭ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ। ମେଣ୍ଟର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରମୁଖ ସଚିବ କହିଥିଲେ ଯେ, ଏହା ଛୋଟ ଦ୍ୱୀପ ସମେତ ଅନ୍ୟ ଦେଶମାନଙ୍କୁ ଉନ୍ନତ ବିପତ୍ତି ଆକଳନ କରିବା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଧିକ ବିପତ୍ତି ସଚେତନ ନିବେଶ କରିବା ଲାଗି ସଚେତନ କରିଥାଏ।

‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି ଆମକୁ ଆର୍ଥିକ ବ୍ୟବସ୍ଥା, ସଂସ୍ଥାଗତ ବ୍ୟବସ୍ଥା ଓ କ୍ଷମତା ନିର୍ମାଣ ଜରିଆରେ ‘ପୁନରୁଦ୍ଧାର ପାଇଁ ପ୍ରସ୍ତୁତି’ ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ।

କାର୍ଯ୍ୟଗୋଷ୍ଠୀର ପାଞ୍ଚଟି ପ୍ରାଥମିକତା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ଅଗ୍ରଗତିକୁ ନେଇ ପ୍ରମୁଖ ସଚିବ ସନ୍ତୋଷ ପ୍ରକାଶ କରିଥିଲେ। ଜି-୨୦ ଦେଶମାନଙ୍କ ପାଇଁ ବିପର୍ଯ୍ୟୟ ବିପତ୍ତି ହ୍ରାସ ଉପରେ ଅତି ସ୍ପଷ୍ଟ ଓ ରଣନୈତିକ ଏଜେଣ୍ଡା ଆଗକୁ ବଢ଼ୁଥିବା ସମ୍ପର୍କରେ ପ୍ରମୁଖ ସଚିବ ସୂଚନା ଦେଇଥିଲେ। ସମନ୍ୱୟ, ସହମତି ଏବଂ ସହଭାଗୀ ନିର୍ମାଣ ଭାବନା ନେଇ ଏହି କାର୍ଯ୍ୟଗୋଷ୍ଠୀ ଆଗକୁ ମଧ୍ୟ ବିଚାରବିମର୍ଶ ଜାରି ରଖିବ ବୋଲି ଶ୍ରୀ ମିଶ୍ର ବିଶ୍ୱାସ ପ୍ରକଟ କରିଥିଲେ।

ପୂର୍ବର ଜି୨୦ ଅଧ୍ୟକ୍ଷ ଇଣ୍ଡୋନେସିଆ, ଜାପାନ ଓ ମେକ୍ସିକୋ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟଧାରାକୁ ଭାରତ ଆଗେଇ ନେଉଥିବା ସେ କହିଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ବ୍ରାଜିଲ ମଧ୍ୟ ଏହାକୁ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଥିଲେ।

ପ୍ରମୁଖ ସଚିବ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଗତ ଆଠ ମାସ ମଧ୍ୟରେ ଦେଶର ୫୬ଟି ସ୍ଥାନରେ ୧୭୭ଟି ବୈଠକ ଆୟୋଜନ କରାଯାଇଛି। ଏଥିରେ ସାରା ଦେଶ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସେ କହିଥିଲେ ଯେ, ପ୍ରତିନିଧିମାନେ ଆଲୋଚନା ଓ ବୈଠକରେ ସକ୍ରିୟତାର ସହିତ ଭାଗ ନେବା ସହ ଭାରତର ସାମାଜିକ, ସାଂସ୍କୃତିକ ଓ ପ୍ରାକୃତିକ ବିବିଧତାକୁ ଉପଭୋଗ କରିପାରୁଛନ୍ତି। ଜି୨୦ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ପ୍ରଗତି ହୋଇଛି ଏବଂ ଆସନ୍ତା ଦେଢ଼ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନେତାମାନଙ୍କର ଶିଖର ସମ୍ମିଳନୀ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ।

ମିଳିତ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ମାମି ମିଜୁତୋରି, ଭାରତର ଜି୨୦ ଶେରପା ଅମିତାଭ କାନ୍ତ, ଜି୨୦ ସଦସ୍ୟ ଦେଶ, ନିମନ୍ତ୍ରିତ ଅତିଥି ଦେଶ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, କାର୍ଯ୍ୟ ଗୋଷ୍ଠୀର ଅଧ୍ୟକ୍ଷ କମଳ କିଶୋର, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଜି୨୦ ଅଧ୍ୟକ୍ଷତା ଉପରେ ୬ଷ୍ଠ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ସୋମବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି।

କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସୂଚନା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଡ୍ରାଏ ରନ୍ / ମକ୍ ଏକ୍ସରସାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ବିଭିନ୍ନ ସଂସ୍ଥାଗୁଡିକ ନିରନ୍ତର ଭାବରେ କାର୍ଯ୍ୟ କରିବେ। କମିଟି ଆଗାମୀ ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି ଦିଗରେ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାମା ପ୍ରଦାନ କରିଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁନଃ ସମୀକ୍ଷା ପାଇଁ ପୁଣି ଥରେ ଡକାଇବାକୁ ନିଷ୍ପତ୍ତି ନେଇଛି।

ସମନ୍ୱୟ କମିଟିର ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ଜି୨୦ ବୈଠକ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ଧାର୍ଯ୍ୟ ଅବଶିଷ୍ଟ ବୈଠକର ସମୀକ୍ଷା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। କମିଟି ଉଲ୍ଲେଖ କରିଛି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଏହା ଆଜି ପର୍ଯ୍ୟନ୍ତ ଦେଶର ୫୫ ଟି ବିଭିନ୍ନ ସ୍ଥାନରେ ୧୭୦ ଟି ବୈଠକ ଆୟୋଜନ କରିଛି। ୨୦୨୩ ଜୁଲାଇ ଏବଂ ଅଗଷ୍ଟ ମାସରେ ଅନେକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଜି -୨୦ ର ଭାରତର ଅଧ୍ୟକ୍ଷତା ସହ ଜଡିତ ସମସ୍ତ ପ୍ରସ୍ତୁତି ତଥା ବ୍ୟବସ୍ଥାର ତଦାରଖ କରିବାକୁ କ୍ୟାବିନେଟ୍ ଦ୍ୱାରା ସମନ୍ୱୟ କମିଟିକୁ ଅନୁମତି ଦିଆଯାଇଛି। ଆଜି ପର୍ଯ୍ୟନ୍ତ ସମନ୍ୱୟ କମିଟିର ପାଞ୍ଚଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ବ୍ୟତୀତ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ର୍ନିଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ ତଥା କାର୍ଯ୍ୟକ୍ରମର ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏନଏସଏ, ଅଜିତ ଡୋଭାଲ, ଦିଲ୍ଲୀର ଲେଫନାଣ୍ଟ  ଗଭର୍ଣ୍ଣର ଭି.କେ. ସାକସେନା,  କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟିକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡକ୍ଟର ବିନୋଦ ପଲ, ଅର୍ଥ ସଚିବ ଟି.ଭି.ସୋମନାଥନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ଫାର୍ମାସ୍ୟୁଟିକାଲ ସଚିବ ଏସ. ଅପର୍ଣ୍ଣା, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ, ଆୟୁଷ ସଚିବ ରାଜେଶ କୋଟେଚା, ଡିଏଚଆର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ଭାଲ, ବାୟୋଟେକ୍ନୋଲୋଜି ସଚିବ ରାଜେଶ ଏସ ଗୋଖଲେ ଏବଂ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଶ୍ୱର କୋଭିଡ-୧୯ ପରିସ୍ଥିତି ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ସେ ଦର୍ଶାଇଥିଲେ ଯେ ଭାରତରେ କୋଭିଡ -୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ୮ ଟି ରାଜ୍ୟ (କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିଆନା, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଏବଂ ରାଜସ୍ଥାନ) ରେ ଅଧିକାଂଶ ମାମଲା ଦେଖାଦେଇଛି। ଆହୁରି ମଧ୍ୟ ଦେଶରେ ଚାଲିଥିବା ପରୀକ୍ଷଣର ସ୍ଥିତି ସହିତ ପଜିଟିଭ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ଏହି ୮ଟି ରାଜ୍ୟ ମଧ୍ୟରେ ସକ୍ରିୟ ମାମଲାଗୁଡ଼ିକର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପିତ ହୋଇଥିଲା ଏବଂ ହାରାହାରି ୯୨% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଥିବା ଦର୍ଶାଯାଇଥିଲା।

ଏହି ଉପସ୍ଥାପନାରେ ଜାନୁୟାରୀ ୨୦୨୩ ଠାରୁ ବିଭିନ୍ନ ପ୍ରକାରର ଜେନୋମ୍ ସିକ୍ୱେନ୍ସିଂର ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଭାରତରେ ଦେଖାଯାଉଥିବା ଭାରିଏଣ୍ଟ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା। ଟୀକାକରଣର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା, ତା’ପରେ ଦେଶରେ ଔଷଧ ଉପଲବ୍ଧତା ଏବଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟକ୍ଷମ ଭିତ୍ତିଭୂମିର ମୂଲ୍ୟାଙ୍କନ ପାଇଁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ମକ୍ ଡ୍ରିଲର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଏହାବାଦ୍‍ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ବ୍ୟୟ ଏବଂ ଔଷଧ ଏବଂ ଟିକା ଲାଗି ଆବଶ୍ୟକ କଞ୍ଚାମାଲ ପାଇଁ ବଜେଟ୍ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ ସୂଚନା ଦେଇଥିଲେ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୌଣସି ପୂର୍ବ ଅନୁମୋଦନ ବିନା ଉତ୍ପାଦନକାରୀଙ୍କଠାରୁ ଆବଶ୍ୟକ କୋଭିଡ ଟିକା କ୍ରୟ ପାଇଁ ପଦକ୍ଷେପ ନେଇପାରନ୍ତି । ରାଜ୍ୟଗୁଡିକରେ ଅବସ୍ଥିତ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ର୍ନିମାତାଙ୍କଠାରୁ ଏହିପରି ଟିକା କ୍ରୟ କରିପାରିବେ । ଥରେ କିଣାଯାଇଥିବା ଏହି ଟିକାଗୁଡ଼ିକ ବିଦ୍ୟମାନ କୋଭିଡ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯାଇପାରେ ।

ବିସ୍ତୃତ ଉପସ୍ଥାପନା ପରେ ଡକ୍ଟର ପି.କେ ମିଶ୍ର ସ୍ଥାନୀୟ ଅଞ୍ଚଳରେ ବଢୁଥିବା ମାମଲାର ପରିଚାଳନା ପାଇଁ ଉପ-ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ ହେବା ଜରୁରୀ ଅଟେ ଏବଂ ରାଜ୍ୟମାନଙ୍କ ସହିତ ପରାମର୍ଶରେ ଏହା ନିଶ୍ଚିତ ହୋଇପାରିବା ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ବଢୁଥିବା ସ୍ଥିତିକୁ ଆଧାର କରି ରାଜ୍ୟଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଉପଦେଶଗୁଡିକ ମୂଲ୍ୟାଙ୍କନ କରାଯିବା ଉଚିତ ଏବଂ ସେହି ଅନୁଯାୟୀ ଅପଡେଟ୍‍ କରାଯିବା ଉଚିତ୍‍ ।

ଆହୁରି ମଧ୍ୟ, ଉପସ୍ଥିତ ବ୍ୟକ୍ତିମାନେ ବିଚାର ଆଲୋଚନା କରିଥିଲେ ଯେ ବଢୁଥିବା ହଟସ୍ପଟ୍ ଚିହ୍ନଟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ରାଜ୍ୟଗୁଡିକ ଆଇଏଲଆଇ / ଏସ୍‍ଏଆରଆଇ ମାମଲାର ଧାରା ଉପରେ ନଜର ରଖିବା, କୋଭିଡ୍ -୧୯ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ଏବଂ ସବୁଗୁଡିକର ଜେନୋମ୍ ସିକ୍ୱେନ୍ସିଙ୍ଗ୍ କରିବା ଉଚିତ୍‍ ।

ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ କୋଭିଡ ଉପଯୁକ୍ତ ଆଚରଣ ପାଳନ ପାଇଁ ସମୟ ପରୀକ୍ଷିତ ପଞ୍ଚସୂତ୍ରୀ ରଣନୀତି ଲାଗୁ କରାଯିବା ଆବଶ୍ୟକ ଏବଂ କୋଭିଡ ଉପଯୁକ୍ତ ଆଚରଣର ସମ୍ବନ୍ଧରେ ଗୋଷ୍ଠି ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ଆତ୍ମସନ୍ତୋଷରୁ ସତର୍କ କରାଇବା ଆବଶ୍ୟକ ।

କୋଭିଡ -୧୯ ପରିସ୍ଥିତି ଉପରେ କଡା ସଜାଗ ରହିବାକୁ ଏବଂ କୋଭିଡ-୧୯ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଆଜି ନୂଆଦିଲ୍ଲୀ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଜାତୀୟ ମଞ୍ଚ (ଏନପିଡିଆରଆର)ର ତୃତୀୟ ଅଧିବେଶନରେ ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମିଶ୍ର ୨୦୧୩ ଠାରୁ ଏନପିଡିଆରଆର ସମସ୍ତ ତିନୋଟି ଅଧିବେଶନରେ ଅଂଶଗ୍ରହଣ କରି ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ଆଲୋଚନା ପାଇଁ ମିଳୁଥିବା ଅଧିକ ସୁଯୋଗ ଏବଂ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ବିଚାରବିମର୍ଶକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ସର୍ବଭାରତୀୟ ଉପସ୍ଥିତି କାରଣରୁ, ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁରୂପ ବିପର୍ଯ୍ୟୟ ବିପତ୍ତି ହ୍ରାସକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ବିପର୍ଯ୍ୟୟ ବିପତ୍ତି ବୃଦ୍ଧି ପାଇବା ସହିତ ନୂଆ ପ୍ରକାରର ବିପଦ ଆମ ସମ୍ମୁଖରେ ଉଭା ହେଉଛି। ଏଭଳି ଏକ ସମୟରେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ବିପତ୍ତି ପରିଚାଳନା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏନପିଡିଆରଆରର ଚଳିତ ଅଧିବେଶନର ବିଷୟବସ୍ତୁ ‘‘ପରିବର୍ତ୍ତିତ ଜଳବାୟୁରେ ସ୍ଥାନୀୟ ସ୍ତରରେ ସହନଶୀଳତା ନିର୍ମାଣ’’ ଉପରେ ଗୁରୁତ୍ବାରୋପ କରିଥିଲେ।  ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ ନେତୃତ୍ବ ଉପରେ ଜୋର ଦିଆଯାଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଏହି ଅଧିବେଶନରେ ହୋଇଥିବା ବିଚାରବିମର୍ଶରୁ ଶିକ୍ଷା ଲାଭ କରିବା ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଦଶ ସୂତ୍ରୀ ଏଜେଣ୍ଡା ଓ ସେଣ୍ଡାଇ ଫ୍ରେମୱର୍କର କାର୍ଯ୍ୟକାରିତା ଦିଗରେ ସହାୟକ ହେବ।

ଅଂଶୀଦାରମାନଙ୍କ ଅନୁସରଣ ଲାଗି ଦୁଇଟି ବ୍ୟାପକ ବିଷୟ ସମ୍ପର୍କରେ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି, ରାଜ୍ୟ ଓ ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ବିପତ୍ତି ପରିଚାଳନା ବ୍ୟବସ୍ଥାକୁ ପେସାଦାର ସ୍ବରୂପ ପ୍ରଦାନ କରିବା ଏବଂ ଦ୍ବିତୀୟରେ, ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରୁଥିବା କାର୍ଯ୍ୟକ୍ରମ ଓ ହସ୍ତକ୍ଷେପ ବିକଶିତ କରିବା।

ପ୍ରଥମ ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସମେତ ସବୁ ସ୍ତରରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ସମସ୍ତ ଦିଗକୁ ପେସାଦାର ପ୍ରଶିକ୍ଷଣ ହାସଲ କରିଥିବା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବା ଉଚିତ୍‌। ଏଥିରେ ଉଦ୍ଦେଶ୍ୟ ପୂରଣ କରୁଥିବା ବ୍ୟବସ୍ଥା ରହିବା ଆବଶ୍ୟକ। ଆହୁରି ପ୍ରଶାସନିକ ଭିତ୍ତିଭୂମି, ଆଧୁନିକ କାର୍ଯ୍ୟ ପରିସର ଏବଂ ଜରୁରିକାଳୀନ ଅପରେସନ ସେଣ୍ଟର ଭଳି ଜରୁରି ସୁବିଧା ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ପେସାଦାର ବ୍ୟବସ୍ଥା ଏସଡିଏମଏସ ଏବଂ ଡିଡିଏମଏଗୁଡ଼ିକୁ କଭର କରିବା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଏନଡିଆରଏଫ ଏବଂ ଏସଡିଆରଏଫ ଭଳି ସଂଗଠନ ମୁଣ୍ଡ ଟେକିବା ପରେ ବିପର୍ଯ୍ୟୟ ମୁକାବିଲା ଯେଭଳି ଭାବେ ପେସାଦାର ହୋଇପାରିଛି ଠିକ ସେହିପରି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ବିପର୍ଯ୍ୟୟ ପ୍ରଶମନକୁ ପେସାଦାର ସ୍ବରୂପ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ରହିଛି ଏବଂ ସେମାନଙ୍କୁ ଏନଡିଏମଏ, ଏନଆଇଡିଏମ ଏବଂ ଏନଡିଆରଏଫ ଦ୍ବାରା ସମନ୍ବିତ ଢଙ୍ଗରେ ସହାୟତା ଯୋଗାଇ ଦିଆଯିବ।

କାର୍ଯ୍ୟକ୍ରମ ବିକାଶ ଉପରେ ଆଧାରିତ ଦ୍ବିତୀୟ ବିଷୟବସ୍ତୁ ଉପରେ ଗୁରୁତ୍ବାରୋପ କରି ଶ୍ରୀ ମିଶ୍ର କହିଥିଲେ ଯେ, ନୀତି ଓ କାର୍ଯ୍ୟକ୍ରମ ବିକଶିତ କରିବା ସମୟରେ ଆମକୁ ବିଭିନ୍ନ କ୍ଷେତ୍ରରେ କାମ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ବିପର୍ଯ୍ୟୟ ପ୍ରଶମନ, ପରିବେଶ, ଜଳ ଉତ୍ସ, ଶିକ୍ଷା, ସହରାଞ୍ଚଳ ପ୍ରଶାସନ, କୃଷି ଓ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତ ପ୍ରୟାସ କରିବା ଜରୁରି ବୋଲି ସେ କହିଥିଲେ।

ବିପତ୍ତି ହ୍ରାସ ପାଇଁ ଆମର ନିୟମିତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଭାବେ କାର୍ଯ୍ୟକାରୀ କରିବାକୁ ହେବ ଯେପର୍ଯ୍ୟନ୍ତ ଆମେ ତାହା ଜାଣିପାରିବା ନାହିଁ ସେପର୍ଯ୍ୟନ୍ତ ବିପର୍ଯ୍ୟୟ ବିପତ୍ତି ପ୍ରଶମନକୁ ମୁଖ୍ୟଧାରାକୁ ଆଣିବା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଉପଯୁକ୍ତ ପରିସ୍ଥିତିକୁ ଧ୍ୟାନରେ ରଖି ଆନ୍ତଃକ୍ଷେତ୍ରୀୟ କାର୍ଯ୍ୟକ୍ରମ ବିକଶିତ କରିବା ଲାଗି ବିଚାର କରିବା ନିମନ୍ତେ ପ୍ରମୁଖ ସଚିବ ଏନଡିଏମଏକୁ ପରାମର୍ଶ ଦେଇଥିଲେ।

ବୃତ୍ତିଗତ କାର୍ଯ୍ୟ ଏବଂ କାର୍ଯ୍ୟକ୍ରମ ବିକାଶ ପାଇଁ ଉପଲବ୍ଧ ସମ୍ବଳକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ,ବାତ୍ୟା, ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଭଳି ଘଟଣା କ୍ଷେତ୍ରରେ ପ୍ରଯୁକ୍ତିକୁ ଉପଯୋଗ କରାଯାଇ ବିପର୍ଯ୍ୟୟ ପ୍ରଶମନ ଉପକରଣ ଏବଂ ପଦ୍ଧତିକୁ ଆହୁରି ପ୍ରଭାବୀ କରାଯାଇପାରିବ । ସେ କହିଥିଲେ ଯେ ଆସନ୍ତା ୩ ବର୍ଷ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆମ ସମସ୍ତେ ଏକାଗ୍ରଚିତ୍ତ ହୋଇ ଏ ଦିଗରେ ଚେଷ୍ଟା କରିବା ଉଚିତ୍‌ ।

ସେଣ୍ଡାଇ ଫ୍ରେମୱାର୍କର କାର୍ଯ୍ୟକାରିତା ଧିମେଇ ଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସବୁ ଅଂଶୀଦାରମାନଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଏହି ଫ୍ରେମୱାର୍କକୁ ଆଠ ବର୍ଷ ପୂରଣ ହେବ । ୧୫ ବର୍ଷର ଅବଧି ବିଶିଷ୍ଟ ଏହି ଫ୍ରେମୱାର୍କର ଅଧାରୁ ଅଧିକ ସମୟ ଶେଷ ହୋଇସାରିଛି, କିନ୍ତୁ ବିଶ୍ବ ଏହି ଲକ୍ଷ୍ୟ ହାସଲ ଠାରୁ ବହୁ ପଛରେ ପଡ଼ିଯାଇଛି । ଅଧିକ ସହନଶୀଳ ସମୁଦାୟ ସହିତ ଏକ ନିରାପଦ ଦେଶ ଏବଂ ନିରାପଦ ବିଶ୍ବ ନିର୍ମାଣ ଦିଗରେ କାର୍ଯ୍ୟ କରିବା ଲାଗି ବିପର୍ଯ୍ୟୟ ବିପତ୍ତି ପ୍ରଶମନ ବ୍ୟବସ୍ଥାକୁ ଆମେ ଆହୁରି ପ୍ରଭାବୀ, ଅଧିକ ମୁକାବିଲାକ୍ଷମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର  କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଜି -୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଏକ ଐତିହାସିକ ମୂହୂର୍ତ୍ତ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଗୁରୁବାର ଦିନ ଭାରତ ଜି -୨୦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆମ ଦେଶର ପ୍ରତିଷ୍ଠା ଏବଂ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମର ଦାୟିତ୍ୱ ଅଟେ।

ଦେଶର ୫୬ ଟି ବିଭିନ୍ନ ସ୍ଥାନରେ ଏହି ବୈଠକର ଆୟୋଜନ ନିଶ୍ଚିତ କରିବ ଯେ ଏହି କାର୍ଯ୍ୟକ୍ରମରେ ବାସ୍ତବରେ ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ତଥା ନାଗରିକ ଅଂଶୀଦାର ଅଟନ୍ତି।

ଭାରତରେ ଯେତିକି ବିବିଧତା ରହିଛି ସେତିକି ସ୍ୱତନ୍ତ୍ରତା ରହିଛି। ବିଶ୍ୱ ନଜରକୁ ଭାରତର ସର୍ବୋତ୍ତମ ପରମ୍ପରାକୁ ଆଣିବା ଆମର ଦାୟିତ୍ୱ ଅଟେ ବୋଲି ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟ କନେକ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି।

ଏକ ବିବୃତ୍ତି ଅନୁଯାୟୀ ଭାରତ ଏହାର ମାଟିରେ ସର୍ବ ବୃହତ ବହୁପକ୍ଷୀୟ କାର୍ଯ୍ୟକ୍ରମ ଆୟୋଜନ କରିବାର ଗୌରବମୟ ସୁଯୋଗ ପାଇଛି।

ଶ୍ରୀ ମିଶ୍ର କହିଛନ୍ତି, ଜି -୨୦ ଅଧ୍ୟକ୍ଷତା ଏକ ସୁଯୋଗ ଯାହା ଭାରତକୁ ବିଶ୍ୱରେ ଉପସ୍ଥାପନ କରିବା ପାଇଁ ଏକ ସୁଯୋଗ ଅଟେ। ବିଶ୍ୱବିଦ୍ୟାଳୟମାନେ ଛାତ୍ରମାନଙ୍କୁ ସ୍ଥାନୀୟ ଇତିହାସ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, କଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରା ବିଷୟରେ ତାଲିମ ଦେଇ ପାରିବେ।

ଏପରିକି ଛାତ୍ରମାନେ ବୈଠକ ଆୟୋଜନ ତଥା ବିଦେଶୀ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରିବାରେ ଏକ ଅଂଶ ହୋଇପାରିବେ ବୋଲି ସେ କହିଛନ୍ତି।

ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣଐତିହାସିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସ୍ଥାନ ବ୍ୟତୀତ ପ୍ରକୃତି, ପଦଯାତ୍ରା, ଗ୍ରାମ୍ୟ ପରିଦର୍ଶନ, ସାପ୍ତାହିକ ତଥା ସ୍ଥାନୀୟ ବଜାର ପରିଦର୍ଶନ ଭଳି ଗଭୀର ଅନୁଭୂତି ହୋଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ମେଧାବି ଛାତ୍ର ଚୟନ କରିପାରିବେ ଏବଂ ସେମାନଙ୍କୁ ଅଧିବେଶନର ଯୋଗାଯୋଗ ପାଇଁ ଭାବରେ ତାଲିମ ଦେଇପାରିବେ।

ବିଶ୍ୱ ଆହ୍ୱାନର ସମୟ ଦେଇ ଗତି କରୁଛି ବୋଲି ଉଲ୍ଲେଖ କରି ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ମଧ୍ୟ ସୁଯୋଗ ଦେଇଛି ଏବଂ ସ୍ୱଚ୍ଛ ଶକ୍ତି ଉତ୍ସଗୁଡ଼ିକର ସ୍ଥାନାନ୍ତରଣ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ସ୍ଥାନ ନେଇଛି।

ଗୋଟିଏ ସୂର୍ଯ୍ୟ ଗୋଟିଏ ବିଶ୍ୱ ଗୋଟିଏ ଗ୍ରୀଡ୍ ଏବଂ ଆନ୍ତର୍ଜାତୀୟ ସୌର ମଞ୍ଚ ଭଳି ଆମର ବିଶ୍ୱସ୍ତରୀୟ ପଦକ୍ଷେପଗୁଡିକ ଅଣ-ଜୀବାଶ୍ମ ଉତ୍ସ ମାଧ୍ୟମରେ ୫୦% ସ୍ଥାପିତ ବିଦ୍ୟୁତ କ୍ଷମତା ହାସଲ କରିବା ପାଇଁ ଆମର ଘରୋଇ ପ୍ରତିବଦ୍ଧତା ଦ୍ୱାରା ସମ୍ପୁର୍ଣ୍ଣ ହୋଇଛି । ଯଦି ଆମ ଭଳି ଦେଶ ଏହି ରାସ୍ତା ଦେଖାଏ ତେବେ ବିଶ୍ୱକୁ ତାହା ଅନୁସରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତକୁ ଜି -୨୦ ଅଧ୍ୟକ୍ଷତା ଏହାର ଅମୃତକାଳ ସମୟରେ ମିଳିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାଧିନତା ଶତବାର୍ଷିକୀକୁ ର୍ନିଦ୍ଦିଷ୍ଟ କରିବା ପାଇଁ ଏହା ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏଥି ସହିତ ଜଡିତ କାର୍ଯ୍ୟକ୍ରମ ଆମର ଅତିଥି ଦେବୋ ଭବ (ଅତିଥିମାନେ ଭଗବାନ) ପରମ୍ପରାକୁ ପ୍ରଦର୍ଶିତ କରୁଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଦେଖାଯାଉଥିବା କାର୍ଯ୍ୟର ଉପରେ ଗୁରୁତ୍ୱାରୋପ କରିଛନ୍ତି କିନ୍ତୁ ଆମ ସଂସ୍କୃତିରେ ଦୃଢ ମୂଳଦୂଆ ରହିଛି ଏବଂ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ଉପସ୍ଥିତିରେ ‘ପରିବେଶ ପାଇଁ ମିଶନ ଜୀବନଶୈଳୀ’ର ଶୁଭାରମ୍ଭକୁ ମନେ ପକାଇଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଲାଇଫ ମିଶନ୍ ହେଉଛି ଏଭଳି ଏକ ମନ୍ତ୍ର ଯାହା ଆମେ ବିଶ୍ୱକୁ ଦେଇଛୁ।

ଭାରତ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ହେଉଛି ଭାରତୀୟ ସମାଧାନ ଯେଉଁଥିରେ ବିଶ୍ୱକୁ କିପରି ସାହାଯ୍ୟ କରିବାର ସାମର୍ଥ୍ୟ ଅଛି ତାହାର ଅନ୍ୟ ଏକ ଉଦାହରଣ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଘରୋଇ ଡିଜିଟାଲ ବିଭାଜନକୁ ଦୂର କିରବାରେ ଆମର ବିକାଶଶୀଳ ଅଭିଜ୍ଞତା ବିଶ୍ୱର ଡିଜିଟାଲ ବିଭାଜନକୁ ଦୂର କରିବାପାଇଁ ଆର୍ନ୍ତଜାତୀୟ ସମ୍ପ୍ରଦାୟକୁ ବୌଦ୍ଧିକ ଶିକ୍ଷା ଦେଇପାରେ।

ଦେଶରେ ଜବରଦସ୍ତ ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ ହେଉଛି ଏହାର ପ୍ରମାଣ ଯେ ଯୁବକମାନଙ୍କ ପାଇଁ ଅପାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ଚୀନ୍ ପରେ ଭାରତ ବର୍ତ୍ତମାନ ବିଶ୍ୱରେ ବୃହତ ଆର୍ଥିକ ଶକ୍ତିରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଅଧିନରେ ଭାରତ ନିଜର ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ରମାଗତ ଭାବରେ ନିଜର ନୀତି ପ୍ରସ୍ତୁତ କରିଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ହେଉଛି ଏକ ସାମଗ୍ରିକ ତଥା ଭବିଷ୍ୟତବାଦୀ ନୀତି। ଏହା ପ୍ରବେଶ, ସମାନତା, ଗୁଣବତ୍ତା, ସୁଲଭତା ଏବଂ ଉତ୍ତରଦାୟିତ୍ୱର ମୂଳ ନୀତି ଉପରେ ଆଧାରିତ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସାରଗର୍ଭକ ଉଦ୍‌ବୋଧନ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ପଂଚମ ବିଶ୍ୱ ପୁନଃ ନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅନଲାଇନ ବ୍ୟବସ୍ଥାରେ ସାରଗର୍ଭକ ଉଦ୍‌ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ ବିପର୍ଯ୍ୟୟ ଭୟ ଅପନୋଦନ ସଂକ୍ରାନ୍ତ ବୈଶ୍ୱିକ ମଂଚ ଜିପିଡିଆର୍‌ଆର ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗହରେ ଆୟୋଜିତ ହୋଇଛି।

ପ୍ରାୟ ଦୁଇଦଶନ୍ଧି ପୂର୍ବେ ଭାରତ ମହାସାଗରରେ ଘଟିଥିବା ପ୍ରଳୟଙ୍କରୀ ସୁନାମିର କ୍ଷୟକ୍ଷତି ଓ ଆଉ ଅନେକ ବଡ ପ୍ରାକୃତି ବିପତ୍ତି ସମ୍ପର୍କରେ ମନେ ପକାଇ ଡକ୍ଟର ମିଶ୍ର କହିଛନ୍ତ ଯେ, ବିପତ୍ତି ବା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ନୀତି ବେଶ୍ ଅନେକ ଦିନଧରି ଗୁରୁତ୍ୱ ପାଇ ଅନୁସ୍ରୁତ ହେଉଛି।

ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିପର୍ଯ୍ୟୟ ପରବର୍ତ୍ତୀ ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ।

ପ୍ରଥମଟି ହେଲା ଉତ୍ତମ ଫଳାଫଳ ପାଇଁ ନିର୍ମାଣ ପ୍ରୟାସ,ପ୍ରସ୍ତୁତି ଓ କାର୍ଯ୍ୟ ଉତ୍ତମ ହେବା ଉଚିତ। ଏହି ଉତ୍ତମ ‘ବିଲ୍‌ଡ ବ୍ୟାକ୍ ବେଟର’ ବ୍ୟବସ୍ଥାରେ କେବଳ ଉତ୍ତମ ଉପଯୋଗ ଅପେକ୍ଷା ଉତ୍କୃଷ୍ଟ ଫଳାଫଳ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାରିବାରିକ ସ୍ତରରେ ଆମେ ପୁନରୁଦ୍ଧାର ଊର୍ଦ୍ଧ୍ୱକୁ ଯାଇ ଗୋଷ୍ଠୀ ଓ ସାମୁଦାୟିକସ୍ତରରେ ଚିନ୍ତାକରିବା ଉଚିତ। କୋଭିଡ-୧୯ ମହାମାରୀ ଆମ ଆଭିମୁଖ୍ୟର ଏକ ନୂଆ ଦିଗ ଯୋଡିଛି। ଏହା ଆମକୁ ଜୀବିକା, ଦାରିଦ୍ର‌୍ୟ ଓ ଅସମାନତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଶିଖାଇଛି।

ଡକ୍ଟର ମିଶ୍ର ଆହୁରି କହିଛନ୍ତି ଯେ, ପୁନରୁଦ୍ଧାର ଓ ପୁନଃନିର୍ମାଣରେ ପ୍ରଭାବିତ ଲୋକଙ୍କ ହାତରେ ଏଜେନ୍ସିର ଦାୟିତ୍ୱ ନ୍ୟସ୍ତ କରାଯିବା ଉଚିତ। ଭାରତରେ ୨୦୦୧ର ଗୁଜରାଟ ଭୂମିକମ୍ପ ପରେ ମାଲିକ ପରିଚାଳିତ ପୁନଃନିର୍ମାଣ ବା ଓଡିଆର୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାର ଫଳାଫଳ ବେଶ ଭଲ ହୋଇଥିବା ଆମେ ଦେଖିଛୁ। ମାଲିକ ପରିଚାଳିତ ପୁନଃନିର୍ମାଣ ପଦ୍ଧତିକୁ ନିରନ୍ତର ବଢାଇବା ପାଇଁ ଏକ ଦୃଢ ବୈଶ୍ୱିିକ ସାମୁଦାୟିକ ନୀତି ଓ ଅଭ୍ୟାସ ଗଢି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଏହି ସାମୁଦାୟିକ ବ୍ୟବସ୍ଥା ଓ ଅଭ୍ୟାସରେ ସ୍ୱାଭାବିକଭାବେ ଆର୍ôଥକ, ଆନୁଷ୍ଠାନିକ, ବୈଷୟିକ ମେକାନିଜିମ୍ ରହିବା ଆବଶ୍ୟକ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ସ୍ତରରୁ ସାହାଯ୍ୟ ସହଯୋଗ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ହେବା ଉଚିତ। ଏହା ହିଁ ତୃତୀୟ ବିଷୟ।

ଭାରତରେ ପ୍ରଥମ ଥର ପାଇଁ ଦେଶର ବିପର୍ଯ୍ୟୟ ପରିଚାଳନା ନୀତିରେ ଅର୍ଥଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଆମେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ସୃଷ୍ଟି କରିଛୁ ଓ ପାଂଚବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଡକ୍ଟର ମିଶ୍ର ତାଙ୍କ ଉଦ୍‌ବୋଧନରେ ଯେଉଁ ଚତୁର୍ଥ ବିଷୟଟିକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ବିପତ୍ତି ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣର ନୀତି ଏବଂ ପଦ୍ଧତି। ସେ କହିଛନ୍ତ ଯେ ଏହି କାମ ସ୍ୱଳ୍ପମିଆଦି ନ ହୋଇ ଦୀର୍ଘମିଆଦି ଏବଂ ଅତ୍ୟନ୍ତ ଦୃଢ ହେବା ଆବଶ୍ୟକ। ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ୱାରା ସମର୍ôଥତ ଏବଂ ପରିଚାଳିତ ପୁନରୁଦ୍ଧାର ଏବଂ ପୁନନିର୍ମାଣ କାର୍ଯ୍ୟକ୍ରମ ଶେଷ ହେବାକୁ ଚାରିରୁ ଛ’ବର୍ଷ ସମୟ ଲାଗିଥାଏ। ବାସ୍ତବରେ କିନ୍ତୁ ପ୍ରକୃତ ପୁନରୁଦ୍ଧାର କାମ ଅଧାପିଡି ପର୍ଯ୍ୟନ୍ତ ଚାଲେ ବୋଲି ସେ କହିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି ଯେ ଅନେକ ସମୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ। ଆମେ ଏହାକୁ ‘ଭିଡର ଅତ୍ୟାଚାର’ ବା ‘ଟାଇରାନି ଅଫ୍ ରଶ୍‌’ ବୋଲି ସାଧାରଣତଃ କହିଥାଉ। ଶୀଘ୍ର ପୁନରୁଦ୍ଧାର ପାଇଁ ପୁନଃନିର୍ମାଣକୁ ଉତ୍ତମଭାବେ କରିବା ସହଜ କାମ ନୁହେଁ। ଏଥିରେ ଭାରସାମ୍ୟ ରକ୍ଷା ଜରୁରୀ। ତଥାପି ଡ୍ରୋନ, ଭୂସ୍ଥାନିକ ଟେକ୍‌ନୋଲୋଜି ଓ ସେନ୍ସିଙ୍ଗ ଭଳି ନୂଆ ପ୍ରଯୁକ୍ତି ଏବଂ ଜ୍ଞାନକୌଶଳ ଦ୍ୱାରା ପୁନରୁଦ୍ଧାର ଓ ପୁନଃ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏହା ମାଧ୍ୟମରେ କ୍ଷୟକ୍ଷତିର ଆକଳନ, ହିତାଧିକାରୀ ଚିହ୍ନଟ ଓ ପୁନଃର୍ନିମାଣ ତଥା ପୁନରୁଦ୍ଧାର କାର୍ଯ୍ୟର ପ୍ରଗତିକୁ ସହଜରେ ନିରୀକ୍ଷଣ କରାଯାଇ ପାରିବ। ନୂଆ ଅତ୍ୟାଧୁନିକ ଟେକେ୍‌ନୋଲୋଜି ଆମକୁ ଯେଉଁ ସୁବିଧା, ସୁଯୋଗ ଦେଇଛି ଆମେ ତାହାର ସର୍ବାଧିକ ଫାଇଦା ଉଠାଇବା ଆବଶ୍ୟକ।

ଉପସଂହାରରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ “ଆମେ ଯଦି ପ୍ରସ୍ତୁତିରୁ ପ୍ରତିକାର” ଆଭିମୁଖ୍ୟ ବାହାରକୁ ଯାଇ ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ତାହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ ପଦକ୍ଷେପ ହେବ। ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଏକ ବଡ ଅସ୍ତ୍ରଭାବେ କାମ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ରଙ୍କ ଶୋକ

ନୂଆଦିଲ୍ଲୀ, ପ୍ରସାର ଭାରତୀର ପୂର୍ବତନ ବରିଷ୍ଠ ଅଧିକାରୀ ଓ ସୁସାହିତ୍ୟିକ ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଡଃ ମିଶ୍ର କହିଛନ୍ତି, “ବିଶ୍ୱାସ କରି ହେଉ ନାହିଁ ଯେ, ଅଭୟ ପାଢ଼ୀ ଆଉ ନାହାନ୍ତି । ମାତ୍ର ତିନି ଚାରି ସପ୍ତାହ ଆଗରୁ ସେ ମୋ ସହିତ କଥା ହୋଇଥିଲେ ।

କଲେଜ ପଢ଼ା ସମୟରୁ ମୋର ତାଙ୍କ ସହିତ ବନ୍ଧୁତା । କଳା, ସଂସ୍କୃତି ଓ ସାହିତ୍ୟରେ ତାଙ୍କର ଗଭୀର ରୂଚି ଥିଲା । ସେ ଅତ୍ୟନ୍ତ ସ୍ପଷ୍ଟ ଓ ଅମାୟିକ ସ୍ୱଭାବର ଥିଲେ । କଲେଜ ପଢ଼ା ବେଳର କୌଣସି ଆଲୋଚନା ବା ତର୍କ ପ୍ରସଙ୍ଗ ହେଉ ବା ଆକାଶବାଣୀ (ପରେ ପ୍ରସାର ଭାରତୀ)ରେ ବୃତିଗତ ଜୀବନଚର୍ଯ୍ୟା ଏବଂ ସାହିତ୍ୟ ଓ ସାମାଜିକ ଚିନ୍ତନ ସବୁଥିରେ ସେ ସାରଗର୍ଭକ କଥାମାନ କହୁଥିଲେ ।

ତାଙ୍କର ଆକସ୍ମିକ ବିୟୋଗ ଯୋଗୁଁ ବିଶେଷକରି ଓଡିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ପରିବାର ଓ ବନ୍ଧୁମାନଙ୍କ ପାଇଁ ଏହା ଏକ ବିରାଟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମସ୍ତଙ୍କୁ ମୋର ଗଭୀର ସମବେଦନା” ।