Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପାଖେଇଲା ନିର୍ବାଚନ, ଶିଘ୍ର ଭୋଟର ତାଲିକାରେ ଆପଣଙ୍କ ନାମ କରାନ୍ତୁ ସାମିଲ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗତ ଜାନୁଆରୀ ମାସ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଅଛି। ଏହାର ନକଲ ବୁଥ୍‌ସ୍ତରୀୟ ଅଧିକାରୀ (BLO) ଓ ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛି ।

ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ceoodisha.nic.in ଉପଲବ୍ଧ ଅଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କର ଧାରଣା ହେଉଥିବ ଯେ ଆଉ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇପାରିବ ନାହିଁ। ଏହା ସଂପୂର୍ଣ୍ଣ ଭୁଲ ଧାରଣା।ଭୋଟର ତାଲିକାରେ ନାମପଞ୍ଜିକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି କାର୍ଯ୍ୟ ସବୁବେଳେ ଚାଲୁ ରହିଛି ।

ରାଜ୍ୟର ସମସ୍ତ ଭୋଟରମାନଙ୍କୁ ନିବେଦନ କରାଯାଉଛି, ସେମାନେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନିଜର ନାମ ତନଖି କରନ୍ତୁ। ଯଦି ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବ ତାହାହେଲେ ସେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬ ଓ ସ୍ଥାନାନ୍ତର ପାଇଁ ଫର୍ମ ନଂ-୮ ମାଧ୍ୟମରେ ଆବେଦନ କରିପାରିବେ ।

ଭୋଟରମାନେ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in ରେ ଲଗ୍‌ଇନ୍‌ କରି କିମ୍ବା Voter Help Line App ଡାଉନ୍‌ଲୋଡ଼୍‌ କରି ଘରେ ବସି ମଧ୍ୟ ଆବେଦନ କରିପାରିବେ । ଏତଦ୍‌ବ୍ୟତୀତ ଭୋଟରମାନେ ମଧ୍ୟ ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଓଡିଶାର ଚୁଡାନ୍ତ ଭୋଟର ତାଲିକା, ଆଶାତିତ ଭାବେ ବୃଦ୍ଧି ପାଇଛି ଯୁବ ଭୋଟର ସଂଖ୍ୟା

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି।

ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦। ଗତବର୍ଷ ଡ୍ରାଫ୍ଟ ତାଲିକାରେ ଏହି ତୃତୀୟ ଲିଙ୍ଗି ସଂଖ୍ୟା ଥିଲା ୩ ହଜାର ୪୦୬। ଅନ୍ୟପକ୍ଷରେ ଗତ ବର୍ଷ ଡ୍ରାଫ୍ଟ ତାଲିକାରେ ପୁରୁଷ ଭୋଟର ସଂଖ୍ୟା ଥିଲା ୧ କୋଟି ୬୬ ଲକ୍ଷ ୩୦ ହଜାର ୯୨୯ ଏବଂ ମହିଳା ଭୋଟର ସଂଖ୍ୟା ଥିଲା ୧ କୋଟି ୬୦ ଲକ୍ଷ ୨୦ ହଜାର ୮୭୮ ।

ଏହି ପରିସଂଖ୍ୟାନରୁ ଜଣାପଡିଛି ଯେ, ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଡ୍ରାଫ୍ଟ ତାଲିକାଠାରୁ ଚୁଡାନ୍ତ ତାଲିକାରେ ବେଶ ବୃଦ୍ଧି ପାଇଛି। ହିସାବ ଅନୁସାରେ ଡ୍ରାଫ୍ଟ ତାଲିକାରେ ଯୁବ ଭୋଟର ସଂଖ୍ୟା ଥିଲା ୨୮୪୧୪୮। ତେବେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୭୫୪୯୪୬। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ଯୁବ ଭୋଟର ସଂଖ୍ୟା ୪୭୦୭୯୮ ଭୋଟର ବୃଦ୍ଧି ଘଟିଛି। ମୁଖ୍ୟତଃ ଯୁବ ଭୋଟରଙ୍କୁ ଯୋଡିବା ପାଇଁ ଯେଉଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା ସେଥିରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

ତେବେ ଭିନ୍ନକ୍ଷମ ଭୋଟର ଡ୍ରାଫ୍ଟ ତାଲିକାରୁ ଚୁଡାନ୍ତ ତାଲିକାରେ ହ୍ରାସ ପାଇଛି। ପୂର୍ବରୁ ୪ ଲକ୍ଷ ୬୫ ହଜାର ୩୫୬ ଥିବା ବେଳେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି। ସେହିପରି ରାଜ୍ୟରେ ବରିଷ୍ଠ ନାଗିରକ ସଂଖ୍ୟା ମଧ୍ୟ ୬ ଲକ୍ଷ ୮୫ ହଜାର ୦୪୮। ଡ୍ରାଫଟ ତାଲିକାରେ ଏହି ସଂଖ୍ୟା ଅଧିକ ରହିଥିଲା। ସେଥିରେ ବରିଷ୍ଠ ନାଗରିକ ସଂଖ୍ୟା ୭ ଲକ୍ଷ ୮୭ ହଜାର ୧୦୨ ଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ, ଅର୍ଥାତ୍‌ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି।

ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥ୍‌ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ voters.eci.gov.in/Voters Help Line App ଦ୍ୱାରା କିମ୍ବା ସଂପୃକ୍ତ ବୁଥ୍‌ସ୍ତରୀୟ ଅଧିଖାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ତଥା ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଏଏସ୍‌ଇ ଇଦି୍ରଶ୍‌ ଅଲ୍ଲିଖାନ୍‌, ଏଏସ୍‌ଇ ରାମକୃଷ୍ଣ ଟୁଙ୍ଗା, ଦେବରାଜ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ବିଭିନ୍ନ କ୍ଷେତ୍ରରେ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବୁଥ ସ୍ତରରେ ହେବ ଭୋଟର ତାଲିକା ସଂଶୋଧନ, ବିଭିନ୍ନ ଜିଲ୍ଲା ପାଇଁ ହେଲା ତାରିଖ ଘୋଷଣା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜାନୁଆରୀ ୫ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥି ପୂର୍ବରୁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରତି ବୁଥ୍‌ରେ ସେମାନଙ୍କ ଦଳ ତରଫରୁ ଜଣେ ଲେଖାଏଁ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ଦଳ ତରଫରୁ ଫଟୋ ପରିଚୟ ପତ୍ର ଦେବେ ଓ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଏକକିତା ଲେଖାଏଁ ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଇଆର୍‌ଓ ତଥା ଉପଜିଲ୍ଲାପାଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ।

ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରିବା, ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ତାଲିକା ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ଫଳରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତପ୍ରକାଶ କରିଛନ୍ତି।

ବୁଥ୍‌ସ୍ତରୀୟ ଏଜେଣ୍ଟ ବୁଥ୍‌ ହୋଇଥିବା ଗ୍ରାମ ସଂପୃକ୍ତ ବୁଥ୍‌ ଅଞ୍ଚଳର ହୋଇଥିବା ଆବଶ୍ୟକ। ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ନଂ-୭ ପୂରଣ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଦେଲେ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ ହେବ। ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ଓଡ଼ିଶା ପାଇଁ ୪ ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ସ୍ଥିର କରିଛନ୍ତି।

ଆସନ୍ତା ନଭେମ୍ବର ମାସ ୫ ତାରିଖ (ରବିବାର), ନଭେମ୍ବର ମାସ ୧୯ ତାରିଖ (ରବିବାର), ନଭେମ୍ବର ୧୧ ତାରିଖ (ଶନିବାର) ଏବଂ ନଭେମ୍ବର ୨୫ ତାରିଖ (ଶନିବାର) ଦିନ ରାଜ୍ୟର ସବୁ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଲାଗି ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ ଗ୍ରହଣ ଓ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ।

ଏହି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସମାନଙ୍କରେ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହି ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଯଦି ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିନଥାନ୍ତି, ଯାଥାଶୀଘ୍ର ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି।

ଏତଦ୍‌ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍‌ ଓ ଭିଭିପ୍ୟାଟ୍‌ର (ଏଫ୍‌ଏଲ୍‌ସି) ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ତନଖି କାର୍ଯ୍ୟ ଅନୁଷ୍ଠିତ ହେବ।

ସେହିପରି ଅବଶିଷ୍ଟ ୨୦ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ତନଖି କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଫ୍‌ଏଲ୍‌ସି ଅନୁଷ୍ଠିତ ହେବାକୁ ଥିବା ଦିନଗୁଡ଼ିକରେ ପ୍ରତି ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଇଭିଏମ୍‌ ଓ ଭିଭିପ୍ୟାଟ୍‌ ତନଖି କାର୍ଯ୍ୟ ଦିନରେ ଉପସ୍ଥିତ ରହିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ତନଖି କାର୍ଯ୍ୟ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାଶ, ଭାରତୀୟ ଜାତୀୟ କଂଗ୍ରେସ୍‌ର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଆମ୍‌ ଆଦ୍‌ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଜୁ ଜନତା ଦଳର ମୁଖପାତ୍ର ଇପ୍‌ସିତା ସାହୁଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପାଇଁ ଆରମ୍ଭ ହେଲା ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ୧୬ଟି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରଙ୍କର ଭୁବନେଶ୍ୱରସ୍ଥିତ ମଧୁସୂଦନ ଏକାଡେମୀଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ସହ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତ୍ରୁଟିଶୂନ୍ୟ ଭୋଟର ତାଲିକାର ପ୍ରସ୍ତୁତି ଓ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡେପୁଟୀ କଲେକଫର, ଆସିଷ୍ଟାଣ୍ଟ କଲେକଫର ଓ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ।

ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ କରାଯାଇ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ନୂତନ ଭୋଟରମାନଙ୍କଠାରୁ ଫର୍ମ ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ୍‌ କରିବା, ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ସଂଶୋଧିତ ହୋଇଥିବା ନୂତନ ଫର୍ମ ସଂପର୍କରେ ଅବଗତ କରାଯାଇଥିଲା।

ସେହିପରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ୪ଟି ଯୋଗ୍ୟତାସୂଚକ ତାରିଖ, ଭୋଟର ତାଲିକାରେ ସେ୍ୱଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ନିମନ୍ତେ ନୂତନ ଫର୍ମ ନଂ ୬(ଖ) ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଶ୍ରୀମତୀ ସଂଘମିତ୍ରା ଶତପଥୀ, ଭୁବନେଶ୍ୱରର ଆସିଷ୍ଟାଣ୍ଟ କଲେକଫର ଶ୍ରୀ ସମୀର ଦାସ, କଳାହାଣ୍ଡିର ଡେପୁଟି କଲେକଫର ସୁଶ୍ରୀ ପ୍ରଧାନ, ଏଏସ୍‌ଇ ଇଦ୍ରିଶ ଅଲ୍ଲୀ ଖାନ୍‌ ପ୍ରମୁଖ ଉପସ୍ଥିତ ରହି ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୬ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସେହି ଭୋଟର ଭାଇର ଭିତିରି କଥା

ପ୍ରକାଶ ଦଳାଇ

ଏଇ ମହାଶିବରାତ୍ରୀ ଦିନର ଘଟଣା। ସକାଳେ ମନ୍ଦିରର ଆଗରେ ଥିବା ଏକ ଦୋକାନରୁ ମୁଁ ଦୀପଟିଏ କିଣୁଥିଲି। ଦୋକାନରୁ ଟିକିଏ ଦୂରରେ ଜଣେ କେହି ପାଟି କରି କାହା ସହିତ ଫୋନରେ କଥା ହେଉଥିଲା। ସେପଟେ ଥିବା ଲୋକକୁ ସେ କହୁଥିଲା ଯେ, ସେ ଟଙ୍କା ମୁଁ ଆଉ ଫେରାଇ ପାରିବି ନାହିଁ, ତୁ କଣ କରୁଛୁ କର ??  କିଛି ଭଦ୍ର କିଛି ଅଭଦ୍ର ଭାଷାରେ ସେ ଗାଳି କରି ଚାଲିଥାଏ। ତୁ କାହିଁକି ଏପରି ପାଟି କରୁଛ ବୋଲି ମଝିରେ ମଝିରେ ଦୋକାନୀ ତାଙ୍କୁ ତାଗିଦ କରୁଥିଲେ। ବୋଧହୁଏ ତାଙ୍କର ଚିହ୍ନା ପରିଚୟ।

କଥାବାର୍ତ୍ତା ସରିବା ପରେ ସେହି ବ୍ୟକ୍ତି ରାଗ ତମତମ ହୋଇ ଦୋକାନୀ ପାଖକୁ ଆସିଲା। ଦୋକାନୀକୁ କହିଲେ, ମାମୁଁ କହିଲ, ଭୁବନେଶ୍ବରରେ ମୁଁ ବହୁତ କାମ ଧରିଛି କି ନାହିଁ। ଏତେ କାମ ଭିତରେ ମୋର ଗାଁକୁ ଯିବାର ସମୟ କାହିଁ ? ସେ ବାରମ୍ବାର ଫୋନ କରି ଗାଁ କୁ ଆସ, ଗାଁକୁ ଆସ ବୋଲି ଡାକିଲା। ମୁଁ ଗଲି ନାହିଁ। ତଥାପି ଆସ, ଆସ ବୋଲି ସେ ବାଧ୍ୟ କଲା।

ଶେଷରେ ତା ଆଡୁ ସେ କହିଲା ଯେ ଗାଁକୁ ଆସିବା ପାଇଁ ତୋ ପାଖକୁ ପାଞ୍ଚ ହଜାର ଟଙ୍କା ପଠାଉଛି। ସକାଳୁ ସକାଳୁ ଆସି ପହଁଚିବୁ। ପୁରା ତମ ପରିବାର ସମସ୍ତେ ଆସିବ, ଭୋଟ ଦେଇ ପଳାଇଯିବ। ଫୋନ-ପେ ରେ ସେ ମୋ ପାଖକୁ ଟଙ୍କା ପଠାଇବାରୁ ମୁଁ ଆଉ ମୋ ପରିବାର ବାଧ୍ୟ ହୋଇ ଗାଁକୁ ଗଲୁ। ଭୋଟ ଦେଇ ତା ପରଦିନ ଆସିଲୁ। ଏବେ ସେ ମୋତେ କହୁଛି କଣ ନା, ସେହି ଟଙ୍କା ଫେରେଇ ଦିଅ। କହିଲ ମାମୁଁ, ମୁଁ କଣ ତାକୁ ଟଙ୍କା ମାଗୁଥିଲି। ସେ କାହିଁକି ଟଙ୍କା ପଠାଇଲା। ଯଦି ତୋଆଡୁ ତୁ ଟଙ୍କା ପଠାଇଲୁ, ଏବେ କାହିଁକି ମାଗୁଛୁ? ଗୋଟିଏ ନିଃଶ୍ବାସରେ ସେ ଏସବୁ କଥା ସେ ବ୍ୟକ୍ତି ଜଣଙ୍କ କହି ଚାଲିଲା।

କାହିଁକି କଣ ହେଲା କେଜାଣି ମୁଁ ପଚାରି ଦେଲି, ତମ ତ ଭୋଟ ଦେଲ, ସେ ଟଙ୍କା କାହିଁକି ମାଗୁଛି। ମୋ ପ୍ରଶ୍ନ ସରିବା ମାତ୍ରେ ସେହି ଦୋକାନୀ ଏବଂ ସେ ଲୋକ ଏକା ସଙ୍ଗରେ କହିଲେ ଯେ, ସେ ଲୋକଟି ହାରିଗଲା। କିଛି ସମୟ ଧରି ସେ ଲୋକଟି ମୋ ଆଡକୁ ଅନାଇଲା। ମୋତେ କଅଁଳ ସ୍ବରରେ ସେ ପଚାରିଲା, ସାରେ ଟଙ୍କା ନ ଫେରାଇଲେ ମୋର କଣ କିଛି ଅସୁବିଧା ହେବ କି ? ଏପରି ପ୍ରଶ୍ନ ଶୁଣି ମୁଁ ବଡ ଅଡୁଆରେ ପଡିଗଲି। ସେ ବାରମ୍ବାର ମୋତେ ପଚାରି, ମୋ ମୁହଁକୁ ଅନାଇ ରହିଲା।

ସେହି ସ୍ଥାନରୁ ଖସିବା ପାଇଁ ତାଙ୍କୁ କହିଦେଲି , ନାହିଁ କିଛି ହେବ ନାହିଁ। ତମ ବନ୍ଧୁବାନ୍ଧବ କଥା, ତମ ଗାଁ କଥା, ତମେ ଯାହା ବିଚାର କରିବ ତାହା କର। ସେ କହିଲା- ନାଇଁ ସାରେ ଆପଣ ଯଦି କହିଲେଣି କିଛି ହେବନି ମୁଁ ସେ ଟଙ୍କା ଆଉ ଫେରାଇବି ନାହିଁ। ଏତିକି କହି ତାହାର ପୁରା ଗସ୍ତ ସଂପର୍କରେ ଏକ ସଂକ୍ଷିପ୍ତ ଧାରାବିବରଣୀଟିଏ ମୋ ଆଗରେ ଥୋଇଦେଲା। ମୁଁ ଦୀପଟିଏ କିଣି ସେଠାରୁ ଖସିବାକୁ ଚେଷ୍ଠା କଲି।

ହେଲେ ହଠାତ କଣ ହେଲା କେଜାଣି ମୋର ଅନିଚ୍ଛା ସତ୍ବେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରି ଦେଲି। କହିଲି, ଭାଇ ତମେ କେବଳ ସେହି ଗୋଟିଏ ଲୋକଠାରୁ ପଇସା ଆଣିଥିଲ, ନା ଆଉ କାହାଠାରୁ ଆଣିଛ?  ଏତିକି ଶୁଣିବା ପରେ ରାଗ ତମତମ ହୋଇ ପଡିଥିବା ସେ ଲୋକଟି ଲାଜରେ ମୁହଁ ତଳକୁ କରିଦେଲା। ମୁରୁକି ମୁରୁକି ହସିଲା। ତା ସହିତ ସେ ଦୋକାନୀ ମଧ୍ୟ ହସିଲା। ହେଲେ କେହି କିଛି କହିଲେ ନାହିଁ।

କିଛି ସମୟ ପରେ ଦୋକାନୀ କହିଲା, ଆରେ ଆଜି ମହାଶିବରାତ୍ରି, ତୁ ସତ କଥା କହିଦେ। ସେ ଲୋକଟି ଲାଜେଇ କହିଲା ସାରେ ଆମେ ହେଉଛୁ ଗରିବ ଲୋକ। ସତକଥା ହେଲା ଆଉ ଜଣେ ମଧ୍ୟ ମୋତେ ଚାରି ହଜାର ଟଙ୍କା ଦେଇଥିଲା। ହେଲେ ଆମେ ତାକୁ ଭୋଟ ଦେଇ ନ ଥିଲୁ।

ଏତିକି କହି ସେ ମୋ ପାଖକୁ ଆସିଲା। ଆଉ ଧିର ସ୍ବରରେ କହିଲା, ସାରେ ମୁଁ ଯେଉଁ ଲୋକକୁ ଭୋଟ ଦେଇ ନ ଥିଲି, ସେହି ଲୋକଟି ଜିତିଗଲା। ସେ ମୋତେ ପଇସା ମାଗୁନି। ଏ ଲୋକଟିକୁ ମୁଁ ଭୋଟ ଦେଇଥିଲି, ହେଲେ ସେ ହାରିଗଲା। ସେଥିପାଇଁ ମୋତେ ସେ ପଇସା ମାଗୁଛି। ଆଉ ପଇସା ଦେବାର ନାହିଁ। ସେ କଣ କରୁଛି କରୁ।

ହଠାତ ମନେ ପଡିଲା ମୋ ସ୍ତ୍ରୀ ମନ୍ଦିର ବେଢାରେ ମୋତେ ଅପେକ୍ଷା କରିଥିବ। ଦୀପ ନେଇ ଗଲେ ମନ୍ଦିର ଭିତରକୁ ଯିବୁ। ଦୋକାନୀଠାରୁ ଫୁଲ ଆଉ ଦୀପ ନେଇ ମୁଁ ତରତର ହୋଇ ମନ୍ଦିର ଭିତରକୁ ଚାଲିଗଲି।

Categories
ବିଶେଷ ଖବର ରାଜ୍ୟ ଖବର

ଆପଣଙ୍କ ଭୋଟର କାର୍ଡରେ କିଛି ଭୁଲ ଅଛି କି ? ଜାଣନ୍ତୁ କେମିତି କରିବେ ସଂଶୋଧନ

ଭୁବନେଶ୍ବର: ଗତ ଏକ ତାରିଖରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହୋଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ।

ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା  ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଚାଲିବ।

କେମିତି କରିବେ ସଂଶୋଧନ

ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।

1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।

2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in  କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ।

3- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ।

ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ଭୋଟର ହେଲପ ଲାଇନ 1950 କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ଓଡିଶାରେ ଆରମ୍ଭ ହେଲା ଭୋଟର ସଂଶୋଧନ କାର୍ଯ୍ୟ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହେଲା। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ।

ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା  ନଭେମ୍ବବର 1 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ।

କେମିତି କରିବେ ଆବେଦନ

ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।

1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।

2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in  କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ।

3- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ।

ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ଭୋଟର ହେଲପ ଲାଇନ 1950 କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ ରହି ସୁରକ୍ଷିତ ଭାବରେ ମତଦାନ କରିପାରିବେ।

ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚଳିତ ଉପନିର୍ବାଚନରେ କୋଭିଡ୍-୧୯ ର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ମଧ୍ୟ ସାନିଟାଇଜେସନ୍, ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।