Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ଏବଂ ଇମ୍ଫାଲ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟି ସଦସ୍ୟଙ୍କର ବିନିମୟ ସହ ବିଭିନ୍ନ ପ୍ରକ୍ରିୟା ଏବଂ ଜ୍ଞାନକୌଶଳ, ବୈଜ୍ଞାନିକ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ସମେତ ଗବେଷଣାଗାରର ସାମୁହିକ ସୁବିଧା ଉଠାଇପାରିବେ।
ଏ ଦୁଇ ବିଶ୍ୱବିଦ୍ୟାଳୟ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ମିଳିତ ଭାବେ ଗବେଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ।

ସୋଆ ଏବଂ ସିଏୟୁ ମିଳିତ ଭାବେ ଆଉଟରିଚ୍ ପ୍ରୋଗ୍ରାମଗୁଡ଼ିକୁ ହାତକୁ ନେବା ସହ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଏହି ବୁଝାମଣାରେ ଉଲ୍ଲେଖ ଅଛି।

ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସିଏୟୁର କୁଳପତି ପ୍ରଫେସର ଅନୁପମ ମିଶ୍ର ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ସିଏୟୁର ନିର୍ଦ୍ଦେଶକ (ଇନ୍‌ଷ୍ଟ୍ରକ୍ସନ୍‌) ପ୍ରଫେସର ଇନ୍ଦିରା ସାରଙ୍ଗଥେମ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ପ୍ରଫେସର ଏସ୍‌.କେ. ପଣ୍ଡା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଆଦାନପ୍ରଦାନ ନେଇ ସହାୟତା କରିବେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତଙ୍କ ମଧ୍ୟରେ ଶନିବାର ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।
ଦୁଇଟି ଅନୁଷ୍ଠାନର ନିମୟମାବଳୀ ଅନୁଯାୟୀ କର୍ମଚାରୀଙ୍କର ମଧ୍ୟରେ ଆଦାନପ୍ରଦାନ, ମିଳିତ କର୍ମଶାଳା ଓ ସମ୍ମିଳନୀ ଆୟୋଜକ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କ ଦ୍ୱାରା ବକ୍ତୃତାମାଳା, ଆଇସିଟି ମୁମ୍ବାଇ ଓ ସୋଆର ମିଳିତ ସହଯୋଗରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ଓ ଏବଂ ଥେସିସ୍ କାର୍ଯ୍ୟରେ ମିଳିତ ଦିଗ୍‌ଦର୍ଶନ କରାଯିବ।

ଏତଦ୍ ବ୍ୟତୀତ ଦୁଇଟି ଶିକ୍ଷାନୁଷ୍ଠାନ ନିଜ ମଧ୍ୟରେ ଗବେଷଣା ଓ ତତ୍‌ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରି, ସଫ୍ଟୱେୟାର ଏବଂ ଅନ୍ୟାନ୍ୟ ବିଷୟରେ ଆଦାନପ୍ରଦାନ ଓ ନିଜ ମଧ୍ୟରେ ସହଯୋଗିତା ରକ୍ଷା କରିବେ।

ଆଇସିଟି, ମୁମ୍ବାଇ ମଧ୍ୟ ସୋଆ-ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ) ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି)- ସୋଆ ଫାଉଣ୍ଡେସନ୍ ର କାର୍ଯ୍ୟରେ ସହଯୋଗ କରିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସିଂହଦେଓ।

ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ ସମାଜ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ କୃଷି ଉପରେ ଏହାର ପ୍ରଭାବ ଓ ପ୍ରତିକାର ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି।

ହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ସହିତ ଶକ୍ତି ବିଭାଗର ମନ୍ତ୍ରୀପଦ ଦାୟିତ୍ୱ ନେଇଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ବର୍ତମାନ ଉତ୍କଟ ଜଳ ସଂକଟ ଦେଖାଦେଉଥିବା ବେଳେ କୃଷି ନିମନ୍ତେ ଅନ୍ୟ ପନ୍ଥା ବାହାର କରିବାର ସମୟ ଆସିଛି।

ଯଦିଓ କୃଷି ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ରସାୟନ ସାର ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି କାରଣ ଏହା ଦ୍ୱାରା ମୃତିକାର ଉତ୍ପାଦନ କ୍ଷମତା କମିବାରେ ଲାଗିଛି।

ବିକାଶ ସହିତ ଆମକୁ ଭବିଷ୍ୟତ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହଦେଓ କହିବା ସହ ଆମେ ଅତୀତକୁ ଫେରିଯାଇ ଜୈବିକ ସାରର ବ୍ୟବହାର ଦ୍ୱାରା ମାଟିର ଉର୍ବରତାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ରାଜ୍ୟରେ ରହିଥିବା ତାପ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ଶକ୍ତି ଉତ୍ପାଦନ ନିମନ୍ତେ ଜୀବାସ୍ମ ଇନ୍ଧନର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଏହା ଚିନ୍ତାର କାରଣ ହୋଇଛି। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସୁର୍ଯ୍ୟଘର ପ୍ରକଳ୍ପକୁ ଓଡ଼ିଶାର କୃଷକମାନଙ୍କ ନିମନ୍ତେ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଏହା ଦ୍ୱାରା କୃଷକମାନଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିପାରିବ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିଜୱାରେ ବଜାର ପଂଚାୟତର ସରପଂଚ ତଥା ସମେତ ଜଣେ ସମାଜସେବୀ , କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ।

ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିଜ୍‌ୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ଘଟିଥିବା ପରିବର୍ତନ ବିଷୟରେ କହିଥିଲେ ଯାହା ଦ୍ୱାରା କି ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଉଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି।

ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ। ବର୍ତ୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ବୋଲି ସେ କେହିଥିଲେ।

ଜଳବାୟୁ ପରିବର୍ତ୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ମୋ ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ। କାହିଁକି ନା ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିର ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ।

ଏହି ରୂପାନ୍ତରୀକରଣ ପରେ ଏହି ଅଂଚଳରେ କୌଣସି କୃଷକଙ୍କର ଆତ୍ମହତ୍ୟାର ରିପୋର୍ଟ ମିଳିନାହିଁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଶ୍ରୀ ରାୟ କୃଷିକୁ ଏକ ଦ୍ୱିଧାର ଖଡ଼ଗ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଖାଦ୍ୟ ଏବଂ ଜୀବିକା ଯୋଗାଉଥିବା ବେଳେ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି ବୋଲି କହିଥିଲେ। ତେଣୁ କୃଷି ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ଯୁକ୍ତରାଷ୍ଟ ଆମେରିକା ସରକାର ୨୦୫୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ସ୍ତରରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।

ଶ୍ରୀ ରାଉଳ କହିଥିଲେ ଯେ, ଜଳବାୟୁ ପରିବର୍ତନ ଯୋଗୁଁ ପରିବର୍ତନ ସବୁ କ୍ଷେତ୍ରରେ ହୋଇଥିବା ବେଳେ ୧୯୦୧ ମସିହା ଠାରୁ ଗତ ୧୨୨ ବର୍ଷ ମଧ୍ୟରେ ପାଂଚ ବର୍ଷ ସବୁଠାରୁ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି। ଏହି ବର୍ଷଗୁଡ଼ିକ ହେଲା ୨୦୦୯, ୨୦୧୦, ୨୦୧୬, ୨୦୧୭ ଏବଂ ୨୦୨୩।

ଏହି ପରିସ୍ଥିତି ଦ୍ୱାରା ଅର୍ଥନୀତି କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି କୃଷକମାନେ ଏହି ସମସ୍ୟାର ମୁକାବିଲା କରିପାରିବେ ବୋଲି ପ୍ରଫେସର ରାଉଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତନ ପ୍ରସଙ୍ଗକୁ ସୋଆ ଗୁରୁତ୍ୱ ଦେଉଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ୨୦ଟି ଗବେଷଣା କେନ୍ଦ୍ର ମଧ୍ୟରୁ ସିସିଏସ୍‌ଏ ଅନ୍ୟତମ ବୋଲି ପ୍ରଫେସର ନନ୍ଦ କହିଥିଲେ। ନିକଟରେ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ପର୍କରେ ଅଧିକ ଅନୁଧ୍ୟାନ ନିମନ୍ତେ ସୋଆ ଏବଂ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲଜି (ଆଇଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରପେସର ରବୀନ୍ଦ୍ର କୁମାର ପଣ୍ଡା ନିଜ ସ୍ୱାଗତ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତନ ଯୋଗୁଁ ଏହା ମାନବଜାତି ଉପରେ ଗଭୀର ପ୍ରଭାବ ପକାଉଛି। ଏହା ଦ୍ୱାରା କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ। ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏବଂ ଏଭିଏନ୍‌ଏଲ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଯୁଗ୍ମ ଗବେଷଣା, ପରାମର୍ଶ, ଶିକ୍ଷା, ପ୍ରଶିକ୍ଷଣ ଓ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଆର୍‌ମୋର୍ଡ ଭେହିକିଲ୍ସ ନିଗମ ଲିମିଟେଡ୍ (ଏଭିଏନ୍‌ଏଲ୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ଶୁକ୍ରବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ସୋଆ ଏବଂ ଏଭିଏନ୍‌ଏଲ୍ ମଧ୍ୟରେ ପାଂଚ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଗବେଷଣା ସଂକ୍ରାନ୍ତୀୟ ପ୍ରକଳ୍ପକୁ ନେଇ ଦୁଇ ଅନୁଷ୍ଠାନ କାର୍ଯ୍ୟ କରିବେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏଭିଏନ୍‌ଏଲ୍‌ର ନିର୍ଦ୍ଦେଶକ (ମାନବ ସମ୍ବଳ) ବିଶ୍ୱରଞ୍ଜନ ପଟ୍ଟନାୟକ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ।

ଏଭିଏନ୍‌ଏଲ୍ କ୍ୟାମ୍ପସ୍ ନିଯୁକ୍ତି ମାଧ୍ୟମରେ ସୋଆର ଗ୍ରାଜୁଏଟମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ନିମନ୍ତେ କିମ୍ବା ଇନ୍‌ଟର୍ଣ୍ଣ ଭାବେ ମନୋନୀତ କରିବ। ସେହିପରି ଏଭିଏନ୍‌ଏଲ୍‌ର କର୍ମଚାରୀମାନେ ସୋଆରେ ଏମ୍‌ଟେକ୍ ଏବଂ ପିଏଚ୍‌ଡି କରିବାର ସୁଯୋଗ ପାଇବେ।

ଏତଦ୍ ବ୍ୟତୀତ ସୋଆ ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ରେ ଏଭିଏନ୍‌ଏଲ୍ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସହଯୋଗରେ ଥିବା ଷ୍ଟାର୍ଟ ଅଫ୍ କମ୍ପାନୀଗୁଡ଼ିକ ସହ କାର୍ଯ୍ୟ କରିବ।

ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଏଭିଏନ୍‌ଏଲ୍‌ର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ରଞ୍ଜନ କୁମାର ବଳ, ସୋଆ ପରିଚାଳିତ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌ସ) ପ୍ରଫେସର ଡି.ଏନ୍‌. ଥାଟୋଇ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜିନେସ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ସ୍‌: ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ ପୂର୍ବାଂଚଳରେ ପ୍ରଥମ, ଦେଶରେ ପଂଚମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଇଂରାଜୀ ପତ୍ରିକା ବିଜିନେସ୍ ୱାର୍ଲ୍ଡ ଦ୍ୱାରା ପ୍ରସ୍ତୁତ ଟପ୍ ୧୦୦ ଲ’ ସ୍କୁଲ୍ ର‌୍ୟାଙ୍କିଙ୍ଗ୍‌ସର ତୃତୀୟ ସଂସ୍କରଣରେ ପୂର୍ବାଂଚଳରେ ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ସାରା ଦେଶରେ ପଂଚମ ସ୍ଥାନରେ ରହିଛି। ଆଇନ୍ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ।

ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇନ୍‌ଟରନ୍ୟାସ୍‌ନାଲ୍ ସେଂଟର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ଆର୍‌. ମିଧା, ବିଜିନେସ୍ ୱାର୍ଲ୍ଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅନୁରାଗ ବାତ୍ରା ଏବଂ ସୁପ୍ରିମ୍‌କୋର୍ଟ ବରିଷ୍ଠ ଆଇନଜୀବି ଗୀତା ଲୁଥ୍‌ରା ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।
ସୋଆ ପକ୍ଷରୁ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ଓ କର୍ପୋରେଟ୍ ରିଲେସନ୍ସର ନିର୍ଦ୍ଦେଶକ ଶ୍ରୀ ରିପ୍ତି ରଞ୍ଜନ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନ୍‌ଜୀବି, ଶିକ୍ଷାବିତ୍ ତଥା ବିଭିନ୍ନ ଆଇନ କଲେଜର ପ୍ରଫେସର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ ଅନୁଯାୟୀ ୨୦୨୩ରେ ସ୍ନିଲ୍ ଦେଶରେ ୮ମ ସ୍ଥାନରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆର ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର ସୋମବାର ଏଠାରେ ନବୀକରଣ କରାଯାଇଛି।

ଆଉ ୫ ବର୍ଷ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଓଡ଼ିଶାରେ ସୋଆ ଦ୍ୱାରା କାର୍ଯ୍ୟକାରୀ ବଜ୍ରପାତ ସତର୍କ ନେଟ୍‌ୱର୍କ ୪ଟି ସ୍ଥାନରୁ ୮ ଟି ସ୍ଥାନକୁ ବର୍ଦ୍ଧିତ କରାଯାଇ ୧୦୦ କିମି ପରିସୀମା ମଧ୍ୟରେ ବଜ୍ରପାତର ପୂର୍ବାନୁମାନକୁ ତ୍ୱରାନ୍ୱିତ କରିବାରେ ଆଇଆଇଟିଏମ୍ ସହଯୋଗ କରିବ।

ଏହି ବୁଝାମଣାପତ୍ରଟି ଆଇଆଇଟିଏମ୍‌ର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଓଡ଼ିଶାରେ ବଜ୍ରପାତ ସତର୍କ ନେଟ୍‌ୱର୍କ ବର୍ତମାନ ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ କାର୍ଯ୍ୟକ୍ଷମ ଥିବା ବେଳେ ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗୀର ଓ ଅନୁଗୁଳରେ ନୂତନ କେନ୍ଦ୍ର ଅବସ୍ଥାପିତ କରାଯିବା ନିମନ୍ତେ ନିଷ୍ପତି ହୋଇଛି।

ବଜ୍ରପାତ ଓ ଘଡ଼ଘଡ଼ି ସହ ଝଡ଼ ସମ୍ପର୍କିତ ଅନେକ ଗବେଷଣା କାର୍ଯ୍ୟରେ ସୋଆ ଓ ଆଇଆଇଟିଏମ୍ ପୁନେ ବର୍ତମାନ ନିୟୋଜିତ ଅଛନ୍ତି। ସେହିପରି ଏହି ଦୁଇଟି ଅନୁଷ୍ଠାନ ବାୟୁମଣ୍ଡଳର ସ୍ଥିତି ଆକଳନ କରି ଓଡ଼ିଶାର ବିଭିନ୍ନ ବ୍ଲକ୍‌ରେ ଝଡ଼ ଓ ବଜ୍ରପାତର ସଫଳ ପୂର୍ବାନୁମାନ କରିପାରୁଛନ୍ତି।

ବୁଝାମଣା ଅନୁଯାୟୀ ରାଜ୍ୟର ବିଭିନ୍ନ ବ୍ଲକ ଓ ଗ୍ରାମପଂଚାୟତରେ ଝଡ଼ ଓ ବଜ୍ରପାତ ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରିବା ସହ ପଶ୍ଚିମ ଓଡ଼ିଶାରେ ହଠାତ୍ ଉପୁଜୁଥିବା ମରୁଡି ପରିସ୍ଥିତି ବିଷୟରେ ପୂର୍ବରୁ ସୂଚନା ଦେବା ନିମନ୍ତେ ସୋଆ ଓ ଆଇଆଇଟିଏମ୍ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିରେ ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସହଯୋଗ ନିମନ୍ତେ ମଧ୍ୟ ଉଦ୍ୟମ କରାଯିବ।

ଇତି ମଧ୍ୟରେ ସୋଆରେ ଏକ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଜଳବାୟୁ ଏବଂ କୃଷି କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କିତ ଗବେଷଣା ନିମନ୍ତେ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଆଇଆଇଟିଏମ୍‌ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି. ଗୋପାଳକ୍ରିଷ୍ଣନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର୍ (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ୍ ପ୍ରଫେସର ପ୍ରଫେସର ଉମା ଚରଣ ମହାନ୍ତି, ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ଆଡିସ୍‌ନାଲ୍ ଡିନ୍ ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ପ୍ରତ୍ୟେକ ସର୍ଜନ୍ ଜାଣିଥାନ୍ତି ତାଙ୍କ ରୋଗୀର କେବେ ସର୍ଜରୀ କରାଯିବା ଆବଶ୍ୟକ। ତେବେ କେବେ ସର୍ଜରୀ କରାଯିବା ଆବଶ୍ୟକ ନୁହେଁ ତାହା ଜାଣିବା ପାଇଁ ସାରା ଜୀବନ ଲାଗିଯାଏ ବୋଲି କହିଛନ୍ତି ବିଶିଷ୍ଟ ଅଟୋଲାରିନ୍‌ଗୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ରବି ରାମଲିଙ୍ଗମ୍।

ଅଧିକାଂଶ ସର୍ଜନ୍ ଜାଣିଥାନ୍ତି ରୋଗୀର କେତେବେଳେ ସର୍ଜରୀର ଆବଶ୍ୟକତା ଅଛି। କିନ୍ତୁ କେତେବେଳେ ଏହା କରାଯିବ ଉଚିତ୍ ନୁହେଁ, ବିଶେଷ କରି ଇଏନ୍‌ଟି କ୍ଷେତ୍ରରେ ତାହା ଜାଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଚେନ୍ନାଇ ସ୍ଥିତ କେକେଆର୍ ଇଏନ୍‌ଟି ହସ୍ପିଟାଲ୍‌ସ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ରାମଲିଙ୍ଗମ୍।

ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାମଲିଙ୍ଗମ୍।

କାର୍ଯ୍ୟକ୍ରମରେ ମୁମ୍ବାଇର ବିଶିଷ୍ଟ ଓଟୋହିନୋଲାରିନ୍‌ଗୋଲୋଜିଷ୍ଟ ଡାକ୍ତର ବିକାଶ ଅଗ୍ରୱାଲ୍ ଏବଂ ବିଶାଖାପାଟନମ୍‌ର ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର କ୍ରିଷ୍ଣା କିଶୋର ମଧ୍ୟ ବକ୍ତବ୍ୟ ରଖିଥିଲେ। ତିନି ଦିନିଆ ସମ୍ମିଳନୀରେ ଶୁକ୍ରବାର ଠାରୁ ଲାଇଭ୍ ସର୍ଜରୀ ଡେମୋନ୍‌ଷ୍ଟ୍ରେସନ୍ ଏବଂ ବିଶେଷଜ୍ଞଙ୍କ ସନ୍ଦର୍ଭ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା।

ଏହି ସମ୍ମିଳନୀଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ସଭାପତି ପ୍ରଫେସର (ଡାକ୍ତର) ଦେବବ୍ରତ ପାଣିଗ୍ରାହୀ ଏବଂ ସମ୍ପାଦକ ପ୍ରଫେସର (ଡାକ୍ତର) କବିକାନ୍ତ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ।

ସମ୍ମିଳନୀର ଅର୍ଗାନାଇଜିଂ ଚେୟାରମ୍ୟାନ୍ ପ୍ରଫେସର (ଡାକ୍ତର) ସୌମ୍ୟରଞ୍ଜନ ଦାଶ ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ରାଧାମାଧବ ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଡାକ୍ତର ବିରଜାଲକ୍ଷ୍ମୀ ଆଚାର୍ଯ୍ୟଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ

ଭୁବନେଶ୍ୱର: ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି।
ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ।

ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତିଗତ ଅନୁଷ୍ଠାନ ଦୀର୍ଘ ୬ ଦଶନ୍ଧି ହେବ ଜାତୀୟ ସ୍ତରରେ କାର୍ଯ୍ୟ କରିଆସୁଅଛି।

ଗତ ମେ ମାସ ୩୧ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ମସୌରୀ ଠାରେ ଆଇଆଇଆଇଇ ପକ୍ଷରୁ ୨୪ ତମ ସିଇଓ କନ୍‌ଫରେନ୍ସ ଆୟୋଜିତ ହୋଇଥିଲା। ଏହି ଅବସରରେ ସୋଆକୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀର ପ୍ରସଙ୍ଗ ରହିଥିଲା “ବିଲ୍ଡିଂ ରେସିଲିଏନ୍ସ: ଆଡାପ୍ଟିଂ ଟୁ ରାପିଡ୍‌ଲି ଚେଞ୍ଜିଂ ଗ୍ଲୋବାଲ୍ ମାର୍କେଟ”। ସମ୍ମିଳନୀରେ ଅନେକ ନେତୃସ୍ତରୀୟ ବ୍ୟକ୍ତିବିଶେଷ, ମ୍ୟାନେଜମେଂଟ ଗୁରୁ, ରାଷ୍ଟ୍ରଦୂତ, ଶିକ୍ଷାବିତ୍ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହିତ କର୍ପୋରେଟ ଜଗତର ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗ ଦେଇ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଦନ୍ତ ଚିକିତ୍ସକମାନେ ଉଭୟ ଧୁମ୍ର ପାନ ଓ ଧୁମ୍ର ବିହୀନ ତମାଖୁର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ଏଥିରୁ କିଭଳି ନିବୃତ ରହିପାରିବେ ସେ ନେଇ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ସୋଆରେ କାର୍ଯ୍ୟରତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହି ପରାମର୍ଶ ଗ୍ରହଣ କରିଥିଲେ । ତମାଖୁ ସେବନ ଦ୍ୱାରା କିଭଳି ମୁଖ କର୍କଟ, ଯକୃତ କର୍କଟ, ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ କର୍କଟ ଓ ପ୍ରଜନନ ଅଂଗ କର୍କଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ସେ ନେଇ ଡାକ୍ତରମାନେ ଏହି ସଫେଇ କର୍ମଚାରୀମାନଙ୍କୁ ବୁଝାଇଥିଲେ ।

ସଫେଇ କର୍ମଚାରୀମାନଙ୍କ କ୍ଷେତ୍ରରେ ତମାଖୁ ସେବନର ମାତ୍ରା ଅଧିକ ଦେଖା ଦେଉଥିବାରୁ ସେମାନଙ୍କୁ କିଭଳି ସଚେତନ କରାଯାଇପାରିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଡିଏସ୍‌ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଧା ପ୍ରସନ୍ନ ଦଳାଇ ।

ଏହି ଅବସରରେ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପବ୍ଲିକ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଧର୍ମଶ୍ରୀ ଏସ୍ ଓ ଅନ୍ୟ ବିଭାଗୀୟ ଡାକ୍ତରମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଛାତ୍ରଛାତ୍ରୀମାନେ ସଚେତନ କରାଇବା ସହ ନାଟକ ମାଧ୍ୟମରେ ତମାଖୁ ସେବନର ଭୟାଭୟତା ବଖାଣି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ମହୁମାଛି ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌୍ (ଆଇଏଏସ୍‌)ର କୀଟତତ୍ୱ ବିଭାଗ ପକ୍ଷରୁ ସୋମବାର ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି।

ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କୀଟତତ୍ୱ ବିଭାଗର ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାକୁ ମହାବିଦ୍ୟାଳୟ ରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଳନ କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଆଇଏଏସ୍‌ର ପ୍ରଫେସର ବିବୁଧ ପରାଶର, ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ପ୍ରଫେସର ଏସ୍‌.ଏମ୍‌.ଏ ମଣ୍ଡଳ ଯୋଗ ଦେଇ ଏହି ଦିବସର ଲକ୍ଷ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।

କୀଟତତ୍ୱ ବିଭାଗର ମୁଖ୍ୟ ତଥା ବରିଷ୍ଠ କୀଟତତ୍ୱବିତ୍ ପ୍ରଫେସର ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମହୁମାଛି ପାଳନ ତତ୍ୱାବଧାରକ ପ୍ରଫେସର ବ୍ରଜ କିଶୋର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ସତ୍ୟନାରାୟଣ ଶତପଥୀ ଧନ୍ୟବାଦ ଦେଇଥିଲେ। ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ସ୍ୱୟମ୍ ସିଂହ, ଡକ୍ଟର ରିତେଶ ମିଶ୍ର, ବିଶ୍ୱଜିତ ମିଶ୍ର, ଡକ୍ଟର ପ୍ରଜ୍ଞା ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗର ଗବେଷଣାରତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ସୋଆ ଛତାବର ଗବେଷଣା କେନ୍ଦ୍ରରୁ ସଦ୍ୟ ଉତ୍ପାଦିତ ମହୁ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ ପ୍ରାଣୀ ଭଲ ପାଇବା ଓ ସ୍ନେହର ଭାଷା ବୁଝନ୍ତି: ସୋଆ ଉପସଭାପତି

ଭୁବନେଶ୍ୱର: ପ୍ରାଣୀମାନେ ଯଦିଓ କଥା କହିପାରନ୍ତି ନାହିଁ କିମ୍ବା ସେମାନଙ୍କର ଭାବାବେଗ ପ୍ରକାଶ କରିପାରନ୍ତି ନାହିଁ କିନ୍ତୁ ସେମାନେ ଭଲ ପାଇବା ଓ ସ୍ନେହର ଭାଷା ବୁଝିପାରନ୍ତି। ତେଣୁ ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ସ୍ନେହ ଓ ଯତ୍ନ ଦେଇ ସେମାନଙ୍କର ଚିକିତ୍ସା କଲେ ସେମାନେ ନିଜ ବୃତିରେ ସଫଳ ହୋଇପାରିବେ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରି (ଆଇଭିଏସ୍‌ଏଏଚ୍‌)ର ପ୍ରଥମ ବାର୍ଷିକ ଉତ୍ସବ “ଭେଟ୍ରିକ୍ସ-୨୦୨୪” ରେ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ଏହି ଅନୁଷ୍ଠାନ ହେଉଛି ସୋଆର
ନୂତନତମ ଅନୁଷ୍ଠାନ। ୨୦୨୨ ଓ ୨୦୨୩ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଭେଟେରିନାରୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଡାକ୍ତର ପ୍ରାଣୀମାନଙ୍କୁ ଦୟା ପ୍ରଦର୍ଶନ କରି ଚିକିତ୍ସା କରିବା ଉଚିତ୍। ଏହା ଦ୍ୱାରା ଚିକିତ୍ସାର ମାନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଖୁବ୍ ସଫଳ ପ୍ରାଣୀ ଚିକିତ୍ସକ ହେବା ସହ ସେମାନେ ନିଜର ଓ ବିଶ୍ୱବିଦ୍ୟାଳୟକୁ ଗୌରବମଣ୍ଡିତ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ନେଇ ସୋଆ ଦ୍ୱାରା ମଣିଷମାନଙ୍କର ଚିକିତ୍ସା ପାଇଁ ୩ଟି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ଏବଂ ଗୋଟିଏ କର୍ପୋରେଟ ହସ୍ପିଟାଲ୍ ସ୍ଥାପନ ହୋଇଥିବା ବେଳେ ପ୍ରାଣୀମାନଙ୍କର ଚିକିତ୍ସା ପାଇଁ ସୋଆ ପକ୍ଷରୁ ଆଉ ଗୋଟିଏ ଅନୁଷ୍ଠାନ ଯୋଡି ହୋଇ ଯାଇଛି।

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଥିବା ସୋଆ ଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ତାଲିକାରେ ନିଜକୁ ସାମିଲ କରିପାରିଛି।

ତେଣୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାବେ ଗୌରବ ଅନୁଭୂତ କରିବା ପାଇଁ ପ୍ରଫେସର ନନ୍ଦ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ନିଜର ଭବିଷ୍ୟତ ଗଢ଼ିବା ଦରକାର ବୋଲି କହିଥିଲେ।
ଏହି ଅବସରରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ସହ ବିଶ୍ୱର ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ନିର୍ଭର କରେ ବୋଲି କହିଥିଲେ। ମଣିଷର ୭୦ ପ୍ରତିଶତ ଶାରୀରିକ ବ୍ୟାଧି
ପ୍ରାଣୀଙ୍କ ଠାରୁ ହିଁ ଆସିଥାଏ। ସେହିପରି ମଣିଷର ଅଧିକାଂଶ ଖାଦ୍ୟ ପ୍ରାଣୀଙ୍କ ଠାରୁ ମିଳିଥାଏ। ତେଣୁ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠାନର ଆସୋସିଏଟ୍ ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ନିମନ୍ତେ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ସୋଆ ଉପସଭାପତି, କୁଳପତି ଓ ଅନ୍ୟାନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆସିଷ୍ଟାଂଟ ପ୍ରଫେସର ପ୍ରୀତିଶା ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଡକ୍ଟର ପ୍ରୀତି ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂଟେମ୍ପୋରାରୀ କେସ୍ ଷ୍ଟଡିଜ୍ ଇନ୍ ବିଜିନେସ୍ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିଛନ୍ତି।

‘କଂଟେମ୍ପୋରାରୀ କେସ ଷ୍ଟଡିଜ୍ ଇନ୍ ବିଜିନେସ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ପୁସ୍ତକଟି ମ୍ୟାନେଜମେଂଟ ତଥା ହସ୍ପିଟାଲ ଆଡ଼ମିନିଷ୍ଟ୍ରେସନ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଉକ୍ତ ପୁସ୍ତକଟି ଅନ୍ୟ ପୁସ୍ତକମାନଙ୍କ ଠାରୁ ଅଲଗା କାରଣ ଏଥିରେ ବିଭିନ୍ନ ଶିଳ୍ପ/କମ୍ପାନୀ ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଘଟଣା ଉପରେ ପର୍ଯ୍ୟବେଶିତ ଉଦାହରଣ ଦିଆଯାଇଛି ତଥା ବିଶ୍ଳେଷଣ ଦ୍ୱାରା ମ୍ୟାନେଜମେଂଟ ଓ ସ୍ୱାସ୍ଥ୍ୟ ସେବା ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନ ବୃଦ୍ଧି ନିମନ୍ତେ ସହାୟକ ହେବ ବୋଲି ଡକ୍ଟର ଦାଶ କହିଛନ୍ତି।

ଏହା ଛଡ଼ା ପ୍ରଫେସର ଦାଶ ଓ ପାପୁଆ ନିଉ ଗିନି ୟୁନିଭର୍ସିଟ ଅଫ୍ ଟେକ୍ନୋଲୋଜିର ଡକ୍ଟର କମଳାକାନ୍ତ ମୁଦିୁଲି ଓ ଡକ୍ଟର ଆଦିମୁଥୁ ରାମସାମୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପ୍ରୋଜେକ୍ଟ ମ୍ୟାନେଜମେଂଟ ଆଣ୍ଡ ଇକୋନୋମିକ୍‌ସ’ ଓ ପ୍ରଫେସର ଦାଶ ଓ ଡକ୍ଟର ମୁଦୁଲିଙ୍କ ଦ୍ୱାରା ଲିଖିତ ‘ଅପରେସନ୍ ମ୍ୟାନେଜମେଂଟ’କୁ ମଧ୍ୟ ପ୍ରଫେସର ନାୟକ ଉନ୍ମୋଚିତ କରିଥିଲେ।
ପ୍ରଫେସର ନାୟକ ଲେଖକ ମାନଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଗୁଣାତ୍ମକ ପୁସ୍ତକ ଲେଖା ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଆ ସମର୍ କ୍ୟାମ୍ପକୁ ଆହୁରି ବ୍ୟାପକ କରାଯିବ: ସୋଆ ଉପସଭାପତି

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ
ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଛାତ୍ର ଜୀବନ ର ଏକ ଅଭିନ୍ନ ଅଂଗ।

ଏହି ଶିବିର ପିଲାମାନଙ୍କ ପାଇଁ ନି୧⁄୨ିତ ଭାବେ ଲାଭଦାୟକ ହେବ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ଏହି କ୍ୟାମ୍ପକୁ ଆହୁରି ବ୍ୟାପକ ଭାବେ ପରିଚାଳନା କରିବାକୁ ଚିନ୍ତା କରାଯାଉଥିବା ଶ୍ରୀମତି ଦାସ କହିଥିଲେ।

ଦୀର୍ଘ ୪ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କ ଶାରିରୀକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ସୋଆ ପକ୍ଷରୁ ଏହି କ୍ୟାମ୍ପ ପରିଚାଳନା କରାଯାଉଥିବା ପ୍ରକାଶ କରି ଏହି କ୍ୟାମ୍ପରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ।

କ୍ୟାମ୍ପରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ, ଟେନିସ୍‌, କ୍ରିକେଟ୍‌, ଖୋଖୋ, କବାଡି ଏବଂ ଚେସ୍ ଖେଳର ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଚଳିତ ବର୍ଷ ଚେସ୍ କୁ ଏହି କ୍ୟାମ୍ପରେ ସାମିଲ କରାଯାଇଥିଲା।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏହି ସମର କ୍ୟାମ୍ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଥିଲେ। ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତ୍ତମ ଅଭ୍ୟାସ ଆଣି ସମାଜକୁ ସମୃଦ୍ଧ କରିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ସୋଆର ସ୍ପୋର୍ଟସ ଅଫିସର ଶ୍ରୀମତୀ ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେହିପରି ସାମିଲ ହୋଇଥିବା ସମସ୍ତ ୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମା’ର ଅନ୍ୟ ଏକ ରୂପ ସେବିକା: ସୋଆ ଉପସଭାପତି

ଭୁବନେଶ୍ୱର: ମା’ର ଅନ୍ୟ ଏକ ରୂପ ହେଉଛି ସେବିକା। ମା ନିଜ ପିଲାର ଯତ୍ନ ନେବା ଭଳି ନର୍ସମାନେ ମଧ୍ୟ ସେବା ଯତ୍ନ ପ୍ରଦାନ କରି ରୋଗୀମାନଙ୍କୁ ସୁସ୍ଥ କରିଥାନ୍ତି। ତେଣୁ ନର୍ସ ମାନେ ମା ସହିତ ତୁଳନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତି ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ରେ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ମେ ୧୨ ତାରିଖ ଦିନ ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଶ୍ୱ ମାତୃ ଦିବସ ଓ ଆନ୍ତର୍ଜାତିକ ସେବିକା ଦିବସ ଗୋଟିଏ ଦିନରେ ପଡୁଥିବା ବେଳେ ଉଭୟ ମା ଓ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେବା ଏକ ବ୍ରତ ଓ ଏହି ବ୍ରତରେ ଅନୁପ୍ରାଣିତ ହୋଇ ନର୍ସିଂ ଭଳି ଏକ ମହାନ ବୃତିକୁ ଗ୍ରହଣ କରିଥିବା ସମସ୍ତ ନର୍ସ ମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନେ କିଭଳି ସୂଚାରୁ ରୂପେ ରୋଗୀ ସେବା କରି ପାରିବେ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ପରସ୍ପରର କାର୍ଯ୍ୟକୁ ପ୍ରଶଂସା ଓ ପରସ୍ପର ସହ ସହଯୋଗ କଲେ ହିଁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିପାରିବେ ବୋଲି କହିଥିଲେ।

ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ (ଇନ୍‌ଚାର୍ଜ) କମଳିନୀ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଧୁନିକ ନର୍ସିଂର ପଥପ୍ରଦର୍ଶକ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ୨୦୪ ତମ ଜନ୍ମ ଦିବସ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ଏଥରର ପ୍ରସଙ୍ଗ “ଆୱାର ନର୍ସେସ୍ , ଆୱାର ଫ୍ୟୁଚର, ଦ ଇକୋନୋମିକ ପାୱାର ଅଫ୍ କେୟାର” ରହିଥିବା ଶ୍ରୀମତି ମଲ୍ଳିକ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଏଏନ୍‌ଏସ୍ ପ୍ରଣତି ରାଣୀ ବେହେରା ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥ ପାଠ କରାଇଥିଲେ। ସେହିପରି ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଏକ କେକ୍ କଟାଯାଇ ଏହି ଦିବସ ପାଳନ କରାଯାଇଥିଲା।

ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ୍ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଶ୍ରୀମତି ଦାସ ଓ ଅନ୍ୟ ଅତିଥିଗଣ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏଏନ୍‌ଏସ୍ ଶ୍ରୀମତି ସୁଚିସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଇସିଏନ୍ ଶ୍ରୀମତି ଶତରୂପା ପାଟ୍ଟଯୋଶୀ ମଂଚ ପରିଚାଳନା କରିଥିଲେ।

ଏହି ଅବସରରେ ସୋଆର ବରିଷ୍ଠ କର୍ମକର୍ତାଙ୍କ ସମେତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଓ ଫୁଲନଖରା କ୍ୟାମ୍ପସ୍‌ର ବରିଷ୍ଠ କର୍ମକର୍ତା, ନର୍ସିଂ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମଧ୍ୟ ରବିବାର ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନର୍ସମାନଙ୍କୁ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାଶଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଆନ୍ତର୍ଜାତିକ ସେବିକା ଦିବସର ବିଷୟ ବସ୍ତୁ ‘ଆମର ନର୍ସେସ୍‌, ଆମର ଭବିଷ୍ୟତ: ସେବାର ଅର୍ଥନୈତିକ ଶକ୍ତି’ ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ସର୍ଜରୀ ବିଭାଗ କନସଲଟାଂଟ୍ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, କନ୍‌ସଲଟାଂଟ୍ ଡାକ୍ତର ରିଷିକା ସେନ୍‌, ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ୍ ପାତ୍ର, ସାଇକିଆଟ୍ରି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ବିଶ୍ୱଜିତ୍ ସାମଲ, ଶିଶୁରୋଗ ବିଭାଗର ଡାକ୍ତର ମିନାକ୍ଷୀ ସାହୁ ଓ ମେଡିସିନ୍ ବିଭାଗର ଡାକ୍ତର ଅମର ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନର୍ସିଂ ଇନ୍‌ଚାର୍ଜ ଇତି ଶ୍ରାବଣୀ ଉପସ୍ଥିତ ନର୍ସମାନଙ୍କୁ ଶପଥ ପାଠ କରାଇଥିଲେ। ଶୁଭମ୍ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଏନ୍‌ଏସ୍ ଅର୍ଚ୍ଚନା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୂଆଗାଁ ସ୍ଥିତ ଆଇଏନ୍‌ଏସ୍ ଫାର୍ମରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମ୍ୟକ୍ ଆଲୋକପାତ କରିଥିବା ବେଳେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନର ଅଗ୍ରଗତି ଓ କୃଷି ଭିତିକ ଗବେଷଣାକୁ ନେଇ ବକ୍ତବ୍ୟ ରଖିଥିଲେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଂଝଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ଗବେଷଣା କେନ୍ଦ୍ର (ଏଆର୍‌ଏସ୍‌) ରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ପ୍ରଫେରସ ରାଉତ ଓ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇଥିଲେ।

ଏହି ଉଭୟ ଉତ୍ସବରେ ପ୍ରଫେସର ସରୋଜ ମହାନ୍ତି, ପ୍ରଫେସର ବିବୁଧ ପରାଶର, ଡକ୍ଟର ମନତୋଷ ବୈରାଗ୍ୟ ସମେତ ଫ୍ୟାକଲ୍ଟି, ଗବେଷଣାରତ ଛାତ୍ରଛାତ୍ରୀ, ଗବେଷଣା କର୍ମଚାରୀ ତଥା କୃଷକମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ଗ୍ରୀଷ୍ମକାଳୀନ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ ଆରମ୍ଭ ହୋଇଛି।

ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଚାଲିବାକୁ ଥିବା ‘ସମର କ୍ୟାମ୍ପ’ର ଶୁଭାରମ୍ଭ କରିବା ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ସୁସ୍ଥତା ଓ ମାନସିକ ସ୍ତରରେ ବିକାଶ ନେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ପାଠପଢ଼ା ସହିତ କ୍ରୀଡ଼ା ଅଭ୍ୟାସ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ। ତେଣୁ ଛୁଟି ସମୟରେ ଏଭଳି ଶିବିର ଦ୍ୱାରା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇପାରିବେ ବୋଲି ପ୍ରଫେସର ଦାସ କହିଛି।

ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ର ୫ମ ରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି ।

ଏହି ଶିବିରରେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ, କ୍ରିକେଟ, ଖୋ ଖୋ, କବାଡି ଓ ଚେସ୍ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ।

ସୋଆ ପକ୍ଷରୁ ଚତୁର୍ଥ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଛି। ସୋଆର କ୍ରୀଡା ଅଫିସର ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍‌ଯାପିତ

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି।

ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ। କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି। ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି।

ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍‌ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ।

ଏହି କନ୍‌କ୍ଲେଭ୍‌ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି।

ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ।

ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍‌ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି। ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ। ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।

ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି। ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ କରାଯାଉଛି। ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି। ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ।

ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍‌ଟରନ୍ୟାସ୍‌ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତ୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି।

ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଇନ୍‌ଟରନେଟ୍ ଅଫ୍ ଥିଙ୍ଗସ୍‌, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ। ତେଣୁ ଛାତ୍ରଛାତ୍ରୀମାନେ ଇନ୍‌ଟରନେଟ ଅଫ୍ ଥିଙ୍ଗସ୍‌, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ।

ଶୁକ୍ରବାର ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍‌ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ।

ସେହିପରି କନ୍‌କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁ୍‌ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଂଟ (ଏଚ୍‌ଆର୍‌) ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍‌ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍‌କୁ ଓଆର୍‌ଏସ୍ ଓ ଜଳ ବଂଟନ

ଭୁବନେଶ୍ୱର: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍‌ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)।

ପୋଲିସ୍ ଓ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ୮ ଘଂଟା ଧରି ପ୍ରଚଣ୍ଡ ଖରା ସମୟରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ନିମନ୍ତେ ସୋଆର ଏନ୍‌ଏସ୍‌ଏସ୍ ଓ ଏନ୍‌ସିସି ଶାଖା ଏଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କମିଶନରେଟ ପୋଲିସ୍ ଓ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀମାନଙ୍କୁ ୫୦୦୦ ଓଆର୍‌ଏସ୍ ପ୍ୟାକେଟ୍ ଓ ୨୦୦୦ ପାଣି ବୋତଲ ପ୍ରଦାନ କରାଯାଇଥିବା ପ୍ରଫେସର ମଲ୍ଲିକ୍ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟରେ ପାଣି ଓ ଓଆର୍‌ଏସ୍ ବଂଟନ କରାଯିବ ବୋଲି ସେ କହିଛନ୍ତି।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ପ୍ରଫେସର ମଲ୍ଲିକ ଏବଂ ସୋଆର ଏନ୍‌ସିସି କ୍ୟାଡେଟମାନେ ଏହି ପାଣି ବୋତଲ ଓ ଓଆରଏସ୍ ପ୍ୟାକେଟ ପ୍ରଦାନ କରିଛନ୍ତି।

ପୋଲିସ୍ କମିଶନର ଶ୍ରୀ ପଣ୍ଡା ସୋଆର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଟ୍ରାଫିକ ଡିସିପି ପି.କେ. ରାଉତ ଏବଂ ସୋଆର ଆସୋସିଏଟ୍ ଏନ୍‌ସିସି ଅଫିସର (ଏଏନ୍‌ଓ) ଡକ୍ଟର ସତୀଶ କୁମାର ସାମଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ବାଟୋଇ ସିଷ୍ଟମ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଭୁବନେଶ୍ୱରରେ ସ୍ଥିତ ବାଟୋଇ ସିଷ୍ଟମ୍ସ (ବାଟୋଇ) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ବାଟୋଇ ହେଉଛି ଏକ ସଫ୍ଟୱେୟାର ଇଞ୍ଜିନିୟରିଂ ଅଟୋମେସନ୍ କମ୍ପାନୀ ଯାହାର ରାପିଡ୍ ଆପ୍ଲିକେସନ୍ ଡେଭଲପ୍‌ମେଂଟ (ରାଡ୍‌) ପ୍ଲାଟଫର୍ମ ଟେଲିମେଟ୍ରି ଟୁଲ୍ସର ବିକାଶ ଓ ନିୟୋଜନ କ୍ଷେତ୍ରରେ କାର୍ଯ୍ୟ କରିଥାଏ।

ବୁଝାମଣା ଅନୁଯାୟୀ ବାଟୋଇ ସୋଆକୁ ଏହାର ବାଟୋଇ ଏକାଡେମୀ ପ୍ଲାଟଫର୍ମ ବ୍ୟବହାର କରିବାକୁ ଦେବ ଓ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଏବଂ କ୍ୱାଂଟମ୍ କମ୍ପ୍ୟୁଟିଙ୍ଗ୍ ଶିକ୍ଷା ଓ ଗବେଷଣା ନିମନ୍ତେ ଏକ ଟେକ୍ନୋଲୋଜି ଲ୍ୟାବ ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିବ।

ଏହି କମ୍ପାନୀ ସୋଆର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଲାଇଭ୍ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇପାରିବେ। ବିଭିନ୍ନ କର୍ମଶାଳା ଆୟୋଜନ କରିବା ସହ ବାଟୋଇ ସୋଆର ଛାତ୍ରଛାତ୍ରୀମାନଙ୍କୁ କ୍ୱାଂଟମ୍ କମ୍ପ୍ୟୁଟିଙ୍ଗ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଇନ୍‌ଟର୍ଣ୍ଣସିପ୍ ଓ ନିଯୁକ୍ତିରେ ମଧ୍ୟ ସହାୟକ ହେବ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବାଟୋଇ ସିଷ୍ଟମ୍ସର ସିଇଓ ତଥା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ରଥଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସ୍କିଲ୍ ପ୍ରତିଯୋଗିତାରେ ସୋଆ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ଼ ସ୍କିଲ ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୨୩-୨୪ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ମାର୍ଚ୍ଚ ୧୨ ରୁ ୧୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଥିଲା।

ହୋଟେଲ ମ୍ୟାନେଜମେଂଟର ୫ଟି ସ୍କିଲ୍ ଯେପରିକି ହୋଟେଲ୍ ରିସେପ୍ସନ୍‌, ରେଷ୍ଟୁରାଂଟ ସର୍ଭିସ୍‌, କୁକିଙ୍ଗ୍‌, ବେକରି, ପାଟିସେରୀ ଓ କନ୍‌ଫେକ୍ସନାରୀକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏସ୍‌ଏଚ୍‌ଏମ୍‌ର ବ୍ୟାଚଲର ଅଫ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଙ୍ଗ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି) ବିଭାଗର ପ୍ରଥମ ବର୍ଷ ଛାତ୍ର ସକେତ୍ କୁମାର ମାଝି କୁକିଙ୍ଗ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ବିଏଚ୍‌ଏମ୍‌ସିଟି ବିଭାଗର
ଦ୍ୱିତୀୟ ବର୍ଷର ଛାତ୍ର ରିଜ୍‌ୱାନୁଲ୍ ଖାନ୍ ରେଷ୍ଟୁରାଂଟ ସର୍ଭିସ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।

ବିଜେତା ମାନଙ୍କୁ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ପୁରସ୍କୃତ କରିଥିଲେ।

ପଦକ ହାସଲ କରିଥିବା ଦୁଇ ଛାତ୍ର ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନିଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇବିସିଏସ୍‌ରେ କନ୍‌ଭରଜେନ୍ସ-୨୦୨୪ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଗ୍ରହଣ ଜୀବନର ଏକ ଅସରନ୍ତି ପ୍ରକ୍ରିୟା ଏବଂ ଏହି ପ୍ରତିଯୋଗିତାମୂଳକ ପୃଥିବୀରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ଶାଣିତ କରିବା ନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ପୁଡୁଚେରୀର ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ କୁମାର ପରିଡା କହିଛନ୍ତି।

ସଫଳତା ପାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ, ଇଚ୍ଛାଶକ୍ତି ଏବଂ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି। ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ବି-ସ୍କୁଲ୍ ମିଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କନ୍‌ଭରଜେନ୍ସ-୨୦୨୪’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପରିଡ଼ା ଏହା କହିଛନ୍ତି।

ଶ୍ରୀ ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ନିଜର ବିଭିନ୍ନ ଅନୁଭୂତି ବଖାଣି ଛାତ୍ରଛାତ୍ରୀମାନେ ସବୁବେଳେ ପରିବର୍ତନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାବାର୍ଡ ଭୁବନେଶ୍ୱରର ଡେପୁଟି ଜେନେରାଲ ମ୍ୟାନେଜର ଡକ୍ଟର ସମୀର କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଠିନ କାର୍ଯ୍ୟ ଓ ତ୍ୱରିତ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ନୈତିକତାର ସହ କାର୍ଯ୍ୟ କରିବାକୁ
ସେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ପ୍ରଫେସର ସାମନ୍ତରାୟ ନିଜ ଅନୁଭୂତିରୁ ବ୍ୟକ୍ତିଗତ ଓ ବୃତିଗତ ସଫଳତା ପାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ତଥ୍ୟ ରଖିଥିଲେ। ପ୍ରଫେସର ଦାସ ଜୀବନର ଉନ୍ନତି ନିମନ୍ତେ, କଠିନ ପରିଶ୍ରମ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କନ୍‌ଭରଜେନ୍ସ-୨୦୨୪ର କୋଅର୍ଡିନେଟର ପ୍ରଫେସର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅନ୍ୟତମ କୋଅର୍ଡିନେଟର ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।